Unknown

 

 

 

 

 

 

 

 

 

 

ଚିତ୍ତବୋଧ ବା ଚିତ୍ତବିନୋଦ

(ଚତୁର୍ଥ ଭାଗ)
ଅଚ୍ୟୁତାନନ୍ଦ ଦାସ

 

ସୂଚୀପତ୍ର

 

ବିଷୟ

.

ଶ୍ରୀ ଜଗନ୍ନାଥଙ୍କ ବନ୍ଦନା

.

ଗଣେଶ ବନ୍ଦନା

.

ଦୁର୍ଗାଙ୍କ ବନ୍ଦନା

.

ଦୁର୍ଗାଙ୍କ ବନ୍ଦନା

.

ଗ୍ରନ୍ଥ ସୂଚନା

.

ରୁକ୍ମିଣୀ ହରଣ

.

ଜରାସନ୍ଧାଦି ରାଜାମାନଙ୍କ ସହ ବଳରାମଙ୍କର ଭୀଷଣ ସମର ଓ ଶିଶୁପାଳ ଅପମାନ ପାଇ ବିବାହ ବେଦୀରୁ ବାହୁଡ଼ି ଯିବା

.

ଦ୍ୱାରକାରେ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କର ବିବାହ

.

ଶିବଙ୍କ କୋପରେ ମଦନ ଭସ୍ମ ଓ ରତିର ବିଳାପ

୧୦.

ରତିଙ୍କର ତପସ୍ୟା ଓ କନ୍ଦର୍ପର ଜନ୍ମ ଓ ସମ୍ବରାସୁର ଦ୍ୱାରା ରତିଦେବୀ ହରଣ

୧୧.

କର୍ନ୍ଦପ ସହିତ ରତିଦେବୀଙ୍କ ପରିଚୟ ଓ ସମ୍ବର ଅସୁର କର୍ନ୍ଦପ ହସ୍ତେ ବିନାଶ

୧୨.

ବଳରାମଙ୍କ ସହିତ ରେବତୀର ବିଭା ଓ କୁମ୍ଭ ନିକୁମ୍ଭ ବଧ

୧୩.

ବଳରାମଙ୍କ ସହିତ ରେବତୀର ବିଭା ଓ କୁମ୍ଭ ନିକୁମ୍ଭ ବଧ

୧୪.

ନାରକାସୁର ବଧ, ଷୋଳସସ୍ର କନ୍ୟା ସହ ବିବାହ ଓ ପାରିଜାତ ହରଣ

୧୫.

ପାରିଜାତ ପୁଷ୍ପ ନିମିତ୍ତେ ରୁକ୍ମିଣୀ ଓ ସତ୍ୟଭାମାଙ୍କ ମଧ୍ୟରେ ବିବାଦ ଓ ଇନ୍ଦ୍ର ରାଜାର ଦର୍ପ ଧ୍ୱଂସ

୧୬.

ଶ୍ରୀକୃଷ୍ଣ ରୁକ୍ମିଣୀ ନିତ୍ୟ ଗମନ ଓ ରୁକ୍ମିଣୀଙ୍କର ଗର୍ବଗଞ୍ଜନ ନିମନ୍ତେ ଶ୍ରୀକୃଷ୍ଣ ତରଳିଯିବା

୧୭.

ତୁଳସୀ ମାହାତ୍ମ୍ୟ ଓ ସତ୍ୟଭାମା ଗର୍ବ ଗଞ୍ଜନ

୧୮.

ସୁଦାମା ଦାରିଦ୍ର୍ୟ ଭଞ୍ଜନ ଓ ଭକ୍ତର ଭଗବାନ

୧୯

ହରି ଅର୍ଜୁନ ନିତ୍ୟକୁ ଗମନ ସୁଧର୍ମା ସଭାରେ ଯଦୁବଂଶ ଧ୍ୱଂସ ନିମିତ୍ତ ଦେବତାମାନଙ୍କର ପରାମର୍ଶ

୨୦

ରହସ୍ୟ ଦ୍ୱାରକାପୁର ସ୍ଥାପନ ଓ ଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କର ଗୋପକୁ ଗମନ

୨୧

ଅଷ୍ଟପାଟବଂଶୀମାନଙ୍କ ଶ୍ରୀକୃଷ୍ଣଙ୍କ ରହସ୍ୟ, ଦ୍ୱାରକାରେ ବାଲ୍ୟଲୀଳା ଦେଖାଇବା

୨୨

ଦୁର୍ବାସା ଋଷିଙ୍କ କୃଷ୍ଣ କୁମରେ ଅଭିଶାପ ଓ ଦ୍ୱାରକାରେ କୋକୁଆ ଭୟ

୨୩

ଦ୍ଵାରକା ବିନାଶ ଓ ଶ୍ରୀକୃଷ୍ଣ ନାରୀମାନଙ୍କର ଦେହତ୍ୟାଗ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା

 

ଜଗଦାନନ୍ଦକନ୍ଦାୟ ପ୍ରଣତାର୍ତ୍ତିହରାୟ ଚ

ନୀଳାଚଳ ନିବାସାୟ ଜଗନ୍ନାଥାୟତେ ନମଃ ।

 

ଶ୍ରୀ ଜଗନ୍ନାଥଙ୍କ ବନ୍ଦନା

ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ନାମ

ଭବ ପାରାବାରେ ପାରି ହେବାକୁ ଆଶ୍ରମ ।

ଜଗବନ୍ଧୁ ଜଗବନ୍ଧୁ ଜଗବନ୍ଧୁ ହରି

ମହିମା କିଏ ବର୍ଣ୍ଣିବ ଆଦିଅନ୍ତ କରି ।

ବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ଭଞ୍ଜନ

ବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ରକ୍ଷଣ ।

ଶରଣ ପଶିଲା ଗଜ କୁମ୍ଭୀର ଯୁଦ୍ଧରେ

ରକ୍ଷାକଲ ତାକୁ ଚକ୍ରେ ନାଶିଣ କୁମ୍ଭୀରେ ।

ବନ୍ଦଇ ଶ୍ରୀ ଜଗନ୍ନାଥ ଦୟାମୟ ସିନ୍ଧୁ

ବନ୍ଦଇ ଶ୍ରୀ ଜଗନ୍ନାଥ ଦୀନଜନ ବନ୍ଧୁ ।

ଦୀନ ସୁଦାମାର କଲ ଦାରିଦ୍ର୍ୟ ଭଞ୍ଜନ

ନିଜେ ଭାର ବୋହି ତାକୁ ଦେଇ କୋଟି ଧନ ।

ଅଜାମିଳ ମହାପାପୀ ଆକୁଳେ ଡାକିଲା

ଅନ୍ତକାଳେ ଯାଇ ବଇକୁଣ୍ଡରେ ବସିଲା ।

ରଘୁ ଅରକ୍ଷିତେ କ୍ଷମା କଲ ଭଗବାନ

ଅରକ୍ଷିତ ବନ୍ଧୁ ନାମ କରିଲ ଅର୍ଜନ ।

ପତିତପାବନ ବାନା ଉଡ଼େ ଦିବାନିଶି

ଛେଦ ଚକ୍ରେ କ୍ଷେତ୍ରମୋହନର ଦୁଃଖରାଶି ।

 

ଗଣେଶ ବନ୍ଦନା

ଜୟ ଜୟ ଗଣନାଥ ପାର୍ବତୀ ନନ୍ଦନ

ଅଯୋନି ସମ୍ଭୂତ ଦେବ ମୂଷିକ ବାହନ ।

ମହା ଯୋଗେଶ୍ଵର ଦେବ ଅଟ ବ୍ରହ୍ମବେତ୍ତା

କପାଳରେ ଶୋଭା ପାଏ ସିନ୍ଦୂରର ଚିତା ।

ଜ୍ଞାନୀମାନଙ୍କର ଗୁରୁ ବିଦ୍ୟାର ସାଗର

ସର୍ବଦେବ ଅଗ୍ରତରେ ପୂଜା ଯେ ତୁମ୍ଭର ।

ସର୍ବ ସିଦ୍ଧିଦାତା ପ୍ରଭୁ କାଳ କାମ ଜୟୀ

ଅମୃତ ଲଡ଼ୁ ଭକ୍ଷିଲ ଶିବଠାରୁ ନେଇ ।

ଏକଦନ୍ତ ମହାକାୟ ବିଘ୍ନବିନାଶକ

ତବ ଶ୍ରୀପଦରେ ମୋର ମାଗୁଣି ଏତେକ ।

ଶ୍ରୀକୃଷ୍ଣ ଦ୍ଵାରିକାଲୀଳା କରିବି ରଚନ

ଭିକ୍ଷାକରେ ସୁଦୟା କରିବେ ଗଜାନନ ।

ଭାଗବତ ହରିବଂଶୁ କରିଣ ଉଦ୍ଧାର

ଚିତ୍ତବୋଧ ନାମେ ଗ୍ରନ୍ଥ କରୁଛି ପ୍ରଚାର ।

ପଦ୍ମପାଦେ କରଯୋଡ଼ି ଜଣାଉଛି ମୁହିଁ

ନ ଆସିଲେ କଣ୍ଠେ ବସି ପଦ ଦେବ କହି ।

ତବ ପ୍ରସାଦରୁ ପ୍ରଭୁ ଧରିଛି ଲେଖନ

ଭଲମନ୍ଦ ବୁଝିବାକୁ ନାହିଁ ମୋର ଜ୍ଞାନ ।

ଦୟାକରି ପଦ ପ୍ରଭୁ ଦେଉଥିବା କହି

ଅଧମ କ୍ଷେତ୍ରମୋହନ ଶରଣ ପଶଇ ।

 

ଦୁର୍ଗାଙ୍କ ବନ୍ଦନା

ଜୟ ଜୟ ଜୟ ଦୁର୍ଗେ ବିପଦ ଭଞ୍ଜନୀ

ଜୟ ଜୟ ଜୟ ଦୁର୍ଗେ ମହେଶ ଘରଣୀ ।

ତୋର ନାମ ଧରି ମାତି ଧରୁଛି ଲେଖନୀ

ତୁ ସଦୟ ହେଲେ ମୂର୍ଖ ହୁଏ ମହାଜ୍ଞାନୀ ।

ନିମିଷକେ ଧ୍ୱଂସକରୁ ସକଳ ସଂସାର

ପୁଣି ମାତ କ୍ଷଣକରେ କରୁ ତୁ ତିଆର ।

ବ୍ରହ୍ମଜ୍ଞାନ ସାଧୁ ନିଜେ ଯୋଗୀ ମହେଶ୍ଵର

ମମତା ରଜ୍ଜୁରେ ତୋତେ ବାନ୍ଧନ୍ତି ପାଶର ।

ଅଶେଷ ବ୍ରହ୍ମାଣ୍ଡ ମାତ ଗର୍ଭେ ଧରୁ ତୁହି

ନମୋ ଆଦିମାତା ତୋର ଚରଣେ ନମଇଁ ।

ତୋର ନାମ ସର୍ବଦା ମୁଁ ଜପାମାଳ କରି

ସାହସ କରୁଛି ଭବସିନ୍ଧୁ ହେବି ପାରି ।

ତୋବିନେ ସଂସାରେକେହି ସାହାନାହିଁ ମୋର

ତୋରି ପଦ୍ମପାଦେ କ୍ଷେତ୍ରମୋହନ ଜୁହାର ।

 

ଶାରଳାଙ୍କ ବନ୍ଦନା

ବନ୍ଦଇ ଶାରଳା ମାଗୋ ଚରଣେ ତୁମ୍ଭରି

ଝଙ୍କଡ଼େ କର୍ଣ୍ଣପୁରରେ ଅଛି ବିଜେକରି ।

ଦୁର୍ଦ୍ଦାନ୍ତ କଳାପାହାଡ ଜଗି ସପ୍ତଦିନ

ଛୁଇଁ ନ ପାରିଲେ ମାତ ତୁମ୍ଭରି ବଦନ ।

ମୂର୍ଖ କାଳିଦାସ ତୁମ୍ଭଙ୍କୁ ମା ଆଶ୍ରେକରି

ସପ୍ତଜନ୍ମ ମୂର୍ଖଦୋଷୁ କ୍ଷଣେ ଗଲା ତରି ।

ବିପ୍ର ପର୍ଶୁରାମ ତୁମ୍ଭଙ୍କୁ ପୂଜା କରିଣ

ଏକୋଇଶ ବାର ପୃଥ୍ୱୀ କଲେ ପ୍ରଦକ୍ଷିଣ ।

ଯେତେକ କ୍ଷତ୍ରିୟ ମାତ ଥିଲେ ଏ ସଂସାର

ସମୂଳେ ନାଶିଲେ ସେହୁ ପାଇ ତବ ବର ।

ତୁମ୍ଭରି ପୂଜା କରିଣ ପରାଶର ସୁତ

ଅଠର ସହସ୍ର ଶ୍ଳୋକ କଲେ ଭାଗବତ ।

କି ଅବା ବର୍ଣ୍ଣିବି ମୁହିଁ ମହିମା ତୁମ୍ଭର

ମୁଁ ମୂର୍ଖ ଅଧମ କିବା ବୁଦ୍ଧିଅଛି ମୋର ।

ତୁମ୍ଭଙ୍କୁ ଆଶ୍ରା କରିଣ ଅଗାଧ ସାଗର

ଲଙ୍ଘିବାକୁ ଯାଏ ମାତ ତିଳେ ଦୟାକର ।

ଅନୁସରି ଅଛି ଭୃତ୍ୟ ଚରଣେ ତୁମ୍ଭର

ମହିମା ସମୁଦ୍ରୂ କୋଣେ ବିତରଣ କର ।

ଏତିକି ମାତ୍ର ଚରଣେ କରେ ନିବେଦନ

ନ ଆସିଲେ କଣ୍ଠେ ବସି କହି ପଦମାନ ।

 

Unknown

ଗ୍ରନ୍ଥ ସୂଚନା

ଶୁଣ ଆହେ ସୁଜ୍ଞଜନେ ଅପୂର୍ବ ଚରିତ

ଏ ଗ୍ରନ୍ଥ ଶୁଣିଲେ ଚିତ୍ତ ହୋଇବ ପବିତ୍ର ।

ତେଣୁ ଚିତ୍ତବୋଧ ନାମ ହୋଇଛି ଏହାର

ଚିତ୍ତବିନୋଦ କରଇ ସାଧୁଜନଙ୍କର ।

ଯେଉଁ ଗ୍ରନ୍ଥେ ଶ୍ରୀକୃଷ୍ଣଙ୍କ ଭକ୍ତି ରସ ଥାଏ

କର୍ଣ୍ଣରେ ଶୁଣିଲେ ପ୍ରାଣ ମନ ପୁଲକାଏ ।

ଶତେ ଭାର ସୁବର୍ଣ୍ଣ ଯେ କୋଟି କନ୍ୟାଦାନ

କରିଲେ ନ ହେବ କୃଷ୍ଣ ନାମକୁ ସମାନ ।

ପୁଣି କୃଷ୍ଣ ସହିତେ ରାଧା ନାମ ଥିଲେ

ଯେ ଭଜେ ଶମନ ଡରେ ତାହାକୁ ଦେଖିଲେ ।

ଏହି ଗ୍ରନ୍ଥେ ରାଧାକୃଷ୍ଣ ପ୍ରେମାମୃତ ସାର

ଭଜନ ପଠନ କରି ଭବୁ ତର ନର ।

ପ୍ରଥମ ଦ୍ୱିତୀୟ ତୃତୀୟ ଯେ ଶେଷ ହୋଇ

ଚତୁର୍ଥ ଚିତ୍ତବିନୋଦ ଗ୍ରନ୍ଥ ଏ ଅଟଇ ।

ଆରମ୍ଭରେ ହୋଇବ ଯେ ରୁକ୍ମିଣୀ ହରଣ

ଜରାସନ୍ଧ ରାଜା ସହ ବଳରାମ ଜାଣ ।

ତା ପରେ ଶିବ କୋପରେ କାମ ଭସ୍ମ ହେବ

ରତିଦେବୀ ବହୁତ ଯେ ବିଳାପ କରିବ ।

ଏ ମଧ୍ୟରେ କୃଷ୍ଣ ବୀର୍ଯ୍ୟେ ପ୍ରଦ୍ୟୁମ୍ନ ଜନ୍ମିବ

ରତି କନ୍ଦର୍ପ ମିଳନ ସମ୍ବର ମରିବ ।

ରେବତୀ ବିବାହ ଶୁମ୍ଭ ନିଶୁମ୍ଭ ନିଧନ

ତା’ଠାରେ ବିବାହ ପଞ୍ଚକୃଷ୍ଣ କନ୍ୟାମାନ ।

ମଣି ହରଣ ଯେ ଜମ୍ବୁବତୀ ବିଭବର

ସତ୍ୟଭାମା ବିବାହ ଯେ ହୋଇବ ତା ପର ।

ଷୋଳସସ୍ର କନ୍ୟା ବିଭା ନାରକା ନିଧନ

ପାରିଜାତ ହରଣ ଯେ ଇନ୍ଦ୍ରଦର୍ପ ଚୂର୍ଣ୍ଣ ।

ତୁଳସୀ ମାହାତ୍ମ୍ୟ ସତ୍ୟଭାମା ଗର୍ବ ଚୂର୍ଣ୍ଣ

ଶୀକୃଷ୍ଣ ସହ ରୁକ୍ମିଣୀ ନିତ୍ୟକୁ ଗମନ ।

ସୁଦାମା ଦୁଃଖନାଶନ ଭକ୍ତ ଭଗବାନ

ହରି ଅର୍ଜ୍ଜୁନ ନିତ୍ୟକୁ କରିବେ ଗମନ ।

ରହସ୍ୟ ଦ୍ୱାରକା ଅଷ୍ଟ ସଖୀଙ୍କ ଦର୍ଶନ

ବାଳ ଗୋପାଳ ସ୍ଵରୂପ ହେବେ ଭଗବାନ ।

ଦୁର୍ବାସା ଋଷି ସେ କୃଷ୍ଣ ପୁତ୍ରେ ଅଭିଶାପ

କୋକୁଆ ଭୟ ହୋଇବ କୁଶସ୍ଥଳୀ ଦ୍ଵୀପ ।

ଏରକା ବନେ ଯାଦବ ସମର କରିବେ

କୃଷ୍ଣବଂଶ ସହ ଯଦୁକୁଳ ନାଶଯିବେ ।

ଜରା ଶରାଘାତେ କୃଷ୍ଣ ପରାଣ ତେଜିବେ

କଳିଯୁଗେ ଜଗନ୍ନାଥ ରୂପେ ପୂଜା ହେବେ ।

ଗ୍ରନ୍ଥ ସୂଚନା ଯେ ସଂକ୍ଷେପରେ ହେଲା ଶେଷ

କ୍ଷେତ୍ରମୋହନର ସେହି ପଦ୍ମପାଦେ ଆଶ ।

 

ରୁକ୍ମିଣୀ ହରଣ

ଶୁଣ ହେ ବିବୁଧ ଜନେ ଦେଇ ମନକର୍ଣ୍ଣ

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅମୃତ ସମାନ ।

ଏ ଗ୍ରନ୍ଥ ଶୁଣିଲେ ପୂର୍ବ ପାପ ହୁଏ କ୍ଷୟ

ଅନ୍ତକାଳେ ନ ଥିବଟି ଶମନକୁ ଭୟ ।

ରୁକ୍ମିଣୀ ଦେବୀ ଯେ ଘୋର ତପ ଆଚରିଲେ

ସନ୍ତୋଷ ହୋଇ ମଙ୍ଗଳା ପ୍ରସନ୍ନ ହୋଇଲେ ।

ଲୋହିତ ପିଙ୍ଗଳ ବର୍ଣ୍ଣ ଦିଶେ ମାତ ତନୁ

ନୀଳ ଗଗନରେ ଯେହ୍ନେ ଉଦେ ବାଳଭାନୁ ।

ଶିରେ ସୁବର୍ଣ୍ଣ କିରୀଟି ଦିଶେ ଜକଜକ

କଣ୍ଠେ ଶୋଭେ ରତ୍ନହାର ହୀରାର ପଦକ ।

ନୀଳମେଘ ଶାଢ଼ୀ ଅଙ୍ଗେ ଶୋଭା ଯେ ଦିଶଇ

ତିନିଭୁବନେ ସେ ରୂପ ସମ କେହି ନାହିଁ ।

ରୁକ୍ମିଣୀ ଆଗରେ ଆସି ଉଭାହେଲେ ମାତ

ମୃଦୁ ମୃଦୁ ହସି ବାଣୀ ଭାଷନ୍ତି ଅମୃତ ।

କିମ୍ପାଇଁ ବ୍ୟାକୁଳ ମାତ ହେଉଅଛୁ କହ

କେଉଁ କଥା ପାଇଁ ଏତେ ମନେ ହେଉ କୋହ ।

ସଚରାଚର ବ୍ରହ୍ମାଣ୍ଡ ତୋ ଗର୍ଭରୁ ଜାତ

ଚନ୍ଦ୍ର ସୂର୍ଯ୍ୟ ସମସ୍ତଙ୍କୁ କରୁ ତୁ ସଂଭୂତ ।

ଯୁଗେ ଯୁଗେ ଶ୍ରୀ ବିଷ୍ଣୁଙ୍କ ବାମା ଅଟୁ ତୁହି

ନଳିନୀକୁ ତେଜି ସୂର୍ଯ୍ୟ ରହି କି ପାରଇ ।

ଜଳ ତେଜିଲେ ମୀନର ଅଛି କି ନିସ୍ତାର

ଚକୋରୀକୁକେଭେ ଛାଡିପାରେକି ଚକୋର ।

ସେହିପରି ତୋତେ ତେଜି ପ୍ରଭୁ ଦଇତାରି

ନିମିଷ ମାତ୍ରକ କି ସେ ଥିବେ ଦେହଧରି ।

ମାୟାରେ ପଡ଼ି ତୁ ମର୍ତ୍ତ୍ୟେ ହରାଇଲୁ କାୟା

ତେଣୁ କିଛି ନ ଜାଣି ମା ହେଉଛୁ ଛାନିଆ ।

ଶ୍ରୀବିଷ୍ଣୁ ନିମନ୍ତେ ମର୍ତ୍ତ୍ୟେ ହୋଇଛୁ ଜନମ

ଆଉ ପୃଥିବୀରେ କେହି ନାହିଁ ତୋର ସମ ।

ଏ ମର୍ତ୍ତ୍ୟ ଭୁବନେ ଛନ୍ତି ଯେତେ ନାରୀ ନର

ସମସ୍ତେ ପରା ଅଟନ୍ତି ଗର୍ଭୁ ଯେ ତୋହର ।

ସତ୍ୟରେ ନୃସିଂହ ଅବତାର ହେଲେ ହରି

ତୁ ମାଳତୀ ରୂପେ ପାଦ ସେବିଲୁ ତାଙ୍କରି ।

ତ୍ରେତା ଯୁଗେ ପ୍ରଭୁ ହେଲେ ରାମ ଅବତାର

ସୀତା ରୂପେ ଜନ୍ମ ମାତ ହେଲୁ ମର୍ତ୍ତ୍ୟପୁର ।

ପଞ୍ଚବଟୀରୁ ରାବଣ ନେଲା ତୋତେ ହରି

ରାବଣ ମାରିଣ ତୋତେ ରଖିଲେ ଶ୍ରୀହରି ।

ଏକଥା କିପରି ତୁହି ମନୁ ଭୁଲିଗଲୁ

ଭୀଷ୍ମକ ଭାଗ୍ୟରୁ ତାର ଦୁହିତା ହୋଇଲୁ ।

ବର୍ତ୍ତମାନ ଦ୍ଵାରକାରେ ପ୍ରଭୁ ଚକ୍ରଧର

ସମୁଦ୍ର ମଝିରେ ସ୍ଵୟଂ ରଚିଛନ୍ତି ପୁର ।

କଂସ କେଶୀ ଆଦି ବହୁ ଦାନବଙ୍କୁ ମାରି

ବାଲ୍ୟଲୀଳା ଗୋପୁ ଅଷ୍ଟବର୍ଷ ସାରି ହରି ।

ମଥୁରାରେ ଉଗ୍ରସେନେ କରି ନରପତି

ଜରାସନ୍ଧ ଭୟେ ପ୍ରଭୁ ଦ୍ଵାରକାରେ ଛନ୍ତି ।

ଆଗରୁ ଚିନ୍ତା କରିଣ ପ୍ରଭୁ ଦାମୋଦର

ତୋ ନିମନ୍ତେ ରଚିଛନ୍ତି ମଧ୍ୟେ ଅନ୍ତଃପୁର ।

ନିଶ୍ଚୟ ପାଇବୁ ତୁହି ପ୍ରଭୁ ଚକ୍ରଧର

ଫେରିଯିବ ଶିଶୁପାଳ ନୋହି ବିଭାଘର ।

ଏତେ କହି ଯୋଗମାୟା ହେଲେ ଅନ୍ତର୍ଦ୍ଧାନ

ଚାହୁଁ ଚାହୁଁ ଶୂନ୍ୟମାର୍ଗେ ମାତ ହେଲେ ଲୀନ ।

ଦେବୀଙ୍କଠାରୁ ରୁକ୍ମିଣୀ ଏ ବଚନ ଶୁଣି

ହଜିଲା ଧନ ପାଇଲା ପରାୟ ସେ ମଣି ।

ହୃଦ ମଧ୍ୟେ ଦେବୀ ଚିନ୍ତା କଲେ ନାରାୟଣ

ସତେକି ଦାସୀ ହୋଇ ମୁଁ ସେବିବି ଚରଣ ।

ସୁମେଧା ଆଦି ଯେତେକ ସଖୀ ପାଶେ ଥିଲେ

ଏ ସମସ୍ତ କଥା କେହି ଜାଣି ନ ପାରିଲେ ।

ସଖୀକୁ ରାଇ ରୁକ୍ମିଣୀ ବୋଇଲେ ବଚନ

କିପରି ପାଇବି ମୁହିଁ ପ୍ରଭୁ ଭଗବାନ ।

ଲୋ ବସୁଧା ତୋ ବିହୁନେ ସାହା ନାହିଁ ମୋର

ପାରିଲେ ଏ ବିପଦରୁ ମୋତେ ରକ୍ଷାକର ।

ଯେବେ ମୋ ପ୍ରାଣନାଥକୁ ଆଣି ଭେଟାଇବୁ

ପ୍ରାଣ ଦେବି ନିଶ୍ଚେ ସଖୀ ଯଦି ତୁ ମାଗିବୁ ।

ଶୁଣି ତା ସୁମେଧା ଏକାନ୍ତରେ କହେ ଗୀର

ବେଳହୁଁ ଉପାୟ କରିବା ଯେ ଦରକାର ।

ଦ୍ଵାରକା ପୁରକୁ ଏକ ଚାର ପଠାଇବା

ନାରାୟଣଙ୍କ ଆଗରେ ସର୍ବ ଜଣାଇବା ।

ଅଳପ ଦିନ ମାତର ଅଛି ବିଭାଘର

ଉପାୟ ନ କଲେ ପଛେ ହେବା ହରବର ।

ନିଶ୍ଚେ ଶୁଣିଲା ମାତ୍ରକେ ଅନ୍ତର୍ଯ୍ୟାମୀ ନାଥ

ସଙ୍ଗେସଙ୍ଗେ ଆସି ତୋତେ ଘେନିଯିବେ ରଥ ।

ପ୍ରେମେ ସଖୀକୁ ରୁକ୍ମିଣୀ ଆଲିଙ୍ଗନ କରି

ବୋଲଇ ତୋ ସମ କେହି ନାହିଁ ସଖୀମୋରି ।

ଜୀବନେ ତୋ ଉପକାର ଶୁଝି ନ ପାରିବି

ପ୍ରଭୁଙ୍କୁ କହିଣ ତୋତେ ମୁହିଁ ସଙ୍ଗେ ନେବି ।

ଦୁଇଜଣ ତାହାଙ୍କର ପାଦ ସେବାକରି

ଏ ଘୋର ସଂସାରୁ ଯିବା ପ୍ରିୟ ସଖୀ ତରି ।

ବହୁତ ଦୂର ପଥ ଯେ ଦ୍ଵାରକା ଅଟଇ

ଅଳପ ଦିନରେ କିଏ ଯିବ କହ ସହୀ ।

ଆମ୍ଭେ ତ ଅବଳା ଆମ୍ଭ ବୋଲ କେ ମାନିବ

କାଳେ ଜ୍ୟେଷ୍ଠ ଭ୍ରାତେ ଡରି କେ ରାଜି ନ ହେବ ।

ସୁମେଧା ବୋଲଇ ସଖୀ ଭାବନା ନ କର

ବହୁ ଧନ ଦେଇ ଆମ୍ଭେ ପଠାଇବା ଚାର ।

ଆନ ସଖୀଙ୍କୁ ରାଇଣ ସୁମେଧା ବୋଲଇ

ଯାଅ ଏକ ବ୍ରାହ୍ମଣଙ୍କୁ ଡାକିଆଣ ସହୀ ।

ଶୁଭକାର୍ଯ୍ୟେ ବ୍ରାହ୍ମଣଙ୍କୁ ଦୂତ ପଠାଇଲେ

କାର୍ଯ୍ୟ ସଫଳ ହୋଇବ ଜାଣଇ ମୁଁ ଭଲେ ।

ଚନ୍ଦ୍ରାବନୀ ପ୍ରିୟମ୍ବଦା ସଖୀ ଦୁଇ ଥିଲେ

ଶୁଣିଲା ମାତ୍ରକେ ବିପ୍ର ଖୋଜିବାକୁ ଗଲେ ।

ନଗର ଚତୁଃପାର୍ଶ୍ଵରେ ଯତନେ ଖୋଜିଣ

ଦେଖିଲେ ଦକ୍ଷିଣଦ୍ଵାରେ ଏକଇ ବ୍ରାହ୍ମଣ ।

ଆଜାନୁଲମ୍ବିତ କଟା ଦିଶଇ ସୁନ୍ଦର

ରୁଦ୍ରାକ୍ଷମାଳା କଣ୍ଠରେ ଶୋଭାପାଏ ତାର ।

ସାମବେଦ ମନ୍ତ୍ର ମୁଖେ କରଇ ଗାୟନ

କୈଳାସପତିଙ୍କ ପ୍ରାୟ ଦିଶଇ ଶୋଭନ ।

ଦେଖି ତାକୁ ସଖୀଗଣ କରି ନିମନ୍ତ୍ରଣ

ରୁକ୍ମିଣୀ ପାଶରେ ଆସି ମିଳିଲେ ତକ୍ଷଣ ।

ଦେଖିଣ ରୁକ୍ମିଣୀଦେବୀ ବ୍ରାହ୍ମଣ ପାଦର

ଭକ୍ତିଭରେ ପ୍ରଣାମ କରିଲେ ବାରମ୍ବାର ।

ସୁବାସିତ ଜଳେ ବିପ୍ର ପାଦ ପଖାଳିଲେ

ପାଦଉଦକ ଆଣିଣ ଗର୍ଭକୁ କ୍ଷେପିଲେ ।

କରଯୋଡ଼ି ବୋଲଇ ଯେ ଭୀଷ୍ମକ ନନ୍ଦିନୀ

ସୌଭାଗ୍ୟ ମୋହର ପୂଜି ତବ ପାଦ ବେନି ।

ଭକ୍ତ ଦେଖି ଜେମାଙ୍କର ବ୍ରାହ୍ମଣ ବୋଲଇ

କିମ୍ପାଇ ହତଭାଗାକୁ ଆଣିଲ ଡକାଇ ।

ସୁମେଧା ସଖୀ କହଇ ଶୁଣ ବିପ୍ରବର

ଅସମୟରେ ଆମ୍ଭଙ୍କୁ ସାହାଯ୍ୟ ହେ କର ।

ଜେମାମଣିଙ୍କର ଏକ ପତ୍ର ତୁମ୍ଭେ ନେଇ

ଦ୍ଵାରକା ଶ୍ରୀକୃଷ୍ଣ ପାଶେ ପାରିବ କି ଯାଇ ।

ଯେତେ ଧନ ଲୋଡ଼ା ତବ ଆମ୍ଭ ପାଶୁ ନିଅ

ଏତିକି ମାତାର କାର୍ଯ୍ୟ ତୁମ୍ଭେ ଯେ ତୁଲାଅ ।

ତୁମ୍ଭ ବିନା ସଖୀଙ୍କର କେହୁ ଉପକାର

କରି ନ ପାରିବେ ଆହେ ଧାର୍ମିକ ପ୍ରବର ।

ପଞ୍ଚମୀ ପୂର୍ବରୁ ଯେହ୍ନେ ପତ୍ରର ଉତ୍ତର

ଆଣି ତୁମ୍ଭେ ପହଞ୍ଚିବ ଆମ୍ଭ ନିକଟର ।

ଚାତକ ପରି ତୁମ୍ଭର ପଥ ଆମ୍ଭେ ଚାହିଁ

ବସିଣ ଥିବୁ ସକଳେ ଶୁଣ ହେ ଗୋସାଇଁ ।

ଦାସୀ ବାଣୀ ଶୁଣି ବିପ୍ର କୃତ୍ୟକୃତ୍ୟ ହୋଇ

ବୋଲେମୋତେ ଅନୁରୋଧକର କାହିଁପାଇଁ ।

ଜଗତ ଜନନୀଙ୍କର ଦୂତ ହେବି ମୁହିଁ

ପୂର୍ବ ଭାଗ୍ୟବଳେ ସିନା ଏ କାର୍ଯ୍ୟ ମିଳଇ ।

ଜେମାମଣିଙ୍କୁ ମୁଁ ବାଲ୍ୟାବସ୍ଥାରୁ ଚିହ୍ନିଛି

ସେ ବିଷୟରେ ମୋତେ କେ ନ ବୁଝାଅ କିଛି ।

ବିଳମ୍ବ ନ କରି ଶୀଘ୍ର ଲେଖନ୍ତୁ ଚିଟାଉ

ମାତ୍ର ପଞ୍ଚମୀ ରହିଲା ଚାରିଦିନ ଆଉ ।

ପତ୍ରର ଉତ୍ତର ସଙ୍ଗେ ସଙ୍ଗେ ଘେନି ମାତ

ଦୁଇଦିନେ ତବ ପାଶେ କରିବି ସାକ୍ଷାତ ।

ଶୁଣିଣ ରୁକ୍ମିଣୀଦେବୀ ମନେ ତୋଷହେଲେ

ନିଜ କଣ୍ଠୁ ରତ୍ନହାର ଖୋଲି ବିପ୍ରେ ଦେଲେ ।

ଆଉ ମଧ୍ୟ ନାମାଙ୍କତ ମୁଦ୍ରିକାଟି ନେଇ

ବ୍ରାହ୍ମଣ ହସ୍ତେ ଗୁପ୍ତରେ ଦେଲେ ମହାମାୟୀ ।

ପ୍ରଭୁ ସୁମରି ସ୍ଵହସ୍ତେ ପତ୍ର ସେ ଲେଖିଲେ

ନିଜ ମନ କଥା ଖୋଲି ସମସ୍ତ ଲେଖିଲେ ।

ଗୋଲାପ ଫୁଲ ଗୋଟିଏ ତା ମଧ୍ୟରେ ଭରି

ସୁଗନ୍ଧ ଅତର ପତ୍ର ମଧ୍ୟେ ସିଞ୍ଚି ଗୋରୀ ।

ଯେଉଁ ପରି ପ୍ରଭୁଙ୍କର ମନକୁ ତୋଷିବ

ଯେହ୍ନେ ପଢ଼ି ଖୁସି ହେବେ ନୂତନ ବାନ୍ଧବ ।

ଏହା ଦେଖି ସଖୀଗଣ ହେଲେ ଠରାଠରି

ବୋଲନ୍ତି ନିଶ୍ଚେ ବାଉଳା ହୋଇବେ ମୁରାରି ।

ଆମ୍ଭ ପାଇଁ କି ଗୋ ସଖୀ କିଛି ଲେଖିଥାଅ

ପ୍ରଣାମ ଆମ୍ଭ ସଭିଙ୍କ କାନ୍ତଙ୍କୁ ଜଣାଅ ।

ଚିତ୍ରା ନାମେ ସଖୀ ବୋଲେ ଶୁଣ ସହଚରୀ

ଆସିଲେ ମୁଁ ଟିକେ ତାଙ୍କୁ ପଚାରିବି ଧରି ।

ଆମ୍ଭ ସଖୀଙ୍କୁ ଯେତିକି ଦେଲେଣି କଷଣ

ସୁଧମୂଳ ସବୁ ନେବା ଅସୁଲ କରିଣ ।

ରୁକ୍ମିଣୀ ବୋଲନ୍ତି ସଖୀ ସତେ ଏହା ହେବ

ମୋ ଭଗ୍ନକୁଟୀରେ ସତେ ଜ୍ୟୋଛନା ଉଇଁବ ।

ଛଳ ଛଳ ନେତ୍ରେ ଗୋରୀ ବିପ୍ର ମୁଖ ଚାହିଁ

ବୋଲନ୍ତି ମୋ ଧର୍ମପିତା ହେଲ ହେଗୋସାଇଁ

ଏକାନ୍ତେ ପ୍ରଭୁଙ୍କୁ ଡାକି ସମସ୍ତ କହିବ

ପଞ୍ଚମୀରେ ବିଭାଘର ବୋଲି ଜଣାଇବ ।

ଏ ମୁଦ୍ରିକା ଗୋଟି ଦେବ ପ୍ରଭୁଙ୍କୁ ପିନ୍ଧାଇ

ପତ୍ରଗୋଟି ଏକାନ୍ତରେ ତାଙ୍କୁ ଦେବ ନେଇ ।

ଜଣାଇବ ଶତ ଶତ ନମସ୍କାର ମୋର

ରାଣ ପକାଇ କହିବ ଆସିବେ ନିକର ।

ପ୍ରଭୁଙ୍କୁ କହିବ ଯଦି ଶୀଘ୍ର ନ ଆସିବେ

ନାରୀହତ୍ୟା ଦୋଷ ଗୋଟି ମୁଣ୍ଡରେ ବହିବେ

ପଞ୍ଚମୀଯାକେ ରହିଲି ତାଙ୍କ ପଥ ଚାହିଁ

ନ ଆସିଲେ ନିଶ୍ଚୟ ମରିବି ବିଷ ଖାଇ ।

କହିବ ଯେ ଧର୍ମପିତା ବହୁତ ବୁଝାଇ

ତାଙ୍କ ବିନା ଅଭାଗିନୀର କେ ସାହା ନାହିଁ ।

ଶୁଣିଣ ବ୍ରାହ୍ମଣ ବୋଲେ ଶୁଣ କନ୍ୟା ମୋର

ନିଶ୍ଚୟ ପ୍ରଭୁଙ୍କୁ ଆଣିଦେବି ତୋ ପାଶର ।

ସୁମେଧା ବୋଲଇ ସଖୀ ଗୋଟିଏ ଶ୍ରୀଫଳ

ଗୋସାଇଁ ହସ୍ତରେ ପଠା କରି ଅନୁକୂଳ ।

ଘରୁ ବାହାର ହୁଅନ୍ତେ ଦେବେ ଦ୍ୱିଜବର

ପୂର୍ଣ୍ଣକୁମ୍ଭ ଭରି ନ୍ୟନ୍ତି ନଗ୍ର ନାରୀନର ।

ଆବର ଯେ ଭରଦ୍ୱାଜ ଶଙ୍ଖ ଚିଲ ପକ୍ଷୀ

ବାମରେ ଯାଏ ଶୃଗାଳ ଘେନି ଶୃଗାଳୀକି ।

ଏସନ ରୀତି ଦେଖିଣ ବୋଲନ୍ତି ସଜନୀ

ନିଶ୍ଚୟ ବିପ୍ର ଆସିବେ ଠାକୁରଙ୍କୁ ଘେନି ।

ଦେଖ ସଖୀ ତୋର ଭାଗ୍ୟ ଅଟଇ ଉଜ୍ଜ୍ୱଳ

ବିପ୍ର ବାହାର ହୁଅନ୍ତେ ଶୁଭ ଅନୁକୂଳ ।

ପାଦୁକା ମନ୍ତ୍ର ବିପ୍ରଙ୍କୁ ଜେମାମଣି ଦେଲେ

ଆନନ୍ଦ ମନରେ ତହୁଁ ବ୍ରାହ୍ମଣ ଚଳିଲେ ।

ବିପ୍ରଙ୍କୁ ବିଦାକରିଣ ସଖୀମାନେ ଗଲେ

ଯେ ଯାହା କର୍ମକ୍ଷେତ୍ରରେ ନିଯୋଗ ହୋଇଲେ

ଏଣେ ଭୀଷ୍ମକ ରାଜନ ଜ୍ୟେଷ୍ଠପୁତ୍ରେ ରାଇ

ରାଜା ରାଣୀ ଦୁଇ ଜଣ କହନ୍ତି ବୁଝାଇ ।

ଶୁଣ ଆରେ ପୁତ୍ରମଣି ତୁ ଆମ୍ଭର ଗୀର

ଚଭୁର୍ଥ ଅବସ୍ଥା ଆସି ହେଲାଣି ଆମ୍ଭର ।

ଭଉଣୀ ବିବାହ ଭାର ରହିଲା ତୋହର

ବିଧି ବିଧାନରେ ଶୀଘ୍ର କର ବିଭାଘର ।

ନୁହେଁ ସାତ ପାଞ୍ଚ ଏକମାତ୍ର ଅଟେ ଝିଅ

ଯେପରି ନୟନୁ ସେହୁ ନ ବୁହାଏ ଲୁହ ।

ରୀତିମତ ଯଉତୁକ ଭିଣୋଇକୁ ଦେବୁ

ଭଉଣୀର ମନ ଜାଣି ଗହଣା ଆଣିବୁ ।

ହସ ଖୁସି ହୋଇ ଯେହ୍ନେ ଭଉଣୀ ତୋହର

ଶାଶୁଘର ଯାଏ କରିବୁ ତା ପ୍ରତିକାର ।

ଶୁଣିଣ ରୁକ୍କଣ ବୋଲେ ଭଉଣୀ ମୋହର

ସୌଭାଗ୍ୟବତୀ ଅଟଇ ସଂସାର ମଧ୍ୟର ।

ସ୍ଵୟଂ ଜରାସନ୍ଧ ଆସୁଛନ୍ତି ବିଭାଘରେ

ଛୟାଣୋଇ ସସ୍ର ରାଜା ଘେନିଣ ସଙ୍ଗରେ ।

ଆଉ ମଧ୍ୟ ବଡ଼ ବଡ଼ ନରପତିଗଣ

ବରଯାତ୍ରି ହୋଇ ଆସିବେ ଆମ୍ଭ ପୁରେଣ ।

ଶିଶୁପାଳ ସମ ବର ତିନିପୁରେ ନାହିଁ

ରୂପ ଗୁଣେ ବଳେ ପାରେ ଜଗତକୁ ଦହି ।

ରୁକ୍ମିଣୀର ଭାଗ୍ୟ ଅଟେ ମହା ତେଜିଆନ

ପିତା ମାତା ଭ୍ରାତାଙ୍କର ରଖିଲା ସମ୍ମାନ ।

ଶୁଣିଣ ଯେ ନରପତି ଆନନ୍ଦ ହୋଇଲେ

ମନେ ମନେ ଜ୍ୟେଷ୍ଠପୁତ୍ର ବହୁ ପ୍ରଶଂସିଲେ ।

ମନ୍ତ୍ରୀମାନଙ୍କୁ ଡକାଇ ବୋଲାଇ ରୁକ୍ମଣ

ବିଭାଘର ଆୟୋଜନ କରନ୍ତୁ ଶୀଘ୍ରେଣ ।

ପଚାଶ ହଜାର ରାଜା ରହିବାର ପାଇଁ

ଉପଯୁକ୍ତ ଘରମାନ ଦିଅ ହେ ଭିଆଇ ।

ପୁଣି ହଜାର ହଜାର ବେପାରୀଙ୍କ ପାଇଁ

ଲମ୍ବା ଲମ୍ବା ତାଟଘର ଦିଅ ହେ ତୋଲାଇ ।

ଆମିଷଠାରୁ ଯେ ନିରାମିଷ ପରିଯନ୍ତ

ଖାଦ୍ୟ ଦ୍ରବ୍ୟ ଆୟୋଜନ କର ହେ ତୁରନ୍ତ ।

ଆଉ ଯାହା ଦରକାର କର ବନ୍ଦୋବସ୍ତ

ରହିଲା ବିବାହ ଆଉ ଚାରିଦିନ ମାତ୍ର ।

ଯାହା ଧନ ଲୋଡ଼ା ତୁମ୍ଭେ ରାଜକୋଷୁ ନେବ

ନ ଆଣିଲେ ମଧ୍ୟ ପରେ କରଜ କରିବ ।

ମୋ ଭଉଣୀ ବିଭା ଯେହ୍ନେ ଜାଣିବେ ସକଳ

ଭାଗ୍ୟବଳୁ ଭିଣୋଇ ପାଇଛି ଶିଶୁପାଳ ।

ଶୁଣ ଆହେ ମହାମନ୍ତ୍ରୀ ମୋହର ବଚନ

ଅନୁକୂଳ ମଧ୍ୟ ମୁଁ କରୁଛି ଆଜଦିନ ।

ଜ୍ୱାଇଁ ନିମନ୍ତ୍ରଣ କରି ଆଣିବି ସଙ୍ଗରେ

ସର୍ବ କାର୍ଯ୍ୟଭାର ଦେଲି ତୁମ୍ଭର ହସ୍ତରେ ।

ପିତାଙ୍କର ହେଲାଣି ତ ଆସି ମତିଭ୍ରମ

ତାଙ୍କୁ ନ ପଚାରି କରିଯିବ ସବୁ କାମ ।

ଶୁଣିଣ ସେ ମହାମନ୍ତ୍ରୀ ସମ୍ମତ କରିଲେ

ବର ନିମନ୍ତ୍ରଣ ଲାଗି ରୁକ୍ମଣ ଚଳିଲେ ।

ଏଥୁଅନ୍ତେ ଶୁଣ ନରେ ଅପୂର୍ବ ଚରିତ

ପତ୍ର ନେଇ ବିପ୍ର ଦ୍ଵାରକାରେ ଉପସ୍ଥିତ ।

ଦ୍ଵାରକାର ପୁର ଶୋଭା ଦେଖିଣ ବ୍ରାହ୍ମଣ

ଆଶ୍ଚର୍ଯ୍ୟ ହୋଇଣ ହୃଦେ ଚିନ୍ତେ ନାରାୟଣ ।

ରାଜଧାନୀରେ ଯେ ବିପ୍ର ପ୍ରବେଶ ହୋଇଲା

ସଦର ରାସ୍ତାର ପ୍ରହରୀକୁ ପଚାରିଲା ।

ବୋଇଲା ଶୁଣ ପ୍ରହରୀ ବଚନ ମୋହର

ଆଉ କେତେ ଦୂର ପଡ଼ିବ ହେ ରାଜାଘର ।

ଶୁଣି ପ୍ରହରୀ ବିପ୍ରକୁ ସଙ୍ଗତରେ ଧରି

ରାଜପଥ ଦେଇଯାନ୍ତି ଶ୍ରୀକୃଷ୍ଣଙ୍କ ପୁରୀ ।

ସେ ପୁର ଶୋଭା ନିରେଖି ଚାହେଁ ବିପ୍ରବର

ମନେ ଭାବେ ସ୍ଵର୍ଗଠାରୁ ଅଟେ ଏ ସୁନ୍ଦର ।

ଆମ୍ଭ ରାଜାଙ୍କ ନଅରଠାରୁ ଶତେ ଗୁଣ

ବଳି ଶୋଭା ଅଟେ ଏହି ଦ୍ଵାରକା ଭୁବନ ।

ମର୍ମର ପ୍ରସ୍ତର ରାସ୍ତା ହୋଇଛି ତିଆରି

ନ ଦେଖିଲା ଖଣ୍ଡି କୁଟା ଖଣ୍ଡ ବିପ୍ରବର ।

ପୁର ଚୌଦିଗେ ବିଚିତ୍ର ପ୍ରାଚୀର ଶୋଭଇ

ଆକାଶକୁ ସେ ପ୍ରାଚୀର ମସ୍ତକ ଚୁମ୍ବଇ ।

ହୀରା ନୀଳା ମଣି ମାଣିକ୍ୟର ଇଟାମାନ

ଗୋଟି ଗୋଟି ହୋଇ ଖଞ୍ଜା ଦିଶଇ ଯତନ ।

ଅଦିନରେ ଯେ ବସନ୍ତ ପବନ ବହଇ

ଅଣ୍ଡିରା କୋକିଳ ସ୍ୱନେ ଦିଗ ଚମକଇ ।

ଫଳ ପୁଷ୍ପ ସୌରଭରେ ମୋହିଛି ସେ ପୁର

ସୁବାସରେ ଚଉଦିଗ କମ୍ପଇ ପ୍ରଖର ।

ପୁଣି ବିପ୍ର ସେ ନଗ୍ରର ନାରୀଙ୍କୁ ଦେଖିଲା

ଅତୁଟ ସୌନ୍ଦର୍ଯ୍ୟ ଦେଖି ବହୁ ପ୍ରଶଂସିଲା ।

ଦେବାଙ୍ଗନା ସମ ତାଙ୍କ ରୂପ ଝଟକଇ

କାଳ ନାଗ ପରି ବେଣୀ ଭୂମିରେ ଲୋଟଇ ।

ଶୁଦ୍ଧ ସ୍ୱର୍ଣ୍ଣ ପରି ସର୍ବେ ରମଣୀଙ୍କ କାନ୍ତି

ପୂର୍ଣ୍ଣ ଇନ୍ଦୁ ପରି ମୁଖ ଶୋଭା ଝଟକନ୍ତି ।

ପୁର ଶୋଭା ଦେଖି ବିପ୍ର ବିହ୍ୱଳ ହୋଇଲା

ଧନ୍ୟ ଧନ୍ୟ ନାରାୟଣ ବୋଲି ପ୍ରଶଂସିଲା ।

ଯେଉଁ ଦ୍ଵାରକା ପୁର ଶୋଭା ଏତେ ଥାଇ

ରାଜାଙ୍କ ନଅର କିପରି ଯେ ଥିବ ହୋଇ ।

ଏହିପରି ମନେ ମନେ ଭାବି ଦ୍ୱିଜବର

ଶ୍ରୀକୃଷ୍ଣଙ୍କ ପୁରେ ଯାଇ ହୋଇଲେ ହାଜର ।

ପ୍ରହରୀ ପ୍ରଭୁଙ୍କ ପାଶେ ଯାଇ ଜଣାଇଲା

ଆଜ୍ଞା ପାଇ ବ୍ରାହ୍ମଣକୁ ସଭା ସ୍ଥଳେ ନେଲା ।

ସମସ୍ତ ଯାଦବଗଣ ହୋଇଥାନ୍ତି ଠୁଳ

ତା ମଧ୍ୟେ ବିରାଜ କରିଛନ୍ତି ଆଦିମୂଳ ।

ଉଗ୍ରସେନ ରାଜା ସିଂହାସନେ ବସିଛନ୍ତି

ରାମ କୃଷ୍ଣ ଦୁଇ ଭାଇ ପାଶେ ଶୋଭା ପାନ୍ତି ।

ଯହୁଁ ବିପ୍ରକୁ ଦେଖିଲେ ପ୍ରଭୁ ଦାମୋଦର

ଅନ୍ତର୍ଯ୍ୟାମୀ ମନକଥା ଜାଣିଲେ ତାହାର ।

ଆସ୍ଥାନ ଛାଡ଼ିଣ ପ୍ରଭୁ ଚମକି ଆସିଲେ

ବ୍ରାହ୍ମଣର ପାଦତଳେ ପ୍ରଣିପାତ କଲେ ।

ବୋଲନ୍ତି ଚାଲ ଗୋସାଇଁ ଅନ୍ତଃପୁରେ ଯିବା

ଜଳଯୋଗ ସାରି ସର୍ବେ ସଭାକୁ ଆସିବା ।

ଦେଖିଣ ବ୍ରାହ୍ମଣ ମନେ ଆଶ୍ଚର୍ଯ୍ୟ ହୋଇଲା

ଶଙ୍ଖ ଚକ୍ର ଗଦା ପଦ୍ମ ତାଙ୍କୁ ଦୃଶ୍ୟ ହେଲା ।

ଭାବେ ନିସ୍ତରିଲି ଆଜି ଏ ଭବ ସଂସାର

ସ୍ୱୟଂ କମଳାପତିଙ୍କୁ ଦେଖିଣ ଚକ୍ଷୁର ।

ଧନ୍ୟଲୋ ଦେବୀ ରୁକ୍ମିଣୀ କେଡ଼େ ଭାଗ୍ୟତୋର

ସ୍ୱାମୀ ପଣରେ ପାଇବୁ ପ୍ରଭୁ ଚକ୍ରଧର ।

ଏହିପରି ଯହୁଁ ବିପ୍ର ମନେ ବିଚାରଇ

ତାହା ମନ ଜାଣି ପ୍ରଭୁ କହନ୍ତି ଗୋଳାଇ ।

କେଣିକି ଆସିଛ କିବା କାର୍ଯ୍ୟେ ହେ ଗୋସାଇଁ

ଦୟାକରି ମୋର ଆଗେ ପାରିବ କି କହି ।

ବିପ୍ର କହେ ସବୁ ଜାଣି ନ ଜାଣିଲା ପରି

କିମ୍ପାଇ ମୋତେ ପଚାର ଆହେ ବଂଶୀଧାରୀ

ନିଅ ତବ ପତ୍ର ବୋଲି ମସ୍ତକରେ ମାରି

ବଢ଼ାଇ ଦିଅନ୍ତେ ବିପ୍ର ନେଲେ ଦଇତ୍ୟାରି ।

ଗଜଦନ୍ତ ପଲ୍ୟଙ୍କରେ ତୁଳି ତଳ୍ପ ପରେ

ବିପ୍ରକୁ ବସାଇ ପ୍ରଭୁ ବସିଲେ ସଧୀରେ ।

ପଢ଼ିବାକୁ ପତ୍ରଗୋଟି ଖୋଲନ୍ତେ ଶ୍ରୀଧର

ସୁବାସରେ ମହ ମହ କମ୍ପିଲା ଯେ ପୁର ।

ଆହୁରି ମଧ୍ୟ ଗୋଲାପ ପୁଷ୍ପଗୋଟି ନେଇ

ଆଗ୍ରହରେ ବକ୍ଷେ ଲଗାଇଲେ ଲକ୍ଷ୍ମୀସାଇଁ ।

ପତ୍ରଗୋଟି ପଢ଼ି ପ୍ରଭୁ ହୋଇଲେ ଅଧୀର

ସ୍ଵୟଂ ରୁକ୍ମିଣୀ ଦେବୀଙ୍କ ଅଟେ ହସ୍ତାକ୍ଷର ।

ଆଗ ଲେଖିଛନ୍ତି ପୁଜ୍ୟ ଦେବତା ହେ ମୋର

ଗ୍ରହଣ କରିବ ଅଧୀନାର ନମସ୍କାର ।

ଦାସୀ ହୋଇ ସେବିବାକୁ ତବ ଶ୍ରୀପୟର

ଚାହିଁଅଛି ଚାତକିନୀ ପରି ପ୍ରାଣେଶ୍ଵର ।

ପତ୍ରଗୋଟି ବାର ବାର ପଢ଼ି ଚକ୍ରଧର

ମୃଦୁ ମୃଦୁ ହସି ବିପ୍ରେ ଦିଅତି ଉତ୍ତର ।

ଚାଲ ହେ ଗୋସାଇଁ କାଳ ବିଳମ୍ବ ନ କରି

ଏହି ମୁହୁର୍ତ୍ତରେ ଏଠୁ ଯିବା ଯେ ବାହାରି ।

ରୁକ୍ମିଣୀଙ୍କ ନାମାଙ୍କିତ ଅଙ୍ଗୁରୀକୁ ନେଇ

ବିପ୍ର ପ୍ରଭୁଙ୍କ ଶ୍ରୀକରେ ଦେଲା ଯେ ପିନ୍ଧାଇ ।

ମନେ ମନେ ଭାଳନ୍ତି ଯେ ପ୍ରଭୁ ଚକ୍ରଧର

କେତେ ଶ୍ରଦ୍ଧା ଆମ୍ଭ ପରେ ରୁକ୍ମିଣୀ ଦେବୀର ।

ସାଙ୍ଗେ ସାଙ୍ଗ ସାରଥିକୁ ଡାକି ନାରାୟଣ

ଆଜ୍ଞାଦେଲେ ରଥ ଶୀଘ୍ର ସଜକରି ଆଣ ।

ଭୀଷ୍ମକ ରାଜନ କନ୍ୟା ରୁକ୍ମିଣୀ ସୁନ୍ଦରୀ

ଲେଖିଛନ୍ତି ପତ୍ର ଆମ୍ଭ ନିକଟେ ତିଆରି ।

ଶିଶୁପାଳକୁ ତା ଭ୍ରାତ ବିଭା ହେବା ପାଇଁ

ପଞ୍ଚମୀ ତିଥିକି ସ୍ଥିର କରିଅଛି ସେହି ।

ଆମ୍ଭ ନିକଟକୁ କନ୍ୟା ବିକଳ ହୋଇଣ

ଲେଖିଛନ୍ତି ପତ୍ର ରଥ ଚଳା ହେ ଶୀଘ୍ରେଣ

ଅନ୍ୟ କା ଆଗେ ଏକଥା ପ୍ରକାଶ ନ କରି

ରଥ ବାହା ସଙ୍ଗେ ଯିବା ବ୍ରାହ୍ମଣଙ୍କୁ ଧରି ।

ପୁଣି ତରତରେ ରଥ ସାରଥି ଆଣିଲା

କେହି ନ ଜାଣିଲେ ଶୂନ୍ୟମାର୍ଗରେ ବାହିଲା

ମନ ବେଗେ ଯାନଗୋଟି ଉଡ଼ଇ ଗଗନେ

କୁଣ୍ଡି ନଗ୍ରେ ପ୍ରବେଶିଲା ସାତଘଡ଼ି ଦିନେ ।

କୁଣ୍ଡଳି ପର୍ବତ ତଳେ କୁଣ୍ଡି ନଦୀ ତୀରେ

ଆକାଶରୁ ଖସି ଯାନ ରହିଲା ସେଠାରେ ।

ତିନିକ୍ରୋଶ ଆୟତନ ଅଟଇ ସେ ତୋଟା

ଦୁର୍ବାସା ଋଷିଙ୍କ ଆଶ୍ରମ ଯେ ସେହି ଗୋଟା ।

କୁଣ୍ଡଳି ନଗ୍ରରଠାରୁ ଏକ କୋଶ ଦୂର

ସେହି ସ୍ଥାନରେ ରହିଲେ ପ୍ରଭୁ ଚକ୍ରଧର ।

ଏଣେ ରୁକ୍ମିଣୀ ଯେ ଶିଶୁପାଳେ ବର ବରି

ମହା ଆଡ଼ମ୍ବରେ ଆସେ ବରଯାତ୍ରୀ ଧରି ।

କୁରୁସୈନ୍ୟ ପରି ଥାଟ କ୍ରୋଶ କ୍ରୋଶ ଧରି

ଲାଗିଥାନ୍ତି ଯେ ଯାହାର ଯାନକୁ ଆବୋରି ।

ସଭିଙ୍କ ଆଗରେ ରଥେ ଜରାସନ୍ଧ ବୀର

ମହା ଆଡ଼ମ୍ବରେ ଯାଏ ଘେନି ରହୁବର ।

ବାଦ୍ୟ ନାଦେ ଦଲଦଲ କମ୍ପଇ ମେଦିନୀ

ବାଣ ଶବଦରେ ତିନିପୁର ହୁଏ ଧ୍ୱନି ।

ଦେବତାଗଣ ସ୍ୱର୍ଗରେ ହେଲେ ଥରହର

ବେଦପତିଙ୍କ ଛାମୁରେ ହୋଇଲେ ହାଜର ।

ଭୋ ଦେବ ମଣିମା ଶୁଭେ ଏ କି ଗରଜନ

ଯୁଦ୍ଧ କି ଆସଇ ସ୍ଵର୍ଗ କେବା ଦୁଷ୍ଟଜନ ।

ବିଧାତା ବୋଲନ୍ତି ଦେବେ ନ ହୁଅ କାତର

ବିଭାହେବା ଲାଗି ଆସେ ଶିଶୁପାଳ ବୀର ।

କୁଣ୍ଡି ନଗ୍ରେ ରୁକ୍ମିଣୀକୁ ବିଭାହେବା ପାଇଁ

ଆସେ ଶିଶୁପାଳ ବାଣ ରୋଷଣୀ ଲଗାଇ ।

ବୃଥା ସିନା ଗରଜନ କରୁଅଛି ଏହି

କନ୍ୟାକୁ ନ ପାଇ ଯିବ ଦରବାହା ହୋଇ ।

ଇନ୍ଦ୍ର ବୋଲେ କିମ୍ପା ଦେବ ଯିବ ଏହି ଫେରି

କିଏ ସେ କନ୍ୟାକୁ ନେବ କୁହନ୍ତୁ ବିସ୍ତାରି ।

ଏଡ଼େ ବଡ଼ ବଳବାନ୍ ବୀର ଅଛି କିଏ

ଜରାସନ୍ଧ ଆଗୁ କନ୍ୟା ହରିନେବ ସିଏ ।

ବିଧାତା ବୋଲନ୍ତି ସେ ଯେ ବିଷ୍ଣୁଙ୍କର ନାରୀ

ତେଣୁ ତାହାକୁ ବିବାହ ହେବେ ଚକ୍ରଧାରୀ ।

ଶୁଣି ଆଗ୍ରହରେ ଇନ୍ଦ୍ର ରାଜନ କହଇ

ଚାଲ ଯିବା ସର୍ବ ଦେବଗଣ ସଙ୍ଗେ ନେଇ ।

ସ୍ଵୟଂ ଜଗନ୍ନାଥଙ୍କର ସ୍ଵରୂପ ଦେଖିବା

ଲକ୍ଷ୍ମୀ ସଙ୍ଗେ ନାରାୟଣ ଦର୍ଶନ କରିବା ।

ଶୁଣି ଆନନ୍ଦ ମନରେ ସର୍ବଦେବ ଯାଇ ।

ଅନ୍ତରୀକ୍ଷେ ଶୂନ୍ୟମାର୍ଗେ ରହିଲେକ ଚାହିଁ

ଏଣେ ଭୀଷ୍ମକ ରାଜନ ମନ ଆନନ୍ଦିତ

ବଡ଼ ଆଡ଼ମ୍ବର ଦେଖି ହୁଏ ପୁଲକିତ ।

ପୁର ନରନାରୀ ଗୋଡ଼ ତଳେ ନ ଲାଗଇ

ନୂତନ ବସ୍ତ୍ର ଭୂଷଣେ ଛନ୍ତି ମଣ୍ଡିହୋଇ ।

ନଗ୍ର ନାରୀଗଣ ସର୍ବେ ହୋଇଣ ହରଷ

ପ୍ରତି ଦାଣ୍ଡ ପୂର୍ଣ୍ଣକୁମ୍ଭ ସ୍ଥାପନ୍ତି କଳସ ।

ସର୍ବରାଜା ସହ ଜ୍ୱାଇଁ ନବରେ ମିଳିଲେ

ବାଟ ବରଣ କରିଣ ବିପ୍ରେ ଚଳିଗଲେ ।

ହୁଳହୁଳି ଦେଇ ଗ୍ରାମ୍ୟ ସୀମନ୍ତିନୀଗଣ

ମଙ୍ଗଳ ଅଷ୍ଟକ ପଢେ ଜ୍ୟୋତିଷ ଆସିଣ ।

ହସ ଖୁସିରେ ସଭିଙ୍କ ମନ ପୁଲକଇ

ଏକା ଜଣକର ମନେ ମାତ୍ର ସୁଖ ନାହିଁ ।

ପିଠେ ବସାଇ ଜେମାକୁ ସର୍ବ ସଖୀଗଣ

ବେଶ ବନାଇବା ପାଇଁ ପ୍ରସ୍ତୁତ ହୋଇଣ ।

ଆଜାନୁଲମ୍ବିତ ଘନ କେଶକୁ ଛଇଳୀ

ଗଜରଦ କଙ୍କତିକାରେ ଆସ୍ତେ ସାମଳି ।

ଯେତେବେଳେ ସଖୀ ଗୋରୀ କେଶ ସଜାଡ଼ନ୍ତି

ଦିଶେ କଳାବାଳ ବାଳା ପୃଷ୍ଠେ କି ଧାମନ୍ତି ।

ସୁବାସ ତଇଳ ଲେପି ଗଭା ସଜାଇଲେ

କୁସୁମ ଗଜରା ଚଉପାଶେ ଘେରାଇଲେ ।

ତା ମଧ୍ୟେ କନକ ଚନ୍ଦ୍ର ଦେଲେ ସଖୀ ଥୋଇ

ନିଶିଥେ ବାସର ଘରେ ଆଲୋକ ହେଲଇଁ

କର୍ମେ ହୀରାବସା କୁଣ୍ଡଳ ଯେ ଲଗାଇଲେ

ନାସାରେ ହୀରାର ନୀଳା ଚିଡ଼ିଆ ଖଞ୍ଜିଲେ ।

ମଥାରେ ହୀରାର ମଥାମଣି ଦିଶେ ଝଳି

ଟୋପି ଟୋପି ଭାଲେ ଚିତା ମାଜିଦ୍ୟନ୍ତି ଆଳି ।

ଚକ୍ଷୁରେ ଯେ ଖଞ୍ଜିଦେଲେ କଜ୍ଜ୍ଵଳର ଗାର

ଭ୍ରୂଲତା ଚାହିଁ ନାଗର ହୋଇବେ ଅସ୍ଥିର ।

ଗଳେ ରତ୍ନହାର କରେ ଯେ ସୁବର୍ଣ୍ଣ ଚୁଡ଼ି

ବାହୁରେ ରତ୍ନ କିରୀଟି ଦେଲେ ସଖୀ ଭିଡ଼ି ।

ଏହିପରି ସଖୀମାନେ ବେଶ ବନାଇଲେ

ଯଥାସ୍ଥାନେ ଅଳଙ୍କାର ବସନ ଖଞ୍ଜିଲେ ।

ସେ ରୂପ ଶୋଭାକୁ ସମ ନୋହେ ତିନିପୁର

ଶ୍ରୀ ବିଷ୍ଣୁଙ୍କ ବାମା ସେ ଯେ ଲକ୍ଷ୍ମୀ ଅବତାର

ଏଣେ ମଙ୍ଗୁଳା ହୋଇଣ ବସିଅଛି ବର

ବିଭାବେଳ ହୋଇଲାଣି ଆସି ଯେ ଉଛୁର ।

ଅହ୍ୟ ସ୍ତ୍ରୀମାନଙ୍କୁ ରାଣୀ ଦିଅନ୍ତି ଆଦେଶ

ଦେବୀ ଦର୍ଶନ କରାଇ ଶୀଘ୍ର ଘେନିଆସ ।

ସେ ବେଳଯାଏ ରୁକ୍ମିଣୀ ଥିଲେ ସ୍ଥିରହୋଇ

ବ୍ରାହ୍ମଣ ନ ଆସିବାର କାନ୍ଦିଲେ ସୁମୁହୀଁ ।

ଏକାନ୍ତରେ ସୁମେଧାକୁ ରାଇ ଜେମାମଣି

ହୃଦୟ ଫିଟାଇ ଅଧୈର୍ଯ୍ୟେ କହନ୍ତି ବାଣୀ

ଆଗୋ ପ୍ରିୟସଖୀ କିମ୍ପା ପ୍ରଭୁ ନ ଆସିଲେ

ଉତ୍ତର ନେଇଣ ବିପ୍ର ବାହୁଡି ନଇଲେ ।

ଧରୁଛି ଚରଣ ଆଗୋ ପ୍ରିୟସହୀ ତୋର

ଶୀଘ୍ର ଟିକେ ବିଷ ଆଣି ଦିଅ ମୋ ମୁଖର ।

ବୋଇଲେ ସଖୀ ମୋ ଅଙ୍ଗ ଅପବିତ୍ର ହେବ

ଛାର ଶିଶୁପାଳ ମୋର ବଦନ ଛୁଇଁବ ।

ହୋମ ଘୃତ ବି କୁକୁର ଯୋଗ୍ୟ ଅଟେ ସହୀ

ଯଜ୍ଞ ହବି କି ଶୃଗାଳ ଭକ୍ଷଣ କରଇ ।

ବର୍ତ୍ତମାନ ଦେବୀ ଦରଶନ ହେଲେ ଶେଷ

ବଳାତ୍କାରେ ମୋତେ ବିଭା କରିବେ ଅବଶ୍ୟ ।

ବର୍ତ୍ତମାନଠାରୁ ବିଷ ଖାଇଥିଲେ ମୁହିଁ

ସେତେବେଳେ ମଡ଼ା ଭାବି ନ ଛୁଇଁବେ କେହି

ଖମ୍ବରେ ମୂର୍ଦ୍ଧନା ପିଟି କାନ୍ଦଇ ସୁନ୍ଦରୀ

ମୁଖେ ଜଳ ସିଞ୍ଚି ବୋଧ କରେ ସହଚରୀ ।

ମାନ ମୋର ବୋଲି ଆଗୋ ପ୍ରିୟସଖୀ ତୁହି

ଦୂତ ବିଳମ୍ବରେ କାର୍ଯ୍ୟ ସଫଳ ହୁଅଇ ।

ଦେଖିବୁ ଦେବୀ ମନ୍ଦିରୁ ତୋତେ ନରହରି

ବଳାତ୍କାରେ କର ଧରି ନେଇଯିବେ ହରି ।

ରାଜାମାନଙ୍କ ମୁଖରେ ଚୂନକାଳି ଦେଇ

ରଥେ ବସାଇ ଦ୍ଵାରକା ଯିବେ ପ୍ରଭୁ ନେଇ ।

ପ୍ରତିଜ୍ଞା କରି କହୁଛି ମୁହିଁ ସପ୍ତବାର

ଦେବୀ ମନ୍ଦିରକୁ ଶୀଘ୍ର ସହୀ ତୁ ବାହାର ।

ଏଣେ ରାଜ୍ୟ ମଧ୍ୟେ ଗୁପ୍ତଚର ବୁଲୁଥିଲା

ତୋଟାରେ କୃଷ୍ଣଙ୍କୁ ଦେଖି ଖବର ସେ ଦେଲା

ଭୀଷ୍ମକ ରାଜନ ଆଗେ ଜଣାଇଲା ଚାର

ଯଦୁପତି କୃଷ୍ଣ ଉଭା ବେଣୀନଦୀ ତୀର ।

ଯହୁଁ ରାଜନ ପାଇଲା ଏସନ ଖବର

ଭୟ ଜାତ ହୋଇଲା ମନରେ ତାହାର ।

ଜରାସନ୍ଧ ଆଗେ ରାଜା ଯାଇଣ କହଇ

ଶୁଣିଲି ମୁଁ କୃଷ୍ଣ ରଣେ କିମ୍ପା ଆସିଛଇଁ ।

ଶ୍ରୀକୃଷ୍ଣଙ୍କ ନାମ ଶୁଣି ଜରାସନ୍ଧ ବୀର

ଛନ ଛନ ହୋଇଲାକ ମନ ଯେ ତାହାର ।

ସର୍ବ ରାଜାଙ୍କୁ ଡକାଇ ସତର୍କେ କହଇ

ସେ ଗଉଡ଼ଟୋକା କିମ୍ପା ଏଣେ ଆସିଛଇଁ ।

ଦେବୀ ମନ୍ଦିରକୁ ସର୍ବେ ଅସ୍ତ୍ର ଶସ୍ତ୍ର ଧରି

ନିର୍ବନ୍ଧେ ଜରା କନ୍ୟାକୁ ଚଉପାଶେ ଘେରି ।

ଯେହ୍ନେ ପଶି ନ ପାରଇ ମାତ୍ର ପିପିଲିକା

ଏକଥାକୁ ଅତି ସାବଧାନ ଥିବ ଏକା ।

ଭୀଷ୍ମ ବୋଇଲା କୃଷ୍ଣେ ଡାକିବିକି ମୁହିଁ

ପୁଣି ଜରାସନ୍ଧ ବୀର ବୋଲେ ନାହିଁ ନାହିଁ ।

ଏଠିତ କ୍ଷତ୍ରିୟଙ୍କର ସଭା ଅଛି ହୋଇ

ଆସିଲେ କେଉଁଠି ସେ ଗଉଡ଼ ଦସିବଇଁ ।

ସେଟା ତ ନିର୍ଲ୍ଲଜ ମୁଖେ ଲାଜି ନାହିଁ ତାର

ବେହିଆପଣେ ବସିବ ଆସିଣ ମଝିର ।

ପୁଣି ଏକ କୁଲକ୍ଷଣ ତାହାର ଅଛଇ

ପରଝିଅ ବୋହୁ ଦେଖି ସେ ଆଖି ଠାରଇ

ଗଉଡ଼ ଜାତିରେ ବୁଦ୍ଧି ବୃତ୍ତି ତାର ନାହିଁ

ଦେଖିଲେ ନାକ ଟେକିବେ ତାକୁ ନରସାଇଁ ।

ଘୃଣା କରିବେ ସଭିଏଁ ରୂପ ଦେଖି ତାର

କାଳିଆ ଭୂତ ପରାଏ ଦିଶେ ତା ଶରୀର ।

ଯଦି ଅକସ୍ମାତେ କନ୍ୟା ତାହାକୁ ଦେଖିବ

ଭୂତ ଭାବି ଡର ଛାନିଆରେ ପଡ଼ିଯିବ ।

ପୁଣି ବାଂଶ ବଂଶୀଟାଏ ହାତରେ ଧରିଛି

କେଳାଙ୍କ ପରି ସ୍ତିରୀଙ୍କ ଆଗରେ ବାଉଛି ।

ତୁମ୍ଭେ ଯଦି ତାକୁ ଆଣ ନିମନ୍ତ୍ରଣ କରି

ଆମ୍ଭେ ସର୍ବ ନରପତି ଯିବୁ ଯେ ବାହାରି ।

ଶୁଣିଣ ଭୀଷ୍ମକ ରାଜା କଲେ ନାହିଁ ନାହିଁ

ଏତେ ଗୁଣ ଅଛି ତାର ମୁହିଁ ଜାଣେ ନାହିଁ ।

ଶୁଣି ଜଣେ ସଖୀ ଅନ୍ତଃପୁରେ ଦୌଡ଼ିଯାଇ

ଚୁପୁ ଚୁପୁ କରି ଜେମା ଆଗରେ କହଇ ।

ଆଗୋ ସହୀ ବେଣୀ ନଦୀ ତୀରେ ନରହରି

ରଥ ଆଣି ସେଠାବରେ ଅଛନ୍ତି ଉତୁରି ।

ପିତା ଯାଉଥିଲେ ତାଙ୍କୁ ଆଣିବାର ପାଇଁ

ଜରାସନ୍ଧ ନାହିଁ କରିବାକୁ ଗଲେ ନାହିଁ ।

ସଖୀଠୁ ଶୁଣି ରୁକ୍ମିଣୀ ହୋଇଲେ ଆନନ୍ଦ

ଯେହ୍ନେ ହସ୍ତେ ପାଇଲେ ସେ ହଜିଥିବା ଚାନ୍ଦ

ବୋଇଲେ ଗୋ ସଖୀ ତୁହି ଶୀଘ୍ର ଯାଅ ଧାଇଁ

କହିବୁ ଦେବୀ ମନ୍ଦିରୁ ଯିବେ ମୋତେ ନେଇ

ତୁରନ୍ତ ଆସିବେ ପ୍ରଭୁ ବିଳମ୍ବ ନ କରି

ଯାଅ ସଖୀ ଧରୁଅଛି ଚରଣ ତୋହରି ।

ଜେମା ବଚନରେ ସଖୀ ତରତରେ ଗଲା

ଗୋଟି ଗୋଟି କରି ସବୁ ପ୍ରଭୁଙ୍କୁ କହିଲା ।

ଯାଅଗୋ ସଖୀ କହିବ ଜେମାଙ୍କୁ ତୁମରି

ଚୋରଙ୍କ ପରି କିମ୍ପାଇ ଆଣିବି ଯେ ଧରି ।

ଛାର ଜରାସନ୍ଧଟାକୁ ମୋର ଡର ନାହିଁ

ମାତ୍ର ସତର ଥର ସେ ଯାଇଛି ପଳାଇ ।

ଆଉ ସବୁ ନୃପତିଙ୍କୁ ମୁଁ ଛାଗଳ ପରି

ମନ୍ଥି ଦେଇ ଆଣିବି ମୁଁ ସଖୀଙ୍କୁ ତୁମ୍ଭରି ।

ନେବି ସହୀଙ୍କୁ ଆମ୍ଭଙ୍କୁ ଯିବ ଛାଡ଼ିଦେଇ

ଶ୍ରୀକୃଷ୍ଣ ବୋଲନ୍ତି ସମସ୍ତଙ୍କୁ ନେବି ମୁହିଁ ।

ମୋ ପ୍ରିୟାର ଯେତେ ଉପକାର ଅଛି କରି

ଗୋଟି ଗୋଟି ସବୁ ଶୁଝିଦେବି ମୁଁ ତୁମ୍ଭରି ।

ସଖୀ ପଚାରଇ ହସି କିସ ଦେବ କୁହ

ଏକା ସଙ୍ଗେ ବିଭା ହେବି ସଭିଙ୍କୁ ନିଶ୍ଚୟ ।

ଲାଜରା ହୋଇଣ ସଖୀ ବଦନ ପୋତିଲା

ପଦ୍ମଲୋଚନକୁ ଦେଖି କାମେ ବାଇ ହେଲା ।

ତାହାର ମନ ଜାଣିଣ ବୋଲନ୍ତି ଶ୍ରୀହରି

ନିଶ୍ଚୟ ତୁମ କାମନା ଦେବି ପୂର୍ଣ୍ଣକରି ।

ବର୍ତ୍ତମାନ କର୍ତ୍ତବ୍ୟରେ ଅଗ୍ରସର ହୁଅ

ଶୀଘ୍ର ବାରତା ନେଇଣ ମୋ ପ୍ରିୟାକୁ ଦିଅ ।

ପାଦେ ପ୍ରଣିପାତ ହୋଇ ସେ ସଖୀ ଚଳଇ

ମିଳି ରୁକ୍ମିଣୀଙ୍କୁ ସବୁ ତିଆରି କହଇ ।

କୋଳ କରି ତାକୁ ଜେମା ସ୍ନେହରେ କହଇ

ବଡ଼ ଭାଗ୍ୟବତୀ ଏ ସଂସାରେ ଅଟୁ ତୁହି ।

ମୋ ପ୍ରାଣନାଥଙ୍କୁ ଆଗ ଦର୍ଶନ କରିଲୁ

ଧନ୍ୟ ଧନ୍ୟ ତୋର ପ୍ରାଣ ମୁକତି ଲଭିଲୁ ।

ଏହି ଚିତ୍ତବୋଧ ଗ୍ରନ୍ଥ ଅପୂର୍ବ ବିଧାନ

ଶୁଣିଣ ଭବସାଗରୁ ତର ସର୍ବଜନ ।

ଦ୍ୱାରକାପୁରେ ଯାଦବେ ପ୍ରଭୁଙ୍କୁ ନ ପାଇ

ବଳରାମ ଠାକୁରଙ୍କୁ ଜଣାଇଲେ ଯାଇଁ ।

ନାହାନ୍ତି ମୁରାରି ବୋଲି ତାହାଙ୍କୁ କହିଲେ

ଯୋଗବଳେ ବଳରାମ ସମସ୍ତ ଜାଣିଲେ ।

ଯାଦବଙ୍କୁ ତିଆରିଲେ ସମସ୍ତ ବାହାର

ରୁକ୍ମିଣୀଙ୍କୁ ଆଣିବାକୁ ଯାଆନ୍ତି ଶ୍ରୀଧର ।

ଘୋର ସମର ସେ ସ୍ଥାନେ ବର୍ତ୍ତମାନ ହେବ

ଜରାସନ୍ଧ ଆଦି ବୀର ଅଛନ୍ତି ସେ ଠାବ ।

ଏକା ହୋଇ ମୋର କ୍ଷୁଦ୍ର ଭାଇ ନ ପାରିବ

କାଳେ ମୋହର ଶ୍ରୀକୃଷ୍ଣ ପରାସ୍ତ ହୋଇବ ।

ଚାଲ ଚାଲ ସର୍ବେ ଶୀଘ୍ର ନ କର ଉଛୁର

ଆଜି ସେ ସଭିଙ୍କୁ ମାରି କରିବି ମୁଁ ଚୂର ।

ଲଙ୍ଗଳେ ସଭିଙ୍କୁ ସମୁଦ୍ରରେ ପକାଇବି

ରୁକ୍ମିଣୀଙ୍କୁ ଆଣି ମୋର କୃଷ୍ଣ ବିଭାଦେବି ।

ଶୁଣି ଉଗ୍ରସେନ ଆଦି ଯଦୁବଂଶ ବୀର

ଯେ ଯାହା ଆୟୁଧ ଘେନି ହୋଇଲେ ବାହାର

ସମୁଦ୍ର ଲହରୀ ପରି ସର୍ବେ ଛନ୍ତି ଧାଇଁ

ରାମ ତାଳଧ୍ବଜ ରଥ ଆଗରେ ଧାମଇ ।

ଏତେ ପଥ ଅତିକ୍ରମ କରି ଯଦୁବୀର

ଘଡ଼ିକ ମଧ୍ୟରେ ଯାଇ ହୋଇଲେ ହାଜର ।

ବେଣୀ ନଦୀତୀରେ ଯାଇ ହୋଇଲେ ପ୍ରବେଶ

ଦେଖିଲେ ସେଠାରେ ରହିଅଛି ନନ୍ଦିଘୋଷ ।

ପୂର୍ଣ୍ଣ ଇନ୍ଦୁ ପରି ଦିଶେ ଶ୍ରୀକୃଷ୍ଣଙ୍କ ଜ୍ୟୋତି

କୁଣ୍ଡୀ ନଗ୍ରଆଡ଼େ ପ୍ରଭୁ ଚାହିଁଣ ଅଛନ୍ତି ।

ବଳରାମଙ୍କୁ ଦେଖିଣ ଆନନ୍ଦେ ଉଠିଲେ

ଜ୍ୟେଷ୍ଠଭ୍ରାତାଙ୍କ ଚରଣେ ପ୍ରଣିପାତ ହେଲେ ।

ଉଗ୍ରସେନ ଆଦି ଯେତେ ମାନ୍ୟ ବ୍ୟକ୍ତି ଥିଲେ

ସମସ୍ତଙ୍କୁ ଯଥାବିଧି ମାନ୍ୟ ପ୍ରଭୁ କଲେ ।

କଲ୍ୟାଣ କଲେ ସରବେ ଜୟ ହେଉ ତୋର

ଶତ୍ରୁ ଦର୍ପ ଧ୍ୱଂସ କନ୍ୟାରତ୍ନ ଲାଭକର ।

ଯାଦବ ସଇନ ଏକଠାବେ ହେଲେ ଠୁଳ

କନ୍ୟା ଲଭିବାକୁ ଚିନ୍ତା କରନ୍ତି ସକଳ ।

ସେହି ସମୟରେ ପୁରନାରୀ ମେଳ ହୋଇ

ଦେବୀ ମନ୍ଦିରକୁ ଯାନ୍ତି ହୁଳହୁଳି ଦେଇ ।

ହଜାର ହଜାର ଅହ୍ୟସ୍ତିରୀଙ୍କ ମଝିରେ

ଯାନ୍ତି ଦେବୀ ମନ୍ଦିରକୁ ଚାନ୍ଦମୁହିଁ ଧୀରେ ।

ବକଗଣ ମଧ୍ୟେ ଯେହ୍ନେ ରାଜହଂସ ଶୋଭା

କଳା ମେଘ ଶୋଭେ ଯେହ୍ନେ ବିଦ୍ୟୁତ୍‌ର ପ୍ରଭା

ସେହି ପରି ଶୋଭା ପାନ୍ତି ଭୀଷ୍ମକ ନନ୍ଦିନୀ

ଚଉପାଶେ ରାଜା ଯାନ୍ତି ଅସ୍ତ୍ର ଶସ୍ତ୍ର ଘେନି ।

ପାଦଗାମୀ ହୋଇ ସର୍ବେ କରିଣ ଗମନ

ଦେବୀ ମନ୍ଦିର ନିକଟେ ମିଳିଲେ ବହନ ।

ନଇବେଦ୍ୟ ଡାଲା ହସ୍ତେ ଧରି ଜେମାମଣି

ନାରୀଙ୍କ ମଧ୍ୟେ ଚାଲନ୍ତି ଭୀଷ୍ମକ ଦୁଲ୍ଲଣୀ ।

ଶ୍ରୀ କୃଷ୍ଣ ଚରଣାବିନ୍ଦେ ଦେଇଥାନ୍ତି ମନ

ତିଳେମାତ୍ର ନଥାଏ ରୁକ୍ମିଣୀ ବାହ୍ୟଜ୍ଞନ ।

ଜଳୁଜୁଳା ପୋକ ପରି ସର୍ବ ନରପତି

ଜେମାମଣିଙ୍କର ନୟନକୁ ଦେଖୁଥାନ୍ତି ।

ସର୍ବ ନାରୀଏ ବାହାରେ ଅପେକ୍ଷା କରିଲେ

ସୁମେଧାକୁ ଘେନି ଜେମା ମନ୍ଦିରକୁ ଗଲେ ।

ପଦ୍ମାସନ ପାଡ଼ି ଦେବୀ ସମ୍ମୁଖେ ସୁନ୍ଦରୀ

ସ୍ତବ ଆରମ୍ଭ କରିଲେ ଶ୍ରୀବିଷ୍ଣୁ ସୁମରି ।

ଜୟ ଜୟ ଜୟ ମାତ ତ୍ରିପୁର ମୋହିନୀ

ଜୟ ଜୟ ଜୟ ମାତ ଶଙ୍କର ଘରଣୀ ।

ଜୟ ଜୟ ଜୟ ମାତ ଅପର୍ଣ୍ଣା ପାର୍ବତୀ

ଜୟ ଜୟ ଜୟ ମାତ ତୁହି ମହାସତୀ ।

ଜୟ ଜୟ ଜୟ ମାତ ତୁହି ଆଦିମାତା

ଜୟ ଜୟ ଜୟ ମାତ ତୁ ହର୍ତ୍ତା କରତା ।

ସଚରାଚର ଅଟଇ ତୋହର ଭିଆଣ

ପ୍ରଳୟ କାଳେ ବ୍ରହ୍ମାଣ୍ଡ ଧରୁ ମା ଗର୍ଭେଣ ।

ସଦା ଧ୍ୟାନ କରୁଥାନ୍ତି ତୋତେ ମହେଶ୍ୱର

ତେଣୁ ଭକ୍ତିଭରେ ବନ୍ଧା ତାହାଙ୍କ ପାଦର ।

ମୁଁ ତୋହର କନ୍ୟା ମାତ କିଛି ନ ଜାଣଇ

କେବଳ ତୋ ପାଦପଦ୍ମ ଆଶ୍ରା କରିଛଇଁ ।

ଯେଉଁ ବର କନ୍ୟାକୁ ଦେଉଛୁ ଦୟାକରି

ବର୍ତ୍ତମାନ ପୂର୍ଣ୍ଣକର ତାହାକୁ ଶଙ୍କରୀ ।

ରୁକ୍ମିଣୀ ତପେ ସନ୍ତୁଷ୍ଟ ହୋଇ ମହାମାୟୀ

ଶୂନ୍ୟରେ ବାଣୀ ଭାଷିଲେ ଜେମାକୁ ଶୁଭଇ ।

ରୁକ୍ମିଣୀଙ୍କ ବିନେ ଅନ୍ୟ କେହି ନ ଜାଣନ୍ତି

ଅମୃତ ବଚନ ଦେବୀ ଶୂନ୍ୟରେ ଶୁଣାନ୍ତି ।

ତୋତେ ନେବା ପାଇଁ ଆସିଛନ୍ତି ଚକ୍ରଧର

ଏକଘଣ୍ଟା ରହ ତୁହି ମନ୍ଦିର ଭିତର ।

ମନେରଖ ଆସିଲା ମାତ୍ରକେ ସ୍ୱାମୀ ତୋର

ମସ୍ତକରୁ ମୋର ପୁଷ୍ପ ଖସିବ ତୋ କର ।

ଯେତେବେଳେ କବାଟେ ମାରିଲେ ପଦ୍ମକର

ସାଙ୍ଗେ ସାଙ୍ଗେ ଖୋଲିଦେବୁ ତୁ ମନ୍ଦିରଦ୍ୱାର ।

କର ପ୍ରସାରନ୍ତେ ପ୍ରଭୁ ପଡ଼ିବୁ ତୁ ଡେଇଁ

କୋଳେଧରି ରଥେ ତୋତେନେବେ ପାଣସାଇଁ

ଯହୁଁ ଏତକ ଶୁଣିଲେ ଶ୍ରୀକୃଷ୍ଣଙ୍କ ନାରୀ

ପଦ୍ମାସନେ ଦୃଢ ହୋଇ ବସିଲେ ସୁନ୍ଦରୀ ।

ମନ୍ଦିର ଚତୁଃପାର୍ଶ୍ଵରେ ବହୁ ନରପତି

ଅସ୍ତ୍ରଶସ୍ତ୍ର ଧରିଣ ନିର୍ବନ୍ଧେ ଜଗିଛନ୍ତି ।

ପିପିଲିକା ପରିଯନ୍ତେ କାକୁ ଭିତରକୁ

ଛାଡ଼ି ଦେଇଣ ଜଗିଛନ୍ତି ରୁକ୍ମିଣୀଙ୍କୁ ।

ଏଣେ ଯାଦବ ଶୁଣିଣ ହୁଳହୁଳି ସ୍ୱନ

ରାମ ଗୋବିନ୍ଦ ସହିତେ ହେଲେ ଛନ ଛନ ।

ନନ୍ଦିଘୋଷେ ବିଜେକଲେ ପ୍ରଭୁ ଚକ୍ରଧର

ଯେ ଯାହାର ରଥ ମଧ୍ୟେ ହୋଇଲେ ବାହାର

ଦେଖ ମନ୍ଦିର ନିକଟେ ପ୍ରବେଶିଲେ ଯାଇ

ଦେଖିଲେ ଜଗିଅଛନ୍ତି ବହୁ ନରସାଇଁ ।

ଯିବାକୁ ଉପାୟ ନାହିଁ ମନ୍ଦିର ଭିତର

ମନେ ମନେ ଚିନ୍ତାକଲେ ପ୍ରଭୁ ଚକ୍ରଧର ।

ନିଶ୍ଚେ ମୋତେ ଅନାଇଣ ରହିଛି ସୁନ୍ଦରୀ

ତେଣୁ ମନ୍ଦିର ଦୁଆର ଅଛି ବନ୍ଦକରି ।

ଶୂନ୍ୟେ ଉଡ଼ାଇ ସାରଥି ନନ୍ଦିଘୋଷ ନେଲା

ଦେବୀ ମନ୍ଦିର ଦୁଆର ସାମନା ରଖିଲା ।

ରଥେ ଥାଇ କବାଟରେ କର ମାରି ହରି

ଡାକନ୍ତି ତୁରନ୍ତ ଆସ ମୋ ପ୍ରାଣ ଈଶ୍ୱରୀ ।

ବିଳମ୍ବ ହୋଇଲେ କାର୍ଯ୍ୟ ହୋଇବ ବିଫଳ

ବର୍ତ୍ତମାନ ଏ ସ୍ଥାନରେ ହେବ ମହାଗୋଳ ।

ଯହୁଁ ପ୍ରଭୁଙ୍କର ବାଣୀ କର୍ଣ୍ଣରେ ବାଜିଲା

ସଙ୍ଗେ ସଙ୍ଗେ ଜେମା କରେ ପୁଷ୍ପ ବର୍ଷାହେଲା

ସେ ପୁଷ୍ପକୁ କରେ ଧରି ଶ୍ରୀକୃଷ୍ଣ ଘରଣୀ

ଖୋଲିଦେଇ ଦ୍ୱାର ଗୋରୀ ଚାହିଁଲେ ତକ୍ଷଣି ।

ଶଙ୍ଖ ଚକ୍ର ଗଦା ପଦ୍ମ ତାହାଙ୍କୁ ଦିଶଇ

ନିସ୍ତରିଲି ନିସ୍ତରିଲି ବୋଲିଣ ବୋଲଇ ।

ପଦ୍ମକର ବଢାଅନ୍ତେ ପ୍ରଭୁ ଚକ୍ରଧର

ଡେଇଁପଡ଼ିଲେ କୋଳକୁ ରୁକ୍ମିଣୀ ସତ୍ବର ।

ସୁମେଧାକୁ ଚାହିଁ ଆଜ୍ଞା ଦେଲେ ନରହରି

କିମ୍ପାଇଁ ଭୂତଳେ ଛିଡ଼ା ହୋଇଛୁ ସୁନ୍ଦରୀ ।

ତୁରନ୍ତ ରଥ ଉପରେ ଆସ ଚାନ୍ଦମୁହିଁ

ତୁମ୍ଭେ ମୋ ପ୍ରାଣେଶ୍ଵରୀଙ୍କ ଅଟ ପ୍ରିୟସହୀ ।

ଚାହିଁଦ୍ୟନ୍ତେ ସୁମେଧା ଶ୍ରୀ ରାଜିବଲୋଚନ

ରଥପରେ ପଡ଼ିଗଲା ହୋଇ ହତଜ୍ଞାନ ।

ତହିଁପରେ ଦେବୀ କୋଳେ ହେଲେ ବିଦ୍ୟମାନ

ସ୍ୱର୍ଗେ ସକଳ ଦେବତା କଲେ ଧନ୍ୟ ଧନ୍ୟ ।

ଦେଖ ଆହେ ସର୍ବଦେବ ବୋଲନ୍ତି ବିଧାତା

ବିଷ୍ଣୁଙ୍କ କୋଳେ ଲକ୍ଷ୍ମୀ ଦିଶନ୍ତି ଶୋଭିତା ।

ଯହୁଁ ଚଳାଇ ସାରଥି ନେଲା ରହୁବର

ନେଇଗଲା ନେଇଗଲା ପଡ଼େ ହାହାକାର ।

କେ ବୋଲଇ ମାର ମାର କେ ବୋଲଇ ଧର

କେ ବୋଲଇ ନାରୀ ଚୋରଟାକୁ ପ୍ରାଣେମାର

ଅସ୍ତ୍ର ଝଙ୍କାର ଆବର ଧନୁର ଟଙ୍କାର

ଦଲ ଦୁଲ ନାଦେ କମ୍ପିଯାଏ ତିନିପୁର ।

ରଥ ଚାରିପାଖ ଯାକ ସର୍ବେ ଗଲେ ବେଢ଼ି

ଦେଖି କ୍ରୋଧେ ହଳଧର ତାଳଧ୍ବଜ ଚଢ଼ି ।

ଲଙ୍ଗଳେ ରାଜାମାନଙ୍କୁ କରିଣ ପ୍ରହାର

ନନ୍ଦିଘୋଷ ସମ୍ମୁଖରେ ହୋଇଲେ ହାଜର ।

ବୋଇଲେରେ କୃଷ୍ଣ ମୁହିଁ କରୁଅଛି ରଣ

ବୋହୂକୁ ନେଇଣ ନଗ୍ରେ ଯାଅ ତୁ ଶୀଘ୍ରେଣ ।

ଏହା ଶୁଣି ଚକ୍ରଧର ଆନନ୍ଦ ହୋଇଲେ

ଏ ମୋହର ଜ୍ୟେଷ୍ଠଭ୍ରାତା ଦେବୀଙ୍କୁ ବୋଇଲେ

ଶୁଣି ଆନନ୍ଦେ ଅଧୀରା ହୋଇଣ ସୁନ୍ଦରୀ

ରଥପରେ ଦେଢଶୁରେ ପ୍ରଣମିଲେ ଗୋରୀ ।

ଝାଉଁଳିଲା ଲତା ପରି ରୁକ୍ମିଣୀ ଦିଶନ୍ତି

ପ୍ରଭୁଙ୍କ କୋଳରେ ଢଳି ପଡ଼ିଲେ ଯେ ସତୀ ।

ରୋମେ ରୋମେ ଶିହରଣ ଜାଗି ବାଳାର

କୃଷ୍ଣଙ୍କୁ ପାଇଣ ଗୋରୀ ହୃଦୟ ଅସ୍ଥିର ।

ସ୍ଵୟମ୍ବରେ ଲକ୍ଷେ ରାଜା ଦେଖିଲାକ ବାଳୀ

କାହାପରେ ତିଳେ ମନ ନଥିଲାକ ବଳି ।

ଯେ ଯାହାର ସେ ତାହାର ଦଇବ ଲିଖନ

ଚନ୍ଦ୍ର ବିନେ କୁମୁଦ କି ଆନେ ଶୋଭାବନ ।

ଜାଣି ପ୍ରିୟା ମନ ଦରହସି ଚକ୍ରଧର

ଆତ୍ମୀୟ ବଚନ ବାଣୀ ଭାଷନ୍ତି ମଧୁର ।

ମୁଖ ନୀଳ ଅମ୍ବରରେ ଢାଙ୍କିଣ ରୁକ୍ମିଣୀ

ଲାଜେ ଚକ୍ଷୁ ବୁଜି ଗୋରୀ ନ କହନ୍ତି ବାଣୀ ।

ସୁମେଧା ସହୀକୁ ବାସେ ଧରିଣ ଶ୍ରୀହରି

ଦରହସି ପଚାରନ୍ତି ଶୁଣ ଗୋ ସୁନ୍ଦରୀ ।

କିମ୍ପା ଲାଜ କରୁଛନ୍ତି ସଜନୀ ତୁମ୍ଭର

ଯେତେ ବୁଝାଇଲେ ପଦେ ନ କହନ୍ତି ଗୀର

ସହଜେ ତ ତୁମ୍ଭେ ତାଙ୍କ ପ୍ରିୟ ସହଚରୀ

ଜାଣିଥିବ ନିଶ୍ଚେ ଶୁଣ ପ୍ରିୟାର ସୁନ୍ଦରୀ ।

ସୁମେଧା ବୋଲଇ ତୁମ୍ଭେ ବଡ଼ ଦଗାଦାର

ବହୁତ କନ୍ଦାଇ ଅଛ ସଖୀଙ୍କୁ ଆମ୍ଭର ।

ଫୁସୁଲା ଫୁସୁଲି କଲେ ନୋହିବ ନିସ୍ତାର

ନିଶ୍ଚୟ ଜେମା କରିବେ ତାହାର ବିଚାର ।

ଏହିପରି ହାସ୍ୟ ପରିହାସ୍ୟ ପ୍ରଭୁ କରି

ରୁକ୍ମଣୀଙ୍କୁ ସଙ୍ଗେ ଘେନି ଚଳନ୍ତି ମୁରାରି ।

ଏଣେ ଭୀଷ୍ମକ ପୁରରେ ଜରାସନ୍ଧ ଥିଲା

ସଙ୍ଗେ ସଙ୍ଗେ ଚାର ମୁଖୁଁ ବାରତା ପାଇଲା ।

ରୁକ୍ମିଣୀ ସହିତ ବହୁ ରାଜା ହୋଇ ଠୁଳ

ବସିଥିଲେ ସଭା ମଧ୍ୟେ ହୋଇଣ ବିହ୍ୱଳ ।

ଯହୁଁ ଏସନ ଖବର କର୍ଣ୍ଣରେ ଶୁଣିଲେ

କିହେଲା କିହେଲା ବୋଲିଣ ଧାଇଁଲେ ।

ପୁରବାସୀଗଣ ଶୁଣି ହୋଇଲେ ଚକିତ

ପିତା ମାତା ଆଦି ସର୍ବେ ହେଲେ ସ୍ତମ୍ଭୀଭୂତ

ସମସ୍ତେ ଶୁଣି ବସିଲେ ମୁଣ୍ଡେ ହସ୍ତ ଦେଇ

ଏତେ ବଡ଼ ଆୟୋଜନ ଗଲା ପଣ୍ଡ ହୋଇ ।

ଗରଜନ କରି କହେ ଜରାସନ୍ଧ ବୀର

ତିଳେମାତ୍ର ମନେ କେହି ଭାବନା ନ କର ।

ଆଜି ଗଉଡ଼କୁ ମୁହିଁ ଶତ ଶିକ୍ଷା ଦେବି

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗୋଡ଼ାଇ ମାରିବି ।

ଉଗ୍ରସେନ ବନ୍ଧୁ ବୋଲି ଉପରୋଧ କରି

ଛାଡ଼ିଦେବାରୁ ଆସ୍ପର୍ଦ୍ଧା ବଢିଛି ତାହାରି ।

ଚୁଚୁନ୍ଦ୍ରା ମାରିଲେ ହାତ ଗନ୍ଧ ହେବ ବୋଲି

ବହୁତ ବାର ତାହାକୁ ମୁହିଁ ଛାଡ଼ିଦେଲି ।

ପୁଣି ଛୋଟ ଜାତି ବୋଲି କିଛି ନ କହଇ

ତେଣୁ ଗଉଡ଼ ଟୋକାର ମୁହଁ ବଢ଼ିଛଇଁ ।

ଜରାସନ୍ଧ ବାଣୀ ଶୁଣୁଥାନ୍ତି ଦଣ୍ଡଧାରୀ

ମୁରବୀ ହୋଇଣ କହେ ଦେଖାଇ ଖାତିରି ।

କିନ୍ତୁ ମନ ଭିତରେ ତା ଥାଏ ପୁରା ଭୟ

ଲୋକ ଦେଖାଣିଆ ଖାଲି ଶୁଣାଏ ଅଭୟ ।

ଥୋକେ ମଣିମା ମଣିମା ବୋଲି ହେଉଥାନ୍ତି

ଭୟେ କରାୟତ ନୃପ ପ୍ରଶଂସା କରନ୍ତି ।

ରୁକ୍ମିଣୀଙ୍କୁ କୃଷ୍ଣ ରଥେ ନେଇଯିବା ଶୁଣି

ରାଗେ ଭୀଷ୍ମକ ନନ୍ଦନ ଉଠେ ଶିରଝୁଣି ।

ସଭିଙ୍କ ସମୀପେ ପ୍ରତିଜ୍ଞା କରଇ ବୀର

ରୁକ୍ମିଣୀର ଶକ୍ତି ଜାଣି ନାହିଁ ସେ ପାମର ।

ଷଣ୍ଡଟାଏ ନାରୀଟାଏ ବଗଟାଏ ମାରି

ମନେ ମନେ ଦେଖାଉଛି ଭାରି ବାହାଦୁରୀ ।

କଂସରାଜାକୁ ତ ସେ ଗଉଡ଼ ମାରି ନାହିଁ

ପରମାୟୁ ଶେଷ ହୋନ୍ତେ ପଡ଼ି ମଲେ ସେହି ।

ଆଜି ନିଶ୍ଚେ କ୍ଷତ୍ରିୟଙ୍କ ନୀତି ସେ ଜାଣିବ

ଛାର ଶୃଗାଳ ହୋଇଣ ସିଂହଭଗ୍ନୀ ନେବ ।

ଏହିପରି ଗରଜନ କରି ବୀରବର

ସୈନ୍ୟ ସଙ୍ଗେ ଅସ୍ତ୍ର ଧରି ହୋଇଲା ବାହାର

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତ

ଶୁଣିଲେ କଳୁଷ ଦେହୁ ହୋଇବ ଦୂରିତ ।

ଅସମ୍ପୂର୍ଣ୍ଣ ଅଚ୍ୟୁତଙ୍କ କଳ୍ପନା ମନ୍ଦିର

ଅଜ୍ଞାନ କ୍ଷେତ୍ରମୋହନ କରଇ ତିଆର ।

କିପରି ସୌଧ ଗଢ଼ିବି ଜାଣେ ନାହିଁ କିଛି

ଶ୍ରୀ ଶାରଳାଦେବୀ ପଦ ଧ୍ୟାୟି ମୁଁ ଲେଖିଛି ।

ଏହି ଚିତ୍ତବୋଧ ଗ୍ରନ୍ଥ କରିଲି ଉଦ୍ଧାର

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଶରଣ ପୟର ।

 

ଜରାସନ୍ଧାଦି ରାଜାମାନଙ୍କ ସହ ବଳରାମଙ୍କର ଭୀଷଣ ସମର ଓ
ଶିଶୁପାଳ ଅପମାନ ପାଇ ବିବାହ ବେଦୀରୁ ବାହୁଡ଼ି ଯିବା

ଶୁଣ ଆହେ ସାଧୁଜନେ ଧୀରସ୍ଥିର ହୋଇ

କୁଣ୍ଡଳି ନଗ୍ରରେ ମହାସମର ହୁଅଇ ।

ବିଶ୍ୱ ବିକ୍ରମ ମୂରତି ଧରି ହଳଧର

ଲକ୍ଷ ଲକ୍ଷ ସୈନ୍ୟ ସଙ୍ଗେ କରନ୍ତି ସମର ।

ଚଉପାଶେ ମହା ମହା ଯୋଦ୍ଧା ଘେରିଛନ୍ତି

ମଧ୍ୟେ ପ୍ରଚଣ୍ଡ ମୂରତି ହଳି ହୋଇଛନ୍ତି ।

ମାର ମାର ଧର ଧର କମ୍ପଇ ଶବଦ

ସ୍ୱର୍ଗରେ ଦେବତାଗଣ ହୋଇଲେ ସ୍ତବଧ ।

ଦିବସେ କୁହୁକମୟ ପୁର ଗଲା ହୋଇ

ଗର୍ଜନ୍ତି ତର୍ଜନ୍ତି ସୈନ୍ୟ ମେଦିନୀ କମ୍ପାଇ ।

ଯାକୁ ସମ୍ମୁଖେ ଦେଖନ୍ତି ସ୍ଵାମୀ ହଳଧର

ଏକା ଚାପୁଡ଼ାକେ ପ୍ରାଣ ଘେନନ୍ତି ତାହାର ।

ସକଳ ଯାଦବଗଣ ରଣ କରୁଥାନ୍ତି

ଏକୁ ଏକ ବଳି ଯମ ପରାୟ ଦିଶନ୍ତି ।

ବୋଲନ୍ତିରେ ନୃପ ସର୍ବେ ଯିବ ଯମାଳୟ

ପର ବୁଦ୍ଧିରେ ପଡ଼ିଣ ନିଶ୍ଚେ ହେବ କ୍ଷୟ ।

ଯାଦବଙ୍କ ବାଣୀ ଶୁଣି ଶାଲ୍ୱ ଦନ୍ତବକ୍ର

ଅଧର କାମୋଡ଼ି ଧାନ୍ତି ହୋଇଣ ନିର୍ଭୀକ ।

ରହ ରହରେ ଗଉଡ଼େ ଆଜ ହେବ ଧ୍ୱଂସ

ଯାଦବ କୁଳ ମହୀରୁ ହୋଇବ ନିର୍ବଂଶ ।

ଏଗାର ସହସ୍ର ରାଜା ତାଙ୍କ ପଛେ ଧାନ୍ତି

ରଥ ଗଜ ଅଶ୍ୱ କେତେ କଳନା ନ ଯାନ୍ତି ।

ନିର୍ଘାତ ଶବଦ ଜାଣି ପଡ଼େ ବଜ୍ରବାଣ

ଧବଳ ଛତ୍ର ଚାମର ଚିରାଳ ଆଢଣ ।

ଅଜଗଜ ନାମେ ଧନୁ ଶାଲ୍ୱ ଧରି କରେ

ସହସ୍ରେ ନାରାଚ ସନ୍ଧି ବିନ୍ଧିଲା କ୍ରୋଧରେ ।

ନାରାଚ ଆସନ୍ତେ ଦୂରୁ ଦେଖି ଉଗ୍ରସେନ

କତୁରି ବାଣରେ କାଟି କଲେ ଛିନ୍ନ ଭିନ୍ନ ।

ତା ଦେଖି ଲଜ୍ଜିତ ହୋଇ ଶାଲ୍ୱ ମହାବୀର

ପୁଣି ଶତେ ବାଣ ଯୋଖି ବିହିଲା ସତ୍ତ୍ବର ।

କହୁ କହୁ ପଞ୍ଚଶତ ବାଣ କରେ ଧରି

ହସ୍ତବ୍ୟଗ୍ରେ ବିନ୍ଧି ଦେଲା ଧନୁର୍ବେଦ ସ୍ମରି ।

ବାବଲ କୁନ୍ତ ମୁନା ଯେ ଲୌହଶତେ କାଣ୍ଡ

ଓଟାରି ବିନ୍ଧିଲା କ୍ରୋଧେ ହୋଇଣ ପ୍ରଚଣ୍ଡ ।

ସେ ବାଣ ଆକାଶମାର୍ଗେ ହୋଇ ଏକମେଳ

ଭୟଙ୍କର ରୂପ ଧରି ହୋଇଲା କରାଳ ବାବଲ

ବାଣକୁ ହାତେ ଧରି ଉଗ୍ରସେନ

ଏକାଥରେ ଦୈତ୍ୟବାଣ କରିଲେ ଛେଦନ ।

ପଞ୍ଚଶତ ବାଣ କ୍ରୋଧେ ଉଗ୍ରସେନ ବୀର

ବିନ୍ଧି ଶାଲ୍ବ ରଥ ଅଶ୍ୱ ଛେଦିଲ ସତ୍ୱର ।

ସମ୍ଭାଳ ସମ୍ଭାଳ ବୋଲି ଶାଲ୍ୱକୁ ଡାକନ୍ତି

ପୁଣି ମନ୍ତ୍ର ପଢି ଦଶବାଣ ସେ ବିନ୍ଧନ୍ତି ।

ଧନୁକୁ ସତର କାଣ୍ଡ ତୂଣୀରକୁ ବିଂଶ

ହାତୀ ଘୋଡ଼ା ପଦାତିଙ୍କୁ ବିନ୍ଧି ଦଶ ଦଶ ।

ଏକାବେଳେ ଏତେ ଶର ପେଶି ଉଗ୍ରସେନ

ସମ୍ଭାଳ ସମ୍ଭାଳ ବୋଲି କଲେ ଗରଜନ ।

ସେ ବାଣ ଗଗନମାର୍ଗେ ପକ୍ଷୀ ପ୍ରାୟ ଉଡ଼ି

ଶାଲ୍ୱ ନୃପତି ରଥରେ ପଡ଼ିଲେ କଚାଡ଼ି ।

ସାରଥି ଅଶ୍ୱ ତୂଣୀରୁ ଧନୁ ଧ୍ୱଜା ଆଦି

ଚାହୁଁ ଚାହୁଁ ନିମିଷକେ ପକାଇଲେ ଛେଦି ।

ସାରଥି ଅଶ୍ୱ ମରନ୍ତେ ବିରଥୀ ହୋଇଣ

ରଥୁ ଡେଇଁ ତଳେ ଉଭା ଶାଲ୍ୱ ନରରାଣ ।

ତାହା ଦେଖି ଉଗ୍ରସେନ ଅତି କ୍ରୋଧଭରେ

ହାବୋଡ଼ା ଶରକେ ବିନ୍ଧିଲେ ଶାଲ୍ୱ ଉପରେ

ସେ ବାଣ ବାଜନ୍ତେ ଯାଇ ବୀର ବକ୍ଷସ୍ଥଳେ

ମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲା ଭୂତଳେ

ଜରାସନ୍ଧ ଦେଖୁଥିଲା କିଛି ଦୂରେ ରହି

ଆରେ ପୁତ୍ରହନ୍ତା ବୋଲି ଗର୍ଜିଣ ଧାମଇଁ ।

ଉଗ୍ରସେନ ନିକଟରେ ବିଶ୍ୱ ମୂର୍ତ୍ତି ହୋଇ

ପ୍ରଚଣ୍ଡ ବେଗରେ ପ୍ରବେଶିଲେ ନରସାଇଁ ।

ବାସ୍ତରୀ ଭାରର ଗଦା କରେ ଅଛି ଧରି

କୁନ୍ତଯଷ୍ଟି ଭିନ୍ଦିପାଳି ଖଡ୍‌ଗ ଆଦିକରି ।

ରେ ରେ କାର କରି ଉଚ୍ଚେ ଦିଏ ସିଂହରଡ଼ି

ସେ ରଡ଼ି ଘାତରେ ବୃକ୍ଷୁ ଡାଳପତ୍ର ଛିଡ଼ି ।

ବାମେ ଗଦାବର ଟେକି ଦକ୍ଷେ ମୋଡ଼ି ନିଶ

ବୋଲଇ ଆରେ ନିର୍ଲ୍ଲଜ ପ୍ରାଣେ ଛାଡ଼ ଆଶ ।

ସମୁଦି ବୋଲିଣ ଉପ୍ରୋଧ ମୁଁ କରିଥିଲି

ଆଜି ତୋହଠାରୁ ମାୟା ମମତା ଛାଡ଼ିଲି ।

ସୋମବଂଶ ନୃପ ହୋଇ ବନ୍ଧୁବର୍ଗ ଛାଡ଼ି

ଛାର ଗଉଡ଼ ଟୋକାଟା ସଙ୍ଗେ ଅଛୁ ପଡ଼ି ।

ଆରେ ଅଲାଜୁକ ତୋର ମୁଖେ ଲାଜ ନାହିଁ

ତୋ ବଂଶ ପରା ନାଶିଲେ ରାମକୃଷ୍ଣ ଦୁଇ ।

ପୁଣି ତାକୁ ସେବାକରୁ ମୁଖେ ନାହିଁ ଲାଜ

ଦେଖିବି କିପରି ତୋତେ ରଖିବେ ସେ ଆଜ

ଶତ୍ରୁ ସଙ୍ଗେ ମିତ୍ର ହେଉ ଅଟୁ ବଡ଼ ହୀନ

ଜନମହୁଁ ଅଲକ୍ଷଣେ ଗଲା ତୋର ଦିନ।

ପିତା ଅର୍ଜିଲା ମଥୁରା ରଖି ନ ପାରିଲୁ

ପ୍ରାଣଭୟେ ଦ୍ଵାରକାରେ ଯାଇଣ ଲୁଚିଲୁ।

ପିତୃ ବୈରୀ ମାତୃ ବୈରୀ ପୁତ୍ରବୈରୀ ତିନି

ଆମ୍ଭ ବଇରୀ ସଙ୍ଗରେ ଏମାନଙ୍କୁ ଘେନି ।

ଆରେ ଓଲୁ କିପରି ତୁ ଗଉଡ଼ ସଙ୍ଗତେ

ନିଶ ଫୁଲାଇ ବୁଲଛୁ ଲାଳ ନାହିଁ ତୋତେ ।

ଶୁଣି ଉଗ୍ରସେନ ବୋଲେ ତୋର ବାହାଦୁରି

ଦେଖିଛି ସତର ଥର ପଳାଇଲୁ ହାରି ।

ପର ବୋଲି ଯାହାକୁ ତୁ ଆଖ୍ୟା ଅଛୁ ଦେଇ

ଜାଣିନାହୁଁ କିରେ ସେ ଯେ ଚନ୍ଦ୍ରମା ଅଟଇ ।

ମୋ କନ୍ୟା ଗର୍ଭରୁ ଯେହୁ ହୋଇଅଛି ଜାତ

ଯଦୁକୁଳକୁ ରେ ସହି ଅଟଇ ପବିତ୍ର ।

ଲାଜ ନାହିଁ ମୋ ଆଗରେ କହୁଛି ବଡ଼ାଇ

ନିଜର ମହତ୍ୱ ଜଗି ଫେରିଯାଅ ତୁହି ।

ଶୁଣି ଜରାସନ୍ଧ ବୀର ରାଗେ ପରଜ୍ଜ୍ୱଳି

ରହରେ ରଖିବ ଅଛି କିଏ ମହାବଳୀ ।

ମାର ମାର ବୋଲି ଜରାସନ୍ଧ କରେ ରଡ଼ି

ଗର୍ଜ୍ଜନ ଘାତରେ ଗିରିଶୃଙ୍ଗ ପରେ ଝଡ଼ି ।

ଯେତେ ସୈନ୍ୟ ଜରାସନ୍ଧ ରାଜା ପଛେ ଥିଲେ

ରେ ରେ କାର ଗରଜନେ ସରବେ ଧାଇଁଲେ ।

ଜରାସନ୍ଧ ଯୁଝିବାକୁ ଦେଖି ରଘୁବୀର

ଉଗ୍ରସେନଙ୍କ ନିକଟେ ହୋଇଲେ ହାଜର ।

ଉଭୟ ସୈନ୍ୟଙ୍କ ମଧ୍ୟେ ହୁଏ ଘୋର ରଣ

କକଡ଼ା ମାସରେ ଯେହ୍ନେ ବାଣ ବରଷଣ ।

ସେହିପରି ସୈନ୍ୟମାନେ ଶର ବରଷନ୍ତି

ଦୂରେ ଦେଖି ବଳରାମ ତହୁଁ ପ୍ରଶଂସନ୍ତି ।

ସମସ୍ତ ଯଦୁଗଣଙ୍କୁ ପ୍ରଭୁ ଦଇତ୍ୟାରି

ଦେଇ ଅଛନ୍ତି ଯେ ବିଷ୍ଣୁ ତେଜ ଦାନକରି ।

ସର୍ବ ସୈନ୍ୟମାନେ ବିଷ୍ଣୁ ପରାୟ ଦିଶନ୍ତି

ଦେଖି ଜରାସନ୍ଧ ବୀର ମନେହୁଏ ଘାଣ୍ଟି ।

ରହରେ ଯାଦବ ତବ ପୁରାଉଛି କାଳ

ଏତେ କହିଣ ଉଠିଲା ଜରା ମହାବଳ ।

ଲକ୍ଷ୍ୟ କରୁଥିଲେ ଦୂରେ ରହି ହଳଧର

ଜରାସନ୍ଧକୁ ଦେଖିଣ ଧାଇଁଲେ ପ୍ରଖର ।

ଆରେରେ ଅସୁର ତୋର ଆଉ ରକ୍ଷା ନାହିଁ

ଜନ୍ତୁପତି ପୁରେ ଯିବା ମନ ବଳିଛଇଁ ।

ପ୍ରଚଣ୍ଡ ମୂରତି ଗୋଟା ଧରି ହଳଧର

ଲଙ୍ଗଳ ଅଗ୍ରେ ବୁଲାଇ ଧାଇଁଲେ ପ୍ରଖର ।

ଯେତେବେଳେ ବଳରାମ ଥାଟରେ ମିଳିଲେ

ଦେଖିଣ ଯାଦବ ସୈନ୍ୟ ଫୁଲି ଯେ ଉଠିଲେ ।

ବଳରାମ ମୂର୍ତ୍ତି ଦେଖି ସ୍ୱର୍ଗେ ସୁନାସୀର

ଭାବିଲେ ନିଶ୍ଚେ ପ୍ରଳୟ ହୋଇବ ସଂସାର ।

ପାତାଳ ବାସୁକି ମୁଖୁ ଗଳେ ରକ୍ତଧାର

ଅନୁକ୍ଷଣେ ଡାକେ ରକ୍ଷାକର ଚକ୍ରଧର ।

ପ୍ରାଣ ମୂର୍ଚ୍ଛା ହୋଇ ସର୍ବ ଯାଦବେ ଲଢନ୍ତି

ଜରାର ସଇନମାନେ ଗୋଡ଼ାଇ ମାରନ୍ତି ।

ରାମଙ୍କୁ ଆଗରେ ଦେଖି ଜରା ନରଗଣ

ଅରି ନିବାରଣ ରଥେ ବସିଲା ତକ୍ଷଣ ।

ରାମକୁ ଚାହିଁଣ କ୍ରୋଧେ ବୋଲେ ଜରାସନ୍ଧ

ଆରେରେ ଗଉଡ଼ ତୁମ୍ଭେ ଅଟ ବଡ଼ ମନ୍ଦ ।

ତୁମ ସକାଶରୁ ମୋର ହେଲା ଏତେ ହାନି

ଗଉଡ଼ ଟୋକା ଦୁଇଟା ନ ପାରିଲ ଜିଣି ।

ବଳରେତ ମୋ ସଙ୍ଗରେ ନୁହ ତୁମେ ସରି

ଗୁଡ଼ିଏ ଯାଦୁ ମନ୍ତର ଅଛ ଶିକ୍ଷାକରି ।

ତେଣୁ ଅଷ୍ଟାଦଶ ଥର ଧାଡ଼ି ଦେଲି ମୁହିଁ

ଖସି ପଳାଇ ଲୁଚିଛ ତୁମେ ଦୁଇଭାଇ ।

ସମୁଦ୍ର ମଝିରେ ଭୟ ଲୁଚିଅଛ ଯାଇ

କ୍ଷତ୍ରିୟଙ୍କର କି ଏହା ଉଚିତ ଅଟଇ ।

ଜାତିରେ ଗଉଡ଼ ବୋଲି ତୁମ ଲାଜ ନାହିଁ

ତେଣୁ ଚୋର ଖଣ୍ଟ ପରି ଲୁଚୁଅଛ ଯାଇ ।

ମହାପାପୀ ଅଟ ତୁମ୍ଭେ ନରଜନ୍ମ ପାଇ

ତୁ ତାକୁ ମାରିବା ତୋର ଉଚିତ ନୁହଇ ।

ଗୋପୀ ହରିଲା ପ୍ରାୟେକ ମଣିଅଛ ଏବେ

କ୍ଷତ୍ରିୟ କନ୍ୟାକୁ ନେଉଅଛ କେଉଁ ଦମ୍ଭେ ।

ପଞ୍ଚାଣୋଇ ସସ୍ର ରାଜା ଆଖିରେ ଦେଖିଲ

ତଥାପି ଅଜ୍ଞାନ ହୋଇ ଏଡ଼େ କର୍ମ କଲ ।

ଜଳନ୍ତା ଅନଳେ ପଡ଼ି ମଲରେ କିମ୍ପାଇ

ଅବରଣେ ଆସି କନ୍ୟା ନେଉଛ ଚୋରାଇ ।

ଏତେ କହି ଜରାସନ୍ଧ କ୍ରୋଧେଣ ଗରଜି

ବୋଲେ କାଳଯମ ତୋର ପୋଛିଲାଣି ପାଞ୍ଜି

ସାତପୁର ଘେର ମଧ୍ୟେ ପଡ଼ିଅଛି ଏବେ

ନିଶ୍ଚେ ନାଶଗଲେ ସାତବଂଶର ଯାଦବେ ।

ବର ଘେନି ରାଜାମାନେ କରିଛନ୍ତି ସଭା

ମଙ୍ଗୁଳିଲା କନ୍ୟା ନେଇ ତୁମ୍ଭେ ହେବ ବିଭା ।

ଶିଶୁପାଳ ବସିଛନ୍ତି ବାନ୍ଧିଣ ମୁକୁଟ

କନ୍ୟାକୁ ଚୋରାଇ ନେଲା ତୋ ଭାଇ ପାପିଷ୍ଠ

ଏତେ କହି ନୃପବର ଧନୁଗୁଣ ଟାଣି

ଲକ୍ଷେକ ବାବଲ ଶର ବସାଇଲା ଆଣି ।

ନାରାଚ ଆସିବା ଦେଖି ପ୍ରଭୁ ହଳଧର

କତୁରୀ ବାଣ କାଢ଼ିଣ ବିନ୍ଧିଲେ ସତ୍ଵର ।

ଜରାସନ୍ଧ ଶର ସବୁ ପକାଇଲ କାଟି

ଅସ୍ତ୍ର ହତ ହେବା ଦେଖି ରାଜା ରାଗେ ଉଠି ।

ଧାତିକାରେ ବିନ୍ଧିଲା ଯେ ପଞ୍ଚଶତଶର

ବାଣ ଆଣିବା ଦେଖିଣ ପ୍ରଭୁ ହଳଧର ।

ଦରହସିତ ହୋଇଣ ପ୍ରଭୁ ହଳଧର

ତୀକ୍ଷ୍‌ଣମୁନା ଅସ୍ତ୍ରେ ଫିଙ୍ଗି ଦେଲେ ଯେ ସତ୍ଵର

ଆବର ଯେ ଜରା ଲକ୍ଷ ଲକ୍ଷ କ୍ଷୁର ବାଣ

ଯାଦବ ସୈନ୍ୟ ଉପରେ ବିନ୍ଧେ କରି ଟାଣ ।

ଧନୁର୍ବେଦ ସୁମରଣି ବିନ୍ଧିଲେ ଗରଜି

ତରସ୍ତ ହୋଇଣ ଯଦୁବଳ ଗଲେ ଭାଜି ।

ସୈନ୍ୟଭଗ୍ନ ଦେଖି ଅର୍ଦ୍ଧଚନ୍ଦ୍ର ବାଣ ରାମ

ପେଶିଦେଲେ ଜରାସନ୍ଧ କ୍ରୋଧେ ହୋଇ ତମ

ଯେତେ ବାଣ ଜରାସନ୍ଧ ବୀର ପେଶିଥିଲା

ହଳଧରଙ୍କର ବାଣ ସମସ୍ତ କାଟିଲା

ତା ଦେଖି ମଗଧରାଜ ଆଶ୍ଚର୍ଯ୍ୟ ହୋଇଲା ।

ଧନ୍ୟ ଧନ୍ୟ ଗଉଡ଼ ତୁ ବୋଲି ପ୍ରଶଂସିଲା

ତା ପରେ ପେଶିଲା ଜରା ଲକ୍ଷ ଲକ୍ଷ ଶର

ସମସ୍ତ ଶରକୁ ଛେଦିଦେଲେ ହଳଧର ।

ପନ୍ନଗ ନାରାୟଣ ଯେ ମହା ଭୟଙ୍କର

ଚାହୁଁ ଚାହୁଁ ହୋଇଲେ ସେ ବିଶ୍ୱ ଅବତାର

ମତ୍ତକରୀ ଯେହ୍ନେ ପଦ୍ମ ବନକୁ ମନ୍ଥଇ

ସେହିପରି ଜରାସୈନ୍ୟ ରାମ ମନ୍ଥୁଛଇ ।

ପର୍ବତ ପରାୟ ମଢ କୁଢ କୁଢ ହୋଇ

ପଡ଼ୁଛନ୍ତି ରକତରେ ନଦୀ ଯେହ୍ନେ ବହି ।

କିଳିକିଳା ନାଦକରି ଯୋଗ୍ନି ରୁଣ୍ଡ ହୋଇ

ରୁଧିର ପାନ କରନ୍ତି ମନେ ଖୁସି ବହି ।

ଯେତେ ସୈନ୍ୟ ରଣକ୍ଷେତ୍ରେ ଥିଲେ ରୁଣ୍ଡହୋଇ

ଅର୍ଦ୍ଧକରୁ ବେଶି ସୈନ୍ୟ ଗଲେ ନଷ୍ଟ ହୋଇ ।

ଏହା ଦେଖି ଜରା ଗଦା ବୁଲାଇଣ ଟେକି

ମଲୁରେ ଗଉଡ଼ ବୋଲି ପିଟିଲା ନିରେଖି ।

ଦେହେ ନ ବାଜୁଣୁ ତାହା ଦେଖି କାମପାଳ

ବାମଭୁଜେ ପାତିଦେଇ ପକାଇଲେ ତଳ ।

ତିନିଥର ବ୍ୟର୍ଥ ଯହୁଁ ହେଲା ଗଦା ତାର

ରାମ ବିଚାରିଲେ ବଳ ସରିଲା ଏହାର ।

ତହୁଁ କତୁରୀ ବାଣକୁ ପେଶି ହଳଧର

ଦୁଇଖଣ୍ଡ କରି କାଟିଦେଲେ ଗଦାବର ।

ଦେଖି ଜରାସନ୍ଧ ବୀର ବାକ୍ୟ ନ ସ୍ଫୁରଇ

ଖଡ଼ଗ ଧରିଣ ରାଗେ ଗର୍ଜିଣ ଧାମଇଁ ।

ତୀକ୍ଷ୍‌ଣଧାର ଖଡ଼ଗ ଗୋଟି ଧରି ଧାତିକାର

ଗରଜନେ କମ୍ପାଇଲା ସେହି ତିନିପୁର ।

ଦେଖି ବଳରାମ ସ୍ୱାମୀ କ୍ରୋଧେ ପରଚଣ୍ଡ

ଶର ମାରି ଖଡ଼ଗ ତାର କଲେ ବେନିଖଣ୍ଡ ।

ତତକ୍ଷଣେ ରୁଦ୍ରତେଜ ଧରି ସଙ୍କର୍ଷଣ

ମନ୍ତ୍ରପଢ଼ି ବସାଇଲେ ପାଶୁପତ ବାଣ ।

ପ୍ରଳୟ ଅନଳ ସମ ଦିଶେ ବାଣ ଜ୍ୟୋତି

କାଳାନଳ ବାଣ ତେଜି ଭୟଙ୍କର ମୂର୍ତ୍ତି ।

କୋପଭରେ ରୁଦ୍ରମୂର୍ତ୍ତି ଧରିଛନ୍ତି ହଳୀ

ସ୍ୱର୍ଗ ମଣ୍ଡଳ ପର୍ଯ୍ୟନ୍ତ ଘୋଟିଛି ମଉଳି ।

ଶୁକ୍ଳାମ୍ବର ବିଷ୍ଣୁକୁଣ୍ଡ ଇନ୍ଦୁ ପ୍ରାୟ ମଣି

ଲହ ଲହ ଜିହ୍ୱା ଶିରେ ଶୋହେ ସପ୍ତଫେଣୀ ।

ଜରାକୁ ମାରିବା ପାଇଁ ହୋଇଲେ ତିଆର

ସ୍ବର୍ଗରେ ଦେବତାମାନେ ହେଲେ ଥରହର ।

ଭାବିଲେ ଜରାକୁ ଯେବେ ରାମ ମାରିଦେବେ

ଯୁଧିଷ୍ଠିର ଦେବ ଯଜ୍ଞ କିପରି କରିବେ ।

ତେଣୁ ସର୍ବ ଦେବତାଏ ଶୂନ୍ୟେ ହୋଇ ଠୁଳ

ଡାକିଲେ ଜରାସନ୍ଧକୁ ନ ମାର ଏ କାଳ ।

ଯଦି ବର୍ତ୍ତମାନ ପ୍ରଭୁ ତାହାକୁ ମାରିବେ

ଯୁଧିଷ୍ଠିର ରାଜସୁୟ କିପରି କରିବେ ।

ଅନ୍ତର୍ଯ୍ୟାମୀ ନାଥ ତୁମ୍ଭେ ଅଟ ନିରାକାର

ଆମ୍ଭ ବୋଲ ମାନି ଏହି ବାର କ୍ଷମାକର ।

ଦୈବବାଣୀ ଯହୁଁ ହେଲା କର୍ଣ୍ଣରେ ଶୁଣିଲେ

ପାଶୁପତ ବାଣ ଗୋଟି ତୂଣୀରେ ଭରିଲେ ।

ବୋଇଲେ ଯାଆରେ ଦୁଷ୍ଟ ତୋତେ କ୍ଷମା ଦେଲି

ଦେବତାଙ୍କ ବଚନରେ ତୋ ପ୍ରାଣ ରଖିଲି ।

ବଳରାମ ବିଶ୍ୱମୂର୍ତ୍ତି ଦେଖି ଜରା ବୀର

ଭୟରେ ସର୍ବାଙ୍ଗ ଥରି ହୋଇଲା କାତର ।

ଯା ଦେହରେ କୋଟି କୋଟି ସିଂହ ପରାକ୍ରମ

ଲକ୍ଷ ଜରାସନ୍ଧଙ୍କର ଅଟଇ ସେ ଯମ ।

ଦେଖି ସେହି ରୂପ ଜରା ହୋଇଲା କାତର

ବାତେ ରମ୍ଭାବନ ପ୍ରାୟ ହୁଏ ଥରହର ।

ରଥ ଗଜ ଆଦି ସର୍ବ ଯାନ କରି ତେଜ୍ୟା

ପଦଗାମୀ ହୋଇ ତହୁଁ ପଳାଇଲା ରାଜା ।

କୁଣ୍ଡୀ କଟକକୁ ନ ପଶିଲା ମାନ ଭଙ୍ଗେ

ବାହାରେ ପଳାଇ ଗଲା ନୃପ ଘେନି ସଙ୍ଗେ

ଏଣେ ରୁକ୍ମିଣୀକୁ ରଥେ ଘେନି ଚକ୍ରଧର

ଦ୍ୱାରକାଭିମୁଖେ ଯାତ୍ରା କରନ୍ତି ଠାକୁର ।

ରୁକ୍ମିଣୀଙ୍କ ଜ୍ୟେଷ୍ଠ ଭ୍ରାତ ରୁକ୍ମଣ ଶୁଣିଲା

ଭଉଣୀକୁ କୃଷ୍ଣଚନ୍ଦ୍ର ଘେନି ପଳାଇଲା ।

ଯେତେବେଳେ ହଳଧର ଜରାସନ୍ଧ ଦୁଇ

କରୁଥିଲେ ଘୋର ରଣ ଗଲା ସେହି ଧାଇଁ ।

ଯୁଦ୍ଧରେ ଯୋଗ ନ ଦେଇ ଭୀଷ୍ମକ କୁମର

ଦଉଡ଼ିଲା କରିବାକୁ ଭଗ୍ନିକୁ ଉଦ୍ଧାର ।

ଭାବିଲା ମୁଁ ରୁକ୍ମିଣୀକୁ ଆଣିଲେ ଛଡ଼ାଇ

ବେଦୀରେ ବର ବସିଛି ବିବାହ ଦେବଇଁ ।

ସେ ତ ଜାଣେ ନାହିଁ ମାତ୍ର ମହିମା ପ୍ରଭୁର

ପିଲା ଖେଳ ପରି ଭାବି ଦଉଡ଼ିଲା ବୀର ।

ମନେ ବିଚାରି ଦେଖିଲେ ମୋତେ ନାରାୟଣ

ଭଉଣୀକୁ ଛାଡ଼ିଦେଲେ ପଶିବ ଶରଣ ।

ଏତେ ପାଞ୍ଚି ଥୋକେ ସୈନ୍ୟ ସଙ୍ଗତରେ ନେଇ

ଚଳିଲା ଗଗନମାର୍ଗେ ବୀର ଯାନ ବାହି ।

ତେଣେ କୁଣ୍ଡି ନଗ୍ରସୀମା ପାର ହୋଇ ହରି

ଆସ୍ତେ ଆସ୍ତେ ନ୍ୟନ୍ତି ରଥ ଗପ ସପ କରି ।

ପଶ୍ଚାତ୍‌ରେ ରଥ ଗଜ ଶବଦ ଶୁଭିଲା

ଶୁଣିଣ ସୁମେଧା ସଖୀ ପ୍ରଭୁଙ୍କୁ ବୋଇଲା ।

ଆହେ ଦେବ ରହୁବର ଚଳାଅ ବହନ

ପଶ୍ଚାତେ ଧାଇଁଛି ରୁକ୍ମଣ ଘେନିଣ ସୈନ୍ୟ ।

ଜଣେ ମାତ୍ର ସୈନ୍ୟ ନାହିଁ ସଙ୍ଗରେ ତୁମ୍ଭରି

ସେ ଯେ ଧାଇଁଛି ଲକ୍ଷ ଲକ୍ଷ ସୈନ୍ୟ ଧରି ।

ଚୁଢଙ୍ଗ ଦେଶର ଧର୍ମଗିରି ନିକଟରେ

ମିଳିଲା ରୁକ୍ମଣ ରଥ ଘେନି ଅତି ଖରେ ।

ଭାଇକୁ ଦେଖି ରୁକ୍ମିଣୀ ହେଲେ ଥରହର

ପ୍ରଭୁଙ୍କ ବଦନ ଚାହିଁ ବୋଇଲେ ଯେ ଗୀର ।

ବିକଳେ ସତୀ କହନ୍ତି ଶୀଘ୍ର ବାହା ରଥ

ନୋହିଲେ ମୋତେ ଛଡ଼ାଇ ନେବ ଜ୍ୟେଷ୍ଠଭ୍ରାତ

ନେଇଗଲେ ଶିଶୁପାଳେ ମୋତେ ବିଭାହେବ

କିପରି ଏ ବିପଦରୁ ରଖ ପ୍ରାଣଧବ ।

ଦର ଦର ହସି ପ୍ରଭୁ କହନ୍ତି ବଚନ

ବାଳୁତ ପରାୟ ମୋତେ ଭାବୁଛି କି ମନ ।

ଏହା କହି ରହୁବର ରଖିଲେ ସେଠାର

ୟା ଦେଖି ବିକଳେ ପାଦେ ପଡ଼େ ନାରୀବର ।

ହେ ସ୍ୱାମୀ ଜାଣ ନା ସେ ଯେ ମହାବଳିୟାର

ଅସ୍ତ୍ର ହୁଳେ ନ ପାରିବେ ଜିଣି ତିନିପୁର ।

ପୁଣି ତୁମ୍ଭେ ଏକା ସୈନ୍ୟ ସଙ୍ଗରେ ନାହାନ୍ତି

ଅକଳନା ଥାଟ ଘେନି ସେ ଯେ ଧାଇଁଛନ୍ତି ।

ଧରୁଛି ଚରଣ ଶୀଘ୍ର ଚଳା ରହୁବର

ନ ପାରିବ କେଭେ ଜିଣି ଭାଇଙ୍କୁ ମୋହର ।

କିବା ପ୍ରଭୁ ଏ ଦାସୀକୁ ପସନ୍ଦ ନ କରି

ତେଜ୍ୟା କରିବାକୁ ମନ ହେଲାଣି ତୁମ୍ଭରି ।

ସୁମେଧା ରୁକ୍ମିଣୀ ଦୁହେଁ ଭୟ ଥରହର

ନୟନୁ ବହଇ ଯେହ୍ନେ ଆଷାଢର ନୀର ।

ଦେଖି ତାହାଙ୍କ ବଦନ ପ୍ରଭୁ ଆଦିମୂଳ

ବୋଲନ୍ତି କିମ୍ପାଇ ଧନୀ ହେଉଛି ବିକଳ ।

ଯେତେବେଳେ ଏତେ ରାଜା ସମ୍ମୁଖରୁ ମୁହିଁ

ବଳାତ୍କାରେ ତୁମ୍ଭଙ୍କୁ ଆଣିଛି ଚାନ୍ଦମୁହିଁ ।

ସେତିକି ସାହସ ମାତ୍ର ଅଛି ବୋଲି ମୋର

ତେଣୁ ତୁମ୍ଭଙ୍କୁ ଆଣିଛି ଆରେ ରାମାବର ।

ଲକ୍ଷେ ରୁକ୍ମଣ ହୋଇଲେ ଆରେ ଚାନ୍ଦମୁହିଁ

ମୋ ସମ୍ମୁଖେ ମୋ ପ୍ରିୟାକୁ ନ ପାରିବେ ନେଇ

କେହି ନ ଜାଣନ୍ତି ଚକ୍ରେ ଆଜ୍ଞାଦେଲେ ହରି

ରଥ ଆଗେ ରହି ଶତ୍ରୁ ବିନାଶ ସବୁରି ।

ଆଜ୍ଞା ପାଇ ସୁଦର୍ଶନ ଚକ୍ର ଧାତିକାରେ

ପ୍ରଳୟ ଅନଳ ସମରଥ ଆଗେ ଘୂରେ ।

ରୁକ୍ମିଣୀ ସୁମେଧାକୁ ଯେ ବୋଲନ୍ତି ଶ୍ରୀଧର

ନିର୍ଭୟରେ ମୋର ପଛେ ରୁହହୋଇ ସ୍ଥିର ।

ଶାରଙ୍ଗ ଧନୁ ଶ୍ରୀହରି ନିଜ କରେ ଧରି

ଘନ ଘନ ଟଙ୍କାରନ୍ତେ କମ୍ପେ ତିନିପୁରୀ ।

କେତେ ଖଣ୍ଡେଦୂରେ ଥାଇ ଭୀଷ୍ମକ କୁମର

ଗର୍ଜିଣ ବୋଲଇ ରହ ଆରେ ନାରୀଚୋର ।

ଗଉଡୁଣୀଙ୍କ ପରାୟେ ମନେ ଭାବି ତୁହି

ସିଂହର ଭଗ୍ନିକୁ ଦୁଷ୍ଟ ନେଉଛୁ ଛଡ଼ାଇ ।

ମାର୍ଜାର ସଙ୍ଗେ ମୂଷିକ ଲଗାଉଛୁ ଗୋଳ

ଜଣାଗଲାଣି ତୋହର ପୁରିଲାଣି କାଳ ।

କଂସ ପୁତ୍ର ପ୍ରାୟ ମୋତେ ମଣୁଛୁକି ତୁହି

ଛଦ୍ମରେ ବୁଡ଼ାଇ ଜଳେ ଦେଲୁରେ ମରାଇ

ଦେବୀ ମନ୍ଦିରୁ ମଙ୍ଗଳା ଭଗ୍ନିକୁ ମୋହର

ବଳାତ୍କାରେ ଚୋରି କରି ନେଉରେ ପାମର ।

ଆଜି ନିଶ୍ଚେ ତୋତେ ମୁହିଁ ପରାଣେ ମାରିବି

ଶ୍ୱାନ ଶୃଗାଳେ ତୋହର ମାଉଁସ ବାଣ୍ଟିବି ।

ଏତେ କହି ବୀର ରାଗେ ହୋଇ ଜର ଜର

ନନ୍ଦିଘୋଷ ରଥ ଆଗେ ହୋଇଲା ହାଜର ।

ଆଗେ ଓଗାଳିଣ ରୁକ୍ମିଣୀକୁ ବୋଲେ ଗୀର

ଆଲୋଲୋ ପାପିନୀ ଏଡ଼େ ସାହସ ତୋହର

କ୍ଷତ୍ରିୟ ନନ୍ଦିନୀ ହୋଇ ହୀନକର୍ମ କଲୁ

ଛାର ଗଉଡ଼ ଟୋକାଟା ସଙ୍ଗରେ ଆସିଲୁ ।

ଗୁପତରେ ପତ୍ର ଲେଖି ବ୍ରାହ୍ମଣ ପଠାଉ

ଦେବୀ ମନ୍ଦିରକୁ ତୁହି ଥିଲୁ ଠାବ ଦେଇ ।

ତୋତେ କି କହିବି ଏହା କରୁଛି ସୁମେଧା

ତେଣୁ ସଙ୍ଗତରେ ଯାଏ ମନେବହି ଶ୍ରଦ୍ଧା ।

ଏହିକ୍ଷଣି ଗଉଡ଼କୁ ବାଣେ ବିନାଶିବି

ଧରି ତୋତେ ଶିଶୁପାଳେ ନେଇ ବିଭାଦେବି ।

ଶୁଣି ଶ୍ରୀହରି ବୋଲନ୍ତି ବୁଝି କଥା କୁହ

ମୋ ସମ୍ମୁଖେ ମୋ ନାରୀକୁ ଅପମାନ ଦିଅ ।

ପୁରୁଷ ସଙ୍ଗେ ପୁରୁଷ କରଇ ବେଭାର

ଯୁବତୀ ସଙ୍ଗତେ କିବା ପ୍ରୟୋଜନ ତୋର ।

ଜାଣୁ ନାହିଁ କିରେ ସେହି ଅଟେ କାର ନାରୀ

କଥା କହୁଅଛୁ ଆଗ ପଛ ନ ବିଚାରି ।

ଶୁଣିଣ ରୁକ୍ମଣ ରାଗେ ହୋଇ ଥରହର

ବୋଇଲେ ମୋ ଭଉଣୀରେ କି ଦାବି ତୋହର

ରହ ରହ ଦେଉଅଛି ଫିସାଦ ଛଡ଼ାଇ

ଏତେ ବୋଲି କରେ ଧନୁ ଧରିଣ ଉଠଇ ।

କର୍ଣ୍ଣମୂଳ ପରିଯନ୍ତେ ଟାଣି ଧନୁ ପୁଣ

ମନ୍ତ୍ର ସୁମରି ନାରାଚ ପେଶିଲା ତକ୍ଷଣ ।

ଅର୍ଦ୍ଧ ନିମିଷକ ମଧ୍ୟେ ଶତ ଶତ ଶର

ବିନ୍ଧିଲା ତେଜେ ଆକାଶ ଦିଶିଲା ଅନ୍ଧାର ।

ଭୟେ ଥରହର ହେଲେ ଦଶଦିଗପାଳ

ରଥରେ ତାଇ ରୁକ୍ମିଣୀ ହୋଇଲା ବିକଳ ।

ଗର୍ଜନ କରିଣ ବାଣ ଆସେ ରଥପର

ଦେଖିଣ ମୂର୍ଚ୍ଛା ହୋଇଲେ ଦେବୀ ଯେ ରଥର

ନନ୍ଦିଘୋଷ ଆଗେ ସୁଦର୍ଶନ ବୁଲୁଥିଲା

ତା ମଧ୍ୟରେ ବାଜି ସର୍ବ ଶର ଯେ ପଡ଼ିଲା ।

ରୁକ୍ମଣର ପରାକ୍ରମ ଜାଣି ଚକ୍ରପାଣି

ସାରଙ୍ଗ ଧନୁରେ ଗୁଣ ଦେଲେ ତତକ୍ଷଣି ।

ମନଭେଦି ଶର ପୁଣି ଯେ କତୁରୀ ବାଣ

ରୁକ୍ମଣ ରଥକୁ ପ୍ରଭୁ ପେଶିଲେ ତକ୍ଷଣ ।

ଘୋର ଗରଜନ କରି ସେହି ଶର ଗଲା

ରଥ ଚକ ଅଶ୍ୱଖଣ୍ଡ କାଟି ପକାଇଲା ।

ରୁକ୍ମଣ ହସ୍ତରୁ ଧନୁ କାଟିଦେଲେ ହରି

ରଥୁ ଡେଇଁ ଧାଇଁ ବୀର ଖଡ଼ଗ ହସ୍ତେ ଧରି ।

ନନ୍ଦିଘୋଷ ରଥ ପରେ ମିଳିଲା ତୁରନ୍ତ

ତାହା ଦେଖିଣ ହସିଲେ ରୁକ୍ମିଣୀର କାନ୍ତ ।

ହାବୋଡ଼ା ଶର ମାରିଲେ ପ୍ରଭୁ ନାରାୟଣ

ବକ୍ଷେ ବାଜିବାରୁ ମୂର୍ଚ୍ଛା ହୋଇଲେ ରୁକ୍ମଣ

ପାଶୁପତ ଶରଗୋଟି ଯୋଚିଲେ ଧନୁର

ବୋଇଲେ ନିଶ୍ଚୟ କାଟିଦେବି ୟାର ଶିର ।

ମାରିବା ପାଇଁକି ଯହୁଁ ପ୍ରଭୁ ସଜ ହେଲେ

ପ୍ରଭୁଙ୍କର ପାଦତଳେ ରୁକ୍ମିଣୀ ପଡ଼ିଲେ ।

ବୋଇଲେ ହେ ସ୍ୱାମୀ ଦାସୀ ନିବେଦନ ଘେନ

ବାରେ ମାତ୍ର ସେବିକାର ଛୋଟ କଥା ମାନ ।

ସେ ସିନା ମୁରୁଖ ତାର ବୁଦ୍ଧି ବଳ ନାହିଁ

ତୁମ୍ଭେ ପରା ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡ ଗୋସାଇଁ ।

ଯଦି ବା ବିବେକ ହୃଦେ ଥାଆନ୍ତା ତାହାର

ଶିଶୁପାଳକୁ ବରିଣ ଆଣିଥାନ୍ତା ବର ।

ଦେଖିଛି ଭଉଣୀ ସ୍ୱଇଚ୍ଛାରେ ଅଛି ଯାଇ

ବିବେକ ଥିଲେ କି ପଛେ ଥାଆନ୍ତା ଗୋଡ଼ାଇ ।

ଯଦି ବାସୀଠାରେ ଦୟା ଅଛି ପ୍ରାଣଧନ

ମୋର ବୋଲ ମାନି ବାରେ ରଖ ତା ଜୀବନ

ଯଦି ତାହାକୁ ପରାଣେ କରିବ ସଂହାର

ଜଗତରେ ନିନ୍ଦା ପ୍ରଭୁ ହୋଇବ କାହାର ।

ସମସ୍ତେ ବୋଲିବେ ନିଜ ଭଉଣୀ ୟା କଲା

ସ୍ୱ ଇଚ୍ଛାରେ ବର ବରି ଭାଇକୁ ମାରିଲା ।

ଏକଥା ନିଶ୍ଚୟ ପ୍ରଭୁ ବୋଲିବେ ଜଗତ

ସ୍ତିରୀ ନିନ୍ଦା ଗୋଟି ଜାଣି ସ୍ୱାମୀକୁ ପ୍ରାପତ ।

ଆଗ ତବ ନାମ ପ୍ରଭୁ ପଛରେ ମୋହାର

ଅମୁକ ଗୃହିଣୀ ବୋଲି ବୋଲିବେ ସଂସାର ।

ରୁକ୍ମିଣୀ ବଦନ ଚାହିଁ ପ୍ରଭୁ ଦାମୋଦର

ବୋଇଲେ ଉଠ ନ ମାରି ତୁମ୍ଭରି କଥାର ।

କିନ୍ତୁ ଦେବୀ ଏ ଦୁଷ୍ଟକୁ ମୁହିଁ ଶିକ୍ଷା ଦେବି

କେଶ ମୁଚ୍ଛ କାଟି ସାତବେଣ୍ଟିଆ କରିବି ।

କତୁରୀ ବାଣ ଗୋଟିଏ ପେଶି ଚକ୍ରଧର

ସାତବେଣ୍ଟି କରି ଚୁଟି କାଟିଲେ ତାହାର ।

ରଥ ପରେ ଥାଇ ନାଗଫାଶ ପେଶି ହରି

ବାନ୍ଧି ରୁକ୍ମିଣୀକୁ ନେଲେ ସେ ଦ୍ୱାରକା ପୁରୀ ।

କୁଶସ୍ଥଳୀ ଦ୍ୱାରକାରେ ମିଳିଲେ ବହନ

ରୁକ୍ମିଣୀ ଦେବୀଙ୍କ କର ଧରି ଭଗବାନ ।

ଅନ୍ତଃପୁରେ ଯାଇ ମାତା ଚରଣେ ନମିଲେ

ପୁତ୍ରବଧୂ ଦେଖି ସର୍ବଜନ ଖୁସି ହେଲେ ।

ଇନ୍ଦୁମତୀ ଆଦି ସର୍ବପୁର ନାରୀଗଣ

ହୁଳହୁଳି ଦେଇ ନେଲେ କନ୍ୟା ବନ୍ଦାଇଣ ।

ସୁମେଧା ରୁକ୍ମିଣୀ ଦୁଇ ପୁରରେ ରହିଲେ

ଶୁଣ ହେ ବିବୁଧ ଜନେ ଆନ କଥା ଭଲେ ।

ଏଣେ କୁଣ୍ଡୀ ନଗ୍ରେ ଦୂତ ଯାଇଣ ମିଳିଲେ

ଗୋଟି ଗୋଟି କରି ସର୍ବ କଥା ବଖାଣିଲେ ।

ପୁର ନରନାରୀମାନେ ଚକିତ ହୋଇଲେ

ଏପରି ଯେ କେବେ ଶୁଣା ନ ଥିଲା ବୋଇଲେ ।

ଶିଶୁପାଳ ବସିଅଛି ବରବେଶ ହୋଇ

ଗୁପତେ କହିଲା ଦୂତ ସବୁକଥା ଯାଇ ।

ଚାର ମୁଖରୁ ଶୁଣିଣ ଶିଶୁପାଳ ବୀର

ଗରଳ ଭକ୍ଷିଲା ପରି ଭାବିଲା ଅନ୍ତର ।

ପୁଣି ଦୂତ ବୋଲେ ହରି ଜରାସନ୍ଧ ବୀର

ପାଦଗାମୀ ହୋଇ ପଳାଇଲା ସେ ରାଜ୍ୟର ।

ତାକୁ ମାରି ଦେଇଥାନ୍ତେ ନିଶ୍ଚେ ହଳଧର

ସ୍ୱର୍ଗ ଦେବତାଏ ମନା କଲେ ବାରମ୍ବାର ।

ତେଣୁ ନ ମାରି ତାହାକୁ ଦେଲେ ଘଉଡ଼ାଇ

ଭୟେ ସର୍ବ ନରପତି ଗଲେ ଯେ ପଳାଇ ।

ଆବର ରୁକ୍ମଣ କନ୍ୟା ଫେରାଇବା ପାଇଁ

ଯାଉଥିଲା ଅକଳନ ସୈନ୍ୟ ସଙ୍ଗେ ନେଇ ।

ଚୁଡ଼ଙ୍ଗ ଦେଶରେ ରହୁବର ଥିଲା ହୋଇ

ବିଦ୍ୟୁତ ବେଗେ ମିଳିଲେ ତହିଁ ବୀର ଯାଇ ।

କୃଷ୍ଣ ସଙ୍ଗରେ ସମର କରିଲା ପ୍ରଖର

ଶେଷେ ନାରାୟଣ ତାକୁ ବାନ୍ଧିଲେ ରଥର ।

ରଥ ଖମ୍ବ ପରେ ତାକୁ ବାନ୍ଧି ନରହରି

ଦ୍ଵାରକା ପୁରକୁ ନେଇଛନ୍ତି ଦଇତ୍ୟାରି ।

ଯହୁଁ ଏ ଖବର ଶିଶୁପାଳ ଯେ ଶୁଣିଲା

ଲଜ୍ଜିତ ହୋଇଣ ତଳେ ସେ ମଥା ପୋତିଲା ।

ବୋଲେ କିମ୍ପାଇ ନିର୍ଲ୍ଲଜ ପ୍ରାଣ ମୁଁ ଧରିବି

କିପରି ଦୁନିଆ ଦ୍ୱାରେ ମୁଖ ଦେଖାଇବି ।

ଏତେ ଭାବି ମୁକୁଟ ଯେ ଦେଲେ ଫୋପାଡ଼ଇ

ଚୋରଙ୍କ ପରାୟେ ତହୁଁ ଯାଏ ସେ ପଳାଇ ।

ଶିଶୁପାଳ ଯିବା ଦେଖି ନଗ୍ର ନାରୀନର

ମୁଖେ ବାସ ଦେଇ ଯେ ହସିଲେ କର କର ।

କେ ବୋଲଇ ରହ ରହ ଯାଉଛୁ କିମ୍ପାଇଁ

ବିଭାହୋଇ ପ୍ରାଣେଶ୍ୱରୀ ଯିବୁ ସଙ୍ଗେ ନେି ।

ନ ଶୁଣିବା କଥା ଶିଶୁପାଳ ଲାଜଭରେ

ଯାଆନ୍ତେ ଇଙ୍ଗିତ ଦାସୀ କରନ୍ତି ପଛରେ ।

ହଳଦୀରେ ଗରଗର ବସନ ସକଳ

ପାଦେ ଅଳତା ଚକ୍ଷୁରେ ଲାଗିଛି କଜ୍ଜଳ ।

ସିନ୍ଦୂର ଲିଭାଇ ହସ୍ତୁ ଫିଙ୍ଗିଦେଲେ ମୁଦି

ବିଭାଘର ପାଞ୍ଚି ଫିଙ୍ଗି ପାଲଟିଲା ଖଦି ।

ବେଦୀ ଉପରେ ଯେ ବିପ୍ରଗଣ ବସିଥିଲେ

ବର ପଳାଇବା ଦେଖି ଯେଝା ଘରେ ଗଲେ ।

ଲଜ୍ୟାଭରେ ଯେ ଯାହାର ବାଟେ ପଳାଇଲେ

ଲୋକେ ପଚାରିବାରୁ ସେ ଉତ୍ତର ନ ଦେଲେ ।

ଏଣେ ରଣ ଜୟକରି ପ୍ରଭୁ ହଳଧର

ଯାଦବଙ୍କୁ ସଙ୍ଗେ ଘେନି ଗଲେ ନିଜପୁର ।

ଦ୍ୱାରକା ନଗରେ ଯାଇ ପ୍ରବେଶ ହୋଇଲେ

ରଥେ ବନ୍ଧା ହୋଇଛନ୍ତି ରୁକ୍କଣ ଦେଖିଲେ ।

ରୁକ୍ମଣଙ୍କୁ ଦେଖି ରାମ ଡାକିଲେ ଶ୍ରୀହରି

ବୋଲନ୍ତି ଏହା କି କୃଷ୍ଣ ଚରିତ ତୋହରି ।

ଜ୍ୟେଷ୍ଠ ଶାଳକ ରୁକ୍ମଣ ଅଟଇ ହେ ତୋର

ଭିଣୋଇ ହେବାକୁ କିମ୍ବା କରୁ ଅବିଚାର ।

ବନ୍ଧୁ ନ ହେବା ଆଗରୁ ହୁଏ ଏହିପରି

ଏ ନିମନ୍ତେ କିମ୍ପା ତୁହି ଅଛୁ ଦୋଷ ଧରି ।

ଅନ୍ତପୁରରେ ରୁକ୍ମିଣୀ ଦେବୀ କି ଭାବିବେ

ଆମର ମହତ ନାହିଁ ବୋଲି ବିଚାରିବେ ।

ଜଗତ ଜନ ଶୁଣିଲେ ବୋଲିବେ ବା କିସ

କହିବେ ଶ୍ରୀକୃଷ୍ଣର ବୁଦ୍ଧି ନାହିଁ ଲେଶ ।

ଏହିପରି ଶ୍ରୀକୃଷ୍ଣଙ୍କୁ ରାମ ଆକଟିଲେ

ସ୍ୱୟଂ ରୁକ୍ମଣ ବନ୍ଧନ ସ୍ୱହସ୍ତେ ଖୋଲିଲେ ।

ବନ୍ଧନ ଖୋଲିଣ ରୁକ୍ମଣଙ୍କୁ ପବୋଧନ୍ତି

ବାଳୁତ ଭାଇର ଦୋଷ ନ ଧର ଏ ଘାନ୍ତି ।

ସହଜେତ ଜ୍ୟେଷ୍ଠ ଶଳା ଅଟୁ ଯେ ତାହାର

ସାନ ଭିଣୋଇର ଦୋଷ ତୁମ୍ଭେ ହେ ନ ଧର ।

ଯେତେବେଳେ ନିଜ ଭଉଣୀକୁ ତୁମ୍ଭେ ଦେଲ

କାଳ କାଳକୁ ଆମ୍ଭର ବାନ୍ଧବ ହୋଇଲ ।

ଚାଲ ଚାଲ ଅନ୍ତପୁରେ ବିଶ୍ରାମ କରିବ

ବିଭାଘର ଶେଷକରି ତୁମ ଘରେ ଯବ ।

ଶୁଣି ହଳଧର ବାଣୀ ଭୀଷ୍ମକ ନନ୍ଦନ

ମଣିଲା ଅନେକ ଦେଲା ପରି ଯେ ଇନ୍ଧନ ।

ତଳକୁ ମୁଖ ପୋତିଣ କଲା ନାହିଁ ନାହିଁ

ଯେତେ ମତେ ବୁଝାଇଲେ ନ ମାନିଲା ସେହି ।

ନ ଚାହିଁ କାହା ମୁଖକୁ ରୁକ୍କଣ ଲାଜରେ

ପଳାଇ ଯାଇ ପଶିଲା ଅରଣ୍ୟ ମଧ୍ୟରେ ।

ମନେ ମନେ ଭାବଇ ମୁଁ କିମ୍ପାଇଁ ନ ମଲି

ଛାର ଗଉଡ଼ ହାତରେ ମହତ ସାରିଲି ।

ପର୍ବତ ଡିଙ୍ଗର ମାଡ଼ି ବୁଲୁଥାଏ ବୀର

ନୟନରୁ ନୀର ବହୁଥାଏ ଧାର ଧାର ।

କେତେ କଥା ମନ ମଧ୍ୟେ ମୁହିଁ ପାଞ୍ଚିଥିଲି

ଶେଷେ ପୁଣି ସାତବେଣ୍ଟ ହୋଇ ବନ୍ଧାହେଲି ।

ଧିକ ଧିକ ବଳ କାର୍ଯ୍ୟ ଅଟଇ ମୋହର

ମୋ ବୀରପଣ କରିବେ ସର୍ବେ ଅଖାତର ।

ଆଉ କୁଣ୍ଡୀ ନବରକୁ ମୁହିଁ ନ ଫେରିବି

କୈଳାଶପତି ଶିବଙ୍କୁ ତପସ୍ୟା କରିବି ।

ବର ପାଇଲେ ମାରିବି ନିଶ୍ଚେ କୃଷ୍ଣ ମୁହିଁ

ନୋହିଲେ ପରାଣ ମୋର ଶାନ୍ତି ହେବ ନାହିଁ ।

ନିଶ୍ଚୟ ସେ ଭଉଣୀର ପ୍ରତିଶୋଧ ନେବି

ସର୍ବ ଯାଦବମାନଙ୍କୁ ନିର୍ମୂଳ କରିବି ।

ଏତେ ଭାଳି ବୀରବର ତପ ଆଚରିଲା

ପବନ ନିରୋଧି ଯୋଗ ଆସନେ ବସିଲା ।

ଚିତ୍ତବୋଧ ଗ୍ରଛ ଏ ଯେ ଅପୂର୍ବ ଚରିତ

ଶୁଣି ସର୍ବ ନର ହୁଅ ଏ ସଂସାରୁ ମୁକ୍ତ ।

ମହାପୁରୁଷ ଅଚ୍ୟୁତ ଭାବ ଅନୁଯାୟୀ

ଶ୍ରୀଦୁର୍ଗା ସୁମରି କ୍ଷେତ୍ରମୋହନ ଲେଖଇ ।

 

Unknown

ଦ୍ୱାରକାରେ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କର ବିବାହ

ଶୁଣ ହେ ବିବୁଧ ଜନେ ଦେଇ ମନକର୍ଣ୍ଣ

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନ ।

ଏଥୁଅନ୍ତେ ରାମକୃଷ୍ଣ ଦ୍ୱାରକା ଭୁବନେ

ଯାଦବଙ୍କୁ ସଙ୍ଗେ ଘେନି ବସିଲେ ଯତନେ ।

ଯେତେ ନାରୀ କରିଥିଲେ ଦ୍ଵାରକାରେ ବାସ

ରୁକ୍ମିଣୀର ରୂପ ଦେଖି ସର୍ବେ ହେଲେ ତୋଷ ।

ଏହାପରେ ଯାହା ହେଲା ଶୁଣ ସାଧୁଜନ

ଭୀଷ୍ମକ ଜେମାକୁ ହରିନେଲେ ଭଗବାନ

କୁଣ୍ଡୀନଗ୍ର ରାଜ୍ୟେ ହେଲା ଅତ୍ୟନ୍ତ ଚହଳ

ଭୀଷ୍ମକ ନୃପତି ଶୁଣି ଏକଥା ସକଳ ।

ଚାରି କୁମାରକୁ ପାଶେ ରାଇ ନୃପବର

ପାତ୍ର ମନ୍ତ୍ରୀମାନଙ୍କୁ ଯେ ହକାରି ପାଶର ।

ସଭା କରିଣ ସଭିଙ୍କୁ ବୋଲନ୍ତି ରାଜନ

ପଣ୍ଡ ହୋଇଗଲା ଏତେ ବଡ଼ ଆୟୋଜନ ।

ଭାବିଥିଲି ବୁଦ୍ଧିମତୀ ଅଟେ କନ୍ୟା ମୋର

ଗଳେ ଛୁରୀ ଦେଇଗଲା ସବଂଶେ ମୋହର ।

ପୁଣି ଶୁଣିଲି ବିଶ୍ବାସୀ ଦୂତ ଯେ ପଠାଇ

କଲା ଏଡ଼େ ବଡ଼ କାର୍ଯ୍ୟ ଆମ୍ଭଙ୍କୁ ନ କହି ।

ପିତାମାତା ସବୁବେଳେ ଚିନ୍ତନ୍ତି ମଙ୍ଗଳ

ଆଗହୁଁ କହିଲେ କରିଥାଆନ୍ତୁ ସକଳ ।

ଦେବୀ ମନ୍ଦିରୁ ତାହାଙ୍କୁ କିଏ ହରିନେଲା

କୃଷ୍ଣ ନେଇଛି ବୋଲି କେ ଦେଖି ନ କହିଲା ।

ଶୁଣା ଶୁଣିରେ କହନ୍ତି କୃଷ୍ଣ ଛନ୍ତି ନେଇ

ଯାହାକୁ ପୁଚ୍ଛିଲେ ସେ କହୁଛି ଦେଖି ନାହିଁ ।

ତେଣୁ ଛଟପଟ ମୋର ହେଉଅଛି ମନ

ଅବା କନ୍ୟାକୁ ମୋ ନେଲା କେଉଁ ଦୁଷ୍ଟଜନ ।

ମନରେ ବିଳାପ କରି ରାଜା ରାଣୀ ଦୁଇ

କନ୍ୟା ଗୁଣ ସ୍ମରି ନେତ୍ରୁ ନୀର ଯାଏ ବହି ।

ଅନ୍ତଃପୁରେ କାନ୍ଦେ ରାଣୀ ମୁଣ୍ଡକୋଡ଼ି ହୋଇ

ଏ ସମୟେ ଏକ ଦୂତ ପ୍ରବେଶିଲା ଯାଇ ।

ରାଜସଭା ମଧ୍ୟେ ଦୂତ ମିଳିଲା ବହନ

ସିଂହାସନେ ନୃପତିଙ୍କୁ କଲା ଯଥାମାନ୍ୟ ।

ପତ୍ର ଖଣ୍ଡିଏ ନୃପତି ହସ୍ତରେ ସେ ଦେଲା

ପୁଚ୍ଛିବାରୁ ସଭାଜନେ ସମସ୍ତ କହିଲା ।

ଦ୍ୱାରକା ପୁରରୁ ମୋତେ ପ୍ରଭୁ ହଳଧର

ପେଶିଛନ୍ତି ମହାରାଜ ପାଶେ ଧାତିକାର ।

ଦେବୀ ମନ୍ଦିରରେ ମାତା ପୂଜା କରୁଥିଲେ

ସେହିଠାରୁ ପ୍ରଭୁ ତାଙ୍କୁ ସତେ ଘେନିଗଲେ

ପଥେ ନ୍ୟନ୍ତେ ରୁକ୍ମଣ ଯେ ପଥ ଓଗାଳିଲା ।

ଶଳା ଭିଣୋଇ ଦୁହିଁଙ୍କ ବହୁ ଯୁଦ୍ଧ ହେଲା

ଶେଷେ ସାତବେଣ୍ଟି କାଟି ପ୍ରଭୁ ନରହରି

ମାରିଦେବା ପାଇଁ ତାଙ୍କୁ ଥିଲେ ଯେ ବାହାରି ।

କିନ୍ତୁ ଆମ୍ଭ ଠାକୁରାଣୀ ପାଦତଳେ ପଡ଼ି

ମନା କରିବାରୁ ପ୍ରଭୁ ଦେଲେ ତାଙ୍କୁ ଛାଡ଼ି ।

ରଥ ଖମ୍ବରେ ବାନ୍ଧିଣ ଦ୍ୱାରକାକୁ ନେଲେ

ବଡ଼ ଠାକୁର ଯେ ଦୟାକରି ଫିଟାଇଲେ ।

ଲଜ୍ୟା ପାଇ ରାଜ୍ୟକୁ ସେ ନ ଆସିଲେ ଫେରି

ତପସ୍ୟା କରିବା ପାଇଁ ଗଲେ ଯେ ବାହାରି ।

ସୁମେଧା ଠାକୁରାଣୀ ଯେ ସଙ୍ଗତେ ଅଛନ୍ତି

ତୁମ୍ଭ ନିକଟକୁ ବଳଦେବ ପେଶିଛନ୍ତି ।

ବୋଇଲେ କହିବୁ ଆମ୍ଭ ଶ୍ଵଶୁରଙ୍କୁ ଏକା

ବିଭା ସାମଗ୍ରୀ ଘେନିଣ ଆସିବେ ଦ୍ୱାରକା ।

ଯହୁଁ ଶୁଣିଲେ ଶ୍ରୀକୃଷ୍ଣ କନ୍ୟା ନେଇଛନ୍ତି

ପିତା ସହ ସଭାଜନ ମନହେଲା ଶାନ୍ତି ।

ରାଜନ ବୋଇଲେ ବଡ଼ ସୌଭାଗ୍ୟ ମୋହର

ଜାମାତା ପଣେ ପାଇଲି ପ୍ରଭୁ ଚକ୍ରଧର ।

ସଭାକୁ ଅନାଇ ରାଜା ବୋଇଲେ ବଚନ

କିସ ଯୋଗାଉଛି ମନେ କୁହ ସଭାଜନ ।

ସର୍ବେ ବୋଲନ୍ତି ଉଚିତ କଲେ ଜେମାମଣି

ଶିଶୁପାଳ ନୁହିଁ କୃଷ୍ଣ ସଙ୍ଗତରେ ଗଣି ।

ସେ ତ ଲକ୍ଷ୍ମୀ ଅବତାର ନାରାୟଣ ପାଇଁ

ବଡ଼ ସୌଭାଗ୍ୟ ତୁମ୍ଭର ଆହେ ନରସାଇଁ ।

ଅନ୍ତଃପୁରେ ରାଣୀ ଯହୁଁ ବାରତା ପାଇଲେ

ସଙ୍ଗେ ସଙ୍ଗେ ଆସି ରାଜସଭାରେ ମିଳିଲେ ।

ଡଗର ମୁଖୁଁ ଶୁଣିଲେ ସକଳ ଖବର

ବୋଇଲେ ଭଲ କରିଛି ରୁକ୍ମିଣୀ ମୋହର ।

ରାଜା ବୋଇଲେ ରୁକ୍ମଣ କୃଷ୍ଣେ କଲା ବାଦ

ତେଣୁ ଉପଯୁକ୍ତ ଶିକ୍ଷା ଦେଇଛି ଗୋବିନ୍ଦ ।

ପୁଣ ଦେଖ କେତେ ସ୍ନେହ କନ୍ୟାର ମୋହର

ଭାଇ ବୋଲି ରକ୍ଷାକଲା ପରାଣ ତାହାର ।

ନୋହିଲେ ନିଶ୍ଚୟ ମାରିଥାନ୍ତା ଚକ୍ରଧର

ରୁକ୍ମିଣୀ ଯୋଗୁ ରୁକ୍ମଣ ବଞ୍ଚିଗଲା ମୋର ।

ସେ କନ୍ୟାକୁ ବହୁ ସ୍ନେହ କରିନ୍ତି ଗୋବିନ୍ଦ

ଯେଣୁ ଶୁଣିଲେ ରୁକ୍ମିଣୀ ବାଣୀ ଆଦିକନ୍ଦ ।

ରାଜା ରାଣୀଙ୍କ ଆନନ୍ଦ କେ ପାରିକ କହି

ସ୍ୱୟଂ ବୈକୁଣ୍ଠନାଥଙ୍କୁ କରୁଛନ୍ତି ଜ୍ବାଇଁ ।

ବହୁ ଧନ ରତ୍ନ ସଙ୍ଗେ ଘେନି ନୃପବର

ସଜହେଲେ ଯିବେ ବୋଲି ସେ ଦ୍ୱାରକାପୁର ।

ହୀରା ନୀଳା ମଣି ମାଣିକ୍ୟ ଯେ ସଙ୍ଗେ ଧରି

ଶୁଭ ଅନୁକୂଳେ ରାଜା ଯାନ୍ତି ବିଭାକରି ।

ମତ୍ତହସ୍ତୀ ଚଢି ରାଜା ହୋଇଲେ ବାହାର

ବିବିଧ ବାଦ୍ୟ ନାଦରେ କମ୍ପେ ତିନିପୁର ।

ହଜାର ହଜାର ବାଦ୍ୟକାର ଲକ୍ଷ ଜନ

ନରପତିଙ୍କ ସଙ୍ଗରେ କରନ୍ତି ଗମନ ।

ନଟ ଭାଟ ଜଉତିଷ ଜ୍ଞାତି ବନ୍ଧୁ ଦ୍ବିଜ

ଗଣିକା ଗୁଣିକା ଆଦି ସର୍ବେ ହେଲେ ସଜ ।

ଦ୍ୱାରକାପୁରେ ଯାଇଣ ହୋଇଲେ ପ୍ରବେଶ

ଦେଖିଣ ଆନନ୍ଦ ହେଲେ ପ୍ରଭୁ ପୀତବାସ ।

ଯଥାବିଧିରେ ଶ୍ବଶୁରେ ମାନ୍ୟ କଲେ ହରି

ଜ୍ୱାଇଁ ଦେଖିଣ ଭୀଷ୍ମକ ମନ ଗଲା ପୁରି ।

ଭାବିଲେ କନ୍ୟା ସୌଭାଗ୍ୟବତୀ ଅଟେ ମୋର

ନିଜ ଇଚ୍ଛାରେ ବରିଛି ଜଗତ ଠାକୁର ।

କନ୍ୟା ଯୋଗେ ମୋର ସପ୍ତପୁରୁଷ ଉଦ୍ଧାର

ହୋଇବ ନିଶ୍ଚୟ ବଡ଼ ସୌଭାଗ୍ୟ ମୋହର ।

ଭୀଷ୍ମକ ରାଜନେ ହଳଧରେ ମାନ୍ୟ କଲେ

ରାଜପୁର ମଧ୍ୟେ ଯଥା ସ୍ଥାନରେ ରଖିଲେ ।

ଯେତେ ଅନୁଚର ରାଜାଙ୍କର ସଙ୍ଗେ ଥିଲେ

ସମସ୍ତଙ୍କୁ ବିଧିମତ ସନମାନ କଲେ ।

ବିଭାଘର ଆୟୋଜନ ନିମନ୍ତେ ଶ୍ରୀହରି

ବିଶ୍ୱକର୍ମାକୁ ଆଦେଶ ଦେଲେ ନରହରି ।

ବୋଇଲେ ହେ ବିଶ୍ୱକର୍ମା ଆମ୍ଭ ବୋଲ କର

ଆଜ ରାତ୍ର ମଧ୍ୟେ ତୁମ୍ଭେ ନଅର ତିଆର ।

ସମସ୍ତ ଭାର ରହିଲା ତୁମ୍ଭ ପରେ ନ୍ୟସ୍ତ

ଆମ୍ଭେମାନେ ଅନ୍ୟାନ୍ୟ କାର୍ଯ୍ୟରେ ହେଲୁ ବ୍ୟସ୍ତ ।

କାମଧେନୁକୁ ରାଇଲେ ପ୍ରଭୁ ଚକ୍ରଧର

ଆଦେଶିଲେ ଖାଦ୍ୟ ଭାର ଦେଲି ତୁମ୍ଭ ପର ।

ଯାହାର ଯେପରି ଖାଦମାନ ଲୋଡ଼ା ହେବ

ରୀତିମତ ସମସ୍ତଙ୍କୁ ତୁମ୍ଭେ ଯୋଗାଇବ ।

ଆଦେଶ ମାତ୍ରକେ ଯେଝା କାର୍ଯ୍ୟରେ ଲାଗିଲେ

ବିଶ୍ୱକର୍ମା ହାରା ନୀଳା ପୁର ନିର୍ମାଣଲେ ।

ବିଭାମଣ୍ଡପ ଶୋଭା ଯେ କଳନା ନ ଯାଏ

ହୀରା ନୀଳା ମଣି ମାଣିକ୍ୟରେ ଶୋଭା ପାଏ

ସ୍ୱରଗରୁ ପାରିଜାତ ମାଳ ସୁନସୀର

ବରଗିଲେ ଶ୍ରୀକୃଷ୍ଣଙ୍କ ପାଶକୁ ସତ୍ୱର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ନରପତି

ସମସ୍ତଙ୍କୁ ନିମନ୍ତ୍ରଣ କଲେ ଯଦୁପତି ।

ଦେବତା ବ୍ରାହ୍ମଣ ଋଷି ମୁନି ଆଦିକରି

ସମସ୍ତଙ୍କୁ ନିମନ୍ତ୍ରଣ କଲେ ନରହରି ।

ଯଥା ସମୟରେ ସର୍ବେ ପ୍ରବେଶ ହୋଇଲେ

ଶ୍ରୀକୃଷ୍ଣଙ୍କ ପୁର ଶୋଭା ଦେଖି ଖୁସି ହେଲେ

ବୈକୁଣ୍ଠ ପୁର ପରାୟ ହୋଇଛି ତିଆର

ପ୍ରତ୍ୟେକ ରାଜାଙ୍କ ଲାଗି ଅପୂର୍ବ ନଅର ।

ରାଜାଗଣ ସଙ୍ଗତରେ ଥିଲେ ଯେତେ ଚାର

ତାଙ୍କ ଲାଗି ମଧ୍ୟ ଘର ହୋଇଛି ତିଆର ।

ହାତୀ ଘୋଡ଼ା ଆଦି ଯାନ ରହିବାର ପାଇଁ

ଆଗରୁ ନଅରମାନ ଅଛି ତୋଳାହୋଇ ।

ଖାଦ୍ୟଭଣ୍ଡାର ଅଜସ୍ର ହୋଇଛି ତିଆର

କାମଧେନୁ ପ୍ରସାଦରେ ସବୁ ଭରପୁର ।

ଯେଉଁ ଅପୂର୍ବ ପଦାର୍ଥ ନ ଦେଖିଛି କେହି

ସ୍ୱାଦୁ ଦ୍ରବ୍ୟ କାମଧେନୁ ଦେଇଛି ଯୋଗାଇ ।

ଲକ୍ଷ୍ମୀ ନାରାୟଣ ବିଭା ଦେଖିବାର ପାଇଁ

ସର୍ବ ଋଷିଗଣମାନେ ଛନ୍ତି ଉଭା ହୋଇ ।

ଦ୍ୱାରକା ପୁରେ ତୋରଣ ସଜା ହୋଇଅଛି

ପ୍ରତ୍ୟେକ ଦ୍ୱାରେ ସୁବର୍ଣ୍ଣ କଳସ ବସିଛି ।

ସେ ପୁରର ଶୋଭାଗୋଟି ବଢାଇ ସୁନ୍ଦର

ଉପମା ଦେବାକୁ କେହି ନାହିଁ ତିନିପୁର ।

ସ୍ବୟଂ ବେଦବର ଅଛନ୍ତି ପୁରୋଧା ହୋଇ

ଯେତେ ଜଳ ଲୋଡ଼ା ଇନ୍ଦ୍ର ଦିଅଇ ଯୋଗାଇ ।

ସୂପକାର ହୋଇ ଦିଗପାଳ ପରଷନ୍ତି

ଅଇଁଠା ପତ୍ର ସକଳ ପବନ ଉଡ଼ାନ୍ତି ।

ଯେଉଁଠି ପବନ ନେଇ ପତ୍ର କରେ ଗଦା

ଅଗ୍ନି ଦେବ ଜାଳି ସବୁ କରିଦ୍ୟନ୍ତି ପଦା ।

ସ୍ୱର୍ଗ ଅପ୍‌ସରା ସକଳ ନୃତ୍ୟ ଯେ କରନ୍ତି

ତିନିପୁର ଅତିଥିଙ୍କ ମନ ସେ ମୋହନ୍ତି ।

ତାଳ ଧରନ୍ତି ହରଷେ ସେ ଗନ୍ଧର୍ବଗଣ

ତାଣ୍ଡବ ନୃତ୍ୟ କରନ୍ତି ଶିବ ଆନନ୍ଦେଣ ।

ଘୃତ ସମୁଦ୍ରରୁ ଐରାବତ ଆଣି ଘୃତ

ଯଜ୍ଞ କୁଣ୍ଡରେ ଢାଳନ୍ତି ସେ ଯେ ଅନୁବ୍ରତ ।

ମଙ୍ଗଳାଷ୍ଟକ ପଢନ୍ତି ବିପ୍ର ଜଉତିଷ

ଗହ ଗହ ଶବଦରେ କମ୍ପଇ ତ୍ରିଦଶ ।

ସ୍ୱୟଂ ବେଦବର ମୁଖେ ବେଦ ପାଠ କରି

ଅଗ୍ନିରେ ଆହୁତି ଦ୍ୟନ୍ତି ତମ୍ବା ପାତ୍ରଭରି ।

ଦେବନାରୀ ମର୍ତ୍ତ୍ୟନାରୀ ପାତାଳର ନାରୀ

ମିଳିଣ ଯେ ହୁଳହୁଳି ଦିଅନ୍ତି ସବୁରି ।

ସ୍ବୟଂ ନାରାୟଣ ବାମେ ରୁକ୍ମିଣୀଙ୍କୁ ଧରି

ମୁକୁଟ ବାନ୍ଧିଣ ବସିଅଛନ୍ତି ମୁରାରୀ ।

ଶଙ୍ଖେ ଜଳ ଟେକିଦେବ ଭୀଷ୍ମକ ରାଜନ

କନ୍ୟା ସହ ବହୁଦ୍ରବ୍ୟ ଦେଲେ ରାଜା ଦାନ ।

ହସ୍ତଗଣ୍ଠି ପକାଇଣ ବରକନ୍ୟା ଦୁଇ

ଜୁଆ ଖୋଳାଇଲେ ସର୍ବନାରୀ ମେଳ ହୋଇ ।

ଦେବଲୋକ ନରଲୋକ ନାଗଲୋକଗଣ

ବିଷ୍ଣୁ ଲକ୍ଷ୍ମୀ ବିଭା ଦେଖୁଥାଆନ୍ତି ହର୍ଷେଣ ।

ଋଷିପତ୍ନୀ ଦେବପତ୍ନୀ ଇନ୍ଦ୍ରାଣୀ ସର୍ବାଣୀ

ସାବିତ୍ରୀ ସହିତେ ଅର୍ଘ୍ୟ ବନ୍ଦାଇଲେ ଆଣି ।

ସାତବଂଶ ଯାଦବଙ୍କ କୁଳ ନାରୀ ଯେତେ

ରାଣୀ ଇନ୍ଦୁମତୀ ମାଳାଦେବୀଙ୍କ ସହିତେ ।

ଅର୍ଘ୍ୟ ବନ୍ଦାଇଲେ ସର୍ବେ ବେଦୀ ପରେ ମିଳି

ସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହୁଳି ।

ଧନ୍ୟ ଧନ୍ୟ ଯେତେ ପ୍ରାଣୀ ଦେଖିଲେ ସେ ବିଭା

ପୂର୍ବଜନ୍ମେ କେତେ ତପ କରିଥିଲେ ଅବା ।

ଭୀଷ୍ମକ ରାଜା ଆନନ୍ଦ କେ ପାରିବ କହି

ସ୍ୱୟଂ ବିଷ୍ଣୁଙ୍କ ଶ୍ୱଶୁର ଆଜି ସେ ଅଟଇ ।

ବେଦ ବିଧାନରେ ଶେଷ ହେଲା ବିଭାଘର

ଗୁରୁଜନଙ୍କ ପାଦରେ କଲେ ନମସ୍କାର ।

ବ୍ରହ୍ମା ଆଦି ଉଗ୍ରସେନ ପାଦରେ ନମିଲେ

ଶେଷେ ବରକନ୍ୟା ଭୀଷ୍ମ ପାଦେ ପ୍ରଣମିଲେ ।

ଯେତେବେଳେ ଝିଅ ଜ୍ୱାଇଁ କଲେ ନମସ୍କାର

ଆନନ୍ଦେ ବିଭୋର ହେଲେ କୁଣ୍ଡୀ ନରେଶ୍ଵର ।

ମନେକଲେ ଅଟଇ ମୁଁ ମହାଭାଗ୍ୟବାନ

କନ୍ୟା ଲାଗି ବୈକୁଣ୍ଠରେ ପାଇବି ମୁଁ ସ୍ଥାନ ।

ଶ୍ରୀକୃଷ୍ଣ କହନ୍ତି ମୁହିଁ ଅଟଇ ଗଉଡ଼

ଶିଶୁପାଳ ଅଟେ ସିନା କ୍ଷତ୍ରିୟ ମଉଡ଼ ।

କ୍ଷତ୍ରିୟ ସଙ୍ଗେ ବସିଲେ ଜାତି ଯିବ ବୋଲି

ପୁରକୁ ଡାକିଲେ ନାହିଁ ତୋଟାରେ ପଡ଼ିଲି

ପୁଣି ଭୀଷ୍ମ ରାଜନ ଧରି ପଦ୍ମକର

ବୋଇଲେ ସେ କଥା ସବୁ ମନରୁ ପାଶୋର

ସ୍ୱୟଂ ଲକ୍ଷ୍ମୀ ମୋ ଗୃହରେ ଥିଲେ ଅବତରି

କାହୁଁ ବା ଚିହ୍ନିଥାନ୍ତି ମୁଁ ନରଦେହ ଧରି ।

ତୁମ୍ଭର ମହିଁମା ଅଟେ ଦେବ ଅଗୋଚର

କିପରି ଜାଣିବି ମୁହିଁ ଅଟେ ଛାର ନର ।

କେବଳ ଏତିକି ବର ମାଗୁଅଛି ମୁହିଁ

ସୁଦୟା ବହିଣ ମୋତେ ଦେବ ଭାବଗ୍ରାହୀ ।

ମୋର ଅଲିଅଳ କନ୍ୟା କିଛି ଜାଣେ ନାହିଁ

ପାଦେ ଦୋଷ କଲେ କ୍ଷମା ଦେବ ଦୟାବହି ।

ବାଲ୍ୟ କାଳରୁ ତୁମ୍ଭଙ୍କୁ ଆଶ୍ରା କରିଅଛି

ଜୀବନରେ ତବ ବିନୁ ନ ଜାଣଇ କିଛି ।

ବଡ଼ ଲାଜକୁଳି କନ୍ୟା ଅଟଇ ମୋହର

ନ ମାଗିଲେ ଯାଚି ଦ୍ରବ୍ୟ ଦେବ ଚକ୍ରଧର ।

ଅନ୍ତଃପୁରରେ ରୁକ୍ମିଣୀ ସବୁ ଶୁଣୁଥାନ୍ତ

ମୁଖପୋତି ତଳେ କର କର ହସୁଥାନ୍ତି ।

ପ୍ରଭୁ ବୋଲିଣ ଆପଣ ନ ଭାବିବେ କିଛି

ଯାହା ତାଙ୍କ ଲୋଡ଼ା ଆମ୍ଭ ରାଜପୁରେ ଅଛି ।

ଯେତେବେଳେ ଯେଉଁ ଦ୍ରବ୍ୟ ହେବ ଦରକାର

ସୁମେଧା ଅଛି ଯୋଗାଇ ଦେବ ଯେ ପାଶର ।

ଆବର ବୋଲନ୍ତି ନୃପ ଏତିକି ମାଗୁଣି

ନିତାନ୍ତ ନିର୍ବୋଧ ଅଟେ ମୋର ପୁତ୍ରମଣି ।

ଯାହା ଦୋଷ କରିଅଛି ପୟରେ ତୁମ୍ଭର

ଶଳା ବୋଲି ଭାବି କ୍ଷମା ଦେବ ହେ ଠାକୁର ।

ଶ୍ୱଶୁର ବଚନ ଶୁଣି ବୋଲନ୍ତି ଶ୍ରୀଧର

ମୋର ତିଳେ ରାଗ ନାହିଁ ତାହାଙ୍କ ଉପର ।

ସେ ତ ତପ କରୁଛନ୍ତି ମୋତେ ମାରିବାକୁ

ବିଧବା କରିବା ପାଇଁ ନିଜର ଭଗ୍ନିକୁ ।

ଶୁଣିଣ ରାଜା ବୋଲନ୍ତି ଥାଉ ଥାଉ ତପ

ଅମଙ୍ଗଳ କଥା କିଆଁ ଧରୁଅଛ ମୁଖ ।

କଲ୍ୟାଣ କରୁଛି ତୁମ୍ଭ ଦାମ୍ପତ୍ୟ ଜୀବନ

ସୁଖରେ ଅତିବାହିତ ହେଉ ଚିରଦିନ ।

ଝିଅ ଜ୍ୱାଇଁଙ୍କୁ ପ୍ରବୋଧ ଦେଇ ନରେଶ୍ୱର

କୁଣ୍ଡୀ ନଗ୍ରେ ଯିବା ପାଇଁ ହୋଇଲେ ବାହାର ।

ଅପୂର୍ବ ଚରିତ ଏ ଯେ ଚିତ୍ତବୋଧ ଗ୍ରନ୍ଥ

ଦ୍ଵାରକାପୁରେ ଶ୍ରୀକୃଷ୍ଣ ବିବାହ ଚରିତ ।

ଏହାପରେ ଯାହା ହେଲା ଶୁଣ ନାରୀବର

ରଜସ୍ୱଳା ହେଲେ ରୁକ୍ମିଣୀ ଯେ ଗୁରୁବାର ।

ପୁଣି ଦ୍ୱାରକାରେ ଜନେ ହରଷ ହୋଇଲେ

କୁଳବଧୂମାନେ ଆସି ପୁରିରେ ମିଳିଲେ ।

ନୃତ୍ୟଗୀତରେ ମାତିଲେ ସର୍ବେ ମେଳହୋଇ

ହଳଦୀ ପାଣି ଗୋଳିଲେ ନାରୀଗଣ ତହିଁ ।

ସଭା ମଧ୍ୟେ ରାମକୃଷ୍ଣ ଉଗ୍ରସେନ ଥିଲେ

ହଳଦୀ ପାଣିରେ ତାଙ୍କୁ ଜୁଡୁବୁଡୁ କଲେ ।

ଯେପରି ଫଗୁ ଖେଳନ୍ତି ବୃନ୍ଦାବନେ ହରି

ଗୋପୀ ଗୋପାଳମାଙ୍କୁ ସଙ୍ଗତରେ ଧରି

ସେହିପରି ସର୍ବନାରୀ ଦ୍ୱାରକା ନଗର

ହଳଦୀ ପାଣିରେ କରିଦେଲେ ଗର ଗର ।

ଶୁଣି ଉଗ୍ରସେନ ରାଜା ମନେ ଖୁସିହୋଇ

ଦୁର୍ବାସା ଋଷିଙ୍କୁ ପୁରେ ଆଣିଲେ ଡକାଇ ।

ରୁକ୍ମିଣୀଙ୍କ ରଜସ୍ବଳା କଥା ପଚାରିଲେ

ବୋଇଲେ ବିଧିବିଧାନ ବତାଅ ହେ ଭଲେ ।

ନାତୁଣୀ ବଧୂର ରଜ ଚକ୍ର କହ ଫେଡ଼ି

ଏହା ଶୁଣି ଋଷିବର ଧଇଲେକ ଖଡ଼ି ।

ବୋଇଲେ ଗୁରୁବାରେ ଯେ ହୁଏ ରଜବତୀ

ଗୋଟିଏ ପୁତ୍ର ତାହାର ହୁଅଇ ଉତ୍ପତ୍ତି ।

ନଣନ୍ଦ ସୌତୁଣୀ ପଦ ତଳରେ ଖଟନ୍ତି

ସ୍ୱାମୀ ସହଗାମିନୀ ସେ ନାରୀମାନେ ହ୍ବନ୍ତି ।

ରଜ ଚକ୍ର ତତ୍ତ୍ୱ ଋଷି ବହୁ ବୁଝାଇଲେ

ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିବ ବୋଇଲେ ।

ଶୁକ୍ରବାରେ ରଜସ୍ବଳା ଯେବେ ହୁଏ ନାରୀ

ପତି ସୋହାଗିନୀ ଧନଜନ ବହୁ ତାରି ।

ଶନିବାରେ ରଜୋବତୀ ହେଲେ ମରେ ପତି

ରବିବାରେ ହେଲେ ବନ୍ଧ୍ୟା ଅପୁତ୍ରିକ ହୋନ୍ତି ।

ସୋମବାରେ ରଜସ୍ୱଳା ନାରୀ ପତିବ୍ରତା

ମଙ୍ଗଳେ ଷୋଳ ବରଷେ ମରେ ତାର ଭର୍ତ୍ତା ।

ବୁଧବାରେ ଯଦି ନାରୀ ହୁଏ ରଜୋବତୀ

ଧନଜନ ସହିତରେ ଲଭେ ବହୁ କୀର୍ତ୍ତି ।

ଏହିପରି ସବୁକଥା ମୁନି ବୁଝାଇଲେ

ଠିକେ ଠିକେ ଏହାକୁ ଯେ କହିଲି ମୁଁ ଭଲେ ।

ଆବର କହନ୍ତି ଋଷି ଶୁଣନ୍ତି କେଶବ

କହିଲେ ଏକଇ ପୁତ୍ର ଦେବୀଙ୍କର ହେବ ।

ସେହି ପୁତ୍ର ଯଦୁବଂଶ ପବିତ୍ର କରିବ

ସମରେ ଅସୁର ନାଶି ଭାରା ଉଶ୍ଵାସିବ ।

ଶ୍ରୀକୃଷ୍ଣ ବୋଲନ୍ତି ମୁନି ପ୍ରଘଟ ନକର

ଯେହ୍ନେ ଅନ୍ୟମାନେ ନ ଶୁଣନ୍ତି ଏ ଖବର ।

ସବୁ କଥା ଶୁଣି ପ୍ରଭୁ ଆନନ୍ଦ ହୋଇଲେ

ଶ୍ବଶୁର ଆଳୟେ ଦୂତ ତକ୍ଷଣେ ପେଶିଲେ ।

ଆସ୍ଥାନରେ ବସିଥିଲେ କୁଣ୍ଡୀ ନରବର

ଏକମାତ୍ର ରାଣୀ ଥିଲେ ରାଜାଙ୍କ ପାଶର ।

ଯହୁଁ ଶୁଣିଲେ ଆସିଛି ଦ୍ୱାରକାର ଚାର

ପାଶେ ଡାକିଆଣି ଦୂତେ ବୋଲେ ନୃପବର ।

ପ୍ରବେଶିଣ ଚାର ପଦେ ପ୍ରଣାମ ହୋଇଲା

ପତ୍ର ଖଣ୍ଡି ନୃପତିଙ୍କ ହସ୍ତରେ ସେ ଦେଲା ।

ପତ୍ର ଖୋଲିଣ ଆନନ୍ଦେ ପଢିଲେ ନୃପତି

ପାଶେ ରାଣୀ ବସି ଆଗ୍ରହରେ ଶୁଣୁଥାନ୍ତି ।

ଶୁଭ ସମ୍ବାଦ ପାଇଣ ରାଜା ରାଣୀ ଦୁଇ

ମନ ଆନନ୍ଦ ତାହାଙ୍କ କେ ପାରିବ କହି ।

ବନ୍ଦାପନା ସାମଗ୍ରୀ ଯେ ଭିଆଇବା ପାଇଁ

ଲୋକଙ୍କୁ ପଠାଇ ରାଜା ଠୁଳ ଯେ କରଇ ।

ବିଧିମତେ ଯାହା ଲୋଡ଼ା ହୋଇବ ସେ ଦିନ

ତାଠାରୁ ଅଧିକ ଦ୍ରବ୍ୟ କଲେ ଆୟୋଜନ ।

ଶବ ଶତ ଶକଟରେ ଭରି ମହାରାଜା

ମିଳନ୍ତି ଦ୍ୱାରକା ପୁରେ ବଜାଇଣ ବାଜା ।

ଦେଖିଣ ଶ୍ରୀହରି ମନେ ଆନନ୍ଦ ହୋଇଲେ

ଶ୍ୱଶୁରଙ୍କୁ ଯଥାବିଧି ମାନ୍ୟ ପ୍ରଭୁ କଲେ ।

ଗୁରୁବାରେ ରଜୋବତୀ ହେଲେ କୃଷ୍ଣନାରୀ

ସେ ଦିନ ଯେ ଉପବାସ କରିବା ସୁନ୍ଦରୀ ।

ରାତ୍ରେ ଉଜାଗର ହେଲେ ଜାଳି ଦୀପାବଳି

ବେଶ ଭୂଷଣ ତେଜିଲେ ଭୀଷ୍ମକ ଦୁଲାଳୀ ।

ରଙ୍ଗ ପାଟ ତେଜି ଶୁକ୍ଳ ବସ୍ତ୍ର ଯେ ପିନ୍ଧିଲେ

କୌଶେୟ ବସନ ପିନ୍ଧି ଭୂମିରେ ଶୋଇଲେ ।

କର୍ପୂର କସ୍ତୁରୀ ଗନ୍ଧ ପୁଷ୍ପ କଲେ ଦୂର

ତେଲ ଅଙ୍ଗେ ନ ଲେପିଲେ ନ ଖାଇ ମଧୁର ।

ଏହିପରି ସପ୍ତଦିନ ଗଲା ଭୋଗ ହୋଇ

ରାତ୍ର ବେନି ଘଡ଼ି ଥାଇ ଗଲେ ଯେ ଗାଧୋଇ

ବେଦ ଶାସ୍ତ୍ର ପ୍ରମାଣରେ ନିତ୍ୟକର୍ମ ସାରି

କୂଳେ ଦର୍ଶନ କରିଲେ ସ୍ୱାମୀଙ୍କୁ ସୁନ୍ଦରୀ ।

ଗନ୍ଧ ଚନ୍ଦନ ଅତର କର୍ପୂର ଯେ ବୋଳି

ତନୁକୁ ସୁବେଶ କରି ସଜାନ୍ତି ଯେ ଆଳି ।

ଦେବାଙ୍ଗ ବସନେ ଦେବୀ ପୋଛିଲେ ଶରୀର

ଯତନେ ବେଶ ବାନ୍ଧନ୍ତି ଦାସୀଏ ସତ୍ୱର ।

କୁଞ୍ଚିତ ସୁଦୀର୍ଘ କେଶ ଗଭା ଯେ ମଣ୍ଡିଲେ

ମଥାରେ ମୁକୁତା ଚନ୍ଦ୍ର ନୀଳମଣି ଦେଲେ ।

ତିଳପୁଷ୍ପ ନାସାରେ ଯେ ଚିଡ଼ିଆ ଖଞ୍ଜିଲେ

କର୍ଣ୍ଣେ ହୀରାବସା ପେଣ୍ଡୀ ଯତ୍ନେ ପିନ୍ଧାଇଲେ ।

କପୋଳେ ସିନ୍ଦୂର ବିନ୍ଦୁ ଚଉପାଶେ ତାର

ଟୋପି ଟୋପି କରି ଚିତା ଚନ୍ଦନ ରୁଚିର ।

ଚକ୍ଷୁରେ ସଖୀଏ ଲଗାଇଲେ ଯେ କଜ୍ଜଳ

ଚାହିଁଦ୍ୟନ୍ତେ ସବୁ ଆଡ଼ ଦିଶେ ଢଳଢଳ ।

ଭ୍ରୂଲତା କି କାମଧେନୁ ଡୋଳା ଅଟେ ତାର

ଯେହ୍ନେ ପୁଂସ ଉପରକୁ କରୁଛି ପ୍ରହାର ।

ଗଳେ ଶୋଭେ ରତ୍ନହାର ହୀରାର ପଦକ

ପିନ୍ଧାଇ ଦିଅନ୍ତେ ଗୋରୀ ଦିଶେ ଜକ ଜକ ।

ହସ୍ତରେ ସୁବର୍ଣ୍ଣ ଚୂଡ଼ି ବାଜେ ବାଜୁବନ୍ଧ

ପାଦେ ସୁବର୍ଣ୍ଣ ଝୁଣ୍ଟିଆ କିଙ୍କିଣୀର ନାଦ ।

ଡମ୍ବରୁ କଟିରେ ସ୍ୱର୍ଣ୍ଣ ଚାପସରି ଭିଡ଼ି

ନୀଳ କାଞ୍ଚଲା ଯତନେ ଅଙ୍ଗେ ଯାଏ ଜଡ଼ି ।

ଏହିପରି ସଖିଗଣ ବେଣୀ ବନାଅନ୍ତି

କି କଳନା ଦେବି ମୋର ଅଛି କିବା ଶକ୍ତି ।

ବ୍ରହ୍ମାଣ୍ଡ କର୍ତ୍ତା ଘରଣୀ ବେଶ କି ରୁଚିର

ହୋଇଥିବ ସାଧୁଜନେ ମନେ ଚିନ୍ତାକର ।

ଅନ୍ତଃପୁରେ ଥିଲେ ଯେତେ ବଛା ବଛା ନାରୀ

ବନ୍ଦାପନା କରିବାକୁ ଆସିଲେ ବାହାରି ।

ସାତବଂଶ ଯାଦବ ଯେ ପ୍ରବେଶ ହୋଇଲେ

ଭୀଷ୍ମକ ରାଜନ ଦ୍ରବ୍ୟ ଦେଖି ଖୁସି ହେଲେ ।

କିନ୍ନରୀ ଅପ୍‌ସରା ଆଦି ଦେବକନ୍ୟାଗଣ

ତିନିପୁର ସୁଲକ୍ଷଣୀ ମିଳିଲେ ତକ୍ଷଣ ।

ସର୍ବେ ସୁବର୍ଣ୍ଣ ଥାଳିରେ ରତନ ପୁରାଇ

ଶ୍ରୀକୃଷ୍ଣ ପୁରେ ମିଳିଲେ ବିମାନ ଆରୋହୀ ।

ଜଉତିଷ ସହ ମିଳି ବହୁ ବ୍ରହ୍ମଚାରୀ

ମଙ୍ଗଳାଷ୍ଟକ ପଢନ୍ତି କମ୍ପେ ତିନିପୁରୀ ।

ଯଦୁବଂଶ ପୁରୋହିତ ଗାର୍ଗ ମୁନିବର

ବେଦ ବିଧାନ କରିଲେ ହୋମର ବେଭାର ।

ତା ପରେ ସର୍ବ ନାରୀଏ ଏକ ମେଳ ହୋଇ

ଆଗ ନାରାୟଣ ଅର୍ଘ୍ୟ ବନ୍ଦାଇଲେ ନେଇ ।

ପଛେ ରୁକ୍ମିଣୀ ଦେବୀଙ୍କୁ ଅର୍ଘ୍ୟ ବନ୍ଦାଇଲେ

ହୁଳହୁଳି ନାଦେ ତିନିପୁର କମ୍ପାଇଲେ ।

ଶ୍ରୀଗୋବିନ୍ଦ କୋଳେ ଦେବୀହେଲେ ବନ୍ଦାପନା

ଅଶେଷ ବ୍ରହ୍ମାଣ୍ଡ ପିତା ମାତା ଦୁଇ କିନା ।

ପ୍ରଭୁଙ୍କୁ ବନ୍ଦାଉଥିଲେ ଯେତେ ଯୁବାନାରୀ

ଶ୍ରୀବିଷ୍ଣୁ ମୋହନ ରୂପ ଦେଖି ହେଲେ ଘାରି ।

ମନେ ଚିନ୍ତାକଲେ ସର୍ବେ ସ୍ୱଗୃହେ ନ ଯାଇ

ଏହିଠାରେ ପ୍ରଭୁପାଦ ସେବନ୍ତୁ କି ରହି ।

ଶୁଣ ନରେ ରଜ ବନ୍ଦାପନା କରି ଶେଷ

ଅପୂର୍ବ ମିଷ୍ଟାନ୍ନ ଭୂଞ୍ଜି ସର୍ବେ ହେଲେ ତୋଷ ।

କେଳିପୁରେ ରୁକ୍ମିଣୀଙ୍କୁ ନାରୀମାନେ ନେଇ

ପ୍ରଭୁଙ୍କ ନିକଟେ ସର୍ବେ ଦେଲେ ପହଞ୍ଚାଇ ।

ନିଅ ଅବକାଶେ ରହିଲେ ବିଷ୍ଣୁ ଲକ୍ଷ୍ମୀ ଦୁଇ

ରାତ୍ରେ ଯେ ଯାହାରପୁରେ ସୁଖେଗଲେ ଶୋଇ

ରତ୍ନ ପଲଙ୍କ ଉପରେ ରୁକ୍ମିଣୀ ନ ଯାଇ

ତଳେ ମୁଖ ପୋତିଣ ଯେ ଥାନ୍ତି ଉଭାହୋଇ

ତେଣେ ମୃଦୁ ମୃଦୁ ହସି କହନ୍ତି ଶ୍ରୀଧର

ଆମ୍ଭଙ୍କୁ ଛୁଇଁଲେ ପାପ ହୋଇବ ତୁମ୍ଭର ।

ସେଇଥି ନେଇ ମୋ ପାଶେ ନ ଆସ ସୁନ୍ଦରୀ

ଜାତିରେ ଗଉଡ଼ ଦେଖି ଘୃଣା ଅଛ କରି ।

ଯହୁଁ କିଛି ଉତ୍ତର ନ ଦେଲେ ନାରୀବର

ନୀରବ ହୋଇ ରହିଲେ କ୍ଷଣେ ଚକ୍ରଧର ।

ସେହି କେଳିପୁର ଶୋଭା କହିଲେ ନ ସରେ

ଅଦିନେ ମୃଦୁ ସମୀର ମନ୍ଦେ ବହେ ଧୀରେ ।

ସୁବାସ ଅତର ଗନ୍ଧେ ପୁର ଚହଟଇ

ନାନା କୁସୁମରେ ଖଟ ଅଛି ସଜହୋଇ ।

ତାହାର ମହକେ ମନ ହେଉଅଛି ମୋହି

ଫୁଲର ବିଛଣା ଫୁଲ ତକିଆ ଶୋଭଇ ।

ଚନ୍ଦ୍ରାତପ ଚାନ୍ଦୁଆ ଯେ ସୁନ୍ଦର ଦିଶଇ

ତା’ମଧ୍ୟେ ମାଣିକ୍ୟ ଝରେ କେରିକେରି ହୋଇ

ନାନା ଯତ୍ନେ ସଖୀ ମଣ୍ଡିଛନ୍ତି କେଳିପୁର

ଦେଖିଲେ ଯେହ୍ନେ ସନ୍ତୁଷ୍ଟ ହେବେ ଲକ୍ଷ୍ମୀବର ।

ନିଜେ ବିଶ୍ଵକର୍ମା ପୁର କରିଛି ତିଆର

ମୋ ପୁରର ସମକକ୍ଷ ନାହିଁ ତିନିପୁର ।

ସ୍ୱୟଂ ଲକ୍ଷ୍ମୀ ନାରାୟଣ କେଳିପୁର ସେହି

ପୁର ଶୋଭା ଦେଖି ଦେବୀ ମନେ ଖୁସି ହୋଇ

ଲୋକାଚାର ମତେ ସେହି ଥାନ୍ତି ଉଭାହୋଇ

ପ୍ରଭୁଙ୍କର ଶ୍ରୀଚରଣ ଚିତ୍ତେ ମାତ ଧ୍ୟାୟି ।

ରୁକ୍ମିଣୀ ମନ ବିଡ଼ିବା ପାଇଁ ଚକ୍ରଧର

ଅନେକ ପ୍ରକାରେ କହୁଥାନ୍ତି ଚାଟୁଗୀର ।

ଏଣେ ମନେ ଭାବୁଥାନ୍ତି ରୁକ୍ମିଣୀ ସୁନ୍ଦରୀ

ହାତଧରି ନ ନେଲେ ବା ଯିବି କେଉଁ ପରି ।

ଯଦି ଛାଏ ଯିବି ପାଶେ କିସ ବା ବୋଲିବେ

ଭାବିବେ ୟା ମୁଖେ ମାତ୍ର ଲାଜ ନାହିଁ ଲବେ ।

ମନେ ଆଣ୍ଟ ବାନ୍ଧି ଦେବୀ ନ ଶୁଣିଲା ପରି

ଭୂମିରେ କରରେ ଗାର କାଟନ୍ତି ସୁନ୍ଦରୀ ।

ତେଣୁ ପ୍ରଭୁ ବସି କହୁଥାନ୍ତି ଚାଟୁଗୀର

ଯେଉଁଥିରେ ହୃଦୟ ଯେ ଦହିବ ଦେବୀର ।

ପ୍ରଭୁ କହନ୍ତି ଆଗରୁ ଜାଣିଥିଲେ ମୁହିଁ

ବ୍ରାହ୍ମଣ କଥାରେ ପଡ଼ି ନଥାନ୍ତି ଯେ ଯାଇ ।

ରାଜକନ୍ୟା ଆସି ମୁହିଁ ବଡ଼ ଭୁଲ କଲି

ନ ଜାଣି ଦେବୀ ମନ୍ଦିରୁ ଚୋରେଇ ଆଣିଲି ।

ଜାଣୁ ଜାଣୁ ଅକାରଣେ ମନ୍ଦକୃତ୍ୟ କଲି

ବନ୍ଧୁ ବାନ୍ଧବ ସଙ୍ଗରେ ଅପ୍ରୀତି ହୋଇଲି ।

ଯେଉଁ ଜରାସନ୍ଧ ଭୟେ ମଥୁରାରେ ଆସି

ସମୁଦ୍ର ମଝିରେ ଚୋର ପରି ଅଛି ପଶି ।

ତାହା ସଙ୍ଗେ ମନ୍ଦପଣ ମୁହିଁ ଆଚରିଲି

ଜଣକୁ ଆଣିବା ଲାଗି ଦୁନିଆରୁ ଗଲି ।

ଆମ୍ଭେ ତ ଗଉଡ଼ ଜାତି କିଛି ଜାଣୁ ନାହୁଁ

ଗାଈ ଚରା ବେଉସା ଯେ ଆମ୍ଭର ଅଟଇ ।

ବାଳୁତ କାଳରୁ ଗୋରୁ ଜଗୁ ଦୁଇଭାଇ

ଦିନେମାତ୍ର ଚାଟଶାଳୀ ଘର ଦେଖି ନାହିଁ ।

ପ୍ରତାପୀ ଭୀଷ୍ମକ ରାଜା ପୁଣି ସେ ବ୍ରାହ୍ମଣ

ତାହାଙ୍କ କନ୍ୟା ପଣ୍ଡିତା ପଣରେ ନିପୁଣ ।

ତାଙ୍କ ସମକକ୍ଷ ଆମ୍ଭେ ହେବୁ ଅବା କାହିଁ

ଜାଣୁ ଜାଣୁ ମନ୍ଦକର୍ମ ଅରଜିଲି ମୁହିଁ ।

ବଳାତ୍କାରେ ଆଣିବାଟା ଦୋଷ ହେଲା ମୋର

ତୁମ୍ଭ ସମ ନୁହେଁ ମୁହିଁ ଆରେ ନାରୀବର ।

ବର୍ତ୍ତମାନ ଆଗୋ ସଖି କହୁଅଛି ମୁହିଁ

ଯଦି ଶିଶୁପାଳ ଚାହିଁଦେବି ପହଞ୍ଚାଇ ।

ନୋହିଲେ ଗୋଟିଏ ରାଜପୁତ୍ରକୁ ଅଣାଇ

ତାର କରେ ସମର୍ପିବ ଆରେ ପ୍ରିୟସହୀ ।

ଜାଣୁଛି ମୁଁ ତୁମ ପରି ଯତି ନ ମିଳିବ

ପଣ୍ଡିତା ସଙ୍ଗେ ମୂରୁଖ ସମାନ କି ହେବ ।

ପ୍ରଭୁଙ୍କ ବଚନେ ଦେବୀ ହୋଇଲେ ଅଧୀର

ନୟନରୁ ବହିଯାଏ ନୀର ଧାର ଧାର

କ୍ରୋଧ ଅଭିମାନେ ଫୁଲି ଉଠିଲେ ସୁନ୍ଦରୀ

ସତେ କି ପିଣ୍ଡ ପରାଣ ଯାଉଛି ବାହାରି ।

ବାଳୁତ ପିଲାଙ୍କ ପରି କାନ୍ଦି କଇଁ କଇଁ

ଭୂମି ପରେ ଚେତା ହରି ପଡ଼ିଲେ ସୁମୁହିଁ ।

ଏହା ଦେଖିଣ ଶ୍ରୀହରି ଆଶ୍ଚର୍ଯ୍ୟ ହୋଇଲେ

ପଲଙ୍କୁ ଡେଇଁପଡ଼ିଣ ସାଉଁଟି ଧରିଲେ ।

ଆହା ମୋର ପ୍ରାଣେଶ୍ୱରୀ କି ହେଲା ତୁମ୍ଭର

ଏହା କହି ମୁଖେ ଜଳ ସିଞ୍ଚିଲେ ଠାକୁର ।

ପଦ୍ମକରେ କେଶ ସାଉଁଳିଲେ ଜନାର୍ଦ୍ଦନ

ସେ କର ସ୍ପରଶେ ଦେବୀ ପାଇଲେ ଚେତନ ।

ଚକ୍ଷୁ ଖୋଲି ପ୍ରଭୁଙ୍କର ମୁଖେ ଅନାଇଲେ

ନୟନରୁ ଢଳ ଢଳ ନୀର ଯେ ଢାଳିଲେ ।

ଆଉଁସିଲେ ଦେହ କୋଳେ ବସାଇ ମୁରାରୀ

ବୋଇଲେ ନ କାନ୍ଦ ଆଉ ମୋ ପ୍ରାଣଈଶ୍ଵରୀ ।

ଦେଖିଲା ମାତ୍ରକେ ସଖି ତୋ ନୟନୁ ନୀର

ପିଣ୍ଡରୁ ପରାଣ ଛାଡ଼ି ଯାଉଛି ମୋହର ।

କିମ୍ପା ସୁନ୍ଦରୀ ଭୂମିରେ ପଡ଼ିଲ ଗୋ ଢଳି

ତବ ଚନ୍ଦ୍ରମା ବଦନ ପଡ଼ିଛି ମଉଳି ।

ମୋ ଅନ୍ତର କଥା ନାହିଁ ତୁମ୍ଭଙ୍କୁ ଅଜଣା

ବିଡ଼ୁଥିଲି ମନ ଏଣୁ ତେଣୁ କହି ସିନା ।

ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର କାରେଣି

ଯୁଗେ ଯୁଗେ ପ୍ରିୟସହି ତୁମ୍ଭେ ମୋର ରାଣୀ ।

ପିଣ୍ଡକୁ ଛାଡ଼ି ପରାଣ ରହି କି ପାରଇ

ଏହା କହି ଗଣ୍ଡେ ଚୁମ୍ବ ଦେଲେ ଭାବଗ୍ରାହୀ ।

ତୁମ୍ଭ ବିହୁନେ ଗୋ ଆଜଯାଏ ଚାନ୍ଦମୁହୀଁ

ଶୟନ ସ୍ୱପନ ମୋତେ ବିଷ ଯେ ଲାଗଇ ।

କ୍ଷୁଧିତ ଶାର୍ଦ୍ଦଳ ଯେହ୍ନେ ପାଇଲେ ଆହାର

ହୁଅଇ ତେସନ ସଖୀ ଅବସ୍ଥା ମୋହର ।

ଏତେ କହି କୋଳେ ଧରି ପ୍ରଭୁ ଭାବଗ୍ରାହୀ

ରତ୍ନ ଖଟ ଉପରରେ ବସାଇଲେ ନେଇ ।

ପ୍ରଭୁଙ୍କ ଅଙ୍ଗ ସ୍ପରଶ ପାଇ ଠାକୁରାଣୀ

ଶିହରୀ ଉଠିଲା ଅଙ୍ଗ ମର୍ମ ହୁଏ ହାଣି ।

ଶ୍ରୀକୃଷ୍ଣଙ୍କ ବକ୍ଷ ମଧ୍ୟେ ଢଳିଲେ ରୁକ୍ମିଣୀ

ଲାଜେ ଚକ୍ଷୁ ମୁଦି ଥାନ୍ତି ନ କହନ୍ତି ବାଣୀ ।

ସେଥିପାଇଁ ବ୍ରତ ଗୋରୀ କରିଥିଲେ ମନ

ଓଲଟା ପ୍ରଭୁଙ୍କ ପରେ କଲେ ଅଭିମାନ ।

ଦର ଦର ହସି ଦେବୀ ଠାକୁରଙ୍କୁ ଚାହିଁ

ସୁବାସ ତାମ୍ବୁଳ ମୁଖେ ଦେଲେ ଯେ ଭୁଞ୍ଜାଇ ।

ବୋଇଲେ ମୁଁ ପରା ରାଜା ବ୍ରାହ୍ମଣର ଝିଅ

କିମ୍ପା ଜାତି ନେଇ ପ୍ରଭୁ ଛୁଇଁ ମୋର ଦେହ ।

କ୍ଷତ୍ରିୟ ନନ୍ଦନ ପରା କରିଦେବ ସ୍ଥିର

ନ ଛୁଇଁ ମୋ ଅଙ୍ଗ ତୁମ୍ଭେ ଆହେ ନାରୀ ଚୋର ।

ପ୍ରେମଭରେ ବସି ପ୍ରଭୁ ବୋଲନ୍ତି ବଚନ

କିଏ ଚୋରଣୀ ଅଟଇ ମନେ ମନେ ଘେନ ।

ଚୋର ପାଶେ ଦୂତ କେଉଁ ଚୋରଣୀ ପେଶିଲା

ଏତେ ଚଞ୍ଚଳ ସେ କଥା ମନୁ ଭୁଲିଗଲା ।

ଠାକୁରାଣୀ ବୋଲନ୍ତି ସେ ଚୋରଣୀକୁ ଚାହିଁ

ବିପ୍ର ହସ୍ତେ ପତ୍ର ଦେଇ ନ ଥିଲି ଡକାଇ ।

ଉଗ୍ରସେନ ରାଜା ନାତି ବସୁଦେବ ସୁତ

କ୍ଷତ୍ରୀୟ ମଉଡ଼ମଣି ଅଟନ୍ତି ମୋ କାନ୍ତ ।

ସେ ଚୋରଙ୍କୁ ମୁଁ ଚୋରଣୀ ଥିଲି ଯେ ଡକାଇ

ତୁମ୍ଭେ କିମ୍ପା ଜାତି ନିଅ ମୋର ଅଙ୍ଗଛୁଇଁ ।

ଏତେ ବୋଲି ଦେବୀ କଣ୍ଠୁ କାଢି ରତ୍ନହାର

ପ୍ରଭୁଙ୍କ ଗଳେ ଲମ୍ବାଇ ପଡ଼ିଲେ ପୟର ।

ଯୁଗେ ଯୁଗେ ଏହି ପାଦ ଭରସ ମୋହର

ମାଗେ ବର ତିଳେ ଦାସୀ ନ ହେବ ଅନ୍ତର ।

ଉଠି ମାତ ପରଦରଜ ଗର୍ଭକୁ କ୍ଷେପିଲେ

ଚାହିଁ ଦ୍ୟନ୍ତେ ଦିବ୍ୟ ରୂପ ନୟନେ ଦେଖିଲେ ।

ଶଙ୍ଖ ଚକ୍ର ଗଦା ପଦ୍ମ ଦିଶେ ପ୍ରଭୁଙ୍କର

କଣ୍ଠ କଉସ୍ତୁଭ ମଣି ପୁଣି ରତ୍ନହାର ।

ସୁନ୍ଦର ନୀଳ ଜୀମୁତ କର୍ଣ୍ଣରେ କୁଣ୍ଡଳ

ହୀରାର କିରୀଟି ଶିରେ ଦିଶେ ଢଳ ଢଳ ।

ପ୍ରଭୁଙ୍କ ସ୍ୱରୂପ ଦେଖି ଦେବୀ ହେଲେ ଭୋଳ

ଅପଲକ ନେତ୍ରେ ଚାହିଁ ହୁଅନ୍ତି ବିହ୍ୱଳ ।

ଆସରେ ପ୍ରିୟା ବୋଲିଣ କୋଳେନେଲେ ହରି

ବୋଇଲେ ସଦା ଏ ବକ୍ଷେ ଆସ୍ଥାନ ତୁମ୍ଭରି

ଯହୁଁ ରୁକ୍ମିଣୀକୁ କୋଳେ ଧରିଲେ ଶ୍ରୀଧର

ପ୍ରେମ ଭୋଳେ ଗୋରୀ ମନ ହୋଇଲା ଆତୁର

ବିମ୍ବୋଷ୍ଠୀର ମୁଖ ପଦ୍ମଟେକି ଆଡ଼େ ଚାହିଁ

ଦରହସି ଗଣ୍ଡେ ଚୁମ୍ବ ଦେଲେ ଭାବଗ୍ରାହୀ ।

ବାଳ ବେଳ ଉଣ୍ଡିଣ ଯେ ପ୍ରଭୁ ଦାମୋଦର

ଦେବୀଙ୍କ ଅଙ୍ଗରେ କରି ଚାଲିଲେ ସତ୍ଵର ।

ପୁରୁଷ ପ୍ରବର ସେ ତ ସ୍ୱୟଂ କାମେଶ୍ୱର

କେଉଁ କଥା ତାଙ୍କୁ ଅବା ଅଛି ଅଗୋଚର ।

ଷଡ଼ରସେ ପ୍ରଭୁ ଗୋରୀ ମନକୁ ମୋହିଲେ

ଚୌଷଠି ବନ୍ଧରେ କାମେ ସହୀକି ତୋଷିଲେ

ରୁକ୍ମିଣୀ ଦେବୀଙ୍କୁ ପ୍ରଭୁ କାମେ ତୋଷକରି

ପଲଙ୍କପରେ ଶୟନ କଲେ କୋଳେ ଧରି ।

ନିଦ୍ରାରେ ଦେବୀ ପଲଙ୍କେ ଅଛନ୍ତି ଯେ ଶୋଇ

କାମଦେବ ସ୍ୱପ୍ନେ ପାଦତଳେ ବସେ ଯାଇ ।

କରେ ଫୁଲ ଗୋଟି ତାଙ୍କୁ ଉଜ୍ଜ୍ୱଳ ଦିଶଇ

ବୋଲନ୍ତି ଗୋ ମାତ ଗର୍ଭେ ସ୍ଥାନ ଦିଅ ତୁହି

ମୁହିଁ ତୋର ପୁ୍ତ୍ର ମାଗୋ ହୋଇବି ଯୁକତେ

ତେଣୁ ତୋଗର୍ଭରେ ମାତାସ୍ଥାନ ଦେବୁ ମୋତେ

ଈଶ୍ଵରଙ୍କ କୋପାନଳେ ହୋଇଥିଲି ଦହି

ବ୍ରହ୍ମଲୋକ ଆଦି କେହି ସ୍ଥାନ ଦେଲେ ନାହିଁ

ଏତେ କହିଣ ମଉନ ହେଲା ରତିପତି

ନିଦ୍ରା ତେଜି ରୁକ୍ମିଣୀ ଯେ ଉଠିଲେ ଝଟତି ।

ଦେଖିଲେ ଘୋର ନିଦ୍ରାରେ ପ୍ରଭୁ ଛନ୍ତି ଶୋଇ

ନ ଡାକିଣ ପାଦ ମଞ୍ଚାଳିଲେ ମହାମାଈ ।

ଯହୁଁ ପ୍ରଭୁ ପାଦ ମଞ୍ଚାଳିଲେ ନାରୀବର

ନିଦ୍ରା ତେଜି ଜଗନ୍ନାଥ ଉଠିଲେ ସତ୍ୱର ।

ଆଉ ସଖୀ କଷ୍ଟ ହେବ ଯେ କୋମଳ କର

ଅତି ଅଲିଅଳେ ତୁମ୍ଭେ ଥିଲ ପିତା ଘର ।

ତୁମ୍ଭ ସେବା କରୁଥିଲେ ଶତ ଶତ ଦାସୀ

ଆଜି ପୁଣି ମୋର ପାଦ ମଞ୍ଚାଳୁଛ ବସି ।

ହସି ଦେବୀ ବୋଇଲେ ସେ ସୌଭାଗ୍ୟ ମୋହର

ପାଦ ନ ସେବିଲେ କାହିଁ ହୋଇବି ନିସ୍ତାର

ପ୍ରଭୁ ବୋଲନ୍ତି ବାନ୍ଧବୀ ଦେଲି ଏହି ବର

କନ୍ଦର୍ପ ପରାୟେ ପୁତ୍ର ହେବ ଯେ ତୁମ୍ଭର ।

ଲାଜେ ବଦନ ପୋତିଣ ବୋଲନ୍ତି ରୁକ୍ମିଣୀ

ବର୍ତ୍ତମାନ ଏକ ସ୍ୱପ୍ନ ଦେଖିଲି ଯେ ପୁଣି ।

କାହୁଁ ଗୋଟିଏ ସୁନ୍ଦର ଯୁବକଟି ଆସି

ଫୁଲ ଧନୁ ଧରି ମୋର ପାଦତଳେ ବସି ।

ବୋଇଲା ଗୋମାତା ମୋତେଗର୍ଭେ ସ୍ଥାନଦିଅ

ହର କୋପ ନଳେ ଭସ୍ମହେଲା ମୋର ଦେହ

ଏତିକି କହିଣ ମୋର ଗର୍ଭରେ ପଶିଲା

ସେତିକିବେଳୁ ଯେ କାନ୍ତ ନିଦ୍ରା ଭାଙ୍ଗିଗଲା ।

ତେଣୁ ତୁମ୍ଭଙ୍କୁ ଏକଥା କହିବାର ପାଇଁ

ଉଠି ଦେଖିଲି ନିଦ୍ରାରେ ଅଛ ପ୍ରଭୁ ଶୋଇ ।

କୁହ କାନ୍ତ ଏ ଦାସୀକି ମନେ ଦୟା ବହି

ସ୍ୱପ୍ନ କଥା ସତ୍ୟ କିବା ମିଥ୍ୟା ଯେ ହୁଅଇ ।

ଶ୍ରୀକୃଷ୍ଣ ବୋଇଲେ ଅଟେ ଏହା ସତ୍ୟବାଣୀ

ଆମ୍ଭେ ମଧ୍ୟ ଏହି ସ୍ୱପ୍ନ ଦେଖିଲୁ ଏକ୍ଷଣି ।

ପରମ ଲକ୍ଷ୍ମୀ ଗୋ ତୁମ୍ଭେ ଅନାଦି ଦେବତୀ

କାମଦେବ ତୁମ୍ଭ ଗର୍ଭୁ ହେଲେ ଉତପତ୍ତି ।

ଦଗ୍‌ଧହୋଇଥିଲେ ହର କୋପାନଳେ

ଏବେ ଆସି ଜନ୍ମ ପୁଣି ହେବ ଯେ ଭୂତଳେ ।

ଶ୍ରୀକୃଷ୍ଣଙ୍କ ମୁଖୁ ଦେବୀ ଏ ବଚନ ଶୁଣି

ମନେ ମନେ ଆନନ୍ଦିତ ହେଲେ ମାହା ପୁଣି

ଏହି ସମୟରେ ରାତ୍ର ଗଲା ଶେଷ ହୋଇ

କେଳି ପୁରୁ ଉଠି ଦେବୀ ଗଲେ ଯେ ପଳାଇ ।

ଲକ୍ଷ୍ମୀନାରାୟଣଙ୍କ ପାଦ ପଦ୍ମ ଧ୍ୟାୟି

ଅଚ୍ୟୁତ ଆଜ୍ଞାରେ ମୁହିଁ ଏ ଗ୍ରନ୍ଥ ଲେଖଇ ।

 

ଶିବଙ୍କ କୋପରେ ମଦନ ଭସ୍ମ ଓ ରତିର ବିଳାପ

ଶୁଣ ଆହେ ସାଧୁଜନେ ଅପୂର୍ବ ଚରିତ

ଚିତ୍ତବୋଧ ଗ୍ରନ୍ଥ ଯେ ଏ ଅଟଇ ଅମୃତ ।

ଦିନେ ପରୀକ୍ଷ ପୁଚ୍ଛନ୍ତି ଶୁକଙ୍କୁ ଯେ ଚାହିଁ

କିମ୍ପା ଶିବ କୋପେ କାମ ଗଲା ଭସ୍ମହୋଇ

ସେ କଥା ବୁଝାଇ ମୋତେ କୁହ ମୁନିବର

ଶୁଣିବାକୁ ଶ୍ରଦ୍ଧା ଜାତ ହୁଏ ମୋ ମନର ।

ରାଜାଙ୍କ ବଚନ ଶୁଣି ଶୁକ ମୁନିବର

ବୋଲନ୍ତି କହୁଛି ତୁମ୍ଭେ ଶୁଣ ନୃପବର ।

ଶିବ ପୁରାଣରୁ ଏହା ହୋଇଛି ଉକତ

ତାରକା ବଧ ନିମନ୍ତେ କାର୍ତ୍ତିକେୟ ଜାତ ।

ଏକଦିନେ ବୃଷ ପୃଷ୍ଠେ ବିଜେ କରି ହର

ବ୍ରହ୍ମଲୋକେ ପରବେଶ ହୋଇଲେ ସତ୍ୱର ।

ଦେଖିଲେ ଯୋଗରେ ବେଦବର ଛନ୍ତି ବସି

ବନ୍ଧଭେଦ ମୁଦ୍ରା ମନପବନ ସେ ତୋଷି ।

ରୁକ୍‌ ଯଜୁଃ ସାମ ବେଦ ଅଥର୍ବ ଏ ଚାରି

ବିସ୍ତାର ପଢନ୍ତି ଗୀତ ମୁଖରେ ଉଚ୍ଚାରି ।

ତାଙ୍କୁ ଦେଖି ସଦାଶିବ ମନେ ଖେଦ ବହି

ବୋଇଲେ କେବଳ ସାମ ବେଦ ପଢ ତୁହି ।

ଯହୁଁ ମହେଶ୍ଵର ବାଣୀ ବିଧାତା ଶୁଣିଲେ

ତକ୍ଷଣେ ସେ ମୁଣ୍ଡ ପରେ ମୁଣ୍ଡ ଜାତ କଲେ ।

ଓଁକାର ପୂର୍ବକ ସାମ ବେଦର ଯେ ବାଣୀ

ଶୁଣି ବେଦ ମିଶାଇଣ ଗାଇଲେ ତକ୍ଷଣି ।

ସଦାଶିବ ବୋଇଲେ ତୁ ଅଟୁ ବଡ଼ ଦୁଷ୍ଟ

କିମ୍ପାଇ ତୁ ପାଞ୍ଚମୁଣ୍ଡ ବହିଲୁ ପାପିଷ୍ଠ ।

ଆମ୍ଭେ ପଞ୍ଚାନନ ବୋଲି ଦୁନିଆ ଜାଣଇ

ତୁ ଛାର ଆମ୍ଭ ସମ ନ ପାରିବୁ ହୋଇ ।

ବ୍ରହ୍ମା ବୋଇଲେ ଯେ ମୁହିଁ ବ୍ରହ୍ମାଣ୍ଡ ଭିଆଏ

ଆତଜାତ କରି ସର୍ବ ପ୍ରାଣୀଙ୍କୁ ଚଳାଏ

କିଛିହିଁ ନ ଜାଣି ତୁହି ଜ୍ଞାନୀ ବୋଲାଉଛୁ

ମୋଠାରୁ କେଉଁ ଗୁଣରେ ଅଧିକ ହୋଇଛୁ

ଶୁଣିଣ ସଦାଶିବ ଯେ ରାଗେ ପରଜ୍ୱଳି

ଯେସନେ ବାତ ଆଘାତେ ହୁଅଇ କଦଳୀ

ଯେଉଁ ମୁଖେ ଶିଶୁ ବେଦ ବ୍ରହ୍ମାଙ୍କର ଗାନ

ଚାପୋଡ଼େ ମାରି ତାହାକୁ କରିଲେ ଚ୍ଛେଦନ

ବ୍ରହ୍ମାଙ୍କ ମୁଣ୍ଡ ଯେ ଶିବ କରରେ ଲାଗିଲା

ଯେତେ ଉପାୟ କରିଲେ ମାତ୍ର ନ ଛାଡ଼ିଲା ।

ଚଉଦ ଭୁବନେ ଥିଲା ଯେତେ ପୁଣ୍ୟ ତୀର୍ଥ

ସବୁଠାରେ ମହାଦେବ ହେଲେ ଉପଗତ

କାଳ କାଳ ଧରି ବହୁ ତପ କଲେ ଭୋଳା

କୌଣସି ମତେ ଯେ ମୁଣ୍ଡ ହସ୍ତୁ ନ ଛାଡ଼ିଲା ।

ବ୍ରହ୍ମହତ୍ୟା ପାପ ଲାଗିଅଛି ତାହାଙ୍କର

ଶୟନ ଭୋଜନ ସବୁ ତେଜ୍ୟାକଲେ ହର ।

ମହାଦେବଙ୍କର ମନେ ବଡ଼ ଚିନ୍ତା ହେଲା

ଦିନକୁ ଦିନ ଯେ ତାଙ୍କ ତନୁ କ୍ଷୀଣ ହେଲା ।

ସକଳ ସ୍ଥାନରେ ବୁଲି ବୁଲି ମହେଶ୍ୱର

ପାତାଳ ପୁରରେ ଯାଇ ହୋଇଲେ ହାଜର

ନାଗଗଣ ଦେଖି ତାଙ୍କୁ ହେଠମାଥ ହେଲେ

ଟଳ ଟଳ ବସୁମତୀ ଦେଖିଣ ହୋଇଲେ ।

ବାସୁକୀ ବୋଲନ୍ତି ତୁମ୍ଭେ ଶୁଣ ହେ ଶଙ୍କର

ବ୍ରହ୍ମହତ୍ୟା ଦୋଷୀ କିମ୍ପା ଆସିଲ ମୋ ପୁର

ଦେଖ ତୁମ ଲାଗି ପୃଥ୍ୱୀ ହୁଏ ଟଳ ଟଳ

ରହିଲେ ଏ ସ୍ଥାନେ ସବୁ ଯିବ ରସାତଳ ।

ତ୍ରାସ ପାଇ ସେଠାବରୁ ଶଙ୍କର ଫେରିଲେ

ଧର୍ମଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ ।

ଦେଖିବାମାତ୍ରେ ତାହାଙ୍କୁ ଧର୍ମ ନିରଞ୍ଜନ

ବୋଇଲେ ମୋ ପାଶୁ ତୁମ୍ଭେ ପଳାଅ ବହନ

ବ୍ରହ୍ମହତ୍ୟା ପାତକ ଯେ ତୁମଙ୍କୁ ଗ୍ରାସିଛି

ତୁରନ୍ତ ମୋ ନିକଟରୁ ଯାଅ ହେ କହୁଛି ।

ତୁମ୍ଭ ଯୋଗେ ଧର୍ମହାନି ହେବ ତିନିପୁର

ଧାର୍ମିକ ପୁରୁଷ ସର୍ବେ ପଡ଼ିବେ ନର୍କର ।

ଭୟେ ତହିଁ ସେଠାବରୁ ଭୋଳି ପଳାଇଲେ

ଇନ୍ଦ୍ରଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ ।

ଦେଖିବାମାତ୍ରେ ବୋଇଲେ ତାଙ୍କୁ ସୁନାସୀର

ତୁମ୍ଭ ଯୋଗେ ନିଶ୍ଚେ ସ୍ୱର୍ଗ ହେବ ଛାରଖାର

ବ୍ରହ୍ମହତ୍ୟା ପାତକ ଯେ ତୁମ୍ଭଙ୍କୁ ଗ୍ରାସିଛି

ଦେଖିଲା ମାତ୍ରକେ ମୁଖ ଡର ଯେ ମାଡ଼ୁଛି ।

ରହିଲେ ଏ ସ୍ଥାନେ ବର୍ଷା ନ ହୋଇବ ଜଳ

ଦୁଷ୍ଟ ଗ୍ରହମାନେ ମର୍ତ୍ତ୍ୟେ ହୋଇବେ ପ୍ରବଳ ।

ଶସ୍ୟ ନ ଫଳିବ ସର୍ବଲୋକ ହେବେ ନାଶ

ସ୍ୱର୍ଗରେ ଦେବତାଗଣ ପାଇବେ ତରାସ ।

ତହିଁ ସେ ଠାବରୁ ଶିବ ହୋଇଲେ ବାହାର

ନିରାକାର ବିଷ୍ଣୁ ପାଶେ ହୋଇଲେ ହାଜର ।

ଯାଇଣ ପଡ଼ିଲେ ନିରାକାରଙ୍କ ଚରଣ

ବୋଇଲେ ହେ ନାଥ ତୋର ପଶିଲି ଶରଣ

ଯଦି ଏ ପାପର ପ୍ରତିକାର ନ କରିବ

ତୁମ୍ଭରି ଆଗେ ମରିବି ଏହା ଅଟେ ଧ୍ରୁବ ।

ଅତ୍ୟନ୍ତ ବିକଳ ହୋନ୍ତି ନିରାକାର ପାଶ

କରେ ମୁଣ୍ଡ ଲାଗିଅଛି ନ ଛାଡ଼ଇ ଲେଶ ।

ଦେଖି ଶିବଙ୍କ ବିକଳ ପ୍ରଭୁ ନିରାକାର

ବୋଇଲେ ତୁରନ୍ତ ତୁମ୍ଭେ ଯାଅ ମର୍ତ୍ତ୍ୟପୁର ।

ବ୍ରହ୍ମକପାଳ କରରୁ ନ ଛାଡ଼େ ତୋହର

ବ୍ରହ୍ମେ ଲୟକଲେ ନିଶ୍ଚେ ଯିବ ପାପଭାର ।

ବ୍ରହ୍ମେ ଲୟକଲେ ଯାଏ ବ୍ରହ୍ମହତ୍ୟା ଦୋଷ

ଏ କଥାଗୋଟି ତୁ ହୃଦେ କର ହେ ବିଶ୍ବାସ

ଯେଉଁ ବ୍ରହ୍ମ ପୁରୁଷର ଆଦିଅନ୍ତ ନାହିଁ

ତାଙ୍କୁ ଲୟକର ବ୍ରହ୍ମରନ୍ଧ୍ରେ ମନଦେଇ ।

ଆକାଶ ଉପରେ ଜାଣ ପରାକାଶ ମିଶା

ମନପବନ ତହିଁରେ ହୋଇଅଛି ଆଶା ।

ସେ ମନପବନ ଯେବେ କରିପାରେ ଠୁଳ

ତେବେ ସେ ଜୀବ ପରମ ହେବ ଏକମେଳ ।

ଇଅଁଳା ପିଅଁଳା ଶିଶୁମନା ଷଡ଼ଚକ୍ରେ

ଏକାଦଶ ପବନ ଯେ ବହୁଅଛି ବକ୍ରେ ।

ତାହାକୁ ନିରେଖି ଯେବେ କରିପାରୁ ଲୟ

ନିଶ୍ଚୟ ପାତକ ତୋର ଅଙ୍ଗୁ ହେବ କ୍ଷୟ ।

ମୋର ବୋଲ ମାନି ଶିବ ଚଳନ୍ତୁ ବହନ

ମର୍ତ୍ତ୍ୟେପୁର ମଧ୍ୟେ ଅଛି ଏକାମ୍ର କାନନ ।

ଯେତେବେଳେ ଏହି ସୃଷ୍ଟି ପ୍ରଳୟ ହୋଇଲା

ବାଡ଼ବାନଳରେ ଚନ୍ଦ୍ର ସୂର୍ଯ୍ୟ ନାଶଗଲା ।

ନବଦ୍ବୀପ ସପ୍ତସିନ୍ଧୁ ହେଲା ଜଳମୟ

ସେହି କାଳରେ ସମସ୍ତେ ହୋଇଗଲେ କ୍ଷୟ ।

ଅନାଦି ନାରୀ ଯେ ବଇକୁଣ୍ଠ ଠାକୁରାଣୀ

ଗର୍ଭଭିତରୁ ସେ ପୁର ସଞ୍ଚିଥିଲେ ଆଣି ।

ପାଞ୍ଚକ୍ରୋଣ ଆୟତନ ଅଟେ ସେହି ସ୍ଥାନ

ଏକାମ୍ର ଭୂମି ଯେ ସେହୁ ଅଟେ ଶ୍ୱେତବର୍ଣ୍ଣ ।

ପବିତ୍ର ବିନ୍ଦୁସାଗର ବୋଲି ଅଛି କୁଣ୍ଡ

ତା ମଧ୍ୟେ ସ୍ନାହାନ କଲେ ନାହିଁ ଯମଦଣ୍ଡ ।

ପୂର୍ବଭାଗରେ ଅନନ୍ତ ପୁରେକ ରହିଛି

ଅନନ୍ତକୋଟି ଲିଙ୍ଗ ଯେ ସେ ସ୍ଥାନରେ ଅଛି ।

ମୋ ବୋଲ ମାନି ସେ ସ୍ଥାନେ ଚଳ ହେ ଶଙ୍କର

ନିଶ୍ଚେ ତୋହର ପାତକ ହୋଇଯିବ ଦୂର ।

ଶୁଣିବା ମାତ୍ରକେ ଶିବ ପାଦରେ ପଡ଼ିଲେ

ସଙ୍ଗେ ସଙ୍ଗେ ଏକାମ୍ର କାନନେ ବାହାରିଲେ ।

ପାର୍ବତୀ ଆଦି ସଭିଙ୍କୁ ତେଜିଣ ଶଙ୍କର

ନନ୍ଦି ଭୃଙ୍ଗି ସମସ୍ତଙ୍କୁ କରିଲେ ଯେ ପର ।

ବିନ୍ଦୁସାଗରରେ ସ୍ନାନକରି ତିପ୍ରୁରାରି

ବସିଲେକ ତପସ୍ଥାନେ ଏକ ଲୟକରି ।

ସହସ୍ର ସହସ୍ର ବର୍ଷ ଦେବ ଶୂଳପାଣି

ନ ଭକ୍ଷିଲେ ଅନ୍ନ ଜଳ ନ ଛୁଇଁଲେ ପୁଣି ।

କଳ୍ପ କଳ୍ପ ଧରି ଯୋଗ ଲୟ ଆରମ୍ଭିଲେ

ନିରାକାର ବ୍ରହ୍ମପାଦେ ଲୟ ଲଗାଇଲେ ।

ଏହିପରି ମଧ୍ୟ କେତେ ଯୁଗ ଗଲା ବହି

ଏକଲୟେ ବ୍ରହ୍ମ ନିରାକାର ଶିବାଧ୍ୟାୟି ।

କୋଟରଗତ ହେଲାଣି ଚକ୍ଷୁ ଦୁଇ ତାଙ୍କ

ଶରୀରରେ ଲୋକଙ୍କର ତିଳେ ନାହିଁ ଲକ୍ଷ୍ୟ ।

ଧ୍ୟାନରେ ନିମଗ୍ନ ହେଲେ ଶଶାଙ୍କ ଶେଖର

ଏଥୁଅନ୍ତେ ଆନ ରସ ଶୁଣ ସୁଜ୍ଞନର ।

ନାରକାସୁର ନାମରେ ଏକଇ ଦଇତ

ବହୁ ତପସ୍ୟା କରିଣ ବର ହୋଇ ପ୍ରାପ୍ତ ।

ପିତାମହଙ୍କୁ ବହୁତ ଆରାଧନା କଲା

ଶେଷେ ବଳବାନ ବର ତାଙ୍କଠାରୁ ନେଲା ।

ଖଡ଼୍‌ଗେ ନ ଛିଡ଼ିବ ଅନଳରେ ନ ପୋଡ଼ିବ

ଅକାଳ ମୃତ୍ୟୁ ନୋହିବ ଜଳେ ନ ବୁଡ଼ିବ ।

ଅସ୍ତୁ ବୋଲି ପିତାମହ ବର ଯାଚି ଦେଲେ

ଯାହା ତୁ ଚାହିଁବୁ ତାହା ପାଇବୁ ବୋଇଲେ ।

ବିନ୍ଧ୍ୟଗିରି ନିକଟରେ ଅଟେ ତାର ପୁର

ଶତେ କ୍ରୋଶ ପରିଯନ୍ତେ ନଅର ତାହାର ।

ଯେତେ ବଳବାନ ଦୈତ୍ୟ ଥିଲେ ତିନିପୁର

ସମସ୍ତଙ୍କଠାରୁ ଏ ଯେ ଅଟେ ବଳିୟାର ।

ସର୍ବ ଦେବତାମାନଙ୍କୁ ନ କରି ଖାତର

ପାଦତଳରେ ଖଟାଇଥାଏ ଦୈତ୍ୟବର ।

ଅସୁର ସଇନ୍ୟମାନେ ସ୍ୱର୍ଗେ ଧାଡ଼ି ଦ୍ୟନ୍ତି

ମଦ୍ୟ ପାନକରି ଘୋର ଅନ୍ୟାୟ କରନ୍ତି ।

ଦେବକନ୍ୟାମାନଙ୍କୁ ଯେ କରି ବଳାତ୍କାର

ଧରିଆଣି ଅତ୍ୟାଚାର କରନ୍ତି ଅସୁର ।

ଦେଖିଣ ଏସନ ରୀତି ସର୍ବ ଦେବଗଣ

ଥରହର ହୋନ୍ତି ଦୁଷ୍ଟ ଦୈତ୍ୟଙ୍କ ଡରେଣ ।

ଯେତେ ଚେଷ୍ଟାକଲେ ଅସୁରଙ୍କୁ ନ ପାରିଲେ

କିପରି ମରିବ ବୋଲି ମନେ ଚିନ୍ତାକଲେ ।

ସର୍ବଦେବ ମେଳ ହୋଇ କରିଲେ ବିଚାର

ବୈକୁଣ୍ଠପୁରରେ ଯାଇ ହୋଇଲେ ହାଜର ।

ଶ୍ରୀନାରାୟଣଙ୍କ ପାଦେ ପ୍ରଣାମ ହୋଇଲେ

କରପତ୍ର ଯୋଡ଼ି ଦେବଗଣ ସ୍ତବକଲେ ।

ଶୁଣିଣ ସର୍ବ ଘଟଣା ବୋଲନ୍ତି ଶ୍ରୀଧର

କେଭେ ଆମ୍ଭର ହସ୍ତରେ ନ ମରେ ଅସୁର ।

ବ୍ରହ୍ମାବିଷ୍ଣୁ ଇନ୍ଦ୍ରକରେ ମୃତ୍ୟୁ ନ ହୋଇବ

ଜଳସ୍ଥଳ ଅନଳରେ ଦୈତ୍ୟ ନ ମରିବ ।

ଜନ୍ମ ମରଣ ତାହାର ନାହିଁଟି ସଂସାର

ଏକ ମୃତ୍ୟୁଭେଦ ତାର ଅଛି ତୁମ୍ଭେ କର ।

ଗୁପ୍ତ ମୃତ୍ୟୁଭେଦ ତାର ଶୁଣ ଦେବଗଣ

ଈଶ୍ଵର କୁମର ହସ୍ତେ ହୋଇବ ମରଣ ।

ଶୁଣି ଏହା ସର୍ବ ଦେବ ଆଶ୍ଚର୍ଯ୍ୟ ହୋଇଲେ

ମହାଦେବଙ୍କର ପୁତ୍ର ନାହିଁ ସେ ବୋଇଲେ ।

ନାରାୟଣ ବୋଲନ୍ତି ସେ ସ୍ୱୟଂ ଦିଗମ୍ବର

ପାର୍ବତୀ ଦେବୀଙ୍କ ସଙ୍ଗେ କରନ୍ତୁ ବିହାର ।

ତାହାଙ୍କ ବୀର୍ଯ୍ୟେ ସେ ପୁତ୍ର ଜନମ ହୋଇବ

ସେହି ପୁତ୍ର ଅକ୍ଳେଶରେ ଦୈତ୍ୟ ବିନାଶିବ ।

ଦେବଗଣଙ୍କ ମଧ୍ୟରେ ପଡ଼ିଲା ବିଚାର

ମହେଶ୍ୱର ତ ନାହାନ୍ତି ଯେ କୈଳାସପୁର ।

ଧାତା ମୁଣ୍ଡ ଲାଗିବାରୁ କରରେ ତାଙ୍କର

ଏକାମ୍ର କାନନେ ତପ କରନ୍ତି ଈଶ୍ୱର ।

ଗଣ୍ଡା ଗଣ୍ଡା ହୋଇ ବହୁ ଯୁଗ ବିତିଲାଣି

ତପସ୍ୟା ନ ଭାଙ୍ଗି ନ ଆସନ୍ତି ଶୂଳପାଣି ।

ବ୍ରହ୍ମାମୁଣ୍ଡ ତାଙ୍କ ହସ୍ତୁ ନୋହିଲେ ବାହାର

ନ ଫେରିବେ ଭୋଳାନାଥ କେଭେ କୈଳାସର

ଶୁଣି ଦେବଙ୍କୁ ଆଦେଶ ଦେଲେ ଭଗବାନ

ମଦନକୁ ପେଶି ତାଙ୍କ ତପ କର ଭଗ୍ନ ।

ନ ଫେରିଲେ ମହାଦେବ ନ ମରେ ଅସୁର

ପୁଣି ତାଙ୍କ ବୀର୍ଯ୍ୟୁ ଜନ୍ମ ନ ହେଲେ କୁମର ।

ସର୍ବ ଦେବଗଣ ବସି କରିଲେ ଯେ ସ୍ଥିର

ଯାଅ ମଦନକୁ ଡାକିଆଣ ଧାତିକାର ।

ସ୍ୱୟଂ ଅଙ୍ଗାରପନ୍ନଗ ସଜ କରି ରଥ

ମଦନ ନିକଟେ ପହଞ୍ଚିଲା ସେ ତୁରନ୍ତ ।

ଦେଖେ ମଦନ ରତି ଯେ ବିଜେ କରିଛନ୍ତି ।

କେହୁ ଆଲଟ ଚାମର ଧରିଣ ବିଞ୍ଚଇ

କେହୁ ପୁଷ୍ପହାର ଗୁନ୍ଥି ଶିରରେ ମଣ୍ଡଇ ।

ଏହି ସମୟେ ପ୍ରବେଶ ହୋଇ ଇନ୍ଦ୍ରସୁତ

ବୋଲେ ଡାକୁଛନ୍ତି ଦେବ ଚାଲ ଆହେ ଭ୍ରାତ

ରତି ବୋଲେ କାହିଁ ପାଇଁ ଦେବ ଡାକୁଛନ୍ତି

ତାଙ୍କ ବୋଲ ମାନି ତୁମ୍ଭେ ଯାଅ ହେ ଝଟତି ।

ରଥେ ବସିଣ ମଦନ ହୋଇଲେ ବାହାର

ବୈକୁଣ୍ଠପୁରରେ ଯାଇ ହୋଇଲେ ହାଜର ।

ସର୍ବ ଦେବତାଗଣଙ୍କୁ ଯଥାମାନ୍ୟ କରି

ନାରାୟଣ ଶ୍ରୀଚରଣେ ବହୁ ଭକ୍ତି କରି ।

ବୈକୁଣ୍ଠନାଥ ବୋଇଲେ ମଦନକୁ ଚାହିଁ

ଯାଅ ବାବୁ ମର୍ତ୍ତ୍ୟେ ଦେବକାର୍ଯ୍ୟ କର ତୁହି ।

ଏକାମ୍ର କାନନେ ହର ହେଲା ବହୁଦିନ

ତପ କରୁଛନ୍ତି ପାପ ହେବାକୁ ମୋଚନ ।

ଘୋର ତପ କରୁଛନ୍ତି ଅନାହାରେ ହର

ତାଙ୍କ ପାଶେ ଯାଇ ଯୋଗ ତୁମ୍ଭେ ଭଗ୍ନ କର ।

ଶିବ ବୀର୍ଯ୍ୟେ ଯଦି ଜନ୍ମ ନ ହେବେ କୁମର

କେଭେ ନ ମରିବ ଦୁଷ୍ଟ ତାରକା ଅସୁର ।

ଯହୁଁ ସମସ୍ତ ଘଟଣା ପ୍ରଭୁ ବୁଝାଇଲେ

ଯିବା ପାଇଁ ସନମତ ମଦନ ଯେ କଲେ ।

ପୁଣି ଆଜ୍ଞାଦେଲେ ପ୍ରଭୁ ବ୍ରାହ୍ମଣ ଠାକୁର

ରତିଦେବୀଙ୍କୁ ପଠାଇ ପାର୍ବତୀ ପାଶର।

ତୁମ୍ଭେ ଯାଇ ଶିବଙ୍କର ତପ କର ତୁଷ୍ଟ

ରତିଦେବୀ ପାର୍ବତୀଙ୍କୁ କରନ୍ତୁ ଉଚ୍ଚାଟ ।

ଦୁଇଜଣଙ୍କର ଅଙ୍ଗେ ମାର ଫୁଲ ଶର

ଯେପରି କାମେ ଉତ୍ୟକ୍ତ ହୋନ୍ତିୁ ଉମା ହର ।

ସର୍ବଦେବ ମଦନକୁ ଆଶୀର୍ବାଦ କଲେ

ଯାଅ ବାବୁ ଦେବକାର୍ଯ୍ୟ କରସି ବୋଇଲେ

ତୁମ୍ଭ ଯୋଗେ ନିଶ୍ଚେ ଦୁଷ୍ଟ ଦୈତ୍ୟ ନାଶଯିବ

କାଳ କାଳକୁ ଯେ କୀର୍ତ୍ତିଧ୍ୱଜା ଉଡ଼ାଇବ ।

ବହୁ ରତ୍ନେ ବିଭୂଷିତ କଲେ ମଦନକୁ

ବାହାରିଲେ କାମଦେବ ଏକାମ୍ର ବନକୁ ।

କାମଦେବ ଭାବେ ମୁଁ ତ ନିଶ୍ଚୟ ମରିବି

ଯୁଗ ଯୁଗକୁ କୀରତି ଜାଣ ମୁଁ ରଖିବି ।

ନିଜ ପୁରେ ଯାଇ ଦେବ ପ୍ରବେଶ ହୋଇଲେ

ରତି ଦେବୀଙ୍କ ଆଗରେ ସବୁ ବଖାଣିଲେ ।

ଶୁଣିଲା ମାତ୍ରକେ ରତି ଜ୍ଞାନ ହରାଇଲେ

କରେ ଅନୁରୋଧ ତୁମ୍ଭେ ଯାଅନା ବୋଇଲେ

ମଦନ ବୋଲନ୍ତି ଦେବୀ ଶୀଘ୍ର ସଜ ହୁଅ

ଜନ୍ମ ହେଲେ ମୃତ୍ୟୁ ଘଟେ ଜାଣ ଗୋ ନିଶ୍ଚୟ

ଦେବତାଙ୍କ ଉପକାର ଆମ୍ଭେ ଯେ କରିବା

ଯୁଗ ଯୁଗକୁ କୀରତି ସଖି ଗୋ ରଖିବା ।

ବହୁ ପରକାରେ ରତି ଦେବୀ ମନା କଲେ

ସ୍ୱାମୀଙ୍କ ଚରଣ ଧରି ବାହୁନି କାନ୍ଦିଲେ ।

ହରିଶ୍ଚନ୍ଦ୍ର ନାମେ ରାଜା ଏକା ପୂର୍ବେ ଥରେ

ସତ୍ଯେ ସପ୍ତଦ୍ୱୀପା ମହୀ ବିଶ୍ଵାମିତ୍ର ଦେଲେ ।

ଦକ୍ଷିଣା ପାଇଁକି ଭାରିଯାକୁ ବିକ୍ରିକରି

ମୃତ୍ୟୁପରେ ସ୍ବର୍ଗେ ସେହି ବାସକଲେ ଗୌରୀ

ଏହିପରି ରତିକୁ ବହୁତ ବୁଝାଇଲେ

ପାର୍ବତୀ ନିକଟେ ଯାଅ ବୋଲି ଆଜ୍ଞାଦେଲେ

ତେଣୁ ମହାସତୀ ସ୍ୱାମୀ ଆଜ୍ଞା ଶିରେ ବହି

ବିଷ୍ଣୁ ସୁମରିଣ ସତୀ ପତି ପାଦ ଧ୍ୟାୟି ।

ପତିଦେବ ଚରଣରେ ପ୍ରଣିପାତ ହୋଇ

ପାଦରଜ ବୋଳେ ମୁଣ୍ଡେ ରତି ଦେବୀ ନେଇ

ଆଗ ରତି ଦେବୀଙ୍କୁ ଯେ ମଦନ ପେଶିଲେ

ପାର୍ବତୀ ନିକଟେ ତୁମ୍ଭେ ଯାଅ ହେ ବୋଇଲେ

ତୁମ୍ଭେ ଦେବୀଙ୍କ ଅଙ୍ଗରେ ମାର ଫୁଲ ଶର

ମୁହିଁ ତବ ପାଶେ ଗୋରୀ ହୋଇବି ହାଜର ।

ପାର୍ବତୀଙ୍କଠାରୁ ମୁହିଁ ଅନୁମତି ନେବି

ତେବେ ଯାଇଁ ତ କୈଳାସ ପତିଙ୍କ ପାଶେ ଯିବି

ଶୁଣି ରତିଦେବୀ ସ୍ୱାମୀ ପାଦେ ଦେଇ ଚିତ୍ତ

ସୁବେଶ ହୋଇଣ ଗୋରୀ ଚଳିଲେ ତୁରିତ ।

କଇଳାସରେ ଉମାଙ୍କ ନିକଟେ ମିଳିଲେ

ଖଣ୍ଡେ ଦୁରେ ରହି ଫୁଲଶର ପ୍ରହାରିଲେ ।

ବହୁ ଦିନ ହେଲା ଶୂଳି ନାହାନ୍ତି ପାଶର

କାମାନଳେ ଦେବୀ ହୃଦ ଦେହ ଜର ଜର ।

କିପରି ମହାଦେବଙ୍କୁ ପାଇବେ ସୁନ୍ଦରୀ

ସେହି ଚିନ୍ତାରେ ମହେଶ ନାରୀ ହେଲେ ଘାରି ।

ପଣେ କାମଦେବ ରତି ଦେବୀଙ୍କୁ ପଠାଇ

ନିଜେ ଅନୁକୂଳ କଲେ ଦିବ୍ୟ ବେଶ ହୋଇ ।

ତହିଁ ବାହାର ହୋଇଲେ ରତିଦେବୀ ବର

ମଳୟ ଚୋର ବସନ୍ତ ବାହାରେ ସଙ୍ଗର ।

ହାଃ ହାଃ ହୁଃ ହୁଃ ସହିତରେ ବହୁ ବିଦ୍ୟାଧରୀ

ରମ୍ଭା ମେନକା ସହିତେ ତିଳୋତ୍ତମା ନାରୀ

କାମଦେବଙ୍କ ସଙ୍ଗରେ ଗମନ୍ତି ସମସ୍ତେ

ବାଛି କାମ ପୁଷ୍ପବାଣ ଧରି ଦକ୍ଷ ହସ୍ତେ ।

କୈଳାସ ପର୍ବତେ ଯାଇ ପ୍ରବେଶ ହୋଇଲେ

ପାର୍ବତୀ ଦେବୀଙ୍କ ପାଦପଦ୍ମେ ପ୍ରଣମିଲେ ।

ଦେବୀ ବୋଲନ୍ତିରେ ବତ୍ସା ତୋ କଲ୍ୟାଣ ହେଉ

ଏମାନଙ୍କୁ ସଙ୍ଗେ ଘେନି କେଉଁଆଡ଼େ ଯାଉ ।

ମଦନ ବୋଇଲେ ମାତ ଯାଉଅଛି ମୁହିଁ

ଏକାମ୍ର କାନନେ ଶିବ ତପ ଧ୍ୱଂସ ପାଇଁ ।

ଆସିଲେ ଭୋ ତାରକା ଅସୁର ମରିବ

ଯେଣୁ ମୋତେ ପେଶିଛନ୍ତି ମିଳି ସର୍ବ ଦେବ ।

ଯହୁଁ ମହାମାୟା ଶିବ ଆସିବା ଶୁଣିଲେ

ମଦନକୁ ବହୁ ପରଶଂସା ଦେବୀ କଲେ ।

ବୋଇଲେରେ ବାବୁ ଯେବେ ଆଣି ତୁ ପାରିବୁ

ବହୁ ଉପକାର ମୋର ତୁହି ଯେ କରିବୁ ।

ବହୁଦିନ ହେଲା ଗଲେଣି ତ୍ରିଶୂଳଧର

କିପରି ରହିବି ମୁହିଁ ଏକା କୈାଳାସର ।

ଏବେ ତ ଅଟଇ ପୁଣି ମୁହିଁ ନବଯୁବା

ନୁହଇ ସଧବା କିବା ନୁହଁଇ ବିଧବା ।

ଜୀବନରେ ଦିନେ ମାତ୍ର ସୁଖ ମୁଁ ନ କଲି

ଧିକ ଏ ନାରୀ ଜନମ କିମ୍ପା ମୁଁ ହୋଇଲି ।

ଏତେ କହି ଦେବୀ ନେତ୍ରୁ ବହେ ନୀର ଧାର

ବୁଝାଇଲେ ମଦନ ଯେ ବହୁ ପରକାର ।

ଦେବୀ ବୋଇଲେ ତାଙ୍କର ପାଶେ ମୁହିଁ ଯିବି

କିପରି ଅଛନ୍ତି ତାଙ୍କୁ ଦର୍ଶନ କରିବି ।

ମଦନ ବୋଇଲେ ମାତ ନିଶ୍ଚେ ଭଲ ହେବ

ପ୍ରଭୁଙ୍କୁ ସଙ୍ଗରେ ଘେନି ଆନନ୍ଦେ ଫେରିବ ।

ମନ ଆନନ୍ଦରେ ସର୍ବେ କଇଳାସ ଛାଡ଼ି

ବହୁତ ଗିରି କନ୍ଦର ଯାଉଥାନ୍ତି ମାଡ଼ି ।

ଚାଲି ଚାଲି ବହୁଦିନ ପଥଶ୍ରମ ହୋଇ

ଏକାମ୍ର କାନନେ ସର୍ବେ ମିଳିଲେକ ଯାଇ ।

ଖୋଜିଲେ କେବଣ ସ୍ଥାନେ ଅଛନ୍ତି ଈଶ୍ୱର

ନ ପାଇ କୌଣସି ସ୍ଥାନେ ସର୍ବେ ହେଲେସ୍ଥିର ।

ରତିଦେବୀ ବୋଇଲେ ମୁଁ ନ ପାରଇ ଚାଲି

ବିଶ୍ରାମ କରିବି କିଛି ସମୟ ନ ବୁଲି ।

ଏ ସମୟେ ଗଡ଼ୁ ହସ୍ତେ ଏକ ମୁନିବର

ସ୍ନାନ ସାରି ଯାଉଛନ୍ତି କମଣ୍ଡଳୁ କର ।

ଥୋକାଏ ବାଟ ଯେ ତହୁଁ ଋଷିବର ଗଲେ

ଖଣ୍ଡିଏ କୁଟୀର ମଧ୍ୟେ ପ୍ରବେଶ ହୋଇଲେ ।

ଦେଖି ଋଷିଙ୍କୁ ପାର୍ବତୀ ଦେବୀ ଯେ ବୋଲନ୍ତି

ଏହି ବନେ ବୋଧେ ବହୁ ଋଷିବର ଛନ୍ତି ।

ଚାଲ ଆଗେ ଦେଖା ଯାଉଅଛି ଯେ କୁଟୀର

ସେ ସ୍ଥାନରେ ରହିଛନ୍ତି ଏକ ମୁନିବର ।

ତାଙ୍କୁ ପଚାରିଲେ ନିଶ୍ଚେ ସେ ଯେ କହିଦେବେ

ଯଦି ଏହିଠାରେ ମହେଶ୍ୱର ନିଶ୍ଚେ ଥିବେ ।

ଶୁଣିଣ ସର୍ବେ ଋଷିଙ୍କ ନିକଟେ ଚଳିଲେ

ଚୌରାଅଶୀ ଶିଷ୍ୟ ଋଷି ସଙ୍ଗରେ ଦେଖିଲେ

ଅଗସ୍ତି ନାମ ତାଙ୍କର ବ୍ରହ୍ମଋଷି ସେହି

ତାଙ୍କ ପାଦତଳେ ସର୍ବେ ନମିଲେକ ଯାଇ ।

ପାର୍ବତୀଙ୍କୁ ଚିହ୍ନି ଋଷି ଆଶୀର୍ବାଦ କଲେ

ମନ କାମନା ପୂରଣ ହେଉ ତୋର ଭଲେ ।

ବିନୟରେ ଦେବୀ ପଚାରନ୍ତି ଯତିବର

ଦେଖିଛନ୍ତି କି କେଉଁଠି ଅଛନ୍ତି ଶଙ୍କର ।

ଶୁଣିର ବୋଲନ୍ତି ଋଷି ଦେଖିଅଛି ମୁହିଁ

ବିନ୍ଦୁ କୁଣ୍ଡ ପୂର୍ବେ ଛନ୍ତି ଧ୍ୟାନମଗ୍ନ ହୋଇ ।

ଶୁଣିଣ ସକଳେ ମନେ ଆନନ୍ଦ ହୋଇଲେ

ମହାଦେବଙ୍କ ନିକଟେ ଯିବା ସଜ ହେଲେ ।

ସେ ସ୍ଥାନ ଶୋଭାକୁ ସମ ନାହିଁ ତିନିପୁର

ସର୍ବ ତୀର୍ଥ ଲୁଚିଛନ୍ତି ଯେ ବିନ୍ଦୁ ସାଗର ।

ପବିତ୍ର ସ୍ଥାନ ଦେଖିଣ ଦେବୀ ମାହେଶ୍ୱରୀ

ବୋଇଲେ ଏ ସ୍ଥାନେ ଆମ୍ଭେ ରୁହନ୍ତୁ କିପରି ।

ମଦନ ରତିଦେବୀ ଉମା ଗନ୍ଧର୍ବଗଣ

ଖୋଜି ମିଳିଲେ ଯେ ଋଷି କହିବାର ସ୍ଥାନ ।

ଦେଖିଲେ ପଦ୍ମାସନରେ ବସି ମହେଶ୍ୱର

ଲଗାଇ ଅଛନ୍ତି ଲୟ ଯେ ବ୍ରହ୍ମ ପଦର ।

ଦେହୁ ସର୍ବ ରକ୍ତ ମାଂସ ଅଛି ଲୋପ ହୋଇ

ମାତ୍ର ଚର୍ମ ଢାଙ୍କୁଣିଟି ଉପରେ ଅଛଇ ।

ଶୁଖି ମୁଖପଦ୍ମ ଦିଶେ ପୋଡ଼ା କାଷ୍ଠ ପରି

କୋଟରଗତ ଚକ୍ଷୁ ଯେ ଦିଶଇ ସବୁରି ।

କେବଳ ଯେ ରହିଥାଏ ଅସ୍ଥି ମାତ୍ର ସାର

ଯୋଗ ଲୟ କରୁଥାନ୍ତି ସେ ପାର୍ବତୀବର ।

ବାହ୍ୟ ଜଗତରେ ପ୍ରାଣ ତାହାଙ୍କର ନାହିଁ

ପରଂବ୍ରହ୍ମ ପାଦେ ଭୋଳିଛନ୍ତି ଲୟଦେଇ ।

ଯହୁଁ ଶିବଙ୍କ ବଦନ ପାର୍ବତୀ ଦେଖିଲେ

ଆହେ ସ୍ୱାମୀ ବୋଲି ମାତ ରୋଦନ କରିଲେ

ସାନ୍ତ୍ୱନା କରିଣ ତାଙ୍କୁ ରତିଦେବୀ ବର

ଫୁଲଧନୁ ଧରି ବିନ୍ଧିଲେ ସେ ଧାତିକାର ।

ସକଳ ଗନ୍ଧର୍ବଗଣ ତାଳ ଯେ ଧଇଲେ

ରମ୍ଭା ଉର୍ବଶୀ ମେନକା ନୃତ୍ୟ ଆରମ୍ଭିଲେ ।

ଅଦିନରେ ବସନ୍ତ ଯେ ହେଲା ଆଗମନ

ନବ ପଲ୍ଲବ ପୁଷ୍ପରେ ପୂରିଲା କାନନ ।

ଯହୁଁ ବାରବାର ଧନୁ ମଦନ ବିନ୍ଧିଲେ

କାମବାଣେ ତିନିପୁର ଅଚେନ ହେଲେ ।

ପକ୍ଷୀ ପକ୍ଷିଣୀଙ୍କୁ ଘେନି କରନ୍ତି ବିହାର

ଜୀବଜନ୍ତୁ ଯେ ଯାହାର ରଚିଲେ ଶୃଙ୍ଗାର ।

କାମିନୀଗଣ ଯେ କାମ ବାଣେ ଭୋଳ ହେଲେ

ବୃଦ୍ଧ ସଙ୍ଗେ ବୃଦ୍ଧାମାନେ କେଳି ଆରମ୍ଭିଲେ ।

ନବ ପୁଲକ ହୋଇଲା ସଭିଙ୍କ ଶରୀର

ଅତି ବୃଦ୍ଧ ଖୋଜିଲେ ଯେ ଯୁବାନାରୀବର ।

ଶିବଙ୍କ ହୃଦରେ ବାଣ କରି ଘନ ଘନ

ସକଳ ସ୍ଥାନକୁ ବିନ୍ଧୁ ଥାଆନ୍ତି ମଦନ ।

ବ୍ରହ୍ମେ ଲୟ ଲଗାଇଣ ଭୋଳାନାଥ ଥିଲେ

କାମ ଜ୍ୱାଳା ଶରୀରରେ ଅନୁଭବ କଲେ।

ମଦନ ଯେ ପ୍ରତି ସ୍ଥାନେ ବିନ୍ଧୁଛନ୍ତି ଶର

ନବ ତେଜେ ତେଜୀୟାନ ହୁଅନ୍ତି ଶଙ୍କର।

ଶୁଷ୍କଚର୍ମ ନବପଲ୍ଲବିତ ଯାଏ ହୋଇ

ମାଂସ ରକ୍ତ ପୂର୍ବଠାରୁ ଅଧିକ ହୁଅଇ ।

ମଦନଠାରୁ ଯେ ପ୍ରଭୁ ଦିଶିଲେ ସୁନ୍ଦର

ଦେଖିଣ ଆନନ୍ଦ ଦେବୀ ହୋଇଲେ ଅପାର

ନୂପୁର ଶବଦ ପୁଣି ସୁମଧୁର ଗାନ

ବିବିଧ ବାଦ୍ୟେ ଗନ୍ଧର୍ବ ମୋହୁଛନ୍ତି ମନ ।

ଏଣେ ମଦନ ଯେ ରତିଦେବୀ ସଙ୍ଗେ ଧରି

ଈଶ୍ଵରଙ୍କ ଅଙ୍ଗେ ବାଣ ଦିଅନ୍ତି ପ୍ରହାରି ।

କାମଜ୍ୱାଳା ଯହୁଁ ବେଳୁ ବେଳ ବେଶି ହେଲା

ଯୋଗଲୟେ ଶିବଙ୍କର ମନ ନ ରହିଲା ।

ଛନ୍ନ ଛନ୍ନ ମନେ ପ୍ରଭୁ ହୋଇଲେ ଅସ୍ଥିର

ବ୍ରହ୍ମ ମଧ୍ୟେ ପାର୍ବତୀଙ୍କୁ ଲୟେ କଲେ ହର ।

ଅନଙ୍ଗ ବାଣରେ ପ୍ରଭୁ ଅଧୈର୍ଯ୍ୟ ହୋଇଲେ

କରେ ଚକ୍ଷୁ ମଳି ଦେବ ଅନାଇଣ ଦେଲେ ।

ଦିବ୍ୟ ବେଶ ମଦନର ଅତି ମନୋହର

ତିନିପୁରେ ତା ସମାନ ନାହିଁ କେ ସୁନ୍ଦର ।

ତପ ନଷ୍ଟ କଲୁ ବୋଲି ପରଜ୍ଜ୍ୱଳି ଭୋଳି

ଅନାଇ ଦିଅନ୍ତେ ହୁ ହୁ କାମ ଗଲା ଜଳି ।

ଚାହୁଁ ଚାହୁଁ ଭସ୍ମ ହେଲା ଶରୀର ତାହାର

ଶେଷେ ଦେଖନ୍ତେ କେତେକ ପାଉଁଶ ମାତର

ପୁଣି ସନ୍ତୁଷ୍ଟ ନୟନେ ଦେଲେ ଦେବ ଚାହିଁ

ପାର୍ବତୀ ଦେବୀ ପଛରେ ଛନ୍ତି ଉଭାହୋଇ ।

ଆହେପ୍ରାଣେଶ୍ଵରୀ ବୋଲିକୋଳେ ବସାଇଲେ

ଶିବଙ୍କୁ ପାଇ ପାର୍ବତୀ ଆନନ୍ଦ ହୋଇଲେ ।

ପ୍ରେମଭରେ ଭୋଳାନାଥ ଆଲିଙ୍ଗନ କଲେ

ବହୁଦିନେ ଯେଣୁ ପତି ପତ୍ନୀ ଭେଟ ହେଲେ ।

ଶୁଣ ଆହେ ସାଧୁଜନେ ଏଣେ ଆନ ରସ

ଶିବଙ୍କ କୋପେ ମଦନ ହୋଇଲେ ପାଉଁଶ ।

କାମଦେବଙ୍କ ପଛରେ ରତିଦେବୀ ଥିଲେ

ମଦନଙ୍କ ଭସ୍ମ ସେହୁ ଆଖିରେ ଦେଖିଲେ ।

ଆହା ପ୍ରାଣନାଥ ବୋଲି ମୂର୍ଚ୍ଛାଗଲେ ତହିଁ

ପିଣ୍ଡରୁ ପରାଣ ଛାଡ଼ିଗଲା ପ୍ରାୟ ହୋଇ ।

ଦେବୀ ଉମା ମହେଶ୍ୱର ଅପସରୀ କିନ୍ନର

ରତିଙ୍କୁ ସାଷ୍ଟାମ କରି ମୁଖେ ସିଞ୍ଚି ନୀର ।

ଉଠି ଦେବୀ ବସୁଧାକୁ କରେ ଉଣ୍ଡାଳନ୍ତି

କେଣେ ପ୍ରାଣନାଥ ଗଲ ବୋଲିଣ କାନ୍ଦନ୍ତି ।

ଶଚିଦେବୀ ମାତା ପୁଣି ଇନ୍ଦ୍ରଦେବ ପିତା

ବିଧାତା ଜାମାତା ପୁଣି ଅଟ ରତିଭର୍ତ୍ତା ।

ରୋଦନ କରିଣ ରତି ହୁଅନ୍ତେ ବିକଳ

ନବଯୌବନ ଗୌରୀର ଦିଶେ ଢଳ ଢଳ ।

କେଶ ବାସ ଅସମ୍ଭାଳ ଧୂଳିରେ ଧୂସର

ମଥାଫାଟି ରକ୍ତ ବହିଯାଏ ଧାର ଧାର ।

ଯେତେ ପ୍ରକାରେ ସଭିଏଁ ପ୍ରବୋଧ କରନ୍ତି

କାହାର କଥାରେ ଦେବୀ ତୃପ୍ତ ନ ହୁଅନ୍ତି ।

ବହୁ ବିକଳ ହୋଇଣ ବ୍ରହ୍ମାଙ୍କ କୁମାରୀ

ହର ଗୌରୀ ନିକଟକୁ କାନ୍ଦି ଚଳେ ଗୋରୀ ।

ଏଣେ ମହାଦେବ ମଦନକୁ ଭସ୍ମକରି

ପାର୍ବତୀ ଦେବୀଙ୍କୁ ହର ଛନ୍ତି କୋଳେ ଧରି ।

ହାସ୍ୟ ପରିହାସେ ମାତ ମନୁ ଛାଡ଼ି ବ୍ରୀଡ଼ା

ମୁଖରେ ଚୁମ୍ବନ ଦେଇ ଆରମ୍ଭନ୍ତେ କ୍ରୀଡ଼ା ।

ପାର୍ବତୀ ବୋଲନ୍ତି ନାଥ ଛନ୍ତି ବହୁଜନ

ପାର୍ବତୀ ବୋଲନ୍ତି ଆଦି ସର୍ବେ ବିଦ୍ୟମାନ ।

ଲାଜ ଛାଡ଼ି କିମ୍ପା ପ୍ରଭୁ ହେଉଛ ଆତୁର

ମୁଁ ପରା ପାଶରେ ବନ୍ଧା ରହିଣ ତୁମ୍ଭର ।

ପତି ପତ୍ନୀଙ୍କର କ୍ରୀଡ଼ା ଏକାନ୍ତରେ ହୋଇ

ଏ କଥାକି ଭୁଲିଗଲ ଜଣାଇବି ମୁହିଁ ।

ବିଶେଷତଃ କାମ ଭସ୍ମ କରିଛ ହେ ଦେବ

ଦେଖ ମହାସତୀ ପାଉଅଛି ପରାଭବ ।

ସ୍ତିରୀଙ୍କ ବେଦନା ସିନା ସ୍ତିରୀଏ ଜାଣନ୍ତି

ତାକୁ ଦେଖୁ ଶୃଙ୍ଗାରରେ ନାହିଁ ମୋର ମତି ।

ଆଗ ରତିକୁ ସନ୍ତୁଷ୍ଟ କର ଆହେ ଦେବ

ପଛରେ ଶୃଙ୍ଗାର କଲେ ସୁଖ ଉପୁଜିବ ।

ପଡ଼ି ହର ପାଦେ ରତି କରଇ ରୋଦନ

କିପରି ଧରିବି ପ୍ରଭୋ କହ ମୋ ଜୀବନ ।

ଶ୍ରାବଣ ଧାରା ପରାୟେ ତା ନୟନୁ ବୀର

ରହି ଯାଉଥାଏ ହର ଗୌରୀ ପାଦ ପର ।

ତୁମ୍ଭେ ଦେବ ଜଗତର ଅଟ ପିତା ମାତା

ସବୁଠାରେ ଅଟେ ତବ ଅଧିକ କ୍ଷମତା ।

ଏତିକି ମାତର ପାଦେ ମାଗୁଣି ମୋହର

ସେ ସ୍ଵାମୀକୁ ଆଣି ପ୍ରଭୁ ମୋତେ ଦାନକର

ବହୁତ ତପ ଯେ ରତି ଶିବଙ୍କୁ କରିଲେ

ସନ୍ତୁଷ୍ଟ ହୋଇଣ ଭୋଳି ବଚନ ଭାଷିଲେ ।

କିମ୍ପା ଦେବୀ କାନ୍ଦୁଅଛୁ ମୋର ଦୋଷ ନାହିଁ

ଜାଣୁ ଜାଣୁ ତୋର ସ୍ଵାମୀ ମଲାରେ ସୁମୁହୀଁ

ଚଉଦ ମନରୁ ତପ ମୋର ନାଶ କଲା

ତେଣୁ କର୍ମ ଅଭାବରୁ ମଦନ ମରିଲା ।

ତୋ ସ୍ଵାମୀ ମୋହର ତପ ଭାଙ୍ଗିଲାକ ଯେଣୁ

ପାର୍ବତୀଙ୍କ ଅଙ୍ଗସଙ୍ଗ ଲଭିଲି ମୁଁ ତେଣୁ ।

ନ ମରିଥିଲେ ମଦନ ମୋର ତପ କେହି

ନ ପାରିଥାଆନ୍ତେ ଭାଙ୍ଗି ଶକ୍ତି କାର ନାହିଁ

ତେବେବଡ଼ ଜ୍ଞାନୀ ବୋଲି ମୋରପାଶେ ମଲା

କାଳକାଳକୁ ବ୍ରହ୍ମାଣ୍ଡେ ଯଶ ସେ ରଖିଲା ।

ନିଜେ ନାଶ ଯାଇ ପରେ କିଲା ଉପକାର

ତା ସମାନେ ତ୍ୟାଗୀ କେହି ନାହିଁ ତିନିପୁର ।

ନ ମରିଥିଲେ ମଦନ ନ ଥାନ୍ତି ମୁଁ ଫେରି

ତାରକାସୁରକୁ କେହି ନ ପାରନ୍ତି ମାରି ।

ଏତେ ବୋଲି ରତିକୁ ଯେ ସନ୍ନିଧିକୁ ରାଇ

ଧାତୁ ଦ୍ରବ୍ୟ ଅଷ୍ଟାକ୍ଷର ଦେଲେ ସେ ଶିଖାଇ ।

ବୋଇଲେ ମନ୍ତ୍ରର ଗୁଣ ଅଟଇ ଅପାର

ସମୁଦ୍ର ମନ୍ଥନେ ପାଇଥିଲି ପୁରସ୍କାର ।

ଅତି ଗୋପନରେ ସଖୀ ମୁହିଁ ରଖିଥିଲି

ତୋହର ବିକଳ ଦେଖି ଆଜ ଦାନକଲି ।

ଏହି ମନ୍ତ୍ର ଗୋଟି ପ୍ରତିଦିନ ଜପକଲେ

ଯାହା ମନାସିବୁ ତାହା ମିଳିବ ବୋଇଲେ ।

ଏହାର ମହିମା ଗୋଟି ଅଟେ ଅଗୋଚର

ନ ଲାଗଇ କ୍ଷୁଧା ତୃଷା ନିଦ୍ରା ଯେ ଆବର ।

ଏ ମନ୍ତ୍ର ଜପିଲେ ସଦାକାଳେ ଯୁବା ଥିବ

ରୋଗ ଶୋକ ଜରା ବ୍ୟାଧି ଅଙ୍ଗେ ନ ଛୁଇଁବ ।

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ତିନି

ଶତ୍ରୁ ଦେଖିଲେ ମୁଖକୁ ହୋଇ ଯିବେ ତୁନି ।

ଯେତେବେଳେ ଯେଉଁ ରୂପେ ଇଚ୍ଛା ହେବ ତୋର

ଏହି ମନ୍ତ୍ର ଜପକଲେ ହେବୁ ନାରୀବର

ଏ ମନ୍ତ୍ର ଗୋଟି ଜପିଲେ ସ୍ୱାମୀଙ୍କୁ ପାଇବୁ

ନିଜ ମନକଥା ଗୋଟିଏ ପରେ ନ କହିବୁ ।

ଆବର ଖଣ୍ଡିଏ ମାତ୍ର ମୂଳ ଘେନିଯାଅ

ନବ ଉଚ୍ଚାଟନ ମହୌଷଧି ସାଧି ଖାଅ ।

ଏ ମୂଳ ଖାଇଲେ ତୁହି ଦେବୁ ମହାଜ୍ଞାନୀ

ଅତି ଆପଣାର ଲୋକେ ନ ପାରିବେ ଚିହ୍ନି ।

ରତି ଦେବୀଙ୍କର ମନ ଥୋକେ ଶାନ୍ତି ହେଲା

ପତିଙ୍କୁ ପାଇବ ବୋଲି ଯହୁଁ ସେ ଜାଣିଲା ।

ଶିବଙ୍କର ପଦରଜ ମୁଣ୍ଡେ ବୋଳି ସତୀ

ଗନ୍ଧର୍ବ ସହିତେ ସ୍ୱର୍ଗେ ଚଳିଗଲେ ରତି ।

ସର୍ବେ ଚଳିଯିବାରୁ ଯେ ଏକାନ୍ତରେ ହର

ମିଳିଲେ ଧବଳପୁର ନାମ ଯେ କନ୍ଦର ।

ବିରହେ ବ୍ୟାକୁଳ ହୋଇ ଉମା ସଙ୍ଗେ ଶିବ

କୋଳେ ବସାଇ ହରଷେ ଗଣ୍ଡେ ଦେଲେ ଚୁମ୍ବ

ମଦନ ତ ଲୋମେ ଲୋମେ ବିନ୍ଧିଅଛି ଶର

ରତି ମଧ୍ୟ ପାର୍ବତୀଙ୍କୁ କରିଛି ଆତୁର ।

ଉନ୍ମାଦ ହୋଇଣ ଶିବ ପାର୍ବତୀ ଯେ ଦୁଇ

ନାନା କଉତୁକେ କ୍ରୀଡ଼ା କଲେ ହର୍ଷ ହୋଇ ।

ବହୁଦିନରୁ ସଞ୍ଚିତ ରେତ ରହିଥିଲା

ହରଙ୍କ କପାଳୁ ବ୍ରହ୍ମବୀର୍ଯ୍ୟ ଯେ ଖସିଲା ।

ପାର୍ବତୀଙ୍କ ଗର୍ଭେରେ ତ ଯାଇଣ ମିଳିଲା

ସମ୍ଭାଳି ନ ପାରି ଦେବୀ ବାହୁଡ଼ି ଆସିଲା ।

ପାଲଟିଣ ଶମ୍ଭୁ ବିନ୍ଦୁ ପଡ଼ିଲାକ ଢଳି

ଅକ୍ଷୟ କନ୍ଦର୍ପେ ମାତ୍ର ନ ଯାଏ ମଉଳି ।

ଶୃଙ୍ଗାରେ ଯେବଣ ସ୍ଥାନ ଖାଲ ହୋଇଥିଲା

ବିନ୍ଦୁ ପଡ଼ନ୍ତେଣ ଏକ ବିବର ଫୁଟିଲା ।

ସେହି ବିନ୍ଦୁ ପଡ଼ି ବିନ୍ଦୁ ସାଗର ହୋଇଲା

ପୁଣି ଥୋକାଏ ଏକ ବୀର୍ଯ୍ୟ ଉଛୁଳି ପଡ଼ିଲା ।

ସଂସାର ଧାତୁ ନାମରେ ହୋଇଲା ବିଦିତ

ପାରା ବୋଲି ଯେଉଁ ଧାତୁ ହୋଇଛି ବିଖ୍ୟାତ ।

ଆଉ ଥୋକା ଏକ ବିନ୍ଦୁ ଶିବ ହସ୍ତେ ଧରି

ପବନ ଦେବତାକୁ ଯେ ବୋଇଲେ ହକାରି ।

ଆହେ ମରୁତ ଆମ୍ଭର ବୋଲ ମାନି ତୁହି

ଉପଯୁକ୍ତ କ୍ଷେତ୍ରେ ଏହି ବିନ୍ଦୁ ପକା ନେଇ ।

ଏ ବୀର୍ଯ୍ୟ ମଧ୍ୟରୁ ଜାତ ହେବ ଯେଉଁ ସୁତ

ପୃଥିବୀ ମଧ୍ୟରେ ଦେବୀ ସେହି ବଳବନ୍ତ ।

ତାରକାସୁରକୁ ସେହି ନିଧନ କରିବ

ଏହା କହି ବିନ୍ଦୁ ଦେଲେ ପବନକୁ ଶିବ ।

ସେଠୁ ଈଶ୍ଵର ପାର୍ବତୀ କଇଳାସେ ଗଲେ

ଅତି ଯତନେ ବିନ୍ଦୁକୁ ବାୟୁ ସାଇତିଲେ ।

ଏଥୁଅନ୍ତେ ଶୁଣ ନରେ ଅପୂର୍ବ ବିଧାନ

ଷଡ଼ କୁମାରୀଙ୍କୁ ଗୁଣ କରିବି ଲେଖନ ।

ଏକସ୍ଥାନେ ବାଳୁତ କୁମାରୀ କେତେ ଜଣ

ଖେଳ ଖେଳୁଥାନ୍ତି ସର୍ବେ ହରଷ ହୋଇଣ ।

ବରୁଣ ଆଦିତ୍ୟ ଇନ୍ଦ୍ର ଚନ୍ଦ୍ରଙ୍କ କୁମାରୀ

ଏକୁ ଏକ ବଳି ସର୍ବେ ଅଟନ୍ତି ସୁନ୍ଦରୀ ।

କାହାକୁ ବୟସ ବାର କାକୁ ଅଟେ ତେର

ଅତି ବେଶି ହେଲେ କାରେ ହୋଇବ ପନ୍ଦର ।

ଖେଳ ସାରି ସର୍ବଜେନ ସ୍ନାହାନ ସାରିଲେ

ଶୀତେ ଜଳ ମଧ୍ୟେ ଥାଇ ଥରହର ହେଲେ ।

ସ୍ନାନ ସାରି ଓଦା ବସ୍ତ୍ର ଅଙ୍ଗେ ଢାଙ୍କି ଗୋରୀ

ଦୂରେ ଅନଳ ଜଳୁଛି ଦେଖିଲେ କୁମାରୀ ।

ଶୀତେ ଥରି ଯାଉଥାଏ ସଭିଙ୍କ ଶରୀର

ଅନଳ ନିକଟେ ଯାଇ ହୋଇଲେ ହାଜର ।

ଓଦାଲୁଗା ଫିଙ୍ଗିଦେଇ ଉଲଗ୍ନ ହୋଇଣ

ଅଗ୍ନି ଚଉପାଶେ ଘେରି ବସିଲେ ହର୍ଷେଣ

ଅନଳ ଚତୁଃପାର୍ଶ୍ୱରେ ସର୍ବେ ଛନ୍ତି ବେଢି

ଦେହେ ବସ୍ତ୍ର ନାହିଁ ସବୁ ତଳେ ଅଛି ପଡ଼ି ।

ଯହୁଁ ମରୁତ ଦେଖିଲା ସର୍ବେ ବିବସନ

ଭାବିଲା ମୋହର କାର୍ଯ୍ୟ କରିବି ସାଧନ ।

ଯାଉଛି ବୀର୍ଯ୍ୟ ମୁଁ ଦେବି ଅନଳେ ପକାଇ

ପୋଡ଼ି କୁମାରୀଙ୍କ ଗର୍ଭେ ଯିବ ସେ ପଳାଇ ।

ଗୁପ୍ତେ ରେତ ଆଣି ପବନ ଯେ ପକାଇଲା

ଅନଳ ତେଜରେ ବିନ୍ଦୁ ତରଳି ପଡ଼ିଲା ।

ଉଲଗ୍ନ ହୋଇଣ କୁମାରୀ ଯେ ଥିଲେ ବସି

ନିଜ ସ୍ଥାନ ଦେଖି ବିନ୍ଦୁ ଗର୍ଭେ ଗଲା ପଶି ।

କମଳ ମୂଳ ଦେଇଣ ବ୍ରହ୍ମବୀର୍ଯ୍ୟ ଗଲା

ଭ୍ରମର ଗୁମ୍ଫା ମଧ୍ୟରେ ଯାଇଣ ମିଳିଲା ।

ଭେଟୁ ନାଭିଚକ୍ର ଦ୍ଵାରମାନ ହେଲା ବନ୍ଦ

ଅତି ଅଦ୍ଭୁତ କରମ ହେଲା ବଡ଼ ମନ୍ଦ ।

ଦିନୁ ଦିନ କୁମାରୀଙ୍କ ଗର୍ଭ ବିକାଶିଲା

ଯେତେ ଲୁଚାଇଲେ ମାତ୍ର କେଭେ ନ ଲୁଚିଲା ।

ତହୁଁ ସର୍ବ କୁମାରୀଏ କରିଲେ ବିଚାର

ଉଦ୍‌ଗାରୀ ସମସ୍ତେ କରିଦେବା ଯେ ବାହାର

ସେହି ଉପାୟଟି ଷଡ଼କନ୍ୟା କରି ସ୍ଥିର

ଉଜାଣି ପବନ ଭିଡ଼ି କଲେ ସେ ଉଦ୍‌ଗାର ।

ଉଦ୍‌ଗାରନ୍ତେ ଭୂମି ତଳେ ପଡ଼ନ୍ତି କୁମର

ଦେହେ ନାଳ ଜର ଜର ବଡ଼ାଇ ସୁନ୍ଦର ।

ତହିଁ କୁମାରୀଏ କଥା ଏକ ସ୍ଥିରକରି

ପଦ୍ମନାଦେ ବାନ୍ଧିଲେକ ସର୍ବ ଏକ କରି

ଷଡ଼ପୁତ୍ର ଏକ କରି ପଦ୍ମପତ୍ରେ ଭରି

ଜଳ ମଧ୍ୟକୁ ଯେ ଫିଙ୍ଗି ଦେଲେ ଭୟ କରି ।

ଫୋପାଡ଼ି ଦେଇଣ ବାଳୀ ଯେଝା ଘରେ ଗଲେ

କାହାକୁ କିଛି ନ କହି ନୀରବ ରହିଲେ ।

ଏଥୁଅନ୍ତେ ଶୁଣ ନରେ ଆନ ସମାଚାର

ପୋଟଳା ଭିତରେ ଶିଶୁ ହେଲା ଏକାକାର ।

ସେ ତ ନିରଞ୍ଜନ ପୁରୁଷର ବ୍ରହ୍ମଚର୍ଯ୍ୟ

ଷଡ଼ପୁତ୍ରେ ଏକ ହୋଇ ବିକଶିଲା ତେଜ ।

ପ୍ରାଣେ ନ ମରି କୁମର ଏକତ୍ର ହୋଇଲା

ପାଦ ପ୍ରହାର କରନ୍ତେ ପୋଟଳା ଫାଟିଲା ।

ଷଡ଼ମୁଣ୍ଡ ଦୁଇପାଦ ଦ୍ଵାଦଶ ଯେ କର

ମହା ତେଜୀୟାନ୍‌ ରୂପ ଅତି ବଳିୟାର ।

ସ୍ୱର୍ଗେ ଥାଇ ଦେବଗଣ ପୁଷ୍ପ ବରଷିଲେ

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ଆସି ନିକଟେ ମିଳିଲେ ।

ପୁତ୍ରକୁ କୋଳରେ ଧାତା ଆଗ୍ରହେ ଧରିଲେ

ଚନ୍ଦ୍ର ତାହାଙ୍କ ପାଟିରେ ଅମୃତ ଯେଦେଲେ

କୁଆଁର ପୂର୍ଣ୍ଣମୀ ଦିନ କୁମାରୀ ଗର୍ଭର

ଜନ୍ମହେଲା ବୋଲି ନାମ ଦେଲେ ଯେ କୁମାର ।

କୈଳାସରେ ଯହୁଁ ହର ପାର୍ବତୀ ଶୁଣିଲେ

ପୁତ୍ରକୁ ନେବା ପାଇଁକି ସେ ଯେ ଦଉଡ଼ିଲେ ।

ମହେଶ୍ଵରଙ୍କ ଆନନ୍ଦ କେ ପାରିବ କହି

ଦେବୀଙ୍କର ରଜ ଶିବଙ୍କର ବୀର୍ଯ୍ୟ ସେହି ।

ନିଶ୍ଚେ ଦେବୀଙ୍କ ଗର୍ଭକୁ ରେତ ଥିଲା ଯାଇ

ତେଣୁ ପୁତ୍ରଗୋଟି ପ୍ରାପ୍ୟ ତାହାଙ୍କ ଅଟଇ ।

କନ୍ଦର୍ପଠାରୁ ସୁନ୍ଦର ରୂପ କୁମାରର

କୋଳେ ଧରି ଦେବୀ ଚୁମ୍ବ ଦିଅନ୍ତି ମୁଖର ।

କୈଳାସେ ନେଇଣ ପୁତ୍ର ପାର୍ବତୀ ଯାଆନ୍ତି

ଏ ସମୟେ ସୂର୍ଯ୍ୟ ଅସ୍ତଗାମୀ ହେଉଥାନ୍ତି ।

ସ୍ୱଭାବେ ବାଳକ ଏକ କିଛି ଜାଣେ ନାହିଁ

କଉତୁକେ ସୂର୍ଯ୍ୟ ରଥ ହସ୍ତେ ଓଟାରଇ ।

ଦକ୍ଷେ ସୂର୍ଯ୍ୟ ରଥ ବାମେ ଇନ୍ଦ୍ରକୁ ଟାଣିଲେ

ଦେଖି ଦିନମଣି ମନେ ମହାଭୟ କଲେ ।

ପାର୍ବତୀ ଦେବୀ ପୁତ୍ରକୁ ବହୁ ବୁଝାଇଲେ

ମାତାଙ୍କ ବଚନେ କୁମାର ଯେ ଛାଡ଼ିଦେଲେ ।

ପୁତ୍ର ବୀରତ୍ଵ ଦେଖିଣ ମାତା ପିତା ଦୁଇ

ଭାବନ୍ତି ନିଶ୍ଚେ ତାରକା ମାରିବ ଯେ ଏହି ।

କୈଳାସେ କୁମରମଣି ନିଶ୍ଚିନ୍ତରେ ରହି

ଶୁକ୍ଳପକ୍ଷ ଚନ୍ଦ୍ର ପରି ଜ୍ୟୋତି ବିକାଶଇ ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତ

ଶୁଣନ୍ତେ ଖଣ୍ଡଇ ଦେହୁ ଅଶେଷ ଦୂରିତ ।

ଦିନେ ତାରକା ପୁରରେ ମହର୍ଷି ନାରଦ

ମନ ଯାନେ ପ୍ରବେଶିଲେ କରି ବୀଣାନାଦ ।

ନାରଦଙ୍କୁ ଦେଖିଣ ଯେ ତାରକା ଅସୁର

ପାଦେ ଅର୍ଘ୍ୟ ଦେଇ ପୂଜାକରେ ଦୈତ୍ୟବର

ବୋଇଲେ ହେ ମୁନିବର ନିସ୍ତରିଲି ମୁହିଁ

ବ୍ରହ୍ମ ରଷିଙ୍କ ପୟର ରାଜ୍ୟେ ପଡ଼ିଛଇଁ ।

ଆସ୍ଥାନ ଉପରେ ନେଇ ନାରଦେ ବସାଇ

ସୁମିଷ୍ଟ ଦ୍ରବ୍ୟ ଭୋଜନ ନିମନ୍ତେ ଦିଅଇ ।

ବୋଲଇ ହେ ମୁନିଶ୍ରେଷ୍ଠ କୁହ ଭଲ ମନ୍ଦ

ତୁମ୍ଭେ ତ ତ୍ରିକାଳଜ୍ଞାତା ଜାଣ ସର୍ବ ଭେଦ ।

ଅତୁଳ ଭକ୍ତି ମହର୍ଷି ଦେଖିଣ ତାହାର

ଖେଦ ମନେ ବସିଲେକ ବ୍ରହ୍ମାଙ୍କ କୁମର ।

ଅସୁର ବୋଲଇ ଦେବ କିମ୍ପା ମନ ଦୁଃଖ

କରିଣ ବସିଛ ଶୁଖିଲା ଦିଶୁଅଛି ମୁଖ ।

ଶୁଣିଣ ନାରଦ ଭାଷନ୍ତି ଯେ ଭୀତ ମନେ

କି କହିବି ବାକ୍ୟ ମୋର ନ ସ୍ଫୁରଇ କେହ୍ନେ

ନିକଟେ ଶତ୍ରୁ ଗୋଟାଏ ଜାତ ହେଲା ତୋର

ବାଳକାଳୁ ରୂପ ତାର ମହା ଭୟଙ୍କର ।

ଈଶ୍ୱର ବୀର୍ଯ୍ୟ ପାର୍ବତୀ ରଜରୁ ଯେ ସୁତ

ମହା ବଳବାନ ହୋଇ ହୋଇଛି ସମ୍ଭୁତ ।

ସମସ୍ତ ଦେବତାମାନେ କଉଶଳ କରି

ଶିବଙ୍କର ତପଭଗ୍ନ କରିଲେ ବିଚାରି ।

ତୋତେ ମାରିବା ପାଇଁକି ଜନ୍ମିଛି କୁମାର

ତେଣୁ ମହାଭୟ ହୁଏ ମନରେ ଆମ୍ଭର ।

ନାରଦଙ୍କଠାରୁ ଏହା ଶୁଣିଣ ଅସୁର

ଅଟ୍ଟହାସ୍ୟେ କମ୍ପାଇଲେ ବୀର ତିନିପୁର ।

ନାରଦ ବୋଇଲେ ତୁମ୍ଭେ ଶ୍ରେଷ୍ଠ ଋଷି ହୋଇ

ବିଗିଡ଼ି ଯାଉଛି ତମ ମଥା ଠିକ୍‌ ନାହିଁ ।

ସାମାନ୍ୟ ବାଳକ ଦୁଗ୍‌ଧ ପୋଷ୍ୟ ଶିଶୁ ଛାର

ସେ ପୁଣି ପରାଣ ନେବ ନରକାସୁରର ।

ଅସମ୍ଭବ କଥା ମୋତେ କୁହ ମୁନିବର

ଶୁଣିଲେ ଜଗତ ଜନେ ହସିବେ ପ୍ରଖର ।

ପାତ୍ରମନ୍ତ୍ରୀ ରାଇ ଦୈତ୍ୟ ସଭା ମଧ୍ୟେ ବସି

ବୋଲେ ଅସମ୍ଭବ କଥା କହନ୍ତି ମହର୍ଷି ।

ଏମାନେ ଅଟନ୍ତି ଋଷି ଦେହେ ବଳ ନାହିଁ

ସାମାନ୍ୟ ଲୋକ ଦେଖିଲେ ଡରିଯାନ୍ତି ଏହି

ତେଣୁ ଭୟ ପାଇ ଆସିଛନ୍ତି ମୁନିବର

ନିଶ୍ଚୟ ସେ ଶିଶୁ କାଲି କରିବି ସଂହାର ।

କରେ ବିକଟାଳ ରଡ଼ି ରଟମଟ ଚାହିଁ

ସେହି ରଡ଼ି ଘାତେ ତିନିପୁର ଯେ କମ୍ପଇ ।

କୁମାରୀ ଯେ କରେ ଏକ ଧନୁଶର ଧରି

ଏକାକୀ ଏକାମ୍ର ବନେ ଥିଲା ଯେ ବିହରି ।

ତାରକା ଶବଦ ଯହୁଁ କର୍ଣ୍ଣରେ ଶୁଣିଲା

କନ କନ ହୋଇ ଚଉଦିଗେ ଅନାଇଲା ।

ଯେହ୍ନେ ଶିକାରେ ବାସରେ ଚାହେଁ ପଶୁବର

ତେସନେ କୁମରମଣି ଚାହେଁ ଚୌପାଶର ।

ବୋଲେ କିଏରେ ପାମର କରୁଅଛୁ ରଡ଼ି

ଜାଣୁ ନାହୁଁ ମୋତେ ଗର୍ଜ୍ଜୁ ଯେହ୍ନେ ଘଡ଼ଘଡ଼ି ।

ସେ ବନରେ ଏକ ବଜ୍ର ଫିଙ୍ଗି ପଡ଼ିଥିଲା

ଦକ୍ଷ କରେ କୁମାର ଯେ ଗୋଟାଇ ଧଇଲା

ବାମ ହସ୍ତରେ ଯୋଚିଲା ସେ ପନ୍ନଗା ଶର

ଶବଦକୁ ଅନୁସରି ବିନ୍ଧଇ ସତ୍ଵର ।

ହୁଁକାର ନାଦ କରିଣ ସେହି ଶର ଗଲା

ସତୁରି ଯୋଜନ ଏକ ପର୍ବତେ ବାଜିଲା ।

ପ୍ରଚଣ୍ଡ ମୂରତି ଶର କରି ଗରଜନ

ତାରକାସୁର ମସ୍ତକେ ପଡ଼ିଲା ବହନ ।

ଗର୍ବଭରେ ସିଂହାସନେ ବସିଥିଲା ବୀର

ସଭା ସ୍ଥଳେ ଥିଲେ ଲକ୍ଷ ଲକ୍ଷ ପରିଚାର ।

ରତ୍ନ ସିଂହାସନେ ତୁଳିତଳ୍ପେ ନରସାଇଁ

ଥିଲେ ବିଜେ କରି ବହୁ ସେବୁଥିଲେ ରହି ।

କୁମରର ଶର ଗୋଟି ପଡ଼ି ମଥାପର

ଅସୁରର ଛଟପଟେ ହୋଇଲା ବାହାର ।

ବଚନ ନ ଭାଷି ଦୈତ୍ୟ ଆଉଜି ପଡ଼ିଲା

ତକ୍ଷଣେ ତା ପିଣ୍ଡୁ ପ୍ରାଣପକ୍ଷୀ ଉଡ଼ିଗଲା ।

ପାତ୍ର ମନ୍ତ୍ରୀ ଅମାନତ୍ୟ ଯେତେ ବସିଥିଲେ

କି ହେଲା କି ହେଲା ବୋଲି ସରବେ ଧାଇଁଲେ

ଦେଖିଲେ ସରବେ ରାଜା ପିଣ୍ଡେ ପ୍ରାଣ ନାହିଁ

ଶିଶୁମୁନା ଭେଦି ଶର ଯାଇଛି ପଳାଇ ।

ଦୈତ୍ୟବର ପାଶେ ଯେତେ ପାର୍ଶ୍ୱଚର ଥିଲେ

ରାଜା ଗୁଣ ବାହୁନିଣ ସରବେ କାନ୍ଦିଲେ ।

ଦେବଋଷି ଆସ୍ଥାନ ଉପରେ ଥିଲେ ବସି

ରାକ୍ଷାସର ମୃତ୍ୟୁ ଦେଖି ମନେହେଲେ ଖୁସି ।

ତକ୍ଷଣେ ମନଯାନରେ ଚଢ଼ି ଋଷିବର

ଦଣ୍ଡକରେ ସ୍ୱର୍ଗପୁରେ ହୋଇଲେ ହାଜର ।

ତାରକା ମରଣ କଥା ଦେବଙ୍କୁ କହିଲେ

ଶୁଣିଣ ଅମରଗଣ ଆନନ୍ଦ ହୋଇଲେ

ଇନ୍ଦ୍ର ଚନ୍ଦ୍ର ବରୁଣାଦି ଦଶଦିଗପାଳ

ଯେ ଯାହାର ଆସ୍ଥାନକୁ ଚଳିଲେ ସକଳ ।

ସ୍ଵରଗ ପୁରେ କୁମାର ଉତ୍ସବ ହୋଇଲା

ମହାନନ୍ଦେ ଚଉଦିଗ ଚମକି ଉଠିଲା ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ତାରକା ଦାନବ

ମରିବାରୁ ଦେବଗଣ ପାଳିଲେକ ସର୍ବ ।

ଧାତା ଆଦି ଦେବଗଣ କୈଳାସେ ମିଳିଲେ

ହର ପାର୍ବତୀଙ୍କୁ ବାର୍ତ୍ତା ଏହି ଜଣାଇଲେ ।

କୁମାରକୁ ନିକଟକୁ ରାଇ ଦେବଗଣ

ନାନାବିଧ ଅଳଙ୍କାର ମଣ୍ଡିଲେ ଯତ୍ନେଣ ।

ତେତ୍ରିଶକୋଟି ଦେବତା ଏକମେଳ ହୋଇ

କଲ୍ୟାଣ କଲେ କୁମାର ହୁଅନ୍ତୁ ଦୀର୍ଘାୟୁ ।

ବ୍ରହ୍ମା ଯେ ବୋଇଲେ ଏତ ଅଟେ ନିରଞ୍ଜନ

ପୃଥିବୀର ଭାରାଭର କରିବ ଦହନ ।

କାର୍ତ୍ତିକ ବୋଲିଣ ନାମ ଦେଲେ ଦେବଗଣ

ସେ ଦିନୁ କାର୍ତ୍ତିକବ୍ରତ ହୋଇଲା ପାଳନ ।

ଯେଣୁ କୁମାରୀ ଗର୍ଭରୁ ହୋଇଲେ ସମ୍ଭୂତ

ସେ ନେଲ କୁମାର ନାମ ପୃଥିବୀ ବିଦିତ ।

ତେଣୁ କୁମାରୀ କରନ୍ତି କୁମାର ପରବ

କୁମାର ପରାୟ ପତି ତାହାଙ୍କୁ ମିଳିବ ।

ନୋକିଲେ ପାଇଲେ ପୁତ୍ର ତାହାଙ୍କ ସମାନ

ଭକ୍ତିରେ କରିବେ ଯେହୁ ଏ ବ୍ରତ ପାଳନ ।

ବିବାହିତା ବାଳୀମାନେ କରିଲେ ଏ ବ୍ରତ

ନିଶ୍ଚେ କାର୍ତ୍ତିକ ସମାନ ପୁତ୍ର ହେବ ପ୍ରାପ୍ତ ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ପୂର୍ବ ବିଧାନ

ଶୁଣିଲେ ସର୍ବ କଳ୍ମଷ ହୋଇବ ଦହନ ।

ସ୍ୱୟଂ ପରମ ପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ

ଆରମ୍ଭିଲେ ଚିତ୍ତବୋଧ ହୋଲଣ ଆନନ୍ଦ ।

କାଳ କରାଳ ମୂରତି ଦେଖି ନ ରହିଲେ

ବୈକୁଣ୍ଠନାଥ ବୈକୁଣ୍ଠପୁରେ ପଳାଇଲେ ।

ଚାରିଖଣ୍ଡ ଲେଖିବାକୁ ଆଦ୍ୟ ଛନ୍ତି କହି

କିନ୍ତୁ ଅଧା ରଖି ଗଲେ ସ୍ୱରଗେ ପଳାଇ ।

ଅସମ୍ପୂର୍ଣ୍ଣ ଗ୍ରନ୍ଥ ଦୁଇଖଣ୍ଡ ଥିଲେ ଥୋଇ

ପ୍ରକାଶ କରିଲେ ଧର୍ମଗ୍ରନ୍ଥ ଷ୍ଟୋର ନେଇ ।

ତୃତୀୟ ଖଣ୍ଡ ଲେଖିଲେ ଇନ୍ଦ୍ରମଣି ସାହୁ

ମୋ ଦ୍ଵାରା ଚତୁର୍ଥ ଖଣ୍ଡ ଲେଖାଇଲେ ସେହୁ

ଅଚ୍ୟୁତାନନ୍ଦଙ୍କ ଶ୍ରୀଚରଣେ କରି ଲୟ

କଲମ ଧରୁଛି ମୁହିଁ ନାହିଁ ତିଳେ ଭୟ ।

ଯଦି ତ୍ରୁଟିଥାଏ ସାଧୁଜନେ ନ ଧରିବେ

ଦୟାକରି କ୍ଷେତ୍ରମୋହନକୁ କ୍ଷମାଦେବେ ।

 

 

Unknown

ରତିଙ୍କର ତପସ୍ୟା ଓ କନ୍ଦର୍ପର ଜନ୍ମ ଓ
ସମ୍ବରାସୁର ଦ୍ୱାରା ରତିଦେବୀ ହରଣ

ଶୁଣ ଆହେ ସାଧୁଜନେ ଦେଇ ମନକର୍ଣ୍ଣ

ଶିବଙ୍କ କୋପରେ ଭସ୍ମ ହୋଇଲେ ମଦନ ।

ପୁଣି ଷଡ଼କନ୍ୟାଠାରୁ କୁମର ଜନ୍ମିଲେ

ପନ୍ନଗା ଶର ପେଶିଣ ତାରକା ଧ୍ୱଂସିଲେ ।

ତାହାପରେ ଯାହା ହେଲା ଶୁଣ ମନଦେଇ

ଶିବଠାରୁ ରତିଦେବୀ ଗଲେ ବର ନେଇ ।

ତାର ପିତା ବିଧାତାଙ୍କ ପାଶରେ ମିଳିଲେ

ସ୍ଵାମୀ ଭସ୍ମ ହେବା କଥା ତାହାଙ୍କୁ କହିଲେ ।

ଅତି କାରୁଣ୍ୟ ହୋଇଣ ପିତା ପାଦେ ପଡ଼ି

କାନ୍ଦିଣ ଯେ ସତୀ ମୂର୍ଚ୍ଛା ଯାଏ ଘଡ଼ିଘଡ଼ି ।

କନ୍ୟାର ବିକଳ ଦେଖି ଧାତା ନେତ୍ରୁ ନୀର

ବହି ଯାଉଥାଏ ବାରି ପରି ଧାର ଧାର ।

ବୋଲନ୍ତି ଲୋ ମାତ ମୋର ବୋଲି ତୁହି ମାନ

ସୁଖ ଦୁଃଖ ନର ପକ୍ଷେ ସମସ୍ତ ସମାନ ।

ଜନ୍ମ ହେଲା ବେଳେ ଭାଲେଲେଖା ଯାହା ଥାଇ

ସ୍ୱୟଂ ଗୋଲକପତି ତା ଆନ ନ କରଇ ।

ତୁହି ମାତ ମନମଧ୍ୟେ ଭାବନା ନ କର

ତୋର ଦୁଃଖ ଦେଖି ଛାତି ଫାଟିଯାଏ ମୋର ।

ତୋ ସ୍ୱାମୀ ନିମିତ୍ତ ଅଛି ଦେବତାଙ୍କ ମାନ

ରହିଲା ତାରକାସୁର ହୋଇଲା ନିଧନ ।

ଏହିପରି ଧାତା ରତିଦେବୀଙ୍କୁ ତୋଷିଲେ

ଶେଷେ ଖଣ୍ଡିଏ ପୁସ୍ତକ ଆଣି ଦାନ କଲେ ।

କହିଲେ ଲୋ ମାତ ଏହି ଖେଦା ଖଣ୍ଡି ନିଅ

ମର୍ତ୍ତ୍ୟଭୁବନେ ଯାଇଣ ତପସ୍ୟା ଭିଆଅ ।

ମୃତ୍ୟୁ ସଂଜୀବନୀ ଆଦି ସ୍ତମ୍ଭନ ମୋହନ

ମନ୍ତ୍ରବଳେ ନିଜ କାୟା କରିବୁ ଗୋପନ ।

ଯେତେବେଳେ ଯେଉଁଦ୍ରବ୍ୟମନେ ତୁ ଲୋଡ଼ିବୁ

ମନ୍ତ୍ରସୁମରିଲେ ତାହା ତକ୍ଷଣେ ପାଇବୁ ।

ସ୍ବାମୀଙ୍କୁ ଚାହିଁଲେ ମଧ୍ୟ ଦର୍ଶନ ପାଇବୁ

ରାତ୍ର ବ୍ୟତିରେକ ଦିବସରେ ନ ପାଇବୁ ।

ବିରହ ବାଧା ମଧ୍ୟ ତୁ ଜାଣି ନ ପାରିବୁ

ପରମ ପୁରୁଷ ପାଦେ ଲୟ ଲଗାଇବୁ ।

ଅଳପ ଦିନେ ଗୋ ଦଶା ଘୁଞ୍ଚିଯିବ ତୋର

ତୋ ସ୍ୱାମୀ ରୁକ୍ମିଣୀ ଗର୍ଭୁ ହୋଇବ ସଞ୍ଚାର

ଦ୍ଵାପର ଯୁଗରେ ବିଷ୍ଣୁ କୃଷ୍ଣ ଅବତାର

ହୋଇବେ ଶ୍ରୀଲକ୍ଷ୍ମୀ ଦେବୀ ରୁକ୍ମିଣୀ ନାଁ ତାର

ତାଙ୍କ ଗର୍ଭେ ତୋର ସ୍ଵାମୀ ଜନମ ଲଭିବ

ସମ୍ବରା ଅସୁର ଘରେ ତୋତେ ଭେଟ ହେବ

ତୋତେ ବଳାତ୍କାରେ ନେବ ସମ୍ବର ଅସୁର

ଆଗୁ ସ୍ୱାମୀ ତୋର ରହିଥିବେ ତାର ପୁର ।

ନିଜ ରୂପ ଗୋଟି ତୁହି ଗୋପନ କରିବୁ

ମାୟାବତୀ ନାମ ଦୈତ୍ୟ ମନ ଯେ ତୋଷିବୁ ।

ଯାଅ ମାତା ମର୍ତ୍ତ୍ୟପୁରେ ବିଳମ୍ବ ନ କର

ଜମ୍ବୁଦ୍ବୀପ ଭ୍ରତଖଣ୍ଡ ପବିତ୍ର ନଗର ।

ଢା ଉରଙ୍ଗ ଗଛ ତଳେ ତପସ୍ୟା କରିବୁ

ଏ ଖେଦା ଖଣ୍ଡିକ ଅତି ଯତ୍ନେ ସାଇତିବୁ ।

ଆମ୍ଭେ ନାରଦକୁ ପେଶି ତତ୍ତ୍ୱ ନେଉଥିବୁ

ଯାହା ଭଲମନ୍ଦ ତାହା ଆଗେ ବଖାଣିବୁ ।

ମୁହିଁ ମଧ୍ୟ ତୋ ମାତା ସାବିତ୍ରୀ ସଙ୍ଗେ ନେଇ

ବରାବର ତୋତେ ଦେଖି ଆସିଥିବୁ ଯାଇ ।

ସ୍ଵୟଂ ବୈକୁଣ୍ଠର ନାଥ ହେବେ ତୋ ଶ୍ବଶୁର

ପରମ ଲକ୍ଷ୍ମୀ ଯେ ଶାଶୁ ହୋଇବେ ତୋହର ।

ଏକମାତ୍ର ବଧୂ ଦେବୀଙ୍କର ତୁହି ହେବୁ

ସବୁବେଳେ ସୁଖେ କାଳାତିପାତ କରିବୁ ।

ଶୁଣିଣ ଯେ ରତିଦେବୀ ମନେ ତୋଷ ହେଲେ

ମନ୍ତ୍ର ସୁମରି ବୈଷ୍ଣବୀ ରୂପୀ ସେ ହୋଇଲେ ।

ଦେଖା କରିବାକୁ ଦେବୀ ମାତାପୁରେ ଗଲେ

କନ୍ୟାର ବେଶ ଦେଖିଣ ମାତା ବାହୁଡ଼ିଲେ ।

ରତି ବୋଲେ ମାତା ମନେ ଦୁଃଖ ତୁ ନକର

ସୌଭାଗ୍ୟବତୀ ହୋଇବୁ ପିତା ଦେଲେ ବର

ଶୁଣି ମାତା କନ୍ୟା ସର୍ବାଙ୍ଗ ଆଉଁସିଲେ

ଅମ୍ଳାନ ବସ୍ତ୍ର ଖଣ୍ଡିଏ ରତି କରେ ଦେଲେ ।

ବୋଇଲେ ସଦା ପିନ୍ଧିବୁ ଏହି ବସ୍ତ୍ର ଗୋଟି

ରୋଗଶୋକ ମୋହମାୟା କେବେହେଁ ନଘୋଟି

ପିତା ମାତା ଦୁହିଁଙ୍କର ପାଦ ରେଣୁ ନେଇ

ମର୍ତ୍ତ୍ୟପୁରେ ଆଗମନ କଲେ ରତି ତହିଁ ।

ବିରୋଜା ପୁରୁଷୋତ୍ତମ ବ୍ରହ୍ମନଦୀ ଅଟେ

ଗନ୍ଧର୍ବ ବାରୁଣୀ ଗିରିତ୍ୱବରର ନିକଟେ ।

ଉତ୍କଳ ପବିତ୍ର ଭୂମିରେ ସେ ଅନ୍ୟତମ

ସେ ସ୍ଥାନରେ ବାସ କରିଥିଲେ ଦେବ ଧର୍ମ ।

ପାରୁଶେ ଅମରାବତୀ କଟକ ଶୋଭଇ

ସେହି ସ୍ଥାନେ ଢାଉରଙ୍ଗ ବୃକ୍ଷେକ ଅଛଇ ।

ଦୁର୍ଗାମାଧବଙ୍କୁ ଧ୍ୟାୟି ଶୁଚିମନ୍ତ ହୋଇ

ସେ ବୃକ୍ଷ ତଳେ ବସିଲେ ରତିଦେବୀ ଯାଇ ।

ବ୍ୟାଘ୍ର ଚର୍ମକୁ ଯତନେ କଟି ଦେଶେ ଭିଡ଼ି

ହସ୍ତେ ମାଳା ଜପକଲେ ଲୋଭ ମୋହ ଛାଡ଼ି ।

କିଛିଦିନ କନ୍ଦମୂଳ ଜଳ ଭକ୍ଷି ଗୋରୀ

ପୁଣି ନିରାହାରେ ବିଷ୍ଣୁ ସୁମରେ ସୁନ୍ଦରୀ ।

ଏହିପରି ବହୁଦିନ ଗଲା ଗତ ହୋଇ

ଘୋର ତପେ ରତିଦେବୀ ଥାନ୍ତି ଲିପ୍ତହୋଇ ।

ଅତ୍ରି ରଷିଙ୍କର ନାରୀ ସତୀ ଶିରୋମଣି

ତାଙ୍କ ନାମ ଅନୁସୂୟା ଯେ ବ୍ରତାଚାରିଣୀ ।

ରତିଙ୍କର ତପେ ସତୀରାଣୀ ତୃପ୍ତ ହୋଇ

ଢାଉରଙ୍ଗ ବୃକ୍ଷମୂଳେ ମିଳିଲେକ ଯାଇ ।

ଦେଖିଣ ଅନୁସୂୟାଙ୍କ ତପ ତେଜି ରତି

ଭକ୍ତିଭରେ ପାଦତଳେ କରିଲା ପ୍ରଣତି ।

ନିଜ ମନ କଥାମାନ ତାଙ୍କୁ ଜଣାଇଲା

ପୂରୁବ ଘଟଣା ଯେତେ ବର୍ଣ୍ଣନା କରିଲା ।

ଶୁଣି ଦେବୀ ଅନୁସୂୟା ବୋଇଲେ ବଚନ

ସେଥିନେଇ ସତୀଗୋଷ୍ଠୀ ପେଶିଲେ ଏ ସ୍ଥାନ ।

ଆଉ ଭାବନା ନ କର ମନ ମଧ୍ୟେ ତୁହି

ଆଠଦିନ ମଧ୍ୟେ ପତି ଭେଟିବୁ ସୁମୁହୀଁ ।

ବଳାତ୍କାରେ ନେବ ତୋତେ ସମ୍ବର ଅସୁର

ତା ପୁରରେ ଭେଟ ହେବୁ ସ୍ଵାମୀକୁ ତୋହର

ପୁଣି ସତୀ ଅନୁସୂୟା ପାଦରେ ନମିଲେ

ଧୂପ ଦୀପ ନଇବେଦ୍ୟ ଆଣି ବନ୍ଦାଇଲେ ।

ରତି ଭକ୍ତିରେ ସନ୍ତୁଷ୍ଟ ହୋଇ ଅତ୍ରି ନାରୀ

ଆଶୀର୍ବାଦ କଲେ ଶୀଘ୍ର ପତି ପାଅ ଗୋରୀ ।

ଏତେ କହି ଅନୁସୂୟା ହେଲେ ଅନ୍ତର୍ଦ୍ଧାନ

ତାହାପରେ ଯାହା ହେଲା ଶୁଣ ସାଧୁଜନ ।

ସାରାବତୀ କଟକରେ ପଶ୍ଚିମ ଦେଶର

ବାସକରି ରହିଥାଏ ସମ୍ବର ଅସୁର ।

ମହା ବଳବାନ୍ ଦୈତ୍ୟ ଜାଣେ କଉଶଳ

ତେଣୁ ରାଜା ହୋଇଲାଣି ସେ ବହୁତ କାଳ ।

ବୈଜ୍ଞାନିକ ପ୍ରଣାଳୀରେ ଅଟେ ଧୁରନ୍ଧର

ତନ୍ତ୍ରବଳେ ବହୁ ମାୟା କରଇ ବିସ୍ତାର ।

ଅନେକ ପ୍ରକାର ରୂପ ଧରିପାରେ ସେହି

ତେଣୁ ତିନିପୁରେ ତାକୁ କେହି ନ ପାରଇ ।

ଅନର୍ଯ୍ୟାପ୍ତ ସୈନ୍ୟବଳ ଥାଆନ୍ତି ତାହାର

ଶତ ଶତ ସୁନ୍ଦରୀ ଯେ ରାଣୀ ଅସୁରର ।

ବଳାତ୍କାରେ ଦେବକନ୍ୟା ନାଗକନ୍ୟା ହରି

ଅଙ୍ଗଭୋଗ କରେ ପୁରେ ରଖି ବହୁ ନାରୀ

ତିନିପୁର ମଧ୍ୟେ ସର୍ବେ ଥାନ୍ତି ତାକୁ ଡରି

ଦେଖିଲା ମାତ୍ରେ ଦୈତ୍ୟକୁ ଭୟେ ସର୍ବେ ଥରି ।

ଦିନେ ରାଜା ସୈନ୍ୟଗଣ ଘେନିଣ ସଙ୍ଗର

ଜମ୍ବୁଦ୍ବୀପେ ଭ୍ରମିବାକୁ ହୋଇଲା ବାହାର ।

ବହୁତ ସ୍ଥାନ ଯେ ବୁଲି ବୁଲି ରକ୍ଷବର

ମିଳିଲା ଯାଇ ବାରୁଣାଗିରି ନିକଟରେ ।

ସେ ବନର ଶୋଭା ଅଟେ ଅତି ମନୋହର

ଅଦିନରେ ବସନ୍ତ ବହଇ ଧୀର ଧୀର ।

ଫଳ ପୁଷ୍ପ ସୌରଭରେ ମୋହୁଛି କାନନ

ଚୂତ ବୃକ୍ଷରେ କୋକିଳ ଗାଇ ମୋହେ ମନ ।

ଦେଖିଣ ସେ ଶୋଭାରାଶି ସମ୍ବର ଅସୁର

ତମ୍ବୁ ପକାଇ ରହିଲା ସେ ବନ ମଧ୍ୟର ।

ଦିନେ ଏକାନ୍ତେ ସମ୍ବର ଭ୍ରମଣ କରିଲା

ସୈନ୍ୟସାମନ୍ତ କାହାକୁ ସଙ୍ଗରେ ନ ନେଲା ।

ସେ ବନର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲା

ଭାବଇ ନନ୍ଦନ ବନ ସ୍ୱର୍ଗୁ କେ ଆଣିଲା ।

ବୁଲି ବୁଲି କ୍ଲାନ୍ତ ହୋଇ ବଡ଼ ତୃଷା ହେଲା

ପାଣି ପିଇବାକୁ ଖୋଜି ଝରଟା ପାଇଲା ।

ତୃଷାରେ ଆତୁର ହୋଇଥିଲା ଦୈତ୍ୟବର

ମନ ଖୁସିରେ ପିଇଲା ଝରଣାରୁ ନୀର ।

ଯହୁଁ ଜଳପାନ କରି ତୃପ୍ତି ଲାଭକଲା

କୂଳକୁ ଆସିଣ ଦୈତ୍ୟ ବିଶ୍ରାମ ଲୋଡ଼ିଲା ।

ଢାଉରଙ୍ଗ ଗଛ ଶୋଭା ଅତି ମନୋହର

ସ୍ୱୟଂ ରତିଦେବୀ ଉଭା ଯେବଣ ସ୍ଥାନର ।

ସେ ବୃକ୍ଷର ଶୋଭାଦେଖି ଦୈତ୍ୟଧୀରେ ଧୀରେ

ବିଶ୍ରାମ ଲାଗି ପ୍ରବେଶ ହେଲା ତା ମୂଳରେ ।

ଚାହିଁଦ୍ୟନ୍ତେ ଦେଖେ ଦୈତ୍ୟ ଅପୂର୍ବ ସୁନ୍ଦରୀ

ବଳ ଅର୍କ ପ୍ରାୟ ଶୋଭା ତପକରେ ଗୋରୀ ।

କନ୍ଦର୍ପଠାରୁ ଅଧିକ ରୂପ ଯେ ତାହାର

ଦେଖି କାମରେ ଅଚେତ ହେଲା ଦୈତ୍ୟବର ।

କ୍ଷଣେ ଚେତା ପାଇ ରାଜା କଲା ନିରୀକ୍ଷଣ

ଲମ୍ବମାନ ଦୀର୍ଘକେଶ ସୁଘନ ଚିକ୍‌ଣ ।

ପଦ୍ମମୁଖୀ ମୃଗନେତ୍ରୀ ଖେଳାଲୋଳାଡୋଳା

ବଦନର ଶୋଭା ଘନେ ଯେସନେ ଚପଳା ।

ଏହିରୂପେ କି ବର୍ଣ୍ଣିବି ଶୋଭା ମୁଁ ତାଙ୍କର

କନ୍ଦର୍ପର ମନୋହାରୀ ରତି ନାମ ଯାର ।

ବ୍ୟାଘ୍ର ଛାଲ ପରିଧାନ ଭସ୍ମ ବୋଳି ହୋଇ

ରୁଦ୍ରାକ୍ଷ ମାଳାରେ ଅଙ୍ଗ ଅଛି ମଣ୍ଡି ହୋଇ ।

ଅବିରତ ଜପକରେ ବ୍ରହ୍ମେ ଲୟ ଦେଇ

ଚଞ୍ଚଳ ଚିତ୍ତ ଅଚଳ କରିଣ ସୁମୁହୀଁ ।

ଦେଖି କାମବାଣେ ଘାରିହୋଇ ଦୈତ୍ୟବର

ବୈଷ୍ଣବ ନିକଟେ ଯାଇ ହୋଇଲା ହାଜର ।

ବୋଇଲାରେ ଗୋରୀ କେଉଁଦେଶେ ତୋର ଘର

ତୋ ନାମ ଅଟଇ କିସ ନାମ ତୋ ସ୍ଵାମୀର ।

କିମ୍ପା ଭରା ଯଉବନ ଘେନି ଚମ୍ପା ଗୋରୀ

ଏ ବୟସେ ଯୋଗ ସାଧୁ କହରେ ସୁନ୍ଦରୀ ।

ଏତେ କହି ମାୟା ବିସ୍ତାରିଲା ଦୈତ୍ୟବର

କନ୍ଦର୍ପ ପ୍ରାୟକ ରୂପ ହୋଇଲା ସୁନ୍ଦର ।

ଦୈତ୍ୟବାଣୀ ଶୁଣି ରତି ଚକ୍ଷୁ ପିଛାଡ଼ିଲେ

ଅମୀୟ ଭାରତୀ ଦୈତ୍ୟବରେ ଶୁଣାଇଲେ ।

ଅଟଇ ଘର ମୋହର ଏଠୁ ବହୁଦୂର

ସ୍ୱାମୀଙ୍କ ଲାଗି ତପସ୍ୟା କରେ ଏ ସ୍ଥାନର ।

ଶିବଙ୍କ କୋପରେ ମୋର କାନ୍ତ ଭସ୍ମ ହେଲେ

ତପସ୍ୟା କରଇ ତାଙ୍କୁ ପାଇବାକୁ ଭଲେ ।

ମୋର ନାମ ମାୟାବତୀ ମଦନ ଘରଣୀ

ଏହି ପରିଚୟ ମୋର ଶୁଣ ନୃପମଣି ।

ଗୋରୀ ମୁଖରୁ ବଚନ ଶୁଣି ଦୈତ୍ୟବର

କାମବାଣେ ଦହି ହେଲା ହୃଦୟ ତାହାର ।

ଶୁଣ ଆରେ ଗୋରୀ ନାମ ଅଟେ ମୋ ସମ୍ବର

ସାରାବତୀ କଟକରେ ମୁହିଁ ଅଧୀଶ୍ୱର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ନରପତି

ମୋ ନିକଟେ ସର୍ବେ ପରାଜୟ ହୋଇଛନ୍ତି ।

ସର୍ବ ଗୁଣେ ପରିପୂର୍ଣ୍ଣ ଭଣ୍ଡାର ମୋହର

ମାତ୍ର ତୁମ୍ଭ ପରି ନାହିଁ ଜଣେ ନାରୀବର ।

ମୋ ବଚନ ମାନି ସଖୀ ତପ ପରିହର

ନ ପାଏ ଶୋଭା ତୁମ୍ଭଙ୍କୁ ଏ ବେଶ ନିକର ।

ଚାଲ ମୋ ସଙ୍ଗେ ମୁଁ ପାଟରାଣୀ କରାଇବି

ଦାସ ହୋଇ ତୋର ପାଦେ ସର୍ବଦା ଖଟିବି ।

ଯେତେବେଳେ ଯେଉଁ ଦ୍ରବ୍ୟ ହେବ ଦରକାର

ଆଜ୍ଞା ପରମାଣେ ଖଟାଇବି ମୁଁ ପାଶର ।

ନ ମାନିବୁ ଯଦି ବୋଲରେ ନାରୀ ରତନ

ତୋହ ନିକଟେ ହାରିବି ନିଶ୍ଚୟ ଜୀବନ ।

ବିରହରେ ହୃଦ ବନ ଦହୁଛି ମୋହର

ପ୍ରେମ ବାରି ସିଞ୍ଚି ଗୋରୀ ଶୀଘ୍ର ତୁ ନିବାର

ସମ୍ବର ବଚନ ଶୁଣି ବ୍ରହ୍ମାଙ୍କ କୁମାରୀ

ବୋଲେ ଏହା କି ଉଚିତ ଅଟଇ ତୁମ୍ଭରି ।

ତୁମ୍ଭେ ପରା ନରପତି ରାଜା ଅଧୀଶ୍ଵର

ଯେତେ ନାରୀ ନର ସର୍ବେ ପରଜା ତୁମ୍ଭର ।

ରାଜା ହୋଇ ଯଦି ତୁମ୍ଭେ ଅନ୍ୟାୟ କରିବ

କାହା ଆଗେ ପ୍ରଜା ତାର ଦୁଃଖ ଜଣାଇବ ।

ଏହା ତୁମ୍ଭର ରାଜନ ନୁହଁଇ ଉଚିତ

ଦୁନିଆରେ ପରନାରୀ ଅଟେ ମାତୃବତ ।

ପରନାରୀ ବଳାତ୍କାରେ ଯେ କରେ ହରଣ

ଜୀବନ ଥାଉଁ ଗୋ ତାର ହୁଅଇ ମରଣ ।

ଅନ୍ତକାଳେ ନରକର ଯାତନା ଭୋଗଇ

କୀଟ ପତଙ୍ଗ ଯୋନିରେ ଜନମ ଲଭଇ ।

ପର ନାରୀ ହରି ମଲା ଲଙ୍କାର ରାବଣ

ରାମନାରୀ ସୀତାଙ୍କୁ ନେଇ ଚୋରାଇଣ ।

ସବଂଶେ ନାଶ ହୋଇଲେ ଜଣେ ନ ରହିଲା

ଶେଷେ ତାହା ଘରଣୀକୁ ପର ଯେ ହରିଲା ।

ପର ନାରୀ ହରିବାରୁ ନେଲା ଜଳନ୍ଧର

ତାର ନାରୀ ହରି କୃଷ୍ଣ ପ୍ରାଣ ନେଲେ ତାର ।

ଗୌତମ ନାରୀଙ୍କୁ ସୁନାସୀର ଯେ ହରିଲେ

ଶେଷେ ସସ୍ର ଯୋନି ଦେହେ ବହିଣ ବୁଲିଲେ

ତେଣୁ ମନାକରେ ମୋର ଅଙ୍ଗ ଛୁଅଁ ନାହିଁ

ବଳାତ୍କାରେ ଛୁଇଁଦେଲେ ଜଳିଯିବୁ ତୁହି ।

ପତି ବିନା ଜୀବନରେ ନ ଜାଣେ ମୁଁ ଆନ

ତ୍ରିଭୁବନେ ନାହିଁ କେହି ତାହାଙ୍କୁ ସମାନ ।

ଶୁଣିଣ ରାକ୍ଷସ ବୋଲେ ନ କୁହ ସୁନ୍ଦରୀ

ମରିବି ପଛକେ କେଭେ ନ ଯିବି ମୁଁ ଡରି ।

ଜନ୍ମ ହେଲେ ମନୁଷ୍ୟର ମରଣ ହୁଅଇ

ମାତ୍ର ତୋହ ପରି ନାରୀ କାହୁଁ ପାଇବଇଁ ।

ଧରୁଛି ଚରଣ ଗୋରୀ ନ କର ନିରାଶ

ତୋର ପାଦତଳେ ରଖ କରି କିଣା ଦାସ

ଦେଖ ବିରହରେ ହୃଦ ଆତୁର ହୁଅଇ

ଧୈର୍ଯ୍ୟ ଧରି ନ ପାରଇ ଆରେ ଚାନ୍ଦମୁହୀଁ ।

ପୂର୍ବ କଥାମାନ ଗୋରୀ ମନରେ ପାଞ୍ଚିଲେ

ଅନୁସୂୟା କହିଥିବା ବାଣୀ ଚିନ୍ତା କଲେ ।

ପିତା ନ କହି ଅଛନ୍ତି ମୁଁ ସମ୍ବର ପୁରେ

ସ୍ବାମୀଙ୍କୁ ପାଇବି ନିଶ୍ଚେ ଅଳପ ଦିନରେ ।

ପିତା ମନ୍ତ୍ର ସ୍ମରି ମାୟାନାରୀ ଭିଆଇବି

ମାୟାରେ ଅସୁରକୁ ମୁଁ ଲୁଚିଣ ରହିବି ।

ସେ ମାୟା ନାରୀକୁ ପେଶି ତୋଷିବି ୟା ମନ

ମୁହିଁ ଗୁପ୍ତେ ଅସୁରକୁ ନ ଦେବି ଦର୍ଶନ ।

ଦେଖିଲେ ଯେ ଦେବୀ ଦୈତ୍ୟ ହେଉଛି ଆତୁର

ଦର ହସି କୁନ୍ଦଦନ୍ତୀ ଭାଷି ମୃଦୁ ଗୀର ।

ବୋଲନ୍ତି ଯଦ୍ୟପି ତୁମ୍ଭ ମୋତେ ସଙ୍ଗେ ନେବ

ମୋ କହିବା ମୁତାବକ କାର୍ଯ୍ୟ ଯେ କରିବ

କେତେକ ସର୍ତ୍ତକୁ ରକ୍ଷା କରିଲେ ମୋହର

ନିଶ୍ଚୟ ଭାରିଯା ମୁହିଁ ହୋଇବି ତୁମ୍ଭର ।

କ୍ଷୁଧାର୍ତ୍ତକୁ ଯେହ୍ନେ ମିଳେ ସୁମିଷ୍ଟ ଆହାର

ତେସନେ ମନେ ଭାବଇ ସମ୍ବର ଅସୁର ।

ବୋଇଲେରେ ଗୋରୀ ନିଶ୍ଚେ ତୋରବାକ୍ୟ ମୁହିଁ

ପାଳିବି ଶପଥ କରୁଅଛି ଧର୍ମେ ଚାହିଁ ।

ତିନିବାର ଶପଥ ଯେ କଲା ଦୈତ୍ୟଶ୍ୱର

ତା ପରେ ଭାଷିଲେ ଦେବୀ ବଚନ ମଧୂର ।

ବୋଇଲେ ଯଦ୍ୟପି ତବ ଭାର୍ଯ୍ୟା ହେବି ମୁହିଁ

ଅନ୍ୟରାଣୀମାନେ ମୋତେ ନ ଦେଖିବେ କେହି

ଦ୍ବିତୀୟେ ହେଉଛି ତୁମ୍ଭେ ଦିବସରେ ମୋତେ

ନ କରି ସାକ୍ଷାତେ ଦେଖା କରିବ ଯେ ରାତ୍ରେ ।

ଜୀବନେ ଉଚ୍ଛିଷ୍ଟ କାର ମୁଁ ନ ଛୁଇଁବଇ

ଅଲଗା ମୋ ପାଇଁ ପୁର ଦେବ ଯେ ଭିଆଇ ।

ମୋ ପୁରେ ତବ ସଙ୍ଗରେ ଭେଟ ହେବ ନାହିଁ

ମୁହିଁ ତୁମ୍ଭ ପାଶେ ରାତ୍ରେ ଯାଇ ମିଳିବଇଁ ।

ରଜନୀରେ ସାକ୍ଷାତ ଯେ ତୁମ୍ଭର ମୋହର

ଯା ଚାହିଁବି ତାହା ଆଣିଦେବ ମୋ ପାଶର ।

ସବୁ କଥାରେ ଦଇବ କଲା ସନମତ

ଧ୍ୟାନ ଭାଙ୍ଗି ବାହାରଇ ଦେବୀ ଦୈତ୍ୟ ସାଥ ।

ସାରାବତୀ ନଗରରେ ପ୍ରବେଶ ହୋଇଲେ

ଅନ୍ତପୁର ମଧ୍ୟେ ରତିଦେବୀ ବିଜେକଲେ ।

ରାଜକାର୍ଯ୍ୟେ ଦୈତ୍ୟବୀର ମନ ଲାଗଇ

କିପରି ରଜନୀ ହେବ ଚାହିଁ ବସିଥାଇ ।

ପକ୍ଷେ ଯହୁଁ ଅସ୍ତମିତ ହେଲେ ଦିନନାଥ

ଅନ୍ତଃପୁରେ ଥାଇ ଦେବୀ ହୋଇଲେ ଚିନ୍ତିତ ।

ଭାବିଲେ ଯଦ୍ୟପି ମୁହିଁ ଦୈତ୍ୟକୁ ଛୁଇଁବି

ଏ ପବିତ୍ର ଅଙ୍ଗ ଗୋଟି ନାଶ ଯେ କରିବି ।

ଯଦ୍ୟପି ସ୍ୱାମୀ ଦେଖିବେ ବୋଲିବେକ କିସ

ଚେତା ଥାଉଁ ଥାଉଁ କିମ୍ପା ହେବି ମୁଁ ବେହୋସ ।

ଏତେ ଭାବି ରତିଦେବୀ ଉପାୟେକ କଲେ

କୁଙ୍କୁମ ଲଗାଇ ଗୋରୀ ମଳି ଛଡ଼ାଇଲେ ।

ସେହି ମଳି ଏକତ୍ରିତ କରିଣ ସୁନ୍ଦରୀ

ତା ମଧ୍ୟରୁ ଜାତକଲେ ମାୟାବତୀ ନାରୀ ।

ରତିଙ୍କ ସମାନ ରୂପ ଦିଶଇ ତାହାର

ଆଜ୍ଞା ଦେଲେ ଯାଅ ତୁହିଁ ଦଇତ ପାଶର ।

ରାତ୍ରସାରା ତାର ସଙ୍ଗେ କେଳି ଆରମ୍ଭିବୁ

ଦିବସ ହୋଇଲେ ମୋର ପାଶେ ତୁ ଆସିବୁ ।

ସବୁ ପରକାର ମାୟା ତିଆରି କହିଲେ

ନିଜ ଆଭରଣ ବସ୍ତ୍ର ତା ଅଙ୍ଗରେ ଦେଲେ ।

ମାୟାବତୀ ରୂପ ଦିଶେ ଅତି ମନୋହର

ଦଇତ ପୁରରେ ଯାଇ ହୋଇଲା ହାଜର ।

କାମାତୁର ହୋଇ ଦୈତ୍ୟବର ବସିଥିଲା

ମାୟାବତୀକୁ ଦେଖିଣ କୋଳେ ବସାଇଲା ।

ନାନା ବନ୍ଧରେ ପୀରତି କଲା ଯେ ଅସୁର

ମାୟାକୁ ଶିଖାଇଥିଲେ ରତି ଯେ ପ୍ରକାର ।

ହାସ୍ୟ ପରିହାସେ ଦ୍ବୟେ ରଜନୀ ପାହିଲା

ପ୍ରଭାତ ହୁଅନ୍ତେ ମାୟାବତୀ ଯେ ଚଳିଲା ।

ଅଲଗା ରହିଲେ ରତିଦେବୀ ଗୋପ୍ୟ ହୋଇ

ମାୟାବତୀକି ଯେ ଦେବୀ ଦିଅନ୍ତି ଉଭାଇ ।

ମହା ଆଡ଼ମ୍ବରେ ରତିଦେବୀ ରହିଥାନ୍ତି

ଶତ ଶତ ଦାସୀମାନେ ସେବା ଯେ କରନ୍ତି ।

କାମଦେବ ଚାହିଁ ରତିଦେବୀ ଯେ ରହିଲେ

ଏହାପରେ ଆନ ରୀତି ଶୁଣ ସର୍ବେ ଭଲେ ।

ପ୍ରଦ୍ୟୁମ୍ନ ଜନ୍ମ ଚରିତ କହୁଅଛି ମୁହିଁ

ଠିକେ ଠକେ ସଂକ୍ଷେପରେ ଦେବି ମୁଁ ବୁଝାଇ ।

ଦ୍ଵାରକାପୁରେ ରୁକ୍ମିଣୀ ଗର୍ଭବତୀ ହେଲେ

ଅରୁଚି ହୋଇଲା ଅନ୍ନ ଭୋଜନ ନ କଲେ ।

ବସୁଧା ଉପରେ ଦେବୀ କରିଲେ ଶୟନ

ତୁଳି ତଳ୍ପ ଶଯ୍ୟା ତାଙ୍କୁ ଲାଗିଲା ଯେ ଆନ ।

ବେଳୁବେଳ ଦେବୀଙ୍କର ଗର୍ଭ ହେଲା ଭାରି

ଚାଲି ନ ପାରି ଭୂମିରେ ଯାଆନ୍ତି ଘୁସୁରି ।

ଚାହୁଁ ଚାହୁଁ ଦଶମାସ ଦଶଦିନ ହେଲା

ରୁକ୍ମିଣୀ ଦେବୀଙ୍କ ଗର୍ଭବ୍ୟଥା ଯେ ହୋଇଲା ।

ଗର୍ଭବ୍ୟଥା ହେବା ଦେଖି ପ୍ରଭୁ ଚକ୍ରଧର

ଜ୍ୟୋତିଷ ବୈଦ୍ୟ ପଣ୍ଡିତ ରାଇଲେ ସତ୍ଵର ।

ବ୍ରହ୍ମଋଷି ରାଜଋଷି ଦେବର୍ଷି ସହିତ

ଯେ ଯାହାର ଆସ୍ଥାନରେ ହେଲେ ଉପଗତ ।

ଚିତ୍ରା ନାମରେ ନକ୍ଷତ୍ର ଅଟେ ସେ ଦିନର

ରୁଷଭ ଶୁକ୍ଳ ଯେ ଏକାଦଶୀ ଚନ୍ଦ୍ରବାର ।

ବାର ନକ୍ଷତ୍ରର ଅବିଗୁଣ ନାହିଁ କିଛି

ସକଳ ଶୁଭ ଯୋଗରେ ଲଗ୍ନମାନ ଅଛି ।

ପାରୁଶେ ବେଢ଼ିଅଛନ୍ତି ବହୁ ଦାସୀବୃନ୍ଦ

ଯେ ଯାହାର ଅନୁରୂପେ ହୋଇଣ ଆନନ୍ଦ ।

ଦେବୀଙ୍କର ଗର୍ଭବ୍ୟଥା ହୁଏ ଘନ ଘନ

ସୁଦକ୍ଷ ଧାତ୍ରୀମାନେ ଯେ ଥାନ୍ତି ବିଦ୍ୟମାନ ।

ସ୍ୱର୍ଗ ଧନ୍ବନ୍ତରୀ ଆସି ମିଳିଲେ ବହନ

ସୂକ୍ଷ୍ମ ପ୍ରସବ ଔଷଧ କରାଇଲେ ପାନ ।

ଗୋଧୂଳି ଲଗନ ବେଳ ଅଛି ଘଡ଼ି ଦୁଇ

ବାରୁଣୀ ଦିଗରେ ଦିନ ଥାନ୍ତି ଉଭା ହୋଇ ।

ହସି ହସି ସ୍ୱସ୍ଥାନକୁ ଚଳନ୍ତି ଭାସ୍କର

ଫପୁଆ ଶୋଭାରେ ପୃଥୀ ଦିଶଇ ସୁନ୍ଦର ।

ପକ୍ଷୀମାନେ ଆକାଶରେ ପନ୍ତି ପନ୍ତି ହୋଇ

ଆହାର ସଂଗ୍ରହ କରି ବାସେ ଛନ୍ତି ଧାଇଁ ।

ଗ୍ରାମ ନାରୀମାନେ ପୂର୍ଣ୍ଣକୁମ୍ଭମାନ ଧରି

ଗୀତ ଗାଇ ଜଳ ତୋଳି ଚଳନ୍ତି ସୁନ୍ଦରୀ ।

ପ୍ରାଜୀ ଗଗନରେ ଚନ୍ଦ୍ର ଜ୍ୟୋତି ବିକାଶଇ

ଦେଖି କୁମୁଦିନୀ ରାଣୀ ଆନନ୍ଦେ ନାଚଇ ।

ରଜନୀ ରାଣୀ ମର୍ତ୍ତ୍ୟକୁ ଆଗମନ ପାଇ

ଯତ୍ନେ ବେଶ ବଳାଉଛି ମୁକ୍ତରେ ଅନାଇ ।

ଗୋଗେଷ୍ଠ ଧାମନ୍ତ ଗାଭୀ ହମ୍ବାରଡ଼ି ଦେଇ

ପୁଚ୍ଛ ଟେକି ବତ୍ସାଗଣ ଆସୁଛନ୍ତି ଡେଇଁ ।

ଏହିପରି ସମୟରେ ଶ୍ରୀକୃଷ୍ଣଙ୍କ ସୁତ

ଭୂମିପରେ ମାତା ଗର୍ଭୁ ହେଲେ ଉପଗତ ।

ବସୁଧାରେ ପଡ଼ି ସୁତ କୁଆଁ କୁଆଁ ରଡ଼ି

ଦିଅନ୍ତେଣ ନଗ୍ରଲୋକ ଆସିଲେକ ଭିଡ଼ି ।

ମାତ ଦଇବକୀ ଆଦି ନଗ୍ର ନାରୀଗଣ

ଉଷ୍ଣ ବାରିରେ ପୁତ୍ରକୁ ଦେଲେ ଯେ ଧୋଇଣ ।

ସୁବର୍ଣ୍ଣର ଶାମୁକାରେ ନାଭି କାଟିଦେଲେ

ଅଗରୁ ଚନ୍ଦନ ଆଣି ଅଙ୍ଗରେ ଲେପିଲେ ।

ଅମର ଔଷଧ ଆଣି ଧନ୍ୱନ୍ତରୀ ଦେଲେ

ରୁକ୍ମିଣୀ ଗର୍ଭ ବେଦନା ଦକ୍ଷଣେ ଧ୍ୱସିଂଲେ ।

ଦ୍ୱାରକା ପୁର ସେ ଦିନ ଆନନ୍ଦ ଉତ୍ସବ

ଏନ୍ତୁଡ଼ିଶାଳରେ ରୁଣ୍ଡ ବହୁତ ଯାଦବ ।

ଶୁଚି କରି ନାରୀମାନେ ମାତା ପୁତ୍ରେ ନେଇ

ଉତ୍ତମ ତୁଳି ଶେଯରେ ଦେଲେ ଯେ ଶୁଆଇ ।

କେ କର୍ପୂର ଗୁଣ୍ଡି ସିଞ୍ଚେ କେ ପଙ୍ଖା କରଇ

କେ ଚାମର ଢାଳେ କେହୁ ଆଲଟ ପକାଇ ।

କେ ବଜାଏ ଭେରୀ କେହୁ ବଜାଏ କାହାଳି

କେ ଶୁଭ ଗୀତିକା ଗାଇ ଦିଏ ହୁଳହୁଳି ।

ମଙ୍ଗଳାଷ୍ଟକ ପଢନ୍ତି ଋଷି ବିପ୍ରଗଣ

ଶୁଭ ବେଳାରେ ଜ୍ୟୋତିଷ କୋଷ୍ଠିକରେ ପୁଣ

ଏହିପରି ଯେ ଯାହାର କାର୍ଯ୍ୟେ ଲାଗିଥାନ୍ତି

ଯେହ୍ନେ ଯଦୁକୁଳ ହସ୍ତେ ଚନ୍ଦ୍ର ଧରିଛନ୍ତି ।

ରହି ନାରଦ ମହର୍ଷି ସର୍ବ ଦେଖୁଥିଲେ

ମନ ଯାନେ ଚଢି ସାରାବତୀରେ ମିଳିଲେ ।

ଆସ୍ଥାନ ଉପରେ ବସିଥିଲା ଦୈତ୍ୟବର

ମୁନିଙ୍କୁ ଦେଖିଣ ସ୍ଥାନ ତେଜିଲା ଅସୁର ।

ଖଣ୍ଡେ ଦୂରରୁ ପାଛୋଟି ଋଷିବରେ ନେଲା

ପବିତ୍ର ଜଳେ ତାହାଙ୍କ ପାଦ ପଖାଳିଲା ।

ସୁଝୀନ ବସନେ ପାଦ ପୋଛି ଯେ ସମ୍ବର

ମହର୍ଷିଙ୍କ ପାଦତଳେ କଲା ନମସ୍କାର ।

କଲ୍ୟାଣ କରନ୍ତି ଋଷି କାର୍ଯ୍ୟ ଜୟକର

ଶତ୍ରୁକୁ ବିନାଶି ସୁଖେ ରାଜ୍ୟ ଭୋଗ କର ।

ମୁନିଙ୍କୁ ପୁଚ୍ଛଇ ଦୈତ୍ୟ ସୌଭାଗ୍ୟ ମୋହର

କି ନିମନ୍ତେ ମୋ ଘରରେ ପଡ଼ିଲା ପୟର ।

ଶୁଣି ତପୋଧନ ହର୍ଷେ ବୋଲନ୍ତି ବଚନ

ଆମ୍ଭେ ଯାଇଥିଲୁ ଆଜି ଦ୍ବାରକା ଭୁବନ ।

କୃଷ୍ଣଙ୍କ ନାରୀ ରୁକ୍ମିଣୀ ଗର୍ଭରୁ କୁମର

ଜନମ ହୋଇଛି ଦେଖି ଆସିଲୁ ଚକ୍ଷୁର ।

ଅତି ସୁଖେ ରାଜ୍ୟ ଭୋଗ କରିଥିଲୁ ତୁହି

ତୋ ସମାନ ବୀର ତିନିପୁରେ ଥିଲେ ନାହିଁ ।

ଏ ଯେଉଁ ପୁତ ଜନମ ହୋଇଛି କୃଷ୍ଣର

ତୋତେ ମାରିବାକୁ ହୋଇଅଛି ଅବତାର ।

ଶାସ୍ତ୍ରେ ଅଛି ରୋଗ ଋଣ ଶତ୍ରୁ ଏହି ତିନି

ତୁରନ୍ତ କରିବ ଶେଷ କା ବୋଲ ମ ମାନି ।

ତେଣୁ ଆମ୍ଭ ମନ ଯେଣୁ ହେଲା ଦୁଃଖ ଘୋର

ନ ଯାଇ ସ୍ୱର୍ଗକୁ ଚମକିଛୁ ତୋର ପୁର ।

ବେଳହୁଁ ଉପାୟ ଯେବେ ନ କରିବୁ ତୁହି

ପଛକୁ ଅନେକ ଦୁଃଖ ଦେବ ତୋତେ ସେହି ।

ଆଜି ଯଦ୍ୟପି ତାହାକୁ ଆଣନ୍ତୁ ଚୋରାଇ

ପୁତ୍ର ପରି ପାଳିଲେ ତା ଶତ୍ରୁ ନ ହେବଇଁ ।

ଆବର ଯେ ପିତା ପୁତ୍ର ଦୁହେଁ ମେଳ ହେଲେ

ତିନିପୁର ଜନ କରାୟତ ହେବେ ଭଲେ ।

ନ ମାରି ପରାଣେ ପୁତ୍ର ଭାବି ପାଳ ତୁହି

ପିତା ମଣି ତୋର ବୋଲ ମାନିଥିବ ସେହି ।

ସେ ତ ଅନ୍ୟ କାକୁ ପିତା ବୋଲି ନ ଜାଣିବ

ପିତା ପୁତ୍ର ଦୁହେଁ ମିଳି ପୃଥିବୀ ଜିଣିବ ।

ଦୁନିଆରେ ନ ପାରିବେ ସେ ପୁତ୍ରକୁ କେହି

ସମସ୍ତଙ୍କଠାରୁ ବଳବାନ ହେବ ସେହି ।

ବୋଲଇ ଅସୁର ବର୍ତ୍ତମାନ ମୁହିଁ ଯିବି

ଅନ୍ତୁଡ଼ିଶାଳରୁ ଯାଇ ପୁତ୍ରକୁ ଆଣିବି ।

ମୋର ପୁରେ ଆଜି ତୁମ୍ଭେ ରୁହ ମୁନିବର

ନାମକରଣ କରିଣ ଯିବ ସ୍ୱର୍ଗପୁର ।

ନାରଦ ବୋଲନ୍ତି ହେଉ ରହୁଅଛି ମୁହିଁ

ଏହି ଶୁଭ ମୁହୁର୍ତ୍ତରେ ଚଳିଯାଅ ତୁହି ।

ତତକ୍ଷଣେ ଦୈତ୍ୟବର ବାହାର ହୋଇଲା

ପାଦୁକା ମନ୍ତ୍ର ସୁମରି ଦ୍ୱାରକା ଗମିଲା ।

ରାତ୍ର ବେନ ଘଡ଼ି ଥାଉ ଦ୍ୱାରକା ପୁରରେ

ମିଳିଣ ଯାଇଣ ଦୈତ୍ୟ ଅନ୍ତୁଡ଼ିଶାଳରେ ।

ମାୟାବତୀ ଦଇତ ଜାଣେ ବହୁ କଉଶଳ

ମାଛି ରୂପ ହୋଇ ପଶି ସେ ଅନ୍ତୁଡ଼ିଶାଳ ।

ଦେଖିଲା ରତ୍ନ ପଲଙ୍କେ ଶୋଇଛି କୁମର

ପ୍ରସବ ବାଧାରେ ଜ୍ଞାନ ନାହିଁ ରୁକ୍ମିଣୀର ।

ପାରୁଶରେ ଛନ୍ତି ଯେତେ ଦାସୀ ପରିବାରୀ

ସମସ୍ତ ନିଦ୍ରାରେ ଶୋଇଛନ୍ତି ଜ୍ଞାନହାରି ।

ଧୀରେ ଧୀରେ ଦୈତ୍ୟବର ନିକଟକୁ ଯାଇ

କୁମରମଣିକୁ କୋଳେ ଆଣିଲା ଉଠାଇ ।

ଅତି ଯତ୍ନେ ପୁତ୍ର ଧରି ହୋଇଲା ବାହାର

ପାଦୁକା ମନ୍ତ୍ର ସୁମରି ମିଳିଲାକ ପୁର ।

ଦେଖିଣ ପୁତ୍ର ବଦନ ମହର୍ଷି ନାରଦ

ବୋଲନ୍ତି ଯା ଯୋଗୁ ଯିବ ଦେବଙ୍କ ବିପଦ ।

ସମ୍ବରଙ୍କୁ ବୋଲନ୍ତି ସେ ପୁତ୍ର ଏହି ତୋର

ତେଣୁ ଧାତା ଯୁଟାଇଲା ଆଣି ତୋ ପାଶର ।

ପରଜନ୍ମରେ ବୋଧେ ଏ ପୁତ୍ର ତୋର ଥିଲା

ଏ ଜନ୍ମରେ ତୋର ଭାଗ୍ୟ ଆସିଣ ଯୁଟିଲା ।

ଆନନ୍ଦ ହୋଇଣ ବୋଲେ ସମ୍ବର ଅସୁର

ଆହେ ଦେବ ମୋ ପୁତ୍ରକୁ କଲ୍ୟାଣ ଯେ କର ।

ଆବର କି ନାମ ଗୋଟି ରହିବ ଏହାର

ସମସ୍ତ ଦାୟିତ୍ବ ଦେଲି ମୁହିଁ ତପିବର ।

ହସି ନାରଦ ବୋଇଲେ କୁମର ତୋହର

ଦୀର୍ଘଜୀବୀ ହୋଇ ଶତ୍ରୁ କରୁ ସେ ସଂହାର ।

ଆବର ଦେଲି ୟା ନାମ ମୁଁ ମୀନକେତନ

ଛଣା ମୀନ ପରି ଦିଶେ ଏହାର ବଦନ ।

ଏତେ ବୋଲି କେତନର କର୍ଣ୍ଣେ ମୁନିବର

ପୂର୍ବ ନାମ ଚେତାଇଣ ଦେଲେ ବାରମ୍ବାର ।

ତହୁଁ କୁମର ମହର୍ଷିଙ୍କର ମୁଖ ଚାହିଁ

ପାକୁଆ ପାଟିରେ ହସେ କର କର ହୋଇ ।

ଆବର ବୋଲନ୍ତି ଯତି ଶୁଣ ନୃପବର

ମାୟାବତୀ ପାଶେ ନେଇ ଛାଡ଼ ଏ କୁମର ।

ଯୁବାକାଳେ ତୋତେ ଆଶ୍ରା କରିଅଛି ସେହି

ପାଇଲେ ଏ ପୁତ୍ର ଗୋଟି ଆନନ୍ଦ ହେବଇଁ ।

ବୋଲଇ ସମ୍ବର ମୁଁ ତ ତାହା ଅଛି ଚାହିଁ

ଭାବୁଛି କାଳେ ଯେ ରାଣୀ ରାଜି ହେବ ନାହିଁ

ନାରଦ ବୋଲନ୍ତି ଆମ୍ଭେ ବୁଝାଇ କହିବା

ଯେପରି ତାହାଙ୍କ ହସ୍ତେ ଏ କୁମର ଦେବା ।

ସତ୍ୟ କରିଅଛି ଆଗୁ ସମ୍ବର ଅସୁର

ଦିବସରେ ରାଣୀ ପାଶେ ନ ଯିବ ସତ୍ୱର ।

ସେ ଯୋଗେ ଋଷିଙ୍କ ସଙ୍ଗେ ଦାସୀ ଏକ ଦେଇ

ବୋଲେ ପୁତ୍ର ନେଇ ଋଷି ସଙ୍ଗେଯାଅ ତୁହି ।

କୋଳେ ପୁତ୍ର ଧରି ଦାସୀ ନାରଦଙ୍କୁ ନେଇ

ଅନ୍ତଃପୁରେ ରତି ପାଶେ ଦେଲା ପହଞ୍ଚାଇ ।

ଯହୁଁ ମହର୍ଷିଙ୍କୁ ଦେଖି ଦେଲା ନାରୀବର

ପାଦତଳେ ପଡ଼ି କାନ୍ଦେ ହୋଇଣ ଅଧୀର ।

ଆଖିଠାରି ଯତି ବୋଲନ୍ତି ଯେ ତୁନି ରହ

ଦାସୀ ଶୁଣିଲେ ପ୍ରକାଶ କରିବ ନିଶ୍ଚୟ ।

ଛଦ୍ରଣ କରିଣ ମୁନି ବୋଲନ୍ତି ବଚନ

ଆଗୋ ରାଣୀ ତୁମ୍ଭେ ଆମ୍ଭ ଏକ କଥା ମାନ

ଏ କୁମର ଗୋଟି ରାଜା ଆଣିଛନ୍ତି ପାଇ

ଯତନେ ପାଳ ଏହାକୁ କ୍ଷୀର ପାନ ଦେଇ ।

ଯହୁଁ ଶୁଣିଲେ ନାରଦଠାରୁ ଦେବୀ ରତି

ଦାସୀ କୋଳୁ ଛଡ଼ାଇ ନେଲେ ହେ ଝଟତି ।

କୋଳେ ପୁତ୍ର ଧରି ଗୋରୀ ମହାନନ୍ଦ ହୋଇ

ବୋଇଲା ଲୋ ଦାସୀ କ୍ଷୀର ଘେନିଆସ ତୁହି

ଶୁଣିଲା ମାତ୍ରକେ ଦାସୀ ହଜିଲା ଅନ୍ତର

ତେଣିକି ଚାଲିଲା ଗୁପ୍ତ ଭାଇ ଭଉଣୀର ।

ନାରଦ ବୋଲନ୍ତି ସବୁ ଜାଣିଅଛି ମୁହିଁ

ସେ କେବଳ ଏତେ କଉଶଳ ଅଛି ଭେଇ ।

ଚିହ୍ନ ଭଲେ ଏ ନୁହେଁକି ମଦନ ତୋହର

ଦେଲି ତୋ ପତିକୁ ଆଣି ତୋରି ପାଖର ।

କାଲି ରୁକ୍ମିଣୀ ଗର୍ଭରୁ ଭୂମିରେ ପଡ଼ିଲା

ମୋ କଥା ମାନିଣ ଆଜି ଦଇତ ଆଣିଲା ।

ସାବଧାନ କରି ତୋତେ ଯାଉଅଛି ମୁହିଁ

ବର୍ତ୍ତମାନ ତୋ ସ୍ଵାମୀକୁ ଚିହ୍ନା ଦେବୁ ନାହିଁ ।

ଆଉ କିଛି ଦିନ ମାତ୍ର ତୁ ଅପେକ୍ଷା କର

ସମୟରେ ମାରିବ ଏ ମର ଅସୁର ।

ବଡ଼ ହେଲେ ସ୍ୱାମୀସ୍ତିରୀ ଏକତ୍ର ହୋଇବ

ଯଦି ଧରା ପଡ଼ ଏବେ ଅସୁର ମାରିବ ।

ବର୍ତ୍ତମାନ ମାତା ପରି ୟାର ଯତ୍ନ ନେବୁ

ଯାହା ଭଲ ମନ୍ଦ ଆମ୍ଭ ଆଗେ ଜଣାଇବୁ ।

ଆଜିଠାରୁ ମଥାରେ ତୁ ଘେନିବୁ ସିନ୍ଦୂର

ପତି ମଣି ପାଦ ସେବା କରିବୁ ଏହାର ।

ପିତା ମନ୍ତ୍ର ବର୍ତ୍ତମାନ ସ୍ୱାମୀ ପାଶେ ତୋର

ନ କରିବୁ ଯେ ପ୍ରୟୋଗ ମାନି ଆମ୍ଭ ଗୀର

ଯାଉଛି ଯତ୍ନେ ପାଳିବୁ ଦେଇଣ ଆହାର

ଅଳ୍ପଦିନେ ଦୁଃଖ ତୋର ହୋଇଯିବ ଦୂର ।

ଏତେକହି ମହର୍ଷି ଯେ ଅନ୍ତର୍ଦ୍ଧାନ ହେଲେ

ରତି ଦେବୀ ପିଲାଟିକୁ କ୍ଷୀର ଖୁଆଇଲେ ।

ଏତେ ଦିନ ହେଲା ବେଶ ନ ହୁଏ ସୁନ୍ଦରୀ

ମଥାରେ ସିନ୍ଦୂର ବିନ୍ଦୁ ନ ଘେନଇ ଗୋରୀ ।

ଆଜି ରତିଙ୍କୁ ଆନନ୍ଦ କେ ପାରିବ କହି

ତିନି ମନୁ ତପସ୍ୟାର ଫଳ ପାଇଛଇ ।

ସାଥେ ସାଥେ ଘେନିଲେ ଯେ ମଥାରେ ସିନ୍ଦୂର

ପୂର୍ବ ପରି ଦିବ୍ୟ ବେଶ ହେଲା ନାରୀବର ।

ନିଜ ସ୍ବାମୀ ମୀନକେତନକୁ ପାଇ ଗୋରୀ

ସେବା କରୁଥାଏ ମନୁ ଚିନ୍ତା ପରିହରି ।

ଏହିଠାରେ ଏହି କଥା ଗୋଟି ଯେ ରହିଲା

ପୁଣି ଦ୍ୱାରକା ନଗରେ ଶୁଣ ଯାହା ହେଲା ।

ରାତ୍ର ପ୍ରଭାତରୁ ଦେବୀ ରୁକ୍ମିଣୀ ଉଠିଲେ

କ୍ଷୀର ଖୁଆଇବା ପାଇଁ ପୁତ୍ରକୁ ଖୋଜିଲେ ।

ଦେଖିଲେ ସନ୍ତାନ ନାହିଁ ପାଶରେ ତାଙ୍କର

ସଖୀଙ୍କୁ ବୋଲଇ ପୁତ୍ର କାହିଁ ଯେ ମୋହର ।

ସର୍ବ ସଖୀଏ ବୋଲନ୍ତି ଆମ୍ଭେ ଦେଖି ନାହୁଁ

ଶୋଇଅଛୁ ସର୍ବେ ପୁତ୍ର ନେଲା କିଏ ଆଉ ।

ଏକା ରହସ୍ୟ ଜାଣନ୍ତି ପ୍ରଭୁ ସେ ସକଳ

ଚାହୁଁ ଚାହୁଁ ଦ୍ୱାରକାରେ ହୋଇଲା ଚହଳ ।

ସମସ୍ତ ତାର ଭିଆଣ ଅଟେ ଏ ସଂସାରେ

କେଉଁକଥା ଗୋଟି ଅବା ଜାଣିନାହିଁ ପାରେ ।

ଯହୁଁ ଖୋଜି ଖୋଜି ସର୍ବେ ପୁତ୍ର ନ ପାଇଲେ

ଶୁଣିଣ ରୁକ୍ମିଣୀ ଦେବୀ ମୂର୍ଚ୍ଛିତ ହୋଇଲେ ।

ବାରବାର ଚେତା କରାଇଲେ ପ୍ରଭୁ ନାରୀ

ଶୁଣି ପୁରନାରୀମାନେ କାନ୍ଦିଲେ ସବୁରି ।

ପୁତ୍ର ହରଣ ଶୁଣିଣ ପ୍ରଭୁ ଚକ୍ରଧର

ଅନ୍ତୁଡ଼ିଶାଳରେ ଆସି ହୋଇଲେ ହାଜର ।

ତହୁଁ ପ୍ରଭୁଙ୍କୁ ରୁକ୍ମିଣୀ ଦେବୀ ଦେଲେ ଚାହିଁ

ମଥା କଚାଡ଼ିଣ ବେଶି କାନ୍ଦିଲେ ସୁମୁହିଁ ।

ହେ କପଟୀ ଜାଣେ ମୁହିଁ କପଟ ତୁମ୍ଭର

ନିଜ ଦାସୀ ପଣେ କିମ୍ପା କର ଅବିଚାର ।

ଦେଖିଛନ୍ତି କେତେ କଷ୍ଟ ନ କରିଛି ମୁହିଁ

ଚାଲୁଥିଲି ବସୁଧାରେ ହାତଭରା ଦେଇ ।

ଦଶମାସ ଦଶଦିନ ଗର୍ଭରେ ବହିଲି

ନିମିଷ ମାତର ମୁହିଁ କୋଳେ ନ ଧରିଲି ।

ହେ କପଟୀ ଧରୁଅଛି ଚରଣ ତୁମ୍ଭର

କେଉଁଠି ଅଛ ପୁତ୍ରକୁ ଦିଅ ମୋ ପାଶର ।

ଯଦି ନ ଦେବ ସନ୍ତାନ ଗୋଟି ଆଣ ମୋର

କହୁଛି ମରିବି ନିଶ୍ଚେ ଖାଇ ମୁଁ ଜହର ।

ସନ୍ତାନ ବେଦନା ସିନା ଜନନୀ ଜାଣଇ

ଗର୍ଭଧାରୀ ମାତା ଦୁଃଖ ସୁପୁତ୍ର ବୁଝଇ ।

ଏତେ କହି କଚାଡ଼ିଲେ ମଥା ନାରୀବର

ଫୁଟିଣ ରକତ ବହିଗଲା ଧାର ଧାର ।

ନ କାନ୍ଦ ନ କାନ୍ଦ ଆଉ ପ୍ରାଣପ୍ରିୟା ମୋର

ତବ ଦୁଃଖେ ହୃଦ ମୋର ହେଉଛି ଅସ୍ଥିର ।

ନ ଜାଣିଲା ପରି ପ୍ରଭୁ କୋହ କୋହ ହୋଇ

କାନ୍ଦି କହନ୍ତି ମୋ ପୁତ୍ର ଗଲା କିଏ ନେଇ ।

ବାଳୁତ ନନ୍ଦନ କାର କେଉଁ ଦୋଷ କଲା

ଆମ୍ଭ ଦୁଇଜଣକୁ ସେ କନ୍ଦାଇ ମାରିଲା ।

ଶୁଣି ପ୍ରଭୁ ବଳରାମ ହୋଇଲେ ହାଜର

ବୋଇଲେ ନ କାନ୍ଦ ମାତ ତୁମେ ଧୈର୍ଯ୍ୟ ଧର

ତୋର ସ୍ଵାମୀ ଚକ୍ରଧର କିଛି ନ ଜାଣଇ

କାନ୍ଦୁଛି ସେ ନେତ୍ରୁ ତାର ଲୁହ ନ ବହଇ ।

ଶପଥ କରୁଛି ବଧୂ ମୁଁ ଧର୍ମକୁ ଚାହିଁ

ନିଶ୍ଚେ ତୋର କୋଳେ ପୁତ୍ର ଆଣିଦେବି ମୁହିଁ ।

କିନ୍ତୁ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ ନେଇଥିବ

ତୋର ସ୍ଵାମୀ ଶ୍ରୀକୃଷ୍ଣଙ୍କୁ ନିଶ୍ଚେ ଜଣାଥିବ ।

ନୋହିଲେ ସିଂହ ଘରୁ କି ଶାବକ ତାହାର

ଚୋରିକରି ନ୍ୟନ୍ତା ଏଡ଼େ ସାହସ କାହାର ।

ଶ୍ରୀହରି ବୋଲନ୍ତି ଭାଇ ଜାଣେ ନାହିଁ ମୁହିଁ

କେଉଁ ଦୈତ୍ୟ କାଲି ରାତ୍ରେ ନେଇଛି ଚୋରାଇ

ପିତା ହୋଇ ମୁହିଁ ପୁତ୍ରେ ଅନ୍ୟକୁ ଦେବଇ

ଏହି କଥା ଭ୍ରାତା ତବ ମନେ ପ୍ରତେହୋଇ ।

ଯାଉଅଛି ବର୍ତ୍ତମାନ ଖୋଜିବାକୁ ମୁହିଁ

ଯେଉଁଠାରେ ଥିବ ପାଇଲେ ମୁଁ ଆଣିବଇଁ ।

ଏତେ କହି ଚକ୍ରଧର ହୋଇଲେ ବାହାର

କାହା ଆଗେ ନ କହିଲେ ସେ ଗୋପନ ଗୀର

ଜାଣନ୍ତି ଯେ ପୁତ୍ର ଅଛି ନିରାପଦେ ମୋର

ରତିଦେବୀ ସେବାକରେ ପାଦରେ ତାହାର ।

ପୁତ୍ରକୁ ଖୋଜିବା ଲାଗି ଦ୍ୱାରକାର ପୁର

ବାହାର ହୋଇଲେ ସର୍ବ ଦିଗ ଦିଗନ୍ତର ।

ରୁକ୍ମିଣୀ ଦେବୀ ଯେ ଜ୍ଞାନ ହରାଇ ପଡ଼ିଲେ

ହଳଧର ତାଙ୍କୁ ବହୁ ପ୍ରବୋଧି କହିଲେ ।

ଅପୂର୍ବ ଚରିତ ଏହି ଗ୍ରନ୍ଥ ମଧ୍ୟେ ସାର

ପ୍ରତ୍ୟେକ ଶାସ୍ତ୍ରରୁ ଘୃତ ହୋଇଛି ବାହାର ।

ପ୍ରତ୍ୟେକ ସନ୍ଧ୍ୟାରେ ଯେହୁ ଏହାକୁ ପଢ଼ନ୍ତି

ଅପୁତ୍ରିକ ନାରୀମାନେ ପୁତ୍ର ଯେ ପାଆନ୍ତି ।

ଦରିଦ୍ର ଜନ ଯଦ୍ୟପି ଏହାକୁ ଶୁଣିବ

କୁବେର ସମାନ ଧନ ତାକୁ ପ୍ରାପ୍ତ ହେବ ।

ନ ଲାଗିବ ଦୁଃଖ ଶୋକ ନ ଲାଗିବ ବାଧା

ଅନ୍ତକାଳେ ବଇକୁଣ୍ଠେ ଚଳିଯିବ ସିଧା ।

ଶ୍ରୀ ଅଚ୍ୟୁତ ଭବିଷ୍ୟତ ବାର୍ତ୍ତା ମଧ୍ୟ ଏହି

ସଂଗ୍ରହ ହୋଇଛି ଥୋକେ ଶୁଣ ମନଦେଇ ।

ମହାମାୟାଙ୍କ ଚରଣ ତଳେ କରି ଧ୍ୟାନ

ଦରିଦ୍ର କ୍ଷେତ୍ରମୋହନ କରିଛି ଲିଖନ ।

 

Unknown

କର୍ନ୍ଦପ ସହିତ ରତିଦେବୀଙ୍କ ପରିଚୟ ଓ
ସମ୍ବର ଅସୁର କର୍ନ୍ଦପ ହସ୍ତେ ବିନାଶ

ଏଥୁଅନ୍ତେ ସୁଜ୍ଞଜନେ ଶୁଣ ଦିବ୍ୟଗୀତି

ତପ ସିଦ୍ଧ ହେଲା କ୍ରମେ ଭେଟ ହେଲା ରତି ।

ନାରାୟଣ ସମ ଦିଶେ ରୁକ୍ମିଣୀର ବଳା

ବାଳ ଅର୍କ ପରି ତେଜ ଦିଶେ ଅନର୍ଗଳା ।

ଦାସୀ ପରି ପାଦେ ସେବା କରଇ ସୁନ୍ଦରୀ

ଦିନୁ ଦିନ କନ୍ଦର୍ପର ଶୋଭା ହୁଏ ଭାରି ।

ପୁତ୍ରକୁ ଦେଖି ସମ୍ବର ଆନନ୍ଦ ହୁଅଇ

ସବୁ ପୁତ୍ରଠାରୁ ବଳି ସ୍ନେହ ସେ କରଇ ।

ମୀନକେତନ ନାମ ଯେ ଅଟେ କନ୍ଦର୍ପର

ମାୟାବତୀ ନାମ ଅଟେ ରତି ଦେବୀଙ୍କର ।

ନ ଜାଣନ୍ତି କେହି ୟାଙ୍କ ଦୁହିଁଙ୍କ ବେଭାରେ

ଚାହୁଁ ଚାହୁଁ କେତନକୁ ବର୍ଷ ହେଲା ତେର ।

ସ୍ୱୟଂ ବ୍ରହ୍ମାଣ୍ଡ କରତା ଅଟେ ଯାର ପିତା

ପୁଣି ଦେବୀ ମହାଲକ୍ଷ୍ମୀ ଯାହାଙ୍କର ମାତା ।

ଉପଯୁକ୍ତ ଗୁରୁ ରଖି ସମ୍ବର ଅସୁର

ତାହାଙ୍କ ଉପରେ ଦେଲା ପୁତ୍ର ଶିକ୍ଷା ଭାର

ଅସ୍ତ୍ର ବିଦ୍ୟା ଧନୁର୍ବିଦ୍ୟା ଶିଖଇ କୁମର

ଅଳପଦିନେ ହୋଇଲା ପଣ୍ଡିତ ବିଦ୍ୟାର ।

ଆଉ ଯେତେ ପୁତ୍ର ଦୈତ୍ୟ ରାଜାର ଥାଆନ୍ତି

ସଭିଙ୍କଠାରୁ କେତନ ଅଧିକ ଅଟନ୍ତି ।

ମୀନକେତନକୁ ପାଶୁ ନ କରେ ଅନ୍ତର

ଭାବିଲା କରିବି ୟାକୁ ରାଜେ ଅଧୀଶ୍ୱର ।

ମାୟାବତୀ ସବୁବେଳେ ରାଜାଙ୍କୁ କହଇ

ମୀନକେତନ ଯେପରି ରାଜ୍ୟେ ରାଜା ହୋଇ

ଯାହା ଯେତେବେଳେ ଲୋଡା ହୁଏ କୁମରର

ସମସ୍ତ ଯୋଗାଇ ଦ୍ୟନ୍ତି ରତି ଯେ ପାଶର ।

ରାକ୍ଷସଙ୍କ ଗୁରୁ ଯେହୁ ସେ ବିଦ୍ୟା ପଢାନ୍ତି

ଦୈତ୍ୟ ହେଲେ ମଣି ସେହୁ କରେ ବିଷ୍ଣୁଭକ୍ତି ।

ମାୟାବତୀ କେତନକୁ ନ କରେ ଅନ୍ତର

ପୁର ମଧ୍ୟେ ପାଶେ ରଖିଥାଏ ନାରୀବର ।

ଯହୁଁ ଯୁବକ ଅବସ୍ଥା କେତନର ହେଲା

ଦେଖି ରତିଦେବୀ ମନ କାମେ ଘାରିହେଲା ।

ଦେବର୍ଷି ନାରଦ ଦେବୀଙ୍କୁ ଆକଟିଛନ୍ତି

ମୁଁ ନ କହିଲେ ତୁ ଚିହ୍ନା ନ ଦେବୁରେ ରତି ।

ତେଣୁ ପରିଚୟ ନ ଦିଶଇ ନାରୀବର

ଛାୟା ପରି ରହିଥାଏ ପାଶରେ ତାହାର ।

ଦିନେ ମନଯାନେ ଗୁପ୍ତେ ଆସି ଯତିବର

ରତିଦେବୀଙ୍କ ପୁରରେ ହୋଇଲେ ହାଜର ।

ନାରଦଙ୍କୁ ଦେଖି ପାଦେ ପଡ଼ିଲେ ସୁମୁହୀଁ

ବୋଇଲେ ଆଉ ମୁଁ କେଭେ ନ ପାରିବି ରହି ।

ଯାହା ଲାଗି ଏତେ ଦୁଃଖ ଭୋଗୁଅଛି ମୁହିଁ

ଜଳ ପାଶେ ଥାଇ ମୋର ତୃଷ୍ଣା ନ ହରଇ ।

ହସି ବୋଇଲେ ନାରଦ ଚିନ୍ତା ପରିହର

ନିର୍ବିଘ୍ନରେ ପରିୟ ଦିଅ ତୋ ସ୍ଵାମୀର ।

ଏତେ କହି ଅନ୍ତର୍ଦ୍ଧାନ ହେଲେ ମୁନିବର

ରତିଦେବୀ ଆନନ୍ଦରେ ହୋଇଲେ ବିଭୋର

କେତନ ପୁରରେ ଥିବା ସମୟେ ସୁନ୍ଦରୀ

ଅପୂର୍ବ ବେଶେ ଅଙ୍ଗକୁ ସଜାଇଲେ ଗୋରୀ ।

ଆବର ଯେଉଁ ଔଷଧ ଶିବ ଦେଇଥିଲେ

ଯତନେ ତାହାକୁ ଘୋରି ମଥାରେ ପିନ୍ଧିଲା ।

ସେ ଚିତାକୁ ଚାହିଁଦେଲା ମାତ୍ରେ ଯେ ମଦନ

ପ୍ରିୟା ବୋଲି ଚିହ୍ନିଣ କରିବେ ଆଲିଙ୍ଗନ ।

ଦେବାଙ୍ଗ ବସନ ଗୋରୀ ଯତନେ ପିନ୍ଧିଲେ

ସୁବାସ କୁସୁମ ଅତରରେ ମୁଣ୍ଡି ହେଲା ।

ଯେଉଁ ରୂପେ ତପ ନଷ୍ଟ କରଇ ସୁନ୍ଦରୀ

ଆଜି ସେହି ରୂପ ଗୋଟି ହୋଇଅଛି ଗୋରୀ ।

ବ୍ୟାକୁଳ ହେଉଛି ମନ ରତି ଦେବୀଙ୍କର

ଶୀଘ୍ର ରାତ୍ରି ଦେବୀ ଆସନ୍ତେ କି ମର୍ତ୍ତ୍ୟପୁର ।

ଏହିପରି ଭାବି କାନ୍ତ ପଥ ଅନୁସରି

ପଲ୍ୟଙ୍କେ ସୁବେଶ ହୋଇ ବସିଅଛି ଗୋରୀ

ଏ ସମୟରେ କେତନ ମାୟାବତୀ ପୁରେ

ପ୍ରବେଶ ହୋଇଣ ମାଆ ଡାକଦିଅ ଦ୍ୱାରେ ।

ଯେତେବେଳେ ମାଆବୋଲି ଡାକିଲେ କେତନ

ଏଣେ ରତିଦେବୀ ହସୁଥାନ୍ତି ମନେ ମନ ।

ଯେତେ ଡାକିଲେ କେତନ ରତି ନ ଶୁଣିଲେ

ଖାଇବାକୁ ଦିଅ ମାତା ବୋଲି ଗୃହେ ଗଲେ ।

ପଲଙ୍କ ଉପରେ ବସିଥିଲା ସେ ସୁମୁହୀଁ

ପାଦ ଧୋଇବାକୁ ଗଲା ଜଳଘଟି ନେଇ ।

ପାଦ ଧୋଇବା ପାଇଁକି ଯାନ୍ତେ ମାୟାବତୀ

ଏହା ଦେଖିଣ ଆଶ୍ଚର୍ଯ୍ୟ କେତନ ହୁଅନ୍ତି ।

ପୁଣି ମାୟାବତୀ ରୂପ ଦେଖିଣ କେତନ

ଦେବୀଙ୍କ ଅଙ୍ଗକୁ ଚାହୁଁଥାନ୍ତି ଘନ ଘନ ।

ସୁନ୍ଦରୀ ଅଙ୍ଗୁ ସୁବାସ ଚହଟି ଉଠଇ

ଲୋଭନୀୟ ବସ୍ତୁ ପରି ବସ୍ତ୍ର ଅଛି ଫେଇ ।

ଯେତେବେଳେ ରତି କାମ ପାଦ ଧୌତକରେ

ଏ କିସ କରୁଛ ମାତ କେତନ ବୋଇଲେ ।

ପାଦୋଦକ ପାଇ ଗୋରୀ ପ୍ରଣିପାତ ହୋଇ

ଦରହସି ମଦନର ମୁଖ ଦେଲେ ଚାହିଁ ।

ଯେହ୍ନେ ଝରିପଡ଼େ ମୁକ୍ତା ସୁନ୍ଦରୀ ଅଧରୁ

ଦେଖି ନ ଥିଲେ ସେ ଚିତା ମଦନ ଆଗରୁ ।

ଶିବଙ୍କ ଔଷଧ ଶିରେ ଦେଖିଣ କୁମର

ଚିହ୍ନିଲେ ସେ ମାୟାବତୀ ରମଣୀ ତାଙ୍କର ।

ଆହା ମୋର ପ୍ରାଣେଶ୍ଵରୀ ବୋଲି ଆଲିଙ୍ଗନ

କରି କାମଦେବ ଗଣ୍ଡେ ଆଙ୍କିଲେ ଚୁମ୍ବନ ।

ମାୟାବତୀ ବୋଲେ ମାତା ମୁଁ ଅଟେ ତୁମ୍ଭର

ସନ୍ତାନର ଅଟେ ଏ କି ଉଚିତ ବେଭାର ।

ଏହା କହି ଲାଜେ ସଖୀ ନୟନ ମୁଦିଲେ

କ୍ଷଣେ ମଦନର ମୁଖ ଚାହିଁଣ କାନ୍ଦିଲେ ।

ସେ ବେଳର ଦୃଶ୍ୟ ମୁଖେ କେ ପାିବ କହି

କେତେ ଯୁଗେ ପତି ପତ୍ନୀ ଛନ୍ତି ଭେଟ ହୋଇ

ମାୟାନାରୀ ରାକ୍ଷସର ପୁରକୁ ଚଳିଲା

ଏଣେ ରତି ମଦନକୁ ପରିଚୟ ଦେଲା ।

ପଲ୍ୟଙ୍କରେ ସ୍ଵାମୀ ସ୍ତିରୀ କରିଲେ ଶୟନ

ପୂର୍ବ କଥାମାନ ରତି କରିଲେ ଗାୟନ ।

କୋଟି ଚନ୍ଦ୍ର ପରି ଶୋଭା ଅଟେ ମଦନର

ଅଗ୍ନି ଶୁଦ୍ଧ ସ୍ୱର୍ଣ୍ଣ ପରି ଦିଶଇ ସୁନ୍ଦର ।

ଗଜଦନ୍ତ ପଲଙ୍କରେ ମଦନ ଶୋଇଲେ

ଧୀରେ ଧୀରେ ରତିଦେବୀ ପାଦ ମଞ୍ଚାଳିଲେ ।

ସ୍ୱାମୀସ୍ତିରୀଙ୍କ ଚକ୍ଷୁକୁ ନିଦ୍ରା ନ ଆସଇ

ପରସ୍ପର ମଧ୍ୟେ ହେଉଥାନ୍ତି ଚାହାଁଚାହିଁ ।

ସତେ ସ୍ବର୍ଗ ପାଇଛିକି ଧାତାର କୁମାରୀ

ତେସନ ପରାୟ ମନ ହୁଅଇ ତାହାରି ।

ବହୁଦିନର ତପସ୍ୟା ଫଳ ଅଛି ପାଇ

କେତେ କଷ୍ଟ ସ୍ୱାମୀ ଲାଗି ନ କରିଛି ସେହି ।

ଧନ୍ୟ ଧନ୍ୟ ରତି ତୁହି ନାରୀଙ୍କର ହୀରା

ତୋର ଯୋଗେ କାମ ଆଜି ଜନମିଣ ଧରା ।

କାମଦେବ କୋଳେ ଧରି ଅମର୍ତ୍ତ୍ୟ ସୁନ୍ଦରୀ

ବହୁ ପ୍ରଶଂସା କରନ୍ତି ନାରୀଙ୍କୁ ତାଙ୍କରି ।

ବୋଲନ୍ତି ଧନ୍ୟ ଜୀବନ ମୋହର ଅଟଇ

ଏପରି ଦେବୀଙ୍କୁ ଉପହାର କି ଦେବଇଁ ।

ରତି ବୋଲେ ଅନ୍ୟ ମୋର ନାହିଁ ଦରକାର

କେବଳ ଏ ପାଦ ଦୁଇ ଭରସା ମୋହର ।

ଏହି ଆନନ୍ଦରେ ଦୁହେଁ ଗଲେ ଭୋଳ ହୋଇ

ପ୍ରେମେ ପତି ପତ୍ନୀ ନିଶି ଗୋଟା ଦେଲେ ପାହି

ଯେଉଁ ଦିନ ଦୁଇଜଣ ଚିହ୍ନାଚିହ୍ନି ହେଲେ

ଚକୁଆ ଚକୋଇ ପରି ଆନନ୍ଦେ ରହିଲେ ।

ଏହିପରି ଗୁପ୍ତେ ବହୁ ଦିନ ଗଲା ବହି

ଚନ୍ଦ୍ର ଉପରେ କି ଛାୟା ତାଙ୍କୁ କେ ରଖଇ ।

ମାତ୍ର ପୁତ୍ର ସ୍ନେହ ଅଟେ ଅନ୍ୟ ପରକାର

ସ୍ଵାମୀ ସ୍ତିରୀଙ୍କର ଭିନ୍ନ ଅଟଇ ବେଭାର ।

ଅନ୍ତଃପୁର ମଧ୍ୟେ ଥିଲେ ଯେତେ ପରିବାରୀ

ଏ କଥା ଗୋଟିକୁ ସର୍ବେ ଗଲେ ଯେ ଠଉରୀ ।

ହସ ଖୁସି ଗପ ସପ ଦେଖି ଦୁହିଁଙ୍କର

ଦେଖି ନ ସହିଲା ଦେହ ଦାସୀମାନଙ୍କର ।

ଯାଇ ଆନ ରାଣୀଙ୍କର ଆଗରେ କହିଲେ

ସାରା ରାଜ୍ୟ ଲୋକ ମଧ୍ୟ ଏକଥା ଜାଣିଲେ ।

ବଡ଼ଲୋକ କଥା ବୋଲି କେହି ନ କୁହନ୍ତି

କିନ୍ତୁ ମେଳା ମେଳା ହୋଇ ବିଚାର କରନ୍ତି ।

କେବୋଲେ ସର୍ପ ପୋଷିଣ ରାଜା କ୍ଷୀରଦେଲା

ଶେଷକୁ ଦେଖି ସେ ବିଷ ତାହାକୁ ଘାରିଲା ।

ପୁଣି ନିଜ ସନ୍ତାନଙ୍କଠାରୁ ନରେଶ୍ୱର

ଅଧିକ ସ୍ନେହ କରନ୍ତି ସେହି କୁଳାଙ୍ଗାର ।

ଏହିପରି ରାଜ୍ୟସାରା ଚହଳ ପଡ଼ଇ

କୌଣସି ମତେ ଦୈତ୍ୟ ଏ କଥା ନ ଜାଣଇ ।

ଯହୁଁ ମୀନକେତନର ପଠନ ସରିଲା

ଯୁଦ୍ଧବିଦ୍ୟାରେ ସବୁଠୁ ଶ୍ରେଷ୍ଠ ସେହି ହେଲା ।

କେତନର ବୀରପଣ ଦେଖି ନୃପମଣି

ରାଜ୍ୟେ ରାଜା କରିବାକୁ ସ୍ଥିରକଲା ପୁଣି ।

ସର୍ବକାର୍ଯ୍ୟେ ଧୁରନ୍ଧର କେତନ ଅଟଇ

କ୍ଷଣେ ସାରା ବ୍ରହ୍ମାଣ୍ଡକୁ ପାରେ ସେହୁ ଦହି ।

ମନେ ମନେ ଖୁସିହୋଇ ସମ୍ବର ଅସୁର

ପଣ୍ଡିତମାନଙ୍କୁ ନୃପ ଡକାଇ ସଭାର ।

ପାତ୍ର ମନ୍ତ୍ରୀ କଟୁଆଳ ସମସ୍ତଙ୍କୁ ରାଇ

ଅଭିଷେକ ବିଧି ରାଜା ସ୍ଥିର ଯେ କରଇ ।

ସାରାବତୀ କଟକରେ ଦେଲାକ ଖବର

ମୋ ପୁତ୍ର ମୀନକେତନ ହେବ ନରେଶ୍ବର ।

ମନ୍ତ୍ରୀ ବୋଲେ ଶୁଣ ନୃପ ମୋହରି ବଚନ

ଅଛନ୍ତି ତୁମ୍ଭରି ଜାତ ଔରସ ସନ୍ତାନ ।

ଜ୍ୟେଷ୍ଠରାଣୀ ଶୋଭାବତୀ ପୁତ୍ରେ ରାଜା କର

ସାଉଁଟିଲା କାଣ୍ଡ ରଣେ ନ ହୁଏ ଦର୍କାର ।

ମନ୍ତ୍ରୀର ବଚନେ ନୃପ ହୋଇ କ୍ରୋଧଭର

ବୋଲେ ଜ୍ୟେଷ୍ଠରାଣୀକାରେ କୁହମନ୍ତ୍ରୀବର

ମାୟାବତୀ ପାଟରାଣୀ ମୋହର ଅଟଇ

ତାର ପୁ୍ତ୍ର ଉପଯୁକ୍ତ ଯୋଗ୍ୟ ଯେ ଅଟଇ ।

ନିଶ୍ଚେ କେତନକୁ ରାଜ୍ୟଭାର ଦେବି ମୁହିଁ

ଶୋଭାବତୀ ପୁତ୍ର ତାକୁ ସାହାଯ୍ୟ ଦେବଇଁ ।

ଶୁଣିଣ ଯେ ମହାମନ୍ତ୍ରୀ ନୀରବ କହିଲେ

ଆନ ରାଣୀମାନଙ୍କୁ ଯେ ବହୁ ବୁଝାଇଲେ ।

କାହାରି କଥା ଭ୍ରୂକ୍ଷେପ ନ କରି ଅସୁର

ମୀନକେତନ ହସ୍ତରେ ଦେଲା ରାଜ୍ୟଭାର ।

ଯେଉଁ ଦିନୁ ରାଜ୍ୟ ରାଜା ହୋଇଲା କୁମର

ସକଳ ରହିଲେ ମୀନକେତନ କଥାର ।

ଅନ୍ତଃପୁରେ ରାଣୀମାନେ ଛିଦ୍ର ଖୋଜୁଥାନ୍ତି

ଦାସୀମାନଙ୍କୁ ପଠାଇ ଖବର ନିଅନ୍ତି ।

ମାରିବା ପାଇଁକି ସର୍ବେ କେତନକୁ ବହୁ

ଉପାୟ କରିଣ ରାଣୀ ନ ପାରିଲେ ତହୁଁ ।

ଶ୍ରଦ୍ଧାରେ ପୁତ୍ର ପାଇଁ ଯେ ଖାଦ୍ୟ ପଠାବନ୍ତି

ଦେଖିଣ ଯେ ରତିଦେବୀ ସବୁ ଫିଙ୍ଗିଦ୍ୟନ୍ତି ।

କ୍ଷଣେ କେତନକୁ ଅନ୍ତଃପୁରୁ ନ ଛାଡ଼ନ୍ତି

ଛାୟା ପରି ପାଶେ ପାଶେ ସଦା ଜଗିଥାନ୍ତି ।

ବହୁ କଷ୍ଟରେ ପାଇଛି ପତିକୁ ତାହାର

କାଳେ ପୁଣି କେହୁ ପ୍ରାଣ ନାଶିବେ ଗୁପ୍ତଚର ।

ରାତ୍ରେ ମାୟାବତୀ ପୁରେ ଦାସୀ ଲୁଚିରହି

ସ୍ଵଚକ୍ଷୁରେ ଏକତ୍ର ଶୋଇବା ଦେଖିଛଇଁ ।

ସବୁ କତା ରାଣୀ ଆଗେ ଜଣାନ୍ତି ଯେ ଯାଇ

ଏଣେ ସାରା ରାଇଜରେ ଚହଳ ପଡ଼ଇ ।

କେ ବୋଲଇ ଯୁଗ ଆଉ ନ ରହିବ ଭାଇ

ମାତା ସଙ୍ଗେ ପୁତ୍ର ପୁଣି ପ୍ରୀତି ଯେ କରଇ ।

ଏହିପରି ସର୍ବ ସମାଲୋଚନା କରନ୍ତି

ସବୁ ଜାଣି ରତି କେତନ ଯେ ନ ଶୁଣନ୍ତି ।

ସେ ତ ଛାର ସମ୍ବରକୁ ଭୟ ନ କରନ୍ତି

ସିଂହ ଶାବକ କି କରେ ଶୃଗାଳକୁ ଭୀତି ।

ଦୁଇଜଣଙ୍କର ସ୍ନେହ ହୁଏ ଦୃଢ଼ତର

ଯେସନେ କ୍ଷୀର ସଙ୍ଗରେ ମିଶିଥାଏ ନୀର ।

ଦିନେ ବାହାର ନନ୍ଦିନୀ ଶୋଭାପାଏ ନାରୀ

ସମ୍ବର ଦୈତ୍ୟ ସେ ଯେ ଶ୍ରେଷ୍ଠା ମନୋହାରୀ

ଏକ ବିଶ୍ବାସୀ ଦାସୀକୁ ଡକାଇ ପାଶର

ବୋଇଲା କହ ତୁ ସର୍ବ ରାଜାଙ୍କ ଆଗର ।

ସେ ଯାହା ଉତ୍ତର ଦେବେ ମୋତେ ଜଣାଇବୁ

କାଲି ରାତ୍ରର ଘଟଣା ସର୍ବ ବଖାଣିବୁ ।

ଶୁଣି ମୁଦୁସୁଲୀ ଗଲା ରାଜାଙ୍କ ପାଶର

ସାଷ୍ଟାଙ୍ଗେ ପ୍ରମାଣ ହୋଇ ବୋଇଲା ସତ୍ଵର ।

ଭୋ ମଣିମା କାଲିରାତ୍ରେ ଯୁବରାଜପୁର

ଯାଇ ଯା ଦେଖିଲି ବାକ୍ୟ ନ ସ୍ଫୁରଇ ମୋର ।

ନୂଆରାଣୀ ଯୁବରାଜ ଏକ ପଲଙ୍କରେ

ଶୋଇଥିଲେ ଦେଖିଲି ମୁଁ ତାହାକୁ ଚକ୍ଷୁରେ ।

ପୁଣି ମଧ୍ୟ କୋଳେ ତାଙ୍କୁ ଯୁବରାଜ ଧରି

ପ୍ରୀତି ଆରମ୍ଭିଲେ ସେ ଯେ ମାତା ନ ବିଚାରି

ଶୁଣି ନରପତି ରାଗେ ହୋଇ ଜର ଜର

ବୋଲେ ଲୋ ପୋଇଲୀ ଶୀଘ୍ର ହୁଅ ତୁହିଦୂର

ସପତଣୀ ରାଣୀମାନେ ବୋଧେ ଧନ ଦେଇ

ମୋ ନିକଟେ ପେଶିଛନ୍ତି ତୋତେ ଯେ ଶିଖାଇ

ଯେଉଁ ମାୟାବତୀ ରାତ୍ରି ସାରା ପୁରେ ମୋର

ତା ନାମେ କଳଙ୍କ ଦେଉ ହୀନା ନାରୀ ଛାର

କହୁଛି ଯଦ୍ୟପି ଏହା ଶୁଣେ ପୁନର୍ବାର

ନିଶ୍ଚେ ଖଡ୍‌ଗେ କାଟିବି ମୁହିଁ ତୋର ଶିର ।

ଶୁଣିଣ ମୁଦୁସୁଲୀ ଯେ ଭୟରେ ଫେରିଲା

ଶୋଭାବତୀ ଆଗେ ସବୁ ପ୍ରକାଶ କରିଲା ।

ଏହିପରି ସବୁ ରାଣୀ ରାଜାଙ୍କୁ କହନ୍ତି

କାହାରି ବଚନ ନ ଶୁଣନ୍ତି ନରପତି ।

ସପତଣୀ କହୁଛନ୍ତି ହିଂସାରେ ଏପରି

ମାତା ପୁତ୍ର ସ୍ନେହେ ଧୈର୍ଯ୍ୟ ନ ପାରନ୍ତି ଧରି ।

ସାରା ରାଜ୍ୟ ଗୋଟା ଏହା ପଡ଼ିଲା ଚହଳ

ସମ୍ବରର ଅନ୍ୟ ଶତେ ପୁତ୍ର ମହାବଳ ।

ସହଜେ ତ ମନେ ରାଗ ରହିଛି ତାଙ୍କର

ରାଜାଙ୍କ ପାଶରେ ସର୍ବେ ହୋଇଲେ ହାଜର ।

ବୋଇଲେ ଭୋପିତା ସାରା ରାଜ୍ୟେଅପବାଦ

ମାୟାବତୀ ସଙ୍ଗେ ମୀନକେତନ ସମ୍ବାଦ ।

ଛୋଟଠାରୁ ବଡ଼ଯାଏ ସରବେ କୁହନ୍ତି

ଭୟରେ ତୁମ୍ଭ ଆଗେ ସେ କଥା ନ ଜଣାନ୍ତି ।

ପୁତ୍ରଙ୍କ ବଚନ ଶୁଣି ବୋଲେ ଦୈତ୍ୟେଶ୍ଵର

ନ ଦେଖି ପରତେ କେବେ ନ ଯିବ ମନର ।

ଆଜ ରାତ୍ରେ ଲୁଚି ରହି ନିଜେ ଦେଖିବଇଁ

ସତ୍ୟ ହେଲେ କାଲି ବିଚାର କରିବି ମୁହିଁ ।

ଶୁଣିଣ କୁମାରମାନେ ଯେ ଯାହାର ଗଲେ

ଏକାନ୍ତରେ ବସି ରାଜା ମନରେ ଭାବିଲେ ।

ସମସ୍ତଙ୍କ ମୁଖରେ ଯେ ଶୁଭେ ଏକ ଗୀର

ସନ୍ଦେହ କିମ୍ପାଇଁ ମନେ ହେଉଛି ମୋହର ।

ଭାବୁ ଭାବୁ ରଜନୀ ଯେ ହୋଇଲା ପ୍ରବେଶ

ଏଣେ ରତିଦେବୀ ହୋଇ ଯେ ଦବ୍ୟ ସୁବେଶ

କେତନ ସଙ୍ଗରେ ଗୋରୀ ପ୍ରେମରେ ମାତଇ

ପତି ବଦନ ଚାହିଁଣ ବଚନ ବୋଲଇ ।

ସାରା ରାଜ୍ୟରେ ଭୋ ନାଥ ପଡ଼ଇ ଚହଳ

ରାଜନ ଦେଖିବ ଯହିଁ କରିବ ଦ୍ୱିଫାଳ ।

ଶୁଣିଣ ମଦନ ବୋଲେ ହୋଇ ବୀର ନାରୀ

ଛାର ଶୃଗାଳକୁ ଡରି ଯାଅନ୍ତେ ସୁନ୍ଦରୀ ।

ଲକ୍ଷେ ସମ୍ବରକୁ ଏକା ବାଣେ ବିନାଶିବି

ଏ ଛାର ଦୈତ୍ୟକୁ କିମ୍ପା ଭୟ ମୁଁ କରିବି ।

ଏତେ କହି ଅଙ୍ଗେ ଧରି ରମଣୀ ରତନ

ଗଣ୍ଡେ ଚୁମ୍ବ ଦେଇ ଗାଢେ କଲେ ଆଲିଙ୍ଗନ ।

ଏଣେ ସମ୍ବର ଅସୁର ଗୁପ୍ତେ ମାୟା ପୁରେ

ହୋଇଲା ପ୍ରଦେଶ ଦୈତ୍ୟ ଖଡ୍‌ଗ ଧରିକରେ ।

ପୁତ୍ରମାନେ ସର୍ବେ ଛନ୍ତି ରାଜାଙ୍କ ସାଙ୍ଗର

ସମସ୍ତେ ପ୍ରବେଶ ହେଲେ ମାୟାବତୀପୁର ।

ଦେଖିଲେ ସରବେ ମାୟାବତୀ ଯେ କେତନ

ଏକ ପଲଙ୍କରେ କରିଅଛନ୍ତି ଶୟନ ।

କେଶ ବାସ ଅସମ୍ଭାଳ ଦେହେ ନାହିଁ ଜ୍ଞାନ

ପତି ସଙ୍ଗେ ପତ୍ନୀ ପ୍ରେମ ହୋଇଛି ବନ୍ଧନ ।

ୟା ଦେଖି କୁମାରଗଣ ପିତାଙ୍କୁ ରାଇଲେ

ସ୍ଵଚକ୍ଷୁରେ ସମ୍ବର ଯେ ସମସ୍ତ ଦେଖିଲେ ।

ସମ୍ଭାଳି ନ ପାରି ବୀର ଧାଏଁ ଖଡ୍‌ଗ ଧରି

ବୋଇଲେ ଏତେ ଦିନକେ ପାରିଛି ମୁଁ ଧରି ।

ଆଲୋ ଲୋ ଚଣ୍ଡାଳୀ ଏଡ଼େ ସାହସ ତୋହର

ନିର୍ଲଜ ପୁତ୍ର ପ୍ରେମରେ ହେଉଛୁ ଅସ୍ଥିର ।

ରେ ନିର୍ଲଜ କେଉଁପରି କରୁ ତୁ ଅନୀତି

ମାତା ବୋଲି ମୁଖେ ଡାକ କରୁ ଜାର ବୃତ୍ତି ।

ଅନ୍ୟ ପୁତ୍ରେ ଆଜ୍ଞା ଦିଏ ରାଜା କ୍ରୋଧକରି

ବୋଲେ ଶୀଘ୍ର ମୋ ଆଗରେ ଦିଅ ୟାକୁମାରି

ତା ପରେ ହୋଇବ ଏହି ଦୁଷ୍ଟର ବିଚାର

ତୁରନ୍ତ ଅନ୍ୟାଚାରୀକୁ ପ୍ରାଣରେ ନିବାର ।

ଆଜ୍ଞା ପାଇଣ କୁମରେ ଭିତରେ ପଶନ୍ତି

ମାର ମାର ଧର ଧର ଶବଦେ କମ୍ପାନ୍ତି ।

ମୀନକେତନ କୋଳରେ ଥାଇ ନାରୀବର

ବୋଲଇ ହେ ସ୍ବାମୀ ପ୍ରାଣ ନାଶିବେ ତୁମ୍ଭର ।

ମୀନକେତନ ବୋଇଲେ ଥୟଧର ପ୍ରିୟେ

ଛାର ମୂଷିକଗୁଡ଼ାକୁ କିମ୍ପା କର ଭୟେ ।

ଏତେ ବୋଲି କରେ ଧନୁ ଧରିଣ କୁମର

ସିଂହର ପରାୟେ ଗର୍ଜି ହୋଇଲା ବାହାର ।

ହୋଇଲା ଘୋର ସମର ସମ୍ବରର ପୁର

ସ୍ୱର୍ଗରେ ଦେବତାଗଣ ହେଲେ ଥରହର ।

ଧାତାକୁ ବୋଇଲା ଦେବେ ଏ କି ଗରଜନ

କିବା ସ୍ୱର୍ଗପୁରେ ଆସେ କେଉଁ ଦୁଷ୍ଟଜନ ।

ବିଧାତା ବୋଲନ୍ତି ଦେବଗଣ ଥୟ ଧର

ସମ୍ବରପୁରେ ଲାଗିଛି ଯେ ମହାସମର ।

ରତି ମଦନଙ୍କ ଚୋରୀ ପଡ଼ିଅଛି ଧରା

ତେଣୁ ଯୁଦ୍ଧେ ଅସକତ ହୋଇଛି ସମ୍ବରା ।

ପୁତ୍ରର ଖବର ଶୁଣି ଇନ୍ଦ୍ରଦେବ ଗଲା

ବଜ୍ରଗୋଟି ଅଦୃଶରେ ମଦନକୁ ଦେଲା ।

ଯହୁଁ ଇନ୍ଦ୍ର ବୃଷ୍ଟି ଗୋଟି ମଦନ ପାଇଲା

ଶତ ସିଂହ ପରାକ୍ରମ ତା ହୃଦରେ ହେଲା ।

ରତିଦେବୀଙ୍କୁ ମଦନ ଦେଲେ ଚକ୍ଷୁ ଠାରି

ଫୁଲବାଣ ବିନ୍ଧେ ଗୋରୀ ଘନ ଘନ କରି ।

ଯେତେ ଦାନବ ସନ୍ତାନ କରୁଥିଲେ ରଣ

ମାୟାବତୀର ଶୋଭାକୁ କଲେ ନିରୀକ୍ଷଣ ।

ଦେହୁଁ ତେଜ ସମସ୍ତଙ୍କ ଗଲା କ୍ଷୟ ହୋଇ

ଏଣେ କାମଦେବ ବାଣ ବିନ୍ଧନ୍ତି ତୁହାଇ ।

ଦାନବ ପୁତ୍ର ଯେତେକ ରଣେ ମାତିଥିଲେ

ନିମିଷକେ ପ୍ରାଣ ହାରି ସକଳେ ଶୋଇଲେ ।

ଦେଖିଲା ଯହୁଁ ସମ୍ବର ପୁତ୍ରଙ୍କ ମରଣ

ଦାନ୍ତ କଡ଼ମଡ କରି ଧାଇଁଲା ତକ୍ଷଣ ।

ବୋଲେ ରହ ରହ ତୋର ଦେଖୁଅଛି ବଳ

ସେମାନଙ୍କ ସଙ୍ଗେ ତୋର ପୁରାଇବି କାଳ ।

ଆରେ ରେ ନିର୍ଲଜ ଭଣ୍ଡ ମୁଖେ ଲାଜ ନାହିଁ

ବାପ ପରି ମାଇଁ ଖୁଡ଼ୀ ତୋ ବାରଣ ନାହିଁ ।

ତୋର ବାପ କୃଷ୍ଣ ଯେହ୍ନେ ଗୋପରେ ବଢ଼ିଲା

ରାଧା ଗଉଡୁଣୀ ମାଇଁ ସଙ୍ଗରେ ରମିଲା ।

ତୁହି ତାର ବୀର୍ଯ୍ୟେ ଜନ୍ମ ହୋଇ ଦୁରାଚାର

ମାତା ବୋଲି ମୁଖେ ଡାକି କରୁରେ ଶୃଙ୍ଗାର ।

କୃଷ୍ଣଙ୍କର ପୁତ୍ର ବୋଲି ରତି ଥିଲେ କହି

ବିଶ୍ୱାସ କରୁ ନ ଥିଲା କେତନ ମନେହିଁ ।

ରାକ୍ଷସଠାରୁ ଶୁଣିଣ ପିତା ପରିଚୟ

ଗର୍ବକରେ ଫୁଲିଗଲା ମଦନର କାୟ ।

କରେ ଧନୁ ଧରି ସମ୍ବରକୁ କହେ ବୀର

ତା ହେଲେ ତୁନୋହୁ ଜନ୍ମଦାତା ପିତା ମୋର ।

ତଥାପି ସନ୍ତାନ ସ୍ନେହେ ପାଳିଅଛୁ ତୁହି

କହୁଛି ନ କର ରଣ ଯାଅ ତୁନି ହୋଇ ।

ତୋର ପରି ଶତ ଶତ ସମ୍ବରକୁ ମୁହିଁ

ନିମିଷକେ ଯମପୁର ଦେବି ଯେ ପଠାଇ ।

କିନ୍ତୁ ଧର୍ମକୁ ଚାହିଁଣ କହୁଛି ବୁଝାଇ

ଫେରିଯାଅ ଆନନ୍ଦରେ ଘରେ ରୁହ ଯାଇ ।

ନୋହିଲେ ମୋହର ଦୋଷ ନ ଧରିବୁ ତୁହି

ପିତା ମଣି କ୍ଷମା ଦେଲି ମନେ ଦୟା ବହି ।

ଦନ୍ତ କଡ଼ମଡ଼ କରି ବିଶ୍ଵରୂପ ହୋଇ

ଗରଜନ କରିଣ ସେ ଅସୁର କହଇ ।

ଆରେରେ ଗଉଡ଼ ତୋର ମୁଖେ ଲାଜ ନାହିଁ

କ୍ଷତ୍ରିୟ ସନ୍ତାନ କିମ୍ପା କହୁଛୁ ବଡ଼ାଇ ।

ବାପ ଯେହ୍ନେ ଜରାସନ୍ଧ ଭୟେ ମଥୁରାରେ

ନ ରହି ଲୁଚିଛି ଆସି ସମୁଦ୍ର ମଝିରେ ।

କାଳସର୍ପ ପୋଷି ମୁହିଁ କରିଛି ଅନ୍ୟାୟ

ମୋର ଖାଇ ମୋର ବୁକେ ଦଂଶୁରେ ଦୁର୍ଜୟ ।

ଏତେ କହି ଦନ୍ତ କଡ଼ମଡ଼ କରି ବୀର

କୁରାଳ ଚକ୍ର ପରାୟ ନୟନ ତାହାର ।

ଶତେ ଭାର ଗଦା କରେ ଧରି ଦୈତ୍ୟବୀର

ଧାଇଁଲା ପିଟିବା ପାଇଁ କେତନ ଉପର ।

ସେ ଗଦାକୁ ଦେଖି ରତି ବିକଳ ହୋଇଲେ

ଅସୁରର କାଳମୂର୍ତ୍ତି ଦେଖିଣ କମ୍ପିଲେ ।

ଇନ୍ଦ୍ରଙ୍କର ବଜ୍ରଗୋଟି କେତନ ଯେ ଧରି

ମାରନ୍ତେ ଅସୁର ଗଦା ଦେଲା ଚୂର୍ଣ୍ଣକରି ।

ଇନ୍ଦ୍ର ବଜ୍ର ଦେଖି ଦୈତ୍ୟ ମନେ ଭୟ କଲା

ଏହାକୁ କେବଣଠଶରୁ ଏହି ଯେ ପାଇଲା ।

ଗଦାଭଗ୍ନ ହେବା ଦେଖି କ୍ରୋଧେ ଦୈତ୍ୟବୀର

ଧନୁ କରେ ଧରି ବାଣ ବିନ୍ଧିଲା ଅସୁର ।

କକଡ଼ା ମାସରେ ଯେହ୍ନେ ବରଷଇ ଜଳ

ସେହିପରି ଦୈତ୍ୟ ଶର ବର୍ଷେ ଅନର୍ଗଳ ।

ଶୂନ୍ୟେ ଥାଇ ଦେବଗଣ ମହାଭୟ କଲେ

ପାତାଳେ ବାସୁକୀ ଶ୍ରୀହରିଙ୍କୁ ସୁମରିଲେ ।

ଦ୍ଵାରକା ପୁରରେ ଥିଲେ ପ୍ରଭୁ ଚକ୍ରଧର

ଜାଣିଲେ ପୁତ୍ର କରୁଛି ଘୋର ଯେ ସମର ।

ମାୟାବୀ ଅସୁର ଜାଣେ ବହୁ କଉଶଳ

କାଳେ ବାଳୁତ ସନ୍ତାନ ହୋଇବ ଦୁର୍ବଳ ।

ସୁଦର୍ଶନ ଚକ୍ରେ ରାଇ ବୋଇଲେ ଠାକୁର

ତୁରନ୍ତ ଯାଇ ମୋ ପୁତ୍ରେ ସାହାଯ୍ୟ ତୁ କର ।

ଶୂନ୍ୟ ମଧ୍ୟେ ଅଦୃଶ୍ୟରେ ରହି ଘୁରୁଥିବୁ

ଅସୁର ଶର ସମସ୍ତ ବିନାଶ କରିବୁ ।

ଆଜ୍ଞା ପାଇବା ମାତ୍ରକେ ଚକ୍ର ଚଳିଗଲା

ଅଦୃଶ୍ୟେ ଯୁଦ୍ଧ ଭୂମିରେ ଯାଇଣ ଘୁରିଲା ।

ଯେତେ ବାର ପ୍ରହାରର ଦାନବ ସମ୍ବର

ଚକ୍ରପରେ ବାଜି ସର୍ବ ହୋଇଯାଏ ଚୂର ।

ମଦନ ଯେତେକ ଶର ପ୍ରହାର କରଇ

ଅସୁର ଅଙ୍ଗରେ ଯାଇ ସମସ୍ତ ବାଜଇ ।

ରତିଦେବୀଙ୍କୁ ମଦନ ନେତ୍ରେ ଠାରିଦେଲେ

ଜାଣି ଫୁଲଧନୁ ଧରି ଦେବୀ ପ୍ରହାରିଲେ ।

ଚାହିଁଦ୍ୟନ୍ତେ ଦୈତ୍ୟବର ରମଣୀ ବଦନ

କାମବାଣେ ହୃଦ ତାର ହୁଏ ଅଚେତନ ।

ଯେଉଁଦିନଠାରୁ ଦୈତ୍ୟ ରତିଙ୍କୁ ଆଣିଛି

ଏପରି ମୋହିନୀ ରୂପ କେବେ ନ ଦେଖିଛି ।

ପୂର୍ବଠାରୁ ଶତଗୁଣ ଦିଶନ୍ତି ସୁନ୍ଦର

ଫୁଲଧନୁ ଶୋଭା ପାଏ ଦେବୀଙ୍କର କର ।

ରତି ରୂପେ ମୋହ ହୋଇ ରତି ହେଲା ଘାରି

ଦୀର୍ଘକାୟା ଗୋଟି ଖର୍ବ ହୋଇଲା ତାହାରି ।

ବୋଇଲା ଯଦ୍ୟପି ଗୋରୀ ଏ ରୂପ ଦେଖିବ

ମୋ ପାଖକୁ ନ ଆସିଣ ଭୟ ଯେ କରିବ ।

ତାର ମନ ଜାଣି ଦେବୀ ତୁହାଇ ତୁହାଇ

ସର୍ବାଙ୍ଗରେ ଫୁଲଶର ଦେଲେ ଦେବୀ ଛାଇ ।

ଲୋମେ ଲୋମେ ବିନ୍ଧୁଛନ୍ତି ଦେବୀ ଫୁଲଶର

ବିରହ ଜ୍ୱାଳାରେ ଦୈତ୍ୟ ହୋଇଲା କାତର ।

ଡାକେ ଆସ ଆସ ପ୍ରିୟେ କୋଳକୁ ମୋହର

ଦରହସି ବୋଲେ ଦେବୀ ମାଡୁଅଛି ଡର ।

ଏତେ ବଡ଼ ବିକଟାଳ ରୂପ ଅଛ ବହି

ପୁଣି ଖଣ୍ଡାଟାଏ ହସ୍ତେ ଧରିଛ କିମ୍ପାଇ ।

ମୋ ଉପରେ ବୃଥା ରାଗ କରିଛ ତୁମ୍ଭର

ଗଲେ ନିଶ୍ଚେ ଶିର କାଟିଦେବ ତୁମ୍ଭେ ମୋର ।

ସମ୍ବର କ୍ରୋଧେ ବୋଲଇ କେବେ ତୋତେମୁହିଁ

ନ ମାରିବି ପରାଣରେ ଆରେ ପ୍ରିୟସହି ।

କିନ୍ତୁ ଏ ପାପୀର ମୁଣ୍ଡ କାଟିବାକୁ ମୁହିଁ

ହସ୍ତରେ ଖଡ୍‌ଗ ଧରିଛିରେ ପ୍ରିୟସହୀ ।

ରତି ବୋଲେ ତା ହେଲେ ମୁଁ ପାଶେ ଯିବିନାହିଁ ।

ତୁମ୍ଭର ରୂପ ଦେଖିଣ ଡର ଯେ ଲାଗଇ ।

ମଧୁର ବଚନ ଶୁଣି ଅରିର ଅସୁର

କାମେ ବିହ୍ୱଳିତ ହୋଇ ବୋଲେ ଦୈତ୍ୟବର

ଆସ ଆସ ପ୍ରିୟେ ମନେ ଭୟ ତୁ ନ କର

ଦେଖ ଅସ୍ତ୍ରଗୋଟି ଫିଙ୍ଗିଦେଲେ ଯେ ଆଗର ।

ଏହା ବୋଲି ଦୈତ୍ୟ ଅସ୍ତ୍ର ଦେଲା ଫୋପାଡ଼ଇ

କୋଳ କରିବାକୁ ରତି ପାଶେ ଗଲା ଧାଇଁ ।

ଧରା ନ ଦେଇଣ ଦେବୀ ଦୂରେ ହଟିଯାନ୍ତି

ହସି ହସି ତୁହାଇଣ ଶର ଯେ ବିନ୍ଧନ୍ତି ।

ଏହି ସୁଯୋଗ ଉଣ୍ଡିଣ କାମେ ରତି ଚାହିଁ

ଠାରିଦେଲଷ ପ୍ରାଣ ଯାଅ ଏହି ବେଳେ ନେଇ ।

ଜ୍ଞାନ ହାରି ଦୈତ୍ୟନାଥ ପଛରେ ଧାଇଁଲା

ଧରା ନ ଦିଅନ୍ତି ଦେବୀ ଯେତେ ଚେଷ୍ଟାକଲା ।

ଏ ସମୟେ କାମଦେବ ବା ବଲାସ୍ତ୍ର ମାରି

ଅସୁର କନ୍ଧରୁ ମୁଣ୍ଡ ଦେଲେ ଛିନ୍ନକରି ।

ଯେତେବେଳେ ଅସୁରର ପ୍ରାଣ ନାଶ କଲା

ସ୍ୱର୍ଗପୁରୁ କାମ ପରେ ପୁଷ୍ପ ବରଷିଲା ।

ଧନ୍ୟ ଧନ୍ୟ କାମଦେବ ଧନ୍ୟ ଦେବୀ ରତି

ତୁମ୍ଭ ଯୋଗେ ନାଶହେଲା ଦେବଙ୍କ ବିପତ୍ତି ।

ଶୂନ୍ୟଶବ୍ଦ ହେଲା ଆଉ ବିଳମ୍ବ ନ କର

ତୁମ୍ଭଙ୍କୁ ନ ଦେଖି ମାତା ହୁଅନ୍ତି ଅସ୍ଥିର ।

ଜଗତ ଜନନୀ ଲକ୍ଷ୍ମୀମାତ ଯେ ତୁମ୍ଭର

ତୁମ୍ଭର ପିତା ଅଟନ୍ତି ଯେ ପରମେଶ୍ବର ।

ଯାଅ ପତି ପତ୍ନୀ ଦୁଇ ତାହାଙ୍କ ପାଶର

ଆନନ୍ଦରେ ଦ୍ୱାରକାରେ ସୁଖଭୋଗ କର ।

ଶୂନ୍ୟବାଣୀ କର୍ଣ୍ଣେ ପୁଣି ପତି ପତ୍ନୀ ଦୁଇ

ସମ୍ବରର ଅନ୍ତପୁରେ ପହଞ୍ଚିଲେ ଯାଇ ।

ମୂଢାସୁର ନାମେ ଥିଲା ଏକ ଦୈତ୍ୟବର

ବିଷ୍ଣୁ ଭକ୍ତ ଅଟଇ ଯେ ଚରିତ୍ର ସୁନ୍ଦର ।

ସମ୍ବର ଅସୁର ପାଶେ ଥାଏ ମନ୍ତ୍ରୀ ହୋଇ

କିନ୍ତୁ କେତନକୁ ମୂଢା ସାହାଯ୍ୟ କରଇ ।

ତାହାକୁ ପାଶକୁ ରାଇ କାମଦେବ ରତି

ବୋଇଲେ ଏ ରାଜ୍ୟେ ତୁମ୍ଭେ ହୁଅ ନରପତି ।

ଦ୍ୱାରକାପୁରକୁ ଆମ୍ଭେ କରୁଛୁ ଗମନ

ଆମ୍ଭ ପ୍ରତିନିଧି ରାଜ୍ୟେ କର ହେ ଶାସନ ।

ଶୁଣି ମୂଢାସର ଦୈତ୍ୟ ସନମତ କଲା

କାମଦେବଙ୍କର ଆଜ୍ଞା ଶିରରେ ବହିଲା ।

ସିଂହାସନେ ନ ବସିଣ ଦାନବ ଭକତ

କାମଦେବଙ୍କ ପାଦୁକା ପୂଜେ ଅବିରତ ।

ଦ୍ୱାରକାକୁ ଯିବା ପାଇଁ ରଥ ସଜହେଲା

ବହୁ ଧନରତ୍ନ ମୂଢ଼ାସୁର ଯେ ଲଦିଲା ।

ଦିବ୍ଯବେଶ ହୋଇଣ ଯେ ପତି ପତ୍ନୀ ଦୁଇ

ବାହାରନ୍ତେ ନାରଦ ମିଳିଲେ ବୀଣା ବାଇ ।

ଦେଖି ମହର୍ଷିଙ୍କୁ କାମ ଆନନ୍ଦ ହୋଇଲେ

ପତି ପତ୍ନୀ ଦୁଇ ପାଦେ ପ୍ରଣିପାତ ହେଲେ ।

ନାରଦ ବୋଇଲେ ସବୁ କରିଥିଲି ମୁହିଁ

ଆଜି ତାର ଶେଷଫଳ ଆସି ଦେଖିଲଇଁ ।

ରତିଦେବୀ ମହର୍ଷିଙ୍କୁ ଚାହିଁଣ ବୋଲନ୍ତି

ତବ ଯୋଗେ ପାଇଲି ମୋ ହଜିଲା ସମ୍ପତ୍ତି ।

ନାରଦ ବୋଲନ୍ତି ଆଉ ବିଳମ୍ବ ନ କର

ତୁମ୍ଭଙ୍କୁ ନ ଦେଖି ଦେବୀ ରୁକ୍ମିଣୀ ଅସ୍ଥିର ।

କାମଦେବ ବୋଲନ୍ତି ମହର୍ଷି ମୁଖ ଚାହିଁ

ପିତାମାତା ଆମ୍ଭଙ୍କୁ ନ ଚିହ୍ନିବେ ଗୋସାଇଁ ।

ନାରଦ ବୋଲନ୍ତି କୁମ୍ଭେ ଭାବନା ନା କର

ସେ ସବୁ ଭାର ରହିଲା ମୋହର ଉପର ।

ତୁମ୍ଭ ସଙ୍ଗେ ସଙ୍ଗେ ମୁହିଁ ଦ୍ୱାରକାକୁ ଯିବି

ସମସ୍ତଙ୍କ ସଙ୍ଗେ ପରିଚୟ କରାଇବି ।

ଏହା ଶୁଣି ଦୁହିଁଙ୍କର ମନ ଯେ ଆନନ୍ଦ

ଦର୍ଶନ କରିବେ ଆଜି ପିତାମାତା ପାଦ ।

ବହୁ ମୂଲ୍ୟବାନ ହୀରାଲୀଳା ଆଦିକରି

ମନ ମୁତାବକ ରଥେ ଭରିଲେ ସୁନ୍ଦରୀ ।

ଦିବ୍ୟବେଶେ ବେଶ ହୋଇ ରତି କାମ ଦୁଇ

ନାରଦଙ୍କ ସହ ରଥେ ବସିଲେକ ଯାଇ ।

ଶୂନମାର୍ଗେ ରହୁବର ଉଡ଼ାଇଣ ନେଲେ

ସରଯୂ ନଦୀ କୂଳରେ ଯାଇଣ ରହିଲେ ।

ମହର୍ଷି ବୋଲନ୍ତି ତୁମ୍ଭେ ଥାଅ ଏହିଠାରେ

ଆମ୍ଭେ ଆଗ ବୁଲିଆସୁ ଦ୍ୱାରକା ନଗରେ ।

ତହୁଁ ସେଠାରେ ରହିଲେ ରତି କାମ ଦୁଇ

ଶ୍ରୀକୃଷ୍ଣଙ୍କ ପୁରେ ଋଷି ମିଳିଲେକ ଯାଇ ।

ଦେଖିଲେ ରତ୍ନ ଖଟରେ ପ୍ରଭୁ ଶୋଇଛନ୍ତି

ପାଦତଳେ ରୁକ୍ମିଣୀ ଯେ ଲୁହ ଢାଳୁଛନ୍ତି ।

ଯହୁଁ ମହର୍ଷିଙ୍କୁ ଦେଖିଦେଲେ ଚକ୍ରଧର ।

ଉଠିଆସି ପାଦତଳେ କଲେ ନମସ୍କାର ।

ରୁକ୍ମିଣୀ ଦେବୀ ସୁବର୍ଣ୍ଣ ଘଟେ ନୀର ନେଇ

ଋଷିଙ୍କର ପାଦଧୌତ କରିଲେ ସୁମୁହୀଁ ।

ଯତନରେ ଅଞ୍ଚଳରେ ପାଦ ଯେ ପୋଛିଲେ

ପାଦ ଉଦକ ନେଇଣ ଗର୍ଭକୁ କ୍ଷେପିଲେ ।

କାନ୍ଦି କଇଁ କଇଁ ହୋଇ ବୋଲନ୍ତି ବଚନ

ଏତେଦିନେ ପୁରେ ଦେବ କଲ ଆଗମନ ।

ଆଜିଯାଏ ମନେ ମୁହିଁ ପଡ଼ିଲି ତୁମ୍ଭର

କର୍ଣ୍ଣେ କି ନ ପଡ଼େ ମୋର ଦୁଃଖ ଋଷିବର ।

ନାରଦ ବୋଲନ୍ତି ମାତ୍ର କେଉଁ ଦୁଃଖ ତୋର

ସ୍ଵୟଂ ଅନ୍ତର୍ଯ୍ୟାମୀ ନାଥ ବନ୍ଧା ପାଶେ ଯାର

ଯା ଦର୍ଶନ ମିଳୁ ନାହିଁ କୋଟି ତପ କରି

ତା ଘରଣୀ ପୁଣି ଦୁଃଖେ ଅଛି ଦେହ ଧରି ।

ଇଚ୍ଛାକଲେ ଆକାଶକୁ ନିମିଷକେ ଯାଇ

ଚନ୍ଦ୍ର ସୂର୍ଯ୍ୟ ବାନ୍ଧିଆଣି ଦେବେ ପହଞ୍ଚାଇ ।

ଯେଉଁ ପ୍ରଭୁ ଯମଘରୁ ଗୁରୁପୁତ୍ର ଆଣି

ଦକ୍ଷିଣା ଦେଇ ତୋଷିଲେ ବ୍ରାହ୍ମଣ ଘରଣୀ ।

ଯେଉଁ ପ୍ରଭୁ କୁବୁଜାକୁ କରିଲେ ସୁନ୍ଦର

ଯେଉଁ ପ୍ରଭୁ ମାଲ୍ୟାଣୀକୁ ଦେଲେ ପୁତ୍ର ବର ।

ଯେଉଁ ପ୍ରଭୁ ବୃନ୍ଦାବନେ ବଇଁଶୀ ବଜାଇ

ଷୋଳସହସ୍ର ଗୋପୀଙ୍କ ମନ ହେଲେ ମୋହି

ଯେଉଁ ପ୍ରଭୁ କଂସକେଶୀ ଦଇତ ନାଶିଲେ

ସ୍ୱର୍ଗପୁରେ ଦେବତାଙ୍କ ଦୁଃଖ ନିବାରିଲେ ।

ଯାହାର ମହିମା ଦେବଗଣେ ଅଗୋଚର

ଯା ନାମ ଜପି ନାରଦ ଘୁମଇଁ ସଂସାର ।

ତା ନାରୀର କେଉଁ କଥା ଉଣା ଅଛି ହୋଇ

ସେ ପୁଣ ନୟନୁ ନୀର ସର୍ବଦା ଢାଳଇ ।

ନାରଦଙ୍କ ବୋଲି ଶୁଣି କହେ କୃଷ୍ଣ ନାରୀ

ମୁହିଁକି ପାରିବି ତାଙ୍କ ମନ ତୋଷକରି ।

କୁବୁଜା ଚନ୍ଦନ ବୋଳି ସୁନ୍ଦରୀ ହୋଇଲା

ମାଲିଆଣୀ ଫୁଲ ଦେଇ ପୁତ୍ର ବର ନେଲା ।

ଗୋପାଳୁଣୀ କେତେ ଦଧି ଦୁଗ୍ଧ ଛେନା ଦେଲେ

ତେଣୁ ତାହାର ଫଳ ଯେସେମାନେ ପାଇଲେ

ରାଧା ପାଇଁ ଯେଣୁ ଭଣଜାକୁ କୋଳ କଲା

ଅନ୍ଧାର ଘରରୁ ଭୂତ କବକୁ ବଞ୍ଚିଲା ।

ମାଈଁକି ପିଟିବା ପାଇଁ ମାମୁଁ ବଣେ ଗଲା

ଭଣଜାକୁ ପୂଜୁ ପୂଜୁ କାଳିକା ପୂଜିଲା ।

ରାଧା ପାଇଁ ଭଣଜାକୁ ବେଖାତିର କଲା

ଖୋସା ମଧ୍ୟରୁ ମାଈଁର ନଟୁ ବାହାରିଲା ।

ଯହୁଁ ରାଧା ମାଈଁ ଗୋପେ ଅସତୀ ହୋଇଲା

ନ ଛାଡ଼ିବ ଜ୍ୱର ପୁଣି ଭଣଜାକୁ ହେଲା ।

ବଇଦ ବୋଇଲା ଔଷଧିରେ ନ ଛାଡ଼ିବ

ହଜାର କଣା କଳସୀ ଯେ ଭରି ଆଣିବ ।

ଗୋପପୁର ମଧ୍ୟେ ସତୀ ଜଣେ କେ ନଥିଲେ

ଏକା ମାଈଁ ଜଳ ଆଣି ସତୀ ବୋଲାଇଲେ ।

ସେମାନଙ୍କ ପରି ଅବା ମୋ ଭକ୍ତି କାହିଁ

ପ୍ରଭୁ ପ୍ରଭୁ ଭଜିବାକୁ ମୋର ଶକ୍ତି ନାହିଁ ।

ଟେକାଟେକି କରି ଯିଏ ଦିପଦ କହିଲା

ଭାରିଯା ତା ଘରେ ଯାଇ ଚାକରାଣୀ ହେଲା ।

ଜଗତକୁ ଦେଲେ ସିନା ଠାକୁର ବୋଲିବେ

ଛାର ଦାସୀଠାରୁ ଅବା କି ଲାଭ ପାଇବେ ।

ମୁଁ ସିନା ଭାବଇ ସବୁଠାରୁ ଭାଗ୍ୟବତୀ

କିନ୍ତୁ ଦ୍ୱାରକାରେ ସବୁଠାରୁ ଦୁଃଖୀ ଅତି ।

ସବୁ ଶୁଣୁଥାନ୍ତି ପ୍ରଭୁ ନ ଜାଣିଲା ପରି

ଦେବର୍ଷିଙ୍କୁ ଚାହିଁ ହସୁଥାନ୍ତି ନରହରି ।

ଅନ୍ତର୍ଯ୍ୟାମୀ ନାଥକୁ ବା କିସ ଜଣା ନାହିଁ

ନିଜେ ତ ଏସବୁ କଥା ଅଛନ୍ତି ଭିଆଇ ।

ନାରଦଙ୍କୁ ବୋଲନ୍ତି ଯେ ପ୍ରଭୁ ଭଗବାନ

ବୃଥାରେ ମୋ ପରେ କରୁଛନ୍ତି ଅଭିମାନ ।

ଜଣାଥିଲେ ସିନା ମୁହିଁ ଆଣନ୍ତି ଛଡ଼ାଇ

କିନ୍ତୁ କେଉଁଠାରେ ଖୋଜି ଖୋଜି ପାଉ ନାହିଁ ।

ଯେତେ ପଣ୍ଡିତମାନଙ୍କୁ ପଚାରୁଛି ମୁହିଁ

ସମସ୍ତେ କହନ୍ତି ପୁତ୍ର ସୁଖେ ଅଛି ରହି ।

ଆବର ବୋଲୁଅଛନ୍ତି ନିଶ୍ଚୟ କୁମର

ବଧୂ ଘେନି ପ୍ରବେଶିବେ ଆସି ମୋର ପୁର ।

ଯମ ନେଇଥିଲେ ସିନା ତା ପୁରକୁ ଯାଇ

ଅବଶ୍ୟ ପୁତ୍ରକୁ ଆଣିଥାନ୍ତି ଯେ ଛଡ଼ାଇ ।

ଯେତେ ବୁଝାଇଲେ ଦେବୀ ନ ଶୁଣନ୍ତେ କିଛି

ଦିନ ରାତି ବସି ଖାଲି ଲୁହ ଢାଳୁଛନ୍ତି ।

ହାତୀ ବନସ୍ତେ ବୁଲିଲେ ଅଟେ ରାଜାଙ୍କର

ଯେଉଁଠି ପୁତ୍ର ରହିଲେ ଅଟଇ ଆମ୍ଭର ।

ମୁଁ ଭାବୁଛି ହୋଇଥିଲେ ଆମ୍ଭର କୁମର

ଦିନେ ପିତା ମାତା ପାଶେ ହୋଇବ ହାଜର ।

ରୁକ୍ମିଣୀ ବୋଲନ୍ତି ଯଦି ଥାନ୍ତ ଜନ୍ମ କରି

ଦିନେ ତ ଦୁଃଖ ଯେ ନାହିଁ ମନରେ ତୁମ୍ଭରି ।

ମୁଁ ସିନା ଗର୍ଭ ଯାତନା ବହୁତ ସହିଛି

ପଲ୍ୟଙ୍କେ ଉଠି ନ ପାରି ଭୂମିରେ ଶୋଇଛି ।

ତେଣୁ ମୋହର ଅନ୍ତର ଯାଉଅଛି ଜଳି

ଦିନ ରାତି ପୁତ୍ର ପୁତ୍ର ହେଉଅଛି ଭାଳି ।

ନାରଦ ବୋଲନ୍ତି ଦେବୀ ଯା କହିଲ ସତ

ପିତାଠାରୁ ମାତା କଷ୍ଟ ଅଟଇ ବହୁତ ।

ଜନନୀ ଗର୍ଭ ଯାତନା ବହୁ ସହିଥାଏ

ପୁତ୍ରର ମୁଖ ଦେଖିଲେ ସବୁ ଭୁଲିଯାଏ ।

ଶ୍ରୀକୃଷ୍ଣ ବୋଲନ୍ତି ମୁନିବର କେଣେ ଥାଅ

ଯେଉଁ ଦିନ ଆସ ଏକ କଳି ଯେ ଭିଆଅ ।

ତୁମ୍ଭେ ତ ସକଳ ଜ୍ଞାତା ଭ୍ରମ ତିନିପୁର

ଜଣାଥିଲେ କୁହ ପୁତ୍ର ଅଛି କେଉର୍ଠାର ।

ଦେବର୍ଷି ବୋଲନ୍ତି ଏକା ମୁଁ କଳିହା ହୋଇ

କିନ୍ତୁ ଅନ୍ତର୍ଯ୍ୟାମୀ ନାଥ କିଛି ନ ଜାଣଇ ।

କାହିଁକି କନ୍ଦାଉଅଛ ମାତାଙ୍କୁ ମୋହର

ତୁମ୍ଭେ ଅନର୍ଥ କରିଛି ଆହେ ଚକ୍ରଧର ।

ରୁକ୍ମିଣୀ ଜନନୀ ମୋର ନେତ୍ରୁ ଢାଳେ ବାରି

ଦେଖିଣ କିପରି ତୁମେ ଅଛ ଦୈର୍ଯ୍ୟ ଧରି ।

ଚାଲ ମାତା ପିତା ଦୁଇ ମୋ ସଙ୍ଗରେ ଯିବ

ଯେଉଁଠି ଥିବ ପୁତ୍ରକୁ ଘେନି ଯେ ଆସିବ ।

କୃଷ୍ଣ ପୁତ୍ର ପରାଣରେ କେଭେ ମରେ ନାହିଁ

ଅଗ୍ନିରେ ପକାଇ ଦେଲେ ତେଜ ବିକାଶଇ ।

ବୃଥାରେ ସିନା ଜନନୀ ରୋଷ କରୁଅଛି

କିନ୍ତୁ ପ୍ରଭୁଙ୍କର ଏଥେ ଦୋଷ ନାହିଁ କିଛି ।

ସବୁ କରିଅଛି ଏହି କଳିହା କୁମର

ନ ଯାଇଥିଲେ ସୁତ କେ ମାରନ୍ତା ସମ୍ବର ।

ଆଉ ନ କାନ୍ଦ ଜନନୀ ଚାଲ ମୋ ସଙ୍ଗରେ

ତୋ ପୁତ୍ରବଧୂକୁ ଛାଡ଼ିଯିବି ତୋର ଘରେ ।

ଯହୁଁ ଦେବୀ ଋଷିଠାରୁ ଏତକ ଶୁଣିଲେ

ସଜଫୁଟା କୁନ୍ଦ ପରି ମୁଖ ବିକାଶିଲେ ।

କୃଷ୍ଣଙ୍କୁ ବୋଲନ୍ତି ସ୍ଵାମୀ ଧରୁଛି ପୟର

ସାତ୍ୟକିକୁ ଡାକି ଶୀଘ୍ର ରଥ ସଜ କର ।

କେହି ନ ଜାଣିବେ ଆମ୍ଭେ ଦୁଇ ଜଣ ଯିବା

ପୁତ୍ରଗୋଟିକୁ ଯେ ମୋର ଘେନି ଯେ ଆସିବା

ନାରଦ ବୋଲନ୍ତି ଏକା ନୁହଁଇ କୁମର

ବଧୁସହ ଏକସଙ୍ଗେ ସରଯୁ କୂଳର ।

ବିଧାତା ନନ୍ଦିନୀ ରତି ପୁତ୍ରବଧୂ ତୋରି

ମୋର ଅନ୍ତର ଭଉଣୀ ବଡ଼ାଇ ସୁନ୍ଦରୀ ।

ଜାଣିଣ ଦେବୀଙ୍କ ପାଦ ତଳେ ନ ଲାଗଇ

ଏକସଙ୍ଗେ ପୁତ୍ରବଧୁ ଘରେ ଆଣିବଇଁ ।

ପୁତ୍ର ଗଲା ଦିନୁ ମୁଖ ପଡ଼ିଥିଲା କାଳି

ଶୁଣିଣ ଚନ୍ଦ୍ରମାଠାରୁ ଶୋଭା ଦିଶେ ବଳି ।

ରୁକ୍ମିଣୀ ମୁଖକୁ ଚାହିଁ ପ୍ରଭୁ ଚକ୍ରଧର

ଦରଦର ହସି ପ୍ରଭୁ ବୋଲନ୍ତି ସେ ଗୀର ।

ଯାଇଥିଲା ବୋଲି ପୁତ୍ର ମୋତେ କହୁଥିଲ

ଦେଖ ଆଜି ପୁତ୍ର ସଙ୍ଗେ ବଧୂ ଯେ ପାଇଲ ।

ପୁଣି ବିଧାତା ନନ୍ଦିନୀ ତବ ପୁତ୍ର ନାରୀ

ୟାଠାରୁ ବଳି ସୌଭାଗ୍ୟ ନାହିଁ ଯେ ତୁମ୍ଭରି ।

ଶୁଣି ଦେବୀ ପ୍ରଭୁଙ୍କର ପାଦରେ ପଡ଼ିଲେ

ମୋର ଅପରାଧ ସ୍ବାମୀ ନ ଧରନ୍ତୁ ଭଲେ ।

ପୁତ୍ର ଲାଗି ମୁଣ୍ଡ ମୋର ଥିଲା ଯେ ଖରାପ

ତେଣୁ ଅଭିମାନ କରି କହିଛି ଯେତେକ ।

ଏକମାତ୍ର ଦେବ ତୁମ୍ଭେ ଭରସ। ଦାସୀର

ଭଲମନ୍ଦ କହିବି ବା ମୁଁ କାହା ଆଗର ।

ସେଥିଲାଗି ପଦ୍ମପାଦେ ଯାହା ଅଛି କହି

ସେବିକାର ଦୋଷ କ୍ଷମା କର ପ୍ରାଣସାଇଁ ।

ଦେବୀଙ୍କୁ ଉଠାଇ ପ୍ରଭୁ ଆଲିଙ୍ଗନ କଲେ

ପୁତ୍ରବଧୂ ଆଣିବାକୁ ବାହାର ହୋଇଲେ ।

ନନ୍ଦିଘୋଷେ ଜଗନ୍ନାଥ, ରୁକ୍ମିଣୀ, ନାରଦ

ସରଯୁକୂଳେ ଗମନ୍ତି ହୋଇଣ ଆନନ୍ଦ ।

ରୁକ୍ମିଣୀ ବୋଲନ୍ତି ପୁତ୍ର କେଡେ ହୋଇଥିବ

ବଧୂକୁ ଦେଖି ମୋ ନେତ୍ର ପବିତ୍ର ହୋଇବ ।

ଆସିବ ବୋଲି ଶୁଣିଣ ରଖିଛି ଜୀବନ

ନୋହିଲେ ଯାଇ ଥାଆନ୍ତା କେବେଠୁଁ ଶ୍ମଶାନ ।

ହସୁଥାନ୍ତି ଜନର୍ଦ୍ଦନ ନାରଦଙ୍କୁ ଚାହିଁ

ଚାହୁଁ ଚାହୁଁ ପୁତ୍ର ପାଶେ ମିଳିଲେକ ଯାଇ ।

ଦୂରୁ ରଙ୍କୁଣୀ ପରାୟ ଛନ୍ନଛନ୍ନ ହୋଇ

ପୁତର ରଥକୁ ଦେବୀ ଥାଆନ୍ତି ଅନାଇ ।

ଋଷିବରଙ୍କୁ ଦେଖିଣ କାମ ରତି ଦୁଇ

ବୋଲନ୍ତି ଆମ୍ଭର ପିତା ମାତା ଆସୁଛଇଁ ।

ରତି ବୋଲନ୍ତି କନ୍ଦର୍ପ ମୁଖକୁ ଅନାଇ

ଦେଖିଲେ ମାତା କିପରି ୟାଡ଼େ ଛନ୍ତି ଚାହିଁ ।

ଚାହୁଁ ଚାହୁଁ ନନ୍ଦିଘୋଷ ନିକଟେ ମିଳିଲା

ନାରଦ ବୋଲନ୍ତି ମାତା ତବ ଦୁଃଖ ଗଲା ।

ନିଅ ତବ ପୁତ୍ର ବଧୂ ସୁଖେ କର ଘର

ପୁତ୍ରକୁ ପାଇ ଏ ପୁତ୍ରେ ନ କରିବ ପର ।

ମାତା ବୋଲନ୍ତି ଦେବର୍ଷି ନ କୁହ ଏସନ

ଆଗେ ତୁମ୍ଭେ ପଛେ ଅଟ ମୋ ରଙ୍କୁଣୀଧନ ।

ପିତା ମାତାଙ୍କୁ ଦେଖିଣ ପୁତ୍ର ବଧୂ ଦୁଇ

ପାଦଗାମୀ ହୋଇ ପାଶେ ମିଳିଲେକ ଯାଇ ।

ପିତାମାତାଙ୍କ ରୂପକୁ ଚାହିଁ ରତି କାମ

ମନେ ଭାବନ୍ତି କରିଛୁ ଆମ୍ଭେ ବହୁ ଧର୍ମ ।

ଏତେ ଭାବି ମନେ ଆସି ହସ ହସ ହୋଇ

ଆଗ ଋଷିଙ୍କୁ ପ୍ରଣାମ କରିଲେ ଯେ ଦୁଇ ।

ତା ପରେ ପିତାଙ୍କୁ ପ୍ରଣିପାତ ଯେ ହୋଇଲେ

ମାତାଙ୍କର ଚରଣରେ ଯାଇଣ ପଡ଼ିଲେ ।

ପୁତ୍ର ବଧୂଙ୍କୁ ଦେଖିଣ ରୁକ୍ମିଣୀ ଆନନ୍ଦ

ଯେସନେକ ଦେବୀ ହସ୍ତେ ଧରିଅଛି ଚାନ୍ଦ ।

ଆନନ୍ଦେ ଅଧୀର ହୋଇ ଭୀଷ୍ମକ ଦୁହିତା

ପୁତ୍ର ବଧୂ କୋଳେ ଧରି ଚୁମ୍ବ ଦେଲେ ମାତା ।

ରତିଙ୍କ ଅଯତ୍ନ କେଶ ସ୍ୱହସ୍ତେ ସାଉଁଳି

କୋଳ ଉପରେ ରୁକ୍ମିଣୀ ଧଇଲେ ଯେ ତୋଳି ।

ପିତାଠାରୁ ପୁତ୍ର ରୂପ ଅଧିକ ଶୋଭଇ

ପ୍ରଭୁଙ୍କ ଲକ୍ଷଣ ପୁତ୍ର ଦେହେ ବିରାଜଇ ।

ପୁତ୍ର ବଧୂଙ୍କୁ ଚାହାନ୍ତି ନିରେଖି ଶ୍ରୀହରି

ବୋଇଲେ ରୁକ୍ମିଣୀ ବଡ଼ ସୌଭାଗ୍ୟ ତୁମ୍ଭରି ।

ପିତାମାତାଙ୍କ ଆନନ୍ଦ କେ ପାରିବ କହି

ପୁତ୍ରକୁ କୋଳେ ଧରିଲେ ପ୍ରଭୁ ଭାବଗ୍ରାହୀ ।

ବଧୂକୁ ଅଙ୍କ ରେ ବସାଇଣ କୃଷ୍ଣ ନାରୀ

ରଥ ପରେ ବିଜେକଲେ ନାରଦଙ୍କୁ ଧରି ।

ଦ୍ୱାରକା ନଗରେ ଯାଇ ପ୍ରବେଶ ହୋଇଲେ

ଶୁଣିଣ ସର୍ବ ଯାଦବଗଣ ଯେ ଧାଇଁଲେ ।

ସପ୍ତବଂଶ ଯଦୁକୂଳେ ପଡ଼ିଲା ଚହଳ

ଦ୍ୱାରକାରେ ଶୁଭଇ ଯେ ମହାସୁଖ ରୋଳ ।

ସମୁଦ୍ର ଲହରୀ ପ୍ରାୟ ଶବଦ ଶୁଭଇ

ନିରେଖି କାମ ରତିଙ୍କୁ ସର୍ବେ ଛନ୍ତି ଚାହିଁ ।

କେ ବୋଲଇ ଧନ୍ୟ ଧନ୍ୟ ରୁକ୍ମିଣୀ ସୁନ୍ଦରୀ

କେତେ ତପେ ଏ ପୁତ୍ରକୁ ଥିଲୁ ଜନ୍ମକରି ।

ଜୀବନରେ କେତେ କଷ୍ଯ କରିଥିଲୁ ତୁହି

ସବୁ ଗଲା ଚନ୍ଦ୍ର ପରି ପୁତ୍ର ବଧୂ ପାଇ ।

ଏହିପରି ଲୋକମାନେ ବହୁ ପ୍ରଶଂସିଲେ

ଆନନ୍ଦରେ ପୁତ୍ରବଧୂ ପୁରକୁ ଗମିଲେ ।

ରତି କାମକୁ ସୁମିଷ୍ଟ ଖାଦ୍ୟ ଆଣି ମାତ

ସ୍ଵହସ୍ତେ ଖୁଆଇ ଦ୍ୟନ୍ତି ହୋଇ ଆନନ୍ଦିତ ।

ସ୍ଵରଗ ବିଧାତା କନ୍ୟା ବଧୂ ତାହାଙ୍କର

ଭାଳିଣ ମନରେ ଗର୍ବ କରନ୍ତି ଅପାର ।

ନିମିଷେ ପାଖରୁ ଦେବୀ ଦୂର ନ କରନ୍ତି

ଦୁଃଖ ଭୁଲି ରୁକ୍ମିଣୀର ଫୁଲି ଉଠେ ଛାତି ।

ପ୍ରଭୁଙ୍କ ପାଖକୁ ଦେବୀ ଦିବସେ ନ ଯାନ୍ତି

ଦେଖି ଗେଲେଇ ଗେଲେଇ କହନ୍ତି ଶ୍ରୀପତି ।

ପୁତ୍ର ବଧୂ ଦେଖି ତୁମ୍ଭେ ହୋଇଲ ବିଭୋର

ଏକାବେଳେ ମୋତେ କିମ୍ପା କରୁଛ ଅନ୍ତର ।

ହସିହସି ରୁକ୍ମିଣୀ ଯେ କିଛି ନ କୁହନ୍ତି

କାମ ବାହାନା କରିଣ ଆଡ଼େ ଚାଲିଯାନ୍ତି ।

ଏହିପରି ସରବେ ହେ ସୁଖରେ ରହିଲେ

କିଛି ଦିନ ପରେ ପ୍ରଭୁ ବ୍ରହ୍ମାଙ୍କୁ ରାଇଲେ ।

ଅନ୍ତୁଡ଼ିଶାଳରୁ ପିଲା ହୋଇଥିଲା ଚୋରି

ତେଣୁ ନାମକରଣ ଯେ କରନ୍ତୁ ତାହାରି ।

ଶୁଣିଣ ଧାତା ମନରେ ଆନନ୍ଦ ହୋଇଲେ

ପରଘରେ ଥିଲା ନାମ ପ୍ରଦ୍ୟୁମ୍ନ ଯେ ଦେଲେ ।

ତିନିପୁର ନାଗ ନର ସୁର ମେଳି ହୋଇ

ସେ ନାମକୁ ଅଙ୍ଗିକାର କଲେ ସର୍ବେ ତହିଁ ।

ସଭିଙ୍କଠାରୁ ଆନନ୍ଦ ବେଶି ରୁକ୍ମିଣୀର

କେତେ କଷ୍ଟେ ଜନ୍ମ ସେହୁ କରିଛି କୁମର ।

ପୁତ୍ର ନାମକରଣ ଉତ୍ସବ ଶେଷ ହେଲା

ତାହାପରେ ଆଉ ଏକ ଘଟଣା ଘଟିଲା ।

ଯେତେବେଳେ ରତୀଦେବୀ ଦ୍ୱାରକା ଆସିଲେ

ଦୁଇମାସ ଅନ୍ତଃସତ୍ତ୍ୱା ସେ ଯେ ହୋଇଥିଲେ ।

ଶାଶୁ ଶ୍ଵଶୁରଙ୍କ ଆଗେ କହେ ସହଚରୀ

ବେନିମାସ ଗର୍ଭମାସ ବଧୂ ଯେ ତୁମ୍ଭରି ।

ଶୁଣିଣ ପିତା ଓ ମାତା ଆନନ୍ଦ ହୋଇଲେ

ବଧୂ ନିମନ୍ତେ ଉତ୍ତମ ବ୍ୟବସ୍ଥା କରିଲେ ।

ଯାହା ଯେତେବେଳେ ରତିଦେବୀ ମନାସନ୍ତି

ମନ ଜାଣି ରୁକ୍ମିଣୀ ଯେ ଯୋଗାଇ ଦିଅନ୍ତି ।

ସଖୀଏ ପାଶରୁ ଯେହ୍ନେ ନ ହୁଅ ଅନ୍ତର

ତିଆରି କହନ୍ତି ତାଙ୍କୁ ମାତା ବାର ବାର ।

ଏହିପରି କ୍ରମେ କ୍ରମେ ଦଶମାସ ହେଲା

ଶୁଭଲଗ୍ନେ ଏକପୁତ୍ର ଜନମ ହୋଇଲା ।

ଜନ୍ମ ହୋନ୍ତେ ଦ୍ୱାରକାରେ ହୋଇଲା ଚହଳ

କୋଟି ଚନ୍ଦ୍ର ଜିଣି ପୁତ୍ର ଶୋଭା ଅନର୍ଗଳ ।

ମହା ଆଡ଼ମ୍ବରେ ବହୁ ଅର୍ଥ ବ୍ୟୟ ହୋଇ

ଶ୍ରୀକୃଷ୍ଣଙ୍କ ନାତି ଲାଗି ଖରଚ ହୁଅଇ ।

ସର୍ବ ଋଷିଗଣ ମିଳି କରିଲେକ ସ୍ଥିର

ଅନ୍ୟରୁ ଆସିଲେ ନାମ ଅନିରୁଦ୍ଧ ୟାର ।

ଏହିପରି ଉତ୍ସବ ଯେ ହୁଏ ଦ୍ୱାରକାର

ବନ୍ଧୁ ବାନ୍ଧବମାନେ ଯେ ଥାନ୍ତି ଭରପୁର ।

ପୁତ୍ରବଧୂ ନାତି ଘେନି ରୁକ୍ମିଣୀ ଆନନ୍ଦ

ଭକତିଭରେ ସେବନ୍ତି ସଦା ସ୍ୱାମୀପାଦ ।

ବଳରାମ ଆଦି ବୀର ପୁଣି ଉଗ୍ରସେନ

ନାତିର ମୁଖରେ ସର୍ବେ ଦିଅନ୍ତି ଚୁମ୍ବନ ।

ଜୟ ତୁ ଦିନକର ହେ ପ୍ରଭୁ ନିରଞ୍ଜନ

ଅଶେଷ କୋଟି ବ୍ରହ୍ମାଣ୍ଡ ପୁରିଛି କିରଣ ।

ସକଳ ପ୍ରାଣୀମାନଙ୍କ ଅଟ ମୋକ୍ଷଦାତା

ବହନ୍ତା ନିୟନ୍ତା ତୁମ୍ଭେ ହେ ଜଗତକର୍ତ୍ତା ।

ଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମ ଧ୍ୟାୟୀ

ଦେବୀଙ୍କୁ ସୁମରି କ୍ଷେତ୍ରମୋହନ ଲେଖଇ ।

 

ବଳରାମଙ୍କ ସହିତ ରେବତୀର ବିଭା ଓ
କୁମ୍ଭ ନିକୁମ୍ଭ ବଧ

ଶୁଣ ଆହେ ସାଧୁଜନେ ଦେଇ ମନ କର୍ଣ୍ଣ

କହିବା ରେବତୀ ଦେବୀ ବିବାହ ବିଧାନ ।

ମହେନ୍ଦ୍ରଗିରି ନିକଟେ ରୈବତ ପର୍ବତ

ସେଠାରେ ରେବତୀ ନାମେ ଥାଏ ନରନାଥ ।

ସତ୍ୟଯୁଗ ସୂର୍ଯ୍ୟବଂଶ ନରପତି ସେହି

ଜନକ ନରପତିଙ୍କ ଅଟେ ସାନ ଭାଇ ।

ଜନକ ରାଜାଙ୍କ ସୁତା ଜାନକୀ ଅଟନ୍ତି

ତ୍ରେତାଯୁଗେ ବିଭାହେଲେ ତାଙ୍କୁ ରଘୁପତି ।

ଲକ୍ଷ୍ମୀ ରୂପେ ସୀତା ହୋଇଥିଲେ ଅବତାର

ରେବତୀ ଦେବୀ ହିଙ୍ଗୁଳା ଜାତ ଯେ ମହୀର ।

ଦୁଇ ଭଉଣୀଙ୍କ ନାମ ଜାନକୀ ରେବତୀ

ଅଯୋନି ସମ୍ଭୂତା ଯଜ୍ଞୁ ହେଲେ ଉତପତ୍ତି ।

ବୟସରେ ଅଳପ ଯେ ସାନ ବଡ଼ ଦୁଇ

ସୀତା ବିଭାହେଲେ ଗଲା ରେବତୀରେ ରହି ।

କୁମାରୀ ଭାବରେ ଦୁଇ ଯୁଗ ଗଲା ବହି

ରୈବତ ଘରେ ରେବତୀ ଦେବୀ ଥାନ୍ତି ରହି ।

କନ୍ୟା ଯୋଗେ ଚିନ୍ତିତ ଯେ ଥାଇ ନରବର

ଖୋଜାଖୋଜି ନ ପାଇଲେ ଉପଯୁକ୍ତ ବର ।

ଯହିଁ ହଳଧର ଗୋପପୁରେ ଜନମିଲେ

ପିତା ଘରେ ଥାଇ ଦେବୀ ରଜୋବତୀ ହେଲେ

କନ୍ୟା ରଜୋବତୀ ଦେଖି ପିତାମାତା ଦୁଇ

ସର୍ବଦା ଚିନ୍ତା କରିଲେ ବିଭା ହେବା ପାଇଁ ।

ଦିନେ କନ୍ୟାକୁ ଘେନିଣ ରୈବତ ରାଜନ

ଧାତାଙ୍କ ପାଶରେ ସ୍ୱର୍ଗେ ମିଳିଲେ ବହନ ।

ତାହାଙ୍କ ପାଦରେ ଯାଇ ପ୍ରମାଣ ହୋଇଲେ

ଆଦର କରି ରାଜାଙ୍କୁ ଧାତା ବସାଇଲେ ।

ବୋଇଲେ କି କାର୍ଯ୍ୟେ ଆସିଅଛ ହେ ରାଜନ

କନ୍ୟାକୁ ସଙ୍ଗେ ଆଣିଛ କିମ୍ପାଇ ଏ ସ୍ଥାନ ।

ରୈବତ ବୋଲଇ ତୁମ୍ଭେ ତିନିକାଳ ଜ୍ଞାତା

କେଉଁ କଥା ଅଗୋଚର ତୁମ୍ଭଙ୍କୁ ହେ ପିତା ।

ଦୁଇଯୁଗ ହୋଇଲାଣି ମୋ କନ୍ୟା ରହିଲା

ଖୋଜି ଖୋଜି ତା ସମାନ ବର ନ ମିଳିଲା ।

କୁମାରୀ ଥିଲା ଯେ କନ୍ୟା ଯୁବତୀ ହୋଇଲା

ତେଣୁ ତୁମ୍ଭ ନିକଟକୁ ଆସିଲି ମୁଁ ଧାଇଁ

କେଉଁଠାରେ ବର ଅଛି ଦିଅ ମୋତେ କହି ।

ବିଧାତା ବୋଇଲେ ରାଜା ଭାବନା ନ କର

ସେ ତ ମହାମାୟୀ ପୃଥ୍ୱୀ ଧରିଛି ଗର୍ଭର ।

ତାର ସ୍ୱାମୀ ମର୍ତ୍ତ୍ୟପୁରେ ଜନମି ନ ଥିଲା

ତେଣୁ କୁମାରୀ ହୋଇଣ ତୋର ଘରେ ଥିଲା ।

ଏକ୍ଷଣି ଜନ୍ମ ହେବାର ପ୍ରାଣପତି ତାର

ରଜୋବତୀ ହୋଇଲା ଯେ କୁମାରୀ ତୋହର

ଯୁଗେ ଯୁଗେ ମର୍ତ୍ତ୍ୟପୁରେ କନ୍ୟା ଜନମନ୍ତି

ଶିବ ବିଷ୍ଣୁ ଦୁଇଜଣ ଏକତ୍ର ଆସନ୍ତି ।

ସ୍ୱୟଂ ନିରାକାରଙ୍କର ରାଣୀ ଅଟେ ଏହି

ସୀତା ରେବତୀ ହେ ଲକ୍ଷ୍ମୀ ପାର୍ବତୀ ଏ ଦୁଇ

ଏବେ ସୀତା ଜନ୍ମିଥିଲେ ଭୀଷ୍ମଙ୍କର ଘରେ

ବିଭା ହୋଇ ରହିଲେଣି ପ୍ରଭୁଙ୍କ ପାଶରେ ।

ଏ ମଧ୍ୟ ଅଳପ ଦିନେ ସ୍ବାମୀଙ୍କୁ ଭେଟିବ

ସ୍ବୟଂ ହଳଧରଙ୍କର ମନ ଏ ତୋଷିବ ।

ଦ୍ଵାରକାରେ ରାମକୃଷ୍ଣ ନାମେ ଦୁଇଭାଇ

ଆନନ୍ଦରେ ନିର୍ଭୟେ ସେ ପୁରେ ଛନ୍ତି ରହି ।

ବସୁଦେବଙ୍କର ସୁତ ଅଟେ ଜଗନ୍ନାଥ

ରୋହିଣୀ ଗର୍ଭୁ ଯେ ରାମ ହୋଇଛି ସମ୍ଭୁତ ।

ସାକ୍ଷାତେ ଅନନ୍ତ ତାର ନାହିଁ ଆଦି ଅନ୍ତ

ତା କରେ କନ୍ୟା ସମର୍ପି ହୁଅ ତୁହି ତୃପ୍ତ ।

ନାରଦେ ପଠଇ ମୁହିଁ କରିଦେବି ସ୍ଥିର

ଯାଅ ତୁହି ବିଭାଘର ଆୟୋଜନ କର ।

ଆମ୍ଭେ ମଧ୍ୟସ୍ଥ ହୋଇଣ ଯୁଟାଇଣ ଦେବା

ଯାଅ ରାଜକନ୍ୟା ତୋର ହୋଇଯିବ ବିଭା ।

ଶୁଣିଣ ରୈବତ ରାଜା ହୋଇ କୃତ୍ୟ କୃତ୍ୟ

ବୋଲେ ଦେବ ତୁମ୍ଭ ଲାଗି ହେବି ମୁଁ ପବିତ୍ର ।

ତୁମ୍ଭ ଇଚ୍ଛା ଯାହା କର ମୋର ମନା ନାହିଁ

ଶୀଘ୍ର ବନ୍ଦୋବସ୍ତ କର ଦେବର୍ଷି ପଠାଇ ।

ଏତେ କହି ଧାତା ପାଦେ ହୋଇ ନମସ୍କାର

ରୈବତ ପର୍ବତେ ରାଜା ହୋଇଲା ହାଜର ।

ପାତ୍ର ମନ୍ତ୍ରୀମାନେ ଶୁଣି ଆନନ୍ଦ ହୋଇଲେ

ବିଭାଘର ଲାଗି ଦ୍ରବ୍ୟ ଆୟୋଜନ କଲେ ।

ଧାତାଙ୍କର ଆଜ୍ଞା ପାଇ ମହର୍ଷି ନାରଦ

ବୀଣା ବଜାଇ ମିଳିଲେ ସେ ସ୍ଥାନେ ଗୋବିନ୍ଦ ।

ଦେଖିଛି ଋଷିଙ୍କ ପାଦେ ପ୍ରଭୁ ପ୍ରଣମିଲେ

କି ନିମନ୍ତେ ଆଗମନ ବୋଲିଣ ବୋଇଲେ ।

ଏବେ କିମ୍ପା ଘନ ଘନ ପାଦ ପଡ଼ୁଅଛି

ବଡ଼ ସୌଭାଗ୍ୟ ଆମ୍ଭର ବୋଲି ମୁଁ ଜାଣୁଛି ।

ନାରଦ ବୋଲନ୍ତି ତୁମ୍ଭ ଉପକାର ପାଇଁ

ଦିନରାତି ଆମ୍ଭ ନୟନରେ ନିଦ୍ରା ନାହିଁ ।

ଶୁଣି ରାମକୃଷ୍ଣ ସହ ସରବେ ହସିଲେ

ସିଂହାସନେ ନେଇଣ ଋଷିଙ୍କୁ ବସାଇଲେ ।

ବୋଇଲେ କି ଶୁଭ ବାର୍ତ୍ତା କୁହ ଋଷିବର

ଶୁଣିଲେ ସଂଶୟ ମନୁ ଘୁଞ୍ଚିବ ଆମ୍ଭର ।

ଧାତାଙ୍କ କହିବା କଥା ନାରଦ କହିଲେ

ଶୁଣିଣ ଯାଦବଗଣ ଆନନ୍ଦ ହୋଇଲେ ।

ଶ୍ରୀକୃଷ୍ଣ ବୋଲନ୍ତି ଦେବ ପଥ ବହୁଦୂର

ଯିବା ପାଇଁ ଅସୁବିଧା ହୋଇବ ଆମ୍ଭର ।

ନାରଦ ବୋଲନ୍ତି ଆମ୍ଭେ ବ୍ୟବସ୍ଥା କରିବା

ମଧ୍ୟସ୍ଥଳ ଦେଖି ଜାଗା ସ୍ଥିର କରି ଦେବା ।

ଅମର କାନନେ ଶ୍ୱେତ ଗିରି ବିଦ୍ୟମାନ

ସେହି ଜାଗା ଗୋଟି ଅଟେ ଉପଯୁକ୍ତ ସ୍ଥାନ ।

ବହୁତ ପ୍ରଶସ୍ତ ଗୁମ୍ଫାମାନ ସେହିଠାରେ

ସତ୍ୟଯୁଚଗେ ବହୁ ତପୀ ଥିଲେ ସେ ସ୍ଥାନରେ

ଶୁଣିଣ ଯାଦବଗଣ କଲେ ସନମତ

ସ୍ୱୀକାର ପତ୍ର ଗୋଟିଏ ନେଲେ ତପୋବନ୍ତ ।

ମନଯାନେ ଚଢ଼ି ଧାତାସୁତ ହରଷରେ

ବୀଣା ବଜାଇ ମିଳିଲେ ରୈବତ ପୁରରେ ।

ଚାତକ ବତ ରୈବତ ରାଜା ଚାହିଁଥିଲା

ମୁନିବରଙ୍କୁ ଦେଖିଣ ଆନନ୍ଦ ହୋଇଲା ।

ପାଦ୍ୟ ଅର୍ଘ୍ୟ ଦେଇଣ ଯେ ଆସନେ ବସାଇ

କୁଶଳ ବାରତାମାନ ପୁଚ୍ଛେ ନରସାଇଁ ।

ସମସ୍ତ ମଙ୍ଗଳ ବୋଲି ନାରଦ କହିଲେ

ସ୍ବୀକାର ପତ୍ର ଗୋଟିଏ ନୃପ କରେ ଦେଲେ ।

ବୋଇଲେ ରାଜନ ଆଉ ବିଳମ୍ବ ନ କର

ଜମ୍ବୁଦ୍ବୀପେ ଶ୍ୱେତ ବନେ ହେବ ବିଭାଘର ।

ଉଭୟ ପକ୍ଷର ମଧ୍ୟସ୍ଥଳ ସେ ଅଟଇ

ବହୁତ ବାଟ ଯାଦବ ଆସି ନ ପାରଇ ।

ଶୁଣିଣ ରୈବତ ରାଜା ସମ୍ମତ କରିଲେ

ବିଭାଘର ଲାଗି ଦ୍ରବ୍ୟ ଆୟୋଜନ କଲେ ।

ବିବିଧ ସମ୍ଭାର ଯଉତୁକ ବିଧିମାନ

ହୀରା ନୀଳା ରକତ ଯେ କଲେ ଆୟୋଜନ ।

ଶ୍ଵେତ ହସ୍ତୀ ଶ୍ଵେତ ଅଶ୍ଵ ଶ୍ଵେତ ବର୍ଣ୍ଣ ଗାଈ

ରେବତୀ କନ୍ୟା ଲାଗି ଶ୍ୱେତ ରଥ ଯେ ଭିଆଇ

ଗଜଦନ୍ତ ପଲଙ୍କରେ ପନ୍ତି ପନ୍ତି ହୋଇ

ମଣି ମାଣିକ୍ୟରେ ଝରା ଖଞ୍ଜା ଅଛି ତହିଁ ।

କନ୍ୟା ଲାଗି ବହୁ ଧନ ରତ୍ନ ଆଦିକରି

ସତ୍ୟଯୁଗରୁ ସାଇତି ଥିଲା ଦଣ୍ଡଧାରୀ ।

ଏକଇ ମାତାର କନ୍ୟା ଅଟ ଯେ ରାଜାର

ପୁତ୍ର ପୌତ୍ରାଦି ତାହାଙ୍କ ନାହିଁ ଯେ ଆବର ।

ଯେପରି କନ୍ୟା ତାହାଙ୍କ ନୀର ନ ଢାଳିବ

ପୁଣି ଜଗତ କରତା ମନକୁ ଶୋଭିବ ।

ବଳରାମ ପରିହାର ରୈବତ କରିବ

ଯେହ୍ନେ ତିନିପୁର ମଧ୍ୟେ ପ୍ରଶଂସା ପାଇବ ।

ଏହିପରି ମନେ ଭାବି ରୈବତ ରାଜନ

ବିଭାଘର ଲାଗି ଦ୍ରବ୍ୟ କରେ ଆୟୋଜନ ।

ରାଜ୍ୟରେ ସଭିଙ୍କୁ ରାଜା ଦେଲେ ଯେ ଜଣାଇ

ହେ ଯାର ଶକଟ ଆଣି ଆସ ସର୍ବେ ଧାଇଁ ।

ଏକମାତ୍ର କନ୍ୟା ମୋର ହେଉଅଛି ବିଭା

ଦ୍ରଦ୍ୟ ଘେନି ସର୍ବେ ବିଭା କରାଇଣ ଯିବା ।

ଶକଟରେ ଭରି ଦ୍ରବ୍ୟ ପୁଣି ରଥ ରାଇ

ରାଜ୍ୟଲୋକେ ସଙ୍ଗେ ଯାନ୍ତି ହରଷିତ ହୋଇ

ରେବତୀଙ୍କୁ ନାନା ରତ୍ନ ସଖୀଏ ସଜାଇ

ଶ୍ୱେତରଥ ପରେ ସର୍ବେ ବସାଇଲେ ନେଇ ।

ଶତ ଶତ ଦାସଦାସୀ କନ୍ୟା ସଙ୍ଗେ ଯାନ୍ତି

ଯେ ଯାହାର ଉପଯୁକ୍ତ ବେଶ ହୋଇଥାନ୍ତି ।

ବିବିଧ ବାଦ୍ୟ ନାଦରେ କମ୍ପେ ତିନିପୁରୀ

ଶୁଭବେଳ ଦେଖି ରାତା ଅନୁକୁଳ କରି ।

ରୈବତ ରାଜା ରାଣୀ ଯେ ନାରଦଙ୍କୁ ଘେନି

ଏକା ରଥେ ସାଙ୍ଗ ହୋଇ ଗମନ୍ତି ଯେ ତିନି ।

ସଙ୍ଗେ ବହୁ ଥାଟ ଯାନ୍ତି କଳି ନ ହୁଅନ୍ତି

ସମସ୍ତଙ୍କ ପାଇଁ ଖାଦ୍ୟଦ୍ରବ୍ୟ ନେଇଥାନ୍ତି ।

ମହା ଆଡ଼ମ୍ବରେ କନ୍ୟା ଘେନିଣ ରାଜନ

ଶ୍ୱେତ ଗିରି ନିକଟରେ ମିଳିଲା ବହନ ।

ସେ ବନର ଶୋଭା ଅଟେ ଅତି ମନୋହର

ସତ୍ୟଯୁଗ ଋଷିଙ୍କର ଅନେକ ଶିବିର ।

ଅଦିନରେ ମଳୟ ଯେ ଗନ୍ଧ ଗନ୍ଧ ବହି

ସୁବାସ ପୁଷ୍ପ ସୌରଭେ ମନଦିଏ ମୋହି ।

ଦେଖିଣ ସେ ସ୍ଥାନ ସର୍ବେ ହରଷ ହୋଇଲେ

ଦେବର୍ଷି ନାରଦଙ୍କୁ ଯେ ବହୁ ପ୍ରଶଂସିଲେ ।

ଜୀବନରେ ଏ ସମାନ ଦେଖି ନାହିଁ ସ୍ଥାନ

ରେବତୀ ଦେବୀଙ୍କ ଯୋଗେ କଲୁ ଦରଶନ ।

ଏକ ଏକ ଗୁମ୍ଫାମାନ ଅତ୍ୟନ୍ତ ସୁନ୍ଦର

ତା ସଙ୍ଗେ ସମାନ ନୁହେଁ ରାଜାର ନଅର ।

ଅନେକ ଗୁମ୍ଫା ଆବୋରି ସଭିଏଁ ରହିଲେ

ରନ୍ଧାବଢା କରି ଖାଇ ଯାଗ ସଜାଇଲେ ।

ବିବାହ ମଣ୍ଡପଠାରୁ ବରଯାତ୍ରୀ ଘର

ସମସ୍ତ ତିଆରି କଲେ ରୈବତଙ୍କ ଚାର ।

ରେବତୀ ଦେବୀଙ୍କ ମନେ ଆନନ୍ଦ ଅପାର

ସ୍ୱୟଂ ନିରାକାର ଆଜି ତାହାଙ୍କର ବର ।

ତେଣୁ ଦେବୀ ସଖୀଗଣ ସହ ହୋଇ ଖୁସି

ଚିତ୍ରପୁରୀ ଗୁମ୍ଫା ମଧ୍ୟେ ଥାଆନ୍ତି ଯେ ବସି ।

ଦ୍ୱାରକାରେ ବରବେଶ ବଳରାମେ କରି

ସକଳ ଯାଦବଗଣ ଗଲେ ଘେନି ନାରୀ ।

ବଳରାମଙ୍କ ଶୋଭା କହିଲେ ନ ସରେ

ନାନା ଅଳଙ୍କାର ମଣ୍ଡିଛନ୍ତି ସେ ଅଙ୍ଗରେ

କର୍ଣ୍ଣରେ ରତ୍ନ କୁଣ୍ଡଳ ଗଳେ ମୋତିହାର

କନ୍ଧରେ ଯଜ୍ଞୋପବୀତ ଦିଶଇ ସୁନ୍ଦର ।

ଅଙ୍ଗୁଳିରେ ରତ୍ନମୁଦି ସୁଝୀନ ଉତ୍ତରୀ

ଅମ୍ଳାନ ଶ୍ୱେତ ବସନ ଅଛନ୍ତି ପହୁରି ।

ତାଳଧ୍ୱଜ ରଥେ ହଳୀ ଛନ୍ତି ବିଜେକରି

ନନ୍ଦୀଘୋଷେ ଜଗନ୍ନାଥ ରୁକ୍ମିଣୀଙ୍କୁ ଧରି ।

ବିଜେକଲେ ରତି ପ୍ରଦ୍ୟୁମ୍ନ ଯେ ଆଦିକରି

ଅନିରୁଦ୍ଧ ପୁତ୍ର ଦେବୀ ଥାନ୍ତି କୋଳେ ଧରି ।

ଦେବକୀ ବସୁଦେବ ଯେ ନନ୍ଦ ଯଶୋବନ୍ତୀ

ଉଗ୍ରସେନ ରାଜା ଯାନ୍ତି ଘେନି ଇନ୍ଦୁମତୀ ।

ବନ୍ଧୁବାନ୍ଧବ ସହିତ ଦେବତା ବ୍ରାହ୍ମଣ

ସ୍ୱର୍ଗ ମର୍ତ୍ତ୍ୟ ତିନିପୁର ହୋଇ ନିମନ୍ତ୍ରଣ ।

ସ୍ୱୟଂ ହଳଧରଙ୍କର ବିଭାଘର କାଳେ

ନାଗକନ୍ୟା ଦେବକନ୍ୟା ଯେ ଯାନେ ମିଳିଲେ

ରଥ ଆଗେ ଅପ୍‌ସରାଏ ଯାନ୍ତି ନୃତ୍ୟକରି

ବେଦଧ୍ୱନି କଲେ ବିପ୍ରେ ଗହ ଗହ କରି ।

ସେ ବେଳର ଶୋଭା ଅଟେ ଅତି ଚମତ୍କାର

ଉପମା ଦେବାକୁ କେହି ନାହିଁ ତିନିପୁର ।

ସମୁଦ୍ର ଲହରୀ ପ୍ରାୟ ଥାଟ ଥାନ୍ତି ଚଳି

ନାରୀମାନଙ୍କର ଶୋଭା ଏକୁ ଏକ ବଳି ।

ବାଦ୍ୟନାଦେ ପୃଥିବୀ ଯେ ହୁଏ ଘନ ଘନ

ବାଣ ରୋଷଣୀରେ କମ୍ପୁଅଛି ତ୍ରିଭୁବନ ।

ଶ୍ୱେତଗୀ ପର୍ବତେ ରୈବତ ଯେ ରାଜା ଥିଲେ

ଦୂରୁ ଶୋଭା ଦେଖିଣ ଯେ ଆନନ୍ଦ ହୋଇଲେ ।

ଯେତେ ଲୋକ ଆସିଥିଲେ ରେବତୀ ସଭାରେ

ଦେଖିଣ ମନେ ଆଶ୍ଚର୍ଯ୍ୟ ହେଲେ ସର୍ବନରେ ।

କେ ବୋଲଇ ଧନ୍ୟ ଧନ୍ୟ ଭାଗ୍ୟ ନିରାକାର

ଭାଗ୍ୟବଳେ ଜ୍ୱାଇଁ କଳା ପ୍ରଭୁ ନିରାକାର ।

ତାଟକା ପରାୟେ ସର୍ବେ ଅନାଇ ରହିଲେ

ଯାଦବଗଣ ଯାଇଣ ନିକଟରେ ହେଲେ ।

ବହୁ ଅହ୍ୟନାରୀ କନ୍ୟା ସଙ୍ଗେ ଆସିଥିଲେ

ଢାଇଁ ପହଞ୍ଚିବାରୁ ଯେ ହୁଳହୁଳି ଦେଲେ ।

ବିଧିବିଧାନରେ ରୈବତ ଯେ ନୃପବର

ବାଟ ବରଣ କରିଣ ଜ୍ୱାଇଁ ନେଲେ ଘର ।

ଯଥାବିଧି ଚରଚା ଯେ ସଭିଙ୍କୁ କରିଲେ

ଉତ୍ତମ ସ୍ଥାନରେ ନେଇ ସର୍ବେ ରଖାଇଲେ ।

ଯେତେ ଗୁମ୍ଫା ଆଗୁଁ ଥିଲା ପର୍ବତ ମଧ୍ୟର

ଲକ୍ଷ ଲକ୍ଷ ଲୋକ ସୁଖେ ରହିଲେ ସେଠାର ।

ବିଧିମତେ ଚରଚା ଯେ କଲେ ରଇବତ

ସଭିଙ୍କୁ ଯୋଗାଇ ଦ୍ୟନ୍ତି ପାନ ସରବତ ।

ବେଗାରିମାନଙ୍କୁ ରାଜା ତିଆରି କହଇ

ଯେପରି କୌଣସି କାର୍ଯ୍ୟେ ତ୍ରୁଟି ନ ହୁଅଇ ।

କାମଧେନୁ ରାଇ ଆଜ୍ଞା ଦେଲେ ନାରାୟଣ

ଶୀଘ୍ର ତୁମ୍ଭେ କରିଦିଅ ପୁର ଯେ ନିର୍ମାଣ ।

ଆବର ଅମୃତ ମଣୋହି ଯୋଗାଡ଼ କର

ଭଣ୍ଡାରମାନ ସମସ୍ତ କର ଭରପୁର ।

ରୈବତ ରାଜନ ବହୁଦୂରୁ ଆସିଛନ୍ତି

ଏତେଲୋକ ପାଇଁ ଖାଦ୍ୟ ସେ ଆଣି ନାହାନ୍ତି ।

ଆଜ୍ଞା ପାଇବା ମାତ୍ରକେ କାମଧେନୁ ଗଲା

ଲକ୍ଷ ଲକ୍ଷ ପୁର ସେହୁ ତିଆରି କରିଲା ।

ହାତୀଶାଳ ଘୋଡ଼ାଶାଳ ରାଜାଙ୍କ ନଅର

ନାରୀମାନେ ରହିବାକୁ କଲା ଯେ ତିଆର ।

ସେ ପୁରର ଶୋଭା ରାଶି କହିଲେ ନ ସରେ

ସ୍ବର୍ଗଠାରୁ ଶୋଭା କାମଧେନୁ ପ୍ରସାଦରେ ।

ବହୁତ ସୂପକାର ଯେ ବରିଲା ବାହାର

ବିବିଧ ଖାଦ୍ୟ ଦ୍ରବ୍ୟ ସେ କରିଲେ ତିଆର ।

ସମସ୍ତ ସାରିଣ ପ୍ରଭୁ ପାଶରେ ମିଳିଲା

କରଯୋଡ଼ି ଜଗନ୍ନାଥ ଆଗେ ଜଣାଇଲା ।

ବୋଇଲା ହେ ଦେବ ତବ ଆଜ୍ଞା ପରମାଣେ

ପୁର ଆଦି ଖାଦ୍ୟ ତିଆରିଲି ଏହିକ୍ଷଣେ ।

ଶୁଣିଣ କୃଷ୍ଣଚନ୍ଦ୍ର ଯେ ଆନନ୍ଦ ହୋଇଲେ

ଦେଖି ପୁର କାମଧେନୁକୁ ଯେ ପ୍ରଶଂସିଲେ ।

ଶ୍ୱତ ପରବତେ ସବୁ ଲୋକ ରହିଥିଲେ

ସମସ୍ତଙ୍କୁ ମହାପ୍ରଭୁ ଆଦେଶ କରିଲେ ।

ପରବତ ତଳେ ପୁର ହୋଇଛି ତିଆର

ଯାଅ ସର୍ବେ ଆନନ୍ଦରେ ସେ ସ୍ଥାନେ ବିହର ।

ମନେ ମନେ ସର୍ବଜନ ଆଶ୍ଚର୍ଯ୍ୟ ହୋଇଲେ

ଆମ୍ଭେତ ଦେଖିନୁ ପୁର କାହିଁ କେଉଁ ସ୍ଥଳେ ।

ପ୍ରଭୁଙ୍କ ଆଦେଶ ପାଇ ଯାଇଣ ମିଳିଲେ

ଲକ୍ଷ ଲକ୍ଷ ପୁର ଦେଖି ଆଶ୍ଚର୍ଯ୍ୟ ହୋଇଲେ ।

ପୁଣି ଦେଖିଲେ ଯେ ଶତ ଶତ ସୂପକାର

ବିବିଧ ଖାଦ୍ୟ ସାମଗ୍ରୀ କରନ୍ତି ତିଆର ।

ଦିବ୍ୟ ସୁନ୍ଦର ପୋଖରୀମାନ ଅଛି ହୋଇ

ମର୍ମର ପ୍ରସ୍ତର ଚଉପାଶେ ବିରାଜଇ ।

ଯେଉଁ ପୁରରେ ରହିଲେ ରେବତୀ ସୁନ୍ଦରୀ

ସେ ପୁରରେ ଶୋଭା କେହୁ କଳନା ନ କରି ।

ଦେଖିଣ ରୈବତ ଲୋକେ ଆଶ୍ଚର୍ଯ୍ୟ ହୋଇଲେ

ରେବତୀଙ୍କୁ ସଖୀମାନେ ପ୍ରଶଂସା କରିଲେ ।

ଧନ୍ୟ ସଖୀ କେତେ ବଡ଼ ସଉଭାଗ୍ୟବତୀ

ଜଗତ କରତାଙ୍କୁ ତୁ ଲଭିଲୁ ଯେ ପତି ।

ରେବତୀ ଯେ ମନେ ମନେ ଆନ୍ଦ ହୁଅନ୍ତି

ସ୍ୱାମୀଙ୍କ ଦର୍ଶନ ଲାଗି ଲୁଚି ଚାହୁଁଥାନ୍ତି ।

କି କହିବି ସେ ବେଳର ଶୋଭା ଅବା ମୁହିଁ

ଚାରି ମୁଖ୍ୟ ଧାତା ତାକୁ ବର୍ଣ୍ଣି ନ ପାରଇ ।

ତାହା ପରେ ଯାହା ହେଲା ଶୁଣ ସର୍ବ ନର

ମହା ଆଡ଼ମ୍ବରେ ହୋଇଗଲା ବିଭାଘର ।

ହୀରା ନୀଳା ସହ ରାଜା ବହୁ ମୂଲ୍ୟବାନ

ଦ୍ରବ୍ୟମାନ ସହିତରେ କଲେ କନ୍ୟାଦାନ ।

ଆଉ ଏକ କଥା ମୋର ପଡ଼ିଲା ମନରେ

ସଂକ୍ଷେପି କହୁଛି ତାହା ଶୁଣ ସର୍ବନରେ ।

ବେଶି ବାହୁଲ୍ୟ କରିବା ଉଚିତ ନୁହଇ

ଶ୍ରୀଦୁର୍ଗା ପ୍ରସାଦେ ଠିକେ ଠିକେ କହିବଇଁ ।

ସତ୍ୟଯୁଗେ ନରମାନେ ଥିଲେ ଚୌଦ ହସ୍ତ

ତ୍ରେତାରେ ହୋଇଲେ ପୁଣି ସାଢେ ଦଶହାତ ।

ଦ୍ଵାପରରେ ଲୋକମାନେ ଥିଲେ ହସ୍ତ ସାତ

ରେବତୀ ସତ୍ୟରେ ହୋଇଥିଲେ ଯେ ସମ୍ଭୂତ ।

ତେଣୁ ଚତୁର୍ଦ୍ଦଶ ହସ୍ତ କାୟା ଯେ ତାଙ୍କର

ଦେଖିଣ ଦ୍ୱାରକାବାସୀ ହେଲେ ଚମତ୍କାର ।

ସର୍ବପୁର ନାରୀମାନେ ଆବା କାବା ହୋନ୍ତି

ରୁକ୍ମିଣୀ ଦେବୀ ଯାଇଣ ପ୍ରଭୁଙ୍କୁ ପୁଚ୍ଛନ୍ତି ।

ଆହେ ନାଥ ଜ୍ୟେଷ୍ଠଠାରୁ ବଡ଼ ଏ ଅଟଇ

ତାଳ ବୃକ୍ଷ ପରି ୟାର କାୟା ଯେ ଦିଶଇ ।

କିମ୍ପାଇଁ ଏପରି ବୋହୂ ବିଭାଘର କର

ଆମ୍ଭ ପୁର ମଧ୍ୟେ କାହିଁ ଏହା ପାଇଁ ଘର ।

ଯେତେ ବରଯାତ୍ରୀଗଣ ସଙ୍ଗେ ଯାଇଥିଲେ

ମୁହଁ ମୋଡି ଦେଇ ସର୍ବେ ଉପହାସ କଲେ ।

ଯେ ସମୟେ ସଖୀମାନେ ସୁବେଶ କରାଇ

ମୁକୁଟ ବାନ୍ଧି କନ୍ୟାକୁ ବେଦୀ ପରେ ନେଇ ।

ଦର ଦର ହସିଣ ଯେ ପ୍ରଭୁ ହଳଧର

କନ୍ୟାର ଦେହେଁ ବଜାଇଦେଲେ ସେହୁ କର ।

ବଡ଼ ଆଶ୍ଚର୍ଯ୍ୟ କଥା ଏ ଶୁଣ ମନଦେଇ

ସଙ୍ଗେ ସଙ୍ଗେ ରେବତୀ ଯେ ଗଲେ ଖର୍ବହୋଇ

ବଳରାମଙ୍କଠାରୁ କ୍ଷୁଦ୍ର ହୋଇଗଲେ

ଦେଖିବା ଲୋକ ସମସ୍ତେ ଲଜ୍ଜିତ ହୋଇଲେ ।

ଧନ୍ୟ ଧନ୍ୟ ଜଗନ୍ନାଥ ମହିମା ତୁମ୍ଭର

ଜ୍ୟେଷ୍ଠ ଭ୍ରାତାଙ୍କର ମଧ୍ୟ ଭକ୍ତି ବଳିୟାର ।

ସେଥିନେଇ ଯୁଗେ ଯୁଗେ ତୁମ୍ଭେ ସାଥି ହୋଇ

ସାନ ବଡ଼ ଭାଇ ହୋଇ ଜନମ ଯେ ଦୁଇ ।

ବଳରାମଙ୍କର ଶୋଭା କହିଲେ ନ ସରେ

ସେବେ ନ ଦିଶନ୍ତି ବାଳସୂର୍ଯ୍ୟ ପରକାରେ ।

କନ୍ୟାର ରୂପ ଯେ ତହୁଁ ଅଧୁକ ଦିଶଇ

ଦେଖି ଦେବଗଣ ସ୍ତବ ଆରମ୍ଭିଲେ ତହିଁ ।

ଜୟ ତୁ ଜୟ ତୁ ଦେବ ରେବତୀ ରମଣ

ଜୟ ତୁ ଜୟ ତୁ ନର ନାରାୟଣ ।

ଜୟ ତୁ ଜୟ ତୁ ଦେବ ପ୍ରଭୁ ହଳଧର

ଜୟ ତୁ ଜୟ ତୁ ଦେବ ପ୍ରଭୁ ନିରାକାର ।

ଆମ୍ଭେମାନେ ନ ଜାଣିଣ ଉପହାସ କଲୁ

ତେଣୁ ଆମ୍ଭର ଗରବ କ୍ଷଣକେ ଗଞ୍ଜିଲୁ

ବାମେ ମାହେଶ୍ୱରୀ ରୂପେ ବସିଛନ୍ତି ବାମା

ଆମ୍ଭେ ଛାର କିସ ଅବା ଦେବୁ ସେ ଉପମା ।

ଏହିପରି ସର୍ବ ଦେବଗଣ ସ୍ତବ କରି

ଦର୍ଶନ କରି ପାତକ ଦେଲେ ସେ ସଂହାରି ।

ତାହାପରେ ଦେବ ସ୍ତିରୀ ନାଗସ୍ତ ରୀଗଣ

ବନ୍ଦାପନା କଲେ ମର୍ତ୍ତ୍ୟନାରୀଙ୍କ ସଙ୍ଗେଣ ।

ରୈବତ ରାଜା ଦେଖିଣ ଆନନ୍ଦ ହୋଇଲା

କନ୍ୟାର ରୂପ ଦେଖିଣ ବହୁ ପ୍ରଶଂସିଲା ।

କାମଦେବ ପ୍ରସାଦରେ ଅମୃତ ଭୋଜନ

ସେ ପୁର ମଧ୍ୟରେ ହୋଇଥିଲା ଆୟୋଜନ ।

ସନ୍ତୋଷେ ଭୋଜନ ସାରି ସର୍ବଜନେ ତହିଁ

ଯେ ଯାହା ପୁରେ ହରଷେ ଗଲେ ବିଦାହୋଇ

ବହୁ ଦାସୀ ସହ କନ୍ୟା ରେବତୀଙ୍କୁ ନେଇ

ରୈବତ ରାଜନ ରାଣୀ ପ୍ରଭୁ ପାଶେ ଯାଇ ।

ବିନୟ ହୋଇଣ ରାଜା ରାଣୀ ଦୁଇଜଣ

ବୋଇଲେ ମୋ କନ୍ୟା କିଛି ଜାଣେ ନାହିଁ ଶୁଣ

ଭଲ ମନ୍ଦ ଦୋଷାଦୋଷ ତାରେ ନ ଧରିବ

ଆପଣା କରୁଣା ଗୁଣେ କ୍ଷମା ଯେ କରିବ ।

କୃଷ୍ଣଚନ୍ଦ୍ର ମଧ୍ୟେ ସେହିପରି ବୁଝାଇଲେ

ବସୁଦେବ ଚନ୍ଦ୍ର ଉଗ୍ରସେନକୁ କହିଲେ ।

ହରଷରେ ବରକନ୍ୟା ବିଦା ଯେ କରଲେ

ରଥ ଗଜ ଅଶ୍ଵ ଧନରତ୍ନ ବହୁ ଦେଲେ ।

ଶାଶୁ ଶ୍ଵଶୁରଙ୍କୁ ମାନ୍ୟକରି ରାମ ହରି

ଯାଦବ ଦେବତା ସର୍ବ ଘେନିଣ ଶ୍ରୀହରି ।

ଶ୍ୱେତ ପରବତ ନାମ ରୈବତ ପର୍ବତ

ବରଷରେ ସେହି ଦିନ ହେଲେ ଜଗନ୍ନାଥ ।

ବୋଇଲେ ଦେବୀ ରୈବତ ପିତା ରଇବତ

ସତ୍ୟଯୁଗେ ରାଜା ସେହୁ ପୁଣି ସତ୍ୟବନ୍ତ ।

ଯେଣୁ ଜ୍ୟେଷ୍ଠଭ୍ରାତା ଏଠି କନ୍ୟାଦାନ କଲେ

ଆମ୍ଭେ ତାହାଙ୍କର କୀର୍ତ୍ତି ରଖିବାକ ଭଲେ ।

ରୈବତ ରାଜାଙ୍କ ନାମ ଶୁଣି ଦେବୀଙ୍କର

ଦୁଇ ନାମେ ଏ ପର୍ବତ ରଟିବ ସଂସାର ।

ଯେତେ ଜନ ଏ ସ୍ଥାନରେ ଥିଲେ ଉଭାହୋଇ

ସଭିଙ୍କ ମନକୁ ଏ କଥା ଯେ ଗଲା ପାଇ ।

ସେହି ପରବତ ନାମ ରେବତ ହୋଇଲା

ରୈବତ ରାଜା ଯେ ମନେ ବହୁ ପ୍ରଶଂସିଲା ।

କନ୍ୟା ଯୋଗେ ମୋର ସପ୍ତପୁରୁଷ ଉଦ୍ଧାର

ହୋଇଲେ ପାଇଲି ମୁହିଁ ଜାମାତା ଠାକୁର ।

ରୈବତ ରାଜାଙ୍କ ସଙ୍ଗେ ଥିଲେ ଯେତେ ଜନ

ବିଭାସାରି ଦେଶେ କଲେ ସେ ପ୍ରତ୍ୟାଗମନ ।

ବଧୂ ସଙ୍ଗେ ଘେନି ଦ୍ୱାରାବତୀ ନାରୀ ନର

ନିଜ ପୁରକୁ ଚଳନ୍ତି ଯେ ଯାହା ରଥର ।

ନନ୍ଦିଘୋଷେ ଶ୍ରୀକୃଷ୍ଣ ରୁକ୍ମିଣୀ ବିଜେକଲେ

ତାଳଧ୍ୱଜେ ହଳଧର ରେବତୀ ବସିଲେ ।

ଏହିପରି ଯେ ଯାହାରେ ଯାନ୍ତି ହର୍ଷ ହୋଇ

ରାତ୍ରି ଅନିଦ୍ରାରେ ସର୍ବେ ରଥେ ଗଲେ ଶୋଇ ।

ରଥିମାନେ ମଧ୍ୟ ରଥ ବାହି ନ ପାରିଲେ

ଅଶ୍ଵ ଲଗାମ ଛାଡ଼ିଣ ଘୁମେଇ ପଡ଼ିଲେ ।

ବୈଶାଖ ମାସ ପବନ ସୁଲୁସୁଲୁ ବହେ

ଅଚେତନ ହେଲେ ତେଣୁ ଯାଦବ ସଭିଏଁ ।

ତାଳଧ୍ୱଜ ରଥେ ହଳୀ ରେବତୀଙ୍କ ଘେନି

ବିଭାବେଶେ ବସିଥାନ୍ତି ପତି ପତ୍ନୀ ବେନି ।

ହଳଧର ରୂପେ ଦେବୀ ତୋଷ ହୋଇଥାନ୍ତି

ଲଜ୍ୟା ଓଢଣୀ ଢାଙ୍କିଣ କିଛି ନ କହନ୍ତି ।

ରେବତୀଙ୍କ ମନ ବଳରାମ ଯେ ଜାଣିଲଷ

ମୃଦୁ ମୃଦୁ ହସି ଧୀରେ ବଚନ ବୋଇଲେ ।

ଓଢଣୀ ଟେକିଣ କହନ୍ତି ଯେ ହଳଧର

ନିଦ୍ରା ଆସୁଅଛି ଯଦି ଶୁଅନ୍ତୁ ରଥର ।

ଲାଜେ ବଚନ ନ ଭାଷି ଦେବୀ ରଇବତୀ

ସ୍ୱାମୀଙ୍କର କୋଳେ ଢଳି ପଡ଼ିଲେ ଯେ ସତୀ ।

ସୁଖେ ଅନନ୍ତ କୋଳରେ ସୁକୋମଳି ଗୋରୀ

ଶୟନ କରିଲେ ହୃଦୁ ସମସ୍ତ ପାଶୋରି ।

ବେଦୀ ଲୋଭନୀୟ କାନ୍ତି ଦେଖି ହଳଧର

କେଶକୁ ସାଉଁଳି ଚାହୁଁଥାନ୍ତି ବାରମ୍ବାର ।

ସକଳ ଯାଦବଗଣ ଗଲେ ରଥ ବାହି

ଗନ୍ଧବତୀ ତୋଟା ପରେ ମିଳିଲେ ସେ ଯାଇ ।

ଯାଦବଗଣଙ୍କୁ ଆଜ୍ଞା ଦେଲେ ରାମ ହରି

ଏହି ସ୍ଥାନେ ଶୋଇ ସର୍ବେ ବଞ୍ଚିବା ଶର୍ବରୀ ।

ପ୍ରଭାତ ହୋଇଲେ ଆମ୍ଭ ନିଜ ପୁରେ ଯିବା

ତନ୍ଦ୍ରାଆଳସ୍ୟରେ ଆଉ ଯାଇ ନ ପାରିବା ।

ଶୁଣିଣ ଯାଦବଗଣ ଆନନ୍ଦ ହୋଇଲେ

ବିଛଣା ପାରିଣ ଗଛ ମୂଳରେ ଶୋଇଲେ ।

ତାଳଧ୍ବଜରେ ଶୋଇଲେ ରେବତୀ ସୁନ୍ଦରୀ

ବଳରାମଙ୍କ କୋଳରେ ସ୍ୱଚ୍ଛନ୍ଦରେ ଗୋରୀ ।

ପିତା ମାତା ବନ୍ଧୁ ସାଥି ସବୁ ପାସୋରିଣ

ପ୍ରାଣ ବିକିଦେଲା ସତୀ ଜଣକ ପାଦେଣ ।

ପ୍ରେମଭରେ ପତିପତ୍ନୀ ଆନନ୍ଦେ ବଞ୍ଚିଲେ

ନନ୍ଦିଘୋଷରେ ଶ୍ରୀକୃଷ୍ଣ ରୁକ୍ମିଣୀ ଶୋଇଲେ ।

ଏହିପରି ଯେ ଯାହା କରିଲେ ଶୟନ

ତାହାପରେ ଯାହା ହେଲା ଶୁଣ ସର୍ବଜନ ।

ପ୍ରଭାତ ହୋନ୍ତେ ଯାଦବ ଶୟନ ତେଜିଲେ

ଯେ ଯାହାର ନିତ୍ୟକର୍ମମାନ ବଢ଼ାଇଲେ ।

ଗନ୍ଧବତୀ ତୋଟା ଶୋଭା ଅତି ମନୋହର

ଦେଖିବା ପାଇଁକି ଶ୍ରଦ୍ଧା ହେଲା ଯଦୁଙ୍କର ।

ନାରୀକୁ ରଖିଣ ସର୍ବେ ଦେଖିବାକୁ ଗଲେ

କାନନ ମଧ୍ୟରେ ବୁଲି ସକଳ ଦେଖିଲେ ।

ତାହାପରେ ଯାହା ଶୁଣ ମନ କରି ସ୍ଥିର

କିଛିଦୂରେ ଦେଖିଲେ ଯେ ଗୋଟିଏ ଗହ୍ୱର ।

ଚଉପାଶରେ ସୁନ୍ଦର ପାହାଚ ହୋଇଛି

ପ୍ରଶସ୍ତ ଗର୍ଭ ପରାୟ ଜଣା ପଡ଼ୁଅଛି ।

ତେଣୁ ବିଚାର କରିଲେ ସର୍ବ ଯଦୁକୁଳ

ବିବରେ ରହିଛି କିସ ଦେଖିବା ସକଳ ।

ଆଗେ ବସୁଦେବ ତାଙ୍କ ପଛେ ଉଗ୍ରସେନ

ତାହାଙ୍କ ପଛେ ଧାଇଁଲେ ସକଳ ସଇନ ।

ପାଞ୍ଚ ଯୋଜନ ପର୍ଯ୍ୟନ୍ତ ପଥ ବାହିଗଲେ

ଅନ୍ଧକାର ଦ୍ୱାର ଏକ ସେଠାରେ ଦେଖିଲେ ।

ପ୍ରଥମ ଦୁଆର ଭେଦି ଯାଆନ୍ତେ ଭିତର

ଅପୂର୍ବ ଆଲୋକ ପୁର ଦେଖିଲେ ତହିଁର ।

ଧାଡ଼ି ଧାଡ଼ି ହୋଇ ଜଳୁଅଛି ରତ୍ନଦୀପ

ସହସ୍ର ସହସ୍ର ଦ୍ୱାର ଦିଶେ ଜକ ଜକ ।

ଦ୍ୱାରକାରୁ ଶତେ ଗୁଣ ଦିଶଇ ସୁନ୍ଦର

ଦେଖିଣ ଆଶ୍ଚର୍ଯ୍ୟ ହୋନ୍ତି ଯଦୁକୁଳ ବୀର ।

ଯହୁଁ ସେ ପୁର ଭିତରେ ସର୍ବେ ପ୍ରବେଶିଲେ

କେ କାହାକୁ ନ ପାଇଣ ବାଉଳା ହୋଇଲେ ।

ମୀନ ଯେହ୍ନେ ବନ୍ଦ ହୋନ୍ତି ଧୀବର ଜାଲରେ

ସେହିପରି ସୈନ୍ୟ ବନ୍ଦି ହୋଇଲେ ସେ ପୁରେ

ବିକଳେ ଚଉଦିଗକୁ ଚୁହାଁଚୁହିଁ ହୋନ୍ତି

ତା ପରେ ଦେଖିଲେ ବିକଟାଳ ରକ୍ଷ ମୂର୍ତ୍ତି ।

ପର୍ବତ ପରାୟ କାୟା ଦିଶଇ ତାହାର

ସଂହାର ମୂରତି ଧରିଅଛି ଦୈତ୍ୟବର ।

ସେ ପୁର ଘଟଣାମାନ ଶୁଣ ସୁଜ୍ଞନର

ସଂକ୍ଷେପି ବୁଝାଇ ଦେବା ତାର ସମାଚାର ।

ସତ୍ୟ ଯୁଗରୁ ସେ ପୁର ହୋଇଛି ତିଆର

କୁମ୍ଭ ନିକୁମ୍ଭ ଅସୁର ରାଜା ସେ ଠାବର ।

ଶିବଙ୍କୁ ତପସ୍ୟା କରି ନିକୁମ୍ଭ ଦଇତ

ବର ପାଇଣ ହୋଇଛି ମହା ବଳବନ୍ତ ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁ

ବହୁକାଳ ଦୈତ୍ୟ ଛନ୍ତି ସେ ସ୍ଥାନରେ ରହି ।

ତ୍ରେତାରେ ରାମ ରାବଣ କରିଣ ସଂହାର

ନ ପାରିଲେ ଏ ଦାନବ ମାରି ରଘୁବୀର ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ଯାଇଣ ଅସୁର

ଧାଡ଼ିଦେଇ ଅତ୍ୟାଚାର କରେ ବାରମ୍ବାର ।

ବିଭାକରି ଗଲା ବେଳୁଁ ଦେଖିଣ ଦଇତ

ଚାହିଁ ରହିଥିଲା ଗୁପ୍ତେ ଜଗି ତାଙ୍କ ପଥ ।

ରାକ୍ଷସଗଣ ଆନନ୍ଦ କହିଲେ ନ ସରେ

ଏକାବେଳେ ବହୁ ଖାଦ୍ୟ ପଡ଼ିଛି ଜାଲରେ ।

ନର ବାନର ଅଟଇ ତାଙ୍କ ବଡ଼ ଖାଦ୍ୟ

ତେଣୁ ସବୁଙ୍କ ମନରେ ଅପାର ଆନନ୍ଦ ।

ଭାବଇ ଅସୁର ମନେ ସମସ୍ତଙ୍କୁ ଧରି

ବନ୍ଦିକରି ଆସ୍ତେ ଆସ୍ତେ ଖାଇବ ଯେ ମାରି ।

ସୁନ୍ଦରୀ ନାରୀମାନଙ୍କୁ ଭାରିଯା କରିବି

ଧନ୍ୟଦ୍ରବ୍ୟମାନ ମୋର ପୁରେ ସାଇତିବି ।

ସକଳ ଅସୁରମାନେ ଆନନ୍ଦେ ନାଚନ୍ତି

ଲାଳ ଗଡ଼ୁଥାଏ ଦେଖି ଯାଦବଙ୍କ କାନ୍ତି ।

ପୋଡ଼ି ଚଟଣି କରିଣ ଯାଆନ୍ତେ ଯେ ଖାଇ

ରାଜାଙ୍କୁ ତରିଣ ଥାନ୍ତି ନୀରବ ଯେ ହୋଇ ।

ବିକଳେ ରାଜା ମୁହଁକୁ ସର୍ବେ ଚାହିଁଥାନ୍ତି

ବିରକ୍ତ ହେବାରୁ ଦୈତ୍ୟ ଡରେ ନ କୁହନ୍ତି ।

ଏଣେ ଯାଦବମାନଙ୍କ ଡେରି ଦେଖି ହରି

ବଳରାମଙ୍କ ନିକଟେ ମିଳିଲେ ଶ୍ରୀହରି ।

ପ୍ରଭୁଙ୍କୁ ଦେଖିଣ ରଇବତୀ ଆଡ଼ହୋଇ

ଅନ୍ୟସ୍ଥାନେ ବସିଲେକ ସେ ଓଢଣୀ ଦେଇ ।

ଶଙ୍ଖ ଚକ୍ର ଗଦା ପଦ୍ମ ହୃଦରେ ଶୋଭଇ

କଉସ୍ତୁଭ ମଣି ଗୋଟି ଗଳାରେ ଲମ୍ବାଇ ।

ଦେବତା ରୂପ ନିରେଖି ଚାହାନ୍ତି ସୁନ୍ଦରୀ

ମନେ ମନେ ଭାବନ୍ତି ଏ ବୈକୁଣ୍ଠ ବିହାରୀ ।

ଆଜି ବଡ଼ ସଉଭାଗ୍ୟ ଅଟଇ ମୋହର

ଦର୍ଶନ କରିଣ ବିଷ୍ଣୁ ମୂରତି ସତ୍ବର ।

ଏହିପରି ମନେ ମନେ ପାଞ୍ଚିଣ ରେବତୀ

ସୁବାସ ତାମ୍ବୁଳ ଆଣି ପ୍ରଭୁଙ୍କୁ ଦିଅନ୍ତି ।

ଶ୍ରୀକୃଷ୍ଣଙ୍କୁ ପଚାରିଲେ ପ୍ରଭୁ ହଳଧର

କହ ବାବୁ କେଉଁ କାର୍ଯ୍ୟ ଅଛି ମୋ ପାଶର ।

କରଯୋଡ଼ି ବିନୟରେ ବୋଲନ୍ତି ଶ୍ରୀଧର

ଯାଦବେ ନ ଦେଖି ଭାଇ ସନ୍ଦେହ ମୋହର ।

ଅନେକ ବେଳ ହେଲାଣି ଉଦ୍ୟାନକୁ ଗଲେ

ଏତେ ବେଳ ହେଲା କେହିଜଣେ ନ ଫେରିଲେ ।

ଶୁଣିଛି ମୁଁ ପୂର୍ବେ କହୁଥିଲେ ବେଦବର

ଏ ସ୍ଥାନେ ଅଛନ୍ତି କୁମ୍ଭ ନିକୁମ୍ଭ ଅସୁର ।

ବଳେ ବଳିୟାନ୍ ସତ୍ୟଯୁଗର ଅସୁର

ତ୍ରେତାଯୁଗେ ନ ପାରିଲେ ତାଙ୍କୁ ରଘୁବୀର ।

ଯହୁଁ ହଳଧର କର୍ଣ୍ଣେ ଏ ବାଣୀ ଶୁଣିଲେ

ଲଙ୍ଗଳ ଧରିଣ ଯିବା ପାଇଁ ସଜ ହେଲେ ।

ରେବତୀ ଦେବୀ ବୋଲନ୍ତି ସ୍ୱାମୀ କର ଧରି

ମହା ବଳବାନ ଦୈତ୍ୟ କଉଶଳ ଭାରି ।

ତୁମ୍ଭେ ଦୁଇଭାଇ ତାଙ୍କୁ ରଣେ ନ ପାରିବ

ମାନି ମୋର ଗୀର ତୁମ୍ଭେ ନ ଯାଅ ସେ ଠାବ ।

ଶ୍ରୀକୃଷ୍ଣ ବୋଲନ୍ତି ଦେବୀ ଶୁଣହେ ଦେବର

ଭାଉଜଙ୍କ ଅନୁରୋଧ ଗୋଟି ରକ୍ଷାକର ।

ବର୍ତ୍ତମାନ ଅନ୍ତ୍ରଶସ୍ତ୍ର ତବ ପାଶେ ନାହିଁ

ପରେ ସୈନ୍ୟବଳ ଘେନି ଆସିବ ଦ୍ୱିଭାଇ ।

ରେବବୀ ବଚନ ଶୁଣି ବୋଲନ୍ତି ଶ୍ରୀଧର

ସିଂହ ଘରଣୀର ମୁଖେ ନ ଶୋଭେ ଏ ଗୀର ।

ମୋର ଜ୍ୟେଷ୍ଠ ଭ୍ରାତା ବଳ ଜଣାନାହିଁ ଦେବୀ

ନିମିଷକେ ତାଡ଼ିଦେବ ଲଙ୍ଗଳେ ପୃଥିବୀ ।

ଶୁଣିଣ ନୀରବ ହୋଇ ରେବତୀ ରହିଲେ

ଘୋର ଗର୍ଜନ କରିଣ ଶଙ୍କର୍ଷଣ ଗଲେ ।

ନାରୀଗଣଙ୍କୁ ଘେନିଣ ଉଦ୍ଧବ ରହିଲେ

ଆବର ସମସ୍ତେ ବିଳ ମଧ୍ୟରେ ପଶିଲେ ।

ଯହୁଁ କୃଷ୍ଣ ବଳରାମ ପଶିଲେ ବିମ୍ବର

ମନେ ପଡ଼ିଗଲା ସବୁ ଦୁଇ ଭାଇଙ୍କର ।

ପାଞ୍ଚଜନ୍ୟ ଶଙ୍ଖଧ୍ୱନି କଲେ ଭଗବାନ

ଶୁଣି ଯାଦବଙ୍କ ମନ ହେଲା ଛନ୍ନଛନ୍ନ ।

ବାଉଳା ହୋଇଣ ଥିଲେ ଯେଏ ଯେଉଁଠାରେ

ସର୍ବେ ଏକଜୁଟ ହେଲେ ଶ୍ରୀକୃଷ୍ଣ ପାଶରେ ।

ଆଗରେ ଶ୍ରୀକୃଷ୍ଣ ବଳରାମ ଯେ ରହିଲେ

ତାହାଙ୍କ ପଛେ ଯାଦବେ ସର୍ବେ ଉଭା ହେଲେ ।

ଶାରଙ୍ଗ ଧନୁକୁ ଧରି ପ୍ରଭୁ ଚକ୍ରଧର

ଟଙ୍କାରନ୍ତେ ଦୈତ୍ୟପୁର ହେଲା ଥରହର ।

ଦ୍ଵାରେ କୁମ୍ଭାସୁର ବୀର ଜଗି ରହିଥିଲା

ଜାଣି ଶୁଣି ଭିତରେ ଯେ ୟାକୁ ସେ ଛାଡ଼ିଲା ।

ସେ ତ ଏମାନଙ୍କ କେତେ ବଳ ଜାଣି ନାହିଁ

ସାମାନ୍ୟ ମଣି ତାହାଙ୍କୁ ହୁଡ଼ିଦେଲା ସେହି ।

ଯେତେବେଳେ ଯଦୁଗଣ ଭିତରକୁ ଯାନ୍ତି

ଛାଡ଼ି ଦେଇଣ ଦଇତଗଣ ଯେ ଲୁଚନ୍ତି ।

ମନେ ମନେ ଖୁସି ହୋଇଗଲା ସେ ଅସୁର

ଭାବିଥିଲା ପୋଡ଼ା ବଳି ହୋଇବେ ଆମ୍ଭର ।

ଏ ଦୁଇଜଣ ଦିଶନ୍ତି ସବୁଠୁ ସୁନ୍ଦର

ଖାଇବାକୁ ସ୍ବାଦୁ ହେବ ମାଉଁସ ୟାଙ୍କର ।

ଯହୁଁ କାନନେ ଶୁଭିଲା ଧନୁର ଟଙ୍କାର

ଚଉପାଶେ ଚାହିଁ ଛନ୍ମ ଛନ୍ନ ହୁଏ ବୀର ।

ଯାଦବଙ୍କୁ ଘେନି ପ୍ରଭୁ ବାହୁଡ଼ି ଆସିଲେ

ଉପରକୁ ଯିବା ପାଇଁ ବାହାର ହୋଇଲେ ।

ବାହାରନ୍ତେ ଦ୍ୱାରେ ଦୈତ୍ୟ ହସେ ଟହ ଟହ

ବାଇଲେରେ ବାପଧନ କେଉଁଆଡେ ଯାଅ ।

ଏହା କହୁ ବନ୍ଦକଲା ବିବର ଦୁଆର

ଉପରେ ଯିବା ଉପାୟ ନ ପାଇଲେ ବୀର ।

ବୋଇଲା ଆମ୍ଭ ରେ ଡରି ଜଗତ ଠାକୁର

ପଠାଇ ଅଛନ୍ତି ପ୍ରଭୁ କୁମ୍ଭଙ୍କୁ ଆହାର ।

ଶୁଣି ଦୈତ୍ୟ ଗୀର ହଳୀ ଗର୍ଜିଣ ଉଠିଲେ

ଲଙ୍ଗଳେ ନିର୍ଘାତେ ଦୈତ୍ୟ ଉପରେ ପିଟିଲେ ।

ବଜ୍ର ସମ କୁମ୍ଭ ଶିରେ ବସିଲା ପାହାର

ମୁଣ୍ଡଫାଟି ରକ୍ତ ବୋହିଗଲା ଧାର ଧାର ।

ଆରେ ରେ ମାନବ ବୋଲି କରି ଗରଜନ

ଧାଏଁ ଦୈତ୍ୟବର ମେଲା କରିଣ ଆନନ ।

ଧନୁ ଧରି ଶ୍ରୀହରି ଯେ ଉଭା ହୋଇଥିଲେ

ଏହି ସୁଯୋଗ ଉଣ୍ଡିଣ ଶର ଯେ ମାରିଲେ ।

ରାକ୍ଷସ ଗର୍ଭ ଭିତରେ ସେ ବାଣ ପଡ଼ିଲା

ଅଗ୍ନି ସମ ତା ଅନ୍ତର ଜଳିଣ ଉଠିଲା ।

ଦେଖି ମନେ ମନେ ଭୟ କଲା ଦୈତ୍ୟବୀର

ଭାବିଲା ନୁହନ୍ତି କେଭେ ଏ ସାମାନ୍ୟ ବୀର ।

କରେ ଧନୁ ଧରି ଦୈତ୍ୟ କରେ ଘୋରରଡ଼ି

ଆଷାଢ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।

ସେ ରଡ଼ି ଶୁଣିଣ ପୁଣ ଅସ୍ତ୍ରଶସ୍ତ୍ର ଧରି

ବାହାରି ଆସିଲଷ ସୈନ୍ୟ କଳନାଦ କରି ।

ଯାଦବଙ୍କ ଚଉପାଶେ ଶତେ ପୁର ହୋଇ

କଡ଼କଡ଼ ଶବଦରେ ମେଦିନୀ କମ୍ପଇ ।

ନିର୍ଭୟେ ଯାଦବଗଣ କରନ୍ତି ସଂଗ୍ରାମ

ଅସୁର ସୈନ୍ୟଙ୍କ ସଙ୍ଗେ ରାଗେ ହୋଇ ତମ ।

ନିକୁମ୍ଭ ଦଇତ ସଙ୍ଗେ ପାର୍ଥ ଚକ୍ରଧର

କରୁଅଛନ୍ତି ସଂଗ୍ରାମ ହୋଇ ଘୋରତର ।

ନିକୁମ୍ଭର ସେନାପତି ନାମ ବୃତ୍ତାସୁର

ସମରରେ ମହାବଳୀ ସେହୁ ଧୁରନ୍ଧର ।

ତାହା ସଙ୍ଗେ ହଳଧର କରୁଥାନ୍ତି ରଣ

ଉଗ୍ରସେନ ଅକ୍ରୂର ଯେ ଅନ୍ୟଙ୍କ ସଂଗେଣ ।

ବେଳୁବେଳ ସମର ଯେ ହୋଇଲା ପ୍ରଖର

ଅସୁର ରକତେ ପୂର୍ଣ୍ଣ ହୁଏ ଯେ ବିମ୍ବର ।

ଯେମନ୍ତେ ପାଚିଲା ଫଳ ବୃକ୍ଷୁ ଝଡ଼ିପଡ଼େ

ତେସନେ ଦୈତ୍ୟମାନଙ୍କ କବନ୍ଧ ସେ ଛିଡ଼େ ।

ଯେତେ ଅସୁରମାନଙ୍କୁ କରନ୍ତି ସଂହାର

ପୁଣି ଏକ ମୁଣ୍ଡ ଗର୍ତ୍ତୁ ହୁଅଇ ବାହାର ।

ଦେଖିଣ ଆଶ୍ଚର୍ଯ୍ୟ ହେଲେ ପ୍ରଭୁ ଚକ୍ରଧର

କଳିହା ନାରଦ ଆସି ହୋଇଲେ ହାଜର ।

ଲାଗୁ ଲାଗୁ ବୋଲି କଳି ଧୋକଡ଼ି ଝାଡ଼ିଲେ

ଶ୍ରୀକୃଷ୍ଣଙ୍କ ଆଡ଼େ ଚାହିଁ କର ଯେ ଚାଳିଲେ ।

ସେ କଥାକୁ ବୁଝିପାରି ରୁକ୍ମିଣୀଙ୍କ ବର

ତିନିଥର ଦୈତ୍ୟ ମୁଣ୍ଡ କରିଲେ ସଂହାର ।

ଚତୁର୍ଥ ଥରକୁ ଦୈତ୍ୟ ଦେହୁଁ ପ୍ରାଣଗଲା

ଏଡ଼େ ବଡ଼ ରାକ୍ଷସଟା ଭୂମିରେ ପଡ଼ିଲା ।

କୁମ୍ଭର ମରଣ ଦେଖି ସେ ନିକୁମ୍ଭ ବୀର

ରେରେକାର କରି ଧାଇଁ ଆସଇ ସତ୍ୱର ।

ଏକାବେଳେ ଦୈତ୍ୟ ଲକ୍ଷ ଶର ଯେ ବିନ୍ଧଇ

ଶର ତେଜେ ଦିବସରେ ଅନ୍ଧାର ଦିଶଇ ।

କତୁରି ବାଣେକ ମାରି ପ୍ରଭୁ ଦାମୋଦର

ସାଙ୍ଗେ ସାଙ୍ଗେ ନିବାରିଲେ ଦଇତର ଶର ।

ଏହିପରି ବେଳୁ ବେଳ ବଢଇ ସମର

ମାୟାଯୁଦ୍ଧ ଆରମ୍ଭ କରିଲା ଦୈତ୍ୟେଶ୍ଵର ।

ଯେତେ ଶର କୃଷ୍ଣ ବଳରାମ ବିନ୍ଧୁଥାନ୍ତି

ନ ବାଜି ରାକ୍ଷସ ଦେହେ ଏଣେତେଣେ ଯାନ୍ତି ।

ବିନ୍ଧି ବିନ୍ଧି ଶର ପ୍ରଭୁ ଆକ୍ରାନ୍ତି ହୋଇଲେ ।

ବଳରାମଙ୍କ ମୁଖକୁ ଦେବ ଅନାଇଲେ ।

ନାରଦ ବୋଲନ୍ତି ହରି ବିଳମ୍ବ ନ କର

ଶୀଘ୍ର ଚକ୍ର ପେଶି ଦୁଷ୍ଟ ଅସୁର ସଂହାର ।

ଚାହୁଁ ଚାହୁଁ ଜଗନ୍ନାଥ ଚତୁର୍ଭୁଜ ହେଲେ

ସୁଦର୍ଶନକୁ ଯେ ଧାତିକାରେ ଆଜ୍ଞାଦେଲେ ।

ବିଳମ୍ବ ନ କରି ଦୈତ୍ୟ ମୁଣ୍ଡ କାଟ ତୁହି

ବଡ ପ୍ରତାପୀ ଅସୁର ବାଣେ ନ ମରଇ ।

ତିନିଥର ନ କାଟିଲେ ନ ମରେ ଅସୁର

ଈଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି ସେ ବର ।

ଶୁଣିଣ ଯେ ସୁଦର୍ଶନ ଚକ୍ର ଚଳିଗଲା

ଅସୁର କନ୍ଧ ଉପରେ ଯାଇଣ ପଡ଼ିଲା ।

ବେନି ବାର ଯହୁଁ ଚକ୍ର ତାକୁ ସଂହାରିଲା

ଘୋର ରଡ଼ିକରି ଦୈତ୍ୟ ଭୂମିରେ ପଡ଼ିଲା ।

ନ ମରି ପରାଣ ମୁଣ୍ଡେ ରହିଲା ତାହାର

ଗଡ଼ି ଗଡ଼ ମିଳିଲା ଯେ ପ୍ରଭୁଙ୍କ ପୟର ।

ଜଳ ଜଳ କରି ଦୈତ୍ୟ ଚକ୍ରଧରେ ଚାହିଁ

ବୋଲେ ଏ ଜନ୍ମରୁ ମୁକ୍ତକର ଭାବଗ୍ରାହୀ ।

ଦିବ୍ୟ ରୂପ ଦରଶନ କରିଣ ଅସୁର

ପୂର୍ବଜନ୍ମ କଥା ମନେ ପଡ଼ିଲା ତାହାର ।

ନିକୁମ୍ଭକୁ ଚାହିଁ ଆଜ୍ଞାଦେଲେ ଦାମୋଦର

ଶୀଘ୍ର ବୈକୁଣ୍ଠରେ ଯାଇ ଦ୍ଵାର ରକ୍ଷାକର ।

ଅସୁର ବୋଲଇ ମୋର ଏତିକି ମାଗୁଣି

ଆଜିଠାରୁ ଦୈତ୍ୟ ଲୋପ ହୋଇବ ଧରଣୀ ।

ଅସ୍ତୁ ବୋଲିଣ କହିଲେ ତାକୁ ଚକ୍ରଧର

ଚାହିଁ ପଦ୍ମମୁଖ ପ୍ରାଣ ଛାଡ଼ିଲା ଅସୁର ।

ବୈକୁଣ୍ଠପୁରୁ ବିମାନ ଆସି ପହଞ୍ଚିଲା

ଦିବ୍ୟରୂପ ହୋଇ ଦୈତ୍ୟ ସ୍ୱର୍ଗପୁର ଗଲା ।

ଚତୁର୍ଦ୍ଧା ମୂରତି ଦେଖି ଜଗନ୍ନାଥଙ୍କର

ବଳରାମ ଆଦି ସର୍ବେ କଲେ ନମସ୍କାର ।

ଅନ୍ତର୍ଯ୍ୟାମୀ ନାଥ ସେ ଯେ ବ୍ରହ୍ମାଣ୍ଡ ଠାକୁର

ଜଳ ସ୍ଥଳ ଆକାଶରେ ପୂର୍ଣ୍ଣରୂପ ତାର ।

ଭାବକୁ ନିକଟ ପ୍ରଭୁ ଅଭାବକୁ ଦୂର

ଶତ୍ରୁପଣେ ପାର ହେଲା ନିକୁମ୍ଭ ଅସୁର ।

ଅପୂର୍ବ ଚରିତ ଏହି ଗ୍ରନ୍ଥ ଯେ ଅଟଇ

ଶୁଣିଲେ ଭବସାଗରୁ ପାରହେବ ଭାଇ ।

ଏହି କଳିଯୁଗେ ଏକା ନାମ ବ୍ରହ୍ମ ସାର

ସେ ନାମ ଜପିଲେ ଯମଭୟ ହେବ ଦୂର ।

ଦୈତ୍ୟ ବଂଶ ଧ୍ୱଂସ କରି ଯାଦବଙ୍କୁ ରାଇ

ବୋଇଲେ ରାକ୍ଷସପୁର ଖେଦ ସର୍ବେ ଯାଇ ।

ଅଛନ୍ତି ଦାନବ ପୁରେ ଯେତେ ତାର ନାରୀ

ସଭିଙ୍କୁ ବୈଷ୍ଣବୀଧର୍ମେ ଦେବା ଯେ ତିଆରି ।

ନିଶ୍ଚେ ବହୁ ଦେବକନ୍ୟା ଥିବେ ତାର ପୁର

ଚାଲ ଆଗେ ସେମାନଙ୍କୁ କରିବା ଉଦ୍ଧାର ।

ଏତେବୋଲି ଯଦୁଗଣ ଭିତରେ ପଶିଲେ

ଇନ୍ଦ୍ରପୁର ବଳି ଶୋଭା ତା ପୁର ଦେଖିଲେ ।

ହଜାର ହଜାର ଛନ୍ତି ଦାନବଙ୍କ ନାରୀ

ଏକୁ ଏକ ବଳି ସର୍ବେ ସରଗ ସୁନ୍ଦରୀ ।

କିନ୍ତୁ ସର୍ବ ଦେବକନ୍ୟା ବଳାତ୍କାରେ ଧରି

ବଳିଷ୍ଠ ଅସୁର କରିଛନ୍ତି ମନୋହାରୀ ।

ଆଉ ଯେତେ ଦଇତୁଣୀ ଥିଲେ ତାର ପୁର

ପ୍ରଭୁଙ୍କ କର ସ୍ପର୍ଶରେ ହୋଇଲେ ଉଦ୍ଧାର ।

ସମସ୍ତେ ଅଟନ୍ତି ଇନ୍ଦ୍ରପୁର ନୃତ୍ୟକାରୀ

ଅଭିଶାପ ପାଇ ହୋଇଛନ୍ତି ଦୈତ୍ୟନାରୀ ।

ଯହୁଁ ପ୍ରଭୁ ସମସ୍ତଙ୍କୁ କର ଲଗାଇଲେ

ଚାହୁଁ ଚାହୁଁ ଶୂନ୍ୟମାର୍ଗେ ଉଭାଇ ସେ ଗଲେ ।

ଦେଖିଣ ଯାଦବଗଣ ହେଲେ ଆଚମ୍ବିତ

ପ୍ରଭୁଙ୍କୁ ପୁଚ୍ଛନ୍ତି ସର୍ବେ ଏହାର ତଦନ୍ତ ।

ପୁଣି ଯାଦବେ ବୋଲନ୍ତି ପ୍ରଭୁ ମୁଖ ଚାହିଁ

ରାକ୍ଷସର ଧନ ସର୍ବ ଯିବା ସଙ୍ଗେ ନେଇ ।

ପ୍ରଭୁ ବୋଇଲେ ନିମିଷେ ସର୍ବେ ଚକ୍ଷୁ ବୁଜ

ଦେଖିବ ଆହୁରି ବହୁଧନ ନେବେ ରାଜ୍ୟ ।

ଆଜ୍ଞା ପାଇଣ ଯାଦବେ ବୁଜିଲେ ନୟନ

ଚାହୁଁ ଚାହୁଁ ମାୟାପୁରୀ ହେଲା ଅନ୍ତର୍ଦ୍ଧାନ ।

ଚକ୍ଷୁ ପାଇଣ ଯାଦବ ଗଲେ କାବା ହୋଇ

ଗର୍ତ୍ତ ନାହିଁ ପୁର ନାହିଁ ଧନ ଜନ ନାହିଁ ।

ଅଶ୍ୱତ୍‌ଥ ଗଛ ଗୋଟିଏ ଅଛି ଉଭାହୋଇ

ତାର କ୍ରୋଡ଼ ମଧ୍ୟେ ଏକ ଶବ ଅଛି ରହି ।

ଯାଦବେ ବୋଲନ୍ତି ଦେବ ଏ କି ସମାଚାର

ଶ୍ରୀହରି ବୋଲନ୍ତି ଏ ଯେ ଅଟେ ମାୟାଶିର ।

ଯାଦୁ ବିଦ୍ୟାବଳେ ଦୈତ୍ୟ ରଚିଥିଲା ପୁର

ଏହି ଶବ ଗୋଟି ଅଟେ ସହକାରୀ ତାର ।

ମନ୍ତ୍ରବଳେ ଜୀବଦାନ ଥିଲା ୟାକୁ ଦେଇ

କୁହୁକ ରାଇଜ ଥିଲା ରାକ୍ଷସ ଭିଆଇ ।

ଶୁଣିଣ ଚକିତ ହେଲେ ଯାଦବ ସଇନ

ଶ୍ରୀଜଗନ୍ନାଥଙ୍କୁ ସର୍ବେ କଲେ ଧନ୍ୟ ଧନ୍ୟ ।

ଯାଦବଗଣ ଯିବାର ଉଛୁର ଦେଖି

ନାରୀମାନେ ଉଦ୍ଧବଙ୍କ ଚୌପାଶେ ମିଳିଣ ।

ରୁକ୍ମିଣୀ ବୋଲନ୍ତି କିମ୍ପା ହୁଏ ଏତେ ଡେରି

ନ ଆସନ୍ତି ଜଗନ୍ନାଥ ଆଦି ଯେ ସବୁରି ।

ଉଦ୍ଧବ ବୋଲନ୍ତି ପୁତ୍ରୀ ତୁମ୍ଭେ ସ୍ଥିରଧର

ତୋର ସ୍ୱାମୀ ଅଟନ୍ତି ଯେ ବ୍ରହ୍ମାଣ୍ଡ ଠାକୁର ।

ରାମ କୃଷ୍ଣଙ୍କୁ ଜିଣନ୍ତା ସଂସାରେ କେ ନାହିଁ

ନିଶ୍ଚେ କାମ ଶେଷକରି ଆସିବେ ମାଧୋଇ ।

ଏ ସମୟେ ହସ ହସ ହୋଇ ଚକ୍ରଧର

ନାରୀମାନଙ୍କ ପାଶରେ ହୋଇଲ ହାଜର ।

ଯାଦବଗଣଙ୍କୁ ଦେଖି ନାରୀଏ ଧାଇଁଲେ

ଆନନ୍ଦରେ କୋଳାହଳ ସରବେ ହୋଇଲେ ।

ରେବତୀଙ୍କ ପାଶେ ହଳୀ ପ୍ରବେଶିଲେ ଯାଇ

ରାମଙ୍କୁ ନ ଦେଖି କାନ୍ଦୁଥିଳେ ଶଶୀମୁହୀଁ ।

ହସି ହସି ହଳଧର ତାଙ୍କୁ କୋଳକଲେ

ଯୁଦ୍ଧର ଘଟଣାମାନ ସରବେ ଶୁଣିଲେ ।

ଯେତେ ଯଦୁକୁଳ ବାମା ସେ ସ୍ଥାନରେ ଥିଲେ

ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ସର୍ବେ ଧନ୍ୟ ଧନ୍ୟ କଲେ ।

ଦ୍ୱାରକାରେ ଯାଇ ସର୍ବେ ହୋଇଲେ ପ୍ରବେଶ

ରେବତୀ ଦେବୀ କହିଲେ ହଳଧର ପାଶ ।

ଅଳପ ଦିନରେ ଦେବୀ ଗର୍ଭବତୀ ହେଲେ

ଦଶମାସ ଅନ୍ତେ ଦୁଇପୁତ୍ର ପ୍ରସବିଲେ ।

ଯମଜ ପୁତ୍ର ଜନମ ହେଲା ହଳଙ୍କର

ଶୁଣିଣ ଯାଦବ ମନେ ଆନନ୍ଦ ଅପାର ।

ବିଧାତା ଆସିଣ ନାମକରଣ କରିଲେ

ସୁନନ୍ଦ ନନ୍ଦ ବୋଲିଣ ପୁତ୍ର ନାମ ଦେଲେ ।

ପିତାମାତାଙ୍କ ଆନନ୍ଦ କହିଲେ ନ ସରେ

ପୁତ୍ରମାନେ ସଦା ଥାନ୍ତି ପିତାଙ୍କ ପାଶରେ ।

ରେବତୀ ରୁକ୍ମିଣୀ ଦୁଇ ଯାଆ ହରଷରେ

ସେବନ୍ତି ଶାଶୁ ଶ୍ଵଶୁର ସ୍ଵାମୀଙ୍କ ପାଦରେ ।

ପରସ୍ପରକୁ ସରବେ ସ୍ନେହ ଯେ କରନ୍ତି

ରତିକୁ ସର୍ବଦା ଦୁଇ ଶାଶୁ ଭଲପାନ୍ତି ।

ଯଶୋବନ୍ତୀ ଦେବକୀର ଆନନ୍ଦ ଅପାର

ପୁତ୍ରବଧୂ ନାତି ସୁଖ ଦେଖିଣ ସତ୍ୱର ।

ଯେ ଦିନୁ ରୁକ୍ମିଣୀ କୃଷ୍ଣେ ବିବାହ ହୋଇଲେ

ଦ୍ଵାରକାରେ ଘରେ ଘରେ ଲକ୍ଷ୍ମୀ ବିରାଜିଲେ l

ନିୟମରେ ଇନ୍ଦ୍ରଦେବ ବରଷା କରଇ

ମରୁଭୂମିରେ ସୁନ୍ଦର ଫସଲ ହୁଅଇ ।

ଯେଉଁଦିନୁ କାମ ରତି ପୁରେ ପହଞ୍ଚିଲେ

ବୃଦ୍ଧନାରୀମାନେ ମଧ୍ୟ କାମେ ବାଇହେଲେ ।

ପତି ସେବାରେ ସରବେ ଢାଳିଛନ୍ତି ମନ

ସଭିଙ୍କ ଦେହରେ ରାଜେ ନବ ଯଉବନ ।

ରେବତୀ ଦେବୀ ଯେଦିନ ପୁରେ ପାଦଦେଲେ

ସାତବଂଶରେ କେ ଜଣେ ମୂର୍ଖ ନ ରହିଲେ ।

ସରବେ ପଣ୍ଡିତ ଏକୁ ଏକ ବୁଦ୍ଧିମାନ

ସ୍ୱୟଂ ସରସ୍ୱତୀ ଦେବୀ ସେ ଯେ ବିଦ୍ୟମାନ ।

ଶ୍ରୀହରିଙ୍କ ଲୀଳା ଏ ଯେ ଅପୂର୍ବ ଚରିତ

ଶୁଣିଲେ ଜଗତ ଜନ ହୋଇବେ ପବିତ୍ର ।

ଶ୍ରୀଗୁରୁ ଅଚ୍ୟୁତ ସ୍ବାମୀ ତନ୍ନ ତନ୍ନ କରି

ହରିବଂଶ ମଧ୍ୟେ ଏହା ଛନ୍ତି ପୂର୍ଣ୍ଣକରି ।

ତାଙ୍କ ପାଦପଦ୍ମକୁ ମୁଁ ମନେ କରି ଧ୍ୟାନ

ରଚନା କରଇ କ୍ଷେତ୍ରମୋହନ ପ୍ରଧାନ ।

 

Unknown

ରୈବତ୍ୟ ପର୍ବତରେ ଘୋଷଯାତ୍ରା ଓ
ଶ୍ରୀକୃଷ୍ଣଙ୍କ ପାଞ୍ଚକନ୍ୟା ବିଭା

ଶୁଣ ଆହେ ସାଧୁଜନେ ହୋଇଣ ହରଷ

ପବିତ୍ର ମହୋଦଧିର ଜଳ ଏହି ରସ ।

ରେବତୀ ବିବାହ ବର୍ଷ ଯେ ଦିନୁ ପୁରିଲା

ରୈବତ ପର୍ବତ କଥା ମନେ ଯେ ପଡ଼ିଲା ।

ସାତବଂଶ ଯାଦବଙ୍କୁ ଏକତ୍ର କରଇ

ଘୋଷଯାତ୍ରା ଆରମ୍ଭିଲେ ପ୍ରଭୁ ଭାବଗ୍ରାହୀ ।

ଦ୍ୱାରକାରୁ ବେନି କ୍ରୋଶ ରଇବତ ଗିରି

ସେ ପର୍ଯ୍ୟନ୍ତ ସ୍ବର୍ଣ୍ଣ ରାସ୍ତା ହୋଇଛି ତିଆରି ।

ଦୁଇପଟେ ହୀରାନୀଳା ପ୍ରାଚୀର ଶୋଭଇ

କି ଅଭାବ ଯେଉଁଠାରେ ଲକ୍ଷ୍ମୀ ଛନ୍ତି ରହି ।

ନନ୍ଦିଘୋଷ ବାହାରିଲେ ପ୍ରଭୁ ଚକ୍ରଧର

ଦେବୀ ରୁକ୍ମଣୀଙ୍କୁ ପ୍ରଭୁ ଘେନିଣ ସଙ୍ଗର ।

ତାଳଧ୍ୱଜେ ବିଜେ କଲେ ରେବତୀ ରମଣ

ବିବିଧ ଯାନ ଆରୋହି ଯେ ଯାଦବଗଣ ।

ପ୍ରଦ୍ୟୁମ୍ନ ରତି ଦେବୀଙ୍କୁ ଘେନିଣ ଆନନ୍ଦେ

ବାହାରିଲେ ରୈବତଙ୍କ ପର୍ବତକୁ ହାଦେ ।

ଯେ ଯାହାର ସଙ୍ଗେ ନାରୀ ଧରି ବାହାରିଲେ

ଚାରିକୋଟି ଯଦୁଗଣ ପର୍ବତେ ମିଳିଲେ ।

ଘୋଷଯାତ୍ରାର ମହିମା କେ ପାରିବ କହି

ତେତିଶି କୋଟି ଦେବତା ଦେଖନ୍ତି ଓହ୍ଲାଇ ।

ନଅର ତିଆରି କରି ରହିଲେ ଯେ ପାରେ

ହାଟବାଟ ବଜାର ଯେ ବସିଛି ତହିଁରେ ।

ଏହି ସମୟରେ ଦେଶଉର ପାଶେ ମିଳି

କରଯୋଡ଼ି ଉଭାହୋଇ କରେ ନିଉଛାଳି ।

ବୋଲଇ ମଣିମା ଶୁଣ ମୋହର ଉତ୍ତର

କାଶୀ ନଦୀତୀରେ ଅଛି ଏକଇ ନବର ।

ସତ୍ୟବ୍ରତ ବୋଲି ରାଜା ଅଟନ୍ତି ତହିଁର

ପବିତ୍ର ପାଟବଂଶୀ ଯେ ଅଛି ତାର ପୁର ।

ଗୋଟିଏ ମାତ୍ରକ ରାଣୀ ନାମ ଶୋଭାବତୀ

ସାକ୍ଷାତ ପରମଲକ୍ଷ୍ମୀ ହୋଇଛି ଉତ୍ପତ୍ତି ।

ଅକଣ୍ଟକ ରାଜ୍ୟଭୋଗ କରେ ସତ୍ୟବ୍ରତ

ସର୍ବଦା ଧର୍ମେ ଚଳଇ ନ କରେ ଅସତ୍ୟ ।

ରାଜକୋଷରେ ତାହାର ଥାଏ ବହୁ ରତ୍ନ

ଦୁଇ ଶତକ୍ରୋଶ ରାଜ୍ୟ ଗୋଟି ଅତି ଯତ୍ନ ।

ପାଞ୍ଚଗୋଟି ପୁତ୍ର କନ୍ୟା ଅଟନ୍ତି ଯେ ଦୁଇ

କନ୍ୟାମାନଙ୍କର ଶୋଭା କହି ଯେ ନୁହଇ ।

ଶୁଣିଅଛି କର୍ଣ୍ଣେ ସ୍ଵର୍ଗେ ସୁନ୍ଦରୀ ଅପ୍ସରା

ଏମାନେ ତାହାଙ୍କଠାରୁ ଅଧିକ ଯେ ତ୍ବରା ।

ବର୍ଷେ ହେଲା ରାଜକନ୍ୟା ବିଭା ଦେବା ପାଇଁ

ସମସ୍ତ ରାଜାଙ୍କୁ ପୁରେ ଅଛି ଯେ ରଖାଇ ।

ଜରାସନ୍ଧ ଶିଶୁପାଳ ଶଲ୍ୟ ଆଦି ରାଜା

ସତ୍ୟବ୍ରତ ପୁରେ ରହି ପାଉଛନ୍ତି ପୂଜା ।

ଲକ୍ଷେ ରାଜାଙ୍କୁ ଡକାଇ ଥାଏ ନୃପବର

କିନ୍ତୁ କନ୍ୟା ଉପଯୁକ୍ତ ନୁହନ୍ତି କେ ବର ।

ଶ୍ରୀୟା ସତ୍ୟବତୀ ନାମ ଦୁଇ କନ୍ୟାଙ୍କର

ଚାଲିଯାନ୍ତେ ପଦ ଗନ୍ଧେ ଗୋଡ଼ାନ୍ତି ଭ୍ରମର ।

ଭ୍ରମରମାନେ ଗୋଡ଼ାନ୍ତି ମାଳ ମାଳ ହୋଇ

ତେଣୁ ସର୍ବଦା ଚନ୍ଦନ ଅଙ୍ଗ ବୋଳିଥାଇ ।

କନ୍ୟା ରୂପ ଦେଖି ସର୍ବେ ପାଗଳ ହୁଅନ୍ତି

କିନ୍ତୁ ପରୀକ୍ଷାରେ କେହି ଜିଣି ନ ପାରନ୍ତି ।

ଦୂତ ମୁଖୁ ବାର୍ତ୍ତା ଶୁଣି ବୋଲନ୍ତି ଶ୍ରୀଧର

କେଉଁ କାରଣରୁ ରାଜା ହୋନ୍ତି ହରବର ।

କରିଯୋଡ଼ି ବୋଲେ ଚାର ଶୁଣ ଚକ୍ରଧର

ଏକ ଶତ ଷଣ୍ଢ ପାଳି ଅଛି ନୃପବର ।

ଏକ ଏକ ବଳି ଦୃଢ ଅଟନ୍ତି ସେମାନେ

ଶତ ହସ୍ତୀ ଏକ ସଙ୍ଗେ ନ ହେବେ ସମାନେ ।

ପୁଣି ଗୋଟିଏ ଷଣ୍ଢକୁ ଶତଶତ ଗାଈ

ମହାବଳୀ କେ କାହାକୁ ଉଣା ନ ଅଟଇ ।

ଗୋଗୋଷ୍ଠରେ ଷଣ୍ଡ ଗାଈ ଏକତ୍ର କରାଇ

ରଖିଅଛି ନରପତି ଯତ୍ନେ ଖାଦ୍ୟ ଦେଇ ।

ପୁଣି ସହସ୍ରେକ ହସ୍ତ ପାଟର ଦଉଡ଼ି

ଗୋଷ୍ଠ ଦୁଆରମୁହଁରେ ଅଛି ସେହି ପଡ଼ି ।

ସୁବର୍ଣ୍ଣ ଖମ୍ବ ମଧ୍ୟରେ ଲେଖାଅଛି ରହି

ଏକା ଦଉଡ଼ିରେ ଶତେ ଷଣ୍ଢ ଯେ ବାନ୍ଧଇ ।

ଏ ରଜ୍ଜୁରେ ସଭିଙ୍କୁ ଯେ ଛନ୍ଦି ପକାଇବ

ସତ୍ୟସତ୍ୟସତ୍ୟ ସେ ମୋ କନ୍ୟା ବିଭାହେବ

ପୁଣି ଦୁଇ କନ୍ୟା ସହ ଅର୍ଦ୍ଧେ ରାଜ୍ୟ ଦାନ

କରିବି ଏହା ମୋହର ଅଟଳ ବଚନ ।

ଯେତେ ରାଜା ଆସୁଛନ୍ତି ବିଭା ହେବା ପାଇଁ

ଗୋଷ୍ଠ ଦୁଆର ମୁହଁକୁ ନ ପାରନ୍ତି ଯାଇ ।

ଜରାସନ୍ଧ ଆଦି ବୀରେ ହୋଇ ଅପଦସ୍ତ

ବାନ୍ଧି ନ ପାରିଣ ଲଜ୍ଜା ପାଇଲେ ସମସ୍ତ ।

ଗୃହକୁ ନ ଯାଇ ବସିଛନ୍ତି ନରସାଇଁ

ଅଛି ବୀର ବାନ୍ଧବ କେ ଦେଖିବ ସେ ରହି ।

ଏକା ରଜ୍ଜୁରେ ଯେ ଶତ ଷଣ୍ଢକୁ ବାନ୍ଧିବ

ପୃଥିବୀରେ ବୀରପଣେ ସେହି ଗଣାହେବ ।

ପୁଣି ପ୍ରତିଜ୍ଞା କରିଛି ସିଂହଳ ଈଶ୍ୱର

କ୍ଷତ୍ରିୟ ଚଣ୍ଡାଳ ଯେ ବାନ୍ଧବ କନ୍ୟା ତାର ।

ଶୁଣି ଶ୍ରୀକୃଷ୍ଣଙ୍କ ମନ ହେଲା ଛନ ଛନ୍ନ

ଉଦ୍ଧବ ଅକ୍ରୂର ପାଶେ ରାଇଲେ ବହନ ।

ସମସ୍ତ କଥା ପ୍ରକାଶ କରିଲେ ଶ୍ରୀହରି

ଯିବା ପାଇଁ ସଜ ହେଲେ ନନ୍ଦିଘୋଷ ଧରି ।

ନିଶ୍ଚୟ ଆଣିବା କନ୍ୟା ଫୁଲ ସଙ୍ଗେ ମୋର

ଭାଗ୍ୟ ଥିଲେ ଗୋରୁକନ୍ୟା ମିଳଇ ଆବର ।

ବଳରାମଙ୍କୁ ସମସ୍ତେ କହିଲେ ବୁଝାଇ

ଘୋଷଯାତ୍ରା କରୁଥିବେ ଯାଦବଙ୍କୁ ନେଇ ।

କାଲି ଭିତରେ ନିଶ୍ଚୟ ବାହୁଡ଼ି ଆସିବି

କଦାପି ସେଠାରେ ବେଶି ଦିନ ନ ରହିବି ।

ଯାଅ ବୋଲି ଆଜ୍ଞାଦେଲେ ପ୍ରଭୁ ହଳଧର

ଶୁଭ ବେଳ ଉଣ୍ଡି ପ୍ରଭୁ ହୋଇଲେ ବାହାର ।

ପବନ ମାର୍ଗେ ଦାରୁକ ବାହେ ରହୁବର

କାଶୀ ନଦୀ ତୀରେ ଯାଇ ହୋଇଲେ ହାଜର ।

ସେ ରାଜ୍ୟର ଶୋଭା ଦେଖି ପ୍ରଭୁ ଦାମୋଦର

ପ୍ରଶଂସା କରନ୍ତି ଧନ୍ୟ ଧନ୍ୟ ଏହୁ ପୁର ।

ନିଶ୍ଚେ ଏ ରାଜ୍ୟରେ ଲକ୍ଷ୍ମୀ ଛନ୍ତି ଅବତରି

ତା ନୋହିଲେ ଏତେ ଶୋଭା ଦିଶନ୍ତା କିପରି ।

ଉଦ୍ଧବ ଅକ୍ରୂର ସାରଥିଙ୍କୁ ଚକ୍ରଧର

ବୋଇଲେ ତୁମ୍ଭେ ସମସ୍ତେ ରୁହ ଏ ସ୍ଥାନର ।

ଦୂତ ସଙ୍ଗେ ନେଇ ଆମ୍ଭେ ଯାଉଅଛୁ ପୁର

ବୁଝିବା ସେଠାରେ ହୁଏ କିସ ସମାଚାର ।

ଏହା କହି ବିପ୍ର ରୂପ ଧରିଲେ ଶ୍ରୀହରି

ବଳିଦ୍ୱାରେ ଯାଇଥିଲେ ଯେଉ ରୂପ ଧରି ।

କେବଳ ବାମନ ମୂର୍ତ୍ତି ହୋ ଠାକୁର

ଅପରୂପ ଶୋଭା କିବା ଦେବା ପଟ୍ଟାନ୍ତର ।

ଦିବ୍ୟାମୋହନ ମୂରତି ଧରି ବିପ୍ରବର

ସାମବେଦ ଉଚ୍ଚାରି ମିଳିଲେ ରାଜା ପୁର ।

ଦେଖିଣ ବିପ୍ରଙ୍କୁ ରାଜା ସନମାନ କଲା

ଉତ୍ତମ ଆସ୍ଥାନରେ ନେଇ ବସାଇଲା ।

ଶ୍ରୀୟା ସତ୍ୟବତୀ ମେଢେ ଥିଲେ ଉଭାହୋଇ

ବିପ୍ରରୂପ ଦେଖି କାମେ ହୋଇଲେ ସେ ବାଇ ।

ଅନଙ୍ଗ ବାଣେ ଦହିଲା ଶରୀର ତାଙ୍କର

ଯେ ଯାହାର ସେ ତାହାର ଅଟେ ଶାସ୍ତ୍ରଗୀର ।

କେବଳ ଲଜ୍ୟାରେ କନ୍ୟା ନୀରବେ ଥାଆନ୍ତି

ବ୍ରାହ୍ମଣ ରୂପକୁ ଦେଖି ମୋହ ହୋଇଥାନ୍ତି ।

ଭାବନ୍ତି ଯଦି କରନ୍ତେ ପିତା ସ୍ୱୟମ୍ବର

ନିଶ୍ଚେ ଆମ୍ଭେ ଏ ବ୍ରାହ୍ମଣେ ବରନ୍ତୁ ଯେ ବର ।

ବିଷ୍ଣୁଙ୍କୁ ସ୍ମରଣ କରୁଥାନ୍ତି କନ୍ୟା ଦୁଇ

ଷଣ୍ଢ ବାନ୍ଧି ପାରନ୍ତେ କି ଏ ବିପ୍ର ଗୋସାଇଁ ।

ଦରହସି କନ୍ୟା ଆଡ଼େ ଚାହିଁ ଦେଲେ ହରି

ତାଙ୍କ ମନ ଜାଣିଲେଣି ପ୍ରଭୁ ଦଇତ୍ୟାରି ।

ଲଜ୍ୟାରେ କନ୍ୟାବଦନ ତଳକୁ ପାତିଲେ

ମନେମନେ ବିପ୍ର ଶୋଭା ଦେଖି ଘାରିହେଲେ

ଭାବନ୍ତୁ ନୁହନ୍ତୁ ପଛେ ଆମ୍ଭେ ରାଜରାଣୀ

ଏ ବ୍ରାହ୍ମଣ ଦାସୀ ହୋଇ ହୋନ୍ତୁ ଭିକାରୁଣୀ ।

ସଭାଜନେ ସର୍ବେ ଚାହିଁ ବିପ୍ରଙ୍କ ବଦନ

ବୋଲନ୍ତି ଅଳ୍ପବୟସ ବ୍ରାହ୍ମଣ ସନ୍ତାନ ।

କେ ବୋଲଇ ଜୀବନରେ ଦିନେ ଏହିପରି

ଦେଖି ନଥିଲୁ ସୁନ୍ଦର ଚେହେରା କାହାରି ।

ଏହିପରି ସର୍ବଜନ କୁହାକୁହି ହେଲେ

କନ୍ୟାଙ୍କ ନଜର ଅଛି ସରବେ ଦେଖିଲେ ।

ଏ ସମୟେ ସଭାକୁ ଆସିଣ ସତ୍ୟବ୍ରତ

ବୋଲେ ଶୁଣ ସର୍ବ ଉପସ୍ଥିତ ନରନାଥ ।

ବ୍ରାହ୍ମଣଠାରୁ ଚଣ୍ଡାଳ ହୋନ୍ତୁ ଯେହୁ ଜନ

ଯେ ଷଣ୍ଢ ବାନ୍ଧିବ କନ୍ୟା କରିବି ପ୍ରଦାନ ।

ଯଦି ନ ବାନ୍ଧିଣ ବଳାତ୍କାର କେ କରିବ

ସଭା ମଧ୍ୟେ ନିଶ୍ଚୟ ତା ମୂର୍ଦ୍ଧନା ଫାଟିବ ।

ଏଡ଼େ ବଡ଼ ବଡ଼ ଯୋଦ୍ଧାଗଣ ଆସିଅଛ

ସାମାନ୍ୟ କାମକୁ କିମ୍ପା ସରବେ ଡରୁଛ ।

କନ୍ୟାରୂପେ ଦେଖିରାଜାମାନେ ମୋହ ହୋଇ

ବାହାସ୍ଫୋଟମାରି ବାହାରିଲେ କେତେତହିଁ ।

ଯେତେବେଳେ ଗୋଷ୍ଠଦ୍ବାର ମୁହଁକୁ ଯାଆନ୍ତି

ଗର୍ଜନ ଶୁଣିଣ ସର୍ବେ ବାହୁଡ଼ି ଆସନ୍ତି ।

ଦନ୍ତ ଭଗ୍ନ ଅହି ପରି ହୋଇ ରାଜାମାନେ

ଲଜ୍ୟା ପାଇଣ ବସିଲେ ଯେ ତାହା ଆସ୍ଥାନେ ।

ଉଠି ମହା ଆଡ଼ମ୍ବରେ ଜରାସନ୍ଧ ବୀର

ଷଣ୍ଢ ବାନ୍ଧିବା ପାଇଁକି ହୋଇଲେ ବାହାର ।

ହେଉ ପଛେ କଷ୍ଟ ନିଶ୍ଚେ ଷଣ୍ଢ ମୁଁ ବାନ୍ଧିବି

ସୁନ୍ଦରୀ କନ୍ୟା ଦ୍ୱୟଙ୍କୁ ମୁହିଁ ବିଭାହେବି ।

କାୟା ଭୁଲାଇଣ ରାଜା ମିଳେ ଗୋଗୋଷ୍ଠରେ

ହାତ ପକାଇଲା ଏକ ଷଣ୍ଢର ଲାଞ୍ଜରେ ।

ଦେଖିଣ ସମସ୍ତ ରାଜା କରତାଳି ଦେଲେ

ନିଶ୍ଚେ ଜରାସନ୍ଧ ବୀର କନ୍ୟା ବିଭାହେଲେ ।

ଯେତେବେଳେ ଜରାସନ୍ଧ ଲାଙ୍ଗୁଳ ଧରିଲେ

ଲଇଁପଡ଼ି ବାମହସ୍ତ ରଜ୍ଜୁ ଗୋଟାଇଲେ ।

ମହାବଳବାନ ଷଣ୍ଢ ସେହି ଯେ ଅଟଇ

ଶତ ଜରାସନ୍ଧ ବଳ ଗଞ୍ଜି ଦେବ ସେହି ।

ପାଟଡୋର ଧରି ଉଠାନ୍ତେଣ ଜରାବୀର

ନିର୍ଘାତ ଗୋଇଠା ଗୋଟା ଦେଲା ତା ଛାତିର ।

ସେ ଗୋଇଠାଘାତେ ଜରା ଭୂମିରେ ପଡ଼ିଲା

ନାସାଫୁଟି ତାହାର ଯେ ରୁଧିର ଗଳିଲା ।

ହେବ ନାହିଁ ବୋଲି ରାଜା ଘୁସୁରି ଘୁସୁରି

ବାହୁଡ଼ି ଆସନ୍ତେ ସର୍ବେ ହସି କିରି କିରି ।

ଜରାର ଅବସ୍ଥା ଦେଖି ଅନ୍ୟ ନରବର

ଭୟରେ ନ ଗଲେ କହି ଗୁହାଳ ପାଶର ।

ଏହି ସମୟରେ ଦ୍ୱିଜ ଯୋଡ଼ି ବେନି କର

ବୋଇଲେ ହେଲେ ହୁକୁମ ଯିବି ମୁଁ ଏଥର ।

ବିପ୍ର ବାଣୀ ଶୁଣି ସର୍ବ ନରପତିଗଣ

ମୁଖରେ ବସନ ଦେଇ ବସିଲେ ତକ୍ଷଣ ।

ବୋଇରେ ସୁନ୍ଦର ରୂପ ଦେଖିଣ କନ୍ୟାର

ସମ୍ଭାଳି ନ ହୁଏ ମନ ଏହି ବ୍ରାହ୍ମଣର ।

ସାମାନ୍ୟ ବ୍ରାହ୍ମଣ ଭିକ୍ଷା ଜୀବିକା ଅଟଇ

ସେ ପୁଣି ବାହାରେ ଷଣ୍ଢ ବାନ୍ଧିବାର ପାଇଁ ।

ପ୍ରତିଜ୍ଞା କରିବେ ଯହୁଁ ସତ୍ୟବ୍ରତ ବୀର

ତାହା ଶୁଣିଣ ବ୍ରାହ୍ମଣ ହୁଅଇ ଆତୁର ।

କେ ବୋଲଇ ଆରେ ବିପ୍ର ଯାଅ ନାହିଁ ତୁହି

ମହା ମହା ରଥୀ ଗଲେଣି ପରାସ୍ତ ହୋଇ ।

ଦ୍ବିଜବର ବୋଲେ ସର୍ବେ ଆସିଲେ ଯେ ଫେରି

ମୁହିଁ ନ ପାରିଲେ କନ୍ୟା କିମ୍ପା ହେବ ମୋରି ।

ସତ୍ୟବ୍ରତ ବୋଲନ୍ତି ରାଜାଙ୍କ ମୁଖ ଚାହିଁ

ନ ପାରିଣ କହ କିମ୍ପା କମର ଫୁଲାଇ ।

ଅନୁମତି ଦେଲି ମୁହିଁ ଯାଅ ବିପ୍ରବର

ଷଣ୍ଢକୁ ବାନ୍ଧି ପାରିଲେ ମୋ କନ୍ୟା ତୁମ୍ଭର ।

ଯେତେବେଳେ ଗୋଗୋଷ୍ଠକୁ ଯାନ୍ତି ଚକ୍ରଧର

ଇଷ୍ଟକୁ ସୁମରୁଥାନ୍ତି କନ୍ୟା ନିରନ୍ତର ।

ଶ୍ରୀୟା ବୋଲୁଥାନ୍ତି ସତ୍ୟବତୀ ମୁଖ ଚାହିଁ

ଲୋ ଭଉଣୀ ଏ ବ୍ରାହ୍ମଣ ମାନବ ନୁହଇ ।

ସ୍ୱୟଂ ନାରାୟଣ ପୂର୍ଣ୍ଣ ଅବତାର ଏହି

ଦେଖ ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ପାଇ ।

ଚାତକବତ ସରବେ ଅଛନ୍ତି ଅନାଇ

ନିର୍ଭୟେ ଗୋଷ୍ଠେ ପ୍ରବେଶ ହେଲେ ବିପ୍ରସାଇଁ ।

ଯେତେବେଳେ କୃଷ୍ଣଚନ୍ଦ୍ର ଗୋଗୋଷ୍ଠେ ମିଳିଲେ

ଶତେ ଗାବ ଶତେ ଷଣ୍ଢ ଘୋରରଡ଼ି ଦେଲେ ।

ସେ ରଡ଼ି ଆଘାତେ ସର୍ବରାଜା ଭୀତ ହୋଇ

ବୋଇଲେ ଚାଲ ହେ ଯିବା ଏ ସ୍ଥାନୁ ପଳାଇ ।

ଦେଖ କିପରି ଗର୍ଜନ୍ତି ଦୁଷ୍ଟ ଷଣ୍ଢଗଣ

ନିଶ୍ଚେ ଗରିବ ବ୍ରାହ୍ମଣ ହରାଇଲଶ ପ୍ରାଣ ।

ଭଲ କଥା ସତ୍ୟବ୍ରତ ରାଜା ଭିଆଇଲା

ବ୍ରହ୍ମହତ୍ୟା ଦୋଷ ଗୋଟି ମୁଣ୍ଡରେ ଲଦିଲା ।

ଏ ସମୟେ ଗୋଗୋଷ୍ଠରେ ପ୍ରଭୁ ଚକ୍ରଧର

ବଂଶୀରେ ବାଇଲେ ଧେନୁ ସ୍ତମ୍ଭନ ଯେ ସ୍ବର ।

ବଂଶୀ ସ୍ୱନ ବାଜି ଷଣ୍ଢ ଗାଭୀଙ୍କ କର୍ଣ୍ଣର

ନୀରବ ହୋଇଣ ସର୍ବେ ହୋଇଲେକ ସ୍ଥିର ।

ଶ୍ରୀକୃଷ୍ଣଙ୍କ ଚଉପାଶେ ଆନନ୍ଦରେ ବେଢ଼ି

ବଂଶୀସ୍ୱନ କର୍ଣ୍ଣେ ଶୁଣି ଦ୍ୟନ୍ତି ହମ୍ବାରଡ଼ି ।

ଦୁଷ୍ଟମାନଙ୍କର ଯହୁଁ ଦର୍ପ ଚୂର୍ଣ୍ଣକଲେ

ଆଉଁସି ସଭିଙ୍କୁ ପ୍ରଭୁ ରଜ୍ଜୁରେ ବାନ୍ଧିଲେ ।

ଏକ ରଜ୍ଜୁ ମଧ୍ୟେ ସର୍ବ ଷଣ୍ଢ ଗୋରୁ ଧରି

ବାନ୍ଧି ପକାଇଣ କୃଷ୍ଣ ଆସିଲେ ବାହାରି ।

ହେଲା ହେଲା ବୋଲି ସର୍ବେ କରିଲେ ଚହଳ

ମେଢ଼ରୁ କନ୍ୟା ଆସିଲେ ହସ୍ତେ ଧରି ମାଳ ।

ବେନି କନ୍ୟା ଆନନ୍ଦରେ ହସ ହସ ହୋଇ

ବ୍ରାହ୍ମଣର ଗଳେ ଦେଲେ ସେ ମାଳ ଲମ୍ବାଇ ।

ଦେଖି ସର୍ବ ରାଜାମାନେ ଆଶ୍ଚର୍ଯ୍ୟ ହୋଇଲେ

ଲାଜ ପାଇ ଯେ ଯାହାର ପୁରେ ବାହୁଡ଼ିଲେ ।

ମହା ଆଡ଼ମ୍ବରେ ସତ୍ୟବ୍ରତ ନରେଶ୍ଵର

ଦୁଇ କନ୍ୟା ବିଭାଦିଏ ବ୍ରାହ୍ମଣ ହସ୍ତର ।

ବିବିଧ ପଦାର୍ଥମାନ ଯଉତୁକ ଦେଇ

ହାତୀ ଘୋଡ଼ା ଶତ ଶତ ଦାନ ଯେ କରଇ ।

ଯେତେବେଳେ ହସ୍ତଗଣ୍ଠି ପଡ଼େ ବେଦୀ ପର

ଶଙ୍ଖ ଚକ୍ର ଦୃଶ୍ୟ ହେଲା ରାଜାଙ୍କ ଚକ୍ଷୁର ।

ରାଜନ ଭାବଇ ଏତ ସାମାନ୍ୟ ନୁହଇ

ନିଶ୍ଚେ ବ୍ରହ୍ମାଣ୍ଡ ଠାକୁର ମାୟା କରିଛଇଁ ।

କନ୍ୟାଦ୍ୱୟଙ୍କୁ ସମର୍ପି ବୋଲେ ନରେଶ୍ବର

ଯେ ନିମନ୍ତେ କରିଥିଲି ମୁହିଁ ଏ ଫିକର ।

ଶରଣ ପଶିଲି ପାଦେ ମୋତେ ରକ୍ଷାକର

ତୋ ରମଣୀ ରଖିଥିଲି କେବଳ ମୋ ଘର ।

ଶ୍ରୀକୃଷ୍ଣ ବୋଲନ୍ତି କିମ୍ପା କୁହ ଅବିଚାର

ଆମ୍ଭେ ଗରିବ ବ୍ରାହ୍ମଣ ତୁମ୍ଭେ ନରେଶ୍ବର ।

ରାଜନ ବୋଲଇ କିମ୍ପା ଭୁଲାଉଛୁ ତୁହି

ଆଜି ବ୍ରହ୍ମାଣ୍ଡ କରତା ଅଟେ ମୋର ଜ୍ୱାଇଁ ।

ଶ୍ଵଶୁର ମୁଖ ଚାହିଁ ପ୍ରଭୁ ଦାମୋଦର

ଦରହସି ପାଦତଳେ କଲେ ନମସ୍କାର ।

କଥାବାର୍ତ୍ତା ହେଉ ହେଉ ଶୂନ୍ୟ ରହୁବର

ପ୍ରବେଶ ହୋଇଲା ଆସି ରାଜାଙ୍କ ନବର ।

ନନ୍ଦିଘୋଷ ଦେଖି ସର୍ବେ ଆନନ୍ଦ ହୋଇଲେ

ମାତା ପିତା ଦୁଇ କନ୍ୟା ଆଣି ସମର୍ପିଲେ ।

ବହୁପ୍ରକାର କୃଷ୍ଣଙ୍କୁ ବୁଝାଇ କହିଲେ

ସଖୀଗଣ ସହ ନନ୍ଦିଘୋଷ କନ୍ୟା ଗଲେ ।

ମହା ଆଡ଼ମ୍ବରେ ରଥ ଘେନିଣ ଶ୍ରୀହରି

ଯମୁନା କୂଳେ ସେଦିନ ବଞ୍ଚିଲେ ଶର୍ବରୀ ।

ଶ୍ରୀୟା ସତ୍ୟବତୀ ଦୁଇ ଘେନି ଦଇତ୍ୟାରି

ରାତ୍ରେ ଶୟନ କରିଲେ ନନ୍ଦିଘୋଷେ ହରି ।

ପ୍ରଭାତ ହୁଅନ୍ତେ ଯେ ଯା ନିତ୍ୟକର୍ମ ସାରି

ବାହାରନ୍ତେ ମନଯାନେ ନାରଦ ଉତୁରି ।

ଦେବର୍ଷିଙ୍କୁ ଦେଖି ଶ୍ରୀୟା ସତ୍ୟବତୀ ଦୁଇ

ପାଦତଳେ ପ୍ରଣିପାତ ହେଲେ ହର୍ଷ ହୋଇ ।

କଲ୍ୟାଣ କଲେ ସାନନ୍ଦେ ତାଙ୍କୁ ମୁନିବର

ଶୀକୃଷ୍ଣ ବୋଇଲେ ଏକ ଜରୁରୀ ଖବର ।

ବେଣୀ ଗଙ୍ଗା ନିକଟରେ ଭୂପାଳ ନଗର

ତ୍ରିବେଣୀ ନଦୀ ସେଠାରେ ବହେ ଧାରଧାର ।

ଏକ ଶମ୍ଭୁ ଲିଙ୍ଗ ସେ ସ୍ଥାନରେ ଛନ୍ତି ରହି

ଅନନ୍ତ କଳପବଟ ତହିଁ ବିରାଜଇ ।

ଅଙ୍ଗିରା ଋଷିଙ୍କର ଯେ ଅଟେ ତପସ୍ଥାନ

ସେହିଠାରେ ବର ନେଲା ଯେ ଇନ୍ଦ୍ର ରାଜନ ।

ଅତି ପବିତ୍ର ସ୍ଥାନ ଯେ ସେ ଜାଗା ଅଟଇ

ଜନ ମନୁଷ୍ୟ ଛାୟା ସେ ସ୍ଥାନେ ନ ପଡ଼ଇ ।

ରୋଗ ଶୋକ ଜରା ମୋହ ସେ ସ୍ଥାନରେ ନାହିଁ

ସବୁଦିନେ ନର ଥାଏ ଯୁବାବସ୍ଥା ବହି ।

ପ୍ରତିଦିନ ସୁଲୁ ସୁଲୁ ବସନ୍ତ ବହଇ

ଅଦିନରେ ସେ ସୁମିଷ୍ଟ ଫଳ ପାଚିଥାଇ ।

ଅନନ୍ତ କାଳରୁ ଏକ ଗଡ଼ ଅଛି ରହି

ଇନ୍ଦ୍ର ଚନ୍ଦ୍ର ଆଦିତ୍ୟଙ୍କ କନ୍ୟା ଛନ୍ତି ରହି ।

ଶିବଙ୍କୁ ସେବିଣ କନ୍ୟା ପାଇଛନ୍ତି ବର

ବିଷ୍ଣୁ ବିନେ ନ ଛୁଇଁବେ ଶରୀର କାହାର ।

ବର ଦେଇଛନ୍ତି ତାଙ୍କୁ ଦେବ ଶୂଳଧର

ଦ୍ୱାରକାରେ ଜନମିବେ ପ୍ରଭୁ ଚକ୍ରଧର ।

ତେଣୁ କେତେ ଯୁଗ ହେଲା ତୁମକୁ ଅନାଇ

କୁମାରୀ ରୂପରେ ଥିଲେ କନ୍ୟାମାନେ ରହି ।

ଏବେ ନିକଟରେ ହୋଇଛନ୍ତି ରଜୋବତୀ

ନ ଚାହାଁନ୍ତି କା ବଦନ ସେହୁ ମହାସତୀ ।

ସୁବର୍ଣ୍ଣ ମେଢ ଉପରେ ଛନ୍ତି ବିଜେକରି

ଶତ ଶତ ଦାସୀ ପାଦେ ଖଟନ୍ତି ତାଙ୍କରି ।

ସମସ୍ତେ ଅଟନ୍ତି ଯୁବା ବୃଦ୍ଧା କେ ନୁହଁଇ

ତିନି କନ୍ୟା ଏକୁ ଏକ ବଳି ଶୋଭା ପାଇ ।

କାମଧେନୁ ତାହାଙ୍କୁ ଯେ ଯୋଗାଏ ଆହାର

ଯାହା ଲୋଡ଼ା ହୁଏ ଖଞ୍ଜି ଦିଅଇ ପାଶର ।

କାଳିନ୍ଦୀ କମଳା ଆଉ ତୁଳସୀ ଏ ତିନି

ସାକ୍ଷାତ ଲକ୍ଷ୍ମୀ ସ୍ୱରୂପା ଅଟନ୍ତି କାମିନୀ ।

ମୋର ବୋଲ ମାନି ପ୍ରଭୁ ନିଅ ରହୁବର

ମାତା ଲକ୍ଷ୍ମୀଦେବୀ ଦୁଇ ଯାଆନ୍ତୁ ସଙ୍ଗର ।

ଶୁଣିଣ ଆନନ୍ଦ ହେଲେ ଶ୍ରୀୟା ସତ୍ୟବତୀ

ପ୍ରଭୁଙ୍କୁ ବୋଇଲେ ଚାଲ ଯିବା ତାଙ୍କ କତି ।

ସେ ଭଉଣୀମାନଙ୍କୁ ଯେ ଯିବା ସଙ୍ଗେ ନେଇ

ଏକା ସଙ୍ଗରେ ଚଳିବୁ ଆମ୍ଭେ ସାଥି ହୋଇ ।

ଶୁଣିଣ ପ୍ରିୟାଙ୍କ ବାଣୀ ପ୍ରଭୁ ଚକ୍ରଧର

ବସାଇଣ ଦେବର୍ଷିଙ୍କୁ ଚଳିଲେ ସତ୍ଵର ।

ତ୍ରିବେଣୀ ନିକଟେ ଯାଇ ମିଳିଲେ ଶ୍ରୀହରି

ପ୍ରିୟା ଦ୍ବୟଙ୍କୁ ବୁଝାନ୍ତି ପ୍ରଭୁ ନରହରି ।

ଦେଖ ସହି ଏହି ସ୍ଥାନ ପବିତ୍ର ଅଟଇ

ଗଙ୍ଗା ଯମୁନା ଯେ ସରସ୍ୱତୀ ଯାନ୍ତି ବହି ।

ଏ ଜଳରେ ଥରେ ମାତ୍ର ସ୍ନାନକଲେ ନର

ଅଶେଷ ପାତକ ନାଶି ବସେ ବୈକୁଣ୍ଠର ।

ଗୋହତ୍ୟା ବ୍ରାହ୍ମଣହତ୍ୟା କରିଥିଲେ ନର

ସ୍ନାନକଲେ କିଛି ପାପ ନ ରୁହେ ଶରୀର ।

ପ୍ରଭୁଙ୍କ ବଚନ ଶୁଣି ଶ୍ରୀୟା ସତ୍ୟବତୀ

ସ୍ନାହାନ କରିବା ପାଇଁ ବାହାରିଲେ ସତୀ ।

ସର୍ବେ ସ୍ନାହାନ କରିଣ କୂଳକୁ ଆସିଲେ

କଳ୍ପବଟମୂଳେ ଶମ୍ଭୁ ଲିଙ୍ଗକୁ ପୂଜିଲେ ।

ଗେଲେଇ ଗେଲେଇ ପ୍ରଭୁ ବାମାଙ୍କୁ କହନ୍ତି

ଶିବଙ୍କୁ ମାଗ ସୁପୁତ୍ର ଦେବେ ସେ ଝଟତି ।

ଲାଜେ ବଦନ ପୋତିଲେ ପ୍ରଭୁଙ୍କ ଘରଣୀ

ବୋଲନ୍ତି ଆମ୍ଭଙ୍କୁ ପୁତ୍ର ଦେବେ ଚକ୍ରପାଣି ।

ହରଷରେ ହରି ପୂଜି ବାହାର ହୋଇଲେ

ଅଙ୍ଗିରା ତପୋବନରେ ଯାଇଣ ମିଳିଲେ ।

ଦେଖିଲେ ସେ ବନ ଶୋଭା ଅତି ମନୋହର

ଦିବ୍ୟ ସୁରମ ଗଡ଼େକ ଅଛି ତା ମଧ୍ୟର ।

ଭିତରକୁ ଯିବା ପାଇଁ ମୋଟେ ଦ୍ୱାର ନାହିଁ

ବିରାଟ ପଥରମାନ ଅଛି ଘେରି ହୋଇ ।

ତେଣୁ ମହାପ୍ରଭୁ ମନେ କରନ୍ତି ବିଚାର

ଭାଙ୍ଗିଣ ପଥର ଯିବା ଏ ଗଡ଼ ଭିତର ।

ଏତେ ପାଞ୍ଚ ସାରଙ୍ଗ ଧନୁରେ ଗୁଣ ଦେଇ

ବିରାଟ ପ୍ରାଚୀର ଭାଙ୍ଗିଦେଲେ ଭାବଗ୍ରାହୀ ।

ଭିତରକୁ ରହୁବର ଘେନିଣ ଚଳିଲେ

ନନ୍ଦନ କାନନ ପରି ଶୋଭା ସେ ଦେଖିଲେ ।

ଆବର ଦେଖିଲେ ଦିବ୍ୟ ମେଢ଼େକ ଅଛଇ

ମଘବାନ ପୁରଠାରୁ ବଳି ଶୋଭା ପାଇ ।

ସ୍ବୟଂ ବିଶ୍ୱକର୍ମା ହସ୍ତେ କରିଛି ତିଆର

ଆନନ୍ଦରେ ବିରାଜନ୍ତି କନ୍ୟା ତା ଉପର ।

ଝଟ ଝଟ ହୋଇ ରୂପ ଚହଟି ଉଠଇ

ସେବାରେ ଅସଂଖୃ ସଖୀ ଖଟିଥାନ୍ତି ତହିଁ ।

ଯହୁଁ ରହୁବର ଗଡ଼ ମଧ୍ୟରେ ପଶିଲା

ସଖୀମାନଙ୍କ ମନରେ ସନ୍ଦେହ ହୋଇଲା ।

କାଳିନ୍ଦୀ ବୋଲନ୍ତି କମଳାର ମୁଖ ଚାହିଁ

ଅଘଟଣ କଥା ସଖୀ ଆଜ ଦେଖିଲଇଁ ।

ପୂର୍ବେ ଅଭିଶାପ ଅଛି ବିଷ୍ଣୁଙ୍କ ବ୍ୟତୀତ

ଆନ ଜନ ପ୍ରବେଶିଲେ ହେବ ଭସ୍ମସାତ ।

ତୁଳସୀ ବୋଲଇ ସଖୀ ଶୁଣ ମୋ ଉତ୍ତର

ନିଶ୍ଚୟ ହେବେ ଗୋ ସହି ଆମ୍ଭର ଠାକୁର ।

ଆସୁଛନ୍ତି ସ୍ଵାମୀ ଆମ୍ଭମାନଙ୍କୁ ଗୋ ନେବେ

ରଥରେ ବିଜେ କରିବେ ଶୁଣିଛି ମୁଁ ପୂର୍ବେ ।

ଏହିପରି କନ୍ୟାମାନେ ହୋନ୍ତି କୁହାକୁହି

ଘନ ଘନ ହୋଇ ବାମ ନୟନ ସ୍ଫୁରଇ ।

ମିଳିଲାକ ନନ୍ଦିଘୋଷ ପବନହୁଁ ଖରେ

ସ୍ୱୟଂ ନାରାୟଣ ଶୋଭା ପାଆନ୍ତି ରଥରେ ।

ରଥରୁ ଓହ୍ଲାଇ ପ୍ରଭୁ ଜଗତ ଠାକୁର

ବୋଲନ୍ତି କିମ୍ପାଇ ତୁମ୍ଭେ ଏ ସ୍ଥାନେ ବିହର ।

ସହଜେ ତ ନବଯୁବା ତେଜ ଅନଗଳ

କାହାର ଘରଣୀ ତୁମ୍ଭେ ରହିଛ ଏ ସ୍ଥଳ ।

ଶଙ୍ଖ ଚକ୍ର ଗଦା ପଦ୍ମ କନ୍ୟାକୁ ଦିଶଇ

ଅପୂର୍ବ ତେଜ ପ୍ରଭୁଙ୍କ ଦେହୁ ବିକାଶଇ ।

ଏକାବେଳେ କନ୍ୟାମାନେ ମେଢ଼ରୁ ଓହ୍ଲାଇ

ବୋଲନ୍ତି ଆମ୍ଭର ପତି ପ୍ରଭୁ ଭାବଗ୍ରାହୀ ।

ଦ୍ବାରକା ଠାକୁରଙ୍କର ଅଟୁ ଆମ୍ଭେ ନାରୀ

କିଏ ତୁମ୍ଭ ନାରୀ ଚୋର କହ ହେ ବିସ୍ତାରି ।

ଠାକୁର ବୋଲନ୍ତି ଯଦି ଚୋର ଅଟେ ମୁହିଁ

ତା ହେଲେ ତୁମ୍ଭମାନଙ୍କୁ ନେବି ମୁଁ ଚୋରାଇ ।

କନ୍ୟାଏ ବୋଲନ୍ତି ଏଡ଼େ ସାହସ କାହାର

ଏକା ଜଣେ ବିନୁ କିଏ କହନ୍ତା ଏ ଗୀର ।

ଚୋରି କରି ନେବା ତବ ଉଚିତ ନୁହଇଁ

ସ୍ଵଇଚ୍ଛାରେ ଯିବୁ ଆମ୍ଭେ ତୁମ୍ଭ ପଛେ ଧାଇଁ ।

ଏହି ସମୟେ ମାତଳି ଘେନି ରହୁବର

ପହଞ୍ଚି ବୋଲଇ ପ୍ରଭୁ ଦଣ୍ଡେ ସ୍ଥିର ଧର ।

ବିଭା ଉପଚାର ଘେନି ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ର

ଆସୁଛନ୍ତି କନ୍ୟା ବିଭା ଦେବେହେଁ ଗୋବିନ୍ଦ ।

କନ୍ୟାମାନଙ୍କ ଆନନ୍ଦ କେ ପାରିବ କହି

ଶ୍ରୀୟା ସତ୍ୟବତୀ କର ଧରି ଗଲେ ନେଇ ।

ପାଞ୍ଚକନ୍ୟା ଏକା ଭଳି ଦିଶନ୍ତି ସୁନ୍ଦରୀ

ସମସ୍ତେ ଯେ ଛନ୍ତି ଲକ୍ଷ୍ମୀ ଅଂଶେ ଅବତାରୀ ।

ଉଭା ହୋଇଛନ୍ତି ପାଞ୍ଚକନ୍ୟା ପାଶେ ହରି

ସମସ୍ତେ ଜାଣନ୍ତି ପାଶେ ଏକ ଏକ ହରି ।

ଏକ କନ୍ୟା ପାଶେ ଏକ କୃଷ୍ଣ ଶୋଭା ପାନ୍ତି

ସବୁ ନାରୀ ଏ ଯୁଗଳ ଅଙ୍ଗ ହୋଇଛନ୍ତି ।

ଜଣେ ଜଣେ ଗରବ ଯେ କରନ୍ତି ଅପାର

ମୋତେ ଭଲ ପାଇଛନ୍ତି ପ୍ରଭୁ ଚକ୍ରଧର ।

ଏ ସମୟେ କନ୍ୟାପିତା ପ୍ରବେଶ ହୋଇଲେ

ସବୁ କନ୍ୟାଙ୍କ ପାଶରେ ଶ୍ରୀକୃଷ୍ଣ ଦେଖିଲେ ।

ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ମନେ ଆନନ୍ଦ ଅପାର

ରଥେ ଭରି ଆଣିଛନ୍ତି ବିବିଧ ସମ୍ଭାର ।

ତେତିଶି କୋଟି ଦେବତାଗଣ ସଙ୍ଗକରି

ଧାତା ପ୍ରବେଶ ହୋଇଲେ ସମସ୍ତଙ୍କୁ ଧରି ।

ସ୍ଵୟଂ ଗୁରୁ ବୃହସ୍ପତି ପୁରୋଧା ହୋଇଲେ

ଚତୁଃମୁଖେ ଧାତା ବେଦମନ୍ତ୍ର ଉଚ୍ଚାରିଲେ ।

ବିଭା ଶେଷେ ବହୁ ରତ୍ନ ଯଉତୁକ ଦେଇ

କନ୍ୟା ଦାନକଲେ କର୍ତ୍ତା ହରଷ ଯେ ହୋଇ ।

ମିଷ୍ଟାନ୍ନ ଭୋଜନମାନ ଦେବତାଙ୍କୁ ଦେଲେ

ତୃଣ ଅମୃତ ଦ୍ରବ୍ୟ ସନ୍ତୋଷ ହୋଇଲେ ।

ଝିଅମାନଙ୍କର ଯେତେ ଧନ ଦରକାର

ସାରାଜୀବନ ନିମନ୍ତେ ଦିଅନ୍ତି ପିଅର ।

ଆନନ୍ଦରେ ପିତାମାତା ପାଶୁ କନ୍ୟାଗଣ

ବିଦାୟ ଘେନି ଚଳିଲେ ହରଷ ହୋଇଣ ।

ଶ୍ରୀହରି କନ୍ୟାମାନଙ୍କୁ ଘେନିଣ ଚଳନ୍ତି

ଏକ କନ୍ୟା ଏକ କୃଷ୍ଣ ସରବେ ଦେଖନ୍ତି ।

ଧନ୍ୟ ଧନ୍ୟ ଭାଗ୍ୟ ଅଟେ କନ୍ୟା ତିନିଙ୍କର

ସ୍ଵାମୀପଣେ ପାଇଲେ ଯେ ବ୍ରହ୍ମାଣ୍ଡଠାକୁର ।

ବିଧାତା ବୋଲନ୍ତି ସେ ଯେ ନୁହନ୍ତି ସାମାନ୍ୟ

ସ୍ଵୟଂ ମହାଲକ୍ଷ୍ମୀ ହୋଇଥିଲେ ଅବତୀର୍ଣ୍ଣ ।

ଅଷ୍ଟକନ୍ୟା ଅଷ୍ଟ ପାଟବଂଶୀ ଯେ ଅଟନ୍ତି

ରୁକ୍ମିଣୀ କମଳା ଶ୍ରୀୟା ପୁଣି ସତ୍ୟବତୀ ।

କାଳିନ୍ଦୀ-ତୁଳସୀ-ସତ୍ୟଭାମା-ଜମ୍ବୁବତୀ

ଏହି ଅଷ୍ଟକନ୍ୟା ଶ୍ରେଷ୍ଠା ନାରୀ ଯେ ଅଟନ୍ତି ।

ଆଉ ଶତ ଶତ କନ୍ୟା ବିଭା ହେବେ ହରି

ଏମାନଙ୍କ ସଙ୍ଗତରେ ନୋହିବେ ଯେ ସରି ।

ଅନ୍ୟ କନ୍ୟାମାନେ ପାଦ ସେବିବେ ୟାଙ୍କର

ଏ ସାତଜଣ ସେବିବେ ରୁକ୍ମିଣୀ ପୟର ।

ଏହିପରି କୁହାକୁହି ହୋଇ ସର୍ବ ଦେବ

ବାଟ ବଳାଇଲେ ଆସି ପ୍ରଭୁଙ୍କୁ ସରବ ।

କନ୍ୟା ପିତା ମାତା ଶ୍ରୀକୃଷ୍ଣଙ୍କ କର ଧରି

ବୋଲନ୍ତି ଏମାନେ ଅଟନ୍ତି ଯେ ସୁକୁମାରୀ ।

ଜୀବନରେ ଦୁଃଖ କ‘ଣ ଏ ଭୋଗି ନାହାନ୍ତି

ପାଦେ ଦୋଷ କଲେ କ୍ଷମା ଦେବେ ଶିରୀପତି

ହସି ହସି ବୋଲନ୍ତି ଯେ ପ୍ରଭୁ ଚକ୍ରଧର

ତ୍ରୁଟି ଦେଖିଲେ କନ୍ୟାଙ୍କୁ ଦଣ୍ଡିବି ତୁମ୍ଭର ।

ଶାଶୁଏ ବୋଲନ୍ତି ଯାହା କର ଭାବଗ୍ରାହୀ

ତିନିଯୁଗ ହେଲା ତବ ଲାଗି ଛନ୍ତି ଚାହିଁ ।

ପ୍ରଭୁ ବୋଲନ୍ତି ଆମ୍ଭଙ୍କୁ ହେଉଅଛି ଡେରି

ଗଲେ ଘୋଷଯାତ୍ରା ସାରି ଗୃହେ ଯିବୁ ଫେରି ।

ୟା ଶୁଣି ସକଳ ଦେବ ବିଦାୟ ହୋଇଲେ

ପାଞ୍ଚ କନ୍ୟାଙ୍କୁ ଘେନିଣ ଶ୍ରୀହରି ବସିଲେ ।

ମଧ୍ୟେ ବିଜେ ଚକ୍ରଧର ଚଉପାଶେ ନାରୀ

ଏକ କୃଷ୍ଣ ଏକ କନ୍ୟା ଛନ୍ତି କୋଳେ ଧରି ।

ସମସ୍ତେ ବୋଲନ୍ତି ପ୍ରଭୁ ଅଟନ୍ତି ମୋହର

ଏହି ରୂପେ କନ୍ୟା ମନ ମୋହିଲେ ଠାକୁର ।

କନ୍ୟାମାନଙ୍କ ଆନନ୍ଦ କେ ପାରିବ କହି

ସ୍ୱୟଂ ଜଗନ୍ନାଥ ବକ୍ଷେ ଛନ୍ତି ଆଉଜାଇ ।

ଗୋଲାପ ଅଧରେ ପ୍ରଭୁ ଦିଅନ୍ତି ଚୁମ୍ବନ

ଲାଜଭରେ କନ୍ୟାମାନେ ବୁଜିଲେ ନୟନ ।

ରଥ ମଧ୍ୟେ ଅନ୍ୟ ଯେତେ ଜନ ବସିଥାନ୍ତି

ଚର୍ମ ନୟନରେ ଏହା କେହି ନ ଜାଣନ୍ତି ।

ତପକରି ଯାର ଅନ୍ତ ନ ପାନ୍ତି ଶଙ୍କର

ନରଦେହେ ବୁଝିବେ ବା କାହୁଁ ଏ ବେଭାର ।

ପବନହୁଁ ଖରେ ଶୂନ୍ୟେ ରହୁବର ଯାଇ

ରେବତ ପର୍ବତେ ସର୍ବେ ପଡ଼ିଲେ ଓହ୍ଲାଇ ।

ନନ୍ଦିଘୋଷ ଦେଖିଣ ଯାଦବେ ହେଲେ ଠୁଳ

କନ୍ୟା ଦର୍ଶନ ନିମନ୍ତେ ହୁଅନ୍ତି ବିକଳ ।

ରଥପରୁ ପଞ୍ଚକନ୍ୟା ବନ୍ଦାପନା କରି

ହୁଳହୁଳି ଦେଇ ନ୍ୟନ୍ତି ଦ୍ଵାରକାର ନାରୀ ।

ଯହୁଁ କନ୍ୟାମାନେ ପୁର ମଧ୍ୟେ ପ୍ରବେଶିଲେ

ଶାଶୁ ଆଈ ଶାଶୁଙ୍କର ଚରଣେ ନମିଲେ ।

ବଧୂଙ୍କୁ ଦେଖି ଦେବକୀ ଆନନ୍ଦ ହୋଇଲେ

ସଭିଙ୍କୁ କୋଳରେ ଧରି କଲ୍ୟାଣ କରିଲେ ।

ଗୁରୁଜନଙ୍କୁ ବଧୂଏ ନମସ୍କାର କରି

ରୁକ୍ମିଣୀ ଦେବୀଙ୍କ ପୁରେ ମିଳିଲେ ସୁନ୍ଦରୀ ।

ଏକେ ଏକେ ହୋଇ ସର୍ବ କନ୍ୟାଗଣ ଯାଇ

ଜ୍ୟେଷ୍ଠା ପାଟରାଣୀ ପାଦେ ନିଉଛାଳି ହୋଇ

ସେ ତ ସାକ୍ଷାତରେ ଲକ୍ଷ୍ମୀ ରୁକ୍ମିଣୀ ଅଟନ୍ତି

ଅନ୍ୟ ନୀଚନାରୀ ପରି ନ ଭାବିଲେ ସତୀ ।

ସପତଣୀ ଭାବ ତିଳେ ତାଙ୍କ ମନେ ନାହିଁ

ଜାଣନ୍ତି ଦେବୀ ମୋ ପତି ଜଗତ ଗୋସାଇଁ ।

ମୋର ବିନୁ କଦା ଅନ୍ୟ ଅଙ୍ଗ ନ ଛୁଇଁବେ

ଲୋକ ଦେଖାଣିଆ ମାତ୍ର ଖେଳ ଭିଆଇବେ ।

ସହଜେ ପଣ୍ଡିତ ସର୍ବ ଗୁଣେ ଅଳଂକୃତ

ସ୍ନେହେ ସମସ୍ତ କନ୍ୟାଙ୍କୁ କଲେ କୋଳାଗ୍ରତ ।

ଦେଖି ଯଦୁବଂଶ ନାରୀ ହୋଇଲେ ଚକିତ

ଭାବନ୍ତି ସପତ୍ନୀ ଭାବ ତିଳେ ୟା ନାହିଁତ ।

ଆଶୀର୍ବାଦ କରି ପାଞ୍ଚ କନ୍ୟାଙ୍କୁ ସୁନ୍ଦରୀ

କୋଳେ ବସାଇଣ ସ୍ନେହେ ଦାସୀକୁ ହକାରି ।

ବୋଲନ୍ତି ଶୁଣ ହେ ଦାସୀ ମୋହର ଉତ୍ତର

ଭଉଣୀମାନେ ହେବେଣି କ୍ଷୁଧାରେ ଆତୁର ।

ଲଜ୍ୟାରେ ମୁହଁ ଫିଟାଇ କିଛି ନ କହନ୍ତି

ବଡ଼ ଅଲ୍ୟଳୀ ଦୁଲାଳୀ ଏମାନେ ଅଟନ୍ତି ।

କେତେ ବଡ଼ ରାଜାଙ୍କର ଅଟନ୍ତି ନନ୍ଦିନୀ

ପିତା ମାତାଙ୍କର ସ୍ନେହ ସହଜେ ତୁଟେନି ।

ନୂଆ ଆସିଛନ୍ତି ବୋଲି ଲାଜେ ନ କହନ୍ତି

ଦେଖ ମଉଳି ଗଲାଣି ଚନ୍ଦ୍ରମୁଖ କାନ୍ତି ।

ଯେତେ ମତେ କନ୍ୟାମାନେ କଲେ ନାହିଁ ନାହିଁ

ରୁକ୍ମିଣୀ ବୋଲନ୍ତି ଦେଖ ଜ୍ୟେଷ୍ଠା ମୁଁ ଅଟଇ ।

ବଡ଼ ଭଉଣୀର ଯଦି ବୋଲ ନ ମାନିବ

ଜାଣିବି ମୋଠାରେ ତବ ସ୍ନେହ ନାହିଁ ଲବ।

ଆଶ୍ବାସନା ଗୀର ଦେବୀଠାରୁ କନ୍ୟା ଶୁଣି

ଭାବନ୍ତି ସାକ୍ଷାତ ଏହି ଅଟେ କମଳିନୀ ।

ଜନ୍ମକଲା ମାତାମାନେ ଦିନେ ଏହିପରି

ମନର ବେଦନା ବୁଝି ନାହାନ୍ତି ଆମ୍ଭରି ।

ବାଧ୍ୟହୋଇ କନ୍ୟାମାନେ ସନମତ କଲେ

ରୁକ୍ମିଣୀ ଦେବୀ ସଙ୍ଗରେ ବସିଣ ଭୁଞ୍ଜିଲେ ।

ସବୁ ନାରୀଏ ପୂଜନ୍ତି ରୁକ୍ମିଣୀ ପୟର

ଦେଖିଣ ଏ ଭୀତି ଖୁସି ହେଲେ ଚକ୍ରଧର ।

ଦେବୀଙ୍କୁ ବୋଲନ୍ତି ୟାଙ୍କ ଭାର ତୁମ ପର

ରହିଲା ଏମାନେ ସାନ ଭଉଣୀ ତୁମ୍ଭର ।

ଦେବୀ ନିକଟେ ଦିବସେ କନ୍ୟାଏ ରହିଲେ

ରୁକ୍ମିଣୀ ରାତ୍ରେ ସଭିଙ୍କ ଘର ସଜାଇଲେ ।

ପ୍ରତ୍ୟେକ କନ୍ୟାଙ୍କ ଲାଗି ଏକ ଏକ ପୁର

ଦାସୀପରିବାରୀ ଖଞ୍ଜି ଦେଲେ ଯେ ସେବାର ।

ବିଶ୍ଵକର୍ମାର ନିର୍ମାଣ ସେ ପୁର ଅଟଇ

ଅଳକା ଭବନଠାରୁ ଶୋଭା ପ୍ରକାଶଇ ।

ଦାସୀଙ୍କୁ ରୁକ୍ମିଣୀ ଦେବୀ କହନ୍ତି ତିଆରି

ଯାହାର ଯା ଲୋଡ଼ା ପାଶୁ ନେବହେ ମୋହରି

ସେହି ପୁରର ଶୋଭାକୁ ଦେଖି ସର୍ବନାରୀ

ଭାବନ୍ତି ଆମ୍ଭ ସମାନ ନାହିଁ କେ ତ୍ରିପୁରୀ ।

ସାକ୍ଷାତ ବୈକୁଣ୍ଠପୁର ସର୍ବେ ଲକ୍ଷ୍ମୀ ଥାନ୍ତି

ପିତା ଘରଠାରୁ ଶୋଭା ସେ ପୁର ଦିଶନ୍ତି ।

ସଭିଙ୍କ ମନ ହରଷ ତିଳେ ଦୁଃଖ ନାହିଁ

ସେ ପୁରେ ରତି ମଦନ ଅଛନ୍ତି ଯେ ରହି ।

ସେହି ପୁରେ ମଧ୍ୟ ସୁନ୍ଦରୀଟି ରହି ଥାନ୍ତି

ରାତ୍ରେ ସଭିଙ୍କ ପୁରରେ ବିଜୟ ଶ୍ରୀପତି ।

ପ୍ରତ୍ୟେକ ରମଣୀ ପାଶେ ଏକା ଏକା ହରି

କନ୍ୟାମାନଙ୍କ ମନକୁ ମୋହିଲେ ଶ୍ରୀହରି ।

ସର୍ବ କନ୍ୟାଏ ସେବନ୍ତି ସ୍ୱାମୀଙ୍କ ପୟର

ଏକା ରୂପେ ସବୁଠାରେ ବିଜୟ ଶ୍ରୀଧର ।

ସଭିଙ୍କ ମନ ତୋଷନ୍ତି ପ୍ରଭୁ ଦଇତାରି

ହାସ୍ୟ ପରିହାସେ ନିଶି ପୁହାନ୍ତି ଶ୍ରୀହରି ।

ଅପୂର୍ବ ଚରିତ ଏହି ଶ୍ରୀକୃଷ୍ଣଙ୍କ ରସ

ଶୁଣିଲେ ସକଳ ପାପ ହୋଇଯାଏ ଧ୍ୱଂସ ।

ସୁଜ୍ଞଜନମାନେ ମୋ ଦୋଷ ନ ଧରିବ

ତ୍ରୁଟି ଥିଲେ ଅପାର ଗୁଣରେ କ୍ଷମା ଦେବ ।

ପଞ୍ଚକନ୍ୟାଙ୍କର ବିଭା ହୋଇଗଲା ଶେଷ

ଏହାପରେ ଯାହା ହେବ କରିବି ପ୍ରକାଶ ।

ଆଉ ଦୁଇ କନ୍ୟା ବିଭା ହୋଇବେ ଶ୍ରୀହରି

ଜମ୍ବୁବତୀ ସତ୍ୟଭାମା ସହ ଅଷ୍ଟ ନାରୀ ।

ମଣି ହରଣ ବିଷୟ ହରଣ ବ୍ୟାଖ୍ୟାନ

ସନ୍ତୋଷ ହୋଇଣ ତୁମ୍ଭେ ଶୁଣ ସାଧୁଜନ ।

ଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମେ ସ୍ମରି

ଯାହା ପାଇଛି ଲେଖିଛି ମୁଁ ଲେଖନୀ ଧରି ।

ବିଶେଷତ ବୁଦ୍ଧି ବିଦ୍ୟା ମୋହର ଯେ ନାହିଁ

ଶ୍ରୀଗୁରୁ ଦୟାରୁ ଏହି ଗ୍ରନ୍ଥ ଯେ ଲେଖଇ ।

ଚିତ୍ତବୋଧ କୃଷ୍ଣରସ ଅଟେ ରସ ଶିରୀ

ପାନକଲା ଲୋକେ ଖୋଜେ ଆହୁରି ଆହୁରି ।

ଯାର ମାୟା ବ୍ରହ୍ମା ଶିବେ ସଦା ଅଗୋଚର

ତାହାର ମହିମା ମୁଁ ବର୍ଣ୍ଣିବି ବା ଛାର ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନ

ଚିତ୍ତବୋଧଲେଖେ କ୍ଷେତ୍ରମୋହନ ପ୍ରଧାନ ।

 

ସ୍ୟମନ୍ତକ ମଣି ଉପାଖ୍ୟାନ ଓ ଜମ୍ବୁବତୀ, ସତ୍ୟଭାମା ବିବାହ

ଶୁଣ ହେ ପଣ୍ଡିତ ଜନ ମନେ ହୋଇ ତୋଷ

ଷଡ଼ ପାଟବଂଶୀ ବିଭା ହୋଇଗଲା ଶେଷ ।

ଅଷ୍ଟପାଟବଂଶୀ ମଧ୍ୟୁ ଆଉ ଛନ୍ତି ଦୁଇ

ଜମ୍ବୁବତୀ ସତ୍ୟଭାମା ବିଭା କହିବଇଁ ।

ଆବର ଯା ସ୍ୟମନ୍ତକ ମଣିର ବିଧାନ

ମଣିର ପୂର୍ବ ବୃତ୍ତାନ୍ତ କେଉଁଠି ଉତ୍ପନ୍ନ ।

ବୁଝାଇ ଦେଉଛି ମୁହିଁ ଠିକେ ଠିକେ କହି

ଯଦୁବୀର ପୁତ୍ର ଶକ୍ରାଜିତ ଯେ ଅଟଇ ।

ବଡ଼ ଧର୍ମବନ୍ତ ସତ୍ୟବ୍ରତ ଯେ ଅଟଇ

ତାର ଦୁଇଗୋଟି ପୁତ୍ର କନ୍ୟା ଏକ ଥାଇ ।

କାଶୀ କାଞ୍ଚନ ଯେ ନାମ ପୁତ୍ର ଦୁହିଁଙ୍କର

କନ୍ୟା ନାମ ସତ୍ୟଭାମା ବଡ଼ଇ ସୁନ୍ଦର ।

ତାର କନିଷ୍ଠ ଅନୁଜ ଶକ୍ରାଜିତ ବୀର

ଦୁଇଭାଇ ବୀରପଣେ ମହାଧୁରନ୍ଧର ।

ବାଲ୍ୟକାଳୁ ଶକ୍ରାଜିତ ଆଦିତ୍ୟ ପୂଜଇ

କୋଣାର୍କେ ଦ୍ଵାଦଶ ବର୍ଷ ତପ କଲା ଯାଇ ।

ତା ତପେ ସନ୍ତୁଷ୍ଟ ହୋଇ ଦେବ ଦିବାକର

ବୋଇଲେ ପ୍ରସନ୍ନ ହେଲି ମାଗ ଇଚ୍ଛାବର ।

ଆଦିତ୍ୟଙ୍କ ଦରଶନ ଲାଗି ଶକ୍ରାଜିତ

ଭୁଲି ଯାଇ ଆତ୍ମାଜ୍ଞାନେ ପାଦେ ଦେଲା ଚିତ୍ତ ।

ତାହାର ତପେ ସନ୍ତୁଷ୍ଟ ହୋଇ ଦିବାକର

କଣ୍ଠୁ ହାର କାଢ଼ି ଦେଲେ ତାହାରୁ ହସ୍ତର ।

ବୋଇଲେରେ ବାବୁ ଗୁପ୍ତେ ଏ ମଣି ରଖିବୁ

ତୋର ଯାହା ଲୋଡ଼ା ଏହି ପ୍ରସାଦେ ପାଇବୁ ।

କେବଣ ଜଣଙ୍କୁ ମଣି ଗୋଟି ଦେବୁ ନାହିଁ

ଏ ମଣିର ଗୁଣ ତୋତେ ଦେଉଛି ବୁଝାଇ ।

ଯେତେବେଳେ ଏ ପୃଥିବୀ ସର୍ଜନା ହୋଇଲା

ମୋର ମାତା ମସ୍ତକରେ ଏହି ମଣି ଥିଲା ।

ବ୍ରହ୍ମାଙ୍କ କରରେ ମଣି ଦେଲେ ମୋ ଜନନୀ

ଧାତା ଦେବ ପୋଥି ସହ ଏ ମଣିକୁ ଘେନି

କୂଳରେ ରଖିଣ ସ୍ନାନ ତର୍ପଣ କରିଲେ

ଚକ୍ଷୁ ମୁଦି ଜଳେ ନିରାକାରଙ୍କୁ ଧ୍ୟାଇଲେ ।

ଏସନ ସମୟେ ଆସି ଦୁଷ୍ଟା ଶଙ୍ଖାସୁର

ଦେବ ପୋଥି ସହ ମଣି ରଖିଲା ଅସୁର ।

ନିତ୍ୟ କର୍ମ ସାରି ଧାତା କୂଳକୁ ଆସିଲେ

ମଣି ପୋଥି ନ ଦେଖିଣ ବିଷ୍ଣୁଙ୍କୁ କହିଲେ ।

ଅନନ୍ତ ମୂରତି ସ୍ୱାମୀ ପ୍ରଭୁ ଚକ୍ରଧର

ମତ୍ସ୍ୟ ଅବତାର ହୋଇ ବୁଡ଼ିଲେ ଜଳର ।

ସପତ ସମୁଦ୍ର କ୍ଷଣେ ପ୍ରଦକ୍ଷିଣ କରି

ଶଙ୍ଖାସୁର ବେଦ ଚୋର ଦଇତ ସଂହାରି ।

ବେଦ ପୋଥିଗୋଟି ଆଣି ବ୍ରହ୍ମା କରେ ଦେଲେ

ମଣି ବଡ଼ବାଅନଳେ ନେଇଣ ରଖିଲେ ।

ଅଥଳ ସମୁଦ୍ର ମଧ୍ୟେ ମଣି ଥିଲା ରହି

ସମୁଦ୍ର ମନ୍ଥନ ବେଳେ ଦେବାସୁର ପାଇ ।

ଅନେକ ସମ୍ପଦ ପାଇ ଯେ ଯାହାରେ ନେଲେ

ଏ ମଣି ଗୋଟି ଶ୍ରଦ୍ଧାରେ ଆମ୍ଭଙ୍କୁ ଯେ ଦେଲେ

ସେହି ଦିନଠାରୁ ଆମ୍ଭେ ଯତ୍ନେ ରଖିଥିଲୁ

ତୋର ନିଷ୍ଠାପର ଭକ୍ତି ଦେଖି ଦାନ ଦେଲୁ ।

ଏ ମଣି ପ୍ରସାଦେ ନିତି ଅଷ୍ଟ ଭାର ସ୍ୱର୍ଣ୍ଣ

ପାଇଣ ମହା ଆନନ୍ଦେ ହରି ନେବୁ ଦିନ ।

ଏତେ କହି ଦିବାକର ଅନ୍ତର୍ଦ୍ଧାନ ହେଲେ

ମଣି ଘେନି ଶକ୍ରାଜିତ ସ୍ୱଗୃହେ ଚଳିଲେ ।

ଯେଉଁ ଦିନଠାରୁ ମଣି କରାୟତ ହେଲା

ଅପ୍ରମିତ ଧନ ଶକ୍ରାଜିତର ହୋଇଲା ।

ଛପନ କୋଟି ଯାଦବ ଦ୍ୱାରକାରେ ଥାନ୍ତି

ଶକ୍ରାଜିତ ସଙ୍ଗେ ଧନେ ସରି କେ ନୁହନ୍ତି ।

ସଭାରେ ଯାଦବମାନେ କରିଲେ ବିଚାର

କାହୁଁ ଶକ୍ରାଜିତ ଧନ ପାଉଛି ପ୍ରଚୁର ।

ଏହିପରି ଭୁଟୁଭାଟ ହୋଇ ସର୍ବଜନ

ପାଇଲେକ ସମ୍ୟନ୍ତକ ମଣିର ସନ୍ଧାନ ।

ସଭା ମଧ୍ୟେ କୃଷ୍ଣ ବଳରାମ ବସିଥିଲେ

ଦେଖିବା ମଣି ଗୋଟିକ ଆଣ ଯା ବୋଇଲେ

ବୋଲିବ ଶକ୍ରାଜିତକୁ ଥରେ ଆମ୍ଭେ ଦେଖି

ଫେରାଇଣ ଦେବୁ ମଣି ନିମିଷେ ନ ରଖି ।

ତା ତପେ ସନ୍ତୁଷ୍ଟ ହୋଇ ଦେବ ଦିବାକର

ଦେଇଛନ୍ତି ଅଧିକାର ଅଟଇ ତାହାର ।

ମଣି ଦେଖାଇବା କଥା ଶୁଣି ଶକ୍ରାଜିତ

ମନରେ ତାହାର ଭୟ ହେଲା ଅପ୍ରମିତ ।

ଯଦି ଦେଖିବା ପାଇଁକି ମଣି ଗୋଟି ଦେବି

ଆଉ କି ଶ୍ରୀକୃଷ୍ଣ ପାଶୁ ମୁଁ ଫେରିପାଇବି ।

ଏତେ ବୋଲି ଦୁଇଭାଇ କରିଲେ ବିଚାର

ପ୍ରସନାଜିତ ବୋଲଇ ଶୁଣ ମୋ ଉତ୍ତର ।

ଯାଉଛି ପଳାଇ ମୁହିଁ ମଣି ନେଇ ରାଇ

ନିର୍ଜ୍ଜନ ସ୍ଥାନ ମଧ୍ୟରେ ରଖିବି ଲୁଚାଇ ।

ଯେ ମଣି ମାଗିବ ତାଙ୍କୁ ତୁମ୍ଭେ ଦେବ କହି

ପ୍ରସନାଜିତ ନେଇଣ ଯାଇଛି ପଳାଇ ।

ଏତେ କହି ମଣିଗୋଟି ଧରି ବୀରବର

ରାତାରାତି ଦ୍ୱାରକାରୁ ହୋଇଲା ବାହାର ।

ଅଶ୍ଵ ଉପରେ ବସିଣ ଯାଏ ପ୍ରସ୍ନାଜିତ

ମଣି ତେଜରେ ସେ ବନ ହୁଏ ଆଲୋକିତ ।

ସେ ତେଜ ଦେଖିଣ ଏକ ସିଂହ ଧାଇଁ ଧାଇଁ

ଅଶ୍ୱ ସହ ପ୍ରସ୍ନାଜିତ ରକ୍ତ ଗଲା ଖାଇ ।

ଦୁଇଫାଳ କରି ଚିରି ଫୋପଡ଼ାଇ ଦେଲା

ମଣିଗୋଟି ମଧ୍ୟ ସେହିଠାରେ ପଡ଼ିଥିଲା ।

ସେ ତ ଦେବଦତ୍ତ ମଣି ସାମାନ୍ୟ ନୁହଇ

ତାର ତେଜଭରେ ବନ ଆଲୋକ ଦିଶଇ ।

ଜାମ୍ବବ ନାମରେ ପାତାଳର ଅଧୀଶ୍ୱର

ଆସିଥିଲା କରିବାକୁ ସେ ବନେ ଶିକାର ।

ଦିବ୍ୟ ଆଲୋକ ଦେଖିଣ ସେ ସ୍ଥାନକୁ ଗଲା

ମଣି ଗୋଟିକ ଦେଖିଣ ଆଶ୍ଚର୍ଯ୍ୟ ହୋଇଲା ।

ପୁଣି ଦେଖିଲା ଯେ ମୃତ ଶବ ଅଛି ପଡ଼ି

ଭାବେ ରାଜପୁତ୍ର ମୁଣ୍ଡେ ଅଛିତ ପଗଡ଼ି ।

ସାନନ୍ଦ ହୋଇଣ ମଣିଗୋଟି ଘେନିଗଲା

ବହୁମୂଲ୍ୟ ରତ୍ନ ଜାଣି କନ୍ୟା ଗଳେ ଦେଲା ।

ଜମ୍ବୁବତୀ ନାମେ କନ୍ୟା ବଡ଼ଇ ସୁନ୍ଦରୀ

ବିଦ୍ୟାବୁଦ୍ଧିରେ ପଣ୍ଡିତା ଅତି ସୁକୁମାରୀ ।

ବହୁ ଅନ୍ୱେଷଣ କରି ଜାମ୍ଭବ ଈଶ୍ୱର

କନ୍ୟା ସମାନ ପାଇଲା ତିନିପୁରେ ବର ।

ତ୍ରେତାଯୁଗେ ରାମ ବହୁ ଉପକାର କରି

ଅମର ବର ପାଇଣ ଅଛି ଦଣ୍ଡଧାରୀ ।

ସ୍ୱୟଂ ସୀତା କନ୍ୟା ରୂପେ ରହିଲେ ତା ଘର

ମାଗିଥିଲା ଜାମ୍ବବାନ ରାମଚନ୍ଦ୍ରେ ବର ।

ତେଣୁ କନ୍ୟାକୁ ପାଳଇ ଅତି ଯତ୍ନକରି

ସେ ଯେ ପଦ୍ମିନୀ ନାୟିକା ସରଗ ସୁନ୍ଦରୀ ।

ଦ୍ୱାପରେ ତା ପୁରେ ବିଜେ ହୋଇବ ଶ୍ରୀଧର

ତାଙ୍କ ପାଦେ କନ୍ୟାଦାନ କରିବ ନିକର ।

ଅତି ସ୍ନେହେ ମଣିଗୋଟି ଜାମ୍ଭବାନ ନେଇ

ଜମ୍ବୁବତୀର ଗଳାରେ ଦେଲା ଯେ ଲମ୍ବାଇ ।

ଏଣେ ଦ୍ୱାରକା ପୁରରୁ ଗୁପ୍ତଚର ଯାଇ

ଶ୍ରୀକୃଷ୍ଣଙ୍କ ରାଜସଭା ମଧ୍ୟରେ କହଇ ।

ବଡ଼ ଆଶ୍ଚର୍ଯ୍ୟ କଥାଏ ଦେଖିଲି ଠାକୁର

ମରି ପଡ଼ିଛି ବନରେ ପ୍ରସ୍ନାଜିତ ବୀର ।

ଦୁଇଫାଳ କରି ତାକୁ ଦେଇଛି କେ ଚିରି

ତା ନିକଟେ ଅଶ୍ଵଗୋଟା ପଡ଼ିଅଛି ମରି ।

ଶୁଣିଣ ଦ୍ୱାରକାପୁରେ ଚହଳ ପଡ଼ିଲା

ନାହିଁ ନ ଥିବା କଥାଏ କିପରି ହୋଇଲା ।

ଯେଉଁ ଦ୍ୱାରକା ପୁରରେ ଜରା ମୃତ୍ୟୁ ନାହିଁ

ବୁଲୁଅଛି ସୁଦର୍ଶନ ସଦା ଘୁଁ ଘୁଁ ହୋଇ ।

ପୁଣି ସେ ପୁରେ ବୀରର ହୋଇଲା ମରଣ

ଏହିକଥା ରାଷ୍ଟ୍ରହେଲା ସେ ସପ୍ତ ପୁରେଣ ।

ଭାଇର ମରଣ ବାର୍ତ୍ତା ଶତ୍ରାଜିତ ପାଇ

କାନ୍ଦିଣ ସଭାରେ ପଡ଼ି ମୂର୍ଚ୍ଛାଗତ ହୋଇ ।

ନିଶ୍ଚୟ ମଣି ଲୋଭରେ ଭାଇକୁ ମୋହର

ବନସ୍ତ ମଧ୍ୟେ ମାରିଛି ନିଶ୍ଚେ ଚକ୍ରଧର ।

ଦାମିକା ମଣି ଜାଣିଣ କଉଶଳ କରି

ମାରିଣ ମୋ ଭାଇ ସ୍ୟମନ୍ତକ ନେଲା ହରି ।

ନୋହିଲେ କିମ୍ପା ହୁଅନ୍ତା ଅକାଳ ମରଣ

ଯାଦବଙ୍କ ଜରା ମୃତ୍ୟୁ ଲେଖା ନାହିଁ ଜାଣ ।

ସେକଥା ଗୋଟାଚୌଦିଗେ ପ୍ରଚାର ହୋଇଲା

ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଲୀଳା ଜଗତ ରଟିଲା ।

ପାଇଣ ଏହି ଖବର ପ୍ରଭୁ ଚକ୍ରଧର

ଭଲ ମଣି ଦେଖିବାକୁ ଇଚ୍ଛା ହେଲା ମୋର ।

ଲୋକ ଅପବାଦ ମୃତ୍ୟୁ ସଙ୍ଗେ ଅଟେ ସରି

ଏତେ କହି ଉଦ୍ଧବ ଅକ୍ରୂର ରାଇ ହରି ।

ବୋଲନ୍ତି ତୁମ୍ଭେ ତ ମୋ ଏକାନ୍ତ ବିଶ୍ବାସ

ଚାଲ ମଣି ଖୋଜିବା ହେ ବୁଲି ଦେଶ ଦେଶ ।

ବାହାରିଲେ ତିନି ଜଣ କାହାକୁ ନ କହି

ଆଗ ସ୍ୱରଗ ପୁରରେ ମିଳିଲେକ ଯାଇ ।

ଯମପୁର ଇନ୍ଦ୍ରପୁର ବିଧାତାଙ୍କ ପୁର

କୁବେର ବରୁଣ ଇନ୍ଦ୍ରପୁର ସୂର୍ଯ୍ୟପୁର ।

କେଉଁଠି ନ ପାଇ ମଣି ହତାଶ ହୋଇଲେ

ନିରାଶରେ ମର୍ତ୍ତ୍ୟପୁରେ ଆସି ପ୍ରବେଶିଲେ।

ପ୍ରସ୍ନାଜିତ ମଲାସ୍ଥାନେ ଯାଇଣ ମିଳିଲେ

ସିଂହ ନରପାଦ ଚିହ୍ନ ସେଠାରେ ଦେଖିଲେ ।

ପାଦ ଚିହ୍ନି ଉଣ୍ଡି ଉଣ୍ଡି ପ୍ରଭୁ ଚକ୍ରଧର

ପାଇଲେ ସନ୍ଧାନ ସେ ଠାବରେ ଯେ ଗଭୀର ।

ଶତେ ହସ୍ତ ଓସାର ସେ ଅଟେ ଗର୍ତ୍ତଦ୍ବାର

ସୁନ୍ଦର ମର୍ମରେ ପ୍ରସ୍ତରରେ ଯେ ତିଆର ।

ଉପରେ ସୁନା ଚଉରା ଗୋଟା ଅଛି ରହି

ଆବର ଯେ ରତ୍ନଦେବୀ କଳପନା ନାହିଁ ।

ଦେଖିଣ ଶ୍ରୀ ଭଗବାନ ସାଥିକୁ ବୋଲନ୍ତି

ଏ ଗର୍ତ୍ତେ ବହୁ ରହସ୍ୟ ଜଣାଯିବ ଏଥି ।

ସନ୍ଦେହ ହେଉଛି ମୋରା କାଳେ ମଣି ସେହି

ପ୍ରସ୍ନାଜିତେ ମାରିଥିବ ଗହ୍ୱରେ ଲୁଚାଇ ।

ଏହିପରି ମନେ ଭାବି ପ୍ରଭୁ ଚକ୍ରଧର

ଉଦ୍ଧବ ଅକ୍ରୂର ସଙ୍ଗେ ପଶିଲେ ଗର୍ତ୍ତର ।

ଦୁଇକ୍ରୋଶ ପରିଯନ୍ତେ ନିଘୋଡ଼ ଅନ୍ଧାର

ପାର ହୋଇଯାଆନ୍ତେ ସେ ଦିଶେ ଦିବ୍ୟପୁର ।

ସେ ପୁରର ଶୋଭା ଗୋଟି ଅତି ମହୋହର

ତ୍ରେତାଯୁଗୁଁ ବିଶ୍ଵକର୍ମା କରିଛି ତିଆର ।

ଯେତେବେଳେ ରାମଚନ୍ଦ୍ର ରାବଣ ସଙ୍ଗରେ

ଯୁଦ୍ଧ କରୁଥିଲେ ସୀତା ଥିଲେ ଦୈତ୍ୟପୁରେ ।

ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତିଭେଦ କଲେ

ଏହି ଜାମ୍ବବାନ ତାଙ୍କ ସେନାପତି ଥିଲେ ।

ବହୁ ଅମର ଔଷଧି ଋକ୍ଷ ଜାଣିଥିଲା

ବତାଇ ଦେବାରୁ ଗଛ ଲକ୍ଷ୍ମଣ ବଞ୍ଚିଲା ।

ସେ କାର୍ଯ୍ୟରେ ସନ୍ତୁଷ୍ଟ ହୋଇଣ ରଘୁବୀର

ବର ଦେଇଥିଲେ ତାଙ୍କୁ ହୁଅ ତୁ ଅମର ।

ହନୁ ଜାମ୍ବବାନ ଦୁଇ ଅମର ଯେ ହୋଇ

ପବନ ସୁତ ବୈଷ୍ଣବ ଏ ଯେ ରାଜା ହୋଇ ।

ଆଉ ମଧ୍ୟ ରାମଚନ୍ଦ୍ର ଥିଲେ ବର ଦେଇ

କପି ରୂପ ଦ୍ୱାପରରେ ତୋ ରହିବ ନାହିଁ ।

ମନୁଷ୍ୟ ଶରୀର ବହି ଦିଶିବୁ ସୁନ୍ଦର

ଜାନକୀ ଜନ୍ମିବେ କନ୍ୟା ହୋଇଣ ତୋହର

ତେଣୁ ସେହି ସ୍ଥାନ ଶୋଭା କହିଲେ ନ ସରେ

ନାହିଁ ରୋଗ ଶୋକ ଯମ ଦଣ୍ଡ ତା ପୁରରେ ।

ଗୁଡ଼ିଏ ସଇନ୍ୟ ଘେନି ଜାମ୍ବବାନ ବୀର

ମହା ଆଡ଼ମ୍ବରେ ଥାଏ ହୋଇ ଅଧୀଶ୍ୱର ।

ଉଦ୍ଧବ ଅକ୍ରୂର କୃଷ୍ଣଚନ୍ଦ୍ର ସହିତରେ

ପ୍ରବେଶ ହୋଇଲେ ଯାଇ ଏହି ଉଦ୍ୟାନରେ

ସେ ଉଦ୍ୟାନ ଶୋଭା ଗୋଟି କହିଲେନ ସରେ

ବିବିଧ ପୁଷ୍ପମାନ ଯେ ଫୁଟିଛି ତହିଁରେ ।

ଗୁଣୁଗୁଣୁ ହୋଇ ବୁଲୁଥାନ୍ତି ମଧୁକର

ସୁବାସରେ ମହକଇ ଚଉଦିଗ ଘୋର ।

ମନୋହର ପୁଷ୍କରିଣୀ ଅଛି ତା ମଧ୍ୟରେ

ମର୍ମର ପ୍ରସ୍ତରମାନ ଘେରା ଚୌପାଶରେ ।

ସଖୀମାନେ ବଦନ୍ତି ଭାଷନ୍ତି କୃଷ୍ଣେ ଚାହିଁ

କେଉଁ ସାହସରେ ଉଦ୍ୟାନରେ ପଶିଛଇଁ ।

ଜାଣ ନାହିଁ ଆମ୍ଭ ରାଜା ଜାମ୍ବବାନ ବୀର

ତ୍ରେତାଯୁଗେ ରାମଙ୍କର ଅଟେ ଅନୁଚର ।

ତାହାଙ୍କର କନ୍ୟା ନାମ ଅଟେ ଜମ୍ବୁବତୀ

ଆମ୍ଭେ ସର୍ବକନ୍ୟାମାନେ ଥାଇ ତାଙ୍କ କତି ।

ତୁମ୍ଭେ କିମ୍ପା ବଳତ୍କାରେ ବସିଲ ଏ ସ୍ଥାନ

ରାଜାଙ୍କୁ ଅଣାଇ ମଥା କରିବୁ ଛେଦନ ।

ସଖୀ ବାଣୀ ଶୁଣି ହସି କହନ୍ତି ଶ୍ରୀଧର

ବଳାତ୍କାରେ ଆସିନାହିଁ ଆମ୍ଭେ ଏ ସ୍ଥାନର ।

ଦର୍କାର ଅଛି ଆମ୍ଭର ତୁମ୍ଭ ସଖୀ ପାଶ

ତେଣୁ ଆସିଅଛି ତିଳେ ନାହିଁ ଆମ୍ଭ ଦୋଷ ।

ଶୁଣିଣ ଦାସୀଏ କ୍ରୋଧେ ହୋଇ ଜରଜର

କହିବାକୁ ବାହାରିଲେ ରାଜାଙ୍କ ଆଗର ।

ଜମ୍ବବତୀ ବୋଲେ ସଖୀ ରୁହ ଦଣ୍ଡେ ସ୍ଥିର

ବୁଝିବା କି କାର୍ଯ୍ୟ ଅଛି ତାଙ୍କର ମୋଠାର ।

ଭଲ କାର୍ଯ୍ୟ ହୋଇଥିଲେ ତାଙ୍କୁ କ୍ଷମାଦେବା

ଖରାପ ହୋଇଲେ ସିନା ପିତାଙ୍କୁ କହିବା ।

ପୁଣି ସଖୀଏ ପୁଚ୍ଛନ୍ତି କି କାର୍ଯ୍ୟ ତୁମ୍ଭର

ଜେମାଠାରେ ଅଛି ତୁରନ୍ତ ପ୍ରକାଶ କର ।

ଜମ୍ବୁବତୀ ଦେହେ ତିଳେ ମାତ୍ର ଜ୍ଞାନ ନାହିଁ

ଶ୍ରୀକୃଷ୍ଣଙ୍କ ରୂପ ଦେଖି ହୋଇଲାଣି ମୋହି ।

ଗୋରୀ ମନ ଜାଣି ଧୀରେ ବୋଲନ୍ତି ଶ୍ରୀଧର

ଅନୁରୋଧ ଗୋଟି ରକ୍ଷା ହେବ କି ଆମ୍ଭର ।

ତୁମ୍ଭେ କଣ୍ଠେ ଯେଉଁ ମଣି ଶୋଭା ନ ଦିଶଇ

ଦୟାକରି ସେ ଗୋଟିକ ପାରିବ ଯେ ଦେଇ

ତାର ଲାଗି ଭ୍ରମି ଭ୍ରମି ଆମ୍ଭେ ତିନିପୁର

ବର୍ତ୍ତମାନ ଦେଖୁଅଛୁ ତୁମ୍ଭର ଗଳାର ।

ନିଅ ଆମ୍ଭ ମଣିଗୋଟି ଯିବୁ ଆମ୍ଭେ ଫେରି

ଦେଖିଲେ ବିରକ୍ତ ହେବେ ଜନକ ତୁମ୍ଭରି ।

ପୁଣି ଜମ୍ବୁବତୀ ଧୀରେ ବୋଲନ୍ତି ବଚନ

ପିତାଙ୍କୁ ପଚାରି ନିଅ ମୋଠାରୁ ବହନ ।

କେଉଁଠାରେ ତୁମ୍ଭ ଘର କି ନାମ ତୁମ୍ଭର

ଶ୍ରୀହରି ବୋଇଲେ ଦ୍ଵାରକାରେ ମୋର ଘର ।

ନାମ ଅଟଇ ଶ୍ରୀକୃଷ୍ଣ ଶୁଣିଲେ ସୁନ୍ଦରୀ

ଏହି ମଣି ଗୋଟି ସଖୀ ଅଟଇ ଆମ୍ଭରି ।

ମନେମନେ ଭାବେ ଗୋରୀ ମଣିଗୋଟି ଦେଇ

ଏହାଙ୍କ ସଙ୍ଗରେ ମୁହଁ ଯାଆନ୍ତି ପଳାଇ ।

କିନ୍ତୁ ପିତାଙ୍କୁ ଡରିଣ ଯୁବତୀ କହଇ

ମାଗ ପିତାଙ୍କୁ ତୁମ୍ଭର ଦେଇଦେବେ ସେହି ।

ଏହିପରି କୁହାକୁହି ହେଉଥାନ୍ତି ବେନି

ଯେଝା ମନକଥା ଯେହୁ ବୁଝି ହୋନ୍ତି ତୁନି ।

ଜମ୍ବୁବତୀ ଅଜ୍ଞାତରେ ସଖୀ ଜଣେ ଯାଇ

ଜାମ୍ବବାନ ରାଜା ଆଗେ ଦେଲା ଯେ ଜଣାଇ

ଭୋ ରାଜା ତୋର କନ୍ୟାଠୁ କରି ବଳାତ୍କାର

ମଣିଗୋଟି ନେଉଅଛି ଆସି ଏକ ନର ।

ରାଜା ଆଗେ ପରଜ୍ୱଳି ଅସ୍ତ୍ର ଧରି କରେ

ପ୍ରବେଶ ହୋଇଲା ଆସି ଉଦ୍ୟାନ ମଧ୍ୟରେ ।

ପିତାକୁ ଦେଖିଣ ଜମ୍ବୁବତୀ ବୋଲେ ଗୀର

ଶୀଘ୍ର ତୁମେ ଲୁଚିଯାଅ ବଗିଚା ଭିତର ।

ଅତି ସୁନ୍ଦର ଚେହେରା ତୁମର ଅଟଇ

ମୋ ପିତା ବଡ଼ ପ୍ରତାପୀ ପ୍ରାଣ ଯିବ ନେଇ ।

ଶ୍ରୀକୃଷ୍ଣ ବୋଲନ୍ତି ଗୋରୀ ଭାବନା ନ କର

ମୋତେ ଜିଣିବାକୁ ନାହିଁ ତିନିପୁରେ ବୀର ।

ଜାମ୍ବବାନ ଦେଖୁ କନ୍ୟା ଅପସରି ଗଲା

ଥୋକାଏ ଦୂରରେ ଯାଇ ଲୁଚିଣ ରହିଲା ।

ପ୍ରଭୁଙ୍କୁ ସ୍ମରଣ କରେ ଯୁବତୀ ରତନ

ହେ ଦେବ ମୋର ପିତାକୁ ଦିଅ ସଦଜ୍ଞାନ ।

ଏହା ସଙ୍ଗେ ପିତା ବନ୍ଧୁ ସମ୍ପର୍କ ଭିଆଇ

ତାଙ୍କ ପାଦତଳେ ମୋତେ ଅର୍ପନ୍ତା କି ନେଇ ।

ଧାମଇ ଗର୍ଜ୍ଜନ କରି ଜାମ୍ବବାନ ବୀର

କିଏ ରେ ପାମର ଆସିଅଛୁ ମୋର ପୁର ।

ଜାଣି ନାହୁଁ କିରେ ମୋର ପରାକ୍ରମ ତୁହି

ଯମପୁରେ ଯିବା ତୋର ମନ ବଳିଛଇ ।

ସିଂହର ଶାବକ ସଙ୍ଗେ କର ତୁହି ଖେଳ

ଅକାରଣେ ମରି ତୁହି ଯିବୁ ଯମଆଳ ।

ଏତେ କହି ଜାମ୍ବବାନ ଗଦା ଧରି କରେ

ବୁଲାଇ ଫିଟିଲା ନେଇ ପ୍ରଭୁଙ୍କୁ ଅଙ୍ଗରେ ।

ସେ ତ ଅନାଦି ପୁରୁଷ ପ୍ରଭୁ ଭଗବାନ

ଆଘାତ ପାଇଣ ପୁଣି ବୋଲନ୍ତି ବଚନ ।

ନ ବୁଝି ନ ସୁଝି କିମ୍ପା କରୁ ଅବିଚାର

ତୁହି ପରା ରାଜା ତୋର ଏହି କି ବିଚାର ।

ଥୋଡ଼ାଏ ଦୂରରେ ଜମ୍ବୁବତୀ ରହିଥିଲା

କୃଷ୍ଣଙ୍କ ଧୈର୍ଯ୍ୟ ଦେଖିଣ ଆଶ୍ଚର୍ଯ୍ୟ ହୋଇଲା ।

ଭାବଇ ମୋ ପିତାଙ୍କର ଜମା ବୁଦ୍ଧି ନାହିଁ

ନିର୍ଦ୍ଦୋଷୀକୁ ଦଣ୍ଡୁଛନ୍ତି ବୃଥାରେ କିମ୍ପାଇଁ ।

ଯଦି ଦୁନିଆରେ ଧର୍ମ ହୋଇଥିବ ଚିର

କିଛି କ୍ଷତି ନ ହୋଇବ ଏହି ଯୁବକର ।

ଏଣେ ଶ୍ରୀକୃଷ୍ଣଙ୍କ କଥା ଜାମ୍ବବାନ ଶୁଣି

ପୁଣି ଗଦା ଧରି ଧାଏଁ ରକ୍ଷ ବୀରମଣି ।

ଶ୍ରୀହରି ବୋଲନ୍ତି ଉଦ୍ଧବର ମୁଖ ଚାହିଁ

ଶୀଘ୍ର ଧନୁ ଧର ଏଟା ନିର୍ବୋଧ ଅଟଇ ।

ତ୍ରେତା ଯୁଗରୁ ରହିଛି ରଣରଙ୍କା ହୋଇ

ତେଣୁ ମୋର କଥା ତାର କର୍ଣ୍ଣେ ନ ଶୁଭଇ ।

ପୁଣି ଜାମ୍ବବାନ ଗଦା ଧରି ଦଉଡ଼ନ୍ତେ

ଉଠାଇ ଶର ମାରିଲେ ପ୍ରଭୁ ଜଗନ୍ନାଥେ ।

ଯହୁଁ ଶର ଆସି ଦୈତ୍ୟ ଅଙ୍ଗରେ ବାଜିଲା

ଜଳନ୍ତା ଅନଳଗିରି ଗରଜି ଉଠିଲା ।

ଏହିପରି ଦୁଇପକ୍ଷ କରିଲେ ସମର

ଶ୍ରୀକୃଷ୍ଣ ଜାମ୍ବବ ଦୁଇ ମହା ବଳିୟାର ।

ଭକ୍ତ ଭଗବାନଙ୍କର ଅଟେ ଏହି ଯୁଦ୍ଧ

ରୁଣ୍ଡ ହୋଇ ଶୂନ୍ୟେ ଦେଖୁଥାନ୍ତି ଦେବବୃନ୍ଦ ।

କକଡ଼ା ମାସରେ ଯେହ୍ନେ ବରଷଇ ଧାର

ସେହିପରି ଦୁଇପକ୍ଷୁ ବରଷଇ ଶର ।

ସାତଦିନ ସାତରାତି ଯୁଝନ୍ତି ଦ୍ୱବୀର

ଗଦା ଯୁଦ୍ଧ ମାଲଯୁଦ୍ଧ ଆବର ଯେ ଶର ।

ଲଢି ଲଢି ଜାମ୍ବବାନ ଅସକତ ହେଲା

ମନମଧ୍ୟେ ରକ୍ଷବୀର ନାମ ସୁମରିଲା ।

ଅନ୍ତରେ ଡାକଇ ବୀର ତୁହାଇ ତୁହାଇ

ଉପରେ ଏୋକ ଦେଖଣା ସମର କରଇ ।

ଭକ୍ତ ଜାମ୍ବବାନ ମନ ଜାଣି ଚକ୍ରଧର

ରାମଚନ୍ଦ୍ର ରୂପ ହୋଇ କରିଲେ ସମର ।

ଜଟା କଉପୀନ କାଣ୍ଡ କୋଦଣ୍ଡ ଶୋଭଇ

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ସେହି ।

ଯେଉଁ ରୂପ ମନେ ଚିନ୍ତୁଥିଲା ରକ୍ଷବୀର

ଦୃଶ୍ୟହେଲା ସେହି ରୂପ ଚକ୍ଷୁକୁ ତାହାର ।

ଏକ ମାତ୍ର ଦେଖେ ଜମ୍ବବାନ କେ ନ ଜାଣେ

ଭାବିଲା କା ସଙ୍ଗେ ମୁହିଁ ମାତିଅଛି ରଣେ ।

ଏତେ ବୋଲି ଧନୁଶର ଦେଇ ଫୋପାଡ଼ଇ

ରକ୍ଷାକର ରକ୍ଷାକର ବୋଲିଣ ଡାକଇ ।

ଯହୁଁ ଏସନ ବୋଇଲା ବୀର ଜାମ୍ବବାନ

ଦେଖଣା ହାରୀମାନେ ଯେ ହେଲେ ଛନ ଛନ ।

ଭକ୍ତର ଆରତ ଜାଣି ପ୍ରଭୁ ଦଇତ୍ୟାରି

ନିକଟକୁ ଆସି ଦେଖା ହୋଇଲେ ତାହାରି ।

ଜାମ୍ବବାନ ବୋଲେ କେଡ଼େ ମନ୍ଦକର୍ମ କଲି

ଇଷ୍ଟ ଦେବତାଙ୍କ ସଙ୍ଗେ ମୁଁ ମୂଢ ଲଢିଲି ।

ଆଉ ଏ ପ୍ରାଣ ରଖିବା ମୋର ଲୋଡ଼ା ନାହିଁ

ନିଜ ହସ୍ତେ ନିଜ ପ୍ରାଣ ଦେବି ଯେ ହରାଇ ।

ଶ୍ରୀହରି ବୋଇଲେ ବତ୍ସ ଭାବନା ନ କର

ପରୀକ୍ଷା କରୁ ମୁଁ ଥିଲି ଅନ୍ତର ତୋହର ।

ମାଗ ବର କିସ ଲୋଡ଼ା ତୋର ଦେବି ମୁହିଁ

ଶୁଣି ପାଦତଳେ ପଡ଼େ ଜାମ୍ବବ ହେ ତହିଁ ।

ଦେଖଣାହାରୀମାନେ ଯେ ଆଶ୍ଚର୍ଯ୍ୟ ହୋଇଲେ

କି ହେଲା କି ହେଲା ବୋଲି ସରବେ ଧାଇଁଲେ ।

ଖଣ୍ଡେ ଦୂରେ କନ୍ୟା ଦେଖୁଥିଲେ ଯେ ସମର

ପିତାଙ୍କର ଗତି ଦେଖି ମିଳିଲା ପାଶର ।

ତା‘କୁ ପ୍ରଭୁଙ୍କର ଦିବ୍ୟରୂପ ଦିଶୁ ନାହିଁ

ସେହି ପିତା କନ୍ୟା ଦୁଇଜଣଙ୍କୁ ଦିଶଇ ।

ଦେଖିଣ ଜମ୍ବୁବତୀ ଯେ ଶରଣ ପଶଇ

ମୁହିଁ ମୂର୍ଖ ନ ଜାଣିଣ ଏହା ଅଛି ଭେଇ ।

ଯଦି ମଣିଗୋଟି ପ୍ରଥମରୁ ଥାନ୍ତି ଦେଇ

କିମ୍ପାଇଁ ସମର କରିଥାନ୍ତ ଭାବଗ୍ରାହୀ ।

ମନରେ ଯା ଭାବିଥିଲି ଆଉ ନ ହୋଇବ

ପୂର୍ବ ରାଗ ନିଶ୍ଚେ ପ୍ରଭୁଙ୍କର ମୋଠି ଥିବ ।

ଜାଣୁ ଜାଣୁ ମୁହିଁ ହୀନ ମନ୍ଦକୃତ କଲି

କାଚ ମଣି କାଞ୍ଚନକୁ ଅକାଳେ ଫିଙ୍ଗିଲି ।

ମହାପ୍ରସାଦକୁ ଭାତ ମଣି ଫୋପାଡ଼ିଲି

ଗୋମୂତ୍ର ମଣି ଯେ ଗଙ୍ଗାଜଳ ହରାଇଲି ।

ଏତେ ବୋଲି ରୋଦନ କରଇ ଯୁବାମଣି

ତାର ମନ ଜାଣି ପ୍ରଭୁ ପାଶେ ନେଲେ ଟାଣି ।

ବୋଲନ୍ତି ତୁମ୍ଭର ଦୋଷ ନାହିଁରେ ସୁନ୍ଦରୀ

ଅଦୃଷ୍ଟ ଫଳ ବା କେହୁ ପାରେ ଆନ କରି ।

ଜାମ୍ବବ ବୋଲି ପ୍ରଭୁ ଏହି ଭିକ୍ଷା ମୋର

ଗ୍ରହଣ କରନ୍ତୁ ଦେବ ଧରିଲେ ଯେ କର ।

ବହୁତ ଦିନରୁ ତବ ପଥ ଚାହିଁ ହରି

ଆନ ଜନେ ମୋ କନ୍ୟାରେ ନାହିଁ ବିଭାକରି ।

ଶ୍ରୀକୃଷ୍ଣ ବୋଇଲେ ତାହା କଲୁ ସନମତ

ଚାଲ ପୁରେ ଦିଅ ଖାଦ୍ୟ କ୍ଷୁଧା ଯେ ବହୁତ ।

ଜାମ୍ବବ ବୋଇଲେ ପୂର୍ବଭାଗ୍ୟ ଅଟେ ମୋର

ମୁହିଁ ଜଗୁଆଳ ମାତ୍ର ଅଟେ ତୋର ପୁର ।

ଏତେ କହି ଆଦରରେ ପ୍ରଭୁଙ୍କୁ ଘେନିଲା

ନିଜ ରତ୍ନ ସିଂହାସନେ ଦେଇ ବସାଇଲା ।

ସୁମିଷ୍ଟ ଭୋଜନ ବାଢି ଦ୍ୟନ୍ତି ଜମ୍ବୁବତୀ

ଲକ୍ଷ୍ମୀଙ୍କ ପରଷା ଖାଇ ପ୍ରଭୁ ହେଲେ ତୃପ୍ତି ।

ବହୁ ଅନୁରୋଧ କଲା ଜାମ୍ବବାନ ବୀର

କିଛିଦିନ ପ୍ରଭୁ ମୋ ପୁରରେ ବିଜେକର ।

ଶୁଣିଣ ଯେ ଚକ୍ରଧର ଅଙ୍ଗିକାର କଲେ

ଉଦ୍ଧବ ଅକ୍ରୂର ସଙ୍ଗେ ଘେନିଣ ରହିଲେ ।

ତାହା ପରେ ଶୁଭଦିନ ଦେଖି ରକ୍ଷେଶ୍ବର

କନ୍ୟାକୁ ପ୍ରଦାନ କାଲା ମଣି ସହିତର ।

ଆଉ ମଧ୍ୟ ବହୁ ଧନ ଯଉତୁକ ଦେଇ

ପୁରରେ ଅନେକ ଦିନୁ ରଖିଲା ମାଧୋଇ ।

ଜମ୍ବୁବତୀ ସଭ୍ଗେ ପ୍ରଭୁ ଅତି ଆନନ୍ଦରେ

ରଥରେ ବାହାର ହେଲେ ପ୍ରଭୁ ଦଇତ୍ୟାରି ।

ବହୁ ଧନ ରତ୍ନ ଦେଇ ରାଜନ ସତ୍ୱର

ପଥ ବଳାଇଣ ଦେଲା ଆସି ବହୁଦୂର ।

ତହୁଁ ଶ୍ରୀହରିଙ୍କଠାରୁ ବିଦାୟ ସେ ନେଲା

ପବନହୁଁ ଖରେ ରହୁବର ଯେ ଚଳିଲା ।

ଦ୍ଵାରକପୁରରେ ଯାଇ ମିଳିଲେ ଶ୍ରୀଧର

ଜମ୍ବୁବତୀ ସୁନ୍ଦରୀ ଯେ ଅଛି ସଙ୍ଗତର ।

ଦେଖିଣ ଯାଦବଗଣ ଆନନ୍ଦ ହୋଇଲେ

ନ ଦେଖି ପ୍ରଭୁଙ୍କୁ ସର୍ବେ ଚିନ୍ତା କରୁଥିଲେ ।

ପ୍ରଭୁଙ୍କ ଆସିବା କଥା ନାରୀଏ ଜାଣିଲେ

ଅର୍ଘ୍ୟ ଥାଳି ଆଣି ସର୍ବେ ବନ୍ଦାପନା କଲେ ।

ଏଥୁଅନ୍ତେ ଯାହା ହେଲା ଶୁଣ ସୁଜ୍ଞନର

ମଣି ଘେନି ପ୍ରଭୁ ଗଲେ ଶକ୍ରାଜିତ ପୁର ।

ଯେଉଁ ପରକାରେ ମଣି ଆଣିଲେ ଶ୍ରୀହରି

ଶକ୍ରାଜିତର ପୁରରେ କହିଲେ ବିସ୍ତାରି ।

ଶେଷରେ କହିଲେ ତୁମ୍ଭ ମଣି ଗୋଟି ଦର

ଶକ୍ରାଜିତ ବୋଲେ ମୋର ନାହିଁ ଦରକାର ।

ମଣି ପରିବର୍ତ୍ତେ ଏକ ବର ମୁଁ ମାଗି

ସେହି ବର ଗୋଟି ମୋତେ ପାରିବକି ଦେଇ ।

ଶ୍ରୀହରି ବୋଇଲେ ପ୍ରାଣାନ୍ତକେ ନିଶ୍ଚେ ମୁହିଁ

ମାଗିବ ଯେ ବର ତାହା ତୁମ୍ଭରେ ଦେବଇଁ ।

ଶକ୍ରାଜିତ ବୋଲେ ପ୍ରଭୁ ଶପଥ ତୁ କର

ତାହେଲେ ମାଗିବି ମୋର ଦରକାର ବର ।

ତ୍ରିବାର ସତ କରୁଛି ମୁହିଁ ଧର୍ମେ ଚାହିଁ

ଯାହା ମାଗିବ ମୁଁ ତାହା ପୂର୍ଣ୍ଣ କରିବଇଁ ।

ଶକ୍ରାଜିତ ବୋଲେ ଏହି ମଣି ସହିତରେ

ଆଉ ଏକ ମଣିଦାନ ଦେବଇଁ ତୋ କରେ ।

ଏ ମଣିଠାରୁ ଅଧିକ ଯେ ମଣି ଅଟଇ

ବହୁ ଯତନରେ ତାକୁ ସାଇତିଛି ମୁହିଁ ।

ଏ ମଣି ସିନା ବାକ୍‌ସରେ ରହିବ ତୋହର

ସେ ମଣି ଗୋଟି ଗଳାରେ ଦିଶିବ ସୁନ୍ଦର ।

ଆଉ ମଧ୍ୟ ଶପଥ ତୁ କର ଚକ୍ରଧର

ମୋ ମଣି ଯେହ୍ନେ ନିମିଷେ ନ ଫିଙ୍ଗୁ ଗଳାର ।

ଏତିକି ମାତର ମୋର ଅଟଇ ମାଗୁଣି

ଦଣ୍ଡେ ମାତର ଅପେକ୍ଷା କରି ଚକ୍ରପାଣି ।

ମୋ ସାଇତା ମଣିଗୋଟି ତୋର କରେ ଦେଇ

ନିଶ୍ଚିନ୍ତ ହୋଇବି ସବୁ ଜଞ୍ଜାଳ ତୁଟାଇ ।

ଏତେ କହି ଅନ୍ତଃପୁରେ ଶକ୍ରାଜିତ ଗଲା

କନ୍ୟା ସତ୍ୟଭାମାକୁ ସେ ନିକଟେ ରାଇଲା ।

କନ୍ୟାକୁ ବୋଲଇ ମାତ ଆଜି ତୋତେ ମୁହିଁ

ଶ୍ରୀକୃଷ୍ଣଙ୍କ କରେ ଅର୍ପିବାକୁ ଅଛି ଚାହିଁ ।

ତୁ ତ ଅଟୁ ବୁଦ୍ଧିମତୀ ଆବର ପଣ୍ଡିତା

ପୂର୍ବଜନ୍ମ ତପବଳେ ମୁହିଁ ତୋର ପିତା ।

ଯାର ଧନ ତୁହି ତାର କରେ ତୋତେ ଦେଇ

ଦୁଇଜଣକୁ ଏକତ୍ର ମିଳାଇବି ନେଇ ।

ତୋର ମନକଥା ମୋତେ ଫେଡ଼ି କହ ମାତ

ଲଜ୍ୟା କରିବାଟା ତୋର ନୁହଇ ଉଚିତ ।

ସତ୍ୟଭାମା ବୋଲେ ପିତା ଯେ ଇଚ୍ଛା ତୁମ୍ଭର

ଏଡ଼ିବାକୁ ତବ ବାକ୍ୟ ଶକ୍ତି ନାହିଁ ମୋର ।

ପିତା ଦତ୍ତ କନ୍ୟା ରାଜ ଦତ୍ତ ଅଟେ ମହୀ

ଶାସ୍ତ୍ରର ଗୀର ଏ ଅଟେ ଦେବେ ଛନ୍ତି କହି ।

ସେ ସହଜେ ବଡ଼ଲୋକ ବଡ଼ଘର ପୁଅ

ଆଉ ସବୁ ରାଣୀ ବଡ଼ ବଡ଼ ରାଜା ଝିଅ ।

ମୋତେ କି ପାଦ ତଳରେ ଦେବ ପ୍ରଭୁ ସ୍ଥାନ

ଚନ୍ଦ୍ର କି ପାଇବା ପିତା ଆମ୍ଭେ ଯେ ବାମନ ।

କିନ୍ତୁ ସତ୍ୟଭାମା ବହୁଦିନୁ ଥିଲା ଚାହିଁ

ପ୍ରଭୁ ପାଦତଳେ ସଦା ଚିତ୍ତ ଥାଏ ଧ୍ୟାୟି ।

ଶକ୍ରାଜିତ ବୋଲେ ସେ ତ କରିଅଛି ସତ୍ୟ

ଗଳା ହାର କରି ତୋତେ ବୁଲିବ ଯେ ନିତ୍ୟ ।

ଶୁଣି ସତ୍ୟଭାମା ମନେ କେତେ ଯେ କଳ୍ପନା

କରିଲା ସେହି ମୁହୂର୍ତ୍ତେ ନ ଥାଇ କଳନା ।

ମାତା ଆଦି ଭ୍ରାତାମାନେ ଶୁଣି ହର୍ଷ ହେଲେ

ଦେବୀଙ୍କର ସଖୀମାନେ ସରବେ ମିଳିଲେ ।

ନାନାଦି ଭୂଷଣେ ଜେମାମଣିକୁ ସଜନୀ

ସୁବେଶ କରାନ୍ତି ଯେହ୍ନେ ପ୍ରଭୁ ମନ ମାନି ।

ସୁଝୀନ ପାଟପତନୀ ଯତ୍ନେ ପିନ୍ଧାଇଲେ

କୃଷ୍ଣ ବେଣୀ ଗୋଟିକରେ ରତନ ଛାଇଲେ ।

ଆଣ୍ଠୁ ତଳକୁ ଲମ୍ବିଛି ଲମ୍ବବେଣୀ ଗୋଟି

ସବୁ ନାରୀଠାରୁ ଶୋଭା ଦିଶେ ରୂପ ଗୋଟି ।

ଝିଲିମିଲି ଓଢଣା ଯେ ମସ୍ତକେ ଶୋଭଇ

ଚାଲିଯାନ୍ତେ ମତ୍ତକରୀ ଗତିକି ନିନ୍ଦଇ ।

ଲେପିଛନ୍ତି ସଖୀମାନେ ସୁବାସ ଅତର

ସହଜେ ତ ପଦ୍ମଗଣେ ଗୋଡ଼ାନ୍ତି ଭ୍ରମର ।

ଚଉପାଶେ ସଖୀ ଥାନ୍ତି ମଧ୍ୟେ ଚାନ୍ଦମୁହୀଁ

ଆଗେ ଯାନ୍ତି ପିତା ମାତା ଗର୍ବ ପଛେଥାଇ ।

ଶ୍ରୀକୃଷ୍ଣଚନ୍ଦ୍ରଙ୍କ ପାଶେ ଶକ୍ରାଜିତ ବୋଲେ

ନିଅ ମୋର ମଣିଗୋଟି ଶକ୍ରାଜିତ ବୋଲେ ।

ଆସନ୍ତି ଉଠିଣ ଧୀରେ ଧୀରେ ଚକ୍ରଧର

ଦର ହସିତ ବଦନେ ଫୁଲାଇ ଅଧର ।

ବୋଲନ୍ତି ଏ ମଣିଗୋଟି ଅଟେ ଗଳାହାର

ସମ୍ୟନ୍ତକ ମଣି ମୋର ନାହିଁ ଦରକାର ।

ଏତେ କହି ଜଗନ୍ନାଥ ଥାନ୍ତି ଉଭାହୋଇ

ଶକ୍ରାଜିତ ସତ୍ୟଭାମା କର କୃଷ୍ଣେ ଦେଇ ।

ଆନନ୍ଦରେ ଅଶ୍ରୁଜଳ ନେତ୍ରୁଯାଏ ବହି

ବାକ୍ୟରୁଦ୍ଧ ହୁଏ କଥା କହି ନ ପାରଇ ।

ଛଳ ଛଳ ନେତ୍ରେ ବୋଲେ ଶକ୍ରାଜିତ ଧୀରେ

ଅର୍ପିଲି ସାଇତା ରତ୍ନ ଆଜି ତୁମ୍ଭ କରେ ।

ଜୀବନେ ତୁମ୍ଭେ ଶପଥ ତିଳେ ନ ଭୁଲିବ

ଅନାଦର କରି ମୋର ମଣି ନ ଫିଙ୍ଗିବ ।

କଣ୍ଠହାର କରିଥିବ ଶୋଭା ଯେ ପାଇବ

ସାଇତିବା ଧନ ତବ ରଖ ହେ ମାଧବ

ହେଠ ବଦନରେ ଗୋରୀ ଥିଲେ ଉଭା ହୋଇ

ନିଜ କଣ୍ଠ ହାର ଖୋଲି ପ୍ରଭୁ ଗଳେ ଦେଇ ।

ଜଗନ୍ନାଥ କଉସ୍ତୁଭ ମଣି କରେ ଧରି

ବୋଲନ୍ତି ଦେଖ ଏହାକୁ ଦେଲି ମୁଁ ଉତାରି ।

ପରିବର୍ତ୍ତେ ମୋ ଶ୍ୱଶୁର ଦେଇଥିବା ହାର

ଆଜିଠାରୁ ଲମ୍ବାଇଲି ସାଦରେ ଗଳାର ।

ଏତେ କହି ଦେବୀଙ୍କର ଗଳେ ଲମ୍ବାଇଲେ

ଠିଆହୋଇଥିବା ସଖୀ ହୁଳହୁଳି ଦେଲେ ।

ଶକ୍ରାଜିତ ବୋଲେ କିଛିଦିନ ଘରେ ମୋର

ରହିଲେ ଗନ୍ଧର୍ବ ମତେ ହେବ ବିଭାଘର ।

ତୁମ ଦୁହିଁଙ୍କର ସିନା ଗଲା ବିଭା ସରି

ଲୋକଦେଖାଣିଆ ନିଶ୍ଚେ ହେବ ଚକ୍ରଧାରୀ ।

ଶୁଣି ପ୍ରଭୁ ଦଇତ୍ୟାରି ସମ୍ମତ କରିଲେ

ସେହିଦିନୁ ସତ୍ୟଭାମା ସଙ୍ଗେ ବିହରିଲେ ।

ଅଷ୍ଟ ପାଟବଂଶୀ ମଧ୍ୟେ ଶ୍ରେଷ୍ଠା ଦୁଇ ନାରୀ

ସତ୍ୟଭାମା ରୁକ୍ମିଣୀ ଯେ ପ୍ରଧାନ ତାଙ୍କରି ।

ଅଳ୍ପଦିନ ପରେ ସର୍ବ ଯାଦବ ହକାରି

ଦେବ ଋଷି ବ୍ରହ୍ମଋଷି ନିମନ୍ତ୍ରଣ କରି ।

ସ୍ୱର୍ଗରୁ ଦେବତାଗଣ ମର୍ତ୍ତ୍ୟେ ସର୍ବଜନ

ପାତାଳପୁରୁ ବାସୁକି ଆସିଲେ ବହନ ।

ଶେଷ ପାଟବଂଶୀ ବିଭା ଦେଖିବାର ପାଇଁ

ସ୍ୱରଗୁ ସର୍ବଦେବତା ମିଳିଲେକ ତହିଁ ।

ଶକ୍ରାଜିତ ରାଣୀ ମନ ଆନନ୍ଦ ଅପାର

କନ୍ୟାଯାଗେ ଦେବଗଣ ତା ପୁରେ ହାଜର ।

ଆଡ଼ମ୍ବରେ ବିଭାଘର ହୋଇଲା ସମାପ୍ତ

ମଣିସହ ଯଉତୁକ ଦେଲେ ଯେ ବହୁତ ।

ଭାଇର ମରଣ ଶକ୍ରାଜିତ ପାଶୋରିଲେ

ପ୍ରଭୁ ମୋର ଜ୍ୱାଇଁ ବୋଲି ମନେ ଗର୍ବକଲେ ।

ସଭିଙ୍କୁ ବୋଲନ୍ତି ମୋର ଧନ ଲୋଡ଼ା ନାହିଁ

ବହୁତ ଧନ ପାଇଲି କୃଷ୍ଣ କରି ଜ୍ବାଇଁ ।

ବିଭାକାର୍ଯ୍ୟ ସାରି ଝିଅ ଜ୍ବାଇଁ ବିଦାକଲେ

ଶତ ଶତ ଦାସଦାସୀ ଯୌତୁକ ଯେ ଦେଲେ ।

କନ୍ୟାର ଖରଚ ଲାଗି ଯେତେ ଦରକାର

ତାହାଠାରୁ ଶତେଗୁଣ ଦେଲେ ଯେ ସମ୍ଭାର ।

ସାତବଂଶ ଯଦୁକୁଳ ଦେଖି ହେଲେ ତୋଷ

ଧନ୍ୟ ଧନ୍ୟ ଶକ୍ରାଜିତ ରଖିଲୁ ତୁ ଯଶ ।

ଯେତେବେଳେ ମଥୁରାରେ କଂସରାଜା ଥିଲା

ଯଦୁବଂଶଙ୍କର ନାମ ଲୋପ ହୋଇଥିଲା ।

କୃଷ୍ଣଚନ୍ଦ୍ର ଆସି ଆମ ମହତ୍ୱ ରଖିଲା

ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ନାମ ଭେଟକଲା ।

ଏହିପରି ମନେ ଗର୍ବ କରନ୍ତି ଯାଦବ

ଶ୍ରୀକୃଷ୍ଣ ପ୍ରସାଦେ ନାହିଁ କୌଣସି ଅଭାବ ।

ଅନ୍ତଃପୁରକୁ ଗମିଲେ ସତ୍ୟଭାମା ନେଇ

ରୂପ ଦେଖି ପ୍ରଶଂସିଲେ ସରବେ ସେ ଯହିଁ ।

ଯଦୁବଂଶେ ଜନ୍ମିଥିଲା ଏପରି ସୁନ୍ଦରୀ

କେ ବୋଲଇ ଶକ୍ରାଜିତ କପାଳିଆ ଭାରି ।

ଶ୍ରୀକୃଷ୍ଣ ଚନ୍ଦ୍ରଙ୍କୁ ଜ୍ୱାଇଁ ରୂପରେ ପାଇଲା

ସବୁ ଯାଦବଙ୍କଠାରୁ ଅଧିକ ହୋଇଲା ।

ଶୁଣିଲ ତ ସୁଜନେ ଶ୍ରୀକୃଷ୍ଣଙ୍କ ରସ

ଅଷ୍ଟ ପାଟବଂଶୀ ବିଭା ହୋଇଗଲା ଶେଷ ।

ତା ପରେ ତାରକାସୁର ନିଧନ କରିବେ

ଷୋଳସହସ୍ର କନ୍ୟା ତ ପୁରୁ ବିଭାହେବ ।

ଅପୂର୍ବ ଚରିତ ଏହି ଚିତ୍ତବୋଧ ଗ୍ରନ୍ଥ

ସମସ୍ତ ସାଧୁଜନଙ୍କ ଅଧର ଅମୃତ ।

ହରିବଂଶ ଭାଗବତୁ ସାର ବଛା ହୋଇ

ଦଧିରୁ ଲବଣୀ ପୁଣି ଘୃତ ଯେ ଅଟଇ ।

ଏ କଳିଯୁଳରେ ଏକା ହରିନାମ ସାର

ହରିନାମ ଭଜି ଭବ ସାଗରୁ ଉଦ୍ଧର ।

ଶ୍ରୀ ଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନ

ଚିତ୍ତବୋଧ ଗ୍ରନ୍ଥ ଲେଖେ ଶ୍ରୀ କ୍ଷେତ୍ରମୋହନ ।

 

ନାରକାସୁର ବଧ, ଷୋଳସସ୍ର କନ୍ୟା ସହ ବିବାହ ଓ
ପାରିଜାତ ହରଣ

ଶୁଣ ଆହେ ସାଧୁଜନେ ଏ ଅପୂର୍ବ ରସ

ଦ୍ୱାପର ଯୁଗର ଲୀଳା ଶ୍ରୀକୃଷ୍ଣଙ୍କ ଯଶ ।

ସତ୍ୟଭାମା ବିଭାହୋଇ ପ୍ରଭୁ ଚକ୍ରଧର

ଅନ୍ତଃପୁରେ ବିହରିଲେ ତାହାଙ୍କ ସଙ୍ଗର ।

ଦିନେ ଅଷ୍ଟ ପାଟବଂଶୀ ଘେନି ସଙ୍ଗତରେ

ପଶା ଖେଳୁଥାନ୍ତି ହରି ହରଷ ମନରେ ।

ଏହି ସମୟରେ ବୀଣା ବଜାଇ ନାରଦ

ଗାଇ ନାରାୟଣ ନାମ ପ୍ରେମେ ଗଦ ଗଦ ।

ଶ୍ରୀକୃଷ୍ଣଙ୍କ ଅନ୍ତଃପୁରେ ପ୍ରବେଶ ହୋଇଲେ

ଅଷ୍ଟଲକ୍ଷ୍ମୀଙ୍କ ଗହଣେ ପ୍ରଭୁଙ୍କୁ ଦେଖିଲେ ।

ବୋଲନ୍ତି ଦେବର୍ଷି ବଡ଼ ସୌଭାଗ୍ୟ ମୋହର

ଦରଶନ କରି ଅଷ୍ଟଲକ୍ଷ୍ମୀ ଚକ୍ରଧର ।

ସର୍ବ ପାଟବଂଶୀଗଣ ନାରଦଙ୍କୁ ଦେଖି

ଜଳଘଟି ଆଣିଲେ ସେ ଆସନ ଉପେକ୍ଷି ।

ଯେତେ ମତେ ଦେବର୍ଷି କରନ୍ତି ନାହିଁ ନାହିଁ

ନ ମାନି ସରବେ ଦେଲେ ଋଷିପାଦ ଧୋଇ ।

ଯେଉଁ ନାମଗୋଟି ସଦା ଜପା ମାଳା ମୋର

ତା ଘରଣୀ ପାଦଧ୍ବନି ଏ ଭୃତ୍ୟ ଛାରର ।

ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଅଟ ପୁଣ୍ୟବନ୍ତ

ତବ ପାଦ ସେବାକରି ହୋଇବା ପବିତ୍ର ।

ଉକ୍ତ ବଡ଼ ଭଗବାନ ସଦା ତା ଚାକର

ଭକ୍ତର ସେବା ନିମନ୍ତେ ଜନମ ମୋହର ।

ମୋର ନାରୀ ଭକ୍ତ ସେବା କରିବା ନିମନ୍ତେ

ଜନ୍ମିଛନ୍ତି ନର ଦେହ ବହି ଏ ମରତେ ।

ନାରଦ ବୋଲନ୍ତି ତୋତେ ନ ପାରିବି ମୁହିଁ

ସଚରାଚର ବ୍ରହ୍ମାଣ୍ଡ ତୋ ଗର୍ଭେ ଅଛଇ ।

ମାତ ଲକ୍ଷ୍ମୀଙ୍କୁ ବା କିସ କହିବ ଏ ଦୀନ

ସକଳ ଜୀବଙ୍କୁ ଯେହୁ ଯୋଗାଏ ଭୋଜନ ।

ଶ୍ରୀକୃଷ୍ଣଙ୍କ ନାରୀମାନେ ଯତି ପାଦ ଧୋଇ

ନିଜ କାନି ପଣତରେ ପୋଛନ୍ତି ସୁମୁହୀ ।

ପଣତେ ପାଦ ପୋଛିବା ଦେଖି ଯତିବର

ବୋଲେ କେତେ ମଳି ଧୂଳି ଲାଗିଛି ପାଦର ।

କିମ୍ପା ଘୃଣା ନ କରିଣ ପୋଛୁଛ ଅଞ୍ଚଳ

ଧନ୍ୟ ଧନ୍ୟ ମାତ ଧନ୍ୟ ଅଟେ ତବ ଖେଳ ।

ସଦା ଭକ୍ତାଧିନ ତୁମ୍ଭେ ମାତାପିତା ଦୁଇ

ଭକତକୁ ଦିଅ ତୁମ୍ଭେ ନିଜେ ମା ନ ଖାଇ ।

ଏହିପରି ନାରଦ ଯେ ବହୁ ପ୍ରଶଂସିଲେ

ଋଷି ପାଦ ଧୋଇ ଲକ୍ଷ୍ମୀ ଉଦକ ପାଇଲେ ।

କଲ୍ୟାଣ କରନ୍ତି ଋଷି ସୁଖେ ମୋ ବିହର

ସଦା ପ୍ରଭୁ ପାଦେ ମନ ରହୁ ମା ତୁମ୍ଭର ।

ଅଷ୍ଟସଖୀ ମଧ୍ୟେ ଗଣା ହୁଅ ତୁମ୍ଭେ ମାତା

ଯୁଗେ ଯୁଗେ ତବ ନାମ ଘୋଷନ୍ତୁ ସର୍ବଥା ।

ନିଜେ ଶ୍ରୀକୃଷ୍ଣ ମୁନିଙ୍କୁ କରି ସମାଦର

କର ଧରି ବସାଇଲେ ପଲଙ୍କ ଉପର ।

ନାରଦଙ୍କ ସେବା ସାରି ସର୍ବନାରୀଗଣ

ଯେ ଯାହା ଅନ୍ତଃପୁରକୁ ଚଳିଲେ ତକ୍ଷଣ ।

ଏକାନ୍ତରେ ନାରଦଙ୍କୁ ପୁଚ୍ଛନ୍ତି ଶ୍ରୀହରି

କେବଣ କାରଣେ ଆଗୁମନ ମୋର ପୁରୀ ।

ନାରଦ ବୋଲନ୍ତି ଶୁଣ ଆହେ ନନ୍ଦ ବଳା

କେଉଁ କଥା ଅଜଣା ଯେ କହ ଅଛି ଭଲା ।

ଜଗନ୍ନାଥ ବୋଲନ୍ତି ଦେବର୍ଷି ମୁଖ ଚାହିଁ

ମନୁଷ୍ୟ ଶରୀର ମୁଁ ତ ମର୍ତ୍ତ୍ୟେ ଅଛି ବହି ।

କିପରି ଜାଣିବି କହ ସମସ୍ତ ଚରିତ

ତହିଁରେ ନାରଦ ମୁନି ନ କଲେ ସମ୍ମତ ।

କରଯୋଡ଼ି ବୋଲି ଧୀରେ ବ୍ରହ୍ମାଙ୍କ କୁମର

ବର୍ତ୍ତମାନ ବିପଦ ପଡ଼ିଛି ସ୍ଵର୍ଗପୁର ।

ବକୁଳାଞ୍ଜନ ପର୍ବତେ ନାରକ ଅସୁର

ଦାସକରି ଦେବତାଙ୍କୁ ଖଟାଏ ପାଦର ।

ମହାଦେବଠାରୁ ବର ପାଇ ଦୈତ୍ୟବର

ତିନିପୁର ଜନ ସବୁ ମଣଇ କିଙ୍କର ।

ବହୁକାଳ ହେଲା ସେ ଅସୁର ନ ମରଇ

ସତ୍ୟ ଯୁଗୁଁ ରହିଅଛି ସେ ଯେ ଦେହ ବହି ।

ଯେତେକ ଦାନବ ଥିଲେ ସବୁଠାରୁ ଘୋର

ଅତ୍ୟାଚାରୀ ଅଟେ ଏହି ଦାନବ ଅସୁର ।

ମହୋଦର ନାମେ ଅଛି ସେନାପରି ତାର

ବହୁକାଳେ ଦିଗ୍‌ବିଜୟ କରେ ତିନିପୁର ।

ଯେତେ ସୁନ୍ଦରୀ କନିଆ ଥିଲେ ରାଜାଙ୍କର

ସମସ୍ତଙ୍କୁ ଆଣିଅଛି କରି ବଳାତ୍କାର ।

ଷୋଳସହସ୍ର ସୁନ୍ଦରୀ ଏକୁ ଏକ ବଳି

ସମସ୍ତଙ୍କୁ ପୁରେ ରଖିଅଛି ମହାବଳି ।

ଯେଉଁଦିନ ଲକ୍ଷେ କନ୍ୟା ପୁରଣ ହୋଇବ

ସେହି ସେ ସମସ୍ତ ଦୈତ୍ୟ ତାଙ୍କୁ ବିଭା ହେବ ।

ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଆଦିକରି

ପ୍ରତିଦିନ କରୁଛନ୍ତି ତା ପୁରେ ଚାକିରୀ ।

ବ୍ରହ୍ମା ବେଦ ପଢୁଛନ୍ତି ନିତି ତାର ଦ୍ବାର

ଅପ୍‌ସରା ନୃତ୍ୟ କରନ୍ତି ଯେ ଅଷ୍ଟ ପ୍ରହର ।

ଏହିପରି ଦେବତାଏ ସେବା କରୁଛନ୍ତି

ସ୍ବର୍ଗ ମୂଲ୍ୟବାନ ଦ୍ରବ୍ୟ ସେ ଲୁଟି କରନ୍ତି ।

ଦେଖି ଦେବଙ୍କ ବିକଳ ମୋତେ ପିତୃଦେବ

ପେଶିଛନ୍ତି ଗୁପତରେ ପ୍ରଭୁ ତବ ଠାବ

ମାତଳି ରଥ ଘେନିଣ ପଛରେ ଆସଇ

ସଜହୁଅ ଦୁଷ୍ଟନାଶି ରକ୍ଷାକର ମହୀ ।

ଶ୍ରୀକୃଷ୍ଣ ବୋଲନ୍ତି ଦେବ ନ ପାରିବି ମୁହିଁ

ଏଡ଼ ବଡ଼ ବର କିମ୍ପା ଦେଲେ ଉମାସାଇଁ ।

ଆଗପଛ ନ ବିଚାରି ବର ଦେଇ ଦେବେ

ନପାରିଲାବେଳେ ଆସି ମୋତେଯେ ଲୋଡ଼ିବେ ।

ଯାଅ ଦେବତାଙ୍କୁ କୁହ ଶିବକୁ ଜଣାନ୍ତି

ଶକ୍ତି ଦେଇଛନ୍ତି ସେହି ଅସୁର ନାଶନ୍ତି ।

ଶୁଣି ନାରଦ ବୋଲନ୍ତି ଯୋଡ଼ି ବେନିକର

ଶିବଙ୍କ ଅବସ୍ଥା ବଳି ପଡ଼ିଛି ଅପାର ।

ପ୍ରତିଦିନ ଶିବଗଣ ଘେନି ସଙ୍ଗତର

ତାଣ୍ଡବନୃତ୍ୟ କରନ୍ତି ଆସି ତାର ପୁର ।

ଏହା ଶୁଣିଣ ହସିଲେ ପ୍ରଭୁ ଚକ୍ରଧର

ବୋଲଇ ଉଚିତ ଶାସ୍ତି ଦେଇଛି ଅସୁର ।

ଦେବର୍ଷିଙ୍କୁ ଆଜ୍ଞା ଦେଲେ ପ୍ରଭୁ ଚକ୍ରଧର

କୁହ ଦେବତାଙ୍କୁ ମୁହିଁ ଯାଉଛି ପଛର ।

ଯେତେ ବଳବାନ ଅସ୍ତ୍ର ଅଛି ତାଙ୍କ ପାଶ

କୁହ ଘେନି ମୋ ନିକଟେ ହୋଇବ ପ୍ରବେଶ ।

ପ୍ରବୋଧିଣ ଦେବର୍ଷିଙ୍କୁ ପ୍ରଭୁ ବିଦା କରି

ବିନତାର ନନ୍ଦନକୁ ଡାକିଲେ ହକାରି ।

ରମ୍ୟକ ଦ୍ୱୀପରେ ଗରୁଡ଼ ଯେ ରହଥିଲା

ବିଷ୍ଣୁଙ୍କ ଡାକ ଶୁଣିଣ ତୁରନ୍ତ ଆସିଲା ।

ଶ୍ରୀହରି ବୋଇଲେ ମୁହିଁ ଯିବି ସ୍ୱର୍ଗପୁର

ସମସ୍ତ ଯାଦବ ଯିବେ ସୈନ୍ୟ ମୋ ସଙ୍ଗର ।

ବଡ଼ ପ୍ରତାପୀ ଅଟଇ ତାରକା ଅସୁର

ଦେବତାମାନଙ୍କୁ କରୁଛନ୍ତି ଥରହର ।

ଯାଦବ ସୈନ୍ୟମାନଙ୍କୁ କନ୍ଧେ ବହି ତୁହି

ନେବୁ ସ୍ୱରଗପୁରକୁ ମୋର ଆଜ୍ଞା ବହି ।

ଶୁଣି ବିନତା ନନ୍ଦନ ଯୋଡ଼ି ବେନିପାଣି

ଏକା ମୁହିଁ ଅସୁରକୁ ଖଡ଼୍‌ଗେ ଦେବି ହାଣି ।

ଛାର ପିପିଲିକା ଲାଜ କିମ୍ପା ଧନୁଶର

ସଜ କରୁଅଛ ପ୍ରଭୁ ଭୃତ୍ୟେ ଆଜ୍ଞା କର ।

ଶ୍ରୀହରି ବୋଲନ୍ତି ବତ୍ସ ଜାଣୁ ନାହୁ ତୁହି

ସାମାନ୍ୟ ନୁହଇ ଦୈତ୍ୟ ଭଲେ ଜାଣେ ମୁହିଁ ।

ଶୁଣି ବିନତା ନନ୍ଦନ ଧାତିକାରେ ଗଲା

ସାତ କ୍ଷୌଣୀ ଯାଦବଙ୍କୁ ପିଠିରେ ଲଦିଲା ।

ସ୍ୱରଗ ପୁରକୁ ଯୁଦ୍ଧ କରି ଯିବା ପାଇଁ

ଯାଦବ ସୈନ୍ୟ ଆନନ୍ଦ କେ ପାରିବ କହି ।

ତାଳଧ୍ବଜ ରଥରେ ବିଜେ ହଳଧର

ଉଗ୍ରସେନ ଆଦି ବୀର ଘେନିଣ ସଙ୍ଗର ।

ନନ୍ଦିଘୋଷ ରଥେ ବିଜେ କରି ଚକ୍ରଧର

ବାହାରନ୍ତେ ସତ୍ୟଭାମା ଯୋଡ଼ି ବେନିକର ।

ବୋଇଲେ ହେ ନାଥ ମୁହିଁ ତୁମ୍ଭ ସଙ୍ଗେ ଯିବି

କିପରି ସ୍ବରଗ ପୁର ଦେଖିଣ ଆସିବି ।

ବହୁଦିନୁ ପ୍ରଭୁ ମୋର ବଳିଅଛି ମନ

ତବ ବିନୁ ଏ ଦାସୀର କାର୍ଯ୍ୟ ନାହିଁ ଆନ ।

ନିମିଷେ ଅନ୍ତର କଲେ ନ ପାରିବି ରହି

ଦାସୀଙ୍କୁ ସଙ୍ଗରେ ନିଅ ମନେ ଦୟା ବହି ।

ଦେବୀଙ୍କୁ ତ ଅତି ସ୍ନେହ କରନ୍ତି ଠାକୁର

ଆଜ୍ଞାଦେଲେ ସଜହୋଇ ସବ ରହୁବର ।

ଦିବ୍ୟ ବେଶହୋଇ ସତ୍ୟଭାମା ଦେବୀ ଆସି

ରଥ ଉପରେ ବସଲେ ମନେ ହୋଇ ଖୁସି ।

ରଥ ସହ ଗଜବାଜି ସାତକ୍ଷୌଣି ବଳ

ଗରୁଡ଼ ପୃଷ୍ଠରେ ସର୍ବେ ହୋଇଲେକ ଠୁଳ ।

ମହାକାୟା ବିସ୍ତାରିଛି ବୈନତେୟ ସୁତ

ସାରା ପୃଥିବୀ ହୋଇବ ତା ପୃଷ୍ଠରେ ସ୍ଥିତ ।

ଉଠିଯାନ୍ତି ପକ୍ଷାଘାତେ ପର୍ବତ ଭାଙ୍ଗଇ

ଉଡ଼ନ୍ତା କି ଅଣଚାଶ ମରୁତ ବହଇ ।

ବକୁଳାଞ୍ଜନ ପର୍ବତ ପାଶେ ଯହୁଁ ହେଲେ

ଓହ୍ଲାଇବାକୁ ଗରୁଡ଼ ପ୍ରଭୁ ଆଜ୍ଞାଦେଲେ ।

ବକୁଳାଞ୍ଜନ ପର୍ବତ ତଟେ ନଦୀକୂଳେ

ଶିବିର ସ୍ଥାପନ କଲେ ଯାଦବ ସକଳେ ।

ମହାକାୟା ଲୋପକରି ପକ୍ଷୀରାଜ ବୀର

ଜଗିରହିଲା ଆନନ୍ଦେ ପ୍ରଭୁଙ୍କ ଶିବିର ।

ସେହି ପର୍ବତ ଅଟି ବଡ଼ଇ ସୁନ୍ଦର

ଆଡ଼ ଦୈର୍ଘ୍ୟ ଆୟତନ ଶତେ କ୍ରୋଶ ତାର ।

ଚାରିପାଶେ ମେଘନାଦ ପ୍ରାଚୀର ତୋଳାଇ

ପର୍ବତରେ ଦୈତ୍ୟ ଅଛି ନଅର କରାଇ ।

ସେ ଗଡ଼ର ଶୋଭା କେହି କଳି ନ ପାରନ୍ତି

ଅନେକ କୌଶଳେ ଦୈତ୍ୟପୁର ଭ୍ୟାଇଛନ୍ତି ।

ସେଇଥି ନିମନ୍ତେ ତାକୁ ନ ପାରନ୍ତି କେହି

କେଉଁଠାରେ ରହେ ଦୈତ୍ୟ ନ ଜାଣନ୍ତି କେହି ।

ଶ୍ରୀକୃଷ୍ଣଙ୍କ ଦରଶନ ଲାଗି ଦେବଗଣ

ଅସୁରକୁ ଲୁଚି ରାତ୍ରେ ମିଳିଲେ ପାଶେଣ ।

ସର୍ବ ଦେବଗଣ ଆସି ପ୍ରଭୁଙ୍କୁ ନମିଲେ

ଧାତାଙ୍କ ଚରଣେ କୃଷ୍ଣ ରାମ ପ୍ରଣମିଲେ ।

ଯେତେ ବଳବାନ ଅସ୍ତ୍ର ଥିଲା ଦେବ ପାଶେ

ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଆଣିଦେଲେ ହେ ହରଷେ ।

ପ୍ରଭୁ ବୋଇଲେ ସକଳ ଦେବତାଙ୍କୁ ଚାହିଁ

କାଲି ଅସୁର ପୁରକୁ କେହି ଯିବ ନାହିଁ ।

ନ ଗଲେକ ନିଶ୍ଚେ କ୍ରୋଧେ ଆସିବ ଅସୁର

ତୁମ୍ଭଙ୍କୁ ଦଣ୍ଡିଲେ ମୁହିଁ କରିବି ସଂହାର ।

ଶୁଣିଣ ଦେବତାଗଣ କଲେ ସନମତ

ଯେଯାହା ରୂପରେ ଯାଇ ହୋଇଲେ ନିଦ୍ରିତ ।

ଆରଦିନ ପ୍ରଭାତରୁ ନାରକା ଅସୁର

ମହୋଦର ଦଇତକୁ ରାଇଲା ପାଶର ।

ବୋଇଲା କିମ୍ପାଇ ଦେବତାଙ୍କ ଦେଖା ନାହିଁ

ପ୍ରଭାତରୁ ଧାତା ଆଜ ବେଦ ନ ପଢଇ ।

ଯମ କିମ୍ପା ବାଡ଼ି ତାଟି ନ ଖଟେ ମୋହର

ଇନ୍ଦ୍ରଦେବ ନ ପକାଏ ମୋ ପାଶେ ଚାମର ।

ନୃତ୍ୟ ନ କରନ୍ତି ଆସି ଅପସରାଗଣ

କୁବେର ନ ଜଗେ ଆଜି ମୋ ଭଣ୍ଡାର ପୁଣ ।

ସେନାପତି ସଙ୍ଗେ କଥା ହୋନ୍ତେ ନରରାଣ

ଗୁପ୍ତଚର ଏକ ଆସି ମିଳିଲା ପାଶେଣ ।

କରଯୋଡ଼ି ଖଣ୍ଡେ ଦୂରକୁ ସେ ଘୁଞ୍ଚିଯାଇ

ମୁଖେ ହସ୍ତ ଦେଇ ଧୀରେ ବଚନ କହଇ ।

ବୋଇଲା ମଣିମା କାଲି ନିଶିଥରେ ମୁହିଁ

ପର୍ବତ ତଳରେ ଗୁସ୍ତେ ଘୁରୁଥୁଲି ଯାଇ ।

ଆଶ୍ଚର୍ଯ୍ୟ କଥାଏ ସ୍ଵଚକ୍ଷୁରେ ମୁଁ ଦେଖିଛି

ଜୀବନରେ ପ୍ରଥମେ ମୁଁ ଏହା ଜାଣୁଅଛି ।

ପ୍ରତିଦିନ ସେହି ସ୍ଥାନ ଜଗି ରହିଥିଲି

କାଉ କୋଇଲି ଗୋଟିଏ ଦେଖୁ ଯେ ନଥିଲି ।

ହଠାତ୍‌ କାଲି ରାତିରେ ସାଗର ସମାନ

କୋଟି କୋଟି ଜମିଛନ୍ତି ଆସି କାହୁଁ ସୈନ୍ୟ ।

ତା ପରେ ନିର୍ଜନ ରାତ୍ରେ ସର୍ବ ଦେବଗଣ

ବଳବାନ ଅସ୍ତ୍ର ଘେନି ମିଳିଲେ ପାଶେଣ ।

ଜଣେ ଲୋକ ପାଦତଳେ ସମସ୍ତେ ପଡ଼ିଲେ

ଜ୍ୟୋତିର୍ମୟ ମାରଣାସ୍ତ୍ର ତାକୁ ଦାନକଲେ ।

ପୁଣି ଦେବତାଙ୍କୁ ଆଜ୍ଞା ଦେଲେ ସେ ମୁଖର

କାଲି କେହି ଯିବ ନାହିଁ ଦଇତର ପୁର ।

ଆବର କହିଲା ଦେବତାଙ୍କୁ ଅତ୍ୟାଚାର

କଲେ ଦାନବ କରିବ ନିଶ୍ଚେ ଯେ ସଂହାର ।

ଚାର ମୁଖୁ ବାର୍ତ୍ତା ପାଇ କ୍ରୋଧେ ଦୈତ୍ୟବର

କୁରାଳ ଚକ୍ର ପରାୟ ଚକ୍ଷୁବୁଲେ ତାର ।

ମହୋଦର ଦୈତ୍ୟ ମୁଖ ଚାହିଁ ନୃପସାଇଁ

ବୋଲେ ଏହି ମୁହୂର୍ତ୍ତରେ ସ୍ୱର୍ଗେ ଯାଅ ତୁହି ।

ସର୍ବ ଦେବତାଙ୍କୁ ଘେନି ଆସି ଚୁଟିଧରି

ଦେଖିବି ରଖିବ କେଉଁ ବାପା ଆସିକରି ।

ଏହା କହି ଦୈତ୍ୟ ରାଗେ ତମ ତମ ହୋଇ

ବୋଲେ ଆଉ ସ୍ବର୍ଗଦେବତାଙ୍କୁ ରକ୍ଷା ନାହିଁ ।

ଆଜ୍ଞା ପାଇବା ମାତ୍ରେଣ ମହୋଦର ବୀର

ସୈନ୍ୟଦଳ ସଙ୍ଗେଘେନି ହୋଇଲେ ବାହାର ।

ଆଗ ଯାଇ ବିଧାତାଙ୍କ ପୁରରେ ମିଳିଲା

ସୈନ୍ୟମାନଙ୍କୁ ପେଶିଣ ତାହାଙ୍କୁ ରାଇଲା ।

ରାକ୍ଷସ ଗମନ ଦେଖି ପ୍ରଭୁ ଚକ୍ରଧର

ଗରୁଡ଼ ପୃଷ୍ଠରେ ବସି ଧାଇଁଲେ ପଛର ।

ଯେତେବେଳେ ଧାତାଆସି ରୁକ୍ଷ ପାଶେହେଲେ

ରାଗେ ତମତମ ହୋଇ ମହୋଦର ବୋଲେ ।

କିରେ ବ୍ରହ୍ମା ଆଜି କିମ୍ପା ପ୍ରଭାତରୁ ତୁହି

ବେଦପାଠ କରିବାକୁ ଘରେ ଗଲୁ ନାହିଁ ।

ଏଣେ ଲୁଚି ରହିଥାନ୍ତି ପ୍ରଭୁ ଚକ୍ରଧର

ଦେଖି ଧାତା ନ କରିଲା ଦୈତ୍ୟଙ୍କୁ ଖାତର ।

ବିଧାତା ବୋଇଲେ ମହୋଦର ମୁଖ ଚାହିଁ

ଛାର ଅସୁର ପୁରକୁ ଆଉ ଯିବି ନାହିଁ ।

ବେଦ ପଢିବାକୁ ରହି ନାହିଁ ମୁଁ ଚାକର

ଆଉ ଦେବତାଏ କେ ନ ଯିବେ ଦୈତ୍ୟପୁର ।

ଶୁଣି ରାଗେ ଜର ଜର ହୋଇ ମହୋଦର

ବୋଲେ ଚାଲ ଭଲ ଗତି ଥିଲେ ମୋ ସଙ୍ଗର ।

ନୋହିଲେ ଯେ ଚୁଟି ଧରି ଘେନିଯିବି ମୁହିଁ

କେଉଁ ବାପା ସାହସରେ କରୁଛୁ ବଡ଼ାଇ ।

ମନାକଲେ ବେଦବର କେଭେ ଯିବି ନାହିଁ

କିପରି ଜବରଦସ୍ତ ନେବ ଦେଖିବଇଁ ।

ପରଜ୍ୱଳି ରାକ୍ଷସ ଯେ ଖଡ଼୍‌ଗ ଚମକାଇ

ସୈନ୍ୟଙ୍କୁ ବୋଇଲଶ ମୁଛ ଧରି ଆଣ ଯାଇ ।

ସେ ତ ସ୍ଵଭାବେ ଅସୁର ତାଙ୍କ ବୁଦ୍ଧି ନାହିଁ

ମୁଛ ଧରିବା ପାଇଁକି ଗଲେ ସେହୁ ଧାଇଁ ।

ରାକ୍ଷସର କ୍ରୋଧ ଦେଖି ଡାକେ ବେଦବର

କେଣେ ଅଛ ଏ ବିପଦୁ ପ୍ରଭୁ ରକ୍ଷାକର ।

ଜଗତ କରତା ପ୍ରଭୁ ଉଭା ହୋଇଥିଲେ

କ୍ରୋଧେ ରାକ୍ଷସ ଉପରେ ବାଣ ବରଷିଲେ ।

ଯେଉଁ ଋକ୍ଷସୈନ୍ୟ ଧାତା ପାଶେ ଥିଲା ଯାଇ

ମୁଛକୁ ହାତ ବଢାନ୍ତେ ପଡ଼ିଲା ସେ ଶୋଇ ।

ମରିଗଲି ମରିଗଲି ଶବଦ କରିଲା

ସେ ଶବଦ ଶୁଣି ମହୋଦର ଧାଇଁଗଲା ।

ଦେଖିଲି ପଡ଼ିଛି ସୈନ୍ୟ ରକ୍ତେ ଜରଜର

କିଏରେ କିଏରେ ବୋଲି କମ୍ପାଏ ଅଧର ।

ଆରେ ଶୃଗାଳ ସିଂହର କରୁଅଛୁ ବାଦ

ନିଶ୍ଚୟ ପଡ଼ିଲା ଆସି ତୋରି ପରମାଦ ।

ବଳରାମ ମହାପ୍ରଭୁ ସହି ନ ପାରିଲେ

ଲଙ୍ଗଳ ଧରିଣ ଦେବ ଆଗେ ଉଭା ଦେଲେ ।

ନିର୍ଘାତେ ଲଙ୍ଗଳ ଧରି ରେବତୀ ରମଣ

ପିଟିଲେ ରାଗେ ବୁଲାଇ ସୈନ୍ୟ ଉପରେଣ ।

ସେ ପ୍ରହାର ଘାତେ ଦୈତ୍ୟ ରେରେକାର କରି

ନାସିକାରୁ ରୁଧିର ତା ପଡ଼ଇ ବାହାରି ।

ରାକ୍ଷସର ପାଶେ ଲକ୍ଷ ଲକ୍ଷ ସୈନ୍ୟ ଥିଲେ

କ୍ରୋଧେ ଅନ୍ତ୍ର ଧରି ଘୋର ରଣ ଆରମ୍ଭିଲେ ।

ସ୍ୱୟଂ ଅନନ୍ତ ମୂରତି ଧରି ହଳଧର

ଲଙ୍ଗଳେ ପିଟି ଅସୁର କରିଲେ ସଂହାର ।

ଯାଦବ ସୈନ୍ୟ ସକଳେ କରେ ଧନୁ ଧରି

ଅପ୍ରମିତ ବାଣମାନ ବିନ୍ଧନ୍ତି ଓଟାରି ।

ନିମିଷକ ମଧ୍ୟେ ଯେତେ ଦୈତ୍ୟ ସୈନ୍ୟ ଥିଲେ

ଏକା ହଳଧର ସମସ୍ତଙ୍କୁ ବିନାଶିଲେ ।

ସୈନ୍ୟ ଧ୍ୱଂସ ହେବା ଯହୁଁ ଦେଖିଲା ଅସୁର

କ୍ରୋଧେ ଆଗଭରହୋଇ ହୋଇଲା ବାହାର ।

ଯାଦବମାନଙ୍କ ତେଜ କେ ପାରିବ କହି

ରଣଘାତେ ଦଲ ଦଲ ମେଦିନୀ କମ୍ପଇ ।

ତେତ୍ରିଶେକୋଟି ଦେବତା ଏକମେଳି ହୋଇ

ଅପ୍ରମିତ ରଣ ଦେଖୁଥାନ୍ତି ହର୍ଷେ ରହି ।

ବଳରାମଙ୍କର କ୍ରୋଧ ବଢ଼ଇ ଅପାର

ଯେ ଆଗେ ପଢଇ ତାକୁ କରନ୍ତି ସଂହାର ।

ରକତରେ ସ୍ବରଗରେ ନଦୀ ଯାଏ ବହି

ଚଣ୍ଡୀ ଚାମଣ୍ଡାଏ ମିଳି ଯାଉଥାନ୍ତି ପିଇ ।

ରଟମଟ କଟମଟ କିଳିକିଳା ନାଦ

କରିଣ ଯୋଗିନୀଗଣ ଖାଆନ୍ତି କବନ୍ଧ ।

ଏଣେ ମହୋଦର ସଙ୍ଗେ ପ୍ରଭୁ ହଳଧର

ବିଶ୍ବ ମୂରତି ଧରିଣ କରନ୍ତି ସମର ।

ମାୟାବୀ ଅସୁର ଜାଣେ ରଣ କଉଶଳ

ଚାହୁଁ ଚାହୁଁ କାୟା ବିସ୍ତାରିଲା ଅନର୍ଗଳ ।

ମର୍ତ୍ତ୍ୟେ ପାଦ ଆକାଶରେ ଲାଗେ ତାର ଶିର

ଚନ୍ଦ୍ର ସୂର୍ଯ୍ୟ ଦିବସରେ ହୋଇଲେ ଅନ୍ଧାର ।

ଦେଖିଣ ଯାଦବ ସୈନ୍ୟ ହଟି ପଳାଇଲେ

ଦେବତାଗଣ ଭୟରେ ଥରହର ହେଲେ ।

ଗରୁଡ଼ ପୃଷ୍ଠରେ ଜଗନ୍ନାଥ ରହିଥିଲେ

ଜ୍ୟେଷ୍ଠ ଭ୍ରାତାଙ୍କର ରଣ ପ୍ରଭୁ ଦେଖୁଥିଲେ ।

ଅସୁର କରିଲା ମାୟା ଜାଣି ଚକ୍ରଧର

ବୋଇଲେ ଗରୁଡ଼ ଶୀଗ୍ର ହୁଅସି ଅନ୍ତର ।

ଦେବୀଙ୍କୁ ନେଇଣ ରୁହ ନିରାପଦ ସ୍ଥାନ

ରଣକ୍ଷେତ୍ରକୁ ମୁଁ କରୁଅଛି ଯେ ଗମନ ।

ଏତେ କହି ଦେବ ହରି ଚକ୍ର କରେ ଧରି

ନନ୍ଦିଘୋଷ ରଥେ ବାହାରିଲେ ଦଇତ୍ୟାରି ।

ଆଜ୍ଞା ଦେଲେ ସୁଦର୍ଶନେ କମଳା ରମଣ

ଶୀଘ୍ର ଏହି ଦଇତର ମୁଣ୍ଡକୁ ତୁ ହାଣ ।

କହିବା ମାତ୍ରକେ ଚକ୍ର ଶୂନ୍ୟେ ଚଳିଗଲା

ପ୍ରତାପୀ ଅସୁର କାନ୍ଧ ଉପରେ ପଡ଼ିଲା ।

ଘୋର ରଡ଼ିକରି ଦୈତ୍ୟ ଦୁଇଫାଳ ହୋଇ

ଭୂମି ଉପରେ ପଡ଼ିଲା ରକ୍ତ ଯାଏ ବହି ।

ଶେଷ ଗରଜନେ ତାର କମ୍ପିଲା ତ୍ରିପୁର

ପାତାଳରେ ବାସୁକି ହୋଇଣ ଥରହର ।

ନାରକା ଅସୁର ପୁର ମଧ୍ୟେ ରହିଥିଲା

ମହୋଦର ମୃତ୍ୟୁ ରଡ଼ି ତା କାନେ ବାଜିଲା ।

ବସିବା ଆସ୍ଥାନୁ ଢଳି ପଡ଼ିଲା ଅସୁର

ମହୋଦର ଗୁଣ ସ୍ମରି କାନ୍ଦେ ଦୈତ୍ୟବର

ଏତେକାଳ ହେଲା ମୁହଁ ଥିଲି ନିର୍ବିଘ୍ନରେ ।

କାହୁଁ ଏ ଅଜାତ ଶତ୍ରୁ ମିଳିଲା ଏଠାରେ ।

ଏହା କହି ଦୈତ୍ୟ ଅସ୍ତ୍ର ଧରି ବାହାରଇ

ସମସ୍ତ ସୈନ୍ୟ ତା ସଙ୍ଗେ ଥାଆନ୍ତି ଗୋଡ଼ାଇ ।

ଦିବ୍ୟବେଶ ହୋଇ ରଥେ ବସେ ଦୈତ୍ୟବର

ଗରଜନ କରି ମିଳେ ଶ୍ରୀକୃଷ୍ଣ ପାଶର ।

ବୋଇଲାରେ ମୂର୍ଖ ତୋର ଇଷ୍ଟ ଚିନ୍ତାକର

ଅଳପ ସମୟ ମଧ୍ୟେ ଯିବୁ ଯମପୁର ।

ଏହା କହି ଦୈତ୍ୟବୀର ବିଶ୍ୱମୂର୍ତ୍ତି ଧରି

ଆକାଶ ପାତାଳଯାଏ ଅଛି ଏ ବିସ୍ତାରି ।

ତାର ଭୟେ ପବନ ଯେ ବହି ନ ପାରଇ

ନିଃଶ୍ବାସଘାତେ ପର୍ବତେ ଲେଉଟି ପଡ଼ଇ ।

ନାରକାର ଭୟଙ୍କର ମୂର୍ତ୍ତି ଦେଖି ଦେବ

ଭାବନ୍ତି ସରଗପୁର ଆଉ ନ ରହିବ ।

ଦେବଙ୍କ ବିକଳ ଦେଖି ପ୍ରଭୁ ଦାମୋଦର

ଦୈତ୍ୟଠାରୁ ବେଶୀ କାୟା କରିଲେ ବିସ୍ତାର ।

ବିନତାର ନନ୍ଦନ ଯେ ଉଭା ହୋଇଥିଲା

ପ୍ରଳୟଙ୍କର ମୂରତି ଧରିଣ ଧାଇଁଲା ।

ତାର ପକ୍ଷଘାତେ ଗଛ ପତର ଉଡ଼ିଲା

ଉଡ଼ନ୍ତା ପକ୍ଷୀଏ ମରି ତଳରେ ପଡ଼ିଲା ।

ପ୍ରଚଣ୍ଡ ରାଗେ ବିନତାସୁତ ଧାଇଁ ଯାଇ

ଅସୁର ମୁତୁଟ ଥଣ୍ଟେ ଦେଲା ଫୋପାଡ଼ଇ ।

ବେଳୁଁ ବେଳ ସମର ଯେ ହୋଇଲା ପ୍ରଖର

ଏକୁ ଏକ ବଳି ଶୋଭା ଦୁଇ ପକ୍ଷଙ୍କର ।

ମାୟାବୀ ଅସୁର ବହୁ ମାୟା ଆରମ୍ଭଇ

ଏ ତ ମାୟାଧର ପ୍ରତି ମାୟା ଯେ କରଇ ।

ଦେଖିଣ ଦେବତା ଆଉ ଯାଦବ ସଇନ

ବୋଲନ୍ତି ଧନ୍ୟ ଧନ୍ୟ ହେ ଦେବକୀ ନନ୍ଦନ ।

ଧନ୍ୟରେ ବିନତାସୁତ ଧନ୍ୟ ଅଟୁ ତୁହି

ତା ନୋହିଲେ ବିଷ୍ଣୁ ଯାନ ନ ଥାନ୍ତୁ ତୁ ହୋଇ ।

ଏହିପରି ପ୍ରଶଂସା କରନ୍ତି ଦେବେ ରହି

ଦୂରେ ସତ୍ୟଭାମା ଦେବୀ ଦେଖୁଥାନ୍ତି ଥାଇ ।

ମନେ ଭାବନ୍ତି ମୋ ସ୍ୱାମୀ ସାମନ୍ୟ ନୁହନ୍ତି

ମୋଠାରୁ ସଂସାରେ କେହି ନାହିଁ ଭାଗ୍ୟବତୀ ।

ସ୍ୱୟଂ ବ୍ରହ୍ମାଣ୍ଡ କରତା ପ୍ରାଣନାଥ ମୋର

ଧନ୍ୟ ମୋର ପିତା ମାତା ଦେଲେ ପ୍ରଭୁକର ।

ଆଶ୍ଚର୍ଯ୍ୟ ହୋଇଣ ସର୍ବ ଦେବତା ଦେଖନ୍ତି

ଅନାଦି ନିରଞ୍ଜନକୁ ସ୍ତୁତି ଯେ କରନ୍ତି ।

ଏଣେ ଦୈତ୍ୟ ବେଳୁବେଳ କାୟା ବିସ୍ତାରଇ

ଯେତେ ଶର ଯାଏ ସବୁ ଗର୍ଭକୁ କ୍ଷେପଇ ।

ଯେତେ ବାଣ ଥିଲା ପ୍ରଭୁ ସବୁ ସଂହାରିଲେ

ପ୍ରକାଣ୍ଡ ଦୈତ୍ୟକୁ କେଭେ ମାରି ନପାରିଲେ ।

ବଳରାମ ଆଦି ଯେତେ ଯାଦବ ସଇନ

ରଣତେଜି ସର୍ବେ ହୋଇଗଲେ ଯେ ମଉନ ।

ରାଗେ ଜର୍ଜର ହୋଇଣ ଥାନ୍ତି ଜଗନ୍ନାଥ

ଏକମାତ୍ର ଗରୁଡ଼ ଯେ ତାହାଙ୍କର ସାଥ ।

ସୁନତା ସୁତର ରଣ କୌଶଳ ଅଦ୍ଭୁତ

ଦେଖି ଅସୁର ମନେ ମନେ ହୁଏ ଭୀତ ।

ଖଗେ ଅସୁରର ଦେହ ଝିଙ୍କି ପକ୍ଷୀବର

ଅସ୍ତବ୍ୟସ୍ତ କରେ ଦେହୁ ଗଳଇ ରୁଧିର ।

ଯେତେ ବାଣ ବିନ୍ଧେ ଦେତ୍ୟ ଗରୁଡ଼ ଉପର

ଗଳି ପଡ଼ଇ ମେଲାଇ ଝାଡ଼ିଦ୍ୟନ୍ତେ ପର ।

ଏଣେ ଭୈରବୀ ମୂରତିଧରି ଚକ୍ରଧର

ଚତୁର୍ଭୁଜ ହୋଇ ପ୍ରଭୁ କରନ୍ତି ସମର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କାୟା ଅଛି ଘୋଟି

ଗଳଇ ରୁଧିର ବାସୁକିର ନାସା ଫାଟି ।

ଯହୁଁ ବିକଳରେ ସ୍ତୁତି କଲା ବସୁମତୀ

ଶୂନ୍ୟରେ ଉଡ଼ିଣ ପ୍ରଭୁ ବାଣ ବରଷନ୍ତି ।

ବାଣ ମାରି ଯହୁଁ ପ୍ରଭୁ ଆକ୍ରାନ୍ତ ହୋଇଲେ

ସୁଦର୍ଶନକୁ ଚାହିଁଣ ପ୍ରଭୁ ଆଜ୍ଞା ଦେଲେ ।

ବୋଇଲେ ତୁରନ୍ତି ରାକ୍ଷସର କାଟ ଶିର

ଶୁଣିଣ ଚକ୍ର ଚଳିଲା ପ୍ରଚଣ୍ଡ ତେଜର ।

ବିଜୁଳି ଭଳି ଯାଇଣ ରାକ୍ଷସର ଗଳେ

ପଡ଼ିଲା ଗଣ୍ଡି ମୁଣ୍ଡ ତା ଦୁଇଫାଳେ ।

କରି ଘୋର ଗରଜନ ପ୍ରକାଣ୍ଡ ଅସୁର

ଭୂମି ଉପରେ ପଡ଼ିଲା ଗଳଇ ରୁଧିର ।

ଚଣ୍ଡୀ ଚାମଣ୍ଡାମାନେ ସେ ଚାହିଁ ରହିଥିଲେ

ରାକ୍ଷସ ପଡ଼ିବା ମାତ୍ରେ ସର୍ବେ ଘେନିଗଲେ ।

ଦାନବର ନାଶ ଦେଖି ସର୍ବ ଦେବଗଣ

ଶ୍ରୀକୃଷ୍ଣଙ୍କ ନିକଟରେ ମିଳିଲେ ତକ୍ଷଣ ।

ବିଧାତା ବୋଲନ୍ତି ସ୍ତବ କର ସର୍ବେ ମିଳି

ନୋହିଲେ ଏ ରୂପେ ପ୍ରଭୁ ଦେବ ସବୁ ଜାଳି ।

ଭୈରବ ମୂରତି ଏ ଯେ ସାମାନ୍ୟ ନୁହଇ

ଯେ ପଡ଼ିବ ପ୍ରଭୁ ଆଗେ ଜଳିଯିବ ସେହି ।

ବଳରାମ ଆଦି ସାତ ଯଦୁବଂଶ ବୀର

ସତ୍ୟଭାମା ଦେବୀ ଭୟେ ହୋନ୍ତି ଥରହର ।

ଦେବତାଙ୍କ ମେଳେ ସର୍ବେ ଏକମେଳ ହୋଇ

ଶ୍ରୀଜଗନ୍ନାଥଙ୍କୁ ସ୍ତବ କରନ୍ତି ତୁହାଇ ।

ଜୟ ଜୟ ନାରାୟଣ ଜଗତ ତାରଣ

ଜୟ ଜୟ ଜଗନ୍ନାଥ ପତିତ ରକ୍ଷଣ ।

ଜୟ ଜୟ ଜଗନ୍ନାଥ ଅରକ୍ଷ ରକ୍ଷଣ

ଜୟ ଜୟ ଜଗନ୍ନାଥ ଦୁଃଖ ବିମୋଚନ ।

ଜୟ ଜୟ ଜଗନ୍ନାଥ ଅଗତିର ଗତି

ଜୟ ଜୟ ଜଗନ୍ନାଥ ଖଣ୍ଡୁ ତୁ ବିପତ୍ତି ।

ଜୟ ଜୟ ଜଗନ୍ନାଥ ସୃଷ୍ଟିର କରତା

ଜୟ ଜୟ ଜଗନ୍ନାଥ ସର୍ବ ପିତା ମାତା ।

ଜୟ ଜୟ ଜଗନ୍ନାଥ ଦେବ ଦୁଃଖ ହର

ଜୟ ଜୟ ଜଗନ୍ନାଥ ଏରୂପ ନିବାର ।

ଏରୂପେ ଦେବତାଗଣ ଯହୁଁ ସ୍ତୁତି କଲେ

ଭକତ ବାନ୍ଧବ ପଅଭୁ କର୍ଣ୍ଣରେ ଶୁଣିଲେ ।

ତକ୍ଷଣେ ଭୈରବ ମୂର୍ତ୍ତି ତେଜି ନରହରି

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଧରି ।

ଗରୁଡ଼ ବାହନେ ବିଜେ କରି ଚକ୍ରଧର

ପ୍ରବେଶ ହୋଇଲଷ ଆସି ଦେବଙ୍କ ଆଗର ।

ଦିବ୍ୟ ରୂପ ପ୍ରଭୁଙ୍କର ଦେଖି ଦେବଗଣ

ତାହାଙ୍କ ପଦ୍ମ ପାଦରେ ପଶିଲେ ଶରଣ ।

ଉଠି ମୋର ପ୍ରିୟ ଦେବ ନିଶ୍ଚିନ୍ତରେ ରୁହ

ପ୍ରତାପୀ ଅସୁର ଆଜି ହୋଇଗଲା କ୍ଷୟ ।

କିନ୍ତୁ ଆମ୍ଭେମାନ ଆଗ ପଛ ନ ବିଚାରି

ଦୁର୍ଦ୍ଦାନ୍ତମାନଙ୍କୁ ବର ନ ଦେବ ଏପରି ।

ଶୁଣିଣ ସର୍ବ ଦେବତା ଆନନ୍ଦ ହୋଇଲେ

ସ୍ୱର୍ଗପୁରକୁ ପ୍ରଭୁଙ୍କୁ ନିମନ୍ତ୍ରଣ କଲେ ।

ଯିବେ ବୋଲି ଦେବଗଣେ ପ୍ରଭୁ ଆଜ୍ଞାଦେଲେ

ପୁଣି ଯାଦବମାନଙ୍କୁ ଶ୍ରୀହରି ବୋଇଲେ ।

ଜ୍ୟେଷ୍ଠ ଭ୍ରାତାଙ୍କ ସଙ୍ଗରେ ଯାଅ ନିଜ ପୁର

ଆମେ ଅଳପ ଦିନରେ ପ୍ରବେଶିବୁ ଘର ।

ଗରୁଡ଼କୁ ବୋଇଲେ ତୁ ଯାଦବଙ୍କୁ ନିଅ

ଛାଡ଼ି ଦ୍ବାରକାରେ ସ୍ୱର୍ଗେ ଆସ ବୈନତେୟ ।

ଗରୁଡ଼ ପୃଷ୍ଠେ ସକଳ ଯାଦବ ବସାଇ

ଯିବା ପାଇଁ ସ୍ୱର୍ଗେ ସଜ ହେଲେ ଭାବଗ୍ରାହୀ ।

ସେତେବେଳେ ପରିଯନ୍ତେ ପ୍ରଭୁ ଚକ୍ରଧର

ଖୋଜି ନାହାନ୍ତି ଯେ ସତ୍ୟଭାମାକୁ ତାଙ୍କର ।

ଖଣ୍ଡେ ଦୂରେ ନନ୍ଦିଘୋଷେ ବସି ଚାନ୍ଦମୁହୀଁ

ଢାଳୁଛନ୍ତି ନୀର ବର୍ଷା ପରି ଯାଏ ବହି ।

କାନ୍ଦି କାନ୍ଦି ଚାନ୍ଦମୁଖ ପଡ଼ିଲାଣି କାଳି

ଅଭିମାନେ ନାସା ମୁଖ ଯାଇଛି ମଉଳି ।

ଯେତେବେଳେ ଜଗନ୍ନାଥ ରଥକୁ ଉଠିଲେ

ଦେବୀକୁ ଦେଖିଣ ପ୍ରଭୁ ଆଶ୍ଚର୍ଯ୍ୟ ହୋଇଲେ ।

ବୋଇଲେ କିମ୍ପାଇଁ କାନ୍ଦୁଅଛ ଚାନ୍ଦମୁହୀଁ

ଦେଖିଅଛ କେତେ ବଡ଼ ରଣେ ଥିଲି ରହି ।

ଆସ ପ୍ରିୟେ ମନୁ ଅଭିମାନ ପରିହର

ସଦାକାଳେ ବନ୍ଧା ମୁହିଁ ତୁମ୍ଭରି ପାଖର ।

ଦେଖି ଦେବୀ ସବୁ ନାରୀଠାରୁ ମୁଁ ତୁମ୍ଭଙ୍କୁ

ଅଧିକ ଭଲ ପାଇଣ ଆସିଲି ସ୍ବର୍ଗକୁ ।

ଦଣ୍ଡେ ନ ଦେଖିଲେ ଚନ୍ଦ୍ର ବଦନ ତୁମ୍ଭର

ଶତେ ଯୁଗ ପରି ମୋତେ ଲାଗେ ନିରନ୍ତର ।

ଏତେ କହି କୋଳେ ଧରି ଗଣ୍ଡେ ଚୁମ୍ବଦେଇ

ଆଲିଙ୍ଗନ କରି ଲୁହ ପୋଛନ୍ତି ମାଧୋଇ ।

ବୋଇଲେ ମୋ ରାଣ ଅଭିମାନ ପରିହର

ନ କହିଲେ ଗୀର ସ୍ନେହ ନାହିଁ ମୋହଠାରେ ।

ଯହୁଁ ରାଣ ପକାଇଲେ ପ୍ରଭୁ ଚକ୍ରଧର

ଅଭିମାନ ତେଜି ଗୋରୀ ଭାଷିଲେକ ଗୀର ।

ବଡ଼ କପଟିଆ ତୁମ୍ଭେ ଜାଣେ ଭଲ କରି

ଏତେବେଳକେ ମୁଁ ମନେ ପଡ଼ିଲି ତୁମ୍ଭରି ।

ଭଣ୍ଡିବା ପାଇଁକି ମୋତେ କହୁଛ ଭୁଲାଇ

ସମସ୍ତଙ୍କ ପରେ ଦାସୀ ପାଶେ ଆସ ଧାଇଁ ।

ଡର ମାଡୁଅଛି ଦେଖି ସେ ଅସୁରଟାକୁ

ତାହାଠାରୁ ବଳି ପୁଣି ଦେଖିଲି ତୁମ୍ଭଙ୍କୁ ।

ସମସ୍ତ ଦେବତା ସ୍ତବ ନ ଥିଲେ ଯେ କରି

ବର୍ତ୍ତମାନ ଦେଇଥାନ୍ତ ସମସ୍ତଙ୍କୁ ମାରି ।

ଅତି ବିକଟାଳ ରୂପ ଗୋଟା ଥିଲି ଧରି

ଏଡ଼େ ସୁନ୍ଦର ରୂପକୁ କେଣେ ଗୋପ୍ୟକରି ।

ହସି ହସି ଗେଲେଇ କହନ୍ତି ଚକ୍ରଧର

ସେପରି ନ ହେଲେ ମରି ନ ଥାନ୍ତା ଅସୁର ।

ଦେଖିଛ ତ କେଡ଼େ ବନ ମାୟା ବିସ୍ତାରିଲା

ଦେବତା ମାନବ ମଧ୍ୟେ ଚହଳ ପଡ଼ିଲା ।

ମୁଁ ନ ଧରିଥିଲେ ବିଶ୍ୱ ରୂପ ଗୋ ସୁନ୍ଦରୀ

ଦୈତ୍ୟ ମୋତେ ମାରିତତେ ନେଇଥାନ୍ତା ହରି

ଶୁଣିଣ ଦେବୀଙ୍କ ମନେ ପରତେ ହୋଇଲା

ପଦ୍ମପାଦ ତଳେ ସତୀ ପ୍ରଣିପାତ ହେଲା ।

ବୋଲେ ବଡ଼ ସଉଭାଗୀ ନାରୀ ଅଟେମୁହିଁ

ବର ମାଗେ କ୍ଷଣେ ନ ଛାଡ଼ିବ ଭାବଗ୍ରାହୀ ।

ଏଣେ ନ ଦେଖିଲେ ତବ ଚନ୍ଦ୍ରମା ବଦନ

କୋଟି ଯୁଗ ପରି ମୋତେ ଲାଗେ ପ୍ରାଣଧନ ।

ଠାକୁର ବୋଲନ୍ତି ଦିନେ ସତ୍ୟ ଅଛି କରି

ଗଳାର ହାର ମୋହର ଅଟୁ ରେ ସୁନ୍ଦରୀ ।

ଏହିପରି ସତ୍ୟଭାମା ମନକୁ ମୋହିଲେ

ସ୍ୱରଗ ପୁରରେ ଯାଇ ପ୍ରବେଶ ହୋଇଲେ ।

ଦେବତାଙ୍କୁ ସଙ୍ଗେ ଧରି ପ୍ରଭୁ ଚକ୍ରଧର

ନାରକା ଅସୁର ପୁରେ ହୋଇଲେ ହାଜର ।

ଅସୁର ରାଜାର ଥିଲା ଗୋଟିଏ କୁମର

ଭଗଦତ୍ତ ବୋଲି ନାମ ଅଟଇ ତାହାର ।

ବିଷ୍ଣୁଅଂଶେ ଅବତାର ହୋଇଅଛି ସେହି

ସର୍ବଦା ଅନ୍ତରେ ଥାଏ ଶ୍ରୀକୃଷ୍ଣଙ୍କୁ ଧ୍ୟାୟି ।

ତା ଅନ୍ତର କଥା ଜାଣି ପ୍ରଭୁ ଚକ୍ରଧର

କରାଇଲେ ରାଜା ତାକୁ ବକୁଳ ବନର ।

ଆହୁରି ମଧ୍ୟ ଦେଖିଲେ ଷୋଳସସ୍ର ବାଳୀ

ଅତ୍ୟନ୍ତ ସୁନ୍ଦରୀ ସେ ଯେ ଏକୁ ଏକ ବଳି ।

କାରାଗାରେ ରଖି୍ଅଛି ତାକୁ ଦୈତ୍ୟବର

ଲକ୍ଷେ ପୂରିଥିଲେ ହୋଇଥାନ୍ତା ବିଭାଘର ।

ଶ୍ରୀକୃଷ୍ଣଚନ୍ଦ୍ରକୁ ଯହୁଁ କନ୍ୟାଏ ଦେଖିଲେ

ବିକଳ ହୋଇଣ ସର୍ବେ କ୍ରନ୍ଦନ କରିଲେ ।

କେ ବୋଲେ ଅମୁକ ରାଜା କନ୍ୟା ମୁଁ ଅଟି

ପିତା ବଂଶ ନାଶି ମୋତେ ଆଣିଲା ଛଡ଼ାଇ ।

ଯେତେ କନ୍ୟ ରଖିଥିଲା ନାରକା ଅସୁର

ସରବେ ରାଜାର କନ୍ୟା ପୁଣି ଯେ ଋଷିର ।

ତାହାଙ୍କୁ ପ୍ରଭୁ ବୋଇଲେ ଚାଲ ସଙ୍ଗେ ମୋର

ରାଜପୁତ୍ରେ ଖୋଜି କରିଦେବି ବିଭାଘର ।

ଶୁଣି କନ୍ୟାଏ ବୋଇଲେ ଆମ୍ଭେ ଯିବୁ ନାହିଁ

ଏହିଠାରେ ପଚିସଢ଼ି ମରିବୁ ହେ ସାଇଁ ।

ସତ୍ୟଭାମାଙ୍କ ଚରଣ ଧରିଣ ବୋଲନ୍ତି

ତବ ପାଦ ସେବିବାକୁ ରଖ ଆହେ ସତୀ ।

ନିତି ଦର୍ଶନ କରିବୁ ନୀଳାଦ୍ରି ପୟର

ଏତିକି ମାତର ଭିକ୍ଷା ଅଟଇ ଆମ୍ଭର ।

କନ୍ୟାଙ୍କ ବିକଳ ଦେଖି ଶ୍ରୀକୃଷ୍ଣଙ୍କ ନାରୀ

ଆକୁଳେ ଆସି କହନ୍ତି ପ୍ରଭୁ ପାଦ ଧରି ।

ନାରୀଙ୍କର ମନକଥା ନାରୀଏ ଜାଣନ୍ତି

ଭାବିଲେ ମୋ ସ୍ବାମୀ ରୂପେ ଭୋଳ ହେଉଛନ୍ତି ।

ରଖ ପ୍ରଭୁ ପାଦେ ଦାସୀ କରିଣ କନ୍ୟାଙ୍କୁ

ସେମାନେ ହୋ ରାଜକନ୍ୟା ବିଭା ହୁଅ ତାଙ୍କୁ ।

ସେ ତ ଅନ୍ତର୍ଯ୍ୟାମୀମ ନାଥ ଜାଣନ୍ତି ସକଳ

ସତ୍ୟଭାମା ମନ ବିନୁଥିଲେ ଆଦିମୂଳ ।

ଲୋକେଦେଖାଣିଆ କହି କହନ୍ତି ଶ୍ରୀହରି

ଭାବେ କାଳେ ମନ କଷ୍ଟ ହୋଇବ ତୁମ୍ଭରି

ସତ୍ୟଭାମା ବୋଲନ୍ତି ମୁଁ ଜାଣେ ଭଲକରି ।

ଷୋଳ ହଜାର ଗୋପୀଙ୍କୁଷୋଳ ସସ୍ର ହରି

ପୁଣି ଦ୍ୱାରକାରେ ଅଷ୍ଟ ପାଟବଂଶୀ ପୁରେ

ବିହରନ୍ତି ଅଷ୍ଟସ୍ବାମୀ ନିତି ପଲଙ୍କରେ ।

ଶୁଣିଣ ହସିଲେ ପ୍ରଭୁ କର କର ହୋଇ

ବୋଇଲେ ଅସଲ କୃଷ୍ଣ ସତ୍ୟଭାମା ସାଇଁ ।

କନ୍ୟାମାନଙ୍କୁ ନିକଟେ ରାଇ ଚକ୍ରଧର

ଆଉଁସିଲେ ଷୋଳସସ୍ର ବାଳିଙ୍କୁ ଯେ କର ।

ସେହି କର ସ୍ପର୍ଶେ ସର୍ବେ ଥିଲେ ଭୋଳ ହୋଇ

ଦେଖିଲେ ସଭିଏଁ ଜଣେ ଜଣେ କୃଷ୍ଣ ପାଇ ।

ମିଳି ଦେବଗଣ କଲେ ବିଭା ଆୟୋଜନ

କନ୍ୟାକୁ ଶ୍ରୀକୃଷ୍ଣ କରେ କରିଲେ ପ୍ରଦାନ ।

ଷୋଳସସ୍ର ଦେବଗଣ ହେଲେ କନ୍ୟାକର୍ତ୍ତା

ପୁରୋହିତ ହୋଇ ବିଭା କରିଲେ ବିଧାତା ।

ବୃହସ୍ପତି ଜଉତିଷ କାର୍ଯ୍ୟ ତୁଲାଇଲେ

ସ୍ୱୟଂ ଯୋଗମାୟା ଅନ୍ନ ବ୍ୟଞ୍ଜନ ରାନ୍ଧିଲେ ।

ମୁକୁଟ ଚନ୍ଦନ ଚନ୍ଦ୍ର ଦେବ ଯେ ଯୋଗାଇ

ଦୀପାବଳି କାର୍ଯ୍ୟ କଲେ ଇନ୍ଦ୍ର ସୂର୍ଯ୍ୟ ଦୁଇ ।

ମହା ଆଡ଼ମ୍ବରେ ହେଉଅଛି ବିଭାଘର

ଇନ୍ଦ୍ରାଣି ସଙ୍ଗତେ ସ୍ୱର୍ଗ ନାରୀ ଯେ ହାଜର ।

ଅର୍ଘ୍ୟ ବନ୍ଦାପନା କରି ହୁଳହୁଳି ଦେଲେ

ଦିଗପାଳଗଣ ମିଳି ବାଦ୍ୟ ବଜାଇଲେ ।

ଏହିରୂପେ କନ୍ୟା ବିଭା ହୋଇଲେ ଶ୍ରୀହରି

ପୁଷ୍ପକ ଯାନେ ବସିଲେ ଷୋଳସସ୍ର ନାରୀ ।

ନାରଦ ତାହାଙ୍କୁ ନେଇ ଦ୍ୱାରକା ଚଳିଲେ

ସତ୍ୟଭାମା ସଙ୍ଗେ ପ୍ରଭୁ ସ୍ୱର୍ଗପୁର ଗଲେ ।

ଦେବେ ଅଭ୍ୟର୍ଥନା କରି ଶ୍ରୀକୃଷ୍ଣଙ୍କୁ ନେଲେ

ନାରୀଗଣ ସତ୍ୟଭାମା ଦେବୀଙ୍କୁ ବନ୍ଦିଲେ ।

ମଘବା ପୁରେ ରହିଲେ ପ୍ରଭୁ ଚକ୍ରଧର

ଶଚି ରଖିଲଷ ଯେ ସତ୍ୟଭାମାଙ୍କୁ ପାଶର ।

ଏହାପରେ ଯେଉଁ କାଣ୍ଡ ହେଲା ସ୍ୱର୍ଗପୁର

ଅପର ଛାନ୍ଦରେ ଶୁଣିବ ହେ ସୁଜ୍ଞ ନର ।

ପ୍ରକାଣ୍ଡ ଦଇତ ମଲା ସ୍ଵର୍ଗ ଶାନ୍ତ ହେଲା

ଦେବତାଗଣଙ୍କ ମନ ଆନନ୍ଦ ହୋଇଲା ।

ଷୋଳସସ୍ର ରାଜକନ୍ୟା ହେଲେ ଯେ ଉଦ୍ଧାର

କେଡ଼େ ଭାଗ୍ୟବତୀ ପ୍ରଭୁ କରିଲେ ସେ ବର ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନ

ଶୁଣିଲା ଜନର ପାପ କରେ ବିମୋଚନ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଯାହା ଥିଲେ କହି

ତାଙ୍କ ପାଦ ଧ୍ୟାୟି କ୍ଷେତ୍ରମୋହନ ଲେଖଇ ।

 

Unknown

ପାରିଜାତ ପୁଷ୍ପ ନିମିତ୍ତେ ରୁକ୍ମିଣୀ ଓ ସତ୍ୟଭାମାଙ୍କ ମଧ୍ୟରେ ବିବାଦ ଓ
ଇନ୍ଦ୍ର ରାଜାର ଦର୍ପ ଧ୍ୱଂସ

ଶୁଣ ଆହେ ସୁଜ୍ଞଜନେ ଦେଇ ମନକର୍ଣ୍ଣ

କହିବି ମୁଁ ପାରିଜାତ ହରଣ ବିଧାନ ।

ତାରକାସୁରକୁ ମାରି ପ୍ରଭୁ ଚକ୍ରଧର

ଷୋଳସସ୍ର ରାଜକନ୍ୟା କରିଲେ ଉଦ୍ଧାର ।

ତା'ପରେ ସର୍ବଦେବତା ନିମନ୍ତ୍ରଣ କରି

ସ୍ୱଗପୁରକୁ ନେଲେ ପ୍ରଭୁଙ୍କୁ ହକାରି ।

ସତ୍ୟଭାମା ଦେବୀ ଏକା ପ୍ରଭୁ ପାଶେ ଥାନ୍ତି

ଯୁଦ୍ଧ ସାରି ଯାଦବ ଦ୍ୱାରକା ଫେରିଛନ୍ତି ।

ସତ୍ୟଭାମା ପ୍ରଭୁଙ୍କର ଅତି ପ୍ରିୟବତୀ

ଅଷ୍ଟପାଟବଂଶୀଠାରୁ ସୁନ୍ଦର ସେ ଅତି ।

ଇନ୍ଦ୍ରରାଜାର ପୁରରେ ରହିଲେ ଶ୍ରୀହରି

ଶଚୀଦେବୀ ପୁରେ ସତ୍ୟଭାମା କେ ହକାରି ।

ଦେବଗଣଙ୍କ ଆନନ୍ଦ କହିଲେ ନ ସରେ

ସ୍ୱୟଂ ବଇକୁଣ୍ଠ ନାଥ ଛନ୍ତି ସ୍ବର୍ଗପୁରେ ।

ଶଚୀଦେବୀ ପୁରେ ଥାନ୍ତି ଶ୍ରୀବିଷ୍ଣୁଙ୍କ ନାରୀ

ରମ୍ଭା ମେନକା ଉର୍ବଶୀ ଯାନ୍ତି ନୃତ୍ୟକରି ।

ତାଙ୍କ ନୃତ୍ୟେ ତୃପ୍ତ ହୋଇଥାନ୍ତି କୃଷ୍ଣନାରୀ

ଦ୍ୱାରକାର କଥା ମନୁ ଭୁଲନ୍ତି ସୁନ୍ଦରୀ ।

ମର୍ତ୍ତ୍ୟରେ ନ ଥିବା ଦ୍ରବ୍ୟ ଶଚୀଦେବୀ ଦ୍ୟନ୍ତି

ଯେଉଁଥିରେ ସତ୍ୟଭାମା ହୋଇବେକ ତୃପ୍ତି ।

ଏହିପରି ବିତିଗଲା ଦିନ ଯେ ପନ୍ଦର

ବିବିଧ ସ୍ଥାନ ବୁଲିଣ ଦେଖନ୍ତି ସ୍ୱର୍ଗର ।

ଯମପୁର ଦେଖିବାକୁ ଶ୍ରୀକୃଷ୍ଣ ଯେ ଗଲେ

ଶ୍ରୀହରି ଦର୍ଶନେ ବହୁ ପାପୀ ନିସ୍ତରିଲେ ।

ଭୟେ ଜନ୍ତୁରାଣ ଆସି କରଇ ଗୁହାରି

କାହିଁକି ମିଛେ ବସିବି ଦଣ୍ଡଟାଏ ଧରି ।

ତବ ଆଗମନେ ଯେତେ ପାପୀ ରହିଥିଲେ

ସିଧା ସଳଖ ବୈକୁଣ୍ଠପୁରକୁ ଚଳିଲେ ।

ନାରୀହତ୍ଯା ବ୍ରହ୍ମହତ୍ୟା କରିଥିବା ଜନ

ତୁମ୍ଭ ଦରଶନେ ପାପୁ ହୋଇଲେ ମୋଚନ ।

ଯମ ବିନତି ଦେଖିଣ ପ୍ରଭୁ ଚକ୍ରଧର

ସଙ୍ଗେ ସଙ୍ଗେ ତାପୁରରୁ ହୋଇଲେ ବାହାର ।

ବୃହସ୍ପତି ପୁର ବାରସ୍ୱତୀ ପୁର ଯେତେ

ଚନ୍ଦ୍ର ସୂର୍ଯ୍ୟ ପୁର ବ୍ରହ୍ମା ନଅର ସହିତେ ।

ଯେତେକ ସୁନ୍ଦର ସ୍ଥାନ ଥିଲା ସ୍ୱର୍ଗପୁର

ସତ୍ୟଭାମା ସଙ୍ଗେ ନେଇ ଦେଖାନ୍ତି ଶ୍ରୀଧର ।

ଦିନେ ସୁଧର୍ମା ସଭାରେ ବସି ଦଇତ୍ୟାରି

ବୋଇଲେ ମୋତେ ବିଦାୟ ଦିଅ ହେ ସବୁରି ।

ତୁମ୍ଭ ଅନୁରୋଧ ଏଡ଼ି ନ ପାରିଲି ମୁହିଁ

ଅନେକ ଦିନ ହେଲାଣି ଗଣିଲି ଯେ ରହି ।

ମୋତେ ନ ଦେଖି ଯାଦବେ ବ୍ୟସ୍ତ ହେଉଥିବେ

ପିତାମାତା ସହ ସର୍ବ ନାରୀ ଚାହିଁଥିବେ ।

ମୋ ବିହୀନେ ସପ୍ତ ପାଟବଂଶୀ ବଧୂ ରତି

ବ୍ୟସ୍ତ ହେଉଥିବେ ସଦା ପଥ ଚାହିଁ ନିତି ।

ପୁଣି ତୁମ୍ଭେମାନେ ଦେଲ ଷୋଳସସ୍ର ବାଳୀ

ନବବଧୂ ମୋ ବିହୁନେ ନ ପାରିବେ ଚଳି ।

ଶୁଣିଣ ସର୍ବଦେବତା ବୋଲନ୍ତି ବଚନ

ତୋହର ଅଟଇ ଦେବ ଏ ସ୍ୱର୍ଗଭୁବନ ।

ଦ୍ଵାରକା ଯେ ଚିରସ୍ଥାୟୀ ନୁହେଁ ଚକ୍ରଧର

ଦେବଗଣ ପରା ଭାଇ କୁଟୁମ୍ବ ତୋହର ।

ଏହି ଅନୁଗ୍ରହ ପ୍ରଭୁ ଆମ୍ଭ ପରେ ଥିବ

ଦୈତ୍ୟ ବିପଦ ପଡ଼ିଲେ ଉଦ୍ଧାର କରିବ ।

କଂସ ଆଦି ନାରକା ଯେ ପ୍ରତାପୀ ଅସୁର

ସର୍ବଦା ସ୍ଵରଗେ କରୁଥିଲେ ଅତ୍ୟାଚାର ।

କିନ୍ତୁ ଦେବ ତୋ ପ୍ରସାଦେ ଆଜି ଆମ୍ଭେ ସ୍ଥିର

ତିଳେମାତ୍ର ଆଉ ଡର ନାହିଁ ଯେ ଆମ୍ଭର ।

ଶ୍ରୀକୃଷ୍ଣ ସହିତେ ସର୍ବ ଦେବଗଣ ଗଲେ

ଶଚୀପୁରେ ସତ୍ୟଭାମା ଦର୍ଶନ କରିଲେ ।

ଯେତେବେଳେ ଶଚୀପୁରୁ ଦେବୀ ବାହାରିଲେ

ସର୍ବ ଦେବାଙ୍ଗନା ତାଙ୍କୁ ଅଭ୍ୟର୍ଥନା କଲେ ।

ମଘବାପୁରରେ ଯେତେ ଥିଲା ଭଲ ଦ୍ରବ୍ୟ

ପୁଷ୍ପକ ରଥରେ ଶଚୀ ସଜାଡ଼ନ୍ତି ସର୍ବ ।

ହୀରା ନୀଳା ଜଡ଼ିତ ରତନ ଆଦିକରି

ଅପୂର୍ବ ପଦାର୍ଥମାନ ଦ୍ୟନ୍ତି ଇନ୍ଦ୍ର ନାରୀ ।

ସତ୍ୟଭାମା ବିଦାହେବା ଶୁଣି ଦେବ ନାରୀ

ପଥ ଚଳାଇବା ଲାଗି ଆସିଲେ ସବୁରି ।

ଶ୍ରୀବିଷ୍ଣୁ ବାମାକୁ ଦିବ୍ୟ ବେଶେ ସଜାଇଲେ

ଦେବାଙ୍ଗନା ଦେବା ନବ ବସ୍ତ୍ର ପିନ୍ଧାଇଲେ ।

ଦିବ୍ୟ ଅଳଙ୍କାରମାନ ଯତନେ ମଣ୍ଡିଲେ

ଶେଷେ ପାରିଜାତ ପୁଷ୍ପ ଗଭାରେ ଖୋସିଲେ ।

ଯେଉଁ ପାରିଜାତ ସ୍ବର୍ଗପୁରେ କେ ନ ପାନ୍ତି

ସମୁଦ୍ର ମନ୍ଥନୁ ସେ ଯେ ହୋଇଛି ଉତ୍ପତ୍ତି ।

ଦରଶନ ନ ପାବନ୍ତି ରୂପ ଯେ ତାହାର

ଦେବ ଦୁର୍ଲ୍ଲଭ ପୁଷ୍ପ ଯେ ଥାଏ ସ୍ବର୍ଗପୁର ।

ସେ ପୁଷ୍ପର ମହିମା କହିଲେ ନ ସରେ

ଶୁଣିଣ ଝଡ଼ଇ ପାଞ୍ଚ ବରଷକେ ଥରେ ।

ସୁବର୍ଣ୍ଣ ପରାଏ କାନ୍ତି ଝଟକେ ତାହାର

ସୁବାସ ମହକେ ପାଞ୍ଚ କ୍ରୋଶ ଯେ ମାତର ।

ଇନ୍ଦ୍ର ଇନ୍ଦ୍ରାଣୀ ବ୍ୟତୀତ ଅନ୍ୟ କେ ନ ପାନ୍ତି

ଲକ୍ଷ ଲକ୍ଷ ସୈନ୍ୟ ଗଛ ମୂଳେ ଜଗିଛନ୍ତି ।

ଯେତେବେଳେ ପୁଷ୍ପ ଘେନି ପ୍ରହରୀ ଆସଇ

ଅନ୍ୟ କୌଣସି ବ୍ୟକ୍ତିର ଛାଇ ନ ପଡ଼ଇ ।

ଏପରି ମହିମା ଅଟେ ଯେଉଁ ପାରିଜାତ

ବିଷ୍ଣୁଙ୍କ ନାରୀ ଗଭାରେ ଦିଶଇ ଶୋଭିତ ।

ସର୍ବ ଦେବାଦେବୀଗଣ ହୋଇଥାନ୍ତି ଠୁଳ

ବିଦାୟ ନେଉ ଅଛନ୍ତି ପ୍ରଭୁ ଆଦିମୂଳ ।

ଲକ୍ଷ୍ମୀ ନାରାୟଣ ଶୋଭା କେ ପାରିବ କହି

ଚକ୍ଷୁ ନ ପିଛାଡ଼ି ସର୍ବେ ରହିଥାନ୍ତି ଚାହିଁ ।

ଥୋକାଏ ଦୂର ଯେ ଦେବ ଯାଆନ୍ତି ସଙ୍ଗର

ଚଉପାଶେ ଦେବଗଣ ମଧ୍ୟରେ ଶ୍ରୀଧର ।

ସ୍ଵର୍ଗ ମନ୍ଦାକିନୀ ତଟେ ବୋଲନ୍ତି କେଶବ

ଯାଅ ଫେରି ଦେବଗଣ ଆନନ୍ଦେ ସରବ ।

ଯେ ଯାହାର ମାନ୍ୟ ବିଧି କଲେ ଚକ୍ରଧର

ଦେବାଙ୍ଗନାକୁ ଯେ ଦେବୀ କଲେ ସମାଚାର ।

ସତ୍ୟଭାମାଙ୍କର ଗର୍ବ କହିଲେ ନ ସରେ

ସବୁ ଦେଖୁଥାନ୍ତି ଦେବଋଷି ରହି ଦୂରେ ।

ମନେ ଭାବନ୍ତି ନାରଦ ମୁଁ ଦ୍ୱାରକା ଯାଇ

ରୁକ୍ମିଣୀଙ୍କୁ କହିଦେବି ଝଗଡ଼ା ଲଗାଇ ।

ଏତେ କହି ମନ ଯାନେ ଚଢି ଦେବଋଷି

ରୁକ୍ମିଣୀ ଦେବୀଙ୍କ ପୁରେ ପ୍ରବେଶିଲେ ଆସି ।

ନାରଦଙ୍କୁ ଦେଖ ଦେବୀ ମାନ୍ୟ ବିଧିକଲେ

ଯଥା ଆସନରେ ଯାଇ ମହର୍ଷି ବସିଲେ ।

ଦେବୀଙ୍କୁ କୁହନ୍ତି ମୁନି ଚନ୍ଦ୍ରମା ବଦନ

ପୁଣି କିମ୍ପା ଦିଶୁଅଛି କୁହ ମା ମଳିନ ।

ଯେଉଁପୁରେ ରାଗ ଶୋକ ମୋହ ନ ଲାଗଇ

ସେ ପୁରେ ଲକ୍ଷ୍ମୀଙ୍କ ମନ ବିରସ କିମ୍ପାଇ ।

ରୁକ୍ମିଣୀ ବୋଲନ୍ତି ବିନୟରେ ଯୋଡ଼ିକର

ସ୍ୱର୍ଗପୁର ଯାଇଥିଲ କିହେ ମୁନିବର ।

ଆଜକୁ ଅନେକ ଦିନ ହେଲା ପ୍ରଭୁ ଗଲେ

ଶୁଣିଣ ମୁଁ ନାରକା ଅସୁର ବିନାଶିଲେ ।

ଉଦ୍ଧାର କରିଣ ଷୋଳ ସହସ୍ର ଯୁବତୀ

ତୁମ୍ଭ ସଙ୍ଗେ ପେଶି ସ୍ବର୍ଗ ମଲେ ଶିରୀପତି ।

ଶୀଘ୍ର ଆସିବା ପାଇଁକି ପଠାଇ ଖବର

ଏତେ ଦିନ କିମ୍ପା ଡେରି କଲେ ଚକ୍ରଧର ।

ତାଙ୍କର ନିମନ୍ତେ ମନ ବ୍ୟାକୁଳ ହୁଅଇ

ଶୟନ ଭୋଜନ ବିଷ ଲାଗୁଛି ଗୋସାଇଁ ।

କେଉଁ ଦ୍ରବ୍ୟ ଦ୍ୱାରକାରେ ଉଣା ନାହିଁ ଦେବ

କେବଳ ପ୍ରଭୁଙ୍କ ବିନେ ସମସ୍ତ ଅଭାବ ।

ଦେଖିଥିଲେ କୁହ ଜଗନ୍ନାଥଙ୍କ ଖବର

କୁଶଳେ ଅଛନ୍ତି କିନା ମୋ ପ୍ରାଣ ଈଶ୍ୱର ।

ଦେବୀଙ୍କ ବଚନେ ହସିହସି ଋଷିବର

ବୋଇଲେ ଅସିଲି ବର୍ତ୍ତମାନ ମୁଁ ସ୍ବର୍ଗର ।

ଆଜି ଆସି ମହାପ୍ରଭୁ ପହଞ୍ଚିବେ ପୁରେ

ସତ୍ୟଭାମା ଠାକୁରାଣୀ ଅଛନ୍ତି ସଙ୍ଗରେ ।

ତୁମ୍ଭେ ସିନା ଭାବ ପ୍ରଭୁ ଅଟନ୍ତି ତୁମ୍ଭର

କିନ୍ତୁ ପକ୍ଷପାତ କରୁଛନ୍ତି ଚକ୍ରଧର ।

ଜଗନ୍ନାଥଙ୍କର ଜ୍ୟେଷ୍ଠା ପାଟରାଣୀ ହୋଇ

ତୁମ୍ଭେ ଦିନରାତି ଝୁରିମର ତାଙ୍କ ପାଇଁ ।

ସେ ତ ତୁମ କଥା ତିଳେ ମନେ ନ ଭାବନ୍ତି

ସତ୍ୟଭାମାକୁ ଜୀବନେ ବେଶି ଭଲ ପାନ୍ତି ।

ଯେତେବେଳେ କନ୍ୟାଗଣ ଘେନି ମୁଁ ଅଇଲି

ପଦେ ଖବର ନ ଦେଲେ ତୁମ୍ଭରେ ଦେଖିଲି ।

ସଙ୍ଗରେ ଜ୍ୟେଷ୍ଠକୁ ନେବା ଉଚିତ ବେଭାର

ଜ୍ୟେଷ୍ଠା ସତ୍ୟଭାମା ବୋଲି ଜାଣିଲେ ସ୍ଵର୍ଗର।

ପୁଣି ଇନ୍ଦ୍ରାଣୀ ସହିତ ସର୍ବ ସ୍ଵର୍ଗନାରୀ

କହନ୍ତି ଏ ବିଷ୍ଣୁଙ୍କର ଶ୍ରେଷ୍ଠ ମନୋହାରୀ ।

ୟା ସମାନ ସୁନ୍ଦରୀ କେ ଦ୍ୱାରକାରେ ନାହିଁ

ତେଣୁ ଜଗନ୍ନାଥ ସଙ୍ଗେ ୟାକୁ ଆଣିଛଇ ।

ଶଚୀ ସହ ସର୍ବ ଦେବତାଙ୍କ ମନୋହାରୀ

ଅର୍ଘ୍ୟ ବନ୍ଦାଇଲେ ସତ୍ୟଭାମାକୁ ସବୁରି ।

ପୁଣି ପାରିଜାତ ପୁଷ୍ପ ଦେବଙ୍କ ଦୁର୍ଲ୍ଲଭ

ଭେଟି ଦେଇଥିଲେ ଆଗ୍ରହରେ ଇନ୍ଦ୍ରଦେବ ।

ସର୍ବ ଶ୍ରେଷ୍ଠା ବିନୁ କେଭେ ଆନ ପାରିଜାତ

ବ୍ୟବହାର କରିବା ଯେ ନୁହଇ ଉଚିତ ।

ପ୍ରଭୁ ତ ବୁଝିଲେ ଫୁଲ ଅଟଇ ତୁମ୍ଭର

କନିଷ୍ଠାକୁ ଦେବା ହେଲା ଅନ୍ୟାୟ ପ୍ରଭୁର ।

ଆବର ସ୍ଵହସ୍ତେ ପାରିଜାତ ଚକ୍ରଧର

ଖୋସିଲେ ଦେଖିଣ ସତ୍ୟଭାମାଙ୍କ ଗଭାର ।

ସ୍ବରଗୁ ପାଇଳେ ବହୁ ରତ୍ନ ଉପହାର

ସେ ସବୁ ପ୍ରାପ୍ୟ ଯେ ମାତ ଅଟଇ ତୁମ୍ଭର ।

ନ ଆଣି କେଶବ ଛୋଟ ଦେବୀଙ୍କୁ ପିନ୍ଧାଇ

କୋଳେ ବସାଇ ଆଣନ୍ତି ବ୍ରହ୍ମାଣ୍ଡ ଗୋସାଇଁ ।

ଆବର ଦେଖିଲି ସତ୍ୟଭାମା ଗର୍ବଭରେ

ବଡ଼ପଣ ଦେଖାଇବେ ଆସନ୍ତି ତୁମ୍ଭରେ ।

କିନ୍ତୁ ମାତ ଦେଖିଥିଲି ଅଜ୍ଞାତରେ ମୁହିଁ

ସହି ନ ପାରିଣ ସର୍ବ ଆସିଲି ପଳାଇ ।

ତୁମ୍ଭଠାରେ କେଉଁ ଗୁଣେ ସତ୍ୟଭାମା ବେଶି

ଜଗନ୍ନାଥ ଏତେ ଭଲ ପାଆନ୍ତି ବିଶେଷି ।

ବିଦ୍ୟାରେ ବୁଦ୍ଧିରେ ରୂପେ ତୁମ୍ଭ ସଙ୍ଗେ ସରି

ନୁହଁଇ ସେ ସତ୍ୟଭାମା ଜାଣେ ଭଲ କରି ।

ଏହା ଦେଖି ମାତା ମୋର ନ ସହିଲା ଦେହ

ଯେଣୁ ଧାଇଁ ଆସିଅଛି ଏ ଗରିବ ପୁଅ ।

ପୁଣି ଭାବିଲି ମା ବୋଧେ ଛନ୍ତି ପଠିଆଇ

କାର୍ଯ୍ୟ ଥିବାରୁ ବଢିମା ଯାଉଛନ୍ତି ରହି ।

ସେଇ କଥା ବୁଝିବାକୁ ଆସିଲି ମା ଧାଇଁ

ଭଲ ମନ୍ଦ ଦୁଇପଦ ଜଣାଇବା ପାଇଁ ।

ନାରଦଙ୍କର ବଚନ ଶୁଣିଣ ରୁକ୍ମିଣୀ

କ୍ରୋଧେ କଇଁ କଇଁ ହେଲେ ମନ ହେଲା ଜାଣି ।

ବୋଇଲେ ଦେବର୍ଷି ପ୍ରାଣ ନ ରଖିବି ମୁହିଁ

ପ୍ରଭୁ ଆସିବା ଆଗରୁ ଦେବି ମୁଁ ହରାଇ ।

ଯେତେବେଳେ ମହାପ୍ରଭୁ ସ୍ବର୍ଗପୁର ଗଲେ

ଛାର ଏ ଦାସୀକି ପଦେ କିଛି ନ କହିଲେ ।

ପ୍ରାଣରୁ ଅଧିକ ଯଦି କନିଷ୍ଠା ତାଙ୍କର

ଏକା ତାକୁ ରଖି କ୍ରଭୁ କରୁଥାନ୍ତୁ ଘର ।

ଯଦି ଅସୁନ୍ଦରୀ ମୋତେ ଭାବୁଥିଲେ ହରି

ଦେବୀ ମନ୍ଦିରୁ ଆଣିଲେ କିମ୍ପା ଚୋରିକରି ।

ମୁଁ ସଦା ମରୁଛି ଝୁରି ନ ଦେଖି ପ୍ରଭୁଙ୍କୁ

ସେମୋତେ ନ ଚାହିଁ ଦ୍ୟନ୍ତି ଯେ ସତ୍ୟଭାମାକୁ

ସତ୍ୟଭାମା ସୁନ୍ଦରୀ ଯେ ପୁଣି ଗଳାହାର

ଦାସୀ ହୋଇବାଟା ନୁହେଁ ଉଚିତ ମୋହର ।

ସତ୍ୟଭାମା ଦେଖାନ୍ତା କି ଛଇ ମୋ ଆଗର

ନିଜର ଯେ ସେ ତ କରୁଛନ୍ତି ସାତପର ।

ତାହାର ବଡ଼ାଇପଣ ଦେଖି ନ ପାରିବି

ପ୍ରଭୁ ଆସିବା ଆଗରୁ ପ୍ରାଣ ବିନାଶିବ ।

ଦେଖ ଋଷି ହୀରା କଣି ଅଛି ମୋ ହସ୍ତର

ଚୁମ୍ବ ଦେଲା ମାତ୍ରେ ପ୍ରାଣ ଛାଡ଼ିଯିବ ମୋର ।

ଦେବୀଙ୍କର କ୍ରୋଧ ଦେଖି ନାରଦ ଭାବନ୍ତି

ଭଲ କରୁ କରୁ ଯେବେ ହୋଇଯିବ କ୍ଷତି ।

ଏ ତ ନାରୀଜାତି ନ୍ୟାନ୍ୟାଳୟ ନ ଜାଣନ୍ତି

ଲକ୍ଷ୍ମୀ ହେଲେ ମଧ୍ୟ ନର ରୂପେ ଜନ୍ମିଛନ୍ତି ।

ପ୍ରଭୁଙ୍କ ବିରହେ ହୋଇଅଛନ୍ତି ପାଗଳୀ

ବିପରୀତ କଥା କହି ଲଗାଇବି କଳି ।

କର ଯୋଡ଼ିଣ ନାରଦ କହନ୍ତି ବୁଝାଇ

ଯଦି ଏ ପୁତ୍ରର ଏକ କଥା ମାନୁ ତୁହି ।

ତେବେ ଜଣାଯିବ ପକ୍ଷପାତ ପିତାଙ୍କର

କେଉଁ ମାତ ପ୍ରିୟବତୀ ବେଶୀ ପ୍ରଭୁଙ୍କର ।

ତୁମ୍ଭଠାରୁ ସତ୍ୟଭାମା କେଉଁ ଗୁଣେ ଶ୍ରେଷ୍ଠା

ରୂପରେ ଗୁଣରେ କେବେ ନୁହଇଁ ଗରିଷ୍ଠା ।

ରୁକ୍ମିଣୀ ବୋଲନ୍ତି ଦେବ ତୁମ୍ଭେ ସର୍ବଜ୍ଞାତା

ଯାହା କହିବ ପାଳିବି ନିଶ୍ଚେ ତବ କଥା ।

କିନ୍ତୁ ସତ୍ୟଭାମା ଗର୍ବ ଚୂର୍ଣ୍ଣ ଯେଉଁପରି

ହେବ ସେହି କଥା ମୁନି କହନ୍ତୁ ବିଚାରି ।

ନାରଦ ବୋଲନ୍ତି ମାତା ଆସିଲେ ଠାକୁର

ରୁଷିଣ ଶୋଇବ କେଭେ ନ କହିବ ଗୀର ।

ପ୍ରଭୁ ତ କହିବେ ମାଗ ଯାହା ଦରକାର

ସେତିକିବେଳେ ମାଗିବ ପାରିଜାତ ବର ।

ସେ ସିନା ଫୁଲ କେତୋଟି ମାତ୍ର ଛନ୍ତି ପାଇ

ତୁମ୍ଭେ ଜଞ୍ଜାଳ କରିବ ଗଛ ଦେବା ପାଇଁ ।

ପୁର ମଧ୍ୟେ ପାରିଜାତ ବୃକ୍ଷ ରୋପାହେବ

ପ୍ରତିଦିନ ସଜଫୁଲ ମାତ ଲାଗି ହେବ ।

ଯଦି ଏହି କଥା ପ୍ରଭୁ କରିବେ ସ୍ୱୀକାର

ନିଶ୍ଚେ ସଙ୍ଗେ ନେଇ ସ୍ୱର୍ଗେ ଯିବେ ଚକ୍ରଧର ।

ସେତିକିବେଳେ ଜାଣିବେ ତିନିପୁର ନର

ପ୍ରକୃତ ରୁକ୍ମିଣୀ ପାଟରାଣୀ ପ୍ରଭୁଙ୍କର ।

ଏତିକି ମାତର କହି ଯାଉଅଛି ମାତ

ଜାଣିଲେ ମୋହରେ ପ୍ରଭୁ ହୋଇବେ ବିରକ୍ତ ।

କହିବେ ନାରଦ ଛନ୍ତି ଏସବୁ ବତାଇ

ନୋହିଲେ ଏସବୁ କାହୁଁ ଜାଣିଥାନ୍ତା ଏହି ।

କ୍ରୋଧ ହେଲେ ପିତା ରକ୍ଷା ନାହିଁ ସନ୍ତାନର

ସଦାବେଳେ ନାରଦ ଯେ ଶ୍ରୀକୃଷ୍ଣ ଚାକର ।

ଏତେ କହି ଆନନ୍ଦରେ ଶୂନ୍ୟବାଣୀ ବାଇ

ଗଲେ ଲାଗୁ ବୋଲି କଳି ମୁଣି ଝାଡ଼ିଦେଇ ।

ନାରଦ ଚଳିଲା ପରେ ରୁକ୍ମିଣୀ ସୁନ୍ଦରୀ

ଭୂମି ଉପରେ ଶୋଇଲେ ଅଭିମାନ କରି ।

ଦ୍ୱାରକାରେ ସତ୍ୟଭାମା ସଙ୍ଗେ ଚକ୍ରଧର

ପୁଷ୍ପକ ବିମାନେ ଆସି ମିଳିଲେ ସତ୍ୱର ।

ପ୍ରଭୁଙ୍କ ଆସିବା ଦେଖି ପୁରବାସୀଗଣ

ପାଛୋଟି ଆଣିବା ପାଇଁ ଧାଇଁଲେ ତକ୍ଷଣ ।

ସାତବଂଶ ଯଦୁଗର ସଙ୍ଗେ ଘେନି ନାରୀ

ପ୍ରଭୁଙ୍କ ନିକଟେ ଆସି ହୋଇଲେ ସବୁରି ।

ଦେବକୀ ମାତା ସହିତେ ଷଡ଼ ପାଟବଂଶୀ

ଷୋଳସସ୍ର ରାଜକନ୍ୟା ପ୍ରବେଶିଲେ ଆସି ।

ଅର୍ଘ୍ୟସ୍ଥାଳୀ ଆଣି ସର୍ବେ ବନ୍ଦାପନା କଲେ

ପାଟରାଣୀଙ୍କୁ ଶ୍ରୀକୃଷ୍ଣଚନ୍ଦ୍ର ନ ଦେଖିଲେ ।

ଶ୍ରୀକୃଷ୍ଣ ବୋଲନ୍ତି କିମ୍ପା ରୁକ୍ମିଣୀ ନାହାନ୍ତି

ସରବେ ବୋଇଲେ ଭୂମି ପରେ ଶୋଇଛନ୍ତି ।

ଆମ୍ଭେ ଡାକିବାରୁ ସେ ଯେ କଲେ ନାହିଁ ନାହିଁ

ବୋଇଲେ ଦେହ ଖରପ ଚାଲି ନ ପାରଇ ।

ସତ୍ୟଭାମାଙ୍କ ଆନନ୍ଦ କହିଲେ ନ ସରେ

ସ୍ୱର୍ଗ ଆଣିଥିବା ଦ୍ରବ୍ୟ ଦେଲେ ଯେ ଯାହାରେ

ବଧୂ ରତିଙ୍କୁ ନେଇଣ କୋଳେ ବସାଇଲେ

କଣ୍ଠହାର ସତ୍ୟଭାମା ବଧୂ ଗଳେ ଦେଲେ ।

କିନ୍ତୁ ଶ୍ରୀକୃଷ୍ଣଙ୍କ ମନ ପଡ଼ିଅଛି କାଳି

ଚନ୍ଦ୍ରମା ମୁଖ ତାଙ୍କର ଦିଶଇ ମଉଳି ।

କଥାରେ ଯେ ଅଛି ଚୋର ମନ ତା ଗଣ୍ଠିରେ

ଭାବନ୍ତି ସତ୍ୟଭାମାଙ୍କୁ ନେଲି ମୁଁ ସଙ୍ଗରେ ।

ସେହି ଅଭିମାନେ ଶୋଇଅଛି ଚାନ୍ଦମୁହୀଁ

ନିଶ୍ଚେ ମୋ କପାଳେ ଦଣ୍ଡ ଲେଖିଅଛି ବିହି ।

ରାଜସଭାକୁ ନ ଯାଇ ପ୍ରଭୁ ଚକ୍ରଧର

ଆଗ ପ୍ରବେଶିଲେ ଦେବୀ ରୁକ୍ମିଣୀର ପୁର ।

ଦେଖିଲେ ବସୁଧା ପରେ ଶୋଇଛି ସୁମୁହୀଁ

ନୟନରୁ ନୀର ଧାର ଯାଉଅଛି ବହି ।

ସୁଯତ୍ନ ଘନ କବରୀ ଲୋଟି ଭୂମି ପରେ

ଫୁଟି କେରିକେରି ହୋଇ ଖେଳଇ ଧୂଳିରେ ।

ହଂସୁଲି ତୁଳିରେ ଯାକୁ ନିଦ୍ରା ନ ଲାଗଇ

ଯା ଅଙ୍ଗେ ଚନ୍ଦନ ତର ସଦା ଲୋପାହୋଇ ।

ଭୂମି ପରେ କ୍ଷଣେ ପାଦ ନ ଲାଗେ ଯାହାର

ସେ ପୁଣି ଶୋଇଛି ହୋଇ ଧୂଳିରେ ଧୂସର ।

ଦୋଷୀଙ୍କ ପରାୟେ ପ୍ରଭୁ ବସିଲେ ପାଶର

ଅସଜଡ଼ା କେଶ ସାଉଁଳିଲେ ପଦ୍ମକର ।

କୋମଳ ବଚନ ଭାଷି ବୋଲନ୍ତି ଶ୍ରୀଧର

ଉଠ ପ୍ରାଣେଶ୍ଵରୀ କିମ୍ପା ଶୋଇଛ ଧୂଳିର ।

ପ୍ରଭୁଙ୍କୁ ଦେଖିଣ ଦେବୀ କଇଁକଇଁ ହୋଇ

ବେଶୀ କାନ୍ଦିଲେକ ବାଳ ପରି ଚାନ୍ଦମୁହୀଁ ।

ବହୁତ ବୁଝାଇ ପ୍ରଭୁ ନିସ୍ତେଜ ହୋଇଲେ

ରୁକ୍ମିଣୀଙ୍କ କ୍ରୋଧ ଶାନ୍ତକରି ନ ପାରିଲେ

ଦେବୀଙ୍କ ରୁଷିବା ପୁରେ ହୋଇଲା ଚହଳ

ଶାଶୁ ନଣନ୍ଦ ସପତ୍ନୀ ମିଳିଲେ ସକଳ ।

ଯେତେ ପ୍ରକାର ସମସ୍ତ ପ୍ରବୋଧି କହିଲେ

କୌଣସି କଥା ସେ କର୍ଣ୍ଣପାତ ନ କରିଲେ ।

ସତ୍ୟଭାମାକୁ ନିକଟେ ଦେଖିଣ ରୁକ୍ମିଣୀ

କ୍ରୋଧ ଜରଜର ହୋଇ ବୋଲନ୍ତି ଯେ ବାଣୀ ।

ବାଳୁତ ନୁହଇ ମୋତେ ଭଣ୍ଡିବାକୁ ତୁହି

ଆସିଅଛୁ ରୂପ ଶୋଭା ଦେଖାଇବା ପାଇଁ ।

କାନ୍ତ ସଙ୍ଗେ ବୁଲିବାକୁ ଯାଇ ସ୍ୱର୍ଗପୁର

ମୋ ନିକଟେ ଆସି ତୁହି ଦେଖାଉ ଚାତର ।

ପାରିଜାତ ପୁଷ୍ପ ଖୋସି ଖୋସାରେ ତୋହର

ବସିବୁ ଯା କାନ୍ତ କୋଳେ ଦିଶିବ ସୁନ୍ଦର ।

ଚିତ୍ରରେଖା ପରି ରୂପ ତାଙ୍କୁ ଦେଖାଇବୁ

ମନ ମୋହି ପାଟରାଣୀ ତାହାଙ୍କର ହେବୁ ।

ଆମ୍ଭେ ହତଭାଗୀ ସତେ ସଉଭାଗ୍ୟ କାହିଁ

କୋଳେ ବସି ବଡ଼ପଣ ହେବୁ ଯେ ଦେଖାଇ ।

ତୁ ଅଟୁ ସୁନ୍ଦରୀ ପୁଣି ବିଷ୍ଣୁ ପାଟ ନାରୀ

ତେଣୁ ପାରିଜାତ ପ୍ରାପ୍ୟ ହୋଇଲା ତୋହରି ।

ଆଉ ଯେତେ ନାରୀ ସେଠି ଉପସ୍ଥିତ ଥିଲେ

ଦେବୀଙ୍କର କ୍ରୋଧେ ସର୍ବେ ପଳାଇଣ ଗଲେ ।

ଖୋସା ମଧ୍ୟୁ ପାରିଜାତ ସତ୍ୟଭାମା ନେଇ

ବୋଲଇ ନିଅ ଭଉଣୀ ରୁଷୁ ଏହା ପାଇଁ ।

ନିଅ ଏହି ଛାର ପୁଷ୍ପ ମୋର ଲୋଡ଼ା ନାହିଁ

ଶୁଣି ଉଠିଲେ ବାଘୁଣୀ ପରି ଚାନ୍ଦମୁହୀଁ ।

କିଲୋ ଭାରି ତ ସୁହାଗ ଅଟଇ ତୋହର

ଦେଖାଇବୁ ସେ ସୁହାଗ ଅନ୍ୟ କା ପାଶର ।

ନାଟୁଆ ରସିଆ ଲମ୍ପଟ ଯେ ହୋଇଥିବ

ତୋର କଅଁଳ କଥାରେ ସେହି ଭୁଲିଯିବ ।

ବାସି ଛଡ଼ାଫୁଲ ଆଣି ରୁକ୍ମିଣୀକୁ ଦେଉ

ଜଣଙ୍କ ସାହସେ ସିନା ତୁ ଏପରି କହୁ ।

ଦେବୀ କ୍ରୋଧ ଦେଖି ସତ୍ୟଭାମାକୁ ଶ୍ରୀଧର

ଚକ୍ଷୁ ଇଙ୍ଗିତେ ବୋଇଲେ ପଳାଅ ସତ୍ଵର ।

ଯେ ଯେଣେ ପଳାଇଗଲେ ପ୍ରଭୁ ଚକ୍ରଧର

ଦୋଷ କଲା ପରି ଠିଆ ହୋଇଣ ପାଶର ।

କର ଧରି ଦେବୀଙ୍କର ବୋଲନ୍ତି ଠାକୁର

ମୋର ଅପରାଧ କ୍ଷମାକର ନାରୀବର ।

ଅନୁରୋଧ କରିବାରୁ ସତ୍ୟଭାମା ମୋତେ

ତୁମ୍ଭଙ୍କୁ ନ କହି ଡରେ ନେଇଗଲି ସାଥେ ।

ଏଣିକି ପ୍ରତିଜ୍ଞା ମୁହିଁ କରୁଛିରେ ସହୀ

ତୁମ୍ଭ ବିହୁନେ ଅନ୍ୟକୁ ସଙ୍ଗେ ନେବି ନାହିଁ ।

ଯଦିରେ ସୁନ୍ଦରୀ ମୋର କଥା ନ ରଖିବୁ

ଜୀବନରେ କୃଷ୍ଣ ମୁଖ ଆଉ ନ ଦେଖିବୁ ।

ଯାଉଛି ଦ୍ୱାରକା ଛାଡ଼ି ଯିବି ମୁଁ ପଳାଇ

ଏ ଧନ ସମ୍ପଦ ମୋର ତିଳେ ଲୋଡ଼ା ନାହିଁ ।

ନ ରହିବା କଥା ଯହୁଁ କହିଲେ ଶ୍ରୀଧର

ରୁକ୍ମିଣୀ ଯେ ମନ ମଧ୍ୟେ କରିଲେ ବିଚାର ।

ଯାହାକୁ ପ୍ରାଣୁ ଅଧିକ ସେବା ମୁଁ କରଇ

ଯାହାକୁ ଦଣ୍ଡେ ନ ଦେଖି ପାଗଳୀ ହୁଅଇ ।

ଯେ ମୋହର ପଞ୍ଚପ୍ରାଣ ଦେବତା ହୃଦର

ଛାର ଦାବୀ ଲାଗି ପାଶେ ଢାଳୁଛନ୍ତି ନୀର ।

ଧିକ ଧିକ ନାରୀଜନ୍ମ ମୋହର ଅଟଇ

ଧିକ ଧିକ ଛାର ଅଭିମାନ ମୁଁ କରଇ ।

ମୋ ପ୍ରାଣନାଥଙ୍କୁ କେତେ କଷ୍ଟ ଦେଲି ମୁହିଁ

ଦୋଷୀ ପରି ଜଗତନାଥ ଛନ୍ତି ପୁଣି ରହି ।

କେତେ ଅପରାଧ କଲି ନାରୀ ଜନ୍ମ ହୋଇ

ଏହା ଭାବି ଉଠି ଉଭା ହେଲେ ଚାନ୍ଦମୁହୀଁ ।

ଜଗନ୍ନାଥଙ୍କ ପୟରେ କଲେ ନମସ୍କାର

ସେହିପରି ବହୁଥାଏ ନେତ୍ରୁ ନୀରଧାର ।

ଅଙ୍ଗୁ ଧୂଳି ଝାଡ଼ି ଦେଇ ପ୍ରଭୁ ଚକ୍ରଧର

କୋଳେ ଧରି ବସାଇଲେ ପଲଙ୍କ ଉପର ।

ଲୁହପୋଛି ଦରହସି ଆଲିଙ୍ଗନ କରି

ରୁକ୍ମିଣୀ ବୋଲନ୍ତି ସବୁ ଜାଣିଲି ମୁଁ ହରି ।

ମିଛେ ମୁଖେ ବୋଲ ପ୍ରଭୁ କମଳ ଲୋଚନ

କିନ୍ତୁ ଅନ୍ତର ମଧ୍ୟରେ କରୁଥାଅ ଭିନ୍ନ ।

ନୋହିଲେ କି ନେଇଥାନ୍ତ ସତ୍ୟଭାମା ପୁଣି

ଅସୁନ୍ଦରୀ ବୋଲି ନନେଲ ହେ ମୋତେ ଜାଣି ।

ସେ ପୁଣି ଭାଜନ ହେଲା ସ୍ୱର୍ଗେ ଯିବା ପାଇଁ

ମୁହିଁ ନିରାଶ୍ରୟ ପରି ଲୋତକ ଢାଳଇ ।

ଶ୍ରୀହରି ବୋଲନ୍ତି ତୁମ୍ଭେ ଜୀବର ଜୀବନ

ସବୁ ନାରୀଠାରୁ ତୁମ୍ଭଠାରେ ମୋର ମନ ।

ଏ ଦ୍ୱାରକାପରରେ ଯେତେ ରମଣୀ ଅଛନ୍ତି

ତୁମ୍ଭ ଚରଣ ରେଣୁକୁ ସମାନ ନୁହନ୍ତି ।

ରୁକ୍ମିଣୀ ବୋଲନ୍ତି ଭୁଲାଭୁଲି ଥାଉ ହରି

ଯାହା ଦରକାର ମୋତେ ଦେବକି ମୁରାରି ।

ଦେବୀଙ୍କ ବଚନେ ଦରହସି ଚକ୍ରଧର

ବୋଲନ୍ତି ନିଶ୍ଚୟ ଦେବୀ ଯାହା ଦରକାର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେଉଁ ସ୍ଥାନେ ଥିବ

ପ୍ରାଣ ଦେଇ ରୁକ୍ମିଣୀଙ୍କୁ ଦେବ ତାର ଧବ ।

ଏତେବେଳକେ ଯେ ହସ ହସ ହୋଇଗୋରୀ

କୋଳେ ବସି ଓଷ୍ଠ ଧରି କହଇ ସୁନ୍ଦରୀ ।

ଦେଖିଲ ତ ସ୍ବାମୀ ସତ୍ୟଭାମାର ଗରବ

ଛଡ଼ା ପାରିଜାତ ପୁଣି ମୋତେ ସେହି ଦେବ ।

ଜଗତ କରତାଙ୍କର ପାଟରାଣୀ ମୁହିଁ

ମୋ ଆଗେ କନିଷ୍ଠା ହୋଇ ଗୌରବ ଦେଖାଇ

ସାମାନ୍ୟ ରମଣୀ ପରି ଭାବି ସେହି ମୋତେ

ଖୋସା ମଧ୍ୟୁ ପାରିଜାତ ଦିଏ ମୋର ହସ୍ତେ ।

ସେହୁ କଥା ଗୋଟି ମୋତେ ବାଧିଛି ଠାକୁର

ତାର ପ୍ରତିଶୋଧ ନେବ ହେ ପ୍ରାଣଈଶ୍ୱର ।

ସେ ସିନ ଫୁଲ ପିନ୍ଧିଣ ବଡ଼ାଇ କରଇ

ମୋତେ ଗଛ ଦେଲେ ପୁରେ ଲଗାଇବିମୁହିଁ ।

ଦିନେ ପାରିଜାତ ସେ ଗଭାରେ ଖୋସି ବଇଁ

ମୁହିଁ ସଦା ପିନ୍ଧି ତବ କୋଳେ ବସିବଇଁ ।

ଏତିକି ମାତର ଭିକ୍ଷା ଶ୍ରୀପୟରେ ମୋର

ଯଦି ଦୟା ଥାଏ ମୋର କଥା ରକ୍ଷାକର ।

ଶ୍ରୀକୃଷ୍ଣ ବୋଇଲେ ଏତ ମହା ବିପରୀତ

ପାରିଜାତ ବୃକ୍ଷ କାହୁଁ ଦେବି ଯେ ଆଣିତ ।

ସ୍ୱର୍ଗ ନନ୍ଦନ କାନନେ ସେ ବୃକ୍ଷ ଅଛଇ

ଇନ୍ଦ୍ରଙ୍କ ବ୍ୟତୀତ ଆନ ଜନ ନ ଛୁଅଇଁ ।

ଯହୁଁ ଏତିକି କହିଲେ ପ୍ରଭୁ ଦଇତ୍ୟାରି

ଅଭିମାନରେ କାନ୍ଦିଲେ ଶ୍ରୀକୃଷ୍ଣଙ୍କ ନାରୀ ।

ଜାଣେ ଭଲକରି ମୋହରଠାରେ ସ୍ନେହ ନାହିଁ

ଏକା ସତ୍ୟଭାମା ତବ ଅଟେ ପ୍ରିୟସହୀ ।

ଯଦି କରିବାକୁ ଥିଲା ପାତର ଅନ୍ତର

ଏକୁ ଅଧିକ ବିଭା କି ଉଚିତ ତୁମ୍ଭର ।

ସନ୍ତୋଷ ସଭିଙ୍କୁ ଯେବେ କରି ନା ପାରିବ

ମୋର ବାପଘରେ ଛାଡ଼ି ଆସ ହେ ମାଧବ ।

ଦେଖ ପ୍ରଭୁ ଶପଥ କରୁଛି ଧର୍ମ ଚାହିଁ

ଗଛ ନ ଦେଲେ ପରାଣ ଦେବି ମୁଁ ହରାଇ ।

ଶ୍ରୀହରି ବୋଇଲେ ଦେବୀ ଚିନ୍ତା ପରିହର

ନିଶ୍ଚେ ପାରିଜାତ ବୃକ୍ଷ ଆଣିବି ସତ୍ଵର ।

ସଜ ହୁଅ କାଲି ତୁମ୍ଭେ ମୋ ସଙ୍ଗରେ ଯିବ

ପାରିଜାତ ଗଛ ନିଶ୍ଚେ ଘେନିଣ ଆସିବ ।

ଯହୁଁ ପ୍ରଭୁ ଦେବେ ବୋଲି କଲେ ସୀଉକାର

ରୁକ୍ମିଣୀ ଦେବୀ ଆନନ୍ଦେ ହୋଇଲେ ବିଭୋର ।

ପ୍ରେମଭରେ ପ୍ରଭୁଙ୍କର କୋଳେ ଗଲେ ଲୋଟି

ପ୍ରଭାତ ହୁଅନ୍ତେ ବାହାରିଲେ ପରମେଷ୍ଠୀ ।

ରୁକ୍ମିଣୀ ଦେବୀଙ୍କୁ କୋଳେ ଘେନି ଚକ୍ରଧର

ନନ୍ଦିଘୋଷରେ ମିଳିଲେ ନନ୍ଦନ ବନର ।

ଯହିଁ ଥାଏ ପାରିଜାତ ବୃକ୍ଷଗୋଟି ରହି

ଲୁହାବାଡ଼େ ଯେ ପିମ୍ପୁଡ଼ି ପଶି ନ ପାରଇ ।

ଲକ୍ଷ ଲକ୍ଷ ଦେବଦୂତ ଗନ୍ଧର୍ବ ସହିତ

ବୃକ୍ଷ ଚଉପାଶେ ଜଗିଅଛନ୍ତି ବହୁତ ।

କାହାକୁ କିଛି ନ କହି ପ୍ରଭୁ ଦଇତ୍ୟାରି

ବାଡ଼ ଭାଙ୍ଗି ଭିତରକୁ ପଶିଲେ ମୁରାରି ।

ଓପାଡ଼ିଲେ ଯେତେବେଳେ ପାରିଜାତ ହରି

ମଡ଼ ମଡ଼ ଶବଦରେ କମ୍ପେ ତିନିପୁରି ।

ପ୍ରହରୀମାନେ ଯେ ଯାହା ସ୍ଥାନେ ଜଗିଥିଲେ

ଶ୍ରୀକୃଷ୍ଣଙ୍କୁ ଦେଖିଆସି ଚୌଦିଗେ ବେଢ଼ିଲେ ।

ଯୁଦ୍ଧ ନ କରି ତାହାଙ୍କ ସଙ୍ଗେ ଚକ୍ରଧର

ଚକ୍ର ପେଶି କାଟିଦେଲେ ସମସ୍ତଙ୍କ ଶିର ।

ଗୁପ୍ତଚର ଇନ୍ଦ୍ର ଆଗେ ଯାଇଣ କହଇ

ଆହେ ଦେବ ପାରିଜାତ ବିଷ୍ଣୁ ଉପାଡ଼ଇ ।

ବାଧା ଦେବାରୁ ସେ ସୈନ୍ୟ ସମସ୍ତଙ୍କୁ ମାରି

ନେଉଛନ୍ତି ବୃକ୍ଷ ଗୋଟି ବଳାତ୍କାର କରି ।

କେହି ସୈନ୍ୟ ନାହିଁ ମାତ୍ର ଲୁଚିକରି ମୁହିଁ

ବାରତା ଦେବାକୁ ପ୍ରଭୁ ଅଇଲି ପଳାଇ ।

ଶୁଣି କ୍ରୋଧେ ଜର ଜର ହୋଇ ସୁନାସୀର

କରେ ବଜ୍ର ଧରି ରାଗେ ହୋଇଲା ବାହାର ।

ବୋଇଲା ଗଉଡ଼ ଟୋକା ମୁହଁ ବଢିଅଛି

ତେଣୁ ସ୍ୱର୍ଗପୁରେ ଆସି ଫିପାଦି କରୁଛି ।

ଦେଖିବ ରଖିବ କେଉଁ ବାପ ମୋର କର

ଏହି ବ୍ରଜେ ପଠାଇବି ଆଜି ଯମପୁର ।

ଐରାବତ ଗଜ ଆରୋହିଣ ସୁନାସୀର

ନନ୍ଦନକାନନେ ଆସି ହୋଇଲା ହାଜର ।

ବୋଲଇ ଆରେ ଗଉଡ଼ ବଡ଼ ସ୍ପର୍ଦ୍ଧା ତୋର

କେଉଁ ସାହସରେ ଆସି ଦେଖାଉଚାତର ।

ଶ୍ରୀହରି କହିଲେ ମାତ୍ର ଚାରିଦିନ କଥା

ପାସୋରି ଗଲୁଣି ଇନ୍ଦ୍ର କେଡ଼େ ବଳବନ୍ତା ।

ରାକ୍ଷସର ପାଦସେବା କରୁଥିଲୁ ତୁହି

କେଉଁ ସାହସରେ ଆସୁ ଯୁଦ୍ଧ ଲାଗି ଧାଇଁ ।

ଇନ୍ଦ୍ର ବୋଲିଣ ଉପ୍ରୋଧ କରୁଅଛି ମୁହିଁ

ନୋହିଲେ ଇନ୍ଦ୍ରପଣିଆ ଦିଅନ୍ତି ଛଡ଼ାଇ ।

ଇନ୍ଦ୍ର ବୋଲେ ଥାଉଥାଉ ସୁଆଗ ତୋହର

ଦେବ ପାରିଜାତ ତୋତେ ଯୋଗାଏ କେଛାର

କୃଷ୍ଣ କହନ୍ତି ଯେ ଛାରଲୋକେ କନ୍ୟା ଦେଲ

ସେତେବଳେ ଜାତି ଗୋତ୍ର ବାରୁତ ନ ଥିଲ ।

ଏହିପରି ଉଚ୍ଚବାକ୍ୟ ହୋଇ ଦୁଇଜଣ

ପ୍ରସ୍ତୁତ ହୋଇଲେ ସର୍ବେ କରିବାକୁ ରଣ ।

ଶ୍ରୀକୃଷ୍ଣ ବୋଇଲେ ଏ ଦେବଙ୍କୁ ରକ୍ଷା ନାହିଁ

ଯାହାର ଖାଆନ୍ତି ତାକୁ ମାରନ୍ତି ଗୋଡ଼ାଇ ।

ଆଜି ସର୍ବ ଦେବତାଙ୍କୁ ନିଶ୍ଚୟ ମାରିବି

ମର୍ତ୍ତ୍ୟ ଲୋକେ ଆଣି ମୁହିଁ ସ୍ୱରଗେ ସ୍ଥାପିବି ।

ଏ ଖବର ବିଧାତାଙ୍କ ପାଶେ ଦେଲା ଚାର

ଜଣାଇବାରୁ ଧାଇଁଲେ ବିଧାତା ସତ୍ବର ।

ଇନ୍ଦ୍ରକୁ ବୋଇଲେ ତୋର ବିବେକ କି ନାହିଁ

କାହା ସଙ୍ଗେ କରୁ ରଣ ପଛକୁ ନ ଚାହିଁ ।

ନାରକା ମାରିଲା ଦିନ ଦେଖିଥିଲୁ ତୁହି

ଆଉ ନିମିଷକେ ସ୍ଵର୍ଗ ଦେଇଥାନ୍ତା ଦହି ।

ତାହାର ସ୍ୱରଗ ସେହି କରିଛି ଏ ବନ

ରୋପିଥିଲା ପାରିଜାତ ସେ ପ୍ରଭୁ ଏ ସ୍ଥାନ ।

ଯଦି ଇଚ୍ଛା ହୁଏ ତାର ନେଇଯାଉ ସେହି

ତୋର କେଉଁ ଅଧିକାର ତା ପରେ ଅଛଇ ।

ପତଙ୍ଗ ହୋଇ ଅନଳ ସଙ୍ଗେ କର ବାଦ

ଜାଣୁ ଜାଣୁ ଲୋଡ଼ୁଅଛ କିମ୍ପା ପରମାଦ ।

ଯାଅ ପ୍ରଭୁଙ୍କ ସଙ୍ଗରେ ମିତ୍ର ହୁଅ ତୁହି

ଇନ୍ଦ୍ର ଗୋବିନ୍ଦ ମିଳନ କରାଇବି ମୁହିଁ ।

ଧାତାଙ୍କ ବଚନେ ଭୟ ପାଇ ସୁନାସୀର

ପାଦଗାମୀ ହୋଇ ମିଳେ ପ୍ରଭୁଙ୍କ ପାଶର ।

ଦେଖନ୍ତି ଦେବତାଗଣ ଇନ୍ଦ୍ର ନାରାୟଣ

ମିଳନ ହୋଇଣ ଆଚରିଲେ ମିତ୍ରପଣ ।

ପାରିଜାତ ବୃକ୍ଷ ସର୍ବ ଦେବଗଣ ନେଇ

ଶ୍ରୀବିଷ୍ଣୁ ବାପାଙ୍କ କରେ ହରଷରେ ଦେଇ ।

ଦେବଗଣମାନେ ପ୍ରଭୁ ପାଦରେ ନମିଲେ

ପାରିଜାତ ବୃକ୍ଷ ଘେନି ଦ୍ୱାରକା ଚଳିଲେ ।

ଦେଖିଣ ଯାଦବମାନେ ହୋଇଲଷ ହରଷ

ପାଳିଲେ ସରବେ ପାରିଜାତର ଦିବସ ।

ଏହି ସମୟେ ମିଳିଲେ ଧାତାଙ୍କ କୁମର

ରୁକ୍ମିଣୀ ସହ ଶ୍ରୀହରି କଲେ ନମସ୍କାର ।

ନାରଦ ବୋଇଲେ ମୋର ମନହେଲା ତୋଷ

ଇନ୍ଦ୍ର ଦେବତାର ଗର୍ବ କଲି ମୁହିଁ ଧ୍ୱଂସ ।

ଏହି ପାରିଜାତ ଲାଗି ଦିନେ ସୁନାସୀର

ମୋତେ ଅପମାନ ଦେଲା ସୁଧର୍ମା ସଭାର ।

ସେ ଅପମାନର ପ୍ରତିଶୋଧ ନେବା ପାଇଁ

ମିଳାଇ ଦେଲେ ହରଷେ ନାରଦ ଗୋସାଇଁ ।

କରିଥିଲି ମୋ କାମନା ଗଲା ପୂର୍ଣ୍ଣ ହୋଇ

ସତ୍ୟଭାମା ରୁକ୍ମିଣୀଙ୍କୁ ପ୍ରଭୁ ପାଶେ ନେଇ ।

ମଧ୍ୟରେ ଶ୍ରୀକୃଷ୍ଣ ବାମା ଡାହାଣେ ଦ୍ବିନାରୀ

ଆଗରେ ବିଧାତା ପୁତ୍ର ଛନ୍ତି ବିଜେକରି ।

ନାରଦ ବୋଲନ୍ତି ସ୍ବର୍ଗ ପାରିଜାତ ପାଇଁ

ଯେତେ ଦ୍ୱନ୍ଦ ଥିଲା ସବୁ ଭୁଲ ମହାମାୟୀ ।

ଏ ପାରିଜାତ ବୃକ୍ଷରେ ଯେତେ ପୁଷ୍ପ ହେବ

ସର୍ବ ବିଷ୍ଣୁଙ୍କର ବାପା ହରଷେ ଘେନିବ ।

କାର ଦୋଷ ନାହିଁ ସବୁ କରିଥିଲି ମୁହିଁ

କେବଳ ଇନ୍ଦ୍ର ଗରବ ଗଞ୍ଜି ଦେବା ପାଇଁ ।

ଏ ପୁତ୍ରର ସର୍ବ ଦୋଷ କ୍ଷମାକର ମାତ

ହରି ହରି ବୋଲ ହୃଦ ହେବ ଗୋ ପବିତ୍ର ।

ଅପୂର୍ବ ଚରିତ ପାରିଜାତ ଯେ ହରଣ

ଅଜ୍ଞାନ କ୍ଷେତ୍ରମୋହନ ପଶଇ ଶରଣ ।

 

ଶ୍ରୀକୃଷ୍ଣ ରୁକ୍ମିଣୀ ନିତ୍ୟ ଗମନ ଓ
ରୁକ୍ମିଣୀଙ୍କର ଗର୍ବଗଞ୍ଜନ ନିମନ୍ତେ ଶ୍ରୀକୃଷ୍ଣ ତରଳିଯିବା

ଶୁଣ ସୁଜ୍ଞଜନମାନେ ଅପୂର୍ବ ବିଧାନ

ଶ୍ରୀରାଧା କୃଷ୍ଣଙ୍କ ରସ ଆଦି ଭାବାପନ୍ନ ।

ଗୋପ ଛାଡ଼ି କୃଷ୍ଣଚନ୍ଦ୍ର ମଥୁରା ଆସିଲେ

ପ୍ରଭୁଙ୍କ ବିହୁନେ ଗୋପି ପାଗଳ ହୋଇଲେ ।

ତାହାପରେ ଜରାସନ୍ଧ ଭୟେ ଚକ୍ରଧର

ଦ୍ଵାରକାପୁର ନିର୍ମାଣ କଲେ ସମୁଦ୍ରର ।

ଅମର ପୁରୁ ଅଧିକ ଦ୍ୱାରକା ଭୁବନ

ରୋଗ ଶୋକ ଜରା ମୃତ୍ୟୁ ନାହିଁ ସେହି ସ୍ଥାନ ।

ଅଷ୍ଟପାଟବଂଶୀ ପ୍ରଭୁ ବିବାହ କରିଲେ

ପୁଣି ଷୋଳସହସ୍ର କନ୍ୟାଗଣ ବିଭାହେଲେ ।

କହିଛି ତ ଆଗୁ ପାରିଜାତର ବିଧାନ

ଦ୍ୱାରକାରେ ସେ ବୃକ୍ଷ ରୋପିଲେ ଭଗବାନ ।

ପାରିଜାତ ପୁଷ୍ପ ଲାଗି ଦୁଇରାଣୀଙ୍କର

ହୋଇଥିଲା ଦ୍ୱନ୍ଦ ପ୍ରଭୁ କଲେ ସମାଦର ।

ସେହି ଦୁନୁ ଯେ ରୁକ୍ମିଣୀ ସତ୍ୟଭାମା ଦୁଇ

ଭାବନ୍ତି ଆମ୍ଭ ସମାନ ଆଉ କେହି ନାହିଁ ।

କହନ୍ତି ସଭିଙ୍କଠାରୁ ଅଟୁ ଆମ୍ଭେ ଶ୍ରେଷ୍ଠା

ତେଣୁ ପାରିଜାତ ଆଣିଦେଲେ ପରମେଷ୍ଠା ।

ଆମ୍ଭ ସମାନ ସୁନ୍ଦରୀ ଦ୍ୱାରକାରେ ନାହିଁ

ଯେଣୁ ପ୍ରଭୁ ଯାନ୍ତି ଆମ୍ଭଙ୍କୁ ସଙ୍ଗତେ ନେଇ ।

ରୁକ୍ମିଣୀ ବୋଲନ୍ତି ମୁଁ ଯେ ଅଟେ ଜ୍ୟେଷ୍ଠ ନାରୀ

ସ୍ବାମୀଙ୍କର ମୋ ଉପରେ ଶରଧା ଯେପରି ।

ସତ୍ୟଭାମା କହନ୍ତି ମୁଁ କନିଷ୍ଠା ଅଟଇ

ରୂପ ଗୁଣେ ଯୌବନେ ମାତର ମନ ମୋହି ।

ମୋ ସୁନ୍ଦର ପଣେ ମୁଗ୍‌ଧ ହୋଇ ଚକ୍ରଧର

ଦଣ୍ଡେ ମୋତେ ନ କରନ୍ତି ପାଶରୁ ଅନ୍ତର ।

ଦେଖ ନାରକା ମାରଣେ ଗଲେ ସ୍ୱର୍ଗପୁର

କୋଳେ ବସାଇଣ ମୋତେନେଲେ ଯେପ୍ରଖର ।

ଏହିପରି ଦୁଇଜଣ ଗରବ କରନ୍ତି

ଅନ୍ୟ ନାରୀଙ୍କର ଆଗେ ବଡ଼ାଇ ଦେଖାନ୍ତି ।

ଆଉ ଷଡ଼ ପାଟବଂଶୀ ଷୋଳସସ୍ର ନାରୀ

ସ୍ୱାମୀଙ୍କ ଆଗରେ ସର୍ବେ କରନ୍ତି ଗୁହାରି ।

ସହଜେ ତ ରାଜାଙ୍କର ଅଟନ୍ତି ଦୁହିତୀ

ପୁଣି ସୁନ୍ଦରୀ ସରବେ ଆବର ଯୁବତୀ ।

ବିଷ୍ଣୁଙ୍କର ଅଙ୍ଗ ସଙ୍ଗ କରନ୍ତି ଯେ ନାରୀ

ସେମାନେ ପଦ୍ମିନୀ ଲକ୍ଷ୍ମୀ ଅଂଶେ ଅବତରି ।

ୟାଙ୍କ ଗର୍ବ ଦେଖି ତାଙ୍କ ଦେହ ନ ସହଇ

କ୍ରୋଧେ ଅଭିମାନେ କାନ୍ଦି କହନ୍ତି ସୁମୁହୀଁ ।

ତାହାଙ୍କୁ ବହୁତ ପ୍ରବୋଧିଣ ଚକ୍ରଧର

କହନ୍ତି ସର୍ବେ ସମାନ ନିକଟେ ମୋହର ।

ଯାହା ପୁରକୁ ଯାଆନ୍ତି ପ୍ରଭୁ ଦଇତ୍ୟାରୀ

ଏହି କଥା ସର୍ବ ନାରୀ କରନ୍ତି ଗୁହାରି ।

ଷୋଳସସ୍ର ମୂରତି ହୋଇଣ ନାରାୟଣ

ସମସ୍ତ କନ୍ୟାଙ୍କ ସଙ୍ଗେ କରନ୍ତି ରମଣ ।

ସଭିଏଁ ଭାବନ୍ତି ଏକା ସ୍ବାମୀ ଯେ ମୋହର

ତେଣୁ ପ୍ରତିଦିନ ଆସୁଛନ୍ତି ମୋର ପୁର ।

ସେ ତ ଅନ୍ତର୍ଯ୍ୟାମୀ ନାଥ ବ୍ରହ୍ମାଣ୍ଡ କରତା

କେହି ନ ଜାଣନ୍ତି ମାୟାଧର ସର୍ବ କର୍ତ୍ତା ।

କୌଣସିଥିରେ ନାରୀଙ୍କ ମନ ଦୁଃଖ ନାହିଁ

କେବଳ ଏ ଦୁଇ କଥା ନ ପାରନ୍ତି ସହି ।

ବହୁ ପ୍ରକାରେ ବୁଝାନ୍ତି ତାକୁ ଚକ୍ରଧର

ଦେଖ ପ୍ରତିଦିନ ଆସିଅଛି ତୁମ ପୁର ।

ସବୁ ରମଣୀମାନଙ୍କୁ ଏ ରୂପେ କହନ୍ତି

ସ୍ବାମୀ ପାଦ ସେବି ସର୍ବେ ହରଷ ହୁଅନ୍ତି ।

ନାରୀମାନଙ୍କୁ ଯେ ପୁଣି କୁହନ୍ତି ଶ୍ରୀଧର

ରୁହ ତୁମ୍ଭେ ଗର୍ବ ଭାଙ୍ଗି ଦେବି ମୁଁ ତାଙ୍କର ।

ସଦା ଉପାୟ ପାଞ୍ଚନ୍ତି ପ୍ରଭୁ ଚକ୍ରଧର

ଗର୍ବ ନାଶିବି ରୁକ୍ମିଣୀ ସତ୍ୟଭାମାଙ୍କର ।

ସେତ ଅନ୍ତର୍ଯ୍ୟାମୀ ନାଥ ବ୍ରହ୍ମାଣ୍ଡ ଠାକୁର

ଦିନେ ବିଜୟ କରିଲେ ରୁକ୍ମିଣୀର ପୁର ।

ସୁବର୍ଣ୍ଣ ଝରୀରେ ନୀର ଆଣି ଚାନ୍ଦମୁହୀଁ

ପାଦ ପ୍ରକ୍ଷାଳନ କରି ପଣତେ ପୋଛଇ ।

ଚରଣେ ପ୍ରଣାମ କରି ପାଦୋଦକ ପାଇ

ଦରହସି କରି ଧରିନେଲା ଶଶୀମୁହୀଁ ।

ରତ୍ନ ପଲ୍ୟଙ୍କରେ ତୁଳି ଅଳପ ବିଛଣା

ଉପରେ ଚନ୍ଦ୍ରାତାପରେ ଚାନ୍ଦୁଆ ଯେ ଟଣା ।

ହୀରା ନୀଳା ରଜତ କୁସୁମ ପାଏ ଶୋଭା

ଚହଟେ ସୁବାସିତର ମନ କରେ ଲୋଭା ।

ଦିବ୍ୟ ବେଶରେ ଭୂଷିତା ହୋଇ ନାରୀବର

ଜୁଡ଼ାରେ ଯତନେ ଶୋଭେ ପାରିଜାତହାର ।

ସୁବାସ ତାମ୍ବୁଳ ଭାଙ୍ଗି ରମଣୀ ରତନ

ଶ୍ରୀମୁଖେ ଭୁଞ୍ଜାଏ କରି ଆଦର ଯତନ ।

ରୁକ୍ମିଣୀ ରୂପେ ମୋହିତ ହେଲେ ଚକ୍ରଧର

ଟାଣି ନେଇଣ ଦେବୀଙ୍କୁ ବସାଇ କୋଳର ।

ବାର ବାର ଚୁମ୍ବନ ଯେ ଗଣ୍ଡ ଦ୍ୟନ୍ତି ହରି

କାମରେ ଆତୁରା ଗୋରୀ ମନ ହୁଏ ଘାରି ।

ଦେବୀଙ୍କ ପୁରରେ ସୁଖେ ରହିଲେ ଶ୍ରୀଧର

ଗେଲେଇ ଗେଲେଇ ଗୀର ଭାଷେ ନାରୀବର ।

ମୋହଠାରୁ ଭାଗ୍ୟବତୀ ସଂସାରେ କେ ଛଇଁ

ସ୍ୱୟଂ ବ୍ରହ୍ମାଣ୍ଡକରତା ପାଟରାଣୀ ମୁହିଁ ।

ଶୁଣି ପ୍ରଭୁଙ୍କୁ ବୋଲଇ ଗର୍ବଭରେ ଗୋରୀ

ସବୁଠାରୁ ନୁହେଁ ମୁଁ କି ଅଧିକ ତୁମ୍ଭରି ।

କିଛି ନ କହି ମଉନ ହୋଇ ଚକ୍ରଧର

ଦରହସି ରାଧେ ରାଧେ ବୋଲିରେ ମୁଖର ।

ଶୟନେ ସ୍ବପନେ ଧ୍ୟାନେ ଜ୍ଞାନେ ନାରାୟଣ

ଶ୍ରୀରାଧାଙ୍କ ନାମ ସଦା ଭଜନ୍ତି ମୁଖେଣ ।

ଯେତେବେଳେ ରାଧେରାଧେ ଶ୍ରୀକୃଷ୍ଣ କହିଲେ

ଅଭିମାନ କରି ଗୋରୀ କୋଳରୁ ଉଠିଲେ ।

ଶ୍ରୀକୃଷ୍ଣ ବୋଲନ୍ତି କେଣେ ଗଲ ଚମ୍ପାଗୋରୀ

କିମ୍ପା କଲ ମନ ଦୁଃଖ କୁହରେ ସୁନ୍ଦରୀ ।

ରୁକ୍ମିଣୀ ବୋଲନ୍ତି ଭଲକରି ଜାଣେ ମୁହିଁ

ରାଧା ଗଉଡୁଣୀ ମନୁ ପାସୋରିବ ନାହିଁ ।

ମୋହଠାରୁ କେଉଁ ଗୁଣେ ଅଟେ ସେ ସୁନ୍ଦରୀ

ଛାର ଗଉଡୁଣୀ ନାମ ସଦା ବୋଲ ହରି ।

ଗୋରୁ ଗୋବର ଚୁନିରେ ବେଉସା ତାହାର

ବୋତିଆ ଗନ୍ଧ ସର୍ବଦା ବାହାରେ ତାହାର ।

ଚାଲିଗଲା ଲୋକ ଦୂରୁ ଯାଆନ୍ତି ଆଡ଼େଇ

ଲହୁଣୀ ଲଗାଇ ଗନ୍ଧ ଛାଡ଼ୁଥାନ୍ତି ସେହି ।

ସୁଗନ୍ଧ ଅତର ଦିନେ ଦେଖି ସେ ନ ଥିବ

ପାଟ ପୀତାମ୍ବରୀ ଖଣ୍ଡେ ତାହାକୁ ଅଭାବ ।

ଦେହରେ ମଳି ଯେ ହାତେ କଂସା ଖଡ଼ୁବାଇ

ସୁଲୁ ବୁଲୁ ଲୁଗା ମଳି କୋଚଟ ଦିଶଇ ।

ବେଶ ଭୂଷଣ କିପରି ସେ ଦେଖି ନାହାନ୍ତି

ଗଉଡୁଣୀ ଦେଖିଲେ ମାଡ଼େ ମୋତେ ବାନ୍ତି ।

ପାପ ପୁଣ୍ୟ ଭଲ ମନ୍ଦ ମାତ୍ର ନ ଜାଣନ୍ତି

ସ୍ବାମୀଙ୍କୁ ପାଶୋରି ପରେ ପୀରତି କରନ୍ତି ।

ଶୁଣିଛି ଗୋପରେ ଥିଲା ଏକ ଗଉଡୁଣୀ

ଭଣଜା ସଙ୍ଗତେ ମାଈଁ ପ୍ରୀତି କରେ ପୁଣି ।

ଶାଶୁ ନଣନ୍ଦଙ୍କଠାରୁ ଗଞ୍ଜଣା ସହଇ

ନିଶା ଅର୍ଦ୍ଧେ ଲୁଚି ଲୁଚି ବନକୁ ଧାମଇ ।

ଏପରି ଚରିତ୍ର ଅଟେ ଯେଉଁମାନଙ୍କର

ତାଙ୍କର ଜାତିରେ ପୁଣି ବନ୍ଧୁତା ତୁମ୍ଭର ।

ପର ଫସଲେ ଚରାନ୍ତି ଗୋରୁ ଗାଈ ନେଇ

କୃଷକ ଦେଖିଲେ ବହୁ ମାଡ଼ ଯେ ଦିଅଇ ।

ରାଧା ଗଉଡୁଣୀ ସେହିପରି ହୋଇଥିବ

ତାକୁ ଏତେ ଭଲ କିଆଁ ପାଅ ହେ ମାଧବ

ମୋହଠାରୁ କେଉଁ ଗୁଣେ ଅଟେ ବଡ଼ ସେହି

ରୂପରେ ଗୁଣରେ କିସ ଅଧିକ ଅଟଇ ।

ମୋ ସମାନ ଏତେ ରାଜକନ୍ୟା ପୁରେ ଥାଇ

ସେ ଗଉଡୁଣୀ ସଦା ଭାବ ପ୍ରାଣସାଇଁ ।

କହିଲ ଦେଖି କିପରି ସୁନ୍ଦରୀ ସେ ରାଧା

ତେଣୁ ତାକୁ ପ୍ରାଣଧନ କରୁଛ ଶରଧା ।

ରୁକ୍ମିଣୀ ବଚନ ଶୁଣି ବୋଲନ୍ତି କେଶବ

ରାଧାର ପାଦ ରେଣୁକୁ ତୁମ୍ଭେ ନୁହଁ ସମ ।

ରାଧା ବୋଲି ଅଟେ ଯେଉଁ ଦିଓଟି ଅକ୍ଷର

ସମାନ ନୁହଇ ତାକୁ ଚତୁର୍ଦ୍ଦଶ ପୁର ।

ରାଧା ନାମେ ଗଙ୍ଗା ଯାଏ ତିନିପୁର ବହି

ରାଧା ନାମେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ ।

ଯେତେ ନାରୀ ମୋର ଅଛ ଏ ଦ୍ୱାରକା ପୁରୀ

ଶ୍ରୀରାଧାଙ୍କ ପାଦ ଧୂଳି ସମ ନୁହେଁ ସରି ।

ଏହିପରି କହୁ କହୁ ପ୍ରଭୁ ଚକ୍ରଧର

ଦୁଇ ନୟନୁ ତାଙ୍କର ବହେ ନୀର ଧାର ।

ଶୁଣି ଅଭିମାନେ ଗୋରୀ ନାସା ଗଲା ଫୁଲି

ମୁଖ ରଙ୍ଗ ପଡ଼ି ରୁକ୍ମିଣୀଙ୍କ ଦିଶେ ନାଲି ।

ବୋଲେ ପ୍ରଭୁ ମୋ ଆଗରେ ମିଥ୍ୟା କଥାକୁହ

ଛାର ଗଉଡୁଣୀ ଲାଗି ଗଡ଼ାଉଛ ଲୁହ ।

ତା ସମାନ ପାଉନାହିଁ ଶାନ୍ତି ଆମ୍ଭଠାର

ତେଣୁ ସର୍ବଦା ଝୁରୁଛ ରାଧାକୁ ତୁମ୍ଭର ।

ଯଦି ରାଧା ଥିଲା ତୁମ୍ଭ ପରାଣ ଈଶ୍ୱରୀ

ଅସୁନ୍ଦରୀ ନାରୀ କିମ୍ବା ବିଭା ହେଲେ ହରି ।

ଯଦି ସେ ରାଧା ଅଟଇ ପରମା ସୁନ୍ଦରୀ

ଥରେ କି ମୋତେ ଦେଖାଇ ପାରିବ ମୁରାରି ।

ଦେଖିଲେ ଥରେ ଆଖିରେ ପ୍ରତେ ଯିବି ମୁହିଁ

ନୋହିଲେ ଜାଣିବି ମିଛେ କୁହ ପ୍ରାଣସାଇଁ ।

ଶ୍ରୀହରି ବୋଇଲେ ଏଡ଼େ ଭାଗ୍ୟ ମୋର ନାହିଁ

ହରାଇଲା ରତ୍ନ ଆଉ ଫେରି ପାଇବଇଁ ।

ଯେଉଁ ଦିନଠାରୁ ଆସିଲି ଏଠାର

ପ୍ରିୟ ସଖୀ ରାଧା ପାଶେ ରହିଲା ଅନ୍ତର ।

ମୁଁ ଆସିଲି ମଧୁପୁରେ ସେ ଗଲା ନିତ୍ୟକୁ

ପୁଣି କେବେ ଗଲେ ଅବା ଭେଟ ହେବ ତାକୁ ।

ରୁକ୍ମିଣୀ ବୋଇଲେ ମୋତେଚଲ ନିତ୍ୟେନେଇ

ତୁମ୍ଭ ରାଧାରାଣୀ ଥରେ ଦିଅ ହେ ଦେଖାଇ ।

ହେଉ ବୋଲି ଚକ୍ରଧର ବାମାଙ୍କୁ କହିଲେ

ଗରୁଡ଼କୁ ମନେ ମନେ ପ୍ରଭୁ ସୁମରିଲେ ।

ରମ୍ୟକ ଦ୍ବୀପରେ ଥିଲା ବିନତା ନନ୍ଦନ

ବାର୍ତ୍ତା ପାଇ ପ୍ରଭୁ ପାଶେ ମିଳିଲା ବହନ ।

ପାଦେପଡି ବୋଲେ କିମ୍ପା ଡାକିଲଗୋସାଇଁ

ଶ୍ରୀହରି ବୋଇଲେ ନିତ୍ୟେ ବୁଲିଯିବି ମୁହିଁ ।

ଶୁଣିଣ ଗରୁଡ଼ ବୋଲେ ବେନିକର ଯୋଡ଼ି

ଏତେ ଶୀଘ୍ର କିମ୍ପା ଦେବ ଯାଉଛ ବାହୁଡ଼ି ।

ହସ କହନ୍ତି ଶ୍ରୀଧର ଶୁଣ ମୋର ଭକ୍ତ

ରାଧା ଦରଶନେ ଯିବେ ତୋ ରୁକ୍ମିଣୀ ମାତ ।

ତେଣୁ ତାଙ୍କୁ ନେଉଅଛ ଦେଖାଇବା ପାଇଁ

ତୋହାବିନୁ ସେସ୍ଥାନେ କେ ନପାରିବ ଯାଇ ।

ରୁକ୍ମିଣୀ ସୁନ୍ଦରୀ ଦିବ୍ୟ ବେଶଭୂଷା ହୋଇ

ଗରୁଡ଼ ପୃଷ୍ଠରେ ବିଜେ ପ୍ରଭୁ ସଙ୍ଗେ ତହିଁ ।

ଧନ୍ୟ ବିଧାତା ନନ୍ଦନ ଧନ୍ୟ ଭାଗ୍ୟ ତେରା

ନିତ୍ୟକୁ ଯିବାକୁ ଏକା ତୁହି ଶକ୍ତିଧର ।

ବ୍ରହ୍ମା ଇନ୍ଦ୍ର ଯାଇ ନ ପାରନ୍ତି ଯେଉଁ ସ୍ଥାନ

ସଙ୍ଗେ ସଙ୍ଗେ ପ୍ରବେଶିଲା ବିନତା ନନ୍ଦନ ।

ନିତ୍ର ବୈକୁଣ୍ଠ ପୁରରେ ପ୍ରଭୁ ଚକ୍ରଧର

ରୁକ୍ମିଣୀଙ୍କୁ ସଙ୍ଗେଘେନି ହୋଇଲେ ହାଜର ।

ସେ ନିତ୍ୟ ବୈକୁଣ୍ଠ ଶୋଭା କହିଲେ ନସରେ

ସପ୍ତମୁଖେ ବ୍ରହ୍ମା ଯାକୁ କଳନା ନ କରେ ।

ଚାରି ଦେବ ଯା ଆଜ୍ଞାରେ ଆତଯାତ ହୋନ୍ତି

ଶିଶୁମୁନା ବେଦ ସେସ୍ଥାନରେ ଗୋପ୍ୟଛନ୍ତି ।

ପ୍ରତିଦିନ ବହଇ ଯେ ମଳୟ ପବନ

ଅପରୁପ ଶୋଭା ମୋହି ପାରେ ଜନମନ ।

ସେ ସ୍ଥାନରେ ବିଚରନ୍ତି ଯତେ ଜୀବଚର

ନୈଷ୍ଠିକ ଚିତ୍ତରେ ସର୍ବେ କରନ୍ତି ବିହାର ।

ବିକାରଶୂନ୍ୟ ସରବେ ଛନ୍ଦମନ୍ଦ ନାହିଁ

କୋଟି ଇନ୍ଦ୍ର ପୁର ତାକୁ ସମାନ ନୁହଇ ।

ସେହିଠାରୁ ମନ୍ଦାକିନୀ ଆସୁଅଛି ବହି

କଳକଳ ନାଦ ପାରେ ତ୍ରିଭୁବନ ମୋହି ।

ଏହି ରୂପେ ବାହାରର ଶୋଭା ଯେ ଅଟଇ

ରୁକ୍ମିଣୀଙ୍କୁ ଦେଖାଇ ଥାଆନ୍ତି ପ୍ରଭୁ ତହିଁ ।

ଦୀର୍ଘ ପ୍ରତି ସେ ପୁରର କଳନା ନ ଯାଇ

କେଉଁ ବିନ୍ଧାଣି ନିର୍ମାଣ କରିଛି ବା ତହିଁ ।

ବାହାର ସୌନ୍ଦର୍ଯ୍ୟମାନ ରୁକ୍ମିଣୀଙ୍କୁ ହରି

ଦେଖାଇ ମିଳିଲେ ସିଂହ ଦୁଆରେ ମୁରାରି ।

ସିଂହଦ୍ୱାରେ ଦେଖିଲେ ଲକ୍ଷ ଲକ୍ଷ ଋଷି

ଉଭା ହୋଇଛନ୍ତି ସର୍ବେ ତିଳେହେଁ ନ ବସି ।

ଅସ୍ଥି ଗଦା ହୋଇଅଛି କୁଢ କୁଢ ହୋଇ

ଏହା ଦେଖିଣ ପ୍ରଭୁଙ୍କୁ ପୁଚ୍ଛନ୍ତି ସୁମୁହୀଁ ।

କୁହ ନାଥ ଋଷିଗଣ ଉଭା ହୋଇଛନ୍ତି

ଅସ୍ଥିମାନ ଗଦା କିମ୍ପା ଏ ସ୍ଥାନେ ହୁଅନ୍ତି ।

ଶ୍ରୀକୃଷ୍ଣ ଛଦ୍ରମେ ଋଷିମାନଙ୍କୁ ପୁଚ୍ଛନ୍ତି

ଉତ୍ତର ଦେଇଣ ମୁନିଗଣ ବୋଲୁଛନ୍ତି ।

ଆମ୍ଭେ ଅଟୁ ଏକ ଏକ ଯୁଗ ଶ୍ରେଷ୍ଠ ଋଷି

ପ୍ରଭୁଙ୍କ ଦର୍ଶନ ପାଇବାକୁ ଏଥେଁ ଆସି ।

ଶତ ଶତ ଯୁଗ ହେଲା ସର୍ବେ ଏହିଠାରେ

ଛିଡ଼ା ହୋଇଅଛୁ ଯିବା ହୋଇନି ପ୍ରଭୁର ।

ଆମ୍ଭମାନଙ୍କ ମଧ୍ୟରୁ କେତେ ନଷ୍ଟ ହୋଇ

ଅନେକଥର ମର୍ତ୍ତ୍ୟକୁ ଯାନ୍ତି ଜନ୍ମ ହୋଇ ।

ଏହିସବୁ ଆସ୍ଥାମାନ ଅଟଇ ତାଙ୍କର

ଏକପାଦ ଘୁଞ୍ଚିବାକୁ ଶକ୍ତି ନାହିଁ କାର ।

ଦେଖିଣ ରୁକ୍ମିଣୀ ଦେବୀ ଆଶ୍ଚର୍ଯ୍ୟ ହୋଇଲେ

ପ୍ରଥମ ଦୁଆରେ ଯାଇ ପ୍ରବେଶ ହୋଇଲେ।

ସେ ଦ୍ୱାରେ ଦେଖିଲେ ବ୍ରହ୍ମା ହୋଇଛନ୍ତି ଠୁଳ

ସକରେ ଘେନି ଅଛନ୍ତି ସାବିତ୍ରୀଙ୍କୁ କୋଳ ।

ତାହାଙ୍କୁ ଦେଖିଣ ଦେବୀ ଆଶ୍ଚର୍ଯ୍ୟ ହୋଇଲେ

ଏତେ ବ୍ରହ୍ମା ଏସ୍ଥାନରେ କୁହ ପ୍ରଭୁ ଭଲେ ।

ଶ୍ରୀକୃଷ୍ଣ ବୋଇଲେ ତାଙ୍କୁ ପଚାର ଗୋଦେବୀ

ମୁଁ କିପରି ଏଠାକାର ଘଟଣା କହିବି ।

ରୁକ୍ମିଣୀ ଦେବୀ ବୋଲନ୍ତି କିମ୍ପା ଧାତାଗଣ

ଏ ସ୍ଥାନରେ ଉଭା ହୋଇଛନ୍ତି ହେ ଆସିଣ ।

ତାହାଙ୍କବଚନେ ଧାତାମାନେ ଯେବୋଲନ୍ତି

ଦେବଣ ଯୁଗର ତୁମ୍ଭେ ଅଟ ଆହେ ସତୀ ।

ରୁକ୍ମିଣୀ ବୋଲନ୍ତି ଦ୍ୱାପର ଯୁଗର ମୁହିଁ

ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ପାଟରାଣୀ ଯେ ଅଟଇ ।

ଶୁଣି ବିଧାତାଗଣ ଯେ ବୋଲନ୍ତି ବଚନ

ଆମ୍ଭେ ଏବେ ଚାରିଯୁଗ କରୁ ଯେ ଭିଆଣ ।

ଯେତେ ଧାତା ଉଭା ହୋଇ ଅଛନ୍ତି ଏସ୍ଥାନ

ସମସ୍ତେ ଭୋଗି ଅଛନ୍ତି ଗଣ୍ଡା ଯୁଗ ଜାଣ ।

ଗଣ୍ଡାଶେଷେ ରାଧା କୃଷ୍ଣଙ୍କର ଦରଶନେ

ଆସିଣ ଉଭାହୋଇଛୁ ସର୍ବେ ଏହି ସ୍ଥାନେ ।

ଏକ ପାଦ ଘୁଞ୍ଚିବାକୁ ହୋଇନି ଆଦେଶ

ତେଣୁସର୍ବେ ଉଭାହୋଇଅଛୁ ହେ ଆଦେଶ ।

ଆଶ୍ଚର୍ଯ୍ୟ ହୋଇଣ କୃଷ୍ଣ ସଙ୍ଗେ ଦେବୀ ଗଲେ

ଦ୍ୱିତୀୟ ଦୁଆରେ ଯାଇ ପ୍ରବେଶ ହୋଇଲେ ।

ଦେଖିଲେ ସହସ୍ର ମୁଖ ଧାତା ସେ ସ୍ଥାନରେ

ଏକ ଏକ ଭୋଗିଛନ୍ତି ଯୁଗ ସହସ୍ରରେ ।

ସେହିପରି ମଧ୍ୟ ସେହିମାନେ ଯେ କହିଲେ

ତୃତୀୟ ଦ୍ଵାରରେ ଯାଇ ପ୍ରବେଶ ହୋଇଲେ ।

ସେଠାରେ ଦେଖିଲେ ଶିବ ହୋଇଛନ୍ତି ଠୁଳ

ସଭିଙ୍କ ପାଶେ ପାର୍ବତୀ ଦିଶଇ ଉଜ୍ଜ୍ୱଳ ।

ତାଙ୍କଠାରୁ ସେହିପରି ବଚନ ଶୁଣିଲେ

ମନେମନେ ଦେବୀ ବଡ଼ ଲଜ୍ଜିତ ହୋଇଲେ ।

ଯେତେ ଦମ୍ଭ ଗର୍ବ ମନେ ଥିଲା ରୁକ୍ମିଣୀର

ଦେଖି ଏ ଘଟଣା ସବୁ ହୋଇଲାରି ଦୂର ।

ଚତୁର୍ଥ ଦ୍ଵାରରେ କୃଷ୍ଣ ପହଞ୍ଚିଲେ ଯାଇଁ

ଦେଖିଲେ ବହୁ ରୁକ୍ମିଣୀ କୃଷ୍ଣ ଛନ୍ତି ତହିଁ ।

ଲକ୍ଷ ଲକ୍ଷ କୃଷ୍ଣଚନ୍ଦ୍ର ହୋଇଛନ୍ତି ଉଭା

ଷୋଳସସ୍ର ନାରୀ ଅଷ୍ଟପାଟବଂଶୀ ଶୋଭା ।

ଏକ ଏକ ହରି ପାଶେ ଷୋଳ ସସ୍ର ଆଠ

ରମଣୀଙ୍କୁ ଘେନି ଉଭା ହୋଇଛନ୍ତି କୃଷ୍ଣ ।

ଦେଖିଣ ଏସନ ରୀତି ରୁକ୍ମିଣୀ ସୁନ୍ଦରୀ

ବିକଳେ ପଡ଼ିଲେ ଶ୍ରୀକୃଷ୍ଣଙ୍କ ପାଦ ଧରି ।

କୁହ ଦେବ ଏ ଦାସୀରେ ନ କରି କପଟ

ଏମାନେ ପ୍ରଭୁଙ୍କ ହୋଇ ନାହାନ୍ତି କି ଭେଟ ।

ପ୍ରଭୁ ବୋଇଲେ ପଚାର ସେ କହିବେ ତାହା

ମୁଁ ତ ଜାଣେ ନାହିଁ ଆଜି ଆସିଅଛି ନୂଆ ।

ପୁଚ୍ଛିଲେ ରୁକ୍ମିଣୀ କିମ୍ପା ଆଜ ଉଭା ହୋଇ

ଯେଉଁ ଯୁଗରୁ ଏ ସ୍ଥାନେ ଅଛ ତୁମ୍ଭେ ରହି ।

ସୁନ୍ଦରୀ ବଚନେ ହସି ସେମାନେ କୁହନ୍ତି

ଏକ ଏକ ମନୁ କୃଷ୍ଣ ଆମ୍ଭେ ଆଗୋ ସତୀ ।

ଗୋପ ତେଜି ମଥୁରାକୁ ଆମ୍ଭେ ଯେ ଆସିଲୁ

କଂସ କେଶୀ ଆଦି ବହୁ ଦୈତ୍ୟ ବିନାଶିଲୁ ।

ଜରା ଭୟେ ଦ୍ଵାରକାରେ ରହିଥିଲୁ ଆମ୍ଭେ

ରୁକ୍ମିଣୀ ସହିତ ଏହି ନାରୀ ସହ ସର୍ବେ ।

କାର୍ଯ୍ୟ ସାରି ସମସ୍ତଙ୍କୁ ଘେନିଣ ସଙ୍ଗରେ

ଆସିଅଛୁ ରାଧାକୃଷ୍ଣ ଦର୍ଶନ ଆଶାରେ ।

ଏକ ପାଦ ଘୁଞ୍ଚିବାକୁ ଅନୁମତି ନାହିଁ

ତେଣୁ ପ୍ରଭୁଙ୍କୁ ଧ୍ୟାଉଛୁ ଏହି ସ୍ଥାନେ ରହି ।

ଆଉ ମାତ୍ର ଅଳ୍ପଦିନେ ତୁମ୍ଭେ ବି ଆସିବ

ଆମ୍ଭରି ପରି ଏ ସ୍ଥାନେ ମଧ୍ୟ ଛିଡ଼ା ହେବ ।

ଶୁଣିଣ ରୁକ୍ମିଣୀ ଦେବୀ ଥରହର ହେଲେ

ସ୍ଵାମୀଙ୍କ ଚରଣ ତଳେ ଦେବୀ ଯେ ପଡ଼ିଲେ ।

ହସ୍ତଧରି ଉଠାଇଣ ଶ୍ରୀକୃଷ୍ଣ ବୋଇଲେ

ଗଉଡୁଣୀ ଗନ୍ଧ ନାକେ ବାଜିଲାକ ଭଲେ ।

ଏ ସମୟେ ବୃଦ୍ଧା ମାତା ନିତ୍ୟରୁ ଆସନ୍ତି

ପୃଥିବୀ ମୋହିନୀ ରୂପ ଅପରୂପ ଜ୍ୟୋତି ।

ବୟସ ଦିଶଇ ତାଙ୍କ ଷୋଳ କି ସତର

କଳାମେଘ ପରି କେଶ ଲୋଟେ ପାଦପର ।

ଚାଲିଯାନ୍ତେ ପଦ୍ମ ଗନ୍ଧ ଚହଟି ଉଠଇ

ସେ ରୂପ ଶୋଭାକୁ ସମ ତ୍ରିପୁରେ କେ ନାହିଁ ।

ରୁକ୍ମିଣୀରଠାରୁ ସହସ୍ର ଗୁଣେ ସେ ସୁନ୍ଦରୀ

ମଶାଲ ନିକଟେ ଯେହ୍ନେ ଜଳଇ ଡିବିରି ।

ତାହାଙ୍କୁ ଦେଖି ଚକିତ ରୁକ୍ମିଣୀ ହୁଅଇ

ଏହି ବୋଧେ ରାଧା ବୋଲି ଭାବିଲା ସୁମୁହୀଁ ।

ବୃଦ୍ଧା ମାତାଙ୍କ ଚରଣ ଧରିଣ ଯେ ଗୋରୀ

ଭୂମିରେ ଲୋଟିଣ ବୋଲେ ଶ୍ରୀକୃଷ୍ଣଙ୍କ ନାରୀ ।

କ୍ଷମା କର ମୋର ଦୋଷ ଶ୍ରୀରାଧା ସୁନ୍ଦରୀ

ତୁମ୍ଭର ପାଦ ରେଣୁକୁ ମୁହିଁ ନୁହେଁ ସରି ।

ଏଣେ ମୁଖେ ବାସ ଦେଇ ପ୍ରଭୁ ଚକ୍ରଧର

ବୃଦ୍ଧାମାତା ମୁଖ ଚାହିଁ ହସନ୍ତି ଶ୍ରୀଧର ।

ଯହୁଁ ତାଙ୍କ ପାଦତଳେ ରୁକ୍ମିଣୀ ପଡ଼ିଲେ

କି କଲ କି କଲ ବୋଲି ତାଙ୍କୁ ଉଠାଇଲେ ।

ତୁମ୍ଭେ ହେଉଅଛ କୃଷ୍ଣଚନ୍ଦ୍ର ମନୋହାରୀ

ଛାର ଦାସୀ ପାଦତଳେ ପଡ଼ିଲ ସୁନ୍ଦରୀ ।

ରୁକ୍ମିଣୀ ବୋଇଲେ ତୁମ୍ଭେ ଅଟ ହେ ଶ୍ରୀରାଧା

ପାଦତଳେ ପଡ଼ିଲେକ ନାହିଁ କିଛି ବାଧା ।

ମାତା ବୋଲେ ଅବିଚାର କଥା କିମ୍ପା କୁହ

ରାଧାଙ୍କ ଚରଣ ରେଣୁ ସମାନ ମୁଁ ନୁହଁ ।

ରୁକ୍ମିଣୀ ବୋଇଲେ ତେବେ ତୁମ୍ଭ ନାମ କିସ

ମୋର ନାମ ବୃଦ୍ଧମାତା କରେ ସଖୀ ବେଶ ।

ପ୍ରତିଦିନ ନିତ୍ୟେ ସଖୀ କରନ୍ତି ନର୍ତ୍ତନ

ଯତନେ ସଜାଏ ତାଙ୍କୁ ରହି ମୁଁ ଏ ସ୍ଥାନ ।

ବହୁଦିନ ହେଲା ନିତ୍ୟେ କଲିଣି ଚାକିରୀ

ରାଧା ଦର୍ଶନ ସୌଭାଗ୍ୟ ହୋଇନି ମୋହରି ।

ଶ୍ରୀମତୀଙ୍କ ଦାସୀର ମୁଁ ଦାସୀ ଆଗୋ ସହି

ନିତ୍ୟକୁ ଯିବାରେ ମୋର ଅନୁମତି ନାହିଁ ।

ତାହାଙ୍କ ବଚନ ଶୁଣି ରୁକ୍ମିଣୀ ଚକିତ

ବୋଇଲେ ଜାଣ କି ତୁମ୍ଭେ ଶ୍ରୀରାଧା ଚରିତ ।

କିପରି ରୂପ ତାହାଙ୍କ କୁହ ତୁମ୍ଭେ ଥରେ

ଶୁଣିବା ପାଇଁକି ଶ୍ରଦ୍ଧା କରିଛି ଚିତ୍ତରେ ।

ରୁକ୍ମିଣୀ ବଚନେ ଗୋରୀ ମାତା ହୋଇ ତୋଷ

ବୋଇଲେ ସେ ସବୁ ମୁହିଁ ଜାଣିଛି ଅବଶ୍ୟ ।

ଯେଉଁ ରାଧାଙ୍କ ବିଷୟ ପୁଚ୍ଛ ଚାନ୍ଦମୁହୀଁ

କର୍ଣ୍ଣ ଡେରି ଶୁଣ ସବୁ କହୁଅଛି ମୁହିଁ ।

ରାଧା ବୋଲି ଅଟେ ଯେଉଁ ଦୁଇଟି ଅକ୍ଷର

ଓଁ କାର ଶବଦ ମଧ୍ୟୁ ହୋଇଛି ବାହାର ।

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ମଧ୍ୟେ ନିରଞ୍ଜନ

ତା ମଧ୍ୟେ ସଜ୍ୟୋତି ପରେ ଶ୍ରୀରାଧା ମୋହନ

ସେହି ରାଧା ଶ୍ରୀକୃଷ୍ଣଙ୍କ ସଙ୍ଗେ ଯାଇଥିଲେ

ଗୋପପୁରେ ବୃଷଭାନୁ ଦୁହିତା ହୋଇଲେ ।

ଅଯୋନି ସମ୍ଭୂତା ସେ ଯେ ଅପରୂପ ଜାଣି

ପଦ୍ମପତ୍ର ମଧ୍ୟେ ଶୋଇଲେ ଠାକୁରାଣୀ ।

ବୃଷଭାନୁ ନରେନ୍ଦ୍ର ଯେ ସ୍ନାହାନକୁ ଗଲା

ପଦ୍ମ ବନରେ ଦେବୀଙ୍କୁ ଦେଖି ଘେନିଗଲା ।

ବହୁଦିନ ମୂକ ହୋଇ ରହିଲେ ତା ଘର

ଶ୍ରୀକୃଷ୍ଣ ଜନମ ହୋଇ ନଥିଲେ ମର୍ତ୍ତ୍ୟର ।

ଯେତେବେଳେ ଜନମ ଲଭିଲେ ଦାମୋଦର

ବସୁଦେବ ଛାଡ଼ିଲାକ ନନ୍ଦର ମନ୍ଦିର ।

ସେତିକିବେଳେ ନାରଦ ଖୋଜି ଖୋଜି ଯାଇ

ଶ୍ରୀରାଧା କର୍ଣ୍ଣେ ଏ କଥା ଦେଲେ ଯେ ଶୁଣାଇ

ପ୍ରଭୁ ଆସିବାର ବାର୍ତ୍ତା ପାଇ ଜଗତମାତା

ସଙ୍ଗେସଙ୍ଗେ ଯୁବା ହୋଇ କହିଲେକ କଥା ।

କିଛିଦିନେ ଚନ୍ଦ୍ରସେଣା ସଙ୍ଗେ ବିଭାହେଲେ

ତ୍ରେତାଯୁଗେ ରାମଚନ୍ଦ୍ର ତାକୁ କହିଥିଲେ ।

ଚନ୍ଦ୍ରସେଣା ନାମ ଯାର ହନୁମନ୍ତ ସେହି

ଦିନେମାତ୍ର ଶ୍ରୀରାଧାଙ୍କ ଅଙ୍ଗ ଛୁଇଁ ନାହିଁ ।

କେତେଦିନ ପରେ କୃଷ୍ଣଚନ୍ଦ୍ର ହେଲେ ଭେଟ

ନ ଚିହ୍ନିପାରିଣ ମାତ କରିଲେ ଆକଟ ।

ତା ପରେ ଯହୁଁ ଶ୍ରୀହରି ମୁରଲୀ ପାଇଲେ

ଉଚ୍ଚାଟ କରିଣ ବୃନ୍ଦାବନକୁ ଆଣିଲେ ।

ସେଠାରେ ପ୍ରେମ ହୋଇଲା ରାଧାକୃଷ୍ଣଙ୍କର

ରଜବୀର୍ଯ୍ୟ ନାହିଁ ମାତ୍ର ବାହ୍ୟ ପ୍ରେମ ସାର ।

ସେ ପ୍ରେମରେ ଯମୁନା ଯେ ଉଛୁଳି ଉଠିଲା

ସେ ପ୍ରେମେ ଶୁଖିଲା କାଷ୍ଠ ପଲ୍ଲବିଣ ଗଲା ।

ସେ ପ୍ରେମେ ବୃନ୍ଦାବନରେ ବସନ୍ତ ବହିଲା

ସେ ପ୍ରେମେ ଅପୁତ୍ରି ସ୍ତିରୀ ପୁତ୍ର ପ୍ରସବିଲା ।

ସେ ପ୍ରେମେ ତରଳି ଗଲା କଠିନ ପ୍ରସ୍ତର

ସେ ପ୍ରେମେ ମରୁଭୂମିରେ ପ୍ରସବିଲା ନୀର ।

ସେ ପ୍ରେମେ ଫୁଟିଲା ଫୁଲ ମହକି ଉଠିଲା

ସେ ପ୍ରେମେ କଦମ୍ବ ବୃକ୍ଷ ପବିତ୍ର ହୋଇଲା ।

ସେ ପ୍ରେମେ ଶ୍ରୀରାଧା କଲା ବହୁ ଅଭିମାନ

ସେ ପ୍ରେମେ ଭାଙ୍ଗିଲେ ଯୋଗୀରୂପ ଭଗବାନ

ସେ ପ୍ରେମେ ସହସ୍ର ଜଳରେ ପାଣି ଉଛୁଳିଲା

ସେ ପ୍ରେମେ ଶ୍ରୀମତୀଦିନେ ବୈଷ୍ଣବୀ ହୋଇଲା

ଏହିପରି କହୁଛନ୍ତି ଶ୍ରୀରାଧାଙ୍କ କଥା

ଶୁଣୁଅଛନ୍ତି ତନ୍ମୟେ ଭୀଷ୍ମକ ଦୁହିତା ।

ପଛକୁ ଅନାଇ ଦ୍ୟନ୍ତେ ରୁକ୍ମିଣୀ ସୁନ୍ଦରୀ

କି ହେଲା କି ହେଲା ବୋହିଗଲେ ମୂର୍ଚ୍ଛା ହାରି ।

ଦେଖନ୍ତି ତ ପୌର୍ଣ୍ଣମାସୀ କୃଷ୍ଣଚନ୍ଦ୍ର ଚାହିଁ

ରାଧାଭାବେ ଭୋଳହୋଇଗଲେ ପାଣି ହୋଇ

ସାଙ୍ଗେ ସାଙ୍ଗେ ବନ୍ଦକ ଶ୍ରୀରାଧାଙ୍କ ଗାନ

ରୁକ୍ମିଣୀଙ୍କୁ ଚାହିଁ ମାତ ବୋଇଲେ ବଚନ ।

ଦେଖିଲେ ରୁକ୍ମିଣୀଙ୍କର ଦେହେ ନାହିଁ ଜ୍ଞାନ

ମାତା ହସ୍ତ ମାରିଦ୍ୟନ୍ତେ ପାଇଲେ ଚେତନ ।

ଚେତନା ପାଇଣ ଦେବୀ କରଇ ଯେ ରଡ଼ି

ରଖ ମୋ କାନ୍ତକୁ ମାତ କହେ ପାଦେ ପଡି ।

ମୁଁ ପାଷଣୀ କାହିଁ ପାଇଁ ଏହା ଭିଆଇଲି

ମୋ ଜୀବନଧନକୁ ଆଜି ହରାଇ ବସିଲି ।

ଧରୁଛି ଚରଣ ମାତ କନ୍ୟା ମୁଁ ତୁମ୍ଭର

ଏ ବିପଦୁ ମୋ କାନ୍ତକୁ ତୁମ୍ଭେ ରକ୍ଷାକର ।

ବୃଦ୍ଧ ମାତା ଚୁପ୍‌ ଚୁପ୍‌ ଦିଅନ୍ତି ବତାଇ

ସାତଥର କାନେ ଦିଅ ରାଧା ନାମ କହି ।

ଶୁଣିଣ ରୁକ୍ମିଣୀ ଦେବୀ ପ୍ରଭୁ କର୍ଣ୍ଣେ ଯାଇ

ରାଧାନାମ ସାତଥର ଦେଲେ ଯେଣୁ କହି ।

ପୂର୍ବ ପରି ଗୋଡ଼ହାତ ହୋଇଲା ସୁନ୍ଦର

ସଂଯମ ହୋଇଣ ଗଲେ ପ୍ରଭୁ ଚକ୍ରଧର ।

ରୁକ୍ମିଣୀ ମାତାଙ୍କ ପାଦେ ପଡ଼ିଣ କହଇ

କିମ୍ପାଇଁ ବୋଲଇ ଏହା ଦିଅ ମା ବୁଝାଇ

ମାତା ବୋଲନ୍ତି ଶ୍ରୀରାଧେ ପ୍ରେମେ ହୋଇ ଭୋଲ

ଭାବରେ ତନ୍ମୟ ହୋଇଗଲେ ଆଦିମୂଳ

ଯେହୁ ରାଧା ସେହୁ କୃଷ୍ଣ ଶୁଣରେ ସୁନ୍ଦରୀ

ଯହିଁ ରାଧା ଥାନ୍ତି ତହିଁ ଥାନ୍ତି ବଂଶୀଧାରୀ ।

ଯାହାକୁ ମଣିଛୁ ତୁହି ସ୍ୱାମୀ ଅଟେ ତୋର

ସଚରାଚର ବ୍ରହ୍ମାଣ୍ଡ ଗର୍ଭରେ ତାହାର

ତାହାର ନିକଟେ ଛନ୍ତି ତୋର ପତି ହୋଇ

ସକଳ ଘଟରେ ପତି ଅଛନ୍ତି ବୋଲାଇ ।

ତୁମ୍ଭଙ୍କୁ ଯେତିକି ସ୍ନେହ କରନ୍ତି ଠାକୁର

ସେତିକି ମଧ୍ୟ କୁବୁଜାଠାରେ ଯେ ଆବର ।

ଯେତେ କୃଷ୍ଣ ଏ ସ୍ଥାନରେ ଦେଖୁଅଛ ମାତ

ସମସ୍ତେ ଏକା ତାହାରି ଅଙ୍ଗରୁ ସମ୍ଭୂତ ।

ଗୋପରୁ ସିନା ଦ୍ବାରକା ଆସିଛନ୍ତି ହରି

ଅସଲ କୃଷ୍ଣଙ୍କୁ ତେଣେ ରଖିଛନ୍ତି ଧରି ।

ଅକ୍ରୂକୁ ପୁଚ୍ଛିଲେ ସେ କହିବ ସକଳ

କେତେ କୃଷ୍ଣ ଦେଖିଲା ସେ ଯମୁନାର ଜଳ ।

ଯେତେବେଳେ ଜଳେ ସ୍ନାନ କରିଲା ଅକ୍ରୂର

ପାଣି ମଧ୍ୟେ ଲୁଚି ଲୁଚି ଗଲେ ଚକ୍ରଧର ।

ସ୍ଥଳରେ ଦେଖିଲା ଯହୁଁ ଛନ୍ତି ଉଭା ହୋଇ

ସେହି ଗୋ ତୁମ୍ଭର ପତି ଯାଅ ମାତ ତୁହି ।

ବୃନ୍ଦାବନ ଛାଡ଼ି ପାଦେ ମାତ୍ର ଚକ୍ରଧର

ନ ଯାଇ ଖେଳ କରୁଛି ଶ୍ରୀରାଧା ସଙ୍ଗର ।

ନିଷ୍କାମ ଭକତି ଗୋପୀମାନେ କରୁଛନ୍ତି

ସକାମ ଭକତି ତୁମ୍ଭେ କର ଆଗେ ସତୀ ।

ତାଙ୍କ ଭକତିରେ ଅଛି ସ୍ନେହ ଯେ ପ୍ରଚୁର

ତୁମ୍ଭ ଭକତିରେ ଅଛି ଗର୍ବ ଅହଙ୍କାର ।

ତେଣୁ ରାଧା ସ୍ନେହ ବାଧା ଶୁଣି ପତି ତୋର

ତରଳି ପଡ଼ିଲା ସଖି ଦେଖିଲୁ ଆଖିର ।

ସେହିପରି ହେବୁ ଯେବେ ପ୍ରଭୁଙ୍କୁ ପାଇବୁ

ଯୁଗେ ଯୁଗେ ପତି ରୂପେ ବାନ୍ଧି ରଖିଥିବୁ ।

ନିଜ ନ ଖାଇ ସଭିଙ୍କୁ ଖୁଆଇବୁ ଅନ୍ନ

ନିଜ ସଙ୍ଗେ ସମସ୍ତଙ୍କୁ କରିବୁ ସମାନ ।

ସ୍ୱାମୀ ପାଦ ପଦ୍ମେ ସଦା ରଖିଥିବୁ ମନ

ତାଙ୍କ ବିନୁ ବ୍ରହ୍ମାଣ୍ଡକୁ ନ ଦେଖିବୁ ଆନ ।

ଆବର ଯେଉଁ ରୂପକୁ ଦେଖିଲୁ ସୁନ୍ଦରୀ

ସେହି ରୂପେ କଳିଯୁଗେ ପ୍ରଭୁ ଅବତରି ।

ଚକ୍ରତୀର୍ଥେ ମହୋଦଧି ତଟେ କଳ୍ପବଟ

ତଳେ ବଡ଼ଦେଉଳରେ ପ୍ରଭୁ ହେବେ ଭେଟ ।

ସେହିଠାରେ ତିନିମୂର୍ତ୍ତି ହେବ ଚକ୍ରଧର

ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆବର ।

ସଦା ସମାରୋହେ କଳି ମାନବ ପୂଜିବେ

ଦରଶନ କରି ପାପୀ ତାପୀ ତରିଯିବେ ।

ବର୍ତ୍ତମାନ କେଉଁ ରୂପେ କଲୁ ଦରଶନ

ଅଧା ହାତ ଅଧା ଗୋଡ଼ ଯେ ଚକାନୟନ ।

ତୁହି ମାତ ଲକ୍ଷ୍ମୀ ରୂପେ ଥିବୁ ସେହି ସ୍ଥାନ

ତେଣୁ ଜଗନ୍ନାଥ ରୂପ କଲୁ ଦରଶନ ।

ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମାୟୀ

ଜଗନ୍ନାଥଙ୍କର ପାଦେ ପଡ଼ିଲେ ସୁମୁହୀଁ ।

ମୁହିଁ ଛାର ନାରୀ ମାତ୍ର କିଛି ନ ଜାଣଇ

ଗରବ କରିବା ଫଳ ହାତେ ଗଲି ପାଇ ।

ନର ପରାଏ ତୁମ୍ଭଙ୍କୁ ଭାବିଥିଲି ମୁହିଁ

ମୋର ଅପରାଧ କ୍ଷମାକର ପ୍ରାଣସାଇଁ ।

ତୁମ୍ଭ ବିନୁ ଜଗତରେ ନ ଜାଣେ ମୁଁ ଆନ

ମୁହିଁ ମାତ୍ର ପିଣ୍ଡ ତୁମ୍ଭେ ଅଟ ମୋ ଜୀବନ ।

ବିକଳେ ବହୁତ ସ୍ତବ ରୁକ୍ମିଣୀ କରନ୍ତେ

ସ୍ନେହେ କୋଳେ ବସାଇଲେ ପ୍ରଭୁ ଜଗନ୍ନାଥେ

ବୋଇଲେ ଜଗତକର୍ତ୍ତା ସିନା ମୁଁ ଅଟଇ

ତୁମ୍ଭେ ଯୁଗେ ଯୁଗେ ଜନ୍ମ ଜଗତ୍‌ମାତ ହୋଇ

ତୁମ୍ଭ ଆମ୍ଭ ମଧ୍ୟେ କେଭେ ନାହିଁ ଭିନ୍ନା ଭିନ୍ନ

ଯେହୁ ରାଧା ସେହୁ ତୁମ୍ଭେ ଶୁଣ ମୋ ବଚନ

ଏତେ କହି କୋଳେ ଧରି ରୁକ୍ମିଣୀ ସୁନ୍ଦରୀ

ଲକ୍ଷ୍ମୀ ନାରାୟଣ ଗରୁଡ଼ରେ ବିଜେକରି ।

ରୁକ୍ମିଣୀ ଦେବୀଙ୍କ ଦର୍ପ ଶ୍ରୀହରି ଗଞ୍ଜିଲେ

ଦ୍ୱାରକା ନବରେ ଯାଇ ପ୍ରବେଶ ହୋଇଲେ ।

ରାଧାକୃଷ୍ଣ ବୋଲି ଯେଉଁ ଚାରୋଟି ଅକ୍ଷର

ଏ ଭବ ସଂସାରେ ସେହି ଅଟେ କର୍ଣ୍ଣଧାର ।

ସେ ନାମ ଜପିଲେ ପାପତାପ ନ ରହିବ

ସେ ନାମ ଜପିଲେ ଦେହୁଁ କଳୁଷ ହରିବ ।

ଶ୍ରୀରାଧା କୃଷ୍ଣଙ୍କ ପୟରରେ ରଖି ଧ୍ୟାନ

ଶ୍ରୀଗୁରୁ ସୁମରି ଲେଖେ ଶ୍ରୀକ୍ଷେତ୍ରମୋହନ ।

 

ତୁଳସୀ ମାହାତ୍ମ୍ୟ ଓ ସତ୍ୟଭାମା ଗର୍ବ ଗଞ୍ଜନ

ହେ ପଣ୍ଡିତ ଜନମାନେ ଶୁଣ ଶ୍ରୁତି ଡେରି

ଅଗାଧ ସମୁଦ୍ରକୁ ଏ ଗ୍ରନ୍ଥ ଅଟେ ତରି ।

ଯେ ଭାବେ ସିନ୍ଧୁକୁ ପାରେ ହେବା ଇଚ୍ଛା କର

ଏ ଚିତ୍ତବୋଧକୁ ଆଶ୍ରା କର ଆହେ ନର ।

ରୁକ୍ମିଣୀଙ୍କ ଦର୍ପଚୁର୍ଣ୍ଣ କରି ନରହରି

ସତ୍ୟଭାମା ପୁରେ ଆସି ମିଳିଲେ ଶ୍ରୀହରି ।

ଅଭିମାନେ ବସିଅଛି ମଥାପୋତି ଗୋରୀ

ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ କଥା ନ କହେ ସୁନ୍ଦରୀ ।

ସତ୍ୟଭାମା ମନକଥା ଜାଣି ଚକ୍ରଧର

ବହୁତ ପ୍ରକାରେ ପ୍ରବୋଧିଲେ ଧରି କର ।

କହଇ ସୁନ୍ଦରୀ ମନେ ମନେ ଗର୍ବ କରି

ରୁକ୍ମିଣୀ ଦେବୀ ପୁରକୁ ଯାଅ ହେ ମୁରାରୀ ।

ଦଣ୍ଡେ ନ ଦେଖିଲେ ତାଙ୍କୁ ବଣା ହେଉଥାଅ

ମନ ଭୁଲାଇବା ଲାଗି ମୋତେ ମିଛେ କୁହ ।

ଶ୍ରୀପତି ବୋଇଲେ ସର୍ବେ ସମାନ ମୋହର

ପକ୍ଷପାତି ନୀତି ତିଳେ ନାହିଁ ମୋ ହୃଦର ।

ଯହିଁ ସଭିଏଁ ସମାନ ଶ୍ରୀକୃଷ୍ଣ କହିଲେ

ଅଭିମାନେ ସତ୍ୟଭାମା ମୁହଁ ଫୁଲାଇଲେ ।

ବୋଇଲେ ସଭିଏଁ ଯଦି ଅଟନ୍ତି ସମାନ

ମୋ ସଙ୍ଗରେ କିବା କାର୍ଯ୍ୟ ଯାଅ ଅନ୍ୟ ସ୍ଥାନ ।

ସତ୍ୟଭାମା ଭାବେ ମନେ ମୁଁ ଏକା ସୁନ୍ଦରୀ

ସବୁବେଳେ ମୋତେ ଭଲ ପାଆନ୍ତୁ ଶ୍ରୀହରି

ଯେଉଁ ଦିନଠାରୁ ସଙ୍ଗେ ସ୍ୱର୍ଗେ ନେଲେ ହରି

ସତ୍ୟଭାମା ମନେ ଗର୍ବ କରନ୍ତି ସେ ଭାରି ।

ଦେବୀଙ୍କର ଇଚ୍ଛା ପ୍ରଭୁ ଅନ୍ୟକୁ ନ ଚାହିଁ

ସର୍ବଦା ମୋତେ ଅଭୟ ଦ୍ୟନ୍ତୁ ଭାବଗ୍ରାହୀ ।

ସେ ତ ଅନ୍ତର୍ଯ୍ୟାମୀ ନାଥ ଜଗତ ଠାକୁର

ଭେଦାଭେଦ ତିଳେ ନାହିଁ ତାଙ୍କ ହୃଦୟର ।

ସ୍ନେହରେ ସତ୍ୟଭାମାକୁ କିଛି ନ କୁହନ୍ତି

କିନ୍ତୁ ମନେ ମନେ ପ୍ରଭୁ ହେଲେଣି ଅଶାନ୍ତି ।

କିପରି ସତ୍ୟଭାମାକୁ ଶିକ୍ଷା ଦେବେ ହରି

ଏହି କଥା ମନେ ମନେ ଭାବିଲେ ମୁରାରୀ ।

ତେଣୁ ସ୍ମରଣ କରିଲେ ମହର୍ଷି ନାରଦ

ପ୍ରବେଶ ହୋଇଲେ ଋଷି କରି ବୀଣାବାଦ୍ୟ ।

ପ୍ରଭୁଙ୍କ ଚିନ୍ତିବା ତାଙ୍କ ବାଜିଲା କର୍ଣ୍ଣର

ସେହି ମୁହୂର୍ତ୍ତେ ପ୍ରବେଶ ହେଲେ ଋଷିବର ।

ମନଯାନେ ଧାତାସୁତ ଆନନ୍ଦେ ବିହରି

ସତ୍ୟଭାମାଙ୍କ ପୁରରେ ଯାନରୁ ଉତୁରି ।

କଷା କଉପୀନ ଦଣ୍ଡ କମଣ୍ଡଳୁ କରେ

ବ୍ୟାଘ୍ରାଛାଲ ଶୋଭା ପାଏ ମୁନିଙ୍କ କନ୍ଧରେ ।

ଯଜ୍ଞୋପବୀତ ଶୋଭଇ ତା ପରେ ଉତ୍ତରୀ

ନାରାୟଣୀ ନାମ ଋଷି ମୁଖରେ ଉଚ୍ଚାରି ।

ବୋଇଲେ ବଡ଼ ସୌଭାଗ୍ୟ ଅଟଇ ମୋହର

ଦର୍ଶନ କରିଲି ପିତାମାତାଙ୍କ ପୟର ।

ସତ୍ୟଭାମା ଦେବୀ ହସ୍ତେ ଘେନି ଶୁଦ୍ଧ ନୀର

ମୁନିଙ୍କ ଚରଣ ପଖାଳିଲେ ନାରୀବର ।

ନାରଦ ପାଦ ଲୁଚାଇ କଲେ ନାହିଁ ନାହିଁ

କିମ୍ପା ମାତ ଦଣ୍ଡ ଦିଅ ପୁତ୍ର ପାଦ ଧୋଇ ।

ନିଜେ ଜଗନ୍ନାଥ ବସିଥିଲେ ପଲଙ୍କରେ

ଦେବୀ ହସ୍ତୁ ଜଳଘଟି ଛଡ଼ାଇଣ ଧୀରେ ।

ପଦକରେ ରଷିବର ପାଦଦୁଇ ଧରି

ଧୌତକରନ୍ତେ ନାରଦ ଗଞ୍ଜି ହୋନ୍ତି ଭାରି ।

ସତ୍ୟଭାମା ସହ ପ୍ରଭୁ ଋଷି ପାଦ ଧୋଇ

ସୁଝୀନ ଉତ୍ତରୀରେ ଯେ ପୋଛିଲେ ମାଧୋଇ

ଶ୍ରୀହରି ବୋଇଲେ ମହା ଭାଗ୍ୟବାନ ମୁହିଁ

ବ୍ରହ୍ମ ଋଷିଙ୍କର ପାଦ ସହଜେ ମିଳଇ ।

ଯେତେକ କଳୁଷ ହୃଦେ ଥିଲା ଯେ ମୋହର

ଆଜିଠାରୁ ସେ ସମସ୍ତ ହୋଇଗଲା ଦୂର ।

ଏହିପରି ଶ୍ରୀକୃଷ୍ଣ ହେ ଋଷି ପାଦ ଧୋଇ

ପ୍ରଣାମ କରିଣ ନିଜ ପଲଙ୍କେ ବସାଇ ।

ନାରଦ ବୋଇଲେ ଚିନ୍ତାକଲ କିମ୍ପା ମୋରେ

କିବା ପ୍ରୟୋଜନ ଅଛି ଛାର ଭୃତ୍ୟଠାରେ ।

ଶ୍ରୀହରି ବୋଇଲେ ରୁଷିଛନ୍ତି ସତ୍ୟଭାମା

ତେଣୁ ତୁମ୍ଭଙ୍କୁ ଚିନ୍ତିଲି ଆହେ ମହାତମା ।

ନାରଦ ବୋଲନ୍ତି ସ୍ବାମୀ ଯାର ଚକ୍ରଧର

ଅଧିକ ଭଲପାଆନ୍ତି ଯାହାକୁ ଠାକୁର ।

ତାର କେଉଁଥିରେ ଉଣା ଅଛି ଏ ସଂସାରେ

କେଉଁଥିପାଇଁ ଋଷିଛ କୁହ ଦେଖି ଥରେ ।

ଯହୁଁ ଟେକା କରି ନାରଦ କହିଲେ

ସତ୍ୟଭାମା ଦେବୀ ହସ ଫୁଟାଇ ବୋଇଲେ ।

ଘର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟେ ଭଲମନ୍ଦ

ଦୁଇକଥା ନ ପଡ଼େ କି କହେ ଋଷି ବୃନ୍ଦ ।

ଏଇଥି ପାଇଁକି ପ୍ରଭୁ ତୁମ୍ଭଙ୍କୁ ଡକାଇ

ନ୍ୟାୟ କରିବା ପାଇଁକି ଅଛନ୍ତି ଅଣାଇ ।

ହସି ହସି ଦେବୀ ଯାଇ ଋଷିପାଦ ଧରି

ତା ପରେ ସ୍ୱାମୀ ଚରଣେ ପଡ଼ିଲେ ସୁନ୍ଦରୀ ।

ଏହି ସ୍ନେହ ମୋ ଉପରେ ଥାଉ ଋଷିବର

ମୋ ପ୍ରାଣନାଥଙ୍କୁ ତୁମ୍ଭେ ଆଶୀର୍ବାଦ କର ।

ଏହା କହି ସତ୍ୟଭାମା ମୁନିଙ୍କୁ ବସାଇ

ମିଷ୍ଠାନ୍ନ ତାମ୍ବୁଳ ଲାଗି ଗଲେ ମହାସହି ।

ଯହୁଁ ସତ୍ୟଭାମା ଦେବୀ ହୋଇଲେ ଅନ୍ତର

ନାରଦଙ୍କୁ ମନକଥା କହିଲେ ଶ୍ରୀଧର ।

ବିଶେଷ କାର୍ଯ୍ୟ ଥିବାରୁ ତୁମ୍ଭରେ ଡାକିଲି

ସତ୍ୟଭାମା ଥିଲେ ବୋଲି ଭୁଲାଇ କହିଲି ।

ଦେଖ ଋଷି ଷୋଳସସ୍ର ଅଠସ୍ତରୀ ମୋର

ସଭିଙ୍କର ମୋ ଉପରେ ଅଛି ଅଧିକାର ।

ସତ୍ୟଭାମା ଦେବୀ ସଦା ମନେ ଗର୍ବକରି

କାହାକୁ ମାତର ନ କରନ୍ତି ସେ ଖାତିରି ।

ଜ୍ୟେଷ୍ଠା ହୋଇ ଅନ୍ୟ ସପ୍ତ ପାଟବଂଶୀ ମୋର

ଏହାଙ୍କ ନିମନ୍ତେ ସଦା ଢାଳୁଛନ୍ତି ନୀର ।

ସଦାବେଳେ ଅଭିଯୋଗ ମୋ ପାଶେ କରନ୍ତି

ଯେତେ ବୁଝାଇଲେ ସର୍ବେ ଲୋତକ ଢାଳନ୍ତି

ସରବେ ଯୁବତୀ ପୁଣି ରାଜାର ନନ୍ଦିନୀ

କିପରି ସହିଣ ଏହା ଧରିବେ ମୂର୍ଦ୍ଧନୀ ।

କୌଣସି ରମଣୀପୁରେ ଯାଉଅଛି ମୁହିଁ

ସମସ୍ତେ ଗୋଟିଏ କଥା ସଦା କହୁଛଇଁ ।

ପୁଣି କାନ୍ଦି କହୁଛନ୍ତି ସତ୍ୟଭାମା ଠାର

ବେଶି ସ୍ନେହ ଅଛି ସ୍ନେହ ନାହିଁ ଆମ୍ଭ ଠାର ।

ଯଦିବା ଏହାକୁ ବେଶି ଭଲପାଏ ମୁହିଁ

ସଭିଙ୍କ ଆଗେ କହିବା ଉଚିତ କି ହୋଇ ।

ଦେଖିଲ ତ ପାରିଜାତ ଲାଗି କେତେ ଦ୍ୱନ୍ଦ୍ୱ

ସତ୍ୟଭାମା ଲାଗି ସିନା ସବୁ ପରମାଦ

ପୁଣି ସମସ୍ତ ରାଣୀଙ୍କୁ କହୁଛନ୍ତି ଏହି

ମୋର ସମାନ ସୁନ୍ଦରୀ ପୃଥ୍ୱୀରେ କେ ନାହିଁ ।

ଯଦିବା ଅନ୍ୟ ନାରୀଙ୍କୁ କହୁଛି ମୁଁ ଗୀର

ଦେଖିଲେ ରୁଷନ୍ତି ସତ୍ୟଭାମା ବାରମ୍ବାର ।

ତେଣୁ କୌଣସି ପ୍ରକାର ସ୍ଥିର ମୁଁ ନ କରି

ତୁମ୍ଭଙ୍କୁ ଡାକିଲି ଭାଙ୍ଗ ଗରବ ଏହାରି ।

ରୁକ୍ମିଣୀ ଗରିବ ମୁହଁ କରି ଦେଲି ଚୂର୍ଣ୍ଣ

ଏହା ପକ୍ଷେ ତାହାଙ୍କର ଅଛି ବହୁ ଜ୍ଞାନ ।

ଶୁଣିଣ ଋଷି ବୋଲନ୍ତି ଅନ୍ତର୍ଯ୍ୟାମୀ ନାଥ

କେଉଁ କଥା ଅବା ତୋତେ ରହିଛି ଅଜ୍ଞାତ ।

ଶ୍ରୀହରି ବୋଇଲେ ପର ପାଇଁ ମୁଁ କରଇ

କିନ୍ତୁ ନିଜର ପାଇଁକି ନ ପାରଇ ମୁହିଁ ।

ସଭିଙ୍କ ଭାଗ୍ୟ ପଣ୍ଡିତ ଗଣନା କରନ୍ତି

ନିଜ ମୃତ୍ୟୁଭେଦ ସେହି ଜାଣି ନ ପାରନ୍ତି ।

ପରଦୋଷ ଭାବିବାକୁ ସମସ୍ତେ ଧାମନ୍ତି

ଆପଣା ଦୋଷକୁ କେହି ବୁଝି ନ ପାରନ୍ତି ।

ତିନିକାଳ ଜ୍ଞାତା ତୁମ୍ଭେ ଅଟ ମୁନିବର

ଶୀଘ୍ର ସତ୍ୟଭାମା ଦର୍ପ ଦେବ ଚୂର୍ଣ୍ଣକର ।

ନୋହିଲେ ଧର୍ମ କରମ ସବୁ ଯିବ ମୋର

ରମଣୀମାନଙ୍କ ମଧ୍ୟେ ହେବ ଦ୍ୱନ୍ଦ୍ୱ ଘୋର ।

ଭାବି ସ୍ଥିର କଲେ ଏକ କଥା ମୁନିବର

ବୋଇଲେ କହୁଛି ଶୁଣ ବ୍ରାହ୍ମଣ୍ଡ ଠାକୁର ।

ସତ୍ୟଭାମା ଦେବୀଙ୍କୁ ମୁଁ ଏକାନ୍ତେ କହିବି

ସତ୍ୟ କରାଇଣ ସ୍ୱାମୀ ଦାନ ମୁଁ ମାଗିବି ।

ଯେତେବେଳେ ଉତ୍ସର୍ଗ କରିବେ ତୁମ୍ଭ ସତୀ

ମନା କରିବ ଯିବାକୁ ତୁମେ ସେ ତଡ଼ତି ।

ଶୁଣିଣ ଅନ୍ୟ ନାରୀଏ ଦ୍ବନ୍ଦ୍ୱ ଭିଆଇବେ

ଶେଷେ ଯିବା ପାଇଁ ରାଜି ହେବ ହେ ମାଧବେ ।

ଜଟା କଉପୀନ ପିନ୍ଧି ଭସ୍ମ ବୋଳି ହୋଇ

ରାଜ ପରିଧାନମାନ ଦେବା ଫୋପଡ଼ାଇ ।

ତା ପରେ ତୁମ ବଦଳେ ଦ୍ରବ୍ୟ ନେବି ମୁହିଁ

କୌଣସି ସଙ୍ଗରେ ପ୍ରଭୁ ସରି ହେବ ନାହିଁ ।

ଶେଷେ ତୁଳସୀ ପତର ରୁକ୍ମିଣୀ ଯେ ଦେବ

ତାହାର ସଙ୍ଗତେ ତୁମ୍ଭେ ଉଶ୍ୱାସ ହୋଇବ ।

ସେତିକିବେଳେ ଯେ ଦର୍ପ ଭାଙ୍ଗିବ ଦେବୀର

ତୁଳସୀ ସବୁଠୁ ଶ୍ରେଷ୍ଠ ରମଣୀ ତୁମ୍ଭର ।

ନାରଦ କଥାରେ ମନ ମାନିଲା ପ୍ରଭୁର

ବୋଇଲେ ଭଲ ବତାଇ ଦେଲ ମୁନିବର ।

ଆହେ ମୁନିବର ମୁହିଁ ହେଉଛି ଅନ୍ତର

ଏକାନ୍ତରେ ସତ୍ୟଭାମା ସଙ୍ଗେ ଚର୍ଚ୍ଚାକର ।

ଏହା କହି ଅନ୍ୟେ ଚାଲିଗଲେ ଚକ୍ରଧର

ସତ୍ୟଭାମା ପ୍ରବେଶିଲେ ମିଷ୍ଟାନ୍ନ ହସ୍ତର ।

ବୋଲନ୍ତି ଋଷିବର ହେ କାହାନ୍ତି ଠାକୁର

ନାରଦ ବୋଇଲେ ଗଲେ ସେ ସଭା ମଧ୍ୟର ।

ଏକାନ୍ତରେ ନାରଦଙ୍କୁ ପୁଚ୍ଛନ୍ତି ସୁମୁଖି

ତୁମ୍ଭ ପରି ପିତା ଥାଉ କନ୍ୟା ହେବ ଦୁଃଖୀ

ନାରଦ ବୋଇଲେ ମାତ କି ଅଭାବ ତୋର

କହ ନିଶ୍ଚେ ମୁହିଁ କରିବି ତା ପ୍ରତିକାର ।

ଲାଜ ଲାଜ ହୋଇ ସତ୍ୟଭାମା କରଯୋଡ଼ି

ନିଜ ମନକଥା ମାତ କହନ୍ତି ଯେ ଫେଡ଼ି ।

ତୁମ୍ଭେ ତ ତ୍ରିକାଳ ଜ୍ଞାତା ସବୁ ଅଛ ଜାଣି

ମୋତେ ଅତି ସ୍ନେହ କରୁଥିଲେ ଚକ୍ରପାଣି ।

କିନ୍ତୁ ଏବେ ମୋତେ ଛାଡ଼ି ରୁକ୍ମିଣୀକୁ ନେଇ

ବୈକୁଣ୍ଠପୁରକୁ ଯାଇଥିଲେ ଭାବଗ୍ରାହୀ ।

ତେଣୁ ଦହିର୍ଯ୍ୟ ହେଉଛି ପରାଣ ମୋହର

ଆଗଠାରୁ ସ୍ନେହ କିମ୍ପା ତୁଟାନ୍ତି ଶ୍ରୀଧର ।

ଏତିକି ମାତର ତବ ପାଦେ ଅଳି ମୋର

ଯେପରି ନ ହେବ ପ୍ରଭୁ ମୋ ପାଶୁ ଅନ୍ତର ।

ଯେଉଁସ୍ଥାନେ ଯିବେ ସଦାସଙ୍ଗେ ମୋତେ ନେବେ

ଆସିଲେ ଯେପରି ମୋର ପୁରରେ ରହିବେ

ଯେହ୍ନେ ରୁକ୍ମିଣୀ ପୁରକୁ ନ ଯାନ୍ତି ଶ୍ରୀଧର

ଅନ୍ୟ ନାରୀମାନଙ୍କୁ ନ ଚାହିଁବେ ଚକ୍ଷୁର ।

ଭଲ ମନ୍ଦ ଯାହା ପ୍ରଭୁ ମୋତେ ପଚାରିବେ

ଯାହା ମୁଁ ଚାହିଁବି ତାହା ଯୋଗାଇଣ ଦେବେ ।

ସବୁକାଳେ ମୋତେ ପ୍ରଭୁ ପାଶରୁ ଅନ୍ତର

ନ କରିବେ ଦିଅ ପିତା କନ୍ୟାରେ ଏ ବର

ହସି ନାରଦ ବୋଇଲେ ଏହି ଛାର ପାଇଁ

ଚିନ୍ତାକରି ସୁନା ତନୁ କଳା କରୁ ତୁହି ।

ଯଦି ଏହି ବ୍ରତ ତୁହି କରିପାରୁ ମାତ

ନିଶ୍ଚୟ କୃଷ୍ଣଚନ୍ଦ୍ର ତୋ ହେବେ କରାୟତ ।

ଯେତେବେଳେ ଦେବୁ ତାଙ୍କୁ ଯେଉଁ ଉପଦେଶ

ପାଳିବା ପାଇଁକି ବାଧ୍ୟ ହେବେ ହୃଷୀକେଶ ।

ସତ୍ୟଭାମା କହନ୍ତି ହେ ପୁହ ଋଷିବର

ସେ ବ୍ରତରେ କି କି ଦ୍ରବ୍ୟ ହେବ ଦରକାର ।

ଯେତେ ଧନ ଲାଗୁ ମୁହିଁ ଖରଚ କରିବି

ସବୁଦିନ ପାଇଁ ସ୍ବାମୀ ବାନ୍ଧି ମୁଁ ରଖିବି ।

ନାରଦ ବୋଲନ୍ତି ଦ୍ରବ୍ୟ ନ ଲାଗେ ବହୁତ

ପରିପରାୟଣା ବ୍ରତ ଅଟେ ସେ ଗୋ ମାତ ।

ଅନ୍ୟ ହସ୍ତକୁ ସ୍ଵାମୀଙ୍କୁ କରିଦେବ ଦାନ

ତେବେ ନ ଚାହିଁବେ ପ୍ରଭୁ କାହାର ବଦନ ।

ଶୁଣି ସତ୍ୟଭାମା ମନ ଆନନ୍ଦ ହୋଇଲା

ସଙ୍ଗେ ସଙ୍ଗେ ସବୁ ଦ୍ରବ୍ୟ ଆୟୋଜନ ହେଲା ।

ଦ୍ଵାରକାପୁର ମଧ୍ୟରେ ଚହଳ ପଡ଼ଇ

ଶ୍ରୀକୃଷ୍ଣଚନ୍ଦ୍ରଙ୍କ ବାମା ବରତ କରଇ ।

ଦେଖବା ନିମନ୍ତେ ପୁରବାସୀ ହେଲେ ଠୁଳ

ସତ୍ୟଭାମାଙ୍କ ବଦନ ଦିଶଇ ଉଜ୍ଜ୍ୱଳ ।

ବ୍ରତ ଶେଷେ ମହାପ୍ରଭୁ ଏକା ତାଙ୍କ ହେବେ

ଅନ୍ୟ ରମଣୀମାନଙ୍କ ମୁଖ ନ ଚାହିଁବେ ।

ଚୋରଙ୍କ ମନ ଯେଉଁପରି ଗଣ୍ଠିଧରେ

ସତ୍ୟଭାମାଙ୍କର ମନ ପତି ବାନ୍ଧିବାରେ ।

ବିଶିଷ୍ଟ ପୂଜକଗଣ ଆସି ହେଲେ ରୁଣ୍ଡ

ଦେବୀଙ୍କ ପୁରରେ ଗୋଳ ହୁଅଇ ପ୍ରଚଣ୍ଡ ।

ପୁର ମଧ୍ୟେ ଅନ୍ୟ ନାରୀ ଏହା ନ ଜାଣନ୍ତି

ଭାବନ୍ତି ପୁତ୍ର ନିମନ୍ତେ ବରତ କରନ୍ତି ।

ସ୍ୱର୍ଣ୍ଣଦାନ ଗୋରୁଦାନ ବିପ୍ରେ ଦେବା ପାଇଁ

ରୁଣ୍ଡ ହୋଇଛନ୍ତି ଆସି ଶତ ଶତ ଗାଈ ।

ଭୋଜନ କରନ୍ତି ଆସି ବହୁ ବିପ୍ରବର

ଦକ୍ଷିଣା ନେଇ ଆନନ୍ଦେ ଚଳନ୍ତି ଗୃହର ।

ନିଜେ ଉଗ୍ରସେନ ରାଜା ସବୁ ବୁଝୁଥାନ୍ତି

ନାତୁଣୀ ବୋହୂ ଯେପରି ମନେହେବ ଶାନ୍ତି ।

କର୍ମ ସମୟେ ଆହୁତି ଦେବେ ବିପ୍ରବର

ଯଜ୍ଞର କର୍ତ୍ତା ଅଟନ୍ତି ନିଜେ ନାରୀବର ।

ଶଙ୍ଖେ ଜଳ ଟେକି ମୁନି ସତ୍ୟ କରାଇଲେ

ପ୍ରତିଦାନ ଦେଲି ବୋଲି କୁହ ହେ ବୋଇଲେ

ତ୍ରିବାର ଶପଥ କରି ଶ୍ରୀକୃଷ୍ଣଙ୍କ ନାରୀ

ଟେକିଲେ ଧର୍ମକୁ ଚାହିଁ ପତି ସେ ସୁନ୍ଦରୀ ।

ନାରଦଙ୍କ ହସ୍ତେ ଶଙ୍ଖ ଜଳ ଭରି ବାମା

ଟେକିଲେ ନିଅନ୍ତୁ ପତି ଦାନ ମହାତମା ।

ଯହୁଁ ଦାନକର୍ମ ବିଧି ସମସ୍ତ ସରିଲା

ଉପଯୁକ୍ତ ଦକ୍ଷିଣା ଯେ ବିପ୍ରେ ଦିଆଗଲା ।

ନାରଦ ବୋଇଲେ ମାତ ହେଉଛି ଉଛୁର

ଡାକ ତୋ ପତିଙ୍କୁ ମୁଁ ନେଇଣ ଯିବି ଘର ।

ସତ୍ୟଭାମା ବୋଲନ୍ତି ଯେ ଋଷି ମୁଖ ଚାହିଁ

କେଣିକି ସ୍ଵାମୀଙ୍କୁ ନେବ ଆହେ ତପିସାଇଁ ।

ମହର୍ଷି ବୋଲନ୍ତି ତୁମ୍ଭେ ପତିଦାନ ଦେଇ

ସତ୍ୟକରି ଶଙ୍ଖେ ଜଳି ଭରି ଟେକିଦେଇ

ଆଗ ପଛକୁ ବିଚାର ନ କଲୁ ସୁମୁହୀଁ

ପତିଦାନ ଦେଲୁ ମାତ ଧର୍ମକୁ ଅନାଇ ।

ଯଦ୍ୟପି ଦାନ ପଦାର୍ଥ ରଖୁବୁ ଗୃହର

ସପତ ପୁରୁଷ ତୋର ପଡ଼ିବେ ନର୍କର ।

ପୁଣି ତୁହି ଦାନଦ୍ରବ୍ୟ ଛୁଇଁ ନ ପାରିବୁ

ଦେଖିଲେ ପାତକ ହେବ ନରକେ ପଡ଼ିବୁ ।

ଶୁଣି ସତ୍ୟଭାମା ଦେହୁ ରକତ ସରିଲା

କାନ୍ଦି କାନ୍ଦି ମୁନିଙ୍କର ଚରଣେ ପଡ଼ିଲା ।

ରାଗେ ଜର ଜର ହୋଇ କହନ୍ତି ଦେବର୍ଷି

ଶ୍ରୀକୃଷ୍ଣଙ୍କ ଘରଣୀ ହୋଇ ଅନ୍ୟାୟ କହସି ।

ଯଦି ମୋତେ ତୁହି ତୋ ପତିଙ୍କୁ ଦେବୁ ନାହିଁ

ଚାହୁଁ ଚାହୁଁ ଭସ୍ମ ହେବୁ କରିଦେବି ମୁହିଁ ।

ଭୟେ ଥରହର ହୋଇ ଶ୍ରୀକୃଷ୍ଣ ବାନ୍ଧବୀ

ପଡ଼ିଲେ ଭୂମିରେ ଚେତା ହରାଇଣ ଦେବୀ

ଦୂତ ହସ୍ତେ ପ୍ରଭୁ ପାଶେ ଦେଲେ ଯେ ଖବର

ଭାବିଲେ ସେ ଆସିଲେ କରିବେ ପ୍ରତିକାର ।

ମନେ ପାଞ୍ଚନ୍ତି ଚଣ୍ଡାଳୀ କିମ୍ପା ମୁଁ ୟା କଲି

ଭଲ ପାଞ୍ଚ ପାଞ୍ଚୁ ପୁଣି ବିପଦେ ପଡ଼ିଲି ।

ପୁର ମଧ୍ୟେ ଅନ୍ୟମାନେ ଶୁଣି କି ବୋଲିବେ

ମୋ ସମ ନିର୍ଲ୍ଲଜୀ କାହିଁ କେହି ଏହି ଭବେ ।

ଚାରଠୁ ଖବର ପାଇ ପ୍ରଭୁ ଜଗନ୍ନାଥ

ଋଷିଙ୍କ ନିକଟେ ଆସି ହେଲେ ଉପଗତ ।

ପ୍ରଭୁଙ୍କୁ ଦେଖିଣ ମୁନି ବୋଲନ୍ତି ବଚନ

ଶୀଘ୍ର ରାଜଦ୍ରବ୍ୟ ହୁଡ଼ି ଚଳ ତୁମ୍ଭେ ବନ ।

ତୁମ୍ଭଙ୍କୁ ଆମ୍ଭରେ ଦାନ ଦେଇଛନ୍ତି ସତୀ

ଧର୍ମକୁ ଚାହିଁ ଜଳ ଟେକି ଦେଇଛନ୍ତି ।

ଶ୍ରୀକୃଷ୍ଣ ବୋଇଲେ କେଭେ ମୁହଁ ଯିବି ନାହିଁ

ନାରୀ ଲାଗି କିମ୍ପା ମୁହିଁ ବଣେ ବୁଲିବଇଁ ।

ଏତେ ନାରୀଙ୍କୁ ଭସାଇ କେଣେ ଯିବି ମୁହିଁ

ମୋତେ କି ପଚାରି ସେହୁ ଥିଲେ ଦାନ ଦେଇ ।

କିମ୍ପାଇ ଏ ବ୍ରତ ଗୋଟି କରିଛନ୍ତି ସେହି

ମୋର ଅନୁମତି କିମ୍ପା ସେ ଲୋଡ଼ିଲେ ନାହିଁ

ସ୍ତିରୀଏ ଅଟନ୍ତି ସଦା ପୁରୁଷ ଆୟତ୍ତ

ପୁରୁଷ କଦାପି ନୁହେଁ ସ୍ତ୍ରୀର କରାୟତ୍ତ ।

ଯଦି ଏତେ ବଡ଼ ବ୍ରତ ସତ୍ୟଭାମା କଲେ

ମୋତେ ଭଲମନ୍ଦ ସୁଦ୍ଧା ପଦେ ନ କହିଲେ ।

ତେଣୁ ଜାଣୁଛି କରନ୍ତି ମୋତେ ବେଖାତର

ସେ ଯୋଗେ ଠେଲି ଦିଅନ୍ତି ସେ ଅରଣ୍ୟ ଘୋର

ସବୁଠାରେ ମଣେ ମୁହିଁ ସତ୍ୟଭାମା ସାର

ଭକତି କରନ୍ତି ସଦା ସେ ମୋତେ ଅନ୍ତର

କିନ୍ତୁ ତାହାର ପ୍ରମାଣ ଆଜି ଗଲା ହୋଇ

ମୋହଠାରେ ତିଳେମାତ୍ର ତାଙ୍କ ସ୍ନେହ ନାହିଁ

ମୁଖରେ ମଧୁର ଭାଷି ଅନ୍ତରେ ଗରଳ

ଦେଇଣ ଠେଲିଦିଅନ୍ତି ସେ ଅଗାଧ ଜଳ

ନାରୀ ବିଶ୍ବାସଘାତିନୀ ଅଟେ ଶାସ୍ତ୍ରଗୀର

ସମୟେ ଦିଅନ୍ତି ସେହି ସ୍ୱାମୀ ଗଳେ କ୍ଷୁର ।

ସ୍ୱାମୀଙ୍କଠାରୁ ଭର୍ତ୍ସନା ଶୁଣି ଚାନ୍ଦମୁହୀଁ

ଭାବନ୍ତି ଆଉ ଏ ପ୍ରାଣ ନ ରଖିବି ମୁହିଁ ।

ଆଉ ଯେ ବିଶ୍ୱାସ ନ କରିବେ ଚକ୍ରଧର

ଏ ପୋଡ଼ା ପ୍ରାଣରେ କିବା ପ୍ରୟୋଜନ ମୋର

ଏହିପରି ମନେ ଭାବି ବିଷ୍ଣୁଙ୍କର ନାରୀ

ତଳକୁ ମୁଖ ପୋତିଣ ରୋଦନ୍ତି ସୁନ୍ଦରୀ ।

ଯେପରି ତାହାଙ୍କ ଦେହେ ତିଳେ ଜ୍ଞାନ ନାହିଁ

ଜଡ଼ ପରି ସବୁ ଶୁଣୁଥାନ୍ତି ଚାନ୍ଦମୁହୀଁ ।

ହୃଦ ମଧ୍ୟରେ ବହୁତ ବିକଳ ହୁଅନ୍ତି

ସ୍ୱାମୀର ମୁଖକୁ ଚାହିଁ ନୀର ଢାଳୁଥାନ୍ତି ।

ଶ୍ରୀକୃଷ୍ଣଚନ୍ଦ୍ର ଚାହିଁଲେ ଦେବୀଙ୍କ ନୟନ

ଭୟେ କଳା ଦିଶୁଅଛି ଚନ୍ଦ୍ରମା ବଦନ ।

ଛଦ୍ରମ କରି କହନ୍ତି ଦେବର୍ଷି ନାରଦ

ଶୀଘ୍ର ରାଜ ପରିଚ୍ଛଦ କାଢ ହେ ଗୋବିନ୍ଦ ।

ମୋ ସଙ୍ଗେ ମଠରେ ରହିଚେଲା ଯେ ହୋଇବ

ବେଶି କାମ ନାହିଁ ଖାଲି ମଠ ଓଳାଇବ ।

ଆବର ବନକୁ ଯିବ ଫଳମୂଳ ପାଇଁ

ପ୍ରଭାତୁ ଫୁଲ ତୋଳିବ ଠାକୁରଙ୍କ ପାଇଁ ।

ବେଳେବେଳେ ଗୁରୁଙ୍କର ଗୋଡ଼ଘଷି ଦେବ

ଏ ମାୟା ବନ୍ଧନେ କିମ୍ପା ତୁମ୍ଭେ ଘାଣ୍ଟିହେବ ।

ଯେତେବେଳେ ଅର୍ଦ୍ଧାଙ୍ଗିନୀ ରମଣୀ ତୁମ୍ଭର

ଦାନ କରି ଦେଲେ ଦାବୀ ଅଛି ତୁମ ପର ।

ଶାସ୍ତ୍ରରେ ରହିଛି ସ୍ୱାମୀ ଅର୍ଦ୍ଧଅଙ୍ଗ ସ୍ତିରୀ

ସ୍ୱାମୀ ଦୋଷକଲେ ଅଧେ ଭୋଗ କରେ ନାରୀ

ସେହିପରି ମଧ୍ୟ ନାରୀ କଲେ ଅପରାଧ

ଅର୍ଦ୍ଧ ଭୋଗ କରିବାକୁ ସ୍ବାମୀ ହୁଏ ବାଧ୍ୟ ।

ଯେତେ ହେଲେ ସତ୍ୟଭାମା ତୁମ୍ଭ ପ୍ରାଣେଶ୍ବରୀ

ସବୁ ନାରୀଠାରୁ ବେଶି ପ୍ରିୟ ସେ ତୁମ୍ଭରି ।

ଯେତେ ଦମ୍ଭ ଥିଲା ବୋଲି ସିନା ତୁମ୍ଭ ପରେ

ନ ବିଚାରି ଦାନ କଲେ ମୋହର ହସ୍ତରେ ।

ଏତିକି କଥା ତାଙ୍କର ନ ରଖିଲେ ହରି

ତୁମ୍ଭେ କେଉଁ ସ୍ୱାମୀ ଅବା ସିଏ କେଉଁ ନାରୀ

ସତ୍ୟଭାମାଙ୍କର ଅନୁରୋଧ ରକ୍ଷାକରି

ଜଟା କଉପୀନ ପିନ୍ଧ ଚାଲ ହେ ମୁରାରୀ ।

ତା ହେଲେ ସର୍ବ ଜାଣିବେ ନିଶ୍ଚେ ଚକ୍ରଧର

ସବୁଠୁ ଭଲପାଆନ୍ତି ସତ୍ୟକୁ ତାଙ୍କର ।

ଏପରି ବାକ୍ୟ ଋଷିଙ୍କଠାରୁ ଦେବୀ ଶୁଣି

ଯେହ୍ନେ କେ କଲିଜା ତାଙ୍କ ପକାଉଛି ହାଣି ।

ପ୍ରଭୁଙ୍କ ମୁଖକୁ ନ ଚାହିଁଣ ମଥା ପୋତି

ଅଜସ୍ର ଲୋତକ ଢାଳୁ ଥାଆନ୍ତି ଯେ ସତୀ ।

ରାଜବେଶ ବଦଳିଣ ପ୍ରଭୁ ଚକ୍ରଧର

ବଳକଳ ପିନ୍ଧି ଭସ୍ମ ବୋଳିଲେ ଅଙ୍ଗର ।

ହସ୍ତେ ଆଶା ବାଡ଼ି ଝୁଲା କାନ୍ଧରେ ପକାଇ

ରାଧେ ରାଧେ କହି ବାହାରିଲେ ଭାବଗ୍ରାହୀ

ଅଳପ ବୟସ ତନୁ ଦିଶେ କି ସୁନ୍ଦର

ସତେ କି କୈଳାସ ଛାଡ଼ି ଆସିଛନ୍ତି ହର ।

ଋଷିଙ୍କୁ ପ୍ରଣାମ କରି ବୋଲନ୍ତି ଠାକୁର

ଚାଲ ଦେବ ଆଉ ତୁମ୍ଭେ ବିଳମ୍ବ ନ କର ।

ଶ୍ରୀକୃଷ୍ଣ ବୈଷ୍ଣବ ହେବା କଥାଦ୍ଵାରକାରେ

ଚହଳ ପଡ଼ିଗଲା ଯେ କ୍ଷଣକ ମଧ୍ୟରେ ।

ସପ୍ତ ପାଟବଂଶୀ ଷୋଳସସ୍ର ନାରୀଗଣ

ସତ୍ୟଭାମାଙ୍କ ପୁରରେ ମିଳିଲେ ତକ୍ଷଣ ।

ସଭିଙ୍କୁ ନୟନୁ ନୀର ଯାଉଥାଏ ବହି

କି ହେଲା କି ହେଲା ବୋଲି ବୋଲନ୍ତି ସୁମୁହୀଁ

ସରବେ ଦେଖିଲେ ପିନ୍ଧି କଷା କଉପୀନ

ବ୍ରତସ୍ଥାନେ ବସିଛନ୍ତି ଦେବକୀ ନନ୍ଦନ ।

ରାଜବେଶ ପରିତ୍ୟାଗ କରି ଚକ୍ରଧର

ଦିଗମ୍ବର ବେଶେ ଉଭା ବ୍ରହ୍ମାଣ୍ଡ ଠାକୁର ।

ଦେଖି ସର୍ବେ ନାରାୟଣ ଆକୁଳ ହୋଇଲେ

କିମ୍ପାଇ ପ୍ରଭୁ ଏ ବେଶ ଋଷିଙ୍କୁ ପୁଚ୍ଛିଲେ ।

ସମସ୍ତ ଘଟଣା ତାଙ୍କୁ ମହର୍ଷି କହନ୍ତି

ଶୁଣିଣ ପାଟବଂଶୀ ଝଗଡ଼ା କରନ୍ତି ।

ଭଲ କଥା କହୁଅଛ ତୁମ୍ଭେ ଋଷିବର

ଏକା ସ୍ୱାମୀ ନୁହନ୍ତି ଯେ ସତ୍ୟଭାମାଙ୍କର

ଆମ୍ଭେ ଷୋଳସସ୍ର ସପ୍ତ ନାରୀଅଛୁ ରହି

ଏକା ସତ୍ୟଭାମା କଥା କେଭେ ନ ରହଇ ।

କଦାପି ନ ଛାଡ଼ିବୁ ହେ ସ୍ଵାମୀକୁ ଆମ୍ଭର

ପଣତ କାନିରେ ବାନ୍ଧି ରଖିବୁ ଠାକୁର ।

ଦେଖିବୁ କିପରି ଋଷି ଛଡ଼ାଇଣ ନେବ

ସତ୍ୟଭାମା କେଉଁପରି ଦାନଦ୍ରବ୍ୟ ଦେବ ।

ସଭିଙ୍କ ବଚନ ଶୁଣି ବୋଲେ ଋଷିବର

ସେ ଯେ ପାଟବଂଶୀ ଦାନ କରିଛି ମୋ କର

ରୁକ୍ମିଣୀ ବୋଲନ୍ତି ଜ୍ୟେଷ୍ଠା ପାଟରାଣୀ ମୁହିଁ

କନିଷ୍ଠା ହୋଇ କି ଅଧିକାର ତା ଅଛଇ ।

ସବୁ ରମଣୀ ଉପରେ ଶ୍ରେଷ୍ଠା ମୁଁ ଅଟଇ

ମୋତେ ନ ପଚାରି କିମ୍ପା ଦାନ ଦେଲା ସେହି

କୌଣସି ମତେ ସ୍ୱାମୀଙ୍କୁ ନ ଛାଡ଼ିବି ମୁହିଁ

ଯଦି ଥାଏ ଶକ୍ତି କିଏ ନେଉ ତ ଛଡ଼ାଇ ।

ନାରଦ ବୋଲନ୍ତି ଦ୍ରବ୍ୟ ନୁହଁନ୍ତି ଶ୍ରୀଧର

ଭାଗଭାଗ କରିବ ହେ ତୁମ୍ଭେ ନାରୀବର ।

ତୁମ୍ଭ ସଭିଙ୍କ ମଧ୍ୟରୁ ଜଣେ ଦେଲେ ଦାନ

ସମସ୍ତେ ମାନିବେ ଏହା ଶାସ୍ତ୍ରର ବଚନ ।

ନାରୀମାନେ ରଷିଠାରୁ ଶୁଣି ଏହି ଗୀର

ରୋଦନ କରି ପଡ଼ିଲେ ଶ୍ରୀକୃଷ୍ଣ ପାଦର ।

ଶ୍ରୀକୃଷ୍ଣ ବୋଇଲେ ମୋର ତିଳେ ଦୋଷ ନାହିଁ

ତୁମ୍ଭ ମଧ୍ୟୁ ସତ୍ୟଭାମା ଦାନ ଛନ୍ତି ଦେଇ ।

ଦାନ ପଦାର୍ଥ ଅଟଇ ମୁହଁ ରଷିଙ୍କର

ତାଙ୍କ ଅନୁଗ୍ରହ ହେଲେ କରିବେ ବିଚାର ।

ସତ୍ୟଭାମାଙ୍କୁ କହନ୍ତି ସର୍ବ ନାରୀଗଣ

କିମ୍ପା କଲୁ ଏହା ତୁହି କାରେ ନ କହିଣ ।

କିବା ଅପରାଧ ସ୍ୱାମୀ କରିଲେ ତୋହର

ତେଣୁ ତାଙ୍କୁ ଦେଉଅଛୁ ତୁହି ଦେଶାନ୍ତର ।

ଆମ୍ଭ ସଭିଙ୍କ ମୁଣ୍ଡରେ ପକାଇ ବଜର

ସମସ୍ତ ଆହାର କାଢି ଫିଙ୍ଗୁ ତୁ ଧୂଳିର ।

ଭଲ ପାଉଥିଲେ ବୋଲି ତୋତେ ପ୍ରାଣନାଥ

ଚିରଦିନ ପାଇଁ ଠେଲି ଦେଉ ତୁ ବନସ୍ତ ।

ଏହିପରି ନାରୀମାନେ ବିକଳ ହୁଅନ୍ତି

ସର୍ବେ ଭୂମି ପରେ ମଥା କଚାଡ଼ି କାନ୍ଦନ୍ତି ।

ସମସ୍ତେ ଏକାବେଳକେ ପ୍ରଭୁ ପାଦେ ପଡ଼ି

ବୋଇଲେ ସ୍ୱାମୀ ଆମ୍ଭଙ୍କୁ ନ ଯାଆନ୍ତୁ ଛାଡ଼ି ।

ନିମିଷକେ ଆମ୍ଭ ପାଶୁ ହୋଇଲେ ଅନ୍ତର

ମଣୁଥାଉ ଅନୁକ୍ଷଣେ ଯୁଗ ଯେ ସତର ।

ତୁମ୍ଭ ଧନ ସମ୍ପଦରେ ଆମ୍ଭେ ଭୋଳ ହୋଇ ।

ବିଭା ହୋଇଲ ତୁମ୍ଭଙ୍କୁ ଆହେ ପ୍ରାଣସାଇଁ ।

କେବଳ ଯେ ପଦ୍ମମୁଖ ଦେଖି ଭୋଳ ହୋଇ

ଗୋଡ଼ାଇ ଆସିଛୁ ଆମ୍ଭେ ପଛକୁ ନ ଚାହିଁ ।

ତବ ନିରଳସ ପଦ୍ମ ପଳାଶ ଲୋଚନ

ଦେଖିଲେ ଆମ୍ଭର ଦୁଃଖ ହୁଏ ଅବସାନ ।

ଆହେ ଋଷିବର ନେବ କାନ୍ତକୁ ଆମ୍ଭର

ଆମ୍ଭ ସର୍ବ ନାରୀ ମୁଖେ ଦିଅ ହେ ଜହର ।

ଜଣେ ସିନା ଦୋଷ କଲା ସେ ଦଣ୍ଡ ପାଇବ

ସମସ୍ତଙ୍କ ଶିରେ କିବା କୁଳିଶ ପଡ଼ିବ ।

ଯଦି ସତ୍ୟଭାମା ଦାନ କରିଛି ଠାକୁର

ସେ ନ ଚାହିଁବ ମୁଖକୁ ଆଉ ପ୍ରଭୁଙ୍କର ।

ଶାସ୍ତ୍ର ଅଛି ଯେଉଁ ବ୍ୟକ୍ତି ପରେ ଦାନ ଦେବ

ସେ ଦ୍ରବ୍ୟକୁ ଆଉ ସେ ଗ୍ରହଣ ନ କରିବ ।

କିନ୍ତୁ ଆମ୍ଭେ କରି ନାହୁଁ କେଭେ ପ୍ରତିଦାନ

ସର୍ବେ ପତିଙ୍କ ସଙ୍ଗରେ ଯିବୁ ଘୋର ବନ ।

ରାଣୀଙ୍କ ବିକଳ ଦେଖି ପ୍ରଭୁ ଆଦିମୂଳ

ବୋଇଲେ ନ କାନ୍ଦ ତୁମ୍ଭେ ଶୁଣ ହେ ସକଳ ।

ଋଷିଙ୍କୁ ପଚାର ସେହୁ କରିବେ ବିଚାର

ଇଚ୍ଛାକଲେ ନେବ ସେହୁ ମୋତେ ତା ସଙ୍ଗର ।

ଧର୍ମ ଉଚିତରେ ଜଣେ ଦୋଷ ଅରଜିବ

ଅନ୍ୟକୁ କିମ୍ପାଇଁ ତାହା ଭୋଗିବାକୁ ହେବ

ନାରଦଙ୍କ ପାଦତଳେ ପଡ଼ିଲେ ସୁମୁହୀଁ

ଆମ୍ଭ ସଭିଙ୍କୁ ବଞ୍ଚାଅ କୃପାକରି ତୁହି ।

ନୋହିଲେ ସର୍ବ ନାରୀଏ ଦେବୁ ଅଭିଶାପ

ଋଷି ପଣିଆ ତୁମ୍ଭର ହୋଇଯିବ ଲୋପ ।

ତା ନ ହେଲେ ସର୍ବ ନାରୀ ଏକାବେଳେ ଯାଇ

ଅଗାଧ ସଲିଳ ମଧ୍ୟେ ପଡ଼ିବୁ ଯେ ଡେଇଁ ।

ସ୍ତିରୀହତ୍ୟା ପାପ ଭାଗୀ ହେବ ମୁନିବର

ଆମ୍ଭର ପତିଙ୍କୁ ଆମ୍ଭ କରେ ଦାନକର ।

ସତ୍ୟଭାମା ସିନା ଦାନ ଦ୍ରବ୍ୟ ନ ଛୁଇଁବେ

ଆମ୍ଭଙ୍କୁ ଦାନ କରିବ ଦିଅ ଋଷି ତୁମ୍ଭେ ।

ତବ ଦାନ ଦ୍ରବ୍ୟ ଦିଅ ଆମ୍ଭ କରେ ଟେକି

ଯେତେ ଦାନ ଦରକାର ନିଅ ତୁମ୍ଭେ ବିକି ।

ଋଷି ବୋଇଲେ ଧନ ମୋ ନାହିଁ ଦରକାର

ଇଚ୍ଛା କଲେ ନାରୀମାନେ ସଙ୍ଗେ ଯାଇପାର

ସରବେ ଫୁଲ ଗୁନ୍ଥିବ ମଠରେ ମୋହର

ଏକା ସତ୍ୟଭାମା ଦେବୀ ନ ଯିବ ସଙ୍ଗର ।

ସେ ସିନା ଏକା ଅଛନ୍ତି ପତି ଦାନ କରି

ପ୍ରକୃତରେ ଦୋଷୀ ନୁହଁ ତୁମ୍ଭେ ଯେ ସବୁରି ।

ଶୁଣିଣ ସର୍ବ ନାରୀଏ ଆନନ୍ଦ ହୋଇଲେ

ସ୍ୱାମୀ ସଙ୍ଗେ ଯିବା ପାଇଁ ବନେ ସଜ ହେଲେ

ସବୁ ଶୁଣୁଥାନ୍ତି ବସି ଦେବୀ ସତ୍ୟଭାମା

ପିଣ୍ଡରୁ ପରାଣ ତାଙ୍କ ଛାଡ଼ିଗଲା କିବା ।

ଭାବିଲେ ସଭିଙ୍କୁ କାନ୍ତ ନେଲେ ସଙ୍ଗତର

ମୁହଁ ଅଭାଗିନୀ ଏକା ହୋଇଲି ଅନ୍ତର ।

ଆଉ ଏ ପୋଡ଼ା ପରାଣ ମୁହିଁ ନ ରଖିବି

ଦ୍ବାରକାରେ ଆଉ କାର ମୁଖ ନ ଚାହିଁବି ।

କାନ୍ଦି କାନ୍ଦି ମୂର୍ଚ୍ଛା ହୋଇ ପଡ଼ିଲେ ସୁମୁହୀଁ

ଧାଇଁ ଯାଇ ତୋଳିଣ ଧରିଲେ ଭାବଗ୍ରାହୀ ।

ଦେଖିଲେ ସତ୍ୟଭାମାଙ୍କ ଦେହେ ନାହିଁ ଜ୍ଞାନ

କେବଳ ନିଃଶ୍ୱାସ ମାତ୍ର ଚାଳେ ଘନ ଘନ ।

ସଞ୍ଜକଞ୍ଜ ବଦନ ଯେ ଦିଶଇ ମଉଳି

ନୀରେ ବସନ ତିନ୍ତିଣ ଦେହ ଦିଶେ କାଳି ।

ମୁଖେ ଜଳ ସିଞ୍ଚି ପ୍ରଭୁ ଚେତା କରାଇଲେ

ପ୍ରାଣ ପ୍ରିୟା ମୁଖ ଚାହିଁ ବିକଳ ହୋଇଲେ ।

ଚେତା ପାଇ ଦେଖେ ଗୋରୀ ସ୍ବାମୀଙ୍କ କୋଳରେ

ଶୋଇଅଛି ପଦ୍ମକର ଆଉଁସି ଦେହରେ ।

ସ୍ୱାମୀ ମୁଖ ଜଳଜଳ ଅନାଇଣ ଗୋରୀ

ରୋଦନ କରଇ ବାକ୍ୟ ନ ସ୍ଫୁରେ ତାହାରି ।

ଆହେ ପ୍ରଭୁ ଏ ଦାସୀରେ କରିଣ ଅନ୍ତର

ସଭିଙ୍କୁ ନେଇଣ ତୁମ୍ଭେ ଯିବ ବନ ଘୋର ।

ନାରୀ ଜାତି ଏତେ ଛନ୍ଦି ଜାଣି ନ ପାରିଲି

ଋଷିଙ୍କ କଥାରେ ଭୁଲି ଦାନ କରିଦେଲି ।

ଭଲ କରୁ କରୁ ମୋ ଭାଗ୍ୟେ ମନ୍ଦ ହେଲା

ଯାକୁ ସୁବର୍ଣ୍ଣ ଭାବିଲି ପିତ୍ତଳ ହୋଇଲା ।

ମୁକ୍ତା ମଣି ଯାହାକୁ ମୁଁ କରିଲି ଆଦର

ମୋର ମନ୍ଦ ଗରଗଡ଼ ହେଲା ପ୍ରାଣେଶ୍ଵର ।

ପରେ ମନ୍ଦ ପାଞ୍ଚି ମୁହିଁ ଖାଲରେ ପଡ଼ିଲି

ଜାଣୁ ଜାଣୁ କାଳକୂଟ ବିଷ ମୁଁ ଭକ୍ଷିଲି ।

ଛାଡ଼ିଦିଅ ମୋତେ ନ ଛୁଅଁ ହେ ପ୍ରାଣେଶ୍ୱର

ଆଉ ଏ କଳଙ୍କ ପ୍ରାଣେ ଲୋଡ଼ା ନାହିଁ ମୋର

କାହା ଆଗେ ଭଲ ମନ୍ଦ ମୁହିଁ ଜଣାଇବି

ଆଉ କାହା ପାଶେ ଅଭିମାନ ମୁଁ କରିବି

କିଏ ସେ ବୁଝିବ ମୋର ଅନ୍ତର ବେଦନା

କିଏ ସେ କୋଳେ ବସାଇ କରିବ ସାନ୍ତ୍ୱନା ।

ବର୍ତ୍ତମାନ ସମସ୍ତଙ୍କୁ ନେଇ ବନେ ଯିବ

ପହଞ୍ଚି ନ ଥିବା ପଥେ ଖବର ପାଇବ ।

ଯଦି ଦାସୀଠାରେ ସ୍ନେହ ଥିବ ଚକ୍ରଧର

ଭାବିବ ପାପିନୀ ଆଜି ଗଲା ଆର ପାର ।

ସତ୍ୟଭାମାଙ୍କ ବିକଳ ଦେଖି ହୃଷୀକେଶ

ଧୈର୍ଯ୍ୟଧରି ନ ପାରି କାନ୍ଦିଲେ ଜଗଦୀଶ ।

ବୋଇଲେ ନିଜେ ଅର୍ଜିଲୁ ଆରେ ପ୍ରାଣସହୀ

କିମ୍ପା ମୋର ଦୋଷ ଦେଉଅଛୁ କହି ତୁହି ।

ଯାଅ ଋଷିଙ୍କ ପାଖରେ ଜଣାଅ ସୁନ୍ଦରୀ

ଯଦିବା ଫେରାଇ ଦ୍ୟନ୍ତି ସେହୁ ଦୟା କରି ।

ପ୍ରଭୁଙ୍କ ସାନ୍ତ୍ୱନା ବାଣୀ ଶୁଣି ସତ୍ୟଭାମା

ବୋଲନ୍ତି ଋଷିଙ୍କୁ ତୁମେ ଶୁଣ ମହାତମା ।

ଯେତେ ଧନ ଲୋଡ଼ା ସବୁ ଆଣିଦେବି ମୁହିଁ

ମୋ ପ୍ରାଣନାଥଙ୍କୁ ମୋତେ ଦିଅ ହେ ଫେରାଇ ।

ମୋ ବାପଘର ଦରବ ତୁମ୍ଭଙ୍କୁ ମୁଁ ଦେବି

ନ ଅଣ୍ଟିଲେ ବାପଘରୁ ମଗାଇ ଆଣିବି ।

କୁହ ଋଷି ସୁନା ଚାନ୍ଦି ହୀରା ନୀଳା ଆଣି

ମାଣିକ୍ୟ ସହିତ ବହୁ ଧନ ଦେବି ଆଣି ।

କିନ୍ତୁ ମୋ ହସ୍ତେ ଫେରାଇ ଦିଅ ପ୍ରତି ମୋର

ନୋହିଲେ ପ୍ରାଣ ହାରିବି ତୁମ୍ଭ ସମ୍ମୁଖର ।

ଦେଖ ଅଙ୍ଗୁଷ୍ଠିରେ ମୋର ଅଛି ହୀରାମଣି

ଚୁମ୍ବିଦେଲେ ପ୍ରାଣ ହରାଇବି ଏହିକ୍ଷଣି ।

ନାରଦ ବୋଲନ୍ତି ଯଦି ଖର୍ଦ୍ଦିକରି ନେବ

ତୁମ୍ଭ ପତି ସମାନ କି ଦ୍ରବ୍ୟ ମୋତେ ଦେବ ।

ଶୁଣି ସତ୍ୟଭାମା ହେଲେ ଆନନ୍ଦ ଅପାର

ବୋଇଲେ ନିଶ୍ଚୟ ଦେବି ମୁଁ ଅପେକ୍ଷାକର ।

ସଙ୍ଗେ ସଙ୍ଗେ ସତ୍ୟଭାମା ନିଜ ପୁରେ ଗଲେ

ଭଣ୍ଡାର ଖୋଲିଣ ଧନ କାଢି ଯେ ଆଣିଲେ ।

ନିକିତି ଘେନିଣ ବସିଥାନ୍ତି ମୁନିବର

ଅଜାଡ଼ିଲେ ବହୁଦ୍ରବ୍ୟ ଆଣି ନାରୀବର ।

ସତ୍ୟଭାମାଙ୍କ ପୁରରେ ଥିଲା ବହୁ ଧନ

ଦେଖିଣ ଆଶ୍ଚର୍ଯ୍ୟ ହେଲେ ଦ୍ଵାରକାର ଜନ ।

ହୀରା ନୀଳା ମଣି ମୁକ୍ତା ସୁନା ଚାନ୍ଦି ଆଦି

ଅଜସ୍ରକ ଧନ ଦେବୀ ଥିଲେକ ସମ୍ପାଦି ।

ତିଳେ ମାତ୍ର ଧନେ ଲୋଭ ନ କରି ସୁମୁହୀଁ

ଗଦା କରି ଦେଲେ ସବୁ ମୁନି ପାଶେ ନେଇ ।

ଦେଖିଣ ଯେ ସର୍ବଜନ ଚକିତ ହୋଇଲେ

ନାରଦ ମହର୍ଷି ମନେ ମନେ ପ୍ରଶଂସିଲେ ।

ଦେଖ ପାଟକେ କିପରି ପତିବ୍ରତା ନାରୀ

ସ୍ୱାମୀ ଲାଗି ଧନକୁ ସେ ନ ଖାତିରି ।

ଆବର ବୋଲଇ ଗୋରୀ ଶୁଣ ଋଷିବର

ନ ଅଣ୍ଟିଲେ ବାପଘରୁ ଆଣିବି ସତ୍ୱର ।

ଶ୍ରୀକୃଷ୍ଣଚନ୍ଦ୍ର ବସିଲେ ଗୋଟିଏ ପାଖରେ

ସବୁ ଧନ ରତ୍ନ ଲଦିଲେ ଆର ପାଖରେ ।

କିନ୍ତୁ ପ୍ରଭୁଙ୍କ ଆଡ଼ ଯେ ତଳୁ ନ ଉଠଇ

ଦେଖିଣ ଆଶ୍ଚର୍ଯ୍ୟ ହେଲେ ସର୍ବ ନାରୀ ତହିଁ ।

ଉଦ୍ଧବ ଅକ୍ରୂର ରହି ସବୁ ଦେଖୁଥାନ୍ତି

ଶ୍ରୀକୃ୍ଷ୍ଣଙ୍କ ମାୟା ଏହୁ ବୋଲିଣ ମଣନ୍ତି ।

ସାତବଂଶ ଯାଦବ ଯେ ହୋଇଥାନ୍ତି ଠୁଳ

ବସୁଦେବ ଉଗ୍ରସେନ ଆଦି ଯେ ସକଳ ।

ସତ୍ୟଭାମା ପୁରୁ ଧନ ସମସ୍ତ ସରିଲା

ପିତା ପାଶେ ଗୋରୀ ପତ୍ର ଲେଖି ପଠାଇଲା ।

ଶୁଣି ଶକ୍ରାଜିତ ତହୁଁ ଆଣି ବହୁ ଧନ

ଦେଇଣ କହିଲେ ଋଷି କର ହେ ଓଜନ ।

କିନ୍ତୁ ନିକିତି ଯେ ଏକ ପାଶୁ ଉଠେ ନାହିଁ

ଦେଖିଣ ଚକିତ ହେଲେ ସର୍ବଜନ ତହିଁ ।

ଶ୍ରୀକୃଷ୍ଣଙ୍କ ପୁରେ ଯେତେ ଧନ ରତ୍ନ ଥିଲା

ସମସ୍ତ ଆଣିଣ ନିକିତିରେ ଭରି ଦେଲା ।

କିନ୍ତୁ ଶ୍ରୀକୃଷ୍ଣଙ୍କ ପଟ କେଭେ ନ ଉଠଇ

ଆଣ ଆଣ ବୋଲି ଋଷି ଚହଳ କରଇ ।

ଯେତେ ଧନରତ୍ନ ସର୍ବ ଦ୍ରବ୍ୟ ହେଲା ଠୁଳ

କୌଣସିରେ ସମାନ ନ ହେଲେ ଆଦିମୂଳ ।

ସାତବଂଶ ଯାଦବଙ୍କ ପୁରେ ଯେତେ ଧନ

ଆଣି ଜମା କଲେ ସେହି ନ ହେଲା ସମାନ ।

କାଠ ବାଉଁଶ ପର୍ଯ୍ୟନ୍ତ ଆଣି ଜମାକଲେ

ସେହିପରି ନିକିତି ଯେ ନ ଉଠଇ ଭଲେ ।

ଦେଖିଣ ଆଶ୍ଚର୍ଯ୍ୟ ହେଲେ ପୁର ଜନଗଣ ।

ଧନ୍ୟ ଧନ୍ୟ ଋଷି ଦଣ୍ଡି ଧରିଛି ହସ୍ତେଣ ।

ଯେତେବେଳେ ସର୍ବ ଦ୍ରଦ୍ୟ ପୁରରୁ ସରିଲା

ସକଳ ଯାଦବ ମନେ ଭାଳେଣି ପଡ଼ିଲା ।

ଦେଖ ନକରେ ଭକ୍ତିକେଡ଼େ ଯୋଦ୍ଧା ଯେଅଟଇ

ପୃଥିବୀର ଅଧେ ଧନ ହସ୍ତେ ତଉଲଇଁ ।

ପ୍ରଭୁଙ୍କୁ ମିଶାଇ ଯେବେ ହୋଇବ ଓଜନ

ଚଉଦ ବ୍ରହ୍ମାଣ୍ଡ ନୁହେଁ ତା ସଙ୍ଗେ ସମାନ ।

ଦେଖଣାହାରୀମାନେ ଯେ ଆଶ୍ଚର୍ଯ୍ୟ ହୁଅନ୍ତି

ଫେରାଇ ଦିଅ ହେ ଧନ ନାରଦ ବୋଲନ୍ତି ।

ଜାଣେ ମୁହିଁ ତୁମ୍ଭେ ଧନ ଦେଇ ନ ପାରିବ

କୁହ ଯେଉଁ ପରି ପ୍ରଭୁ ଖରିଦ କରିବ ।

ଚାଲ ଚକ୍ରଧର ବେଳ ହେଉଛି ଉଛୁର

ଉଦ୍ଧବ ବୋଇଲେ ଦଣ୍ଡେମାତ୍ର ସ୍ଥିର ଧର ।

ତାହାଙ୍କ ବଚନେ ସର୍ବେ ଚକିତ ହୋଇଲେ

ଏତେ ଧନ କାହୁଁ ଆଣିଦେବ ଏ ବୋଇଲେ ।

ଉଦ୍ଧବ ବୋଇଲେ ଋଷି ଦଣ୍ଡେ ସ୍ଥିର ଧର

ସମାନ ଧନ ମୁଁ ଆଣି ଦେଉଛି ନିକର ।

ତାହା ସମାନ ଭକତ ତିନିପୁରେ ନାହିଁ

ବିଷ୍ଣୁ ସୁମରି ତୁଳସୀ ପତ୍ରେକ ତୋଳଇ ।

କରେ ଲୁଚାଇଣ ଭକ୍ତ ତୁଳସୀ ପତର

ବୋଇଲା ସମସ୍ତ ଧନ ବାହାର ଯେ କର ।

କହିବା ମାତ୍ରେ ନିକିତି ସଫା ଯେ ହୋଇଲା

ତୁଳସୀ ପତ୍ର ଗୋଟିଏ ନେଇଣ ଥୋଇଲା ।

ତହୁଁ ଉଠିଗଲେ ପ୍ରଭୁ ନିକିତି ସମାନ

କଣ୍ଟ। ତିଳେ ବକ୍ର ନାହିଁ ଦେଖିଲେକ ଜନ ।

ସପ୍ତଯଦୁବଂଶ ଦେଖି ଆଶ୍ଚର୍ଯ୍ୟ ହୋଇଲେ

ପତ୍ରି ଟେକିଦିଏ ସତ୍ୟଭାମାଙ୍କୁ ବୋଇଲେ ।

ନାରଦଙ୍କର ଆନନ୍ଦ କେ ପାରିବ କହି

ପତ୍ରଗୋଟି ମସ୍ତକରେ ଲଗାଇଲେ ନେଇ ।

ଦେଖିଣ ସର୍ବ ନାରୀଏ ଆଶ୍ଚର୍ଯ୍ୟ ହୋଇଲେ

ଶ୍ରୀ ବିଷ୍ଣୁଙ୍କ ମାୟା ବୋଲି ସମସ୍ତେ ଜାଣିଲେ ।

ପତ୍ର ଟେକି ସତ୍ୟଭାମା ଉଭା ହୋଇଥିଲେ

ଲଜ୍ଜା ଅଧୋମୁଖେ ଦେବୀ ମଥା ନୁଆଁଇଲେ ।

ନାରଦ ବୋଇଲେ ସର୍ବେ ଶୁଣ ମୋ ଉତ୍ତର

ଭକ୍ତର ଅଧୀନ ସଦା ଅଟନ୍ତି ଶ୍ରୀଧର ।

ନିର୍ମଳ ତୁଳସୀ ପତ୍ର ପରି ଯେହୁ ହେବ

ସେହି ସର୍ବଦା ପ୍ରଭୁଙ୍କୁ ପାଶରେ ବାନ୍ଧିବ ।

ଯେତେ ଚେଷ୍ଟାକଲେ କେହୁ ରଖି ନ ପାରିବ

ଅନ୍ତରେ ଭକତି କଲେ ବାନ୍ଧି ଯେ ହୋଇବ ।

ଏ ପତ୍ର ପରି ଯା ଚିତ୍ତ ନିରିମଳ ଥିବ

ସେହି ପ୍ରଭୁଙ୍କ ସମାନ ଓଜନ ହୋଇବ ।

ଉଦ୍ଧବ ପରାଏ କଲେ ନିଷ୍ଠାପର ଭକ୍ତି

ପ୍ରଭୁଙ୍କ ସଙ୍ଗରେ ସେହି କରିବ ପୀରତି ।

ଭକ୍ତାଧୀନ ଭଗବାନ ଭକତେ ଭଜଇ

ଭକ୍ତଙ୍କୁ ଯେ ସଦାକାଳେ ହୃଦେ ଥାଏ ବହି ।

ଭକତ ଶ୍ରୀବତ୍ସ ବିପ୍ର ଗୋଇଠା ମାରିଲା

ଅଷ୍ଟାଦଶ ଚିହ୍ନ ମଧ୍ୟେ ଶୋଭା ସେ ପାଇଲା ।

ଭକ୍ତିରେ କୁବୁଜା ନାରୀ ଚନ୍ଦନ ଲେପିଲା

ଦିବ୍ୟରୂପ ହୋଇ ପ୍ରଭୁ ମନ ସେ ତୋଷିଲା ।

ଭକ୍ତିରେ ଗୋପୁ ଅକ୍ରୂର ରଥରେ ଆଣିଲା

ସ୍ନାନ ବେଳେ ଚତୁର୍ଭୁଜ ଦରଶନ କଲା ।

ଭକ୍ତିରେ ପ୍ରହଲାଦ ଯେ ପ୍ରଭୁଙ୍କ ପାଇଲା

ଅନ୍ତକାଳେ ସ୍ୱରଗରେ ଇନ୍ଦ୍ର ସେ ହୋଇଲା ।

ସାତ ବରଷ ବାଳକ ଧ୍ରୁବ ନାମେ ଥିଲା

ଭକ୍ତି କରି ଧ୍ରୁବମଣ୍ଡଳରେ ସେ ବସିଲା ।

ସର୍ବେ ହାରିଗଲେ ଭକ୍ତ ଉଦ୍ଧବ ଜିଣିଲା

ତୁଳସୀ ପତର ଆଣି ସମାନ କରିଲା ।

ଏହିପରି ଜ୍ଞାନ ବୁଝାଅନ୍ତେ ଋଷିବର

ସତ୍ୟଭାମା ପଡ଼ିଲେକ ପ୍ରଭୁଙ୍କ ପୟର ।

ନ ଜାଣିଣ ମାୟା ତବ ଗର୍ବ କରି ମୁହିଁ

ନିଜ ହାତେ ପରାଭବ ଗଲିଣି ଯେ ପାଇ ।

ଏ ଦାସୀର ଅପରାଧ କ୍ଷମ ପ୍ରାଣେଶ୍ଵର

ନ ଜାଣଇ କିଛି ମାତ୍ର ମୁଁ ଯେ ନାରୀ ଛାର ।

ଯୌବନ ମଦରେ ଅହଙ୍କାରେ ଭୋଳ ହୋଇ

ପବନ ବାନ୍ଧିବା ପାଇଁ ଥିଲି ମୁହିଁ ଚାହିଁ ।

କିନ୍ତୁ ଏତେକ ଚରଣେ ଭିକ୍ଷା ଏ ଦାସୀର

ଯୁଗେ ଯୁଗେ ନ କରିବ ପାଶରୁ ଅନ୍ତର ।

ଉଠାଇ ସତ୍ୟଭାମାକୁ କୋଳେ ଧରି ହରି

କେତେ ଦଣ୍ଡ ପାଇଲାଣି ମୋ ପ୍ରାଣ ସୁନ୍ଦରୀ ।

ଶୁଣ ଆରେ ପ୍ରିୟସହୀ କହୁଅଛି ମୁହିଁ

ତୁମ୍ଭେ ସର୍ବନାରୀ ମୋର ଅଟ ସ୍ନେହମୟୀ ।

ସମସ୍ତେ ଲକ୍ଷ୍ମୀ ଅଂଶରେ ଅଛ ଅବତରି

ମୋ ନିମନ୍ତେ ଯୁଗେ ଯୁଗେ ଥାଅ ଅବତରି ।

ବୈକୁଣ୍ଠକୁ ଗଲେ ସଦା ମୋର ପାଶେ ଥାଅ

କ୍ଷୀରନୀର ପରି ମୋର ଅଙ୍ଗେ ମିଶିଯାଅ ।

ବହୁତ ପ୍ରକାରେ ସର୍ବ ନାରୀଙ୍କୁ ବୁଝାଇ

ସତ୍ୟଭାମା ହସ୍ତ ଧରି ନେଲେ ଭାବଗ୍ରାହୀ ।

ରକ୍ତାଧୀନ ଭଗବାନ ଅଟଇ ସଂସାର

ଭକ୍ତର ନିମନ୍ତେ ମର୍ତ୍ତ୍ୟେ ତାଙ୍କ ଅବତାର ।

ତୁଳସୀ ମାହାତ୍ମ୍ୟ ଏଠି ହୋଇଲାକ ଶେଷ

ଅଧମ କ୍ଷେତ୍ରମୋହନେ ଦିଅ ପ୍ରଭୁ ଦାସ ।

ଇତି ଶ୍ରୀ ତୁଳସୀ ମାହାତ୍ମ୍ୟ ସତ୍ୟଭାମା

ଦର୍ପ ଗଞ୍ଜନ ଓ ଭକ୍ତ ଭଗବାନ

ସଦାଜୟେ ସମ୍ପୂର୍ଣ୍ଣେ ।

 

Unknown

ସୁଦାମା ଦାରିଦ୍ର୍ୟ ଭଞ୍ଜନ ଓ ଭକ୍ତର ଭଗବାନ

ଶୁଣ କଳିଯୁଗ ନର ଅପୂର୍ବ ଚରିତ

ହରି ନାମ ଗୋଟି ଅଟେ ସଂସାରେ ପବିତ୍ର ।

ଅମୃତ ସମାନ ସ୍ୱାଦୁ ଗୁଣ ଅଟେ ତାର

ପାନକରି ସର୍ବ ନର ହୋଇବ ଉଦ୍ଧାର ।

ଯେତେବେଳେ ପିଣ୍ଡୁ ପ୍ରାଣପକ୍ଷୀ ଉଡ଼ିଯିବ

ଭାଇବନ୍ଧୁ କୁଟୁମ୍ବ କେ ସଙ୍ଗରେ ନ ଥିବ ।

ଆରପାରିର ଅଗନାଅଗନି ବନସ୍ତରେ

ବିକଳେ ଡାକିବେ କେ ନ ଶୁଣିବେ କର୍ଣ୍ଣରେ ।

ଯେବେ ଆଗୁ ନାମ ଗୋଟି କରିବ ସଞ୍ଚୟ

ସେତେବେଳେ ସଙ୍ଗେତୋର ଯିବେ ଦୟାମୟ ।

ସେଥି ନେଇ ମୁଖେ ସଦା ଅଭ୍ୟାସ ତୁ କର

ଜୀବ ଗଲାବେଳେ ଯେହ୍ନେ ମନ ଥାଏ ତୋର

ଭକ୍ତର ଅଧୀନ ଯହୁଁ ଅଟେ ଭଗବାନ

ସତ୍ୟଭାମା ରୁକ୍ମିଣୀର ଦର୍ପକଲେ ଚୂର୍ଣ୍ଣ ।

ଶୁଣିଲ ଚ ଏତେ ଦ୍ରବ୍ୟ ସମାନ ନୋହିଲା

ଭକ୍ତ ଉଦ୍ଧବ ତୁଳସୀ ପତ୍ର ସମ ହେଲା ।

ଆହୁରି ମଧ୍ୟ ନାରୀଙ୍କୁ ଶିକ୍ଷା ଦେବାପାଇଁ

ଭକ୍ତ ବଡ଼ ବୋଲି ପ୍ରଭୁ ଦେବେ ଯେ ଚିହ୍ନାଇ ।

ସେ କଥା ଗୋଟି ମୁହିଁ ଦେଉଛି ବୁଝାଇ

କର୍ଣ୍ଣ ଡେରି ଶୁଣ ଚିତ୍ତ ସ୍ଥିର କରି ରହି ।

ସୁଦାମା ପଣ୍ଡା ବୋଲିଣ ଏକଇ ବ୍ରାହ୍ମଣ

ର୍ସବଦା କରଇ ସେହୁ ଶ୍ରୀକୃଷ୍ଣ ସ୍ମରଣ ।

କୃଷ୍ଣ ନାମ ବିନୁ ସ୍ୱପ୍ନେ ଆନ ନ ଜାଣଇ

ହରି ପ୍ରେମେ ଦିବା ରାତ୍ର ପାଗଳ ହୁଅଇ ।

ନାହିଁ ବୃତ୍ତିବାଡ଼ି ନାହିଁ ତା ଧନ ଭଣ୍ଡାର

କୁଡ଼ିଆ ଖଣ୍ଡିଏ ମାତ୍ର ସମ୍ବଳ ତାହାର ।

କୁଟୁମ୍ବ ମଧ୍ୟରେ ଥାନ୍ତି ସ୍ୱାମୀ ସ୍ତିରୀ ଦୁଇ

ନୀତି ଭିକ୍ଷା ମାଗି ଦୁଃଖେ କୁଟୁମ୍ବ ଚଳାଇ ।

ଚିରାଲୁଗା ଖଣ୍ଡେ ସାତଗଣ୍ଠି ଅଛି ପଡ଼ି

ସିଆଁ ଗାମୁଛା ଖଣ୍ଡିଏ ତାହାର ଉତ୍ତରୀ ।

ପ୍ରତିଦିନ ଗାଆଁ ଗଣ୍ଡା ବୁଲି ଦ୍ୱିଜବର

ମାଗିଯାଚି ଯାହା ଆଣେ କରନ୍ତି ଆହାର ।

ଆଗ ବିଷ୍ଣୁଙ୍କୁ ନ ଦେଲେ ପତି ପତ୍ନୀ ଦୁଇ

ଅନ୍ନ ଜଳ ପରିଯନ୍ତେ ନ ଛୁଅନ୍ତି କେହି ।

ଶାଳଗ୍ରାମ ଶିଳା ଏକ ଗୃହେ ରଖିଥାନ୍ତି

ଯାହା ଭଲମନ୍ଦ ଦ୍ରବ୍ୟ ନୈବେଦ୍ୟ କରନ୍ତି ।

ନୈବେଦ୍ୟ ପାରିଲେ ଦୁହେଁ କରନ୍ତି ଭୋଜନ

ତାହାର ଭାରିଯା ନାମ ସୁମତି ଯେ ଜାଣ ।

ରତି ପତିପରାୟଣା ସେ ନାରୀ ଅଟଇ

ପତି ତା ଜୀବନରେ ଆନ ନ ଜାଣଇ ।

ଅତି ଦୁଃଖେ ଦୁଃଖୀ ହୁଏ ପତି ସୁଖେ ସୁଖୀ

ପତିର ଉଚ୍ଛିଷ୍ଟ ବିନା ଅନ୍ୟ ସେ ନ ଭକ୍ଷି ।

ସ୍ୱାମୀ ସେବା ଜୀବନରେ ବ୍ରତ ଅଟେ ତାର

ସ୍ଵାମୀ ବିନୁ ଜୀବନରେ ନାହିଁ ପ୍ରତିକାର ।

ସୁଦାମା ମୁଖ ଶୁଖିଲା ଦେଖିଲେ ବ୍ରାହ୍ମଣୀ

ଦୁଃଖେ ତାର ପେଟକୁ ନ ଯାଏ ଅନ୍ନପାଣି ।

ଯେତେ ହରାଇଣ ପଛେ ହେଉ ସୁଦାମାର

ସୁମତି ମୁଖ ଦେଖିଲେ ସବୁ ହୁଏ ଦୂର ।

ସନ୍ଧ୍ୟାବେଳେ ପତି ପତ୍ନୀ ଏକସଙ୍ଗେ ବସି

ଗୀତା ପଠନ କରନ୍ତି ମନେ ହୋଇ ଖୁସି ।

ପୁଷ୍ପଗୁନ୍ଥି ସୁମତି ଯେ ନିତି ହାର କରି

ଶ୍ରଦ୍ଧାରେ ଶ୍ରୀକୃଷ୍ଣ ଗଳେ ମଣ୍ଡଇ ସୁନ୍ଦରୀ ।

ଗ୍ରାମ ପଡ଼ୋଶୀ ସମ୍ପଦେ ନ ହୁଏ ଆତୁର

ନିଜ ଦୁଃଖ ପ୍ରକାଶ ନକରେ ତା ଆଗର ।

ଜୀବନରେ ଯେତେ କଷ୍ଟ ଭୋଗ ସେ କରନ୍ତି

ଶ୍ରୀକୃଷ୍ଣଙ୍କ ପାଦତଳେ ସମସ୍ତ ଜଣାନ୍ତି ।

ପିଲାଦିନେ କୃ୍ଷ୍ଣ ବିଦ୍ୟା ପଢିବା ବେଳରେ

ମଇତ୍ର ହୋଇଣ ଥିଲେ ସୁଦାମା ସଙ୍ଗରେ ।

ପ୍ରତିଦିନ ସନ୍ଧ୍ୟାବେଳେ ପ୍ରଭୁ ଚକ୍ରଧର

ବୁଲି ଯାଉଥିଲେ ନିତି ପଣ୍ଡାଙ୍କର ଘର ।

ଶ୍ରଦ୍ଧାରେ ସୁମତି ଯାହା ଦିଏ କୃଷଙ୍କରେ

ଆନନ୍ଦେ ଭୋଜନ ପ୍ରଭୁ କରନ୍ତି ତା ଘରେ ।

ଦିନେ ମଇତ୍ରକୁ ନ ଦେଖିଲେ ଚକ୍ରଧର

ପାଗଳ ହୋଇଣ ଧାଉଁଥିଲେ ତାଙ୍କ ଘର ।

ବିଦ୍ୟା ସାରି ଯେଉଁ ଦିନ ଗଲେ ପ୍ରଭୁ ଘର

ବହୁତ କାନ୍ଦିଲେ ସୁମତି ଓ ମଇତ୍ରର ।

ସଙ୍ଗାତୁଣୀକୁ ବୁଝାଇ କହିଥିଲେ ହରି

ମଇତ୍ରକୁ ପେଶିବ ଯେ ପାଶକୁ ମୋହରି ।

ସେହି ଦିନୁ ଦୁଃଖରେ ଯେ ଦୁହେଁ ଚଳୁଥାନ୍ତି

ଓଳିଏ ଖାଇଲେ ଦିନେ ଉପାସ ରୁହନ୍ତି ।

କର୍ମକୁ ଆଦରି ଚଳୁଥାନ୍ତି ଦୁଃଖଭରେ

ସମସ୍ତ ଭରସା ରଖି ଶ୍ରୀକୃଷ୍ଣ ପାଦରେ ।

ଦିନେ ବ୍ରାହ୍ମଣକୁ ଡାକି ବ୍ରାହ୍ମଣୀ କହଇ

ତୁମରି ମଇତ୍ର ପରା ଦ୍ୱାରକାର ସାଇଁ ।

ରାଜା ହୋଇଛନ୍ତି ଦ୍ୱାରକାରେ ଚକ୍ରଧର

ବିଭା ହୋଇ ମହାସୁଖେ ଚଳନ୍ତି ଶ୍ରୀଧର ।

ଏପରି ଦୁଃଖରେ ଆମେ ସଦା ଚଳୁଥାଇ

ଗଲେ ମଇତ୍ର ତୁମ୍ଭଙ୍କୁ କିଛି ଦ୍ୟନ୍ତେ ନାହିଁ ।

ସବୁଦିନେ ବୁଲି ବୁଲି ହାଲିଆ ହେଉଚ

ଯାହା ଭିଆଉଛ ତାହା ହେଉଛି ଖରଚ ।

ଗଲେ ଅବଶ୍ୟ ମଇତ୍ର ଆମ୍ଭ ଦୁଃଖ ଦେଖି

କିଛି ଧନ ଦେଲେ ଆମ୍ଭେ ହୋଇଯାନ୍ତେ ସୁଖୀ ।

ସେପରି ଲୋକ ନୁହନ୍ତି ମଇତ୍ର ତୁମ୍ଭର

ଦେଖିଲେ ତୁମ୍ଭଙ୍କୁ ସେ କରିବେ ଅତ୍ୟାଦାର

ବ୍ରାହ୍ମଣ ବୋଲଇ ସୁମୀ ହୋଇଲୁକି ବାଇ

ସେତେବେଳର ମଇତ୍ର ବର୍ତ୍ତମାନ ନାହିଁ ।

ପାଠ ପଢୁଥିଲା ବୋଲି ସିନା ଖୋଜୁଥିଲା

ପିଲାବେଳ କଥା ମନେ କିମ୍ବା ରହୁଥିଲା ।

ଏବେ ସେ ଯେ ଦ୍ୱାରକାରେ ଅଟଇ ରାଜନ

ମୁଁ ଯେ ଅବନ୍ତୀ ନଗର ଭିକାରୀ ବ୍ରାହ୍ମଣ ।

ଯାକୁ ସବୁବେଳେ ମହାରାଜାଙ୍କ ସଙ୍ଗର

ସମୟ ନ ମିଳେ କରିବାକୁ ଦରକାର ।

ୟେ ତ ରାଜା ଆସୁଛନ୍ତି ଦରଶନ ପାଇଁ

ଅନେକ ଦିନରେ ତାଙ୍କ ସାକ୍ଷାତ ମିଳଇ ।

ମୋ ପରି ମେଳେଛକୁ ସେ ଚିହ୍ନିବେ କିପରି

ଦେଖିଲେ ଧକ୍କା ମାରିବେ ଦାଣ୍ଡରୁ ପ୍ରହରୀ ।

ଗଲେ ସିନା ସାର ହେବ ଅପମାନ ମୋର

ଆଉ ବା କାହୁଁ ପାଇବା ମଇତ୍ର ପୟର ।

ପ୍ରାଣ ପଛେ ଯିବ ସୁମୀ ତାହା ନ କରିବି

ବୃଥା ଯାଇ ମଇତ୍ରକୁ ସିନା କଷ୍ଟ ଦେବି ।

ଦେଖିଣଲୋକେ ବୋଲିବେ କେଡ଼େ ଲୋକଙ୍କର

ମଇତ୍ର ଡାକି ଇଜ୍ଜତ ସାରିଛି ଏ ଛାର ।

ଯେ ପୁଚ୍ଛିବେ ଏ ବ୍ରାହ୍ମଣ କି ହୁଏ ତୁମ୍ଭର

ନିଶ୍ଚେ ମଇତ୍ର ବୋଲିବେ ଏ ମାଗନ୍ତା ଛାର ।

ସୁଦାମା ନିରାଶ କଥା ସୁମତି ଯେ ଶୁଣି

କରଧରି ବୋଲେ ସ୍ୱାମୀ ନ କୁହ ଏ ବାଣୀ

ଭଲକରି ତାହାଙ୍କୁ ମୁଁ ଚିହ୍ନିଛି ହେ ନାଥ

ଭିତର ବାହାର ତାଙ୍କ ଅଟଇ ପବିତ୍ର ।

ଯେତେ ବଡ଼ ହେଲେ ମଧ୍ୟ ଗରିବଙ୍କ ପର

ସ୍ନେହ ଶ୍ରଦ୍ଧା ସର୍ବଦା ଯେ ରହିଛି ତାଙ୍କର ।

ବଡ଼ଲୋକ ରାଜାଙ୍କୁ ସେ ଶ୍ରଦ୍ଧା ନ କରନ୍ତି

ଦରିଦ୍ର ତାରେଣ ଦୟାନିଧ ହୋଇଛନ୍ତି ।

ଥରେ ମୋର ଅନୁରୋଧ ରକ୍ଷାକରି ଯାଅ

ଦେଖି ଆସ ଭଲ ମନ୍ଦ ମଇତ୍ରଙ୍କ ଦେହ ।

ଯେବେ ମଇତ୍ର ତୁମଙ୍କୁ ନ କରି ଖାତର

ଦେବେ ଅପମାନ ଫେରି ଆସିବ ହେ ଘର ।

ସୁମତି ବିନୟ ଯହୁଁ ବହୁତ ହୋଇଲା

ଯିବା ପାଇଁ ସୁଦାମ ଯେ ସମ୍ମତ କରିଲା ।

ଆଲୋ ସୁମୀ ଏହିପରି ଲୁଗା ପିନ୍ଧିକରି

ଗଲେ କି ବୋଲିବେ ଲୋକ କହ ତୁ ବିଚାରି ।

ବ୍ରାହ୍ମଣୀ ବୋଲଇ ସ୍ୱାମୀ ଚିନ୍ତା ଯେ ନ କର

ସେ ଦାୟିତ୍ୱ ରହିଲା ହୋ ମୋହର ଉପର ।

ଚଉତି କରି ସାଇତି ରଖିଛି ମୁଁ ଖଦୀ

ପିନ୍ଧିକରି ଯିବ ତୁମ୍ଭେ କିମ୍ପା ହୁଅ ଧନ୍ଦି ।

ହଉ ଲୁଗା ହେଲା ସିନା ପିନ୍ଧି ଯିବି ମୁହିଁ

ଖାଲି ହାତେ ବନ୍ଧୁ ଘର କିପରି ଯିବଇଁ ।

କିଛି ସିନା ମଇତ୍ର ନ ବୋଲିବେ ମୁଖର

ମନେ ମନେ କି ଭାବିବେ ପ୍ରଭୁ ଚକ୍ରଧର ।

ସୁମତି ବୋଲେ ସେ ନିମନ୍ତେ ଚିନ୍ତା ନ କର

ଭଲ ଖୁଦ ସାଇତି ମୁଁ ରଖିଛି ବଢାର ।

ବାଲି ଭାଜିକରି ବାନ୍ଧି ଦେଉଅଛି ମୁହିଁ

ଯାଉଁଳି ପକାଇ କାନ୍ଧେ ନିଅ ମିତ ପାଇଁ ।

ବ୍ରାହ୍ମଣ ବୋଲଇ ଅସମ୍ଭବ କଥା ତୁହି

କହୁଛୁ ମନକୁ ମୋର ଜମା ପାଉ ନାହିଁ ।

ନିତି କ୍ଷୀରିପୁରି ରସାବଳି ସରପୁଳି

ନ ରୁଚେ ଯାହାକୁ ପୁଣି ତୋ ଖୁଦବୁଜୁଳି ।

ଦେଖିଲେ ପାଶରେଥିବା ଲୋକ କି ବୋଲିବେ

ଅମଣିଷ ବୋଲି ମୋତେ ଗଣନା କରିବେ ।

ସୁମତି ବୋଲଇ ନାଥ ଥିବାବେଳେ ଏଥି

ମୋ ହାତ ଖୁଦଭଜାକୁ ସେ ଭଲପାଆନ୍ତି ।

ଦିନେ ଖୁଦଭଜା ତାଙ୍କୁ ନ ଥିଲି ମୁଁ ଦେଇ

ତିନିଦିନ ମଇତ୍ର କଥା କହିଲେ ନାହିଁ ।

ତା ପରେ ଯହୁଁ ତାହାଙ୍କୁ ଖୁଦଭଜା ଦେଲି

ମଧୁର କଥା ତାହାଙ୍କୁ ମୁଖରୁ ଶୁଣିଲି ।

ଶୁଣି ବ୍ରାହ୍ମଣ ବୋଲଇ ଯାହା ଇଚ୍ଛା ତୋର

କର ତହିଁରେ ଆପତ୍ତି ତିଳେ ନାହିଁ ମୋର ।

କିନ୍ତୁ ସୁମୀ ଯେବେ ଅପମାନ ମୁଁ ପାଇବି

ଆଉ ଅବନ୍ତୀ ନଗ୍ରକୁ ଫେରି ନ ଆସିବି ।

ସୁମତି ବୋଲଇ ହେଲା ତାହା ମୁଁ ମାନୁଛି

ସ୍ନାନ ସାର ବୋଲି ଭଜା ଖୁଦ ମୁଁ କରୁଛି ।

ସ୍ନାନାଦି କର୍ମ ସାରିଣ ସୁଦାମା ବ୍ରାହ୍ମଣ

ଆନନ୍ଦରେ ଶାଳଗ୍ରାମ ପୂଜେ ସେ ତକ୍ଷଣ ।

ପେଡ଼ିଲେ ସୁମତି ରଖିଥିଲା ଖଦୀ ଏକ

ବ୍ରାହ୍ମଣଙ୍କୁ ବୋଲେ କେଡ଼େ ସୁନ୍ଦର ଏ ଦେଖ ।

ଯତନେ ପିନ୍ଧି ତାହାକୁ ବୋଲେ ଦ୍ୱିଜବର

ଉତ୍ତରୀ ଗୋଟିଏ ଲୋନା ଅଟଇ ୟାପର ।

ବ୍ରାହ୍ମଣୀ ବୋଲଇ ଗାମୁଛାକୁ ଭଲକରି

ସିଝାଇ ଖରାରେ ଦେଇଅଛି ସଫାକରି ।

ସେଇଥିରେ ଖୁଦ ଯତ୍ନେ ବାନ୍ଧିଅଛି ମୁହିଁ

କାନ୍ଧରେ ପକାଇ ନାଥ ଯାଅ ହେ ପଳାଇ

ନିଜେ ଉପାସ ରହିଣ ବ୍ରାହ୍ମଣର ନାରୀ

ଆନନ୍ଦରେ ସୁଦାମାକୁ ଖୋଇ ଯତ୍ନକରି ।

ଆଜି ବ୍ରାହ୍ମଣୀର ଗୋଡ଼ ତଳେ ନ ଲାଗଇ

ମଇତ୍ର ଘରକୁ ତାର ସ୍ଵାମୀ ଯାଉଛଇଁ ।

ଆବର ଯେ ମଲ୍ଲୀଫୁଲ ତା ବାଡ଼ିରେ ଥିଲା

ଯତନେ ମଇତ୍ର ପାଇଁ ଗଜରା ଗୁନ୍ଥିଲା ।

ସ୍ବାମୀଙ୍କୁ କହଇ ମିତ ଭାରି ଫୁଲ ରଙ୍କ

ଥିଲାବେଳେ ଫୁଲ ଦିଏ ହୁଅନ୍ତି ସଉକ ।

ଦେଖ ପାଠକେ କିପରି ନିର୍ମଳ ତା ମନ

କେତେ ଭକତିରେ ବାନ୍ଧିଅଛି ଭଗବାନ ।

ସାମାନ୍ୟ ଖୁଦ ବୋଲିତ ସେ ଯେ ଭାବୁ ନାହିଁ

ଅମୃତଠାରୁ ଅଧିକ ତାହାକୁ ମଣଇଁ ।

ଯାକୁ ସରପୁରୀମାନ ଅରୁଚି ହୁଅଇ

ସେ ପୁଣି ଖୁଦ ଭଜାର ସକାଶେ ରୁଷଇ ।

ଭକ୍ତର ଅଧୀନ ଦେଖ କିପରି ଶ୍ରୀହରି

ଧନ୍ୟ ଲୋ ସୁମତି ଧନ୍ୟ ଅଟୁ ତୁହି ନାରୀ ।

ଯେତେବେଳେ ପଥ ମଧ୍ୟେ ସୁଦାମା ଚଳଇ

ମନମଧ୍ୟେ ପଣ୍ଡା ବଡ଼ ଲଜ୍ଜିତ ହୁଅଇ ।

ସତେ କ‘ଣ ପ୍ରଭୁ ମୋତେ ଆଦର କରିବେ

ସତେ କି ମଇତ୍ର ବୋଲି ମୋତେ ସେ ଚିହ୍ନିବେ

କେତେ କେତେ ରାଣୀ ପାଦେ ସେବା କରୁଥିବେ

ଏ ଗରିବ ବ୍ରାହ୍ମଣଙ୍କୁ ଖାତିରି କରିବେ ।

କାହିଁକି ସୁମତି କଥା ଭାଙ୍ଗି ମୁଁ ନ ପାରି

ଆସିଲି ସିନା ମନ ହେଉଅଛି ଘାରି ।

କଥାରେ କହନ୍ତି ସମାସ୍କନ୍ଧ ବନ୍ଧୁ ହେଲେ

ଖାତର ବଢଇ ସିନ ଦୁହିଁଙ୍କର ତୁଲେ ।

କେତେ ପାଟପୀତାମ୍ବରୀ ଫିଙ୍ଗା ହେଉଥିବ

ମୋ ଭେକ ଦେଖିଲେ ତାଙ୍କ ମନ ଦୁଃଖ ହେବ

ହଉ ଦୟାମୟ ପ୍ରଭୁ ତୁମ୍ଭର ବିଚାର

ତାର ବିନେ ସଂସାରେ କେହି ନାହିଁ ମୋର ।

ଭିକ୍ଷାମାଗି ଦୁଃଖ କଷ୍ଟେ ଚଳୁଥିଲି ମୁହିଁ

କିଆଁ ତୋର ଦରଶନେ ନେଉ ଭାବଗ୍ରାହୀ ।

ଏତେ କହି ନୟନରୁ ବହେ ନୀର ଧାର

ଖୁଦ କାନ୍ଧରେ ପକାଇ ଚାଲେ ବିପ୍ରବର ।

ଚାଲିଥାଏ ଭାବି ଭାବି ବ୍ରାହ୍ମଣ ମନରେ

ପ୍ରବେଶ ହୋଇଲ ଯାଇ ଏକ ନଦୀତୀରେ ।

କୁଳୁ କୁଳୁ ହୋଇ ଜନ ଯାଉଅଛି ବହି

ଫେଣରେ ଯେ ସାରା ନଦୀ ପୂର୍ଣ୍ଣ ଅଛି ହୋଇ ।

ନକ୍ର ବକଗଣମାନେ ଖଗ ଟେକି ଧୀରେ

ମାଳ ମାଳ ଦେଖାଯାନ୍ତି ଯେ ନଦୀ ମଧ୍ୟରେ ।

ଭରା ନଦୀକୁ ଦେଖିଣ ସୁଦାମା ବ୍ରାହ୍ମଣ

ଭାବେ ଏହିଠାରୁ ଗୃହେ ଯିବି ମୁଁ ଫେରିଣ ।

ଏତେ ଭୟଙ୍କର ନଦୀ କୂଳ ନ ଦିଶଇ

ପାର ହେବା ପାଇଁ ମଧ୍ୟ ନାବ ଖଣ୍ଡେ ନାହିଁ ।

ଯାଉଛି ଏ ଗଛମୂଳେ ଅପେକ୍ଷା କରିବି

ନାବ ନ ପାଇଲେ ସିଧା ଘରେ ଫେରିଯିବି ।

ଏତେ ପାଞ୍ଚି ବୃକ୍ଷ ତଳେ ବସିଲା ବ୍ରାହ୍ମଣ

ଅନେକ ଦୂରରେ ନାବ ବାହେ ଏକଜଣ ।

ଚାହୁଁ ଚାହୁଁ କ୍ଷଣକରେ ସୁଦାମା ପାଶରେ

ନାବ ଏକ ଘେନି ଜଣେ ମିଳିଲା ସତ୍ୱରେ ।

ଅଳ୍ପ ବୟସ ନାଉରୀ ଦେହ କଳାବର୍ଣ୍ଣ

ନାବ ସଙ୍ଗେ କାତ ହସ୍ତେ ସେ ଯେ ବିଦ୍ୟମାନ

ଗଛମୂଳେ ସୁଦାମାକୁ ଦେଖିଣ ଡାକଇ

କେଣିକି ଯିବ ନାବକୁ ଆସ ହେ ଗୋସାଇଁ ।

ବ୍ରାହ୍ମଣ ବୋଇଲେ ବାପ ଦ୍ୱାରକା ମୁଁ ଯିବି

ବହୁଦିନେ ମଇତ୍ରକୁ ଦର୍ଶନ କରିବି ।

ନାଉରୀ ବୋଲେ ମଇତ୍ର କେ ଅଟେ ତୁମ୍ଭର

ଦୟାକରି ପରିଚୟ ଦିଅ ଦ୍ବିଜବର ।

ଦ୍ଵାରକା ଠାକୁର ତାଙ୍କ ନାମ ଚକ୍ରଧର

ସେହି ଯେ ପିଲା ଦିନର ମଇତ୍ର ମୋହର ।

ଆସ ଆସ ନାବ ପରେ ଡାକଇ ନାଉରୀ

ଯଦୁପତିଙ୍କର ବନ୍ଧୁ ତୁମ୍ଭେ କେଉଁପରି ।

ରାଜା ମହାରାଜାମାନେ ବାନ୍ଧବ ତାଙ୍କର

ତୁମ୍ଭେ ତ ଦିଶୁଛ ମଳିମୁଣ୍ଡିଆ ମାତର

ପସନ୍ଦ କରିବେ ନାହିଁ ଶ୍ରୀକୃଷ୍ଣ ସୁମରି

ବୃଥାଟାରେ ଯାଅସିନା ଆସିବ ହେ ଫେରି ।

ସୁଦାମା ଭାବଇ ମନେ ଚାହିଁଚାହିଁ ସାର

ଛାର ନାଉରୀଟା ମୋତେ କରୁଛି ଧିକାର ।

ଏତେ ଭାବି ନାରାୟଣ ମନକୁ ସୁମରି

ତରୀ ଉପରେ ବ୍ରାହ୍ମଣ ବସେ ଯାଇ ଥିରି ।

ନାଉରୀ ବୋଲଇ ଘାଟ ମହାସୁଲ ଦିଅ

ପାରହୋଇ ଯେଣେଇଛା ତେଣେତୁମ୍ଭେଯାଅ

ପଇସାର କଥା ଶୁଣି ବ୍ରାହ୍ମଣ ଥରଇ

ଅତି ବିକଳ ହୋଇଣ ନାଉରୀକୁ କହି ।

ଗରିବ ବ୍ରାହ୍ମଣ ଭିକ୍ଷା ଅଟେ ମୋ ସମ୍ବଳ

କଲ୍ୟାଣ କରିବି ପ୍ରଭୁ ଦେବେ ତୋତେ ଫଳ ।

ଥାଉ ଥାଉ ବାହାଦୂରୀ ଦେଖାନା ଗୋସାଇଁ

କଲ୍ୟାଣ ନେଇକି ପିଲାପିଲି ଖୋଇବଇଁ ।

ପଇସା ତ ନେଲେ ମୋର କୁଟୁମ୍ବ ପାଳିବି

କଲ୍ୟାଣ ନେଇକି ଘରେ ସାଇତି ଥୋଇବି ।

ବିପ୍ର ବୋଲେ ବାପ କପର୍ଦ୍ଦିକ ପାଶେ ନାହିଁ

ଏହିଠାରୁ ଗୃହେ ଫେରି ଯାଉଅଛି ମୁହିଁ ।

ହଉ ହଉ ବସ ନନା ହେବ ଯେବେ ପାର

ଫେରିଲା ବେଳେ ପଇସା ଦେଇଯିବ ମୋର

ସୁଦାମା ବୋଲଇ ନିଶ୍ଚେ ମଇତ୍ରକୁ କହି

ତୋ ପାଇଁ କିଛି ପଇସା ମୁହିଁ ଆଣିବଇଁ ।

ନାଉରୀ ବୋଲଇ ନନା ଭଙ୍ଗା ନାହା ମୋର

ଜବର ହୋଇଣ ତୁମ୍ଭେ ବସ ହୁସିଆର ।

ଯଦି ଟିକେ ମାତ୍ର ହଲ ଚହଲ ହୋଇବ

ନିଶ୍ଚୟ ମଝି ନଦୀରେ ନାବ ବୁଡ଼ିଯିବ ।

ଏହି ନଉକାରେ ମୁହିଁ ସଭିଙ୍କୁ ବସାଇ

ଯିଏ ହଲ ଚଲ ହୁଏ ମଝିରେ ଡୁବଇ ।

ଏକଧ୍ୟାନେ କରି ବସେ ଯେ ଜବର ହୋଇ

ନିର୍ବିଘ୍ନରେ ନଦୀ ଗୋଟି ଯାଏ ପାରହୋଇ ।

ସୁଦାମା ବୋଲଇ ବାପ ଚିନ୍ତା ତୁ ନ କର

ଆମ୍ଭଙ୍କୁ ପାର କରିବେ ବ୍ରାହ୍ମଣ ଠାକୁର ।

ନାହା ମଝିରେ ବସିଲା ବ୍ରାହ୍ମଣ ଗୋସାଇଁ

ନାବ ଗୋଟି ଚାଳିଦେଲା ଯୁବକ ତରାଇ ।

ତରାଇକି ପୁଚ୍ଛେ ବିପ୍ର କି ନାମ ତୋହର

କେଉଁଠାରେ ଘର ପିତା ନାମ କିସ ତୋର ।

ମୋହର ନାମ କାହ୍ନୁଆ ଜାତିରେ ତରାଇ

ପିତା ବସୁ ଧର୍ମବାପ ନନ୍ଦିଆ ଅଟଇ ।

ଘର ମୋର ନାହିଁ ନଦୀପଠାରେ ପଡ଼ିଛି

ଅସମସ୍ତେ ଯେ ଡାକଇ ପାରି ଯେ କରୁଛି ।

ସାମାନ୍ୟ ନାଉରୀ ହୋଇ ବହୁକର୍ମ କରୁ

ସଦାସର୍ବଦା ତୁ ନାବ ଗୋଟି ପାରିକରୁ ।

ଏହିପରି କଥାବାର୍ତ୍ତା ହେବା ସମୟରେ

ପ୍ରବଳ ଲହରୀ ହେଲା ଯେ ନଦୀ ମଝିରେ ।

ନାଉରୀ ବୋଇଲଶ ନନା ସରିଲା ସଂସାର

ପାଣି ପଶି ନିଶ୍ଚେ ଡଙ୍ଗା ବୁଡ଼ିବ ମୋହର ।

ବ୍ରାହ୍ମଣ ବୋଲଇ ପାପଚିନ୍ତା ତୁ ନ କର

ଡାକୁଛି ପ୍ରଭୁଙ୍କୁ ମୁହିଁ କରିବେ ଉଦ୍ଧାର ।

ହରି ହରି ବୋଲି ଉଚ୍ଚେ ସୁଦାମା ଡାକଇ

ନାଉରୀ ଟୋକା ନାବକୁ ସଳଖି ଧରଇ ।

ଧନ୍ୟ ଧନ୍ୟ ଧନ୍ୟ ନନା ସାହସ ତୁମ୍ଭର

ହରିନାମ ଭଜିବାରୁ ଥମିଲା ଲହର ।

ଉଚିତ ଘାଟେ ଯାଇଣ ତରୀଟି ଲାଗିଲା

ସୁଦାମା ଡଙ୍ଗାରୁ ଉଠି ଉପରକୁ ଗଲା ।

ନାଉରୀ ବୋଲଇ ନନା ମନ ରଖିଥିବ

ଆସିଲେ ତଲାସ କରି ମୋ ପାଉଣା ଦେବ ।

ନିଶ୍ଚୟ ନିଶ୍ଚୟ ବୋଲି କହି ଦ୍ୱିଜବର

କଲ୍ୟାଣ କରି ଚଳଇ ସ୍ମରି ଚକ୍ରଧର ।

ଯାଆନ୍ତେ ଥୋକାଏ ଦୂର ସୁଦାମା ବ୍ରାହ୍ମଣ

ଆଗରେ ଦିଶିଲା ଏକ ପ୍ରକାଣ୍ଡ ଯେ ବଣ ।

କାଉ କୋଇଲିର ଜମା ରାବ ଶୁଭୁ ନାହିଁ

ମନୁଷ୍ୟ କିପରି ଥିବେ ସେ ସ୍ଥାନରେ ରହି ।

ପ୍ରଭୁଙ୍କ ଅନ୍ତର ମଧ୍ୟେ ଡାକି ଦ୍ୱିଜବର

ପଶିଲା ବନ ମଧ୍ୟରେ ନ କରି ଖାତର ।

ଥୋକାଏ ପଥ ମାତର ଯାଆନ୍ତେ ବ୍ରାହ୍ମଣ

ଧରିଲେ ତାହାଙ୍କୁ ଆସି ଦସ୍ୟୁ ତିନିଜଣ ।

କଳା ମଚ ମଚ ଦୀର୍ଘକାୟ ତାହାଙ୍କର

ବଳିଷ୍ଠ ବାହୁ ତାଙ୍କର ଦିଶେ ଭୟଙ୍କର ।

ବୋଇଲେ ରହ ବ୍ରାହ୍ମଣ ଯାଉଅଛୁ କାହିଁ

କଅଣ ନେଉଛୁ ଭଲେ ଦେଇଯାଅ ତୁହି ।

ଭୟେ ଥରି ଥରି ବୋଲେ ସୁଦାମା ଦରିଦ୍ର

କିଛି ନାହିଁ ବୃଥାଟାରେକର କିମ୍ପା ଦ୍ୱନ୍ଦ୍ୱ ।

ଗରିବ ବ୍ରାହ୍ମଣ ମୁହିଁ ଦ୍ୱାରକା ଯାଉଛି

ମଇତ୍ର ମୋହର ସେଠି ରାଜା ହୋଇଅଛି ।

ଶୁଣିଣ ଦସ୍ୟୁ ବୋଲଇ ରାଜବନ୍ଧୁ ତୁହି

ଗରିବ ବୋଲିଣ ମିଥ୍ୟା କହୁଛୁ କିମ୍ପାଇଁ ।

ନିଶ୍ଚୟ ଯେ ମାଲମତା ଥିବ ତୋ ପାଶର

ଫିସାଦି କରିଲେ ପ୍ରାଣ କରିବୁ ସଂହାର ।

ଏତେ କହି ବଳାତ୍କାର କରି ଦସ୍ୟୁଗଣ

କାନ୍ଧର ବୁଜୁଳା ଗୋଟି ନେଲେ ଛଡ଼ାଇଣ ।

ସୁଦାମା ବୋଲଇ ବାପ ବୃଥା ନେଉଅଛ

ଧନଦ୍ରବ୍ୟ ନାହିଁ ମୁହିଁ କହୁ ନାହିଁ ମିଛ ।

ମନମଧ୍ୟେ ଭାବେ ଏତେ ଖୁଦ ଗଲେ ନେଇ

ରିକ୍ତ ହସ୍ତେ କେଉଁ ପରି ମୁହିଁ ହେ ଯିବଇଁ ।

କି ବୋଲିବେ ମୋତେ ମୋର ପରାଣ ଠାକୁର

ବୋଲିବେ ମଇତ୍ର ଜାଣେ ନାହିଁ ଯେ ବେଭାର

ହଉ ଦୟାମୟ ଯାହା ହେଲା ତୋ ବିଚାର

ତହିଁରେ ଅବା ମୋହର ଅଛି କେଉଁ ଚାର

ଏ ଯେ ଦସ୍ୟୁଗଣ ଯଦି ଉଚ୍ଚବାଚ ହେବି

ପ୍ରାଣ ନେଇ ଏ ସ୍ଥାନରୁ ଆଉ ନ ଫେରିବି ।

ମନମଧ୍ୟେ ସୁମରିଣ ଶ୍ରୀବିଷ୍ଣୁ ପୟର

ଧୀରେ ଧୀରେ ଚଳେ ବିପ୍ର ଘୋର ବନସ୍ତର ।

ଏଣେ ଦସ୍ୟୁ ତିନିଜଣ ସେ ବୁଜୁଳା ଫେଇ

ଦେଖିଲ ଧନଦରବ ତା ମଧ୍ୟରେ ନାହିଁ ।

ଖୁଦଭଜା ଦେଖି ଛି ଛି କହି ଫୋପାଡ଼ଇ

ଡାକିଲେ ଆରେ ତୋ ଦ୍ରବ୍ୟ ଯାଅ ତୁହି ନେଇ

ଲାଜ ନାହିଁ ଛାର ଖୁଦଭଜା ଗଣ୍ଡେ ନେଇ

ବନ୍ଧୁଘର ଯାଉ ଏଡ଼େ ନିର୍ଲ୍ଲଜରେ ତୁହି ।

ଶୁଣି ଦସ୍ୟୁଙ୍କ ବଚନ ସୁଦାମା ବ୍ରାହ୍ମଣ

ଗୋଟାଇ ଯାଉଁଳି ଗୋଟି ବାନ୍ଧଇ ଯତ୍ନେଣ ।

କାନ୍ଧେ ପୁଟୁଳେ ପକାଇ ଭାବଇ ମନର

ଛାର ଦସ୍ୟୁଙ୍କର ଯୋଗ୍ୟ ନୁହେଁ ଦ୍ରବ୍ୟ ମୋର

ଯାକୁ ଥୁଥୁ କରି ଚୋର ଦେଲେ ଫୋପଡ଼ାଇ

ଜଗତକର୍ତ୍ତାଙ୍କ ପାଶେ କିପରି ଦେବଇଁ ।

ହେଉ ଦୟାମୟ ପ୍ରଭୁ କରୁଣା ସାଗର

କେଡ଼େ ବିପଦରୁ ମୋତେ କରିଲ ଉଦ୍ଧାର ।

ଏଡ଼େ ବଡ଼ ନଦୀ ମଧ୍ୟେ ନାବ ପାରିକଲ

ଘୋର ବନସ୍ତରୁ ଦସ୍ୟୁ କବଳୁ ରଖିଲ ।

ତୁମ୍ଭଯୋଗୁଁ ସିନା ମୋତେ ଛାଡ଼ିଦେଲେ ସେହି

ନୋହିଲେ ଆଗ ପରାଣ ଯାଇଥାନ୍ତେ ନେଇ ।

ଏତେ ଭାବି ନୟନରୁ ବୁହେ ନୀର ଧାର

ବିଷଣୁ ପଦେ ଚିତ୍ତଦେଇ ଚଳେ ବିପ୍ରବର ।

ତେଣେ ସଭାରୁ ଉଠିଣ ପ୍ରଭୁ ଚକ୍ରଧର

ବୋଇଲଷ ଯାଉଛି ବହୁ କାର୍ଯ୍ୟ ଅଛି ମୋର ।

ସବୁଠାରୁ ଶ୍ରେଷ୍ଠ ବନ୍ଧୁ ମୋର ଆସୁଅଛି

ପଥରେ ତାହାକୁ ବହୁ ବିପଦ ପଡ଼ିଛି ।

ଆଜି ସୁପ୍ରଭାତ ମୋର ଶୁଣ ସଭାଜନ

ପ୍ରିୟବାନ୍ଧବ ସଙ୍ଗରେ ହୋଇବ ମିଳନ ।

ଶୁଣି ସଭାଜନମାନେ ଚକିତ ହୋଇଲେ

ବୋଧେ ସ୍ୱର୍ଗ ଇନ୍ଦ୍ର ରାଜା ଆସିଛି ଭାବିଲେ ।

ନୋହିଲେ ଆସୁଥିବେ ଯେ ଭୀଷ୍ମକ ରାଜନ

କିବା ଗୋପପୁରୁ ଆସିବେ ନନ୍ଦ ରାଜନ ।

ସଭିଙ୍କୁ ବୋଇଲେ ତୁମ୍ଭେ କରିବ ଦର୍ଶନ

ଧନ୍ୟ ହେବ ଯଦୁକୁଳ ଜନଙ୍କ ନୟନ ।

ଏତେ କହି ସଭା ମଧ୍ୟୁ ଉଠିଲେ ଶ୍ରୀଧର

ଛନ ଛନ ମନ ହୃଦ ହୁଅଇ ଆତୁର ।

ଅନ୍ତପୁର ମଧ୍ୟେ ସର୍ବ ନାରୀଗଣ ଥାନ୍ତି

ତାହାଙ୍କୁ ହସି ହସିଣ ବୋଲନ୍ତି ଶ୍ରୀପତି ।

ଆଜି ଜଣେ ବାଲ୍ୟବନ୍ଧୁ ଆସୁଛନ୍ତି ମୋର

ଦଶର୍ନ କରିବ ସର୍ବେ ତାହାଙ୍କର ପୟର ।

ତାଙ୍କ ଅଭ୍ୟର୍ଥନା ଲାଗି ରୁହ ସର୍ବ ବାଳୀ

ଆଜି ମୋ ଜୀବନ ଧନ୍ୟ ହେବ ପ୍ରିୟଆଳୀ ।

ରୁକ୍ମିଣୀ ବୋଲନ୍ତି ପ୍ରଭୁ ଦାସୀର ହୃଦୟ

ହୋଇ ପାରିବକି ଦେଇ ତାଙ୍କ ପରିଚୟ ।

ଶ୍ରୀକୃଷ୍ଣ ବୋଲନ୍ତି ଆଗୋ ଶୁଣ ପ୍ରାଣେଶ୍ଵରୀ

ତୁମ୍ଭଙ୍କୁ କହିବା ଅଟେ ପ୍ରୟୋଜନ ମୋରି

ତୁମ୍ଭେ ସ୍ବୟଂ ଲକ୍ଷ୍ମୀ ମୁହିଁ ଅଟେ ନାରାୟଣ

ଦୁହିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ନାହିଁ ଜାଣ ।

ତେଣୁ ମୋ ବନ୍ଧୁର ତୁମ୍ଭେ କିଛି ଉପକାର

କରିବ ବୋଲିଣ ମୁହିଁ ଭାବଇ ମନର ।

ରୁକ୍ମିଣୀ ବୋଲନ୍ତି ମୋର ସ୍ବାମୀର ଯେ ପ୍ରିୟ

ନିଶ୍ଚୟ ତାହାକୁ ମୁହିଁ ଦେବଇଁ ଅଭୟ ।

ଶ୍ରୀହରି ବୋଇଲେ ଦଣ୍ଡେ ରୁହ ପ୍ରିୟସହୀ

ନିକଟରେ ଆସି ମୋର ମଇତ୍ର ହେବଇଁ ।

ଜଳ ଘଟି ହସ୍ତେ ଧରି ବିଷ୍ଣୁ ପାଟନାରୀ

ମିତ୍ର ପାଦ ଧୋଇବାକୁ ଉଭା ଯେ ସୁନ୍ଦରୀ ।

ଏଣେ ସୁଦାମା ବ୍ରାହ୍ମଣ ଦ୍ୱାରକା ଦାଣ୍ଡର

ଲୋକଙ୍କୁ ପଚାରେ କେହୁ ଶ୍ରୀକୃଷ୍ଣଙ୍କ ପୁର ।

ସରବେ ବୋଲନ୍ତି କେଉଁ କାମ ଅଛି ତୋର

ସୁଦାମା ବୋଲଇ ସେ ଯେ ମଇତ୍ର ମୋହର ।

ଶୁଣିବା ଲୋକମାନେ ଯେ ଅଟ୍ଟହାସ୍ୟ କରି

ବୋଲନ୍ତି ପାଗଳ ହୋଇ କହୁଛି ଏପରି ।

ଏହା କହି କଉତୁକ ବ୍ରାହ୍ମଣ ପଛର

ଦେଖିବା ବୋଲି ଗୋଡ଼ାଇଥାନ୍ତି ବହୁ ନର ।

ଦୂରୁ ଶ୍ରୀହରିଙ୍କ ପୁର ଦେଖିଣ ବ୍ରାହ୍ମଣ

ଖୁଦ ପୁଡ଼ା କାଖ ତଳେ ଲୁଚାଏ ଯତ୍ନେଣ ।

ମନେଭାବେ ହୀରା ନୀଳା ଖଚିତ ଯେ ପୁର

ସତେକି ଦେଖିବି ମୁହିଁ ପ୍ରଭୁଙ୍କ ପୟର ।

ଲଜ୍ୟାରେ ବଦନ ତାର ଯାଉଥାଇ ଜଳି

ସୁମତି ଉପରେ ହୁଏ କ୍ରୋଧ ପରଜ୍ୱଳି ।

ହେଉ ଦୟାମୟ ପ୍ରଭୁ ତୋହର ବିଚାର

ଲୋଡ଼ା ନାହିଁ ଧନରତ୍ନ ଲୋଡ଼ା ତୋ ପୟର ।

ଏହିପରି ମନେ ମନେ ଭାବି ଦ୍ୱିଜବର

ସିଂହଦରଜା ପାଶରେ ହୋଇଲା ହାଜର ।

ଲୁଚିକରି ଜଗନ୍ନାଥ ଛିଡ଼ା ହୋଇଥିଲେ

ମଇତ୍ରଙ୍କ ଭୀତମନ ଯହୁଁ ସେ ଦେଖିଲେ ।

ଭାବିଲେ ମଇତ୍ର ମୋର ମନେ ଭୟକରି

ସାହସ କରି ନ ଆସେ ପାଶକୁ ମୋହରି ।

ବିପ୍ରଙ୍କ ପାଶରେ ଲୋକ ହଜାର ହଜାର

ଦେଖି ହସ ହସ ମନ ହୋଇଣ ଶ୍ରୀଧର ।

ଆସ ଆସ ପ୍ରାଣପ୍ରିୟ ମଇତ୍ର ମୋହର

ଧାଇଁଯାଇ ବିପ୍ରେ କୋଳକଲେ ଚକ୍ରଧର ।

ଅଙ୍ଗ ଅଙ୍ଗ ମିଶାଇଣ ଆଲିଙ୍ଗନ କଲେ

ଏତେ ଦିନେ ମିତ ମନେପଡ଼ିଲା ବୋଇଲେ ।

ରୁକ୍ମିଣୀ ଦେବୀ ଯେ ଦୂରେ ଉଭାହୋଇଥିଲେ

ହସ ହସ ହୋଇ ନୀର ଢାଳି ଶ୍ରୀବିଷ୍ଣୁଙ୍କ ନାରୀ

ଯତନେ ମଇତ୍ର ପାଦ ଧୋଇଲଷ ସୁନ୍ଦରୀ ।

ପଣତେ ପୋଛିଣ ମାତ ପ୍ରଣିପାତ କଲେ

ଦେଖିଣ ସୁଦାମା ମନେ ଲଜ୍ଜିତ ହୋଇଲେ ।

କଣ୍ଟାବଣେ ବୁଲି ଫଟା ପାଦ ଯେ ମୋହର

ପୁଣି ମହାଲକ୍ଷ୍ମୀ ଧୋଉଛନ୍ତି ନିଜ କର ।

ମିତ୍ର ପାଦଧୂଳି ଜଗନ୍ନାଥ କରେ ନେଇ

ଗର୍ଭକୁ କ୍ଷେପିଲେ ସର୍ବେ ଥାଆନ୍ତି ଅନାଇଁ ।

ବିପ୍ରଙ୍କୁ ବୋଲନ୍ତି ଏ ଯେ ମିତଣୀ ତୁମ୍ଭର

ସମସ୍ତଙ୍କଠାରୁ ଶ୍ରେଷ୍ଠ ପାଟରାଣୀ ମୋର ।

ମ୍ଳାନ ହସି ହସି ଲାଜେ ନ କରି ଉତ୍ତର

ମନେ ମନେ ଗଞ୍ଜି ହେଉଥାନ୍ତି ବିପ୍ରବର ।

ଜଗତର ମାତ ଯେହୁଁ ଛାର ପାଦ ଧୋଇ

ପୁଣି ନିଜ ପଣତରେ ପୋଛନ୍ତି ନିଠାଇ ।

ଧନ୍ୟ ଭଗବାନ ଧନ୍ୟ ମହିମା ତୁମ୍ଭର

ଯାହା କହିଲା ସୁମତି ସତ୍ୟ ଅଟେ ଗୀବ ।

ରୁକ୍ମିଣୀ ବୋଲନ୍ତି ମିତ୍ର ମିତାଣୀଙ୍କୁ ମୋର

ଆଣିଥିଲେ ଭାଇ ହୋଇଥାଆନ୍ତି ସଙ୍ଗର ।

ଦୁହେଁ ଆସିଥିଲେ ଦିଶୁ ଥାଆନ୍ତା ସୁନ୍ଦର

ଏକ ଜଟିଆ ହୋଇଲେ ଦିଶେ ଅସୁନ୍ଦର ।

ଦେଖିଣ ଦ୍ୱାରକା ଲୋକେ ତାଟକା ହୁଅନ୍ତି

ଛାର ଲୋକଙ୍କୁ ସେ କେଡ଼େ ଆଦର କରନ୍ତି ।

ଲକ୍ଷ୍ମୀ ନାରାୟଣ ଦୁହେଁ ମିଳି କର ଧରି

ଅଭ୍ୟର୍ଥନା କରି ପୁରେ ନିଅନ୍ତି ହକାରି ।

ଦିବ୍ୟ ପଲଙ୍କରେ ପ୍ରଭୁ ମଇତ୍ରେ ବସାଇ

ସ୍ବୟଂ ଲକ୍ଷ୍ମୀ ପଙ୍ଖାକଲେ ତଳେ ଉଭାହୋଇ ।

ଆଉ ଯେତେ ନାରୀମାନେ ପ୍ରଭୁଙ୍କର ଥିଲେ

ସୁଦାମାଙ୍କ ଚରଣରେ ପ୍ରଣାମ ହୋଇଲେ ।

ନାରୀଏ ଭାବନ୍ତି ଧନ୍ୟ ବିପ୍ର ଭାଗ୍ୟ ତୋର

ସ୍ୱାମୀ ପାଦ ଧୋଇ ପୁଣି ସେବନ୍ତି ପୟର ।

ଯେଉଁ ପାଦପଦ୍ମ ବ୍ରହ୍ମା ଦର୍ଶନ କରନ୍ତି

ସେ ପୁଣି ସ୍ୱହସ୍ତେ ବିପ୍ର ଚରଣ ସେବନ୍ତି ।

ଶ୍ରୀକୃଷ୍ଣଙ୍କ ପୁର ଶୋଭା ଦେଖି ବିପ୍ରବର

ଅପୂର୍ବ ପରାଏ ନାରୀ ଶୋଭା ମନୋହର ।

ଭାବେ କିପରି ମଇତ୍ର ଖୁଦଭଜା ଦେବି

ସୁମତିର ଫୁଲହାର ମୁଁ ଭେଟି କରିବି ।

କି ବୋଲିବେ ମିତ୍ରଙ୍କୁ ତାଙ୍କ ନାରୀଗଣ

ମନେ ଭାବିବେ ଅଟଇ କାଙ୍ଗାଳ ବ୍ରାହ୍ମଣ ।

ଏତେ ଭାବି କାଖତଳେ ପୁଟୁଳା ଲୁଚାଇ

ମଇତ୍ର ସଙ୍ଗରେ ଧୀରେ କଥାବାର୍ତ୍ତା ହୋଇ

ଅଷ୍ଟପାଟବଂଶୀମାନେ ଉଭା ହୋଇଥାନ୍ତି

ସତ୍ୟଭାମା ଅଙ୍ଗେ ଆଣି ଚନ୍ଦନ ଲେପନ୍ତି ।

କେହୁ ତାମ୍ବୁଳ ଦିଏ କେହୁ ଲଗାଏ ଅତର

କେହୁ ଆଲଟ ଚାମର କେ ସେବେ ପୟର ।

ସୁଦାମା ଭାବଇ ଛାର ଦୀନହୀନ ମୁହିଁ

ଲକ୍ଷ୍ମୀ କୋମଳ କରରେ ଚନ୍ଦନ ଲେପଇ ।

ଏତିକି ବେଳେ ପୁଚ୍ଛନ୍ତି ଜଗତ ଗୋସାଇଁ

ମିତଣୀ ମୋ ପାଇଁ କିସ ଅଛନ୍ତି ପଠାଇ ।

କିପରି ବା ଦେହ ଭଲ ଅଛଇ ତାଙ୍କର

କେବେ କି ନ ପଡ଼େ ମନ ମୁହିଁ ମିତାଣୀର

ନାରୀମାନଙ୍କୁ କହନ୍ତ ମଇତ୍ର ଦେଖାଇ

ଏହାଙ୍କର କଥା ଆଗ କହିଥିଲି ମୁହିଁ ।

ବାଲ୍ୟକାଳେ ଏକା ସଙ୍ଗେ ଆମେ ସାଥିହୋଇ

ବିଦ୍ୟା ପଢୁଥିଲୁ ସାନ୍ଦିପନୀ ଘରେ ରହି ।

ଅତି ସ୍ନେହ କରିଥିଲେ ମିତଣୀ ମୋହର

ଏ ଅଳପ ଦିନେ ହୋଇଥିଲା ବିଭାଘର ।

ସବୁଦିନେ ମଇତ୍ରଙ୍କ ଘରେ ଯାଏ ମୁହିଁ

ସଙ୍ଗାତୁଣୀ ଖୁଦଭଜା ଦିଅନ୍ତି ଯୋଗାଇ ।

ଅମୃତଠାରୁ ସେ ଖୁଦ ସୁଆଦ ଲାଗଇ

ଆଉ ବା ଜୀବନେ କାହୁଁ ପାଇବଇଁ ମୁହିଁ ।

ଏତେ କହି ଛଳ ଛଳ ନେତ୍ରେ ଶିରୀଧର

ମିତଣୀ ଗୁଣ କହନ୍ତି ରମଣୀ ଆଗର ।

ସୁନ୍ଦର ମଲ୍ଲୀ ଗଜରା ଗୁନ୍ଥି ରଖିଥାନ୍ତି

ହସି ହସି ମିତଣୀ ମୋ ଗଳାରେ ପିନ୍ଧାନ୍ତି ।

ମନେ ଅଛି ଦିନକର କଥା ଯେ ମୋହର

କାଷ୍ଠ ଲାଗି ଶିଷ୍ୟମାନେ ଗଲୁ ଯେ ବନର ।

ବୋଧେ ମଇତ୍ର ପାସୋରି ଅଛ ତୁମ୍ଭେ ଦେଇ

ବିଷ୍ଣୁ ନାମେ ଦୁଇପ୍ରାଣୀସୁଦା ଭୋଳ ହୋଇ ।

ଘୋର ବରଷା ପବନ ହେଲା ଭୟଙ୍କର

ବନ ମଧ୍ୟେ ହୋଇଗଲା ଯେ ଘୋର ଅନ୍ଧାର ।

ଥରି ଥରି ବନେ ଖୋଜି ଜାଗା ନ ପାଇଲୁ

ଗୋଟିଏ ଗଛ ଉପରେ ସମସ୍ତେ ଶୋଇଲୁ ।

ତହିଁ ଆର ପ୍ରଭାତରୁ ଗୁରୁପତ୍ନୀ ଗୁରୁ

ତୁମ୍ଭଙ୍କୁ ତୋଳି ଆଣିଲେ ବନସ୍ତ ମଧ୍ୟରୁ ।

କହିଥିଲେ ଗୁରୁ ତୁମ୍ଭେ ତ୍ରିପୁର ବିଜୟୀ

ହୋଇବ କଲ୍ୟାଣ ଆଜି କରୁଅଛି ମୁହିଁ ।

ସେ କଥା ମଇତ୍ର ମନେ ନାହିଁକି ତୁମ୍ଭର

ସୁଦାମା ବୋଲଇ ରାଜ୍ୟ ଭାର ମୋ ଉପର ।

ଯେଣୁ ପିଲାବେଳ କଥା ଦେଇଛି ପାଶୋରି

ସ୍ୱର୍ଗ ମର୍ତ୍ତ୍ୟ ତିନିପୁରେ ବୁଲେ ମୁଁ ସବୁରି ।

ଅନ୍ତର୍ଯ୍ୟାମୀ ନାଥ ତୋତେ କି କହିବି ମୁହିଁ

ଅଶେଷ ବ୍ରହ୍ମାଣ୍ଡ ପରା ତୋ ଗର୍ଭେ ଅଛଇ ।

ସୁଦାମାର ମନ କଥା ଜାଣି ଚକ୍ରଧର

ବୋଇଲେ ମଇତ୍ର କିସ ଯାକିଛ କାଖର ।

ଲାଜେ ସୁଦାମା କହନ୍ତି କିଛି ସେ ନୁହଇ

ଛଡ଼ାଇ ନେଲେ ଠାକୁର ହସ ହସ ହୋଇ ।

ବଡ଼ କପଟିଆ ତୁମେ ଅଟ ମଇତର

ସଙ୍ଗାତୁଣୀ ଦେବା ଦ୍ରବ୍ୟ ରଖିଛ କାଖର ।

ଜଳ ଜଳ କରି ସର୍ବେ ନାରୀ ଚାହିଁଛନ୍ତି

କି ଅପୂର୍ବ ଦ୍ରବ୍ୟ ପ୍ରଭୁ ଛଡ଼ାଇ ଅଛନ୍ତି ।

ମନ ଆନନ୍ଦରେ ପୁଡ଼ା ଛଡ଼ାଇ ଶ୍ରୀହରି

ଖୁଦଭଜା ଦେଖ ଆନନ୍ଦିତ ହେଲେ ଭାରି ।

ତର ତର ହୋଇ ଏକମୁଠା ପ୍ରଭୁ ଖାଇ

ଆର ମୁଠା ହସ୍ତେ ଧରିଛନ୍ତି ଭାବଗ୍ରାହୀ ।

ଦଉଡ଼ି ଆସିଣ ଲକ୍ଷ୍ମୀ ବାସ୍ତୁ ଛଡ଼ାଇଲେ

କି କଲ କି କଲ ବୋଲି ତାହାଙ୍କୁ ବୋଇଲେ ।

ଗୋଟିଏ ମୁଠାରେ ସବୁ ସରିଲାଣି ଦେଇ

ପୁଣି ଖାଅ ମୋତେ ରଖିବ କି ଇଚ୍ଛା ନାହିଁ ।

ଯାହା ତ କଲରି ସବୁ ଦେଇ ମିତ ପୁର

ପାଦ ସେବିବାକୁ ରଖ ଦାସୀକୁ ପାଖର ।

ଅନ୍ୟ ମୁଷ୍ଟିକ ନ ଖାଇ ପ୍ରଭୁ ଚକ୍ରଧର

ଲକ୍ଷ୍ମୀଙ୍କ କଥାରେ ତୃପ୍ତ ହୋଇଲେ ଠାକୁର ।

ମଲ୍ଲୀଫୁଲ ମାଳ ଦେଖି ପିନ୍ଧିଲେ ଶ୍ରୀହରି

ବୋଇଲେ ମିତଣୀଙ୍କର ମୋଠି ଶ୍ରଦ୍ଧା ଭାରି ।

ଗ୍ରାମ୍ୟଲୋକ ସାଥିଲୋକ କାମ ମାନ ହରି

ଅବନ୍ତୀ ନଗରଯାକ ଗଲେ ଯେ ପଚାରି ।

ବହୁତ ଉଛୁର ବେଳ ଦେଖି ଠାକୁରାଣୀ

ବୋଇଲେ ନ ଭକ୍ଷିବ କି ଆଜି ଅନ୍ନପାଣି ।

ମଇତ୍ର ସଙ୍ଗରେ ଖାଲି କଥା ଗପୁଅଛ

ତାହାଙ୍କ ଖାଇବା କଥା ଜମା ତ ନ ପୁଚ୍ଛ ।

ପ୍ରଭୁ ବୋଲନ୍ତି ମୋହର ଜମା କ୍ଷୁଧା ନାହିଁ

ତୃପ୍ତ ହୋଇଅଛି ମିତ ଖୁଦଭଜା ଖାଇ ।

ସୁଦାମ ବୋଲଇ ମିତ ମୋତେ ଭୋକ ନାହିଁ

ସ୍ୱୟଂ ଲକ୍ଷ୍ମୀ ନାରାୟଣ ଦରଶନ ପାଇ ।

ଯା ପାଦରୁ ଗଙ୍ଗା ବହିଯାଏ ଝର ଝର

ସେ ପୁଣି ମଇତ୍ର ପାଶେ ଅଛନ୍ତି ମୋହର ।

ମୋ ସଙ୍ଗାତୁଣୀ ସଭିଙ୍କୁ ଦାନା ଯୋଗାଉଛି

ତାଙ୍କୁ ପାଶେ ଦେଖି କ୍ଷୁଧା ତୃଷ୍ଣା ମୋ ହରିଛି ।

ହସି ହସି ଲକ୍ଷ୍ମୀ ନାରାୟଣ ଗଡ଼ିଗଲେ

ମଇତ୍ର ଯେ ବଳିଗଲେ ରୁକ୍ମିଣୀ ବୋଇଲେ ।

ସାଥିହୋଇ ଦୁଇବନ୍ଧୁ କରନ୍ତି ଆହାର

ସ୍ୱୟଂ ଲକ୍ଷ୍ମୀ ଦେଉଥାନ୍ତି ବାଢି ପଦ୍ମକର ।

ଅମୃତ ମଣୋହି ସାରି ପଲଙ୍କେ ଶୋଇଲେ

ରୁକ୍ମିଣୀ ସତ୍ୟଭାମା ଯେ ପାଦ ମଞ୍ଚାଳିଲେ ।

ଯେତେ ମତେ ମନାକଲେ ସୁଦାମା ବ୍ରାହ୍ମଣ

ନ ଶୁଣି ଶ୍ରୀକୃଷ୍ଣ ବାମା ସେବନ୍ତି ଚରଣ ।

ଆଉ ଏତେ ବଡ଼ ଭାଗ୍ୟ ହେବ କି ଆମ୍ଭର

ଏତେ ଦିନେ ମିଳିଅଛି ମଇତ୍ର ପୟର ।

ବ୍ରାହ୍ମଣ ବୋଇଲେ କଣ୍ଟା ଝଣ୍ଟା ପଥେ ବୁଲି

ପଥର ପରି ଯେ ଫଟା ପାଦ ଚାଲି ଚାଲି ।

ଯେ ପାଦ ସେବନ୍ତି ପୁଣି ପଦ୍ମକରେ ସତୀ

ବଡ଼ ଅପମାନ ମୋତେ ମିତ ଦେଉଛନ୍ତି ।

ହସି ଶ୍ରୀହରି ବୋଲନ୍ତି ଶୁଣ ହେ ମଇତ୍ର

ତୁମ୍ଭ ଆମ୍ଭ ମଧ୍ୟେ ଭିନ୍ନ କଦାପି ତ ନାହିଁ ତ ।

ତୁମ ଘରଣୀ କିପରି ମୋ ସେବା କରନ୍ତି

ଦିନେ ମାତଳି ତୁମ୍ଭେ ତ କରିନାହିଁ ନାସ୍ତି ।

ମୁହିଁ ମନାକଲେ ସେ ଯେ କଥା ନ କରନ୍ତି

ତିନିଦିନ ପରିଯନ୍ତେ ସେ ମୋତେ ରୁଷନ୍ତି ।

ତୁମ୍ଭ ଆମ୍ଭ ମଧ୍ୟେ ତିଳେ ପାର୍ଥକ୍ୟ ଯେ ନାହିଁ

ସବୁବେଳେ ତବ ପାଶେ ବନ୍ଧାଅଛି ମୁହିଁ ।

ଏହିପରି କଥାବର୍ତ୍ତା ହେଲେ ଦୁଇଜଣ

ରାତ୍ର ପ୍ରଭାତ ହୋଇଲା ଆସି ତତ୍‌କ୍ଷଣ ।

ନୂତନ ପୀତ ଅମର ମଇତ୍ରେ ପିନ୍ଧାଇ

ଅନେକ ଦିନ ତାହାଙ୍କୁ ପୁରରେ ରଖାଇ ।

ଯହୁଁ ବେଶୀଦିନ ହେଲା ବୋଲେ ଦ୍ୱିଜବର

ବିଦାୟ ଦିଅ ମଇତ୍ର ଯିବଇଁ ମୁଁ ଘର ।

ନ ଦେଖି ସୁମତି ମୋତେ ଥିବେ ବାଟ ଚାହିଁ

ପ୍ରତିଦିନ ମୋତେ ସେହୁ ଭାଳୁଥିବ ରହି ।

ଶ୍ରୀହରି ବୋଇଲଷ କାଲି ପ୍ରଭାତରୁ ଯିବ

ଗୃହେ ଯାଇ ଭଲମନ୍ଦ ତାହାଙ୍କୁ ବୁଝିବ ।

ତହିଁ ଆର ପ୍ରତ୍ୟୁଷରୁ ଉଠି ଦ୍ୱିଜବର

ଅବନ୍ତୀକୁ ଯିବା ପାଇଁ ହୋଇଲେ ବାହାର ।

ନିଜେ ଲକ୍ଷ୍ମୀ ବାନ୍ଧି ଦେଲେ ପଥକୁ ମିଷ୍ଟାନ୍ନ

କ୍ଷୁଧା ହେଲେ ମିତ ବାଟେ କରିବେ ଭୋଜନ

ହସ ହସ ହୋଇ ସର୍ବେ ବିଦାୟ ଯେ ଦେଲେ

ଖଣ୍ଡେ ଦୂର ପଥ ବଳାଇଣ ପ୍ରଭୁ ଗଲେ ।

ବୋଇଲେ ମଇତ୍ର ତୁମ୍ଭେ ଆସିଥିଲ କହି

ଦେଖାକରି ଯିବ ନାଉରୀ ଯେ ଥିବ ଚାହିଁ ।

କହିବ ମୋ ନାମ ତାକୁ ଲେଖା ଗୋଟିଦେବ

ଏହା କହି କଣ୍ଠୁ ହାର କାଢ଼ିଲେ ମାଧବ ।

ବୋଇଲେ ମଇତ୍ର ଏହି ରତ୍ନହାର ନେବ

ମୋର ସଙ୍ଗାତୁଣୀ ଗଳେ ୟାକୁ ଲମ୍ବାଇବ ।

ପ୍ରଣାମ କରି ବିଦାୟ ହୋଇଲେ ଶ୍ରୀଧର

ବୋଇଲେ ଗୃହରେ ଦେଖା ତୁମ୍ଭର ମୋହର ।

ସୁଦାମା ଭାବେ ସୁମତି ଥିଲା ଯେ ପଠାଇ

କିଛି ଧନ ମଇତ୍ରଙ୍କୁ ମୁଁ ମାଗିଲି ନାହିଁ ।

ସେତ ହାରଗୋଟି ଦେଲେ ସୁମତି ପିନ୍ଧିବ

କିପରି ଯେ ଦୁଃଖ କଷ୍ଟ ଆମ୍ଭ ଦୂର ହେବ ।

ହଉ ଦୟାମୟ ହରି ଚିଚାର ତୁମ୍ଭର

ଏତେ କହି ଅବନ୍ତୀକୁ ଚଳେ ବିପ୍ରବର ।

ଆସିଲା ବେଳେ ଯେ ନଦୀ ବନ ଦେଖିଥିଲା

କିଛି ନାହିଁ ଦେଖି ବିପ୍ର ଆଶ୍ଚର୍ଯ୍ୟ ହୋଇଲା ।

ମନେ ମନେ ଭାବେ ପ୍ରଭୁ ପରଖିବା ପାଇଁ

ପଥ ମଧ୍ୟେ ମୋ ପାଇଁ ଯେ ଥିଲେ ସବୁ ଭେଇ

ବିଷ୍ଣୁ ନାମ ସୁମରିଣ ସୁଦାମା ଚଳଇ ।

ଗୋଟିଏ ଗ୍ରାମ ମଧ୍ୟରେ ପ୍ରବେଶିଲା ଯାଇ

ମଧୁଦାସ ନାମେ ଥାଏ ଏକ ବିପ୍ରବର

ସଂକ୍ରାମକ ରୋଗ ଅଙ୍ଗେ ହୋଇଛି ତାହାର ।

ସେ ତ ସହଜେ ମୁଖରା ରମଣୀ ଅଟଇ

ସୁଦାମାକୁ ବହୁତ ଯେ ଶୋଧିଦେଲା ସେହି ।

ତୁ ଅଟୁ ବାଟୋଇ କିମ୍ପା ତୋ ବାଟେ ନ ଯାଉ

ମୋତେ ଆକଟ କରୁଛୁ ଏଠି ଆସି ତୁହି ।

ସୁଦାମା ବୋଲଇ ସେହୁ କିସ ଅଟେ ତୋର

ସଂକ୍ରାମକ ରୋଗୀ ବୋଲେ ସ୍ୱାମୀ ମୁଁ ତାହାର

ବାହ୍ମଣ ବୋଲଇ ଏ ଯେ ଅନ୍ୟାୟ ଅଟଇ

ସ୍ତିରୀ ହୋଇ ପୁରୁଷକୁ ମାରୁଛ ଗଡ଼ାଇ ।

ନାରୀର ସ୍ଵାମୀ ଅଟଇ ଦେବତା ସମାନ

ରୋଗୀ ହେଲେ ମଧ୍ୟ ସେଯେଅଟେ ପୂଜ୍ୟମାନ

ଛାଞ୍ଚୁଣୀ ମୁଠା ଉଠାଇ ସେ ନାରୀ ବୋଲଇ

ତୋତେ ଭଲଲୋକ କରି ମୁହିଁ ଡାକି ନାହିଁ ।

ହାତଧରି ତାକୁ ବାହା ହୋଇଅଛି ମୁହିଁ

ଧାନକୁଟି ଆଣି ତାର ପେଟକୁ ଦିଅଇ ।

ତଥାପି ମୋହର କଥା ସେହି ନ ମାନଇ

ଆଜି ମାରୁ ମାରୁ ତାକୁ ମାରିଦେବି ମୁହିଁ ।

ଖଣ୍ଡିଆକୁ ଜୀବନରେ ମୁହିଁ ନ ରଖିବି

ମାରିଦେଇ ନିଶ୍ଚିନ୍ତରେ ଅନ୍ୟ ଜାଗା ଯିବି ।

ସୁଦାମା ବହୁ ପ୍ରକାରେ ବୁଝାଇ କହିଲା

ନ ବୁଝି ସେ ଦୁଷ୍ଟା ତାକୁ ପ୍ରହାର କରିଲା ।

ବିକଳେ ସେ କୁଷ୍ଠ ରୋଗୀ ମାଟି ପରେ ଗଡ଼ି

ବୋଲେ ମରିଗଲି ପ୍ରାଣ ଗଲା ମୋର ଛାଡ଼ି

ଯହୁଁ ସୁଦାମା ମଧ୍ୟସ୍ଥ ହୋଇ ବନ୍ଦକଲା

ତାକୁ ଛାଡ଼ି ସେ ରମଣୀ ବ୍ରାହ୍ମଣେ ପିଟିଲା ।

ନାରାୟଣ ନାମ ସୁମରିଣ ବିପ୍ରବର

ପୁଡ଼ା ମଧ୍ୟୁ ଫିଟାଇଲା ପ୍ରଭୁ ଦେବା ହାର ।

ବୋଲେ ଚକ୍ରଧର ଏହା ଲୋଡ଼ା ନାହିଁ ମୋର

ଶୀଘ୍ର ଏହି ଯୁବକକୁ ରୋଗମୁକ୍ତ କର ।

ଏତେ କହି ସେ ରୋଗୀର ଗଳେ ଲମ୍ବାଇଲା

ତକ୍ଷଣ ସେ ଦିବ୍ୟରୂପ ହୋଇଣ ବସିଲା ।

କେଣେ ଗଲା ଦେହେ ରୋଗ ତିଳେ ନରହିଲା

ପୂର୍ବରୁ ଶତେଗୁଣ ତେଜ ବିକଶିଲା ।

ଯହୁଁ ଭଲ ହୋଇଗଲା ଶରୀର ତାହାର

ସୁଦାମା ପାଦ ତଳରେ ପଡ଼ିଲା ସତ୍ଵର ।

ବ୍ରାହ୍ମଣ ବୋଲଇ ଯାଅ ସୁଖେ ଘର କର

ଯେପରି ଆଉ ଜୀବନେ ଝଗଡ଼ା ନ କର ।

ସେ ରୋଗୀ ନାମ ମଧୁସୂଦନ ଅଟଇ

ବୋଇଲା ଏ ନାରୀ ମୁଖ ନ ଚାହିଁବି ମୁହିଁ ।

ଯେଣେ ଯିବ ତୁମ୍ଭ ଝୁଲା ଧରି ମୁଁ ବୁଲିବି

ଏ ମାୟା ସଂସାରେ ଆଉ ଘାଣ୍ଟି ନ ହୋଇବି ।

ସେହି ଦୁଷ୍ଟ ନାରୀ ବୋଲେ କେଣେ ଯିବୁ ତୁହି

ତୋତେ ଛାଡ଼ି କିପରି ବା ମୁହିଁ ରହିବଇଁ ।

ଯାହା ଦୋଷ କରିଅଛି ମୋର କ୍ଷମାକର

କେତେ ଧାନକୁଟି ତୋତେ ଦେଇଛି ଆହାର ।

ବ୍ରାହ୍ମଣ ପାଦରେ ପଡ଼ି କହଇ ରମଣୀ

ମୋର ଅପରାଧ କ୍ଷମାକର ବିପ୍ରମଣି ।

ଯେତେ ପ୍ରକାର ମଧୁକୁ ବିପ୍ର ବୁଝାଇଲା

କୌଣସିମତେ ସେ କାହା କଥା ନ ମାନିଲା ।

କହିଲା ଭଲ ଦେଖିଲା ବୋଲି ଖୋଜେ ସେହି

ବର୍ତ୍ତମାନ ଦେଉଥିଲା ସେ ପୁର ପଠାଇ ।

ସେ ନାରୀ ବହୁତ କନ୍ଦାକଟା ଯେ କରିଲା

ନ ଶୁଣି ସୁଦାମା ସାଙ୍ଗେ ସଦନ ଚଳିଲା ।

ଅବନ୍ତୀ ନବରେ ଯାଇଁ ପ୍ରବେଶ ହୋଇଲେ

ସୁଦାମା ଯେ ନିଜ ଘର ଚିହ୍ନି ନ ପାରିଲେ ।

ଦେଖିଲେ କୁଡ଼ିଆଖଣ୍ଡ ତାର ସେଠି ନାହିଁ

ପ୍ରକାଣ୍ଡ ପ୍ରକାଣ୍ଡ କୋଠାମାନ ଅଛି ହୋଇ ।

ସୁଦାମା ବୋଲଇ ଏତ ନୁହେଁ ମୋର ଘର

ବାଉଳା ହୋଇଲି ବୋଧେ ଆସି ଏ ବାଟର ।

ଏତେ ଭାବି ଟିକ ଦୂର ଗଲା ଆଗ ବାହୀ

ଦାସୀ ଜଣେ ସୁମତିର ଆଗରେ କହଇ ।

ଆଗୋବାମା ପଣ୍ଡାଜଣେ ଦାଣ୍ଡେ ଠିଆ ହୋଇ

କିଛି ନ କହିଣ ଯାଉଅଛନ୍ତି ପଳାଇ ।

ଶୁଣି ସୁମତି ବ୍ରାହ୍ମଣୀ ଦଉଡ଼ି ଆସିଲା

ସୁଦାମା ଆଗରେ ଯାଇ ପ୍ରବେଶ ହୋଇଲା ।

ରତ୍ନ ଅଳଙ୍କାରେ ମଣ୍ଡି ହୋଇଛି ବ୍ରାହ୍ମଣୀ

ଦେଖି ତାହାକୁ ସୁଦାମା ନ ପାରଇ ଜାଣି ।

ସୁମତି ବୋଇଲେ ନାଥ ଯାଅ କେଣେ ଧାଇଁ

ଏତେ ବହି ସୁଦାମାର ପାଦରେ ପଡ଼ଇ

ଛୁଅଁନା ଛୁଅଁନା ବୋଲି ସୁଦାମାର କହଇ ।

ଅପବିତ୍ର ହୋଇଯିବ ନିଶ୍ଚେ ମୋର ଦେହୀ ।

ସୁମତି ବୋଇଲେ ନାଥ କି ଅପ୍ରାଧ ମୋର

ମୋ ଉପରେ ଖପା କିମ୍ବା ହୁଅ ପ୍ରାଣେଶ୍ଵର ।

ସୁଦାମା ବୋଲଇ ମୋତେ ଦ୍ଵାରକା ପଠାଇ

ଅନ୍ୟ ସ୍ୱାମୀ ଆଣିଅଛୁ ତୁ କାଣ୍ଡ ଭିଆଇ ।

ଶୁଣି ଆଶ୍ଚର୍ଯ୍ୟ ହୋଇ ସେ ସୁମତୀ କହଇ

ତୁମ୍ଭ ବିନେ ଜୀବନେ କା ମୁଖ ନ ଦେଖଇ ।

ସୁଦାମା କହଇ ସତୀ ଅଟୁ ଯେବେ ତୁହି

ଏତେ ଧନ ଅଳଙ୍କାର କାହୁଁ ପାଇଲଇଁ ।

ସୁମତି ବୋଲଇ ନାଥ ମୋ ପାଇଁ ପଠାଇ

ପୁଣି ଏପରି ନିଷ୍ଠୁର କିମ୍ପା ଅଛ ହୋଇ ।

ଶୁଣି ସୁଦାମା ବୋଲଇ କହ ସତ କରି

କିଏ ଏତେ ଧନ ଆଣି କଲା ଏଡ଼େ ପୁରୀ ।

ସୁମତୀ କହଇ ନାଥ ଶୁଣ ମୋ ଉତ୍ତର

ଅନେକ ଦିନ ରହିଲ ନ ଆସିଲ ଘର ।

ପ୍ରତିଦିନ ତୁମ୍ଭ ପଥ ଚାହିଁଥାଏ ମୁହିଁ

ନ ଆସିବାରୁ ଉପାସେ ଥାଏ ଘରେ ଶୋଇ ।

ଦିନେ ଖୁଦ କୁଣ୍ଡା କିଛି ନ ଥିଲା ଯେ ଘର

ମନଦୁଃଖେ ପ୍ରଭୁ ସ୍ମରୁଥାଏ କୁଟୀରର ।

ସେହି ଦିନ ନିଶାଅର୍ଦ୍ଧେ ବୈଷ୍ଣବୀ ଆସିଲା

ମୋ ପାଶେ ରହିବା ପାଇଁ ଆଶ୍ରୟ ମାଗିଲା ।

ଭାବିଲି ଯେ କିଛି ମାତ୍ର ପାଶେ ନାହିଁ ମୋର

କିପରି ଅତିଥି ଘରେ ରହିବ ମୋହର ।

ମନେକଲି ଏ ପରାଣ ଆଉ ନ ରଖିବି

ବୈଷ୍ଣବୀ ଆଗରେ ମୁଖ ମୁଁ ନ ଦେଖାଇବି ।

ପୋଖରୀ ମଧ୍ୟକୁ କଳସୀ ଗଲି କାଖେଇ

ସାତ ତାଳ ପାଣି ଶୁଖିଗଲା ପଙ୍କ ହୋଇ ।

ମନଦୁଃଖେ ଛିଡ଼ା ହୋଇଥିଲି ମୁଁ କୂଳରେ

ଭାର କାନ୍ଧେ ରଖି ଜଣେ ମିଳିଲା ସେଠାରେ ।

ସେ ବୋଇଲା ଅମୁକ ପଣ୍ଡାଙ୍କ ଘର କିଏ

ଭାର ପଠାଇଣ ପଛେ ଆସୁଛନ୍ତି ସିଏ ।

ମୋତେ ମଧ୍ୟ ପଚାରିଲା ତୁମ୍ଭେ କାହିଁ ପାଇଁ

ଏତେ ରାତ୍ରେ ପୋଖରୀ କୂଳରେ ଅଛ ରହି ।

ଅଥଳ ଥଳ ପାଣି ଯେ ପୋଖରୀ ମଧ୍ୟର

ଜଣାଯାଏ ମରିବାକୁ ଆସିଛି ଏଠାର ।

ଚାଲ ଚାଲ ପାଣି ଘେନି ଶୀଘ୍ର ମୋ ସଙ୍ଗର

ଦେଖାଇ ଦେବଟି କିଏ ମୋତେ ପଣ୍ଡାଘର ।

ତାଙ୍କ ଗୃହିଣୀଙ୍କୁ ମୋତେ ଚିହ୍ନାଇଣ ଦେଲେ

ଭାର ଦେଇ ତାର କରେ ଚଳିବି ମୁଁ ଭଲେ ।

ମୁଁ ବୋଇଲି ମୁହିଁ ତାଙ୍କ ଘରଣୀ ଅଟଇ

ତାଙ୍କୁ ନ ଦେଖିଣ ମନ ବିକଳ ହୁଅଇ ।

ଶୁଣିଣ ମୋର ଉତ୍ତର ବଡ଼ ଖୁସି ହେଲେ

ସଙ୍ଗରେ ଡାକି ନେଇଣ ଘରକୁ ଗମିଲେ ।

ସବୁ ଦ୍ରବ୍ୟ ଦେଖିଣ ମୋ ମନ ଦମ୍ଭ ହେଲା

ଯିବା ପାଇଁ ସେ ଗୋପାଳ ପିଲା ବାହାରିଲା ।

ଅନୁରୋଧ କରିବାରୁ ସେହି ଯେ ରହିଲେ

ରୋଷାଇବାସ ହୋଇଲା ସଭିଏଁ ଖାଇଲେ ।

ରାତ୍ରରେ ଶୋଇଲି ମୁହିଁ ଦକ ଦକ ହୋଇ

ତୁମ୍ଭଙ୍କୁ ନ ଦେଖି ମନ ସ୍ଥିର ହେଲା ନାହିଁ ।

ପ୍ରଭାତୁ ଉଠି ଦେଖିଲି ପ୍ରକାଣ୍ଡ ନଅର

ଦାସଦାସୀ ଶହ ଶହ ପୁରରେ ହାଜର ।

ହୀରା ନୀଳା ଧନରତ୍ନ ଗଦା ହୋଇଅଛି

ଶତ ଶତ ଗାଭୀମାନେ ଗୁହାଳେ ଭରିଛି ।

ତା‘ପରେ ଦେଖିଲି ସେ ଗୋପାଳ ପିଲାନାହିଁ

ବୈଷ୍ଣବୀ ମଧ୍ୟ ଯେ କେଣେ ଯାଇଛି ଉଭାଇ

ଦାସୀମାନେ ପାଦ ସେବୁଅଛନ୍ତି ମୋହର

ଅଙ୍ଗେ ରତ୍ନ ଅଳଙ୍କାର ଦିଶେ ଭରପୁର ।

ଏ ସବୁ ଦେଖିଣ ମୁହିଁ ଆବାକାବା ହୋଇ

ଭାବନା କରନ୍ତେ ମିତ ପହଞ୍ଚିଲେ ତହିଁ ।

ସଙ୍ଗାତୁଣୀ ମଧ୍ୟ ତାଙ୍କ ସଙ୍ଗରେ ଅଛନ୍ତି

ମୋତେ ଦେଖି ନାନା କଉତୁକ କରୁଛନ୍ତି ।

ଭାବନା କି କର ତୁମ୍ଭେ ମନ ସ୍ଥିର କର

ଏସବୁ ଧନ ତୁମ୍ଭର ବୋଇଲେ ଠାକୁର ।

ମୋ ନିକଟେ ଧନ ମାଗିବାକୁ ସଙ୍ଗାତକୁ

ପେଶିଥିଲି ପରା ତୁମ୍ଭେ ସୁଖେ ରହିବାକୁ ।

ତୁମ୍ଭ ଖୁଦଭଜା ଖାଇ ସନ୍ତୋଷ ହୋଇଲି

ତାର ପରିବର୍ତ୍ତେ ତୁମ୍ଭ ପୁରକୁ ଆସିଲି ।

ସଙ୍ଗାତୁଣୀ ବନ୍ଧାହେଲା ପାଶରେ ତୁମ୍ଭର

ଆନନ୍ଦରେ ରହିବେ ସେ ସଦା ତୁମ୍ଭ ଘର ।

ସେହି ଦିନୁ ଲକ୍ଷ୍ମୀ ସଙ୍ଗେ ସଙ୍ଗାତ ଅଛନ୍ତି

ତୁମ୍ଭ ଆସିବା ବାଟକୁ ସଦା ଚାହିଁଛନ୍ତି ।

ଏହା କହି ସୁଦାମାର କର ଧରି ନାରୀ

ଆନନ୍ଦେ ପୁର ମଧ୍ୟକୁ ଆଣଇ ଘୋଷାରି ।

ସୁଦାମା ବୋଲଇ ସୁମୀ ମୁହିଁ ଯିବି ନାହିଁ

ଏତେ ଧନ ତିଳେ ମୋର ଦରକାର ନାହିଁ ।

ସେହି ଭିକ୍ଷା ମଗା ମୋର ଅଟଇ ଯେ ସାର

ତୋତେ ସେ ଧନ ଦେଇଛି ତୁହି ଭୋଗକର ।

କିନ୍ତୁ ସ୍ୱାମୀ ଜାଣିରଖ ଏହି ଧନ ଦେଇ

ତାର ନିଜ ଧନଗୋଟି କାଢିନେଲା ସେହି ।

ମଲା ପରେ ଏ ଧନ ମୋ ସଙ୍ଗେ ଯିବ ନାହିଁ

କେବଳ ଚରଣ ତାର ଲୋଡ଼ା ମୋ ଅଟଇ ।

କେଭେ ଏ ପାପ ଗହନେ ମୁହିଁ ନ ପଶିବି

ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ଉଦର ପୋଷିବି ।

ସୁମତି ବୋଲଇ ଯଦି ତୁମ୍ଭେ ନ ରହିବ

ଏ ଧନ ସମ୍ପଦ ମୋର ଥାଇ କିସ ହେବ ।

ତୁମ୍ଭେ ଯୋଗୀହେଲେ ମୁହିଁହେବି ଯୋଗିଆଣୀ

ତୁମ୍ଭେ କେଳା ହେଲେ ମୁହିଁ ହୋଇବି କେଳୁଣୀ

ଏହିପରି ସ୍ୱାମୀ ସ୍ତିରୀ ଉଚ୍ଚବାଚ ହୋନ୍ତି

ଲକ୍ଷ୍ମୀ ଜଗନ୍ନାଥ ଦୁହେଁ ଦେଖିଣ ହସନ୍ତି ।

ଠାକୁର ବୋଲନ୍ତି ଦେବୀଙ୍କର ମୁଖ ଚାହିଁ

ଦେଖ ସଖୀ ମୋ ଶକତି କିପରି ଅଟଇ ।

ଏତେ ଧନେ ତିଳେ ସେ ନ କରଇ ଖାତର

କେବଳ ଲୋଡ଼ଇ ସେହି ପୟର ଆମ୍ଭର ।

ଚାଲ ଚାଲ ଦୁହେଁ ମିଶି ସାନ୍ତ୍ୱନା କରିବା

ବୁଝାଇ ସୁଝାଇ ତାଙ୍କୁ ଘରକୁ ଆଣିବା ।

ନୋହିଲେ ସ୍ବାମୀ ସ୍ତ୍ରୀ ଦୁହେଁ ଗୃହେ ନ ଫେରିବେ

ବର୍ତ୍ତମାନ ଗଛମୂଳେ ଯାଇଣ ବସିବେ

ଏତେ ଭାବି ସୁଦାମାର ପାଶେ ଚକ୍ରଧର

ପ୍ରବେଶ ହେଉଣ ତାଙ୍କୁ କଲେ ନମସ୍କାର ।

ତୁମ୍ଭେ କିଆଁ ପଥ ମଧ୍ୟେ କରିଲ ଉଛୁର

ଆଗ ଆସି ତୁମ୍ଭେ ଦୁହେଁ ପହଞ୍ଚିଲୁ ଘର ।

ଧନ ପାଇଁ ପେଶିଥିଲେ ପରା ସଙ୍ଗାତୁଣୀ

ନ ମାଗି କିପରି ତୁମ୍ଭେ ରହିଲ ଯେ ତୁନି ।

ବହୁଦିନୁ ତୁମ୍ଭ ପାଇଁ ସାଇତିଣ ମୁହିଁ

ରଖିଥିଲି ବର୍ତ୍ତମାନ ଗଲି ତାହା ଦେଇ ।

ସୁଦାମା ବୋଲଇ କୃଷ୍ଣ ପାଦ ତଳେ ପଡ଼ି

ଲୋଡ଼ା ନାହିଁ ମୋର ଧନ ନେଇଯା ବାହୁଡ଼ି ।

କେବଳ ଏ ପଦ୍ମପାଦ ଭରସା ମୋହର

ଆନ ସମ୍ପଦ ମୋ ତିଳେ ନାହିଁ ଦରକାର ।

ଆଗୁ ମୋ ସୁମତି ମୋତେ ଭଲ ଦିଶୁଥିଲା

ଅଳଙ୍କାର ପିନ୍ଧିବାରୁ ଖରାପ ଦିଶିଲା ।

ହସି ହସି ଜଗନ୍ନାଥ ଶ୍ରୀ ଲକ୍ଷ୍ମୀଙ୍କୁ ଚାହିଁ

ବୋଲନ୍ତି ମଇତ୍ର କିସ କୁହନ୍ତୁ ବୁଝାଇ ।

ହେ ମଇତ୍ର ଯଦି ମୋତ ଏହା ଫେରାଇବ

କାଳେକାଳେ ଆଉ ମୋର ଦେଖା ନ ପାଇବ

ଆମ୍ଭେ ଦୁହେଁ ତୁମ୍ଭଘରେ ସର୍ବଦା ରହିବୁ

ଭଲ ମନ୍ଦ ହାନି ଲାଭ ସମସ୍ତ ବୁଝିବୁ ।

ମୋର ଧନ ତୁମ୍ଭେ ମାତ୍ର ଜଗି ରଖିଥିବ

ଦୁଃଖୀ ଦରିଦ୍ରମାନଙ୍କୁ ସର୍ବଦା ବାଣ୍ଟିବ ।

ଏହିପରି ସୁଦାମାକୁ ବହୁତ ବୁଝାଇ

ହସ୍ତ ଧରି ମହାପ୍ରଭୁ ପୁରେ ଗଲେ ନେଇ ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ପବିତ୍ର ଅଟଇ

ଭକ୍ତ ଭଗବାନ ଭାବ ଦେଖ ସର୍ବେ ତହିଁ ।

ପୁଣି ଭକ୍ତ ଭଗବାନ ସମ୍ପର୍କ କିପରି

ଭକତ ଭାବରେ ବନ୍ଧା ସର୍ବଦା ଶ୍ରୀହରି ।

ଶ୍ରୀ ଅଚ୍ୟୁତାନନ୍ଦ ପାଦ ହୃଦେ ସ୍ମରି ମୋର

ଅଜ୍ଞାନ କ୍ଷେତ୍ରମୋହନ ଲେଖେ ପଦ୍ୟାକାର ।

 

ହରି ଅର୍ଜୁନ ନିତ୍ୟକୁ ଗମନ ସୁଧର୍ମା ସଭାରେ ଯଦୁବଂଶ
ଧ୍ୱଂସ ନିମିତ୍ତ ଦେବତାମାନଙ୍କର ପରାମର୍ଶ

ଶୁଣ ସୁଜ୍ଞଜନମାନେ ରବିସୁତ ଦ୍ୱାରେ

ଚିତ୍ତବୋଧ ଗ୍ରନ୍ଥ ଶୁଣି ଭବୁ ତର ନରେ ।

ଅପୂର୍ବ ଚରିତ ଏ ଯେ ଅମୃତ ସମାନ

ଶୁଣିଲେ ଦେହୁ ପାତକ ହୋଇବ ଦହନ ।

ସୁଦାମା ଦାରିଦ୍ର୍ୟ ପ୍ରଭୁ କରିଣ ଗଞ୍ଜନ

ଦ୍ୱାରକା ପୁରରେ ଥାନ୍ତି ପ୍ରଭୁ ଭଗବାନ ।

ଅଷ୍ଟ ସଖୀଗଣ ସହ ଷୋଳସସ୍ର ନାରୀ

ସଙ୍ଗେ କୋଳକରି ସୁଖେ ଥାନ୍ତି ଦଇତ୍ୟାରୀ ।

ଅନ୍ତର୍ଯ୍ୟାମୀ ନାଥ ସେ ଯେ ଅଗତିର ଗତି

ଭାରା ନିବାରଣେ ମର୍ତ୍ତ୍ୟେ ଜନ୍ମ ହୋଇଛନ୍ତି ।

ଥିଲେ ପୃଥିବୀ ମଧ୍ୟରେ ଯେତେ ନିଶାଚର

ସମସ୍ତଙ୍କୁ ତିନିପୁରୁ କରିଲେ ସଂହାର ।

ଏକା କୃଷ୍ଣେ କଷ୍ଟ ହେବ ଜାଣି ନିରାକାର

ଦ୍ଵିତିକୃଷ୍ଣ ପାର୍ଥ ନାମ ପେଶିଲେ ମର୍ତ୍ତ୍ୟର ।

ହରି ଅର୍ଜୁନ ଦୁହିଁଙ୍କ ଭିନ୍ନାଭିନ୍ନ ନାହିଁ

ଏକ ଅଙ୍ଗୁ ଅବତାର ହୋଇଛନ୍ତି ମହୀ ।

ଅର୍ଜ୍ଜୁନଙ୍କୁ ଦଣ୍ଡେ ନ ଦେଖିଲେ ଚକ୍ରଧର

ହସ୍ତିନାପୁରକୁ ଦେବ ଯାନ୍ତି ବାରମ୍ବାର ।

ସମରେ ଅର୍ଜ୍ଜୁନ ସମ ତ୍ରିପୁରେ କେ ନାହିଁ

ଗାଣ୍ଡିବ ଧନୁରେ ପାରେ ଜଗତକୁ ଦହି ।

ଦିନେ ଦ୍ୱାରକାପୁରରେ ପ୍ରଭୁ ଚକ୍ରଧର

ପାର୍ଥ ସଙ୍ଗେ ବସିଥାନ୍ତି ସୁଖେ ଅନ୍ତଃପୁର ।

ଦ୍ଵାରକାରେ ସୁଦର୍ଶନ ଚକ୍ର ଅହରହ

ଘୂରେ ଦଣ୍ଡେ ନ ଥାଏ କା ଜନ୍ତୁପତି ଭୟ ।

ସକଳ ଯାଦବଗଣ ସୁଖେ ରହିଥାନ୍ତି

ସମସ୍ତ ପୁରରେ ଲକ୍ଷ୍ମୀ ବିଜୟ କରନ୍ତି ।

ଅଭାବ ନ ଥାଏ କାର ଏକୁ ଏକ ବଳି

ଶ୍ରୀଜଗନ୍ନାଥଙ୍କର ଯେ ଅଟେ ବିଜେ ସ୍ଥଳି ।

ସେ ପୁର ମଧ୍ୟରେ ଥାଇ ଏକ ବିପ୍ରବର

ବହୁଦିନୁ ଦ୍ଵାରକାରେ କରିଥାଏ ଘର ।

କୁଟୁମ୍ବ ମଧ୍ୟରେ ଥାନ୍ତି ସ୍ୱାମୀ ସ୍ତିରୀ ଦୁଇ

ସଭିଙ୍କ ପରାୟ ସୁଖେ ଚଳୁଥାନ୍ତି ସେହି ।

ଯମ ପ୍ରବେଶ ନ କରେ ଯେଉଁ ଦ୍ୱାରକାରେ

ବଡ଼ ଅଘଟଣ କଥା ଘଟିଲା ସେଠାରେ ।

ବ୍ରାହ୍ମଣର ନାରୀ ଗୋଟି ଗର୍ଭବାସ ହେଲା

ପ୍ରଥମ ଗର୍ଭରେ ଏକ ପୁତ୍ର ପ୍ରସବିଲା ।

ବସୁଧା ଉପରେ ନ ପଡ଼ିବା ମାତ୍ରେ ପୁତ୍ର

ସଙ୍ଗେ ସଙ୍ଗେ ହୋଇଲାକ କୁମରର ମୃତ ।

ଏକଥା ଶୁଣିଣ ଦ୍ଵାରକାର ସର୍ବଜନ

ଚକିତ ହୋଇଣ ସର୍ବେ କଲେ ଯେ ଭାବନ ।

ପୁଣି କିଛିଦିନ ଅନ୍ତେ ବ୍ରାହ୍ମଣର ନାରୀ

ଗର୍ଭବାସ ହୋଇ ପୁତ୍ର ସେ ପ୍ରସବ କରି ।

ଭୂମିରେ ପଡ଼ନ୍ତେ ସେହି ପୁତ୍ର କେଣେ ଗଲା

ଦେଖିଣ ବିପ୍ର ମନରେ ଅନୁତାପ କଲା ।

ଏହିପରି ଷଡ଼ପୁତ୍ର ନାଶ ହେଲେ ତାର

କେଉଁଆଡ଼େ ଉଭାଇ ଯାଆନ୍ତି କୁମର ।

ଶ୍ରୀକୃଷ୍ଣ ଅର୍ଜୁନ ଯହିଁ ଥିଲେ ଉଭାହୋଇ

ସେହି ସ୍ଥାନରେ ବ୍ରାହ୍ମଣ ମିଳିଲାକ ଯାଇ ।

ରାଗେ ଜର ଜର ହୋଇ ଚକ୍ଷୁରୁ ତାହାର

ଅଗ୍ନି ସ୍ଫୁଲିଙ୍ଗ ଯେ କ୍ରୋଧ ହୋଇଛି ବାହାର ।

ଦେଖି ଶ୍ରୀହରି ବୋଲନ୍ତି କୁହ ବିପ୍ରବର

କେଉଁ ନିମନ୍ତେ ଆସିଛ ଆମ୍ଭ ନିକଟର ।

ରାଗେ ବ୍ରାହ୍ମଣ ବୋଲଇ ଏ ସଂସାର ଲୋକ

ଡରି ଭଗବାନ କହୁଛନ୍ତି ସର୍ବ ମୁଖ ।

ପାର୍ଥ ବସିଥିଲା ଶ୍ରୀକୃଷ୍ଣଙ୍କୁ ସମୀପରେ

ଧନୁ ଧରି ଉଭା ହେଲା ବିପ୍ରଙ୍କ ଆଗରେ ।

କୁହ ବିପ୍ର କିମ୍ପା ନିନ୍ଦାକର ଜଗନ୍ନାଥ

ପ୍ରକୃତ କାରଣ ଜଣା ମାରିବି ନଚେତ ।

ବିପ୍ର ବୋଲେ ଦ୍ୱାରକାରେ ଜରା ମୃତ୍ୟୁ ନାହିଁ

ଷଡ଼ ଗୋଟି ପୁତ୍ର ମୋର ମଲେଣି କିମ୍ପାଇ ।

ଗର୍ଭ ଯନ୍ତ୍ରଣା ସହୁଛି ନାରୀ ଦଶମାସ

ଜନ୍ମ ହେଲା ମାତ୍ରେ କେଣେ ଯାଏ ବାଳଶିଷ ।

ପାର୍ଥ ବୋଲେ କ୍ଷତ୍ରିୟ ଯେ ନାହାନ୍ତି ଏଠାର

ନୋହିଲେ ମରନ୍ତା କିମ୍ପା ତୋହର କୁମର ।

ଯାଅ ବିପ୍ର ନିଶ୍ଚିନ୍ତରେ ନିଜ ଗୃହେ ରୁହ

ଅନ୍ୟ ପୁତ୍ର ହେବା ପୂର୍ବୁ ମୋ ଆଗରେ କୁହ ।

ଦେଖିବି କିଏ ସେ ପୁତ୍ର ନେଉଅଛି ହରି

ପ୍ରତିଜ୍ଞା କରୁଛି ଏ ଗାଣ୍ଡିବ ଧନୁ ଧରି ।

ସପତ ବ୍ରହ୍ମାଣ୍ଡେ କେହୁ ତବ ପୁତ୍ରେ ନେବ

ନିଶ୍ଚୟ ପାର୍ଥ ତାହାର ପରାଣ ନାଶିବ ।

ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ପାଶେ ମୁହଁ

ନିୟମ କରୁଛି ତାଙ୍କ ପଦ୍ମପାଦ ଛୁଇଁ ।

ଯଦି ତୁମ୍ଭର ପୁତ୍ରକୁ ରଖି ନ ପାରିବି

ସଙ୍ଗେ ସଙ୍ଗେ ଅଗ୍ନି ଜାଳି ପୋଡ଼ି ମୁଁ ମରିବି ।

ଶୁଣିଣ ବ୍ରାହ୍ମଣ ସାଧୁ ସାଧୁ ବୋଲି କହି

ଗୃହେ ରମଣୀ ଆଗରେ ସମସ୍ତ କହଇ ।

ପୁଣି କିଛିଦିନ ଅନ୍ତେ ବ୍ରାହ୍ମଣର ନାରୀ

ଗର୍ଭବତୀ ହେଲେ ଦଶମାସ ଗଲା ପୂରି ।

ଅର୍ଜ୍ଜୁନ ନିକଟେ ବିପ୍ର ଯାଇ ଜଣାଇଲା

ଆହେ ପାର୍ଥ ମୋ ରମଣୀ ଗର୍ଭବ୍ୟଥା ହେଲା ।

ଶୁଣି ଆଗ୍ରହରେ ବୀର ଧରି ଧନୁଶର

ନିର୍ବନ୍ଧେ ଜଗି ରହିଲା ବ୍ରାହ୍ମଣ ଦୁଆର ।

ଚଉପାଶେ ଶରବନ୍ଧ କରି ଫାଲଗୁନି

ଗୋଟିଏ ଦ୍ୱାରେ ରହିଲା ସେ ଗାଣ୍ଡିବ ଘେନି ।

ଯେତେବେଳେ ବିପ୍ରନାରୀ ପ୍ରସବ କରିଲା

କୁଆଁ ବୋଲନ୍ତେଣ ପୁତ୍ର ପ୍ରାଣ ନାଶହେଲା ।

ପୁତ୍ର ମୃତ୍ୟୁ ଦେଖି ବିପ୍ର ରମଣୀ କାନ୍ଦିଲା

ଶୁଣିଣ ଅର୍ଜୁନ ବୀର ଅନୁତାପ କଲା ।

ବହୁତ ଝିଙ୍ଗାଶି ବିପ୍ର କହଇ ବଚନ

ଏଇଥି ନିମନ୍ତେ କହୁଥିଲ ହେ ଅର୍ଜ୍ଜୁନ ।

ଦେଖ ତୁମ୍ଭ ସମ୍ମୁଖରେ ମୋର ପୁତ୍ର ମଲା

କହିବା କଥା ତୁମର କାର୍ଯ୍ୟେ ନ ଲାଗିଲା ।

ପାର୍ଥ ବୋଲେ ବିପ୍ର ଆଉ ନ କୁହ ଏସନ

ଆଜି ଅଗ୍ନିଜାଳି ମୁହିଁ ମରିବି ବହନ ।

ଏତେ କହି ନିଆଁ ଜାଳି ବୀର ଫାଲଗୁନି

ମରିବାକୁ ଯାନ୍ତେ ପ୍ରବେଶିଲେ ପ୍ରଭୁ ପୁଣି ।

ବ୍ୟସ୍ତ ହୁଅନା ରେ ପ୍ରିୟ ସଖା ତୁ ମୋହର

ଚାଲ ଖୋଜି ଆଣିଦେବା ବ୍ରାହ୍ଣ କୁମର ।

ଶୁ୍ଣି ପାର୍ଥ ମନ ମଧ୍ୟେ କରଇ ବିଚାର

ପୁଣି ଆଣି ତେଲଷ ଆଉ କିବା ଦୋଷ ମୋର

ଗରୁଡ଼କୁ ସୁମରିଲଷ କମଳା ରମଣ

ରମ୍ୟକ ଦ୍ବୀପରେ ପକ୍ଷୀରାଜ ଥିଲା ପୁଣ ।

ଶ୍ରୀହରି ସ୍ମରଣେ ଆସି ପାଶେ ପ୍ରବେଶିଲା

କୃଷ୍ଣ ଅରଜୁନ ପାଦେ ପ୍ରଣାମ ହୋଇଲା ।

ଗରୁଡ଼ ବୋଲଇ ବଡ଼ ସୌଭାଗ୍ୟ ମୋହର

ଦର୍ଶନ କରିଲି ହରି ଅର୍ଜ୍ଜୁନ ପୟର ।

ଶ୍ରୀହରି ବୋଇଲେ ଯମପୁରେ ଚାଲ ନେଇ

ବିପ୍ରଙ୍କର ପୁତ୍ର ଥିବେ ସେ ସ୍ଥାନରେ ରହି ।

ଶୁଣିଣ ଗରୁଡ଼ କାୟା କରିଲା ବିସ୍ତାର

ଅର୍ଜୁନ ସହିତେ ବିଜେ କମଳାର ବର ।

ଅତି ପ୍ରଖର ବେଗରେ ବୈନତେୟ ଗଲା

ନିମିଷକେ ଯାଇ ଯମପୁରରେ ମିଳିଲା ।

ଖବର ପାଇବା ମାତ୍ରେ ସୂର୍ଯ୍ୟଙ୍କ କୁମର

ପ୍ରଭୁଙ୍କ ପାଶରେ ଆସି ହୋଇଲା ହାଜର ।

ପାଦତଳେ ପଡ଼ି ବୋଲେ ଆଦିତ୍ୟଙ୍କ ସୁତ

କିମ୍ପା ମୋ ପୁରକୁ ଦେବ ହେଲ ଉପଗତ ।

ଶ୍ରୀକୃଷ୍ଣ ବୋଇଲେ ବିପ୍ର ପୁତ୍ର ତୁମ୍ଭେ ଆଣି

ରଖିଅଛୁ ଦିଅ ଆମ୍ଭେ ନେବୁ ଏହିକ୍ଷଣି ।

ଜନ୍ତୁରାଣ ଚିତ୍ରଗୁପ୍ତ ପାଶକୁ ହକାରି

ବୋଇଲଶ ବିପ୍ର ପୁତ୍ର କି ଛନ୍ତି ଆମ୍ଭ ପୁରୀ ।

ଚିତ୍ରଗୁପ୍ତ ବୋଲେ ଦ୍ଵାରକାକୁ ଯିବା ପାଇଁ

ଆମ୍ଭର କି ସାଧ୍ୟ ଅଛି କହ ଲକ୍ଷ୍ମୀସାଇଁ ।

ଯେଉଁ ପୁରେ ସୁଦର୍ଶନ ଅହରହ ଘୂରେ

ମାଛି ଗୋଟିଏ ପଡ଼ିଲେ ନବଖଣ୍ଡ କରେ ।

ବ୍ରାହ୍ମଣ ସନ୍ତାନ ଅବା ଆମ୍ଭ କେଉଁପରି

ଆଣିବୁ ସେ ସ୍ଥାନୁ କୁହ ଆହେ ଦଇତ୍ୟାରି ।

ସେଠୁ ନିରାଶ ହୋଇଣ କୃଷ୍ଣ ଅରଜୁନ

ପ୍ରତ୍ୟେକ ପୁର ଖୋଜିଲଷ କରି ତନ୍ନ ତନ୍ନ ।

କୌଣସି ସ୍ଥାନେ ନ ପାଇ ନିରାଶେ ଫେରିଲେ

ପାତାଳ ବୈକୁଣ୍ଠେ ଯାଇ ପ୍ରବେଶ ହୋଇଲେ

ସ୍ୱୟଂ ନିରାକାର ସ୍ଵାମୀ ଅନନ୍ତ ଶଯ୍ୟାରେ

ଶୋଇଛନ୍ତି ଲକ୍ଷ୍ମୀ ପାଦ ମଞ୍ଚାଳନ୍ତି ଧୀରେ ।

ହରି ଅରଜୁନ ଦୁହେଁ ଏକାବେଳେ ତହିଁ

ଶ୍ରୀକୃଷ୍ଣଙ୍କୁ ପାଦତଳେ ପ୍ରଣମିଲେ ଯାଇ ।

ଦୁଇଜଣ ଦେଖି ସ୍ୱାମୀ ଆନନ୍ଦ ହୋଇଲେ

ପାଶେ ବସାଇଣ ପ୍ରଭୁ ତିଆରି କହିଲେ ।

ଭାରା ନିବାରଣେ ଯାଇଥିଲ ତୁମ୍ଭେ ଦୁଇ

ସମସ୍ତ ଦାନବ ଧ୍ୱଂସି ଉଶ୍ଵାସିଲେ ମହୀ ।

ଆଉ ଯାହା ବାକି ଅଛି କର ଶୀଘ୍ର ଶେଷ

ତୁରନ୍ତି କାର୍ଯ୍ୟ ସାରିଣ ନିଜ ପୁରେ ଆସ ।

ମର୍ତ୍ତ୍ୟପୁରେ ରହି ବୃଥା ମାୟାମୋହେ ପଡ଼ି

ପୁତ୍ର ପୌତ୍ରାଦି ସ୍ନେହରେ ରହୁଅଛ ପଡ଼ି ।

ଆହେ କୃଷ୍ଣ ବଢ଼ିଲେଣି ତୋର ବହୁ ବଂଶ

ଦୈତ୍ୟମାନଙ୍କଠାରୁ ସେ ଅଟନ୍ତି ବିଶେଷ ।

ତାଙ୍କ ଭାର ସହି ନ ପାରିଣ ବସୁନ୍ଧରୀ

ପ୍ରତିଦିନ ମୋ ନିକଟେ କରଇ ଗୁହାରି ।

ତୁରନ୍ତ ତାକୁ ନିରାଶ କରି ତୁମ୍ଭେ ଦୁଇ

ଲକ୍ଷ୍ମୀଙ୍କୁ ସଙ୍ଗରେ ଘେନି ଆସ ହେ ପଳାଇ ।

ରାଧାଙ୍କ ମନ ଗୋପରେ ଆଉ ନ ଲାଗଇ

ନିତ୍ୟକୁ ଆସିବା ପାଇଁ ବ୍ୟସ୍ତ ଅଛି ହୋଇ ।

ନିକଟରେ ଯଦୁବଂଶ କରିଣ ସଂହାର

ଶୀଘ୍ର ଉଶ୍ଵାସ କରାଅ ଅବନୀର ଭାର ।

ବଳରାମ ସୁଦେହରେ ଆସିବେ ପଳାଇ

ତୁ ଜରା ହସ୍ତରେ ମରି ପଛେ ଆସିବୁଇଁ ।

ଅର୍ଜ୍ଜୁନଠାରୁ ତୁ କଳା ଘେନିଣ ଆସିବୁ

ରେ ପାର୍ଥ ତୁହି ଦ୍ରୋପଦୀ ଖପରେ ପଡ଼ିବୁ ।

ସେ ଯେ ଆଦିମାତା ବହୁଦିନୁ ଅଛି ଚାହିଁ

ତୁମ୍ଭ ଚାରିଭାଇ ରକ୍ତେ ତୃପ୍ତ ସେ ହେବଇଁ ।

ଏକା ଯୁଧିଷ୍ଠିର ସ୍ୱଦେହରେ ସ୍ୱର୍ଗପୁରେ

ଆସିବେ ନ ପଡ଼ି ସେହି ଦ୍ରୌପଦୀ ଖପରେ ।

ସେଇଥି ନିମନ୍ତେ ବିପ୍ରପୁତ୍ର ମୁହିଁ ହରି

ଆଣିଛି ଦୁହିଁଙ୍କ ନ ଆସିବା ଦେଖି ଡେରି ।

ଏହା କହି ସ୍ୱାମୀ ବିପ୍ରପୁତ୍ର କରେ ଦେଇ

ବୋଇଲେ ଯାଅ ଏହାଙ୍କୁ ସଙ୍ଗେ ତୁମ୍ଭେ ନେଇ

କିନ୍ତୁ ମୋର ବାକ୍ର ମାନି ବିଳମ୍ବ ନ କର

ନିଜ ବଂଶ ଧ୍ୱଂସି ଶୀଘ୍ର ଆସ ନିଜପୁର ।

ପୁଣି ପିତାଙ୍କ ବଚନ ସନମତ କରି

ବିପ୍ର ପୁତ୍ର ଧରି ଦୁହେଁ ଆସିଲେକ ଫେରି ।

ଦ୍ୱାରକା ନଗରେ ଆସି ପ୍ରବେଶ ହୋଇଲେ

ବ୍ରାହ୍ମଣ ଘରେ ନେଇ ତା ପୁତ୍ରଙ୍କୁ ଯେ ଦେଲେ ।

ପୁତ୍ରଙ୍କୁ ଦେଖି ଆନନ୍ଦ ବ୍ରାହ୍ମଣ ବ୍ରାହ୍ମଣୀ

ଶ୍ରୀହରି ଅର୍ଜ୍ଜୁନେ ବହୁ ପ୍ରଶଂସିଲେ ପୁଣି ।

ପୁରବାସୀଗଣ ଦେଖି ଆନନ୍ଦ ହୋଇଲେ

ଧନ୍ୟଧନ୍ୟ କୃଷ୍ଣଚନ୍ଦ୍ର ବୋଲି ପ୍ରଶଂସିଲେ ।

ଏକାନ୍ତରେ ଅର୍ଜ୍ଜୁନଙ୍କୁ କହନ୍ତି ଶ୍ରୀଧର

ମନେ ରଖିଲ ତ ପାର୍ଥ ନିରାକାର ଗିର ।

ତୁହି ତୋହର ଜୀବନ ଶୀଘ୍ର ଶେଷକର

ମୁହିଁ ଆଜିଠାରୁ କରୁଅଛି ପ୍ରତିକାର ।

ବହୁତ ତିଆରି ଅର୍ଜ୍ଜୁନରେ ବିଦାକଲେ

ନିଜ ଅନ୍ତଃପୁରେ ପ୍ରଭୁ ପ୍ରବେଶ ହୋଇଲେ ।

ପୁତ୍ର ନାତି ପଣନାତିମାନେ ଦେଖି ହରି

ଲୋତକ ବରଷା କଲେ ଚକ୍ଷୁରୁ ଶ୍ରୀହରି ।

ପ୍ରଭୁଙ୍କୁ କାନ୍ଦିବା ଦେଖି ସତ୍ୟଭାମା ନାରୀ

ବହୁତ ବୁଝାଇ ଲୁହ ପୋଛଇ ସୁନ୍ଦରୀ ।

ବୋଲଇ କିମ୍ପାଇ କାନ୍ତ କରୁଛ କ୍ରନ୍ଦନ

କେବେ ଦେଖି ନାହିଁ ତବ ମଳିନ ବଦନ ।

ସେ ତ ମାୟାଧର ପ୍ରଭୁ ମାୟା ଆରମ୍ଭିଲେ

ସତ୍ୟଭାମାଙ୍କୁ ଯେ ଅନ୍ୟ କଥା ବୁଝାଇଲେ ।

ଦେବୀଙ୍କ ପୁରରେ ପ୍ରଭୁ ରଜନୀ ବଞ୍ଚିଲେ

ନିତ୍ୟେ ଯିବା ପାଇଁ ମନେ ମନେ ଚିନ୍ତାକଲେ ।

ଏହି ସମୟରେ ତେଣେ ସ୍ୱର୍ଗେ ଦେବଗଣ

ସୁଧର୍ମା ସଙ୍ଗରେ ସର୍ବେ ମିଳିଲେ ଆସିଣ ।

ସମସ୍ତେ ମିଳିଣ କଲେ ସଭା ଆୟୋଜନ

ଉଠିଣ କୁବେର ଦେବ ବୋଲନ୍ତି ବଚନ ।

ଏତେ ବଡ଼ ସଭା ଆୟୋଜନ ହୋଇଅଛି

ଏକା ଜଣେ ନଥିବାରୁ ଖରାପ ଦିଶୁଛି ।

ଧାତା ବୋଇଲେ କିମ୍ପାଇଁ ହେଉଅଛ ବ୍ୟସ୍ତ

ହେଲାଣି ସମୟ ଆସିଯିବେ ଜଗନ୍ନାଥ ।

ଶୁଣିଛି ମୁଁ ବିପ୍ରସୁତ୍ର ଲାଗି ଭଗବାନ

ଅର୍ଜ୍ଜୁନକୁ ନେଇ ନିତ୍ୟେ କରିଲେ ଗମନ ।

ଆଜ୍ଞା ଦେଇଛନ୍ତି ତାଙ୍କୁ ପ୍ରଭୁ ନିରାକାର

ବଂଶ ଧ୍ୱଂସି ଆସିବେ ନିକଟେ ସ୍ୱର୍ଗପୁର ।

ଯେତେ ଦିନ ଯଦୁବଂଶ ବିନାଶ ନୋହିଛି

ଯେତେଦିନ ପୃଥ୍ବୀଭାଗ ଉଶ୍ଵାସ ନୋହିଛି ।

ଶ୍ରୀକୃଷ୍ଣଙ୍କ ପୁତ୍ର ଗଣ ମହା ଧୁରନ୍ଧର

ଏକେ ଏକେ ଜିଣି ଯେ ପାରନ୍ତି ତିନିପୁର ।

ସେମାନଙ୍କୁ କଉଶଳେ ନାଶି ଚକ୍ରଧର

ଲକ୍ଷ୍ମୀଙ୍କୁ ସଙ୍ଗରେ ଧରି ଆସିବେ ସଭାର ।

ଶୁଣିଣ ଦେବତାଗଣ ଆଶ୍ଚର୍ଯ୍ୟ ହୋଇଲେ

କିପରି ବଂଶ ନାଶିବେ ଧାତାଙ୍କୁ ବୋଇଲେ ।

ବିଧାତା ବୋଲନ୍ତି ସେ ତ ଅନ୍ତର୍ଯ୍ୟାମୀ ନାଥ

କେହି ସଂସାରେ ନ ପାନ୍ତି ତାର ଆଦିଅନ୍ତ ।

ସାମାନ୍ୟ ମନୁଷ୍ୟ ପରି ନୁହନ୍ତି ଯେ ସେହି

ପୁତ୍ର ଭାର୍ଯ୍ୟା ମୋହ ତାଙ୍କ ଅଙ୍ଗେ ଛୁଇଁବଇଁ

ସକଳ ବ୍ରହ୍ମାଣ୍ଡ ତାର ଗର୍ଭରେ ରହିଛି

ନିମିଷକେ ସୃଷ୍ଟି ସ୍ଥିତି ପ୍ରଳୟ କରୁଛି ।

ତେଣୁ ଆଉ ଅଳ୍ପଦିନେ କମଳା ରମଣ

ସ୍ୱସ୍ଥାନକୁ ଯିବେ ମାରି ସର୍ବ ଯଦୁଗଣ ।

ନିଜ ହସ୍ତେ ମାରିବାଟା ଉଚିତ ନୁହଇ

ଦୁର୍ବାସା ଋଷିଙ୍କୁ ଆମ୍ଭେ ପଠାଇବା ତହିଁ ।

ଶ୍ରୀହରିଙ୍କ ପୁତ୍ର ତାଙ୍କୁ ଛଳନା କରିବେ

ରାଗେ ମହର୍ଷି ତାହାଙ୍କୁ ଅଭିଶାପ ଦେବେ ।

ଅନ୍ୟ ପୁତ୍ରମାନେ ଶାମ୍ବେ ନାରୀବେଶ କରି

ଲୁହାପାତ୍ର ଗୋଟିଏ ତା ଉଦରରେ ଭରି ।

ଋଷିଙ୍କୁ ବୋଲିବେ କିସ ଅଛି ୟା ଗର୍ଭରେ

ପୁତ୍ର କିମ୍ବା କନ୍ୟା ଅଛି କୁହ ୟା ମଧ୍ୟରେ ।

ରାଗେଣ ଋଷି ବୋଲିବେ ଗର୍ଭେ ଅଛି ବାଳ

ନିଷ୍ଠୁର କର୍କଶ ଲୌହ ପିଣ୍ଡ ଯେ ପ୍ରଜ୍ଜ୍ୱଳ

ସେହି ଲୌହପିଣ୍ଡ ବର୍ତ୍ତମାନ ପ୍ରସବିବ

ସକଳ ଯଦୁବଂଶକୁ ବିନାଶ କରିବ ।

ଏତେ କହି ଋଷିବର ଅନ୍ତର୍ଦ୍ଧାନ ହେବେ

ଶାପ୍ୟ ପ୍ରତିକାର ଆଉ ରୁକ୍ଷ ନ କରିବେ ।

ଶୁଣି ସର୍ବ ପୁତ୍ରମାନେ ମନେ କ୍ଷୋଭ ବହି

ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଆଗେ କହିଦେବି ଯାଇ ।

ଶୁଣି ନାରାୟଣ ମହାଭୟ ଯେ ପାଇବେ

ଲୌହ ଘଷିବାର ପାଇଁ ଲୋକ ପଠାଇବେ ।

ଘଷନ୍ତେ ବାହାର ହେବ ଫେନ ତା ମଧ୍ୟରୁ

ପ୍ରକାଣ୍ଡ ଏରକାବନ ହେବ ସେହିଠାରୁ ।

ଅବଶିଷ୍ଟ ଯେଉଁ ଲୌହ ଦେବେ ଫୋପଡ଼ାଇ

ଜରା ଶବର କରିବ ନାରାଚ ତା ପାଇଁ ।

ଏରକାବଣେ ସଂଗ୍ରାମ ଯାଦବେ କରିବେ

କାଦମ୍ବରୀ ପାନେ ସର୍ବେ ବିହ୍ୱଳ ହୋଇବେ ।

ବଳରାମ ସର୍ପ ରୂପେ ସମୁଦ୍ରେ ପଶିବେ

ନିଜ ମଧ୍ୟେ ହଣାହଣି ଯାଦବେ ହୋଇବେ ।

ଶେଷେ କୃଷ୍ଣ ବିଶ୍ରାମିବେ ଶିଆଳି ଲତାରେ

ସେହି ନାରାଚ ଯେ ଜରା ମାରିବ ସେଠାରେ ।

ତା ପରେ ଅର୍ଜ୍ଜୁନ ଯାଇ ସେଠାରେ ମିଳିବ

କଳା ନେଇ ତାହାଠାରୁ ଚଳିବେ ମାଧବ ।

ଅଗ୍ନିରେ ଦହିବ ପିଣ୍ଡ ସବ୍ୟସାଚୀ ବୀର

ଅକ୍ଷୟ ପିଣ୍ଡ ଯେ କ୍ଷୟ ନ ହେବ ଅଗ୍ନିର ।

ଶୂନ୍ୟ ଡାକ ଶୁଣି ଜଳେ ମେଲିଦେବ ସେହି

ବାଙ୍କୀ ମୁହାଁଣରେ ପ୍ରଭୁ ଲାଗିବେକ ଯାଇ ।

କଳିଯୁଗେ ଦାରୁବ୍ରହ୍ମ ରୂପେ ଦାମୋଦର

ସେହି ଦରପୋଡ଼ା ମୂର୍ତ୍ତି ହୋଇବେ ଠାକୁର ।

ତା ପରେ ପ୍ରଭାସତୀର୍ଥେ ଶ୍ରୀକୃଷ୍ଣଙ୍କ ନାରୀ

ପ୍ରାଣ ହରାଇବେ ସର୍ବେ ସ୍ୱାମୀଙ୍କୁ ସୁମରି ।

ସାକ୍ଷାତେ ପରମ ଲକ୍ଷ୍ମୀ ତାଙ୍କୁ ଯେତେ ନାରୀ

ବୈକୁଣ୍ଠରେ ପ୍ରଭୁ ପାଶେ ମିଳିବେ ସବୁରି ।

ଏହିପରି ଧାତା ଦେବଗଣଙ୍କୁ କହିଲଷ

ଶୁଣିଣ ସର୍ବଦେବତା ସନ୍ତୁଷ୍ଟ ହୋଇଲେ ।

କିପରି ସ୍ବର୍ଗକୁ ଶୀଘ୍ର ଆସିବେ ଶ୍ରୀଧର

ଦେବଗଣ ଭିଆଇଲେ ଉପାୟ ତାହାର ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତ

ହରିନାମ ଅଟଇ ଯେ ଜଗତେ ପବିତ୍ର ।

ଯେଉଁ ନାମ ଜପକରି ଦସ୍ୟୁ ରତ୍ନାକର

ବାଲ୍ମିକୀ ନାମରେ ପୂଜାହୁଅନ୍ତି ସଂସାର ।

ଏହି ନାମ ଜପକରି ସୁଦାମା ଦରିଦ୍ର

ଏ ରାତ୍ରକେ ପାଇଲା ସ୍ୱରଗ ସମ୍ପଦ ।

ମୃତ୍ୟୁବେଳେ ଅଜାମ୍ବିଳ ନାମ ସୁମରିଲା

ପାତକ ବହୁ ଧ୍ୱଂସିଣ ବୈକୁଣ୍ଠେ ବସିଲା ।

ମହାପୁରୁଷ ଅଚ୍ୟୁତ ଯାହା ରଚିଛନ୍ତି

ତା ମଧ୍ୟରୁ ସାର ତତ୍ବ ହୋଇଅଛି ମୁକ୍ତି ।

ହରିବଂଶ ଭାଗବତ ଦ୍ବୟ ମନ୍ଥାହୋଇ

ଏହି ଚିତ୍ତବୋଧ ଗ୍ରନ୍ଥଗୋଟି ଯେ ରଚଇ ।

ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟି

ଅଜ୍ଞାନ କ୍ଷେତ୍ରମୋହନ ଏ ଗ୍ରନ୍ଥ ଲେଖଇ ।

 

ରହସ୍ୟ ଦ୍ୱାରକାପୁର ସ୍ଥାପନ ଓ
ଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କର ଗୋପକୁ ଗମନ

ଶୁଣ ଆହେ ସାଧୁଜନେ ଅପୂର୍ବ ଚରିତ

ଚିତ୍ତବିନୋଦ ଗ୍ରନ୍ଥ ଏ ଅଟଇ ଅମୃତ ।

ତ୍ରିସନ୍ଧ୍ୟାରେ ଏ ପୁରାଣ ଯେ ନର ପଢ଼ଇ

ଅନ୍ତଃକାଳେ ନିଶ୍ଚେ ସେ ବୈକୁଣ୍ଠପ୍ରାପ୍ତହୋଇ

ଅର୍ଜ୍ଜୁନ ସହ ଶ୍ରୀକୃଷ୍ଣ ଗୁରୁପୁତ୍ର ଆଣି

ନିରାକାରଙ୍କ ଆଦେଶ ପାଇ ଚକ୍ରପାଣି ।

ସବୁବେଳେ ହୃଦେ ଚିନ୍ତା କରନ୍ତି ଶ୍ରୀଧର

କିପରି ବଂଶ ବିନାଶି ଯିବି ସ୍ୱର୍ଗପୁର ।

ଏହିକଥା ମନେ ମନେ ଭାବି ଚକ୍ରଧର

ଦିନୁ ଦିନୁ ତନୁ କ୍ଷୀଣ ହେଲା ତାହାଙ୍କର ।

ଏକଦିନେ ଅଷ୍ଟ ପାଟବଂଶୀ ଘେନି ହରି

ଅନ୍ତପୁରେ ବିଜୟ କରିଲେ ବଂଶୀଧାରୀ ।

ରୁକ୍ମିଣୀ ସତ୍ୟଭାମା ଯେ ଚନ୍ଦନ ଲେପନ୍ତି

ଜମ୍ବୁବତୀ ସତ୍ୟବତୀ ଚାମର ପକାନ୍ତି ।

ଶ୍ରୀୟା ତୁଳସୀ କମଳା ପାଦ ମଞ୍ଚାଳନ୍ତି

କାଳିନ୍ଦୀ ଜଳେ ସୁବାସ ତାମ୍ବୁଳ ଭୁଞ୍ଜାନ୍ତି ।

ଏହି ପରକାରେ ସର୍ବେ ସେବା କରୁଥାନ୍ତି

ହାସ୍ୟ ପରିହାସେ ପ୍ରଭୁ ମନ ଯେ ମୋହନ୍ତି ।

ରୁକ୍ମିଣୀ ସତ୍ୟଭାମା ଯେ ଶ୍ରୀମୁଖକୁ ଚାହିଁ

ବୋଇଲେ ଆମ୍ଭରେ ମାୟା କଲ ପ୍ରାଣସାଇଁ ।

କହିଥିଲ ପରା ଦେଖାଇବ ଗୋପପୁର

ତୁମ୍ଭ ପ୍ରତି ଗୋପୀଙ୍କର ବହୁତ ଆଦର ।

ପୁଣି କହିଥିଲ ମହାନିତ୍ୟ ରାସେଶ୍ୱରୀ

ଚନ୍ଦ୍ରସେଣାପୁରେ ଛନ୍ତି ରାଧା ରୂପ ଧରି ।

ସେ କଥା କି ଭୁଲିଗଲ ହେ ପରାଣନାଥ

ଥରେ ଆମ୍ଭଙ୍କୁ ଦେଖାଇ କରନ୍ତୁ ପବିତ୍ର ।

ଶ୍ରୀକୃଷ୍ଣ ବୋଇଲେ ନିଶ୍ଚେ ଦେଖାଇବି ନେଇ

ଆଉ କିଛିଦିନ ତୁମ୍ଭେ ରୁହ ପ୍ରାଣସହୀ ।

ମାୟାରେ ନାରୀମାନଙ୍କ ମନକୁ ମୋହିଲେ

ଆନନ୍ଦରେ ଜଗନ୍ନାଥ ରଜନୀ ବଞ୍ଚିଲେ ।

ଏତେ ଦିନେ ଦ୍ଵାରକାରେ ଥିଲେ ଦଇତ୍ୟାରି

ଆଜି ଗୋପକଥା ମନେ ପଡ଼ିଲା ତାଙ୍କରି ।

ଚକ୍ଷୁ ଆଗରେ ନାଚିଲା ଗୋପ ବୃନ୍ଦାବନ

ଶ୍ରୀରାଧା ସହିତ ଅଷ୍ଟ ସଖୀଙ୍କ ମିଳନ ।

ପିତା ନନ୍ଦ ମାତା ଯଶୋବନ୍ତୀ ଗୋପବାଳ

ସବୁରି କଥା ମନରେ ଚିନ୍ତି ଆଦିମୂଳ ।

ମଧୁରପୁରକୁ ଅକ୍ରୂର ଯେ ବେଳେ ଆଣିଲା

ଗୋପୀଙ୍କ କାରୁଣ୍ୟ ପ୍ରଭୁ ନୟନେ ନାଚିଲା ।

ତାଙ୍କ ଭାବରେ ବିହ୍ବଳ ହେଲେ ଚକ୍ରଧର

ବରୁଣ ନିକଟେ ଯାଇଁ ହୋଇଲେ ହାଜର ।

ପ୍ରଭୁଙ୍କୁ ଦେଖି ରାଜନ ପାଦଅର୍ଘ୍ୟ ଦେଖ

ବୋଇଲେ ମୋ ପୁରେ ଦେବ ବିଜୟ କିମ୍ପାଇ ।

ଶ୍ରୀହରି ବୋଇଲେ ଆମ୍ଭ ବୋଲ ମାନ ତୁହି

ସହସ୍ର ଯୋଜନ ଦୂରେ ଦିଅ ଆଉ ମହୀ ।

ଗୋପପୁର ନଗ୍ରଲୋକ ରହିବା ନିମନ୍ତେ

ଆଉ ଏକ ପୁର ଆମ୍ଭେ ଭିଆଲବୁ ଏଥେ ।

ତାଙ୍କ ବିନେ ଆମ୍ଭ ପ୍ରାଣ ହେଉଛି ଅସ୍ଥିର

ବୃଦ୍ଧକାଳେ ପିତାମାତା ଢାଳୁଛନ୍ତି ନୀର ।

ମୋ ବିରହେ ଗୋପୀମାନେ ସୁଦ୍ଧା କାନ୍ଦୁଛନ୍ତି

ଯେତେ ମତେ ବୁଝାଇଲେ ନ ହୁଅନ୍ତି ଶାନ୍ତି ।

ଶୁଣି ବରୁଣ ବୋଇଲଶ ଦ୍ୱାରକା ନିକଟ

ଆଉ ଏକ ପୁର କରିବିକି ନନ୍ଦଚାଟ ।

ଶ୍ରୀହରି ବୋଇଲେ ଦ୍ଵାରକାରୁ ଶତେଯୁଣ

ଅନ୍ତରେ ରହିବ ମୋର ପ୍ରିୟ ଗୋପୀଗଣ ।

ଶୁଣିଣ ବରୁଣ ରାଜା ସନମତ କଲା

ସାଙ୍ଗେ ସାଙ୍ଗେ ଶତେ ଯୁଣ ସମୁଦ୍ର ଛାଡ଼ିଲା ।

ସ୍ଥଳ ଦେଖି ମହାପ୍ରଭୁ ଆନନ୍ଦ ହୋଇଲେ

ବିଶ୍ଵକର୍ମାକୁ ଯେ ମନେ ମନେ ସୁମରିଲେ ।

ଆଜ୍ଞା ପାଇ ବିଶ୍ଵକର୍ମା ମିଳିଲା ବହନ

ତାହାକୁ ଆଜ୍ଞା କରିଲେ ପ୍ରଭୁ ଭଗବାନ ।

ଆଜି ରାତ୍ର ମଧ୍ୟେ ଏଥେଁ ପୁର ଏକ କର

ଦ୍ୱାରକାରୁ ଶତେ ଗୁଣ ହୋଇବ ସୁନ୍ଦର ।

ଦେଖିଛ ତ ଗୋପପୁରେ ଯେତେ ନାରୀବର

ତାହାଙ୍କ ପାଇଁ ରହସ୍ୟ ଦ୍ବାରକା ତିଆର ।

ଶୁଣି ବିଶ୍ଵକର୍ମା ପୁର ଏକ ଭିଆଇଲା

ଦ୍ୱାରକାରୁ ଶତେଗୁଣ ଶୋଭା ପ୍ରକାଶିଲା ।

ଷୋଳ ସହସ୍ର ଗୋପୀଙ୍କ ପାଇଁ ଗୋଟି ଗୋଟି

ନିର୍ମାଣ କରିଲା ପୁର ଯେ ଶୋଭା ପାଏଟି ।

ନନ୍ଦ ଯଶୋଦା ପାଇଁକି ସେ ଏକ ନଅର

କରିଲା ଯତନେ ବିଶ୍ଵକର୍ମା ଯେ ତିଆର ।

ଗୋପପୁରେ ଯେଉଁ ପୁର ନନ୍ଦର ଅଛଇ

ତାହା ପରି ଶତେ ଗୁଣ ଶୋଭା ବିକଶଇ ।

ସମସ୍ତଙ୍କଠାରୁ ବଳି ଦିଶେ ଶୋଭାବନ

ଶ୍ରୀରାଧା ରହିବା ପାଇଁ ରହିଛି ଯତନ ।

ଏକରାତ୍ର ମଧ୍ୟେ ପୁର ଗୋଟି ନିର୍ମାଣିଲା

ପ୍ରଭାତରୁ ଜଗନ୍ନାଥ ନିକଟେ ମିଳିଲା ।

ପୁର ଦେଖି କୃଷ୍ଣଚନ୍ଦ୍ର ବହୁ ପ୍ରଶଂସିଲେ

ଧନ୍ୟ ଧନ୍ୟ ବିଶ୍ୱକର୍ମା ଅଟୁ ତୁ ବୋଇଲେ ।

ମୋହରି କଳ୍ପନାଠାରୁ ହୋଇଛି ଅଧିକ

ଏହା ଦେଖି କଣ୍ଠହାର ଦେଲେ ପଦ୍ମମୁଖ ।

ଦେଖି ଶ୍ରୀରାଧାଙ୍କ ପୁର ପ୍ରଭୁ ଚକ୍ରଧର

ଭାବିଲେ ଏ ମନଲାଖି ହୋଇଛି ପ୍ରିୟାର ।

ରହସ୍ୟ ଦ୍ବାରକା ବୋଲି ନାମ ଦେଇ ତାର

ଦ୍ୱାରକାରେ ପ୍ରବେଶିଲେ ପ୍ରଭୁ ଚକ୍ରଧର ।

ଉଦ୍ଧବ ଅକ୍ରୂର ନିଜ ପାଶକୁ ଡକାଇ

ବୋଇଲେ ଚାଲ ମୋ ସଙ୍ଗେ ଆଜି ତୁମ୍ଭେ ଦୁଇ

ଗୋପପର ଯିବା ପାଇଁ ବଳିଛି ମୋ ମନ

ଯେପରି ନ ପାନ୍ତି କେହି ଆମ୍ଭର ସନ୍ଧାନ ।

ଦାରୁକକୁ କୁହ ରହୁବର ସଜକରୁ

ରାତ୍ର ଥାଉ ପଳାଇବା ଦ୍ୱାରକା ନବରୁ ।

ଗୋପୀମାନଙ୍କର ମୁଖ ନୟନେ ନାଚଇ

ଶ୍ରୀରାଧାଙ୍କ ଭାବ ଆଜି ମନରେ ପଡ଼ଇ ।

ମାତା ଯଶୋଦା ତାଙ୍କ ସ୍ନେହ ଭୁଲି ନ ପାରଇ

ଯେତେ ବୁଝାଇଲେ ମୋର ମନ ନ ବୁଝଇ ।

ମୋ ପିତାମାତା ସହିତେ ଯେତେଗୋପୀଗଣ

କରିଛି ତାହାଙ୍କ ପାଇଁ ମୁଁ ପୁର ନିର୍ମାଣ ।

ବୃଦ୍ଧକାଳେ ତାହାଙ୍କର କେହି ସାହା ନାହିଁ

କାନ୍ଦୁଥିବେ ନୟନରୁ ଲୋତକ ଝରାଇ ।

ବଳରାମ ଠାକୁର ଗୋପକୁ ଯାଇଥିଲେ

ସର୍ବେ କାନ୍ଦୁଛନ୍ତି ସଦା ମୋ ଆଗେକହିଲେ ।

ସେହି ଦିନୁ ମନ ମୋର ଆକୁଳ ହେଉଛି

ତାହାଙ୍କୁ ନ ଦେଖି ସଦା ପରାଣେ କାନ୍ଦୁଛି ।

ଦାରୁକ ରଥ ଆଣିଣ ହୋଇଲା ହାଜର

ଉଦ୍ଧବ ଅକ୍ରୂର ସହ ହୋଇଲା ବାହାର ।

ଦ୍ୱାରକାରେ ଏ ଖବର ନ ଜାଣନ୍ତି କେହି

ଗୁପ୍ତେ ଗୋପ ଗମିଲେ ପ୍ରଭୁ ଭାବଗ୍ରାହୀ ।

ଦିବା ଦଶଘଡ଼ି ମଧ୍ୟେ ଯମୁନ କୂଳରେ

ଦାରୁକ ନେଇଣ ରଥ ମିଳିଲା ସେଠାରେ ।

ଶ୍ରୀକୃଷ୍ଣ ବୋଇଲେ ଏଇ ସ୍ଥାନେ ରଥ ରଖ

ବୃନ୍ଦାବନରେ ବୁଲିବା ସର୍ବେ ହୋଇ ସାଥ

ସେହି ସ୍ଥାନେ ସର୍ବେ ରଖାଇଣ ରହୁବର

ସର୍ବେ ବୃନ୍ଦାବନ ଗଲେ ପ୍ରଭୁଙ୍କ ସଙ୍ଗର ।

ଶ୍ରୀକୃଷ୍ଣଚନ୍ଦ୍ରଙ୍କ ମୁଖ ଦେଖିଣ ଯମୁନା

ବୋଇଲେ ଆଜି ମନେ କି ପଡ଼ିଲା ନନ୍ଦ କହ୍ନା ।

କଦମ୍ବ ମୂଳରେ କୃଷ୍ଣ ପ୍ରବେଶ ହୋଇଲେ

ରତନ ସିଂହାସନରେ ଯାଇଣ ବସିଲେ ।

କଦମ୍ବ ବୃକ୍ଷ ବୋଲଇ ପ୍ରଭୁ ଠକିଦେଇ

ଚାରୋଟି ଦିନକୁ କହିଗଲ କେଣେ ରହି ।

ତୁମ୍ଭଙ୍କୁ ଚାହିଁ ରହିଛି ଚାତକର ପରି

ଏତେ ଦିନେ ମୁହିଁ ମନେ ପଡ଼ିଲି ଶ୍ରୀହରି ।

ମୋହନ ମୁରଲୀ ନାଦ କର୍ଣ୍ଣେ ପଡୁ ନାହିଁ

ଅପବିତ୍ର ହୋଇଲାଣି ଏ ମୋହର ଦେହୀ ।

ସେଠାବରୁ ଜଗନ୍ନାଥ ହରଷେ ଚଳିଲେ

ଶ୍ରୀବୃନ୍ଦାବନରେ ଯାଇ ପ୍ରବେଶ ହୋଇଲେ ।

ସେ ବନ ମଧ୍ୟରେ ଯେତେ ଜୀବଜନ୍ତୁ ଥିଲେ

କୃଷ୍ଣ ଆସିବାର ଦେଖି ସରବେ ଧାଇଁଲେ ।

ମୟୂର ମୟୂରୀ ପୁଣି କୁରଙ୍କ କୁରଙ୍ଗୀ

ସମସ୍ତେ ଶ୍ରୀକୃଷ୍ଣ ସହ ହେଉଥିଲେ ଭ୍ରମି ।

ଦେଖିଲେ ଯହୁଁ କମଳ ନୟନ ଆସନ୍ତି

ଧାଇଁଯାଇ ଚଉପାଶ ବେଢ଼ିଲେ ଝଟତି ।

ତାହାକୁ ଦେଖି ଶ୍ରୀହରି ହୋଇଲେ ବିକଳ

ନୟନରୁ ଧାର ଧାର ବହେ ଅଶ୍ରୁଜଳ ।

ସ୍ୱହସ୍ତେ ସଭିଙ୍କ ଅଙ୍ଗ ଆଉଁସି ଶ୍ରୀଧର

ମୟୂର ମୟୂରୀ ପାଶେ ହୋଇଲେ ହାଜର ।

ନର୍ତ୍ତନ କରନ୍ତି ପ୍ରଭୁ ଦେହେ ଘଷିହୋଇ

ପର ମେଲାଇ ହରଷେ ଖେଳନ୍ତି ଯେ ଦୁଇ ।

ଶୁଣି ଉଦ୍ଧବ ଅକ୍ରୂର ପ୍ରଭୁଙ୍କୁ ପୁଚ୍ଛନ୍ତି

ସମସ୍ତେ ଗଲେ ଏମାନେ କିମ୍ପାଇ ନ ଯାନ୍ତି ।

ଶ୍ରୀଗୁରୁ ବୋଇଲେ ବୃନ୍ଦାବନ ଚୌରାଅଶୀ

କ୍ରୋଶ ମାଟି ସଙ୍ଗେ ମୁହିଁ ଯାଇଅଛି ମିଶି ।

ଦେଖ ତରୁତୃଣ ସର୍ବେ ନୀର ଢାଳୁଛନ୍ତି

ୟା ସଙ୍ଗେ ଦ୍ୱାରକାପୁର ସମାନ ନୁହନ୍ତି ।

ଦେଖ ମୟୂର ମୟୂରୀ କରନ୍ତି ନର୍ତ୍ତନ

ଯେତେ ବୁଝାଇଲେ କରୁନାହାନ୍ତି ଗମନ ।

କେତେ ପର ଜମା କରିଲେଣି ଚଉପାଶ

ନୀର ଢାଳୁଛନ୍ତି ତୁମ୍ଭେ ଦେଖ ତାଙ୍କ ପାଶ ।

ପିଲାଦିନେ ଗୁଞ୍ଜଫଳ ମୟୂରର ପକ୍ଷୀ

ବାଙ୍କଚୂଳେ ଖୋସୁଥିଲୁ ଥିଲେ ଏହା ଦେଖି ।

ଆଜି ତାହା ନ ଦେଖିଣ ବିକଳ ହୁଅନ୍ତି

ମସ୍ତକରେ ନ ଖୋସିଲେ କେବେହେଁ ନଯାନ୍ତି ।

କୌତୁକ ନିମନ୍ତେ ଉଦ୍ଧବ ଅକ୍ରୂର ଦୁଇ

ମୟୂର ପର ଖୋସନ୍ତି ପ୍ରଭୁ ଶିରେ ନେଇ ।

ଦେଖି ଆନନ୍ଦରେ ପକ୍ଷୀ କରିଣ ନର୍ତ୍ତନ

ଚାହୁଁ ଚାହୁଁ ଅଦୃଶ୍ୟ ଯେ ହୋଇଗଲେ ବନ ।

ଦାରୁକକୁ ରଥ ପାଇଁ ପ୍ରଭୁ ଆଜ୍ଞା ଦେଲେ

ରହସ୍ୟ ବୃନ୍ଦାବନରୁ ବାହାର ହୋଇଲେ ।

ରଥ ଆରୋହି ସଭିଏଁ ସେ ସ୍ଥାନରୁ ଗଲେ

ମଧୁବନ ମଧ୍ୟେ ଯାଇ ପ୍ରବେଶ ହୋଇଲେ ।

ସେଠାରେ ଦେଖିଣ ପ୍ରଭୁ ତାଙ୍କ କ୍ରୀଡ଼ାସ୍ଥାନ

ନୟନରୁ ନୀର ବହିଗଲା ଘନ ଘନ ।

ଷୋଳଦିନ ଯେଉଁଠାରେ କରିଥିଲେ କେଳି

ସେହିଠାରେ ମିଳିଲେକ ପ୍ରଭୁ ବନମାଳୀ ।

ଉଦ୍ଧବ ଅକ୍ରୂର ସେହି ସ୍ଥାନ ଦେଖାଇଲେ

ସେ ଧୂଳି ନେଇଣ ଭକ୍ତ ମସ୍ତକେ ମାରିଲେ ।

ସେଠାବରୁ ରଥ ନେଇ ଚଳିଲେ ଶ୍ରୀଧର

ଦେଖାଇଲେ ରାଧାକୁଞ୍ଜ ଉଦ୍ଧବ ଅକ୍ରୂର ।

ସେ ବନର ଶୋଭାଗୋଟିଏ କହିଲେ ନସରେ

ଅବସନ୍ତେ ବସନ୍ତ ଯେ ବହେ ସେ ସ୍ଥାନରେ ।

ଅହରହ ବଂଶୀସ୍ୱନ ସେ ବନେ ବାଜଇ

ଶ୍ରୀରାଧା ନୂପୁର ଧ୍ୱନି କଣ୍ଠରେ ଶୁଭଇ ।

ମହ ମହ ପଦ୍ମଗନ୍ଧ ଚହଟି ଉଠଇ

ପୁଷ୍ପମାନ ଫୁଟି ବାସ ଚୌଦିଗେ କମ୍ପଇ ।

ଆହୁରି ଗୋଟିଏ କଥା ଦେଖିଲେ ସେମାନେ

ବହୁ ଛଡ଼ା ପୁଷ୍ପମାଳ ପଡ଼ିଛି ସେ ସ୍ଥାନେ ।

ଏହା ଦେଖିଣ ଉଦ୍ଧବ ଅକ୍ରୂର ଏ ଦୁଇ

ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ତାହା ପୁଛିଲେକ ଯାଇ ।

ପୁଣି କୁଙ୍କୁମ ଅଗୁରୁ ମଳକୁଟିମାନ

ଦେଖିଲେ ଯେ ପଡ଼ିଅଛି ମଧ୍ୟ ସ୍ଥାନେ ସ୍ଥାନ ।

ଆଶ୍ଚର୍ଯ୍ୟ ହୋଇଣ ପ୍ରଭୁ ପାଦତଳେ ପଡ଼ି

ବୋଇଲେ କୁହନ୍ତୁ ଦେବ ୟା କାରଣ ଫେଡ଼ି ।

ବସି ବୋଇଲେ ଶ୍ରୀଧର ତୁମ୍ଭେ ଭକ୍ତ ମୋର

ତୁମ୍ଭଙ୍କୁ ଲୁଚାଇ ଲାଭ ନାହିଁ କିଛି ମୋର ।

ରଥେ ଅକ୍ରୂର ଆମ୍ଭଙ୍କୁ ଘେନି ଯାଉଥିଲା

ଜଳରେ ସ୍ନାହାନ ବେଳେ ଯାହା ସେ ଦେଖିଲା

ସେହି କଥା ଗୋଟି ତୁମ୍ଭେ ଭାବ ହେ ମନର

ପାଦେ ମାତ୍ର ଘୁଞ୍ଚି ନାହିଁ ମୁଁ ବୃନ୍ଦାବନର ।

ରାଧା ଯେଉଁଠାରେ କୃଷ୍ଣ ସେହିଠାରେ ଥାଏ

ଲୋକ ଦେଖାଣିଆ ସବୁ କାର୍ଯ୍ୟ ହେଉଥାଏ ।

ରାଧା ମୋର ପ୍ରାଣ ମୁହିଁ ପିଣ୍ଡ ଯେ ଅଟଇ

ସେହି କ୍ଷୀର ମୁହିଁ ନୀର ଶୁଣ ଭକ୍ତ ଦୁଇ ।

ନିମିଷେ ପାଶରୁ ତାର ହୋଇଲେ ଅନ୍ତର

ଦେଖିଥିଲ ଗଲାଦିନେ ପରା ଯେ ଅକ୍ରୂର ।

ବୈଷ୍ଣବକୀ ଦେହରେ ପରା ଥିଲି ଉଭାହୋଇ

ରହିବାକୁ ଗୁପ୍ତେ କହିବାରୁ ବୁଝିଲଇ ।

ଚାଲ ଗୋପଦରେ ତୁମ୍ଭେ ଦେଖିବ ଚକ୍ଷୁର

ସର୍ବେ ଖୁସି ହେବେ ରାଧା ନ ଆସେ ପାଶର ।

କେବଳ ଯେ ରାଧା ଦୂତୀ ବିରକ୍ତ ହୋଇବେ

ଆଜିଠାରୁ ମୁହିଁ ଯିବି ବୋଲି ସେ ଜାଣିବେ ।

ବୃନ୍ଦାବନ ରାଧା ପାଶେ ବନ୍ଧା ଅଛି ମୁହିଁ

ଆସିଅଛି ସଙ୍ଗେ ତାଙ୍କୁ ଯିବି ମୁହିଁ ନେଇ ।

ଆଉ ଏପଟେ ସେପଟେ ହୋଇ ନ ପାରିବି

ସବୁବେଳେ ତାହାଙ୍କ ନିକଟେ ରହିଥିବି ।

ଶୁଣି ଉଦ୍ଧବ ଅକ୍ରୂର ଆଚମ୍ବିତ ହେଲେ

ଛଡ଼ା ମାଳଟିକୁ ନେଇ ମୁଣ୍ଡେ ଲଗାଇଲେ ।

ଏପରି ବୁଲି ବୁଲି ଶ୍ରୀହରି ଯେ ଗଲେ

ଗୋବର୍ଦ୍ଧନ ଗିରିବଟେ ପ୍ରବେଶ ହୋଇଲେ ।

ଦୂରେ ଗୋପାଳ ବାଳକେ ଗୋରୁ ଜଗିଥିଲେ

ଶ୍ରୀକୃଷ୍ଣଙ୍କୁ ରଥେ ଦେଖି ଦଉଡ଼ି ଆସିଲେ ।

ସରବେ ବୋଇଲେ ଆରେ ଆମ୍ଭ କାହ୍ନୁ ଭାଇ

ରଥେ ଚଢ଼ି ଆମ୍ଭ ଆଡ଼େ ଆସୁଅଛି ଧାଇଁ ।

ଏହିପରି କୁହାକୁହି ହୋଇ ଗୋପସୁତ

ରଥ ନିକଟରେ ଆସି ହେଲେ ଉପଗତ ।

ଧବଳି ବଉଳି କାଳି ଶ୍ୟାମଳି ଯେ ଗାଈ

ହମ୍ବା ରଡ଼ି ଦେଇ ପାଶେ ଆସିଲେକ ଧାଇଁ ।

କାହାକୁ ଯେ କୃଷ୍ଣଚନ୍ଦ୍ର ସାନ୍ତ୍ୱନା କରିବେ

ସ୍ଥିରକରି ନ ପାରିଲେ ଜଗତର ଦେବେ ।

ଚଉପାଶେ ଘେରିଗଲେ ବାଲ୍ୟ ସଖାଗଣ

ସମସ୍ତଙ୍କୁ ଆଲିଙ୍ଗନ କଲେ ନାରାୟଣ ।

ସୁଦାମା ବୋଲଇ ଚାରିଦିନ ପାଇଁ କହି

ରାଜା ହୋଇ କାହ୍ନୁ ଭାଇ ରହିଲୁରେ ତୁହି ।

ମଧୁମଙ୍ଗଳ ବୋଲଇ ଯେତେ କନ୍ଦମୂଳ

ଖୋଳି ରଖିଥିଲୁ ଶୁଖି ହୋଇଗଲା ଜାଳ ।

ସାଙ୍ଗ ଆସିଥିଲେ କରିଥାନ୍ତେ ବଣଭୋଜି

ସେହି ବିନୁ ସବୁ କାମ ଗଲାଣରେ ଭାଜି ।

ଗୋପାଳ ବୋଲଇ ଯେତେ ଜାମୁକୋଳି ମୁହିଁ

ରଖି ରଖି ପାଚିଗଲା ଦେଇ ଫୋପାଡ଼ାଇ ।

ସାଙ୍ଗ ଖାଇଥିଲେ ସିନା ଖାଇଥାନ୍ତି ମୁହିଁ

ତେଣୁ ନ ଖାଇଣ ସବୁଦେଲି ଫୋପାଡ଼ଇ ।

କହ ଭାଇ ଏତେ ଦିନ ରହିଲୁ କିପରି

ଆମ୍ଭେ ସରବେ କି ମନେ ନ ପଡ଼ ତୋହରି ।

ଭଲ କଲୁ ଆସିଲୁଣି ଆଉ ଯିବୁ ନାହିଁ

ଚାହିଁ ଚାହିଁ ତୋତେ ସର୍ବେ ଗଲୁ ଅନ୍ଧ ହୋଇ ।

ଗୋପାଳ ସୁତ ଆନନ୍ଦ କେ ପାରିବ କହି

ଲଉଡ଼ି କରିଲେ ସର୍ବେ ଏକମେଳ ହୋଇ ।

ଦେଖି କୃଷ୍ଣଚନ୍ଦ୍ର ମନ ଆନନ୍ଦ ହୁଅଇ

ସେମାନଙ୍କ ସଙ୍ଗେ ଯୋଗଦେଲେ ଭାବଗ୍ରାହୀ ।

ଉଦ୍ଧବ ଅକ୍ରୂର ଥାନ୍ତି ଜଳ ଜଳ ଚାହିଁ

ଧନ୍ୟ ଧନ୍ୟ ଗୋପସୁତ ଧନ୍ୟରେ କହ୍ନାଇ ।

କେତେ ସ୍ନେହ ଲଗାଇଛୁ କହ ଚକ୍ରଧର

ସବୁବେଳେ ଭାବୁଛନ୍ତି ତୋହର ପୟର ।

ଗୋପାଳ ବାଳକଗଣ ପ୍ରଭୁ ରଥେ ଧରି

ବାହାରିଲେ ଗୋପପୁର ଯିବାକୁ ମୁରାରି ।

ମଧୁମଙ୍ଗଳ ବୋଲଇ କହ କାହ୍ନୁ ଭାଇ

ଆବ ତ ଆମ୍ଭଙ୍କୁ ଛାଡ଼ି ଯିବୁ ନାହିଁ ତୁହି ।

ଶ୍ରୀକୃଷ୍ଣ ବୋଇଲେ ସଖା ଆସିଅଛି ମୁହିଁ

ଗୋପପୁର ସବୁ ଲୋକ ନେଇ ଯିବା ପାଇଁ ।

ମଧୁମଙ୍ଗଳ ସୁଦାମା ସକଳେ କହଇ

କାହ୍ନୁ ଭାଇ ତା ଦେଶକୁ ଆମ୍ଭଙ୍କୁ ନେବଇଁ ।

ସବଳ ବୋଲଇ ମୁଁ ଯେ ଆଗୁ ଜାଣିଥିଲି

ଆମ୍ଭଙ୍କୁ ମୂରୁଛି ନ ରହିବ କାହ୍ନୁ ଭୁଲି ।

ସରବେ ଆନନ୍ଦ ହେଲେ ଯିବା କଥା ଶୁଣି

ଚଉପାଶେ ବେଢି ଗୋପ ପୋଏ ବସିଥାନ୍ତି

ଶିଙ୍ଗା ବଇଁଶୀ ନାଦ ଯେ ଆନନ୍ଦେ କମ୍ପାନ୍ତି ।

ଯେତେବେଳେ ଗୋପରେ ପ୍ରବେଶ ହୋଇଲା

କାହ୍ନୁ ଆସୁଅଛି ବୋଲି ହୁରି ପଡ଼ିଗଲା ।

ଜଳଘଟି ଧରି ଗୋପୀମାନେ ଯାଉଥିଲେ

ଫୋପଡ଼ାଇଦେଇ ସର୍ବେ ଦଉଡ଼ି ଆସିଲେ ।

କେହୁ ଗୋପୀ ରଞ୍ଜୁଥିଲା ନୟନେ କଜ୍ଜଳ

ଶ୍ରୀକୃଷ୍ଣଙ୍କ ନାମ ଶୁଣି ହୋଇଲା ପାଗଳ ।

କେଉଁ ସ୍ୱାମୀ ସେବା କରୁଥିଲା ଗୃହେ ରହି

କୃଷ୍ଣଙ୍କର ନାମ ଶୁଣି ଆସିଲାକ ଧାଇଁ ।

ଏହିପରି ଯେଝା କାର୍ଯ୍ୟ ହୁଡ଼ି ଗୋପୀଗଣ

ରଥ ଚାରି ପାରୁଶରେ ଗଲେ ଯେ ବେଢିଣ ।

କେ ବୋଲଇ ଅନ୍ଧ କରି ଗଲା ଗୋପପୁର

କେ ବୋଲଇ ସେ ଅକ୍ରୂରଟାକୁ ପ୍ରାଣେମୋର

ଯଶୋବନ୍ତୀ ଦେବୀ ଗୃହ ମଧ୍ୟେ ବସିଥିଲେ

ମୋ ପୁତ୍ର ଆସିଛି ଶୁଣି ଦଉଡ଼ି ଆସିଲେ ।

ଲବଣୀ କନ୍ଦ ମେଞ୍ଚାଏ ଧରି ମାତ କର

ନନ୍ଦରାଜାର ପାଶରେ ହୋଇଲେ ହାଜର ।

ମୋର ପୁଅ ଆସିଅଛି ରଥେ ବସିକରି

ଗୋପଦାଣ୍ଡ ମଧ୍ୟେ ଦେଖ ପଡ଼ିଅଛି ହୁରି ।

ନନ୍ଦ ବୋଲେ ସେ କଥାକୁ ନ କହଲୋ ଆଉ

ଗଲା ପୁତ୍ର ବାହୁଡ଼ିବା ପାଇବା ଲୋ କାହୁଁ

ସେ ସମୟେ ଗୋପାଳପୁଅ ଜଣେ ଆସି

ନନ୍ଦକୁ କହଇ କାହ୍ନୁ ଭାଇ ଅଛି ଆସି ।

କାହିଁ ମୋ କୁମର ବୋଲି ପିତାମାତା ଦୁଇ

ପାଗଳ ପାଗଳୀ ପରି ଯାଉଛନ୍ତି ଧାଇଁ ।

ପିତାମାତାଙ୍କୁ ଦେଖିଲେ ରଥେ ଥାଇ ହରି

ଓହ୍ଲାଇ ଖଣ୍ଡେ ଦୂରରୁ ଗଲେ ଚକ୍ରଧାରୀ ।

ଆନନ୍ଦରେ ଗଦ ଗଦ ହୋଇ ବନମାଳୀ

ପିତାମାତାଙ୍କ ପୟରେ ହେଲେ ନିଉଛାଳି ।

ଆହା ମୋର କଳାଚାନ୍ଦ ଝାଉଁଳି ଗଲାଣି

ବୋଲି କହି କୋଳକରି ନେଲେ ନନ୍ଦରାଣୀ ।

ଲବଣୀ କନ୍ଦ ପୁତ୍ରର ମୁଖରେ ଭୁଞ୍ଜାଇ

ରଙ୍କୁଣୀ ପରାୟ ଗଣ୍ଡେ ମା ଚୁମ୍ବନ ଦେଇ ।

ଯଶୋଦାଙ୍କ ନୟନରୁ ଆନନ୍ଦାଶ୍ରୁ ବହେ

ବହୁପ୍ରକାରେ ପ୍ରବୋଧି ଶ୍ରୀକୃଷ୍ଣଙ୍କୁ କହେ ।

ଏତେ ଦିନେ ଆମ୍ଭ ନେତ୍ର ପବିତ୍ର ହୋଇଲା

ହଜିଲା ରତନ ମୋର କୋଳକୁ ଆସିଲା ।

ନନ୍ଦକୁ ବୋଲଇ ତୁମ୍ଭେ କରୁଥିଲ ନାହିଁ

ଆଉ ମୋର କାହ୍ନୁ ଗୋପକୁ ନ ଆସିବଇଁ ।

ଭଲକରି ଜାଣେ ମୁହିଁ ନ କରି ଅନ୍ତର

କେଭେ ନ ରହିବ ମୋର ଧନ ହୋଇ ସ୍ଥିର ।

ପ୍ରଭାସ ଯଜ୍ଞରେ ତିନିପୁର ଲୋକେ ଥିଲେ

ମୋର ପୁତ୍ର ସ୍ନେହ ସର୍ବେ ଆଖିରେ ଦେଖିଲେ

କେତେ ସାକୁଲେଇ ହେଇ ଦେବକୀ ଡାକିଲା

ମୋର କଳାଚାନ୍ଦ ତାର ପାଶେ ନ ଆସିଲା ।

ଗୋଟିଏ ଡାକରେ ବାଡ଼ ଭାଙ୍ଗି ଧନ ମୋର

କୋଳକୁ ଡେଇଁପଡ଼ିଣ ଖାଇଲା ଯେ କ୍ଷୀର ।

ସେହି ଦିନ ଜାଣେ ମୋର ରଜା ଯେଣେ ଥାଉ

ଅସଲ ବେଳରେ ଛାଡ଼ି ନ ରହିବ ଆଉ ।

ଉଦ୍ଧବ ପଠାଇ ସେ ଯେ ସବୁ ବୁଝୁଥିଲା

ମୁଁ କାନ୍ଦି ଖବର ଦେଲି ବୋଲି ସେ ଆସିଲା

ଏତେ କହି ଶ୍ରୀଅଙ୍ଗରୁ ଧୂଳି ପୋଛି ମାତ

କାଖେ ବସାଇଣ ଆଣେ ଯେସନ ବାଳୁତ ।

ଦେଖି ଉଦ୍ଧବ ଅକ୍ରୂର ଆନନ୍ଦ ହୋଇଲେ

ନନ୍ଦ ଯଶୋଦାଙ୍କ ପାଦେ ଆସିଣ ନମିଲେ ।

ନନ୍ଦରାଜାଙ୍କ ପୁରରେ ହୋଇଲାକ ଗୋଳ

କୃଷ୍ଣ ଆସିଛନ୍ତି ଗୋପେ ପଡ଼ିଲା ଚହଳ ।

ଅପୂର୍ବ ପଦାର୍ଥମାନ ନନ୍ଦରାଣୀ ନେଇ

କୋଳେ ବସାଇ ପ୍ରଭୁଙ୍କୁ ଦିଅନ୍ତି ଭୁଞ୍ଜାଇ ।

ଉଦ୍ଧବ ଅକ୍ରୂର ଆନନ୍ଦରେ ଯେ ଭୁଞ୍ଜିଲେ

ସେ ଦିନ ରଜନୀ ମହାସୁଖରେ ବଞ୍ଚିଲେ ।

ମାତା ପାଶେ କୃଷ୍ଣଚନ୍ଦ୍ର ଅଳି କରୁଥାନ୍ତି

ଯେସନେ କଅଁଳା ପିଲା ମାତାଙ୍କୁ ମାଗନ୍ତି ।

ଯଶୋଦା ବୋଲନ୍ତି ଆଉ ଯାଅ ନାହିଁ ତୁହି

ଉଦ୍ଧବ ଅକ୍ରୂର ଦୁହେଁ ଯାଆନ୍ତୁ ରହି ।

ବଧୂମାନଙ୍କୁ ମଧ୍ୟ ମୁଁ ଏ ସ୍ଥାନେ ଆଣିବି

ଜ୍ୟେଷ୍ଠଭ୍ରାତା ବଳରାମ ପାଶେ ଡକାଇବି ।

ତୁ ଆସିଲୁ ମୋ ପାଗଳା ରାମକୁ କିମ୍ପାଇଁ

ସଙ୍ଗରେ ଆଣିଲୁ ନାହିଁ କହରେ କହ୍ନାଇ ।

ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ନ ହୁଅ ଅସ୍ଥିର

ତୁମ୍ଭଙ୍କୁ ମୂରୁଛି ଆମ୍ଭେ ନ ହୋଇବୁ ସ୍ଥିର ।

ପିତାମାତା ଛାଡ଼ି ସୁତ ରହି କି ପାରଇ

ସ୍ୱରଗ ସୁଖରେ ଆମ୍ଭ ଦରକାର ନାହିଁ ।

ପିତାଙ୍କର ବଳ ଥିଲା ବୋଲି ଥିଲୁ ରହି

ଉଦ୍ଧବଙ୍କଠାରୁ ସବୁ ବୁଝୁ ଦୁଇଭାଇ ।

ଚତୁର୍ଥ ଅବସ୍ଥା ହେଲା ଆସି ଯେ ତୁମ୍ଭର

ନେଇଯାଇ ତୁମ୍ଭଙ୍କୁ ମୁଁ ରଖିବି ପାଶର ।

ନନ୍ଦ ବୋଲନ୍ତି ଯଶୋଦାଦେବୀ ମୁଖ ଚାହିଁ

ବଡ଼ ପୁତ୍ର ଏହା ମଧ୍ୟେ ଯାଇଥିଲା କହି ।

ତୁହି ପରା କାନ୍ଦୁଥିଲୁ ସଙ୍ଗରେ ସେ ନେବେ

ମଲାବେଳେ ଆମ୍ଭ ମୁଖ ପୁତ୍ର ନ ଦେଖିବେ ।

ଭଲକରି ଜାଣେ ପୁତ୍ର କରିଣ ଅଙ୍କର

ନିଶ୍ଚିନ୍ତରେ ନ ରହିବେ ସେ ଦ୍ୱାରକାପୁର ।

କେତେ ସ୍ନେହ ଅଛି ହଳଧରର ମୋହର

ତେଣୁ କହ୍ନାଇକି ପଠାଇଛି ଯେ ପାଶର ।

ଏ ଛାର ଧନ ଦରବ ଆମ୍ଭ ଲୋଡ଼ା ନାହିଁ

ପ୍ରଭୁଙ୍କୁ ମୂରୁଛି ଆମ୍ଭେ ନ ପାରିବୁ ରହି ।

ଶ୍ରୀହରି ବୋଇଲେ ପିତା ଶୁଣ ମୋ ବଚନ

ତୁମ୍ଭ ସଙ୍ଗତରେ ଯିବେ ଗୋପ ସର୍ବଜନ ।

ମାତା ବୋଲନ୍ତିରେ ଧନ ଏତେ ଲୋକ ନେବୁ

କେଉଁଠାରେ ସେମାନଙ୍କୁ ତୁହି ରଖାଇବୁ ।

ଶ୍ରୀକୃଷ୍ଣ କହନ୍ତି ମାତ ମୁଁ ସଭିଙ୍କ ପାଇଁ

ଗୋପପୁରୁ ବଳି ଏକ ପୁର କରିଛଇଁ ।

ସେଇଥି ନିମନ୍ତେ ନେବା ହୋଇଲା ଉଛୁର

କାମସାରି ନେବା ପାଇଁ ଆସିଲି ସତ୍ୱର ।

ଶୁଣି ପିତା ମାତା ଦୁଇ ଆନନ୍ଦ ହୋଇଲେ

ଗୋପ ଗୋପୀ ସମସ୍ତଙ୍କୁ ପୁରେ ଡକାଇଲେ ।

ସମସ୍ତଙ୍କୁ ନନ୍ଦରାଜା କହନ୍ତି ବୁଝାଇ

କାହ୍ନୁ ଆସିଅଛି ସଭିଙ୍କୁ ଯେ ନେବା ପାଇଁ ।

ଗୋପଠୁ ବଳି ନଅର କରିଛି ତିଆର

ତେଣୁ ଆସିବାକୁ ତାର ହୋଇଲା ଉଛୁର ।

ଶୁଣିଣ ସକଳ ଗୋପୀ ଆନନ୍ଦ ହୋଇଲେ

ଯିବା ପାଇଁ କୃଷ୍ଣ ସଙ୍ଗେ ସନମତ କଲେ ।

ବୋଇଲେ କାହ୍ନୁକୁ ଛାଡ଼ି କ୍ଷଣେ ନ ରହିବୁ

ନ ହେଲେ ମଧ୍ୟ ତା ପଛେ ଆମ୍ଭେ ଚାଲିଯିବୁ ।

ଗୋପୀଏ ବୋଲନ୍ତି କିଛି ନାହିଁ ଦରକାର

ତା ଚନ୍ଦ୍ରବଦନ ଅଟେ ଲୋଡ଼ା ଯେ ଆମ୍ଭର ।

ଏହିପରି ସରବେ ଯେ ଆନନ୍ଦ ହୋଇଲେ

କୃଷ୍ଣ ସଙ୍ଗେ ଯିବା ପାଇଁ ସର୍ବେ ସଜ ହେଲେ ।

ପାଞ୍ଚଦିନ ଗୋପପୁରେ ପ୍ରହରୀ ରହିଲେ

ସକଳ ଗୋପୀଙ୍କୁ ପ୍ରଭୁ ନୟନେ ଦେଖିଲେ ।

ଏକା ନ ଆସନ୍ତି ରାଧା ଦୁହିତା ଏ ଦୁଇ

ଅଭିମାନେ ଗୃହେ ରହିଥାନ୍ତି ଚାନ୍ଦମୁହୀଁ ।

ଉଦ୍ଧବ ଅକ୍ରୂର ସଙ୍ଗେ ଘେନି ଚକ୍ରଧର

ଚନ୍ଦ୍ରସେଣା ପୁରକୁ ଯେ ହୋଇଲା ବାହାର ।

ଚନ୍ଦ୍ରସେଣା ବ୍ରାହ୍ମଣ ଯେ ଗୋଗୋଷ୍ଠେ ଯାଇଛି

ଏକମାତ୍ର ଶ୍ରୀମତୀ ଯେ ପୁର ମଧ୍ୟେ ଅଛି ।

ଦାଣ୍ଡେ କୃଷ୍ଣଚନ୍ଦ୍ର ଦେଖି ଏକ ଗୋପପୋଏ

ଶ୍ରୀରାଧା ପାଶେ ଯାଇଣ ବାରତା ସେ ଦିଏ ।

ଉଦ୍ଧବ ଅକ୍ରୂର ସଙ୍ଗେ ଘେନି କାହ୍ନୁ ଭାଇ

ତୁମ ପୁରକୁ ଆସନ୍ତି ସେ ବୁଲିବା ପାଇଁ ।

ଶୁଣିଣ ଶ୍ରୀମତୀ ଦୂତିକାକୁ ପାଶେ ନେଇ

ବୋଲନ୍ତି ଠକ ଆସନ୍ତି ସଙ୍ଖୋଳିବା ପାଇଁ ।

ପାଞ୍ଚଦିନ ହେଲା ଆମେ ନ ଥିଲେ ମନର

ଆଜି ଲୋକ ଦେଖାଣିଆ ଆସନ୍ତି ପାଶର ।

ଦୂତୀ ବେଲେ ଅଭିମାନ କରୁ କିମ୍ପା ରାଈ

କେଉଁ ଦିନ ସେହି ତୋତେ ନାହାନ୍ତି ଛାଡ଼ିହିଁ ।

ପିଣ୍ଡ ସିନା ଦ୍ଵାରକାରେ ପରାଣ ତୋ ପାଶ

ପ୍ରତିଦିନ ଆମ୍ଭେ ଦୁହେଁ କରୁଥାଉ ରାସ ।

ରାଧା ବୋଲନ୍ତି ଦୂତୀ ମୋ ଦୃଦେ ଜ୍ଞାନ ନାହିଁ

ଆଜିଠାରୁ ଚାଲିଯିବେ ସମୁଦ୍ରେ ଭସାଇ ।

ବୃନ୍ଦାବନେ ବୁଲି ଯାଉଥିବେ ପ୍ରାଣେଶ୍ୱର

କଳା କଳାରେ ମିଶାଇ ଆସିଲେ ଗୋପର ।

ବର୍ତ୍ତମାନ ପରା ପୂର୍ଣ୍ଣବ୍ରହ୍ମ ଅବତାର

ପାଞ୍ଚଦିନ ହେଲା ବଂଶୀ ନ ବାଜେ ବନର ।

ଦୂତିକା ବୋଲନ୍ତି ଯଦି ନ ରହିବେ ହରି

କ୍ଷଣେ ତୋତେ ମୂର୍ଚ୍ଛି କି ପାରିବେ ଦଇତ୍ୟାରି

ଦେଖିବା କେଉଁ ବିଚାର କରୁଛନ୍ତି ହରି

କହୁଅଛି ମୋ ବଚନ ମାନ ତୁ ସୁନ୍ଦରୀ ।

ଉଦ୍ଧବ ଅକ୍ରୂର ଘେନି ଆସନ୍ତି ମୋହନ

ସୁନ୍ଦରୀ ତୁ ଅଭିମାନ ନ କର ମୋ ରାଣ ।

ବିଶ୍ୱାସ କଥା କେଭେ ତୁ ପ୍ରକାଶ ନ କର

ଉଦ୍ଧବ ଅକ୍ରୂର ଜାଣିଯିବେ ସେ ଖବର ।

ଶ୍ରୀରାଧା ବୋଲନ୍ତି ତାଙ୍କୁ ଅଜଣା ଯେ ନାହିଁ

ଅତି ଭକ୍ତି ଅଟନ୍ତି ସେ ପ୍ରଭୁଙ୍କର ସେହି ।

ଆଗୁ ବୃନ୍ଦାବନ ନାଥ ସବୁ କହିଛନ୍ତି

ଛଡ଼ା ଫୁଲ ମାଳଟିକୁ ସେ ବି ଦେଖିଛନ୍ତି ।

ଶୁଣି ଦୂତିକା ଯେ ସ୍ଵର୍ଣ୍ଣଘଟ ଏକ ନେଇ

ସୁବାସିତ ନୀର ସାଇତିଣ ଚାନ୍ଦମୁହୀଁ ।

ସୁବାସ ତାମ୍ବୁଳ ଯତ୍ନେ ଭାଙ୍ଗିଲେ ଶ୍ରୀମତୀ

ଦୂତିକାକୁ ପାଶେ ରାଇ ଶ୍ରୀମତୀ କହନ୍ତି ।

ରାଧିକା ବୋଲନ୍ତି ଏକା ନ ଆସିଣ ହରି

ଉଦ୍ଧବ ଅକ୍ରୂର ଘେନି ଆସନ୍ତି କିପରି ।

ଚାଲ ଗମ୍ଭିରୀ ସନ୍ଧିରେ ଲୁଚି ଆମ୍ଭେ ଦୁଇ

ଶଠ ଚକ୍ରଙ୍କୁ ଖୋଜାଇ ଦେବା ଯେ ଭଣ୍ଡାଇ ।

ଏହିପରି ଦୁଇଜଣ କରିଣ ବିଚାର

ଗମ୍ଭିରୀ ମାର୍ଗେ ରହିଲେ ଗୋରୀ ହୋଇ ସ୍ଥିର

ଦର ଦର ହସି ପ୍ରଭୁ ଆସିଣ ସଧୀରେ

ପ୍ରବେଶ ହୋଇଲେ ଆସି ଚନ୍ଦ୍ରସେଣା ପୁରେ

ଦେଖିଲେ ଯେ ଦ୍ୱାରେ ସ୍ବର୍ଣ୍ଣଘଟିରେ ପନିର

ଥୁଆ ହୋଇଅଛି ଦେଖା ନାହିଁ ନାରୀବର ।

ଏଘର ସେ ଘର ପ୍ରଭୁ ବୁଲିଣ ଖୋଜିଲେ

ନ ପାଇବାରୁ ଗମ୍ଭିରୀ ସନ୍ଧିରେ ପଶିଲେ ।

ଯହୁଁ ଗମ୍ଭିରୀ ମଧ୍ୟରେ ପଶିଲେ ଶ୍ରୀଧର

ଦୁଇଜଣ ହସିଲେ ଯେ ହୋଇ କରକର ।

ଦୂତିକା ବୋଇଲେ ସଖୀ ରଜ୍ଜୁ ଆଣ ତୁହି

ଚୋର ପଶିଅଛି ଘରେ ବାନ୍ଧିବା ନିଠାଇ ।

ଶ୍ରୀହରି ବୋଲନ୍ତି ବାନ୍ଧିଛି ଯେ ଶକ୍ତକରି

ତିଳେ ମୁକୁଳିବା ଶକ୍ତି ନାହିଁ ଯେ ମୋହରି ।

ଶ୍ରୀରାଧା ବୋଲନ୍ତି ଜମା ହେଲା ପାଞ୍ଚଦିନ

ଚୋର ପଳାଇ ଗଲାଣି ଫିଟାଇ ବନ୍ଧନ ।

ଏତେ କହି ଉଚ୍ଚସ୍ୱରେ କାନ୍ଦିଲେ ଶ୍ରୀମତୀ

ପାଞ୍ଚଦିନେ ମନେ ଦାସୀ ପଡ଼ିଲା ହେ ପତି ।

ଦଣ୍ଡେ ନ ଦେଖିଲେ ଯେହୁ ବାୟାଣୀ ହୁଅଇ

ଜାଣିଲିଣି ଆଉ ସ୍ନେହ ନାହିଁ ଆମ୍ଭଠାଇଁ ।

ପୁଣି ଆସୁଅଛି ଶ୍ରୀରାଧାକୁ ଠକିଦେଇ

ଆଗ କି ନିଜ ସ୍ଥାନକୁ ଯିବେ ହେ ପଳାଇ ।

ଥାଉ ସେ ଚାଲାଖି କଥା ରଖିଦିଅ ହରି

ମୋତେ ଆଗ ପଠାଇଣ ଯାଅ କାମସାରି ।

ଶ୍ରୀକୃଷ୍ଣ ବୋଇଲେ ପ୍ରିୟେ ନ କର ପ୍ରକାଶ

ଆସିଅଛି ତୁମ୍ଭଙ୍କୁ ମୁଁ ନେବି ନିଜ ପାଶ ।

ଗୋପୀ ଗୋପାଳ ସରବେ କାଲି ପ୍ରଭାତରେ

ଗରୁଡ଼ ପୃଷ୍ଠରେ ବସି ଯିବେ ମୋ ସଙ୍ଗରେ ।

ଚନ୍ଦ୍ରସେଣାକୁ କହିଣ ତୁମ୍ଭ ସଙ୍ଗତରେ

ସଜହୋଇଣ ଯିବେ ସେ ପିତାଙ୍କ ନବରେ ।

କୌତୁକେ ବୋଲନ୍ତି ରାଧା ଶୁଣ ଆଗୋ ସହୀ

ଏଇଥି ନିମନ୍ତେ ପରା ଲୁଚିଲି ସୁମୁହୀଁ ।

ନାରୀ ଚୋରଙ୍କର ନୀତି ଆଗୁ ଜାଣେ ମୁହିଁ

ଆସିଣ ସମସ୍ତଙ୍କୁ ନେବେ ସେ ଚୋରାଇ ।

ଦୂତିକା ବୋଲଇ ନ ଜାଣି ମୁଁ କହୁଥିଲି

କ୍ଷଣେ ତୋତେ ମୂରୁଛି ଯେ ନ ରହିବେ ଭୁଲି

ଶ୍ରୀରାଧା ବୋଲନ୍ତି ଆମ୍ଭ ସମସ୍ତଙ୍କୁ ନେଇ

ସମୁଦ୍ର ଜଳକୁ ପେଲିଦେବେ ପ୍ରିୟସହୀ ।

ଠକ ଶିରୋମଣି ଠକିଦେଇ ଯିବ ଚାଲି

ସେ ନିମନ୍ତେ କରୁଅଛି ଫୁସୁଲାଫୁସୁଲି ।

ଶ୍ରୀହରିଙ୍କ ପଦ୍ମ ପାଦ ଧରି ଚାନ୍ଦମୁହୀଁ

ବୋଲେ ମୋର ଅନୁରୋଧ ରଖନ୍ତୁ ହେ ସାଇଁ ।

ଆଉ ଭଲ ଲାଗୁ ନାହିଁ ଆହେ ପ୍ରାଣେଶ୍ବର

ଶୀଘ୍ର ପଳାଇଣ ଯିବା ଆମ୍ଭ ନିଜ ପୁର ।

ଶ୍ରୀହରି ବୋଇଲେ ପ୍ରିୟେ ପ୍ରକାଶ ନ କର

ଜାଣିଗଲେ ନ ଯିବେ କେ ଆମ୍ଭର ସଙ୍ଗର ।

ଶୁଣିଣ ଶ୍ରୀରାଧାରାଣୀ ମଉନ ହୋଇଲେ

ସୁବାସ ତାମ୍ବୁଳ ରଙ୍ଗାଧରେ ଭୁଞ୍ଜାଇଲେ ।

ଶ୍ରୀରାଧାଙ୍କ ପାଦତଳେ ଉଦ୍ଧବ ଅକ୍ରୂର

ପଡ଼ିଣ ବୋଇଲେ ମାତ ଦୋଷ କ୍ଷମାକର ।

ଅଟୁ ପରା ତୁହି ମା ଜଗତ ଜନନୀ

ଗର୍ଭରେ ଧରିଛୁ ସଚରାଚର ଏ ଅବନୀ ।

ଯେଉଁପରି ବଳଦେବ ସଖା ପ୍ରଭୁଙ୍କର

ସେପରି ଦୂତିକା ଦେବୀ ସଖୀ ଯେ ତୁମ୍ଭର ।

ଶ୍ରୀକୃଷ୍ଣ ଉଦ୍ଧବେ ଚାହିଁଣ ଯେ ଆଜ୍ଞା ଦେଲେ

ଯାଅ ପିତା ପୁରରେ ରୁହ ତୁମ୍ଭ ଭଲେ ।

ଆମ୍ଭେ ରହୁଅଛୁ ଆଜି ଦେବୀଙ୍କ ପାଶର

କାଲି ପ୍ରଭାତରୁ ସର୍ବେ ହୋଇବା ବାହାର ।

ଏହା କହି ମହାପ୍ରଭୁ ଆନନ୍ଦେ ରହିଲେ

ଦୁଇ ପ୍ରିୟାଙ୍କ ସଙ୍ଗରେ ରଜନୀ ବଞ୍ଚିଲେ ।

ପ୍ରଭାତୁ ଉଠିଣ ନିଜ ପୁରରେ ମିଳିଲେ

ଗରୁଡ଼କୁ ମନେ ମନେ ପ୍ରଭୁ ସୁମରିଲେ ।

ରମ୍ୟକ ଦ୍ବୀପରେ ଥିଲା ବିନତା କୁମର

ପ୍ରଭୁଙ୍କ ପାଶରେ ଆସି ହୋଇଲା ହାଜର ।

ଗରୁଡ଼ଙ୍କୁ ଦେଖି ନନ୍ଦ ପ୍ରଣାମ ହୋଇଲେ

ଶ୍ରୀବିଷ୍ଣୁ ବାହନ କିମ୍ପା ଆସିଲ ବୋଇଲେ ।

ବୈନତେୟ ବୋଲେ ତୁମ୍ଭରେ ସ୍ବାମୀସ୍ତିରୀ ଦୁଇ

ଯୁବକଯୁବତୀ କାଳେ କାଳେ ଥାଅ ହୋଇ ।

ନନ୍ଦକୁ ବର ଦେଲା ଯେ ବିନତା କୁମର

ବୃଦ୍ଧରୂପ ତେଜି ଯୁବ ହୋଇଲା ସତ୍ୱର ।

ତାପରେ ଯା ହେଲା ସର୍ବେ ଶୁଣ ଦେଇ ମନ

ଯିବା ପାଇଁ ରୁଣ୍ଡ ହେଲେ ସର୍ବ ଗୋପଜନ ।

ଯେ ଯାହାର ଧନ ରତ୍ନ ଗୋରୁଗାଈ ଧରି

ଗରୁଡ଼ ପୃଷ୍ଠରେ ଗଲେ ସର୍ବେ ବିଜେକରି ।

ଗ୍ରାମ ଜଗିବା ପାଇଁକି ଅଳପ ରହିଲେ

ଅବଶିଷ୍ଟ ସରବେ ଯେ ଦ୍ୱାରକା ଗମିଲେ ।

ନନ୍ଦ ଯଶୋଦାଙ୍କ କୋଳେ ବସିଲେ ଶ୍ରୀଧର

ରାଧା ଦୂତିକା ବସିଲେ ଶ୍ରୀକୃଷ୍ଣଙ୍କ କର ।

କ୍ଷିପ୍ରଗତି କରି ବୈନତେୟ ଯେ ଚଳିଲା

ନିମିଷକେ ଦ୍ୱାରକାରେ ଯାଇଁଣ ମିଳିଲା ।

ରହସ୍ୟ ଦ୍ଵାରକା ଶୋଭା ଦେଖି ଗୋପୀଗଣ

ଶ୍ରୀକୃଷ୍ଣଙ୍କୁ ପ୍ରଶଂସିଲେ ଆନନ୍ଦ ହୋଇଣ ।

ଗୋପଠାରୁ ଶତେଗୁଣ ଶୋଭା ବିକାଶଇ

ହୀରା ନୀଳାରେ ତିଆର ଅଛି ପୁର ହୋଇ ।

ଯେ ଯାହାର ପୁରେ ଯାଇ ଆନନ୍ଦେ ରହିଲେ

ସର୍ବ ଖଞ୍ଜାହୋଇଅଛି ପୁରରେ ଦେଖିଲେ ।

ସଭିଙ୍କ ନବରେ ରତ୍ନପଲଙ୍କ ଶୋଭଇ

ଦିବ୍ୟ ଖାଦ୍ୟଦ୍ରବ୍ୟମାନ ଅଛି ଜମାହୋଇ ।

ଶ୍ରୀରାଧା ଦୂତୀକୁ ସଙ୍ଗେ ଘେନିଣ ଚଳିଲେ

ନିଜର ନବର ଦେଖି ମନେ ଖୁସି ହେଲେ ।

ଦୂତିକା ବୋଲନ୍ତି ଦେଖ ଦେଖ ପ୍ରାଣସହି

ତୋର ମନଲାଖି ପୁର ଅଛନ୍ତି ଭିଆଇ ।

ଏହିପରି କଥାବାର୍ତ୍ତା ହୋନ୍ତେ ଦୁଇଜଣ

ହସି ହସି କୃଷ୍ଣଚନ୍ଦ୍ର ମିଳିଲେ ପାଶେଣ ।

ରାଧା ବୋଇଲେ ସୁନ୍ଦର ମୋର ଲୋଡ଼ା ନାହିଁ

ଠକ ଶିରୋମଣି ପରି କୁଞ୍ଜ କର ନାହିଁ ।

ସବୁବେଳେ ଜଣେ ଯଦି ରହିବ ଏ ପୁର

ତାହେଲେ ଏ ଶୋଭା ସିନା ଭୋଗ୍ୟଦରକାର

ଶ୍ରୀହରି ବୋଇଲେ ସଖୀ ଭାବନା ନ କର

ସେଇଥିପାଇଁ ତ ଘେନି ଆସିଲି ପାଶର ।

ଆଉ ଯେ ଦ୍ବାରକାପୁର ମୋର ଲୋଡ଼ା ନାହିଁ

ସତ୍ୟ କହୁଅଛି ଛାଡ଼ି କେଣେ ଯିବି ନାହିଁ ।

ଯହିଁ ରାଧା ତହିଁ କୃଷ୍ଣ ସଦାକାଳେ ଜାଣ

ରାଧା ବିନେ ବୈକୁଣ୍ଠରେ ନାହିଁ ଯେ କାରଣ

ଶୁଣି ଶ୍ରୀମତୀ ମନରେ ହରଷ ହୋଇଲେ

ଶ୍ରୀଜଗନ୍ନାଥଙ୍କୁ ନମି ପୁରରେ ରହିଲେ ।

ପୁର ଶୋଭା ଦେଖ ଦେବୀ ଚକିତ ହୋଇଲେ

ବାରମ୍ବାର ଶ୍ରୀକୃଷ୍ଣଙ୍କ ପାଦରେ ପଡ଼ିଲେ ।

ଏତେ ସ୍ନେହ ଦାସୀଠାରେ ଅଛି ଜାଣେ ନାହିଁ

କେବଳ ଭିକ୍ଷା ମୋ ପାଶୁ କେଣେ ଯାଅ ନାହିଁ ।

ଶ୍ରୀକୃଷ୍ଣ ରାଧାକୁ ବହୁ କଥା ବୁଝାଇଲେ

ପିତାମାତାଙ୍କ ପାଦରେ ଯାଇଣ ମିଳିଲେ ।

ନନ୍ଦ ଯଶୋଦା ଆନନ୍ଦ କେ ପାରିବ କହି

କିପରି ପୁତ୍ର ରଚିଛି ପୁର ଆମ୍ଭ ପାଇଁ ।

ସ୍ୱର୍ଗଠାରୁ ଶତେଗୁଣ ଦିଶଇ ସୁନ୍ଦର

ମନ ସୁଖେ ପିତାମାତା ରହିଲେ ନବର ।

ଶୀହରି ବୋଇଲେ ପିତାମାତା ମୁଖ ଚାହିଁ

ଯାଉଛି ଦ୍ୱାରକା ମୁହିଁ ପରେ ଆସିବଇଁ ।

ଜ୍ୟେଷ୍ଠଭ୍ରାତାଙ୍କୁ କହିବି ଏଠା ସମାଚାର

ନୋହିଲେ ଯେ ବଡ଼ଭାଇ ଯିବେ ଗୋପପୁର

ତୁମର ବନ୍ଧୁମାନଙ୍କୁ ସଙ୍ଗରେ ନେଇ

ଅଳପ ଦିନରେ ତବପାଶେ ଆସିବଇଁ ।

କାନ୍ଦି କାନ୍ଦି ମନେ ପିତାମାତା ବିଦାକଲେ

ଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣ ଗମିଲେ ।

ଦ୍ୱାରକାପୁରରେ ଯାଇ ପ୍ରବେଶ ହୋଇଲେ

ଶୁଣି ଅନ୍ତଃପୁର ରାଣୀମାନେ ଯେ ଧାଇଁଲେ

ରୁକ୍ମିଣୀ କହିଲେ ପ୍ରଭୁ କେଣେ ଯାଇଥିଲ

ଏତେ ଦିନ ହେଲା କିମ୍ପା ବିଳମ୍ବ କରିଲ ।

ଶ୍ରୀହରି ବୋଇଲେ ଗୋପପୁର ଥିଲି ଯାଇ

ପିତାମାତା ସହ ଗୋପୀ ଛାଡ଼ିଲେକ ନାହିଁ ।

ବହୁତ ବୁଝାଇ ତାଙ୍କୁ ବିଦାୟ ହୋଇଲି

ତୁମ୍ଭଙ୍କୁ ନେବାପାଇଁକି କହି ମୁଁ ଆସିଲି ।

ଶୁଣି ସର୍ବ ନାରୀଗଣ ସନ୍ତୋଷ ହୋଇଲେ

ଅର୍ଘ୍ୟ ବନ୍ଦାଇଣ ଅନ୍ତଃପୁରେ ପ୍ରଭୁ ନେଲେ ।

ଶୁଣିଲେତ ସୁଜ୍ଞଜନ ଅପୂର୍ବ ଚରିତ

ରହସ୍ୟ ଦ୍ୱାରକା ଗୋପୀ କୃଷ୍ଣ ଭାଗବତ ।

ଭାବକୁ ନିକଟ ହରି ଅଭାବକୁ ଦୂର

ଯେତେ ଦୂରେ ଥିଲେ ସଦା ଥାଆନ୍ତି ପାଶର

ଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମ ଧ୍ୟାୟି

ଚିତ୍ତବୋଧ ଗ୍ରନ୍ଥ କ୍ଷେତ୍ରମୋହନ ଲେଖଇ ।

 

Unknown

ଅଷ୍ଟପାଟବଂଶୀମାନଙ୍କ ଶ୍ରୀକୃଷ୍ଣଙ୍କ ରହସ୍ୟ,
ଦ୍ୱାରକାରେ ବାଲ୍ୟଲୀଳା ଦେଖାଇବା

ନମୋ ନମୋ କୃଷ୍ଣଚନ୍ଦ୍ର ଦ୍ୱାରକା ରାଜନ

ନମୋ ନମୋ କୃଷ୍ଣଚନ୍ଦ୍ର ଯାମଳା ଭଞ୍ଜନ ।

ନମୋ ନମୋ କୃଷ୍ଣଚନ୍ଦ୍ର ଗୋପୀ ପ୍ରାଣ ଧନ

ନମୋ ନମୋ କୃଷ୍ଣଚନ୍ଦ୍ର ଯଶୋଦା ନନ୍ଦନ ।

ନିବାରଣ କରି ଦୁଷ୍ଟ ସନ୍ଥ ପାଳୁ ତୁହି

ଭାରା ଉଶ୍ଵାସ ନିମନ୍ତେ ଜନମିଛୁ ମହୀ ।

ଭକ୍ତଜନମାନଙ୍କର ତୁ ପରାଣ ଧନ ।

ଭକ୍ତଜନଙ୍କର ପାଶେ ସଦା ତୋର ମନ ।

ଦେଖ ଗୋପୀଙ୍କ ଭାବରେ ଭୋଳ ହୋଇଛନ୍ତି

ରହି ନ ପାରିବେ ତାଙ୍କୁ ମୂର୍ଚ୍ଛି ଦଇତ୍ୟାରି ।

ରହସ୍ୟ ଦ୍ଵାରକା ପୁରେ ରଖିଲେ ସମସ୍ତ

ନିଜ ପୁରେ ପ୍ରଭୁଙ୍କର ମନ ହୁଏ ବ୍ୟସ୍ତ ।

ଅଷ୍ଟପାଟବଂଶୀ ଷୋଳସସ୍ର ନାରୀ ଘେନି

ଗୋପ ଗୋପୀଙ୍କର ଭାବେ ଭାବ ବେନୁପାଣି

ଦିନେ ପଲଙ୍କରେ ଶୋଇଥିଲେ ଚକ୍ରଧର

ସତ୍ୟଭାମା ପାଦ ସେବୁ ଥାଆନ୍ତି ପାଶର ।

ରାଧା ରାଧା ବୋଲି ପ୍ରଭୁ ବିହ୍ୱଳ ହୋଇଲେ

ରାଧା ଭାବି ସତ୍ୟଭାମାକୁ ଯେ କୋଳକଲେ ।

ମନ ମଧ୍ୟେ ବସି ଦେବୀ କରନ୍ତି ବିଚାର

ଧନ୍ୟ ରାଧା ଧନ୍ୟ ତୋର ଭାବ ବଳିୟାର ।

ଜଗତ କରତା ନାମ ସମସ୍ତେ ଭଜନ୍ତି

ସେ ପୁଣି ଯେ ଦିବାନିଶି ତୋତେ ଭଜୁଥାନ୍ତି ।

କିଛି ନ କହି ନୀରବ ରହିଲେ ସୁନ୍ଦରୀ

ପ୍ରଭତ ହୁଅନ୍ତେ ରୁକ୍ମିଣୀଙ୍କୁ ସେ ହକାରି ।

ବୋଇଲେ ଆଜି ସତ୍ୱରେ ପ୍ରଭୁଙ୍କୁ କହିବା

କିପରି ଗୋପୀନାଥଙ୍କୁ ଆମେ ଦେଖିଯିବା ।

ଅଷ୍ଟସଖୀ ମେଳ ହୋଇ ଶ୍ରୀହରିଙ୍କ ପାଶ

ଗୋପ ଦେଖି ଯିବା ଲାଗି କରିଲେ ପ୍ରକାଶ ।

ଶ୍ରୀକୃଷ୍ଣ ବୋଇଲେ ପ୍ରିୟା ସଜ ହୁଅ ତୁମ୍ଭେ

ଆଜି ନିଶ୍ଚେ ଗୋପ ଦେଖିବାକୁ ନେବି ସଙ୍ଗେ

ନାରୀମାନଙ୍କ ଆନନ୍ଦ କହିଲେ ନ ସରେ

ସ୍ବାମୀଙ୍କ ବାଲ୍ୟ ସଙ୍ଗୀକୁ ଦେଖିବେ ଚକ୍ଷୁରେ ।

ବିବିଧ ଭୂଷଣେ ଅଙ୍ଗ ସଜାଇଲେ ବାମା

ବିଭୁଙ୍କ ପାଶରେ ଆସି ମିଳି ପ୍ରିୟତମା ।

ଦାରୁକକୁ ଆଜ୍ଞା ଦେଲେ ଶ୍ରୀରଙ୍ଗାଅଧର

ବାହା ତୁହି ନନ୍ଦିଘୋଷ ରଥ ଦ୍ୱାରକାର ।

ଶୁଣିଣ ଦାରୁକ ରଥ ଆଣେ ସଜକରି

ବିଜେକଲେ ଜଗନ୍ନାଥ ଘେନି ସର୍ବ ନାରୀ ।

ଗଗନ ମାର୍ଗରେ ରଥ ବେଗେ ଉଡ଼ିଗଲା

ରହସ୍ୟ ଦ୍ୱାରକା ପୁରେ ପ୍ରବେଶ ହୋଇଲା ।

ବିଚାରି କରିଲେ ମନେ ମନେ ଚକ୍ରଧର

ଆଗୟାଙ୍କୁ ମାତା ପାଶେ କରିବି ହାଜର ।

ଆଜି ସବୁଙ୍କୁ ରଖିବି ମାତାଙ୍କ ପାଶରେ

କାଲି ପ୍ରଭାତୁ ଗୋପୀଙ୍କୁ ଦେଖାଇବି ପୁରେ ।

ଏତେ କହି ନିଜ ମନ୍ଦିରକୁ ରହୁବର

ଚଳାଇଲେ ଦାରୁକକୁ କହି ଚକ୍ରଧର ।

ବଧୂମାନଙ୍କୁ ଆସିବା ଦେଖି ନନ୍ଦରାଣୀ,

ଦଉଡ଼ି ଆସିଲେ ମାତା ରଥ ପାଶେ ପୁଣି ।

ଗରୁଡ଼ ବର ପାଇଣ ଯଶୋବନ୍ତୀ ରାଣୀ

ଦିଶନ୍ତି ସାକ୍ଷାତେ ଷୋଳ ବରଷ ତରୁଣୀ ।

ଅଷ୍ଟ ସଖୀମାନେ ତାଙ୍କୁ ଚିହ୍ନି ନ ପାରିଲେ

ଏ କିଏ ସେ ବୋଲି ଜଗନ୍ନାଥଙ୍କୁ ପୁଛିଲେ ।

ଶ୍ରୀହରି ବୋଲନ୍ତି ମୋର ପରା ମାତା ଏହି

ଏହା କହି ପାଦତଳେ ପଡ଼ିଲେକ ଯାଇଁ ।

ଆନନ୍ଦାଶ୍ରୁ ନେତ୍ରୁ ବହିଯାଏ ଝରଝର

ବାଳୁତ ପରାୟେ କୃଷ୍ଣେ ବସାଇ କୋଳର ।

ଶ୍ରୀମୁଖରେ ଚୁମ୍ବଦେଇ ଲବଣୀ ଭୁଞ୍ଜାନ୍ତି

ବଧୂମାନେ ଦେଖି ଆବାକାବା ହେଉଥାନ୍ତି ।

ଅଷ୍ଟବଂଶୀମାନେ ଏକ ସଙ୍ଗେ ଯାଇ

ମାତାଙ୍କ ଚରଣ ତଳେ ଓଳଗିଲେ ତହିଁ ।

ଆନନ୍ଦେ ଅଧୀରା ହୋଇ ଶ୍ରୀକୃଷ୍ଣ ଜନନୀ

ବଧୂମାନଙ୍କୁ କାଖରେ ଗୃହେ ଯାନ୍ତି ଘେନି ।

ଯଶୋବନ୍ତୀ ରାଣୀ ନନ୍ଦ ଆଗରେ କହନ୍ତି

କାହ୍ନୁ ସଙ୍ଗେ ମୋର ବଧୂମାନେ ଆସିଛନ୍ତି ।

ଶୁଣି ନନ୍ଦରାଜା ଧାଏଁ ଆନନ୍ଦିତ ହୋଇ

କାହାନ୍ତି ମୋ ଲକ୍ଷ୍ମୀମାନେ ନେତ୍ରେ ଦେଖିବଇଁ

ଶଶ୍ୱରଙ୍କ ପାଦେ ସର୍ବେ ନମସ୍କାର କଲେ ।

ରଜନୀ ହୋଇଲା ସର୍ବେ ଗୃହରେ ରହିଲେ ।

ନନ୍ଦ ଯଶୋଦାଙ୍କ ଗୋଡ଼ ତଳେ ନ ଲାଗଇ

ଅପୂର୍ବ ପଦାର୍ଥମାନ ଦିଅନ୍ତି ଖଞ୍ଜାଲ ।

ଗୋରସ ଲବଣୀ ସରପୁଳିମାନ ନେଇ

ଯଶୋଦା ବଧୂମାନଙ୍କୁ କୋଳରେ ବସାଇ ।

ଯେସନେ ବାଳୁତ ପିଲା ମାତାମାନେ ନେଇ

ଗୀତ ବୋଲି କୋଳେ ଧରି ଦିଅନ୍ତି ଖୁଆଇ ।

ଭୁଞ୍ଜାଇ ଦିଅନ୍ତି ଅଷ୍ଟବଧୂ କୋଳେ ଧରି ।

ଶାଶୁଘର ସ୍ନେହ ଦେଖି ବଧୂଏ ଚକିତା

ବୋଲନ୍ତି କରେନି ଏହା ଜନ୍ମକଲା ମାତା ।

ଧନ୍ୟ ଧନ୍ୟ ଆମ ଭାଗ୍ୟ ଉଜ୍ଜଳ ଅଟଇ

ଏତେ ଦିନେ ଆଜି ଶାଶୁଙ୍କୁ ଯେ ଦେଖିଲଇଁ ।

ସର୍ବ ନାରୀମାନେ ପୁଣି ଶ୍ୱଶୁରଙ୍କ ପାଦ

ସେବା କରନ୍ତି ପ୍ରେମରେ ହୋଇ ଗଦଗଦ ।

ଯଶୋଦା ବୋଇଲେ ଆଜି ପବିତ୍ର ହୋଇଲି

ଜନ୍ମକଲା ପୁତ୍ର କଷ୍ଟ ସମସ୍ତ ହରିଲି ।

ଏହିପରି ପୁର ମଧ୍ୟେ ନାରୀଏ ରହିଲେ

ପ୍ରଭାତ ହୁଅନ୍ତେ ଉଠି ନିତ୍ୟକର୍ମ କଲେ ।

ସ୍ନାନ କରି ଶାଶୁ ଶ୍ଵଶୁରଙ୍କୁ ଓଳଗିଲେ

ତାହାଙ୍କ ଚରଣ ରେଣୁ ନେଇଣ ପାଇଲେ ।

ପିଲା ପ୍ରାୟ କୃଷ୍ଣଚନ୍ଦ୍ର ଅଳି ଯେ କରନ୍ତି

ଦେଖିଣ ରମଣୀମାନେ ସରବେ ହସନ୍ତି ।

ଯଶୋଦା ବୋଲନ୍ତି ମାତ ରଙ୍କୁଣୀ ଅଟଇ

ପୁତ୍ର ଯେତେ ବଡ଼ ହେଲେ ତା ମଗରେ ନୋହି ।

ଗୀତ ଗାଇ ସମସ୍ତଙ୍କୁ କୋଳେ ମାତ ଧରି

ଲବଣୀ ସର ଖୁଆଇ ଦ୍ୟନ୍ତି ପେଟ ଭରି ।

ସର୍ବ ବଧୂମାନେ ଶାଶୁ ପାଶେ ଅଳିକଲେ

ସାରା ନଗ୍ର ବୁଲି ଆମ୍ଭେ ଦେଖିବୁ ମା ଭଲେ ।

ଶୁଣିଣ ଯଶୋଦା ମାତା ମନନ୍ଦ ହୋଇଲେ

ଏକ ବିଶ୍ଵାସୀ ଗୋପୀକୁ ପାଶକୁ ରାଇଲେ ।

ବୁଝାଇ କହନ୍ତି ତାକୁ ମୋ ବଧୂଙ୍କୁ ନେଇ ।

ଗୋଟି ଗୋଟି କରି ନଗ୍ର ଦେଖାଇବୁ ତୁହି ।

ଶୁଣିଣ ସବୁଙ୍କୁ ସଙ୍ଗେ ଘେନି ଗୋପୀ ଗଲା

ପ୍ରଥମେ ବିଶାଖା ପୁରେ ପ୍ରବେଶ ହୋଇଲା ।

ଦେଖିଲେ ଯେ ଶ୍ରୀକୃଷ୍ଣଙ୍କ ରମଣୀ ସେ ପୁର

ଦ୍ୱାରକାପୁରରୁ ଶତେ ଗୁଣ ଯେ ସୁନ୍ଦର ।

ରତ୍ନ ପଲଙ୍କ ଉପରେ ଶୋଇଛନ୍ତି ବାଳୀ

ପାଶେ ବାଲ୍ୟ କୃଷ୍ଣ ଖେଳୁଛନ୍ତି ଲୁଚକାଳି ।

ଦର ଦର ହସି ଗୋରୀ ବଚନ ବୋଲଇ

ନ ଛାଡ଼ିବି ଚୋର କେଣେ ଯିବ ତୁମେ ଧାଇଁ ।

କର କର ହୋଇ ମହାପ୍ରଭୁ ହସୁଛନ୍ତି

ଦେଖିଣ ପାଟବଂଶୀ ଯେ ଆଶ୍ଚର୍ଯ୍ୟ ହୁଅନ୍ତି ।

ରୁକ୍ମିଣୀ ବୋଲନ୍ତି ସଖୀ ଦେଖ ଗୋ ସତ୍ୱର

ଆମ୍ଭ ପ୍ରାଣନାଥଙ୍କର କିପରି ବେଭାର ।

ଲାଜେ ତଳମୁହାଁ ହୋଇ ନାରୀମାନେ ଗଲେ

ଲଳିତା ପୁରରେ ଯାଇ ପ୍ରବେଶ ହୋଇଲେ ।

ରୁକ୍ମିଣୀ ଦେବୀ ସହିତ ଅଷ୍ଟ ପାଟବଂଶୀ

ଲଳିତା ପୁରକୁ ସେ ଯେ ଚାହାନ୍ତି ବିଶେଷି ।

କୋଟିଏ ଶଶୀ ଉଇଁଲା ପରାୟ ଦିଶଇ

ସୁନ୍ଦର ପଣରେ ଶଶୀ ସମାନ ନୁହଇ ।

ରୂପ ଦେଖି ନାରୀମାନେ ହୋଇଗଲେ ମୋହି

ବାଳ ରୂପ ଧରି ତହିଁ ବିଜୟ ମାଧୋଇ ।

ଲଜ୍ଜିତା ହେଲେ ରୁକ୍ମିଣୀ ଆଦି ଅଷ୍ଟବାମା

ମଥା ତଳକୁ ନ୍ୱାଇଁଲେ ନ ଚାହିଁଣ ବାମା ।

ଶୋଇଛନ୍ତି ତାର ପାଖେ ପ୍ରଭୁ ଚକ୍ରଧର

ହାସ୍ୟ ପରିହାସେ ମନ ମୋହେ ନାରୀବର ।

ସର୍ବ ଦେଖି ସେଠାବରୁ ବିଦାୟ ହୋଇଲେ

ସୁମେଧା ଭୁବନେ ନାରୀମାନେ ପ୍ରବେଶିଲେ ।

ତାହାର ପୁର ଗୋଟିକ ମଣ୍ଡିଣ ସୁନ୍ଦରୀ

ଶେଯ ଗୋଟିଏ ଯତନେ ପାରିଅଛି ଗୋରୀ ।

ସୁବାସ ପୁଷ୍ପ ଗୁଡ଼ିଏ ତା ମଧ୍ୟେ ପକାଇ

ତହିଁ ଉପରେ ବିଜୟ କରନ୍ତି ମାଧୋଇ ।

କର୍ପୂର ବିଡ଼ିଆ ପାନ ନାରୀ ଅଛି ଖାଇ

ତା ଉଚ୍ଛିଷ୍ଟ ଛଡ଼ାଇଣ ଖାଆନ୍ତି ଯେ ସାଇଁ ।

ଦେଖି ସର୍ବ ନାରୀମାନେ ଠରାଠରି ହୋନ୍ତି

ଦେଖ ସହି କାନ୍ତ ଛଡ଼ା ତାମ୍ବୁଳ ଭକ୍ଷନ୍ତି ।

ସେଠାବରୁ ସର୍ବନାରୀମାନେ ଚଳିଗଲେ

ଏହିପରି ସବୁ ଗୃହେ ପ୍ରଭୁଙ୍କୁ ଦେଖିଲେ ।

କୌଣସି ଗୋପୀଙ୍କୁ ପ୍ରଭୁ ଛାଡ଼ି ଯେ ନାହାନ୍ତି

ସବୁପୁରେ ବାଲ୍ୟକୃଷ୍ଣ ବିଜୟ କରନ୍ତି ।

ଲାଜଭରେ ମଥା ପୋତି ଯାନ୍ତି ପ୍ରଭୁ ଆଳି

ମନେ ଭାବନ୍ତି ଧନ୍ୟ ଏ ଗୋପର ଗୁଆଳି ।

ୟାଙ୍କ ସମାନ ତ୍ରିପୁର ମଧ୍ୟରେ କେ ନାହିଁ

ଏତେ ଭାବି ବୃନ୍ଦା ପୁରେ ମିଳିଲେକ ଯାଇ ।

କୁଞ୍ଜବନ ପରି ପୁର ସଜାଇଛି ଗୋରୀ

ଅଭିମାନେ ମଥା ପୋଛି ବସିଛି ସୁନ୍ଦରୀ ।

ମୋହନ ମୂରତୀ ରୂପ ଧରି ନାରାୟଣ

ବୃନ୍ଦାବନେ ଓଷ୍ଠ ଧରି ଚାଟୁସେ ଭାଷିଣ ।

ସତ୍ୟଭାମା ରୁକ୍ମିଣୀ ଯେ ଚାହାଁନ୍ତି ତା ମୁଖ

ସହସ୍ରେ ଚନ୍ଦ୍ରମାଠାରୁ ଦିଶଇ ଅଧିକ ।

କେଶ ଫିଟି ଲୋଟିଅଛି ଭୂତଳେ ଗୋରୀର

ଦିଶେ ଆଷାଢର ଘନ ବାଦଲ ଆକାର ।

ଲଜ୍ଜାରେ ତରୁଣୀମାନେ ନ କହନ୍ତି କଥା

ଏକ ସଖୀ ଆଗେ କହଇ ଯେ ଭୀଷ୍ମସୂତା ।

ଦେଖ ଆଗୋ ସଖୀ ତା ପାଶରେ ପ୍ରାଣସାଇଁ ।

ଓଷ୍ଠଧରି କିପରି ଯେ ହୁଅନ୍ତି ବିନୟୀ ।

ରୁଷିକରି ବସିଅଛି ସେ ତରୁଣୀମଣି

କେତେ ଆଦର କରନ୍ତି ଆମ୍ଭ କାନ୍ତ ପୁଣି ।

ଏହିପରି ସମସ୍ତଙ୍କ ପୁରରେ ଦେଖିଲେ

ବାଳ ଗୋପାଳ ରୂପରେ ବିଜେ ଆବିମୂଳେ ।

କେବଣ ଗୋପୀ ପୁରରେ ବେଣୁ ଗୋଟିକରି

ହାସ୍ୟ ପରିହାସ୍ୟ କରୁଛନ୍ତି ଦଇତ୍ୟାରି ।

କେବଣ ଗୋପୀର ପୁରେ ଲୁଚି ପଶିଛନ୍ତି

ଚୋରଙ୍କ ପ୍ରାୟ ଲବଣୀ ସର ସେ ଭୁଞ୍ଜନ୍ତି ।

କେବଣ ଗୋପୀର ଦଧିଭାଣ୍ଡ ଚୂର୍ଣ୍ଣକରି

କପଟରେ କାଢ଼ିଛନ୍ତି ଦେହରୁ ମଞ୍ଜରୀ ।

ସାତମାସ ମଞ୍ଜାରୀ ଯେ ସବୁ ଦହି ଖାଇ

ବିକଳ ହୋଇଣ ଗୋପାଳୁଣୀ ଯେ କାନ୍ଦଇ ।

କେଉଁ ଗୋପୀସ୍ନେହେ ଶ୍ରୀକୃଷ୍ଣଙ୍କୁ କୋଳେଧରି

ଦୁଗ୍‌ଧ ପେଇ ଗୀତ ଗାଉଛନ୍ତି ସେ ସୁନ୍ଦରୀ ।

ଏକ ଗୋପୀର ଗୃହରେ ଛନ୍ତି ଚକ୍ରପାଣି

ଦଧି ଘେନି ଆସି ପହଞ୍ଚିଲା ସେ ତରୁଣୀ ।

ଦଧି ଲବଣୀ ସର ଯେ ଖାଉଛନ୍ତି ବସି

ମୋହନ ମୂରତି ରୂପ ଧାରି ହୃଷୀକେଶୀ ।

ଯିବୁ କାହିଁ ବୋଲି ଗୋପାଳୁଣୀ କରେ ଗୋଳ

ସତ୍ୟଭାମାକୁ ରୁକ୍ମିଣୀ ଦେଖାନ୍ତି ସକଳ ।

ଦେଖି କନ୍ୟାମାନେ ମଥା ସର୍ବେ ନୁଆଁଇଲେ

ଏକକୁ ଆରେକ ଚାହିଁ ଠରାଠରି ହେଲେ ।

ସେଠାବରୁ ନାରୀମାନେ ଦେଖି ଚଳିଗଲେ

ଅନ୍ୟ ଏକ ଗୋପୀଦ୍ୱାରେ ପ୍ରବେଶ ହୋଇଲେ ।

ସେ ଗୋପାଳୁଣୀକୁ ପ୍ରଭୁ କୋଳରେ ଧରିଣ

ଶୋଇଛନ୍ତି ପଲଙ୍କରେ ନିଶ୍ଚିନ୍ତ ହୋଇଣ ।

ଚନ୍ଦନ ଅତ୍ର କୁଙ୍କୁମ ଅଙ୍ଗେ ବୋଳି ଦେଇ

ଊରକ ଉପରେ ପ୍ରେମେ ପ୍ରଭୁଙ୍କୁ ଶୁଆଇ ।

ଏସନକ କୃତ୍ୟମାନ ଦେଖିଣ କାମିନୀ

ମନେ ମନେ ପ୍ରଶଂସନ୍ତି ଧନ୍ୟ ଗୋପାଳୁଣୀ ।

ଦେଖି ସେଠାବରୁ ନାରୀ ବାହାର ହୋଇଲେ

ସୁଲକ୍ଷଣୀ ପୁରେ ଯାଇ ପ୍ରବେଶ ହୋଇଲେ ।

ସୁନ୍ଦରୀ ବସିଛି ତଳେ ପଦ୍ମପାଦ ଧରି

ପ୍ରୀତି ମାଗୁଛି ପ୍ରଭୁଙ୍କୁ ଅନୁରୋଧ କରି ।

ତାହା କୁଚରେ ହାତ ଦେଇ ଚକ୍ରଧର

ବିଜୟ କରିଲେ ଯାଇ ରତନ ଖଟର ।

ଦେଖିଣ ସେ ବାମାଗଣ ତଟସ୍ଥ ହୋଇଲେ

କେଉଁଠାରେ କୃଷ୍ଣ ନ ଥିବା ଯେ ନ ଦେଖିଲେ ।

ମାୟାଧର ମାୟାଜାଲ ବିସ୍ତାର କରିଲେ

ଅଷ୍ଟ ପାଟବଂଶୀଙ୍କର ଗରିବ ଗଞ୍ଜିଲେ ।

ସବୁ ପୁର ଦେଖି ଶେଷେ ବାମା ପାଶେ ଗଲେ

ଚନ୍ଦ୍ର ସେଣାପୁର ମଧ୍ୟେ ସର୍ବେ ପ୍ରବେଶିଲେ ।

ଦେଖିଲେ ଚନ୍ଦ୍ରସେଣାଯେଶୋଇଛିମେଲାରେ

ଅନ୍ୟ ଗୃହକୁ ଚଳିଲେ ନାରୀଏ ସତ୍ଵରେ ।

ସେ ପୁରର ଶୋଭା ଗୋଟି କଳନା ନୁହଇ

ଏପରି ପୁର ତ୍ରିପୁର ମଧ୍ୟରେ ଯେ ନାହିଁ ।

ଶତେକ ବଖରା ତହିଁ ଅନ୍ତ କରି ନୋହି

ରାହାସ କ୍ରୀଡ଼ା କରନ୍ତି ଶ୍ରୀରାଧା ମାଧୋଇ ।

ଶଙ୍ଖ ଚକ୍ର ଗଦା ପଦ୍ମ କରରେ ଶୋଭଇ

ରତ୍ନ ପଲଙ୍କରେ ଶୋଇଛନ୍ତି ଭାବଗ୍ରାହୀ ।

ଯେଉଁ ପଲଙ୍କରେ ଶୋଇଛନ୍ତି ଚକ୍ରଧର

ଅଷ୍ଟସଖୀ ତାହା ଦେଖି ନାହାନ୍ତି ଚକ୍ଷୁର ।

ଚଉପାଶେ ହୀରାନୀଳା ପଦ୍ମ ଫୁଟିଅଛି

ମଣିର କେଶର ଗୋଟି ମଧ୍ୟେ ବିରାଜୁଛି ।

କେଶର ମଧ୍ୟରେ ବସି ଅଛନ୍ତି କହ୍ନାଇ

ମଦନ ମୋହନ ମୂର୍ତ୍ତି ଧରି ଲକ୍ଷ୍ମୀସାଇଁ ।

ଶ୍ରୀରାଧାଙ୍କୁ ବାମ ଅଙ୍ଗ ଧରିଛନ୍ତି ହରି

ସେ ରୂପକୁ କଳନା ଯେ ନାହିଁ ତିନିପୁରୀ ।

ଅଧରେ ଅଧର ଲଗାଇଣ ବନମାଳୀ ।

ପ୍ରେମାଳାପ କରୁଛନ୍ତି ହୋଇ କୁତୂହଳୀ ।

ଝାଞ୍ଜ କଂସାଳ ବଜାଉଛନ୍ତି ଅଷ୍ଟସଖୀ

ନିତ୍ୟ ରାହାସ କ୍ରୀଡ଼ାରେ ବିଜେ ପଦ୍ମଆଖି ।

ମାୟା କ୍ରୀଡ଼ା ରସମାନ ଭିଆଣ ସେ କଲେ

ଅଷ୍ଟସଖୀମାନଙ୍କର ମନକୁ ମୋହିଲେ ।

ରୁକ୍ମିଣୀ କହିଲେ ସଖୀମାନଙ୍କୁ ତିଆରି

ଦେଖ ସଖୀ ଅଟନ୍ତି ଏ ନିତ୍ୟ ରାସେଶ୍ୱରୀ ।

ଏ ସମୟେ ବୃଦ୍ଧମାତା ପ୍ରବେଶ ହୋଇଲେ

ଦେଖ ଏହି ରାଧାଦେବୀ ଛନ୍ତି ପ୍ରଭୁ ତୁଲେ ।

ନିତ୍ୟ ଯାଇଥିଲ ପରା ଦରଶନ ପାଇଁ

ଆଜି ଦେଖି ନୟନ ପବିତ୍ର କର ସହୀ ।

ଦେଖି ସତ୍ୟଭାମା ଆଦି ରମଣୀ ସମସ୍ତ

ଶ୍ରୀରାଧା କୃଷ୍ଣଙ୍କୁ ପାଦେ ହେଲେ ପ୍ରଣିପାତ ।

ଶ୍ରୀମତୀଙ୍କ ରୂପ ଦେଖି ହୋଇଲେ ଅଜ୍ଞାନ

ଶତଦଳ ପଦ୍ମ ପରି ଦିଶଇ ବଦନ ।

କୋଟିଏ ଚନ୍ଦ୍ର ପରାୟ ଶୋଭା ପ୍ରକାଶଇ

କୋଟିଏ ପାର୍ବତୀ ରୂପ ଅଛି ଏକ ହୋଇ ।

କମଳ ଭିତରେ କି ସେ କମଳା ଅଟଇ

ନିର୍ଧୂମ ଅନଳ ପ୍ରାୟ ଜ୍ୟୋତି ବିକାଶଇ ।

ଚାହିଁ ସେ ରୂପକୁ ସର୍ବେ ଗଲେ ମୋହ ହୋଇ

ଦେଖି ରାଧାକୃଷ୍ଣ କୋଳେ ନେଲେ ଯେଉଁଠାଇ ।

ପାଦକର ବାଜି ସର୍ବେ ଚେତନା ଲଭିଲେ

ରାଧାକୃଷ୍ଣ କୋଳେ ବସି ଅଛନ୍ତି ଲଭିଲେ ।

ଶ୍ରୀରାଧା ବୋଲନ୍ତି ଗୋପାଳୁଣୀ ଗନ୍ଧ ପାଇ

ଗଲେପରା ରାଜଜେମା ବୋଧେ ମୋହମୋଇ ।

ଲଜ୍ଜାରେ ରୁକ୍ମିଣୀ ପାଦରେ ପଡ଼ିଲେ

ମୋର ଅପରାଧ କ୍ଷମାକର ହେ ବୋଇଲେ ।

ରାଜେଶ୍ଵର ବୋଲନ୍ତି ଯେ ନାରୀଙ୍କୁ ଅନାଇଁ

ତୁମ୍ଭ ଆମ ମଧ୍ୟେ ତିଳେ ଭିନ୍ନାଭିନ୍ନ ନାହିଁ ।

ମୋର ଅଂଶେ ତୁମ୍ଭେ ସର୍ବ ହୋଇଅଛ ଜାତ

ତେଣୁ ପାଟବଂଶୀ ଲାଗି ହେଲ ଗୋ ସମ୍ଭୂତ ।

ଶେଷେ ସର୍ବେ ଆମ ଅଂଶେ ଯାଇଣ ମିଳିବ

ମିଥ୍ୟା ନୁହେଁ ଏହି କଥା ଅଟଇ ଗୋ ଧ୍ରୂବ ।

ଆମ୍ଭ ଦୁହିଁଙ୍କ ମଧ୍ୟରେ ଭିନ୍ନ ଭିନ୍ନ ନାହିଁ

ଯୁଗ ରାଧାକୃଷ୍ଣ ଯେ ଅଟେ ଏକ ଦେହୀ ।

ମୋର ଅଙ୍ଗେ ହୋଇ ନ ଥିଲେ ଯେ ଅବତାର

ହୋଇ ନ ଥାନ୍ତ ଘରଣୀ ତୁମ୍ଭେ ପ୍ରଭୁଙ୍କର ।

ଏତେ କହି ସମସ୍ତଙ୍କୁ ଆଲିଙ୍ଗନ କଲେ

ୟାଙ୍କୁ ଗୃହେ ନେଇଯାଅ ପ୍ରଭୁଙ୍କୁ ବୋଇଲେ ।

ରାଧାଙ୍କୁ ସଖୀଏ ଚାହୁଁଥାନ୍ତି ବାରମ୍ବାର

ପଦ୍ମଗନ୍ଧ ମହକଇ ଦେହରୁ ତାଙ୍କର ।

ଯେତେ ସୁନ୍ଦରୀ ରମଣୀ ଛନ୍ତି ପୃଥିବୀରେ

ସମାନ ନୋହିବେ କେହି ଚରଣେ ରାଧାର ।

ଶ୍ରୀମତୀଙ୍କୁ ପ୍ରଣମିଲେ ସର୍ବ ସଖୀଗଣ

ମେଲାଣି ହୋଇଲେ ସର୍ବେ ଦ୍ୱାରକା ଭୁବନ ।

ଶ୍ରୀକୃଷ୍ଣଙ୍କ ପାଦତଳେ ସରବେ ପଡ଼ିଲେ ।

ଗୋପୀ ଆମ୍ଭଠାରୁ ଶ୍ରେଷ୍ଠବୋଲିଣ ବୋଇଲେ ।

ତୁମ୍ଭ ମାୟା ଦେବ ବ୍ରହ୍ମାଙ୍କୁ ଯେ ଅଗୋଚର

ଛାର ଦାସୀ ଆମ୍ଭେ ଅନ୍ତ ନ ଜାଣୁ ତାହାର

ସେହି ଦିନୁ ସତ୍ୟଭାମା ଗର୍ବ ନ କରନ୍ତି

ସୁନ୍ଦରୀ ବୋଲି ସେ କାହା ଆଗେ ନ କହନ୍ତି ।

ଜ୍ୟେଷ୍ଠ ବୋଲି ନ କହନ୍ତି କେବେହେଁ ରୁକ୍ମିଣୀ

ତାଙ୍କଠାରୁ ସର୍ବ ଗୁଣେ ରାଜା ବଡ଼ ଜାଣି ।

ପ୍ରଭୁ ପାଦତଳେ ସଦା ଭକତି କରନ୍ତି

ଦାସୀ ପରି ଦିବା ରାତ୍ର ସରବେ ଖଟନ୍ତି ।

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଅପୂର୍ବ ଚରିତ

ଅଷ୍ଟସଖୀମାନଙ୍କର ଗରିବ ଗଞ୍ଜିତ ।

ଜୟ ଜୟ ଜଗନ୍ନାଥ ଅତ୍ରାହି ଭଞ୍ଜନ

ଭାରା ନିବାରଣ ଅର୍ଥେ ମର୍ତ୍ତ୍ୟେ ଉତପନ୍ନ ।

ନାରୀମାନଙ୍କୁ ଗୋପିକା ଭକ୍ତି ଦେଖାଇ

ଆନନ୍ଦେ ପୂରେ ରହିଲେ ପ୍ରଭୁ ଭାବଗ୍ରାହୀ ।

କିପରି ସ୍ୱର୍ଗପୁରକୁ ଯିବେ ଚକ୍ରଧର

ବଂଶ ବିନାଶିବା ଲାଗି କର ତୁ ବିଚାର ।

ଏଣିକି ଶୁଣିଲେ ନରେ ଯଦୁବଂଶ ଧ୍ୱଂସ

ଭାରା ନିବାରିଣ ସ୍ୱର୍ଗ ଯିବେ ପୀତବାସ ।

ଶ୍ରୀମହାପୁରୁଷ ଅଚ୍ୟୁତଙ୍କ ପାଦ ଧ୍ୟାୟି

ହୃଦପଦ୍ମେ ସ୍ମରି କ୍ଷେତ୍ରମୋହନ ଲେଖଇ ।

 

ଦୁର୍ବାସା ଋଷିଙ୍କ କୃଷ୍ଣ କୁମରେ ଅଭିଶାପ ଓ
ଦ୍ୱାରକାରେ କୋକୁଆ ଭୟ

ଶୁଣ ହେ ପଣ୍ଡିତ ଜନେ ମନକର୍ଣ୍ଣ ଦେଇ

ଏ ଗ୍ରନ୍ଥ ପଢ଼ିଲେ ଯମ ଭୟ ନ ଲାଗଇ ।

ଯେଉଁମାନେ ତ୍ରିସନ୍ଧ୍ୟାରେ ଏହାକୁ ପଢ଼ିବେ

ଅନ୍ତକାଳେ ଯାଇ ବଇକୁଣ୍ଠରେ ବସିବେ ।

ଶ୍ରୀକୃଷ୍ଣ ଯେ ବାଲ୍ୟଭାବ ନାରୀଙ୍କୁ ଦେଖାଇ

ରହସ୍ୟ ଦ୍ୱାରକାପୁରୁ ଗଲେ ବିଦାହୋଇ ।

ନିଜ ପୁରେ ଜଗନ୍ନାଥ ଅଷ୍ଟସଖୀ ଧରି

ରହିଣ ସର୍ବଦା ଚିନ୍ତା କଲେ ନରହରି ।

ବଂଶନାଶ କରିବାକୁ କରନ୍ତି ବିଚାର

ଏ କଥା କା ଆଗେ ପ୍ରଭୁ ନ କରି ବାହାର ।

ଦିନୁଦିନେ କ୍ଷୀଣ ହୁଏ ପ୍ରଭୁଙ୍କ ଶରୀର

ଅଷ୍ଟସଖୀ କ୍ଷଣେ ପାଶୁ ନ ହୋନ୍ତି ଅନ୍ତର ।

ତେଣେ ସ୍ୱର୍ଗପୁର ମଧ୍ୟେ ସର୍ବ ଦେବଗଣ

ସୁଧର୍ମା ସଭାରେ ଆସି ମିଳିଲେ ତକ୍ଷଣ ।

ବୃହସ୍ମତିଙ୍କୁ ବୋଲନ୍ତି ପ୍ରଭୁ ସୁନାସୀର

କିପରି ଆସିବେ କୃଷ୍ଣଚନ୍ଦ୍ର ସ୍ଵର୍ଗପୁର ।

ଦେବ ଚାର ବୋଲଇ ଯେ ଶୁଣ ସୁନାସୀର

ଦୁର୍ବାସା ଋଷିଙ୍କି ଶୀଘ୍ର ପେଶ ମର୍ତ୍ତ୍ୟପୁର ।

ଛଦ୍ମମେ ଯାଆନ୍ତୁ ଋଷି ପାଗଳାଙ୍କ ପରି

ତାଙ୍କୁ ଦେଖି ଉପହାସ କରିବେ ସବୁରି ।

ଶ୍ରୀକୃଷ୍ଣ କୁମାରମାନେ କଉତୁକ କରି

ଶାମ୍ବ କୁମାରେ କରିବେ ଗର୍ଭବତୀ ନାରୀ ।

ଋଷିଙ୍କୁ ଦେଖି କୌତୁକେ ପ୍ରଶ୍ନ ପଚାରିବେ

ରାଗେଣ ଋଷି ତାହାଙ୍କୁ ଅଭିଶାପ ଦେବେ ।

ସେହି ଶାପେ ଧ୍ୱଂସହେବ ବଂଶ ଶ୍ରୀକୃଷ୍ଣର

ତେଣୁ ବୈକୁଣ୍ଠପୁରକୁ ଆସିବେ ଶ୍ରୀଧର ।

ଶୁଣି ସକଳ ଦେବଙ୍କ ମନକୁ ପାଇଲା

ଋଷିବର ଦ୍ୱାରକା ଯିବା ସ୍ଥିରହେଲା ।

ଛଦ୍ରମେ ପାଗଳ ବେଶ ହୋଇ ଋଷିବର

ପ୍ରବେଶ ହୋଇଲେ ଯାଇ ଦ୍ୱାରକା ନଗର ।

ଋଷିଙ୍କୁ ଦେଖି ଶ୍ରୀକୃଷ୍ଣ କୁମରେ ଆସିଲେ

ଉପହାସ କରି ନାନା ଭର୍ତ୍ସନା କରିଲେ ।

ଶାମ୍ବ କୁମାରକୁ ସର୍ବେ ନାରୀବେଶ କରି

ଉଦର ମଧ୍ୟରେ ଲୌହପାତ୍ର ଏକ ଭରି ।

ଋଷିଙ୍କୁ ବୋଇଲେ କହି ଆହେ ତପଚାରୀ

ଗର୍ଭ ଭାରି ହୁଏ ଚାଲି ନ ପାରେ ସୁନ୍ଦରୀ ।

ଅନେକ ଦିନ ହୋଇଲା ଗର୍ଭବାସ ହୋଇ

କିମ୍ପା ୟାର ପୁତ୍ର କନ୍ୟା ପ୍ରସବ ନୁହଇ ।

ତୁମ୍ଭେତ ତ୍ରିକାଳ କି ତା ଅଟ ମୁନିବର

କୁହ କିସ ଅଛି ଗର୍ଭ ମଧ୍ୟରେ ଏହାର ।

ରାଗେ ଜରଜର ହୋଇ ଦୁର୍ବାସା ବୋଲନ୍ତି

ଲୌହପିଣ୍ଡ ଗର୍ଭେ ଅଛି ନାହିଁ ଯେ ସନ୍ତତି ।

ଅଳ୍ପକାଳ ମଧ୍ୟେ ଲୌହପିଣ୍ଡ ପ୍ରସବିବ

ସେହି ଲୌହପିଣ୍ଡ ଯଦୁବଂଶ ଧ୍ୱଂସ ହେବ

ଏହା କହି ଋଷିବର ଅନ୍ତର୍ଦ୍ଧାନ ହେଲେ

ଶ୍ରୀକୃଷ୍ଣ କୁମରମାନେ ମନେ ଭୟକଲେ ।

ସଭା ମଧ୍ୟେ ବସିଥିଲେ ପ୍ରଭୁ ଚକ୍ରଧର

ସେଠାବରେ ପୁତ୍ରମାନେ ହୋଇଲେ ହାଜର ।

ଦୁର୍ବାସାଙ୍କ ଶାପ କଥା ପ୍ରକାଶ କରିଲେ

ଯାହା ଯାହା ଘଟିଲା ତ ବର୍ଣ୍ଣନା କରିଲେ ।

ଶ୍ରୀହରି ବୋଇଲେ ପିଣ୍ଡ ଗୋଟି ଆଣିଦିଅ

ଦେଖିବ ତାହାକୁ ମନେହୁଏ ମୋ ସନ୍ଦେହ ।

ଯହୁଁ କୁମର ସେ ଲୌହପିଣ୍ଡ ଦେଖାଇଲେ

ପ୍ରଚଣ୍ଡ ତେଜ ଦେଖିଣ ପ୍ରଭୁ ଭୀତ ହେଲେ ।

ସଭାଜନମାନେ ଦେଖି ଚକିତ ହୋଇଲେ

ଦୁର୍ବାସା କହନ୍ତି ବୋଲି ପ୍ରଭୁ ପଚାରିଲେ ।

କୁମର ବୋଇଲେ ଋଷି ଅଭିଶାପ ଦେଇ

ଜାଣୁନାହିଁ କେଣେ ଗଲେ ଅନ୍ତର୍ଦ୍ଧାନ ହୋଇ ।

ଶ୍ରୀକୃଷ୍ଣ ବୋଇଲେ ସର୍ବେ ଯାଦବଙ୍କୁ ଚାହିଁ

କେଣେ ଋଷିବର ଛନ୍ତି ଦେଖ ସର୍ବେ ଯାଇ ।

ସକଳ ଯାଦବଗଣ ଯାଇଣ ଖୋଜିଲେ

କୌଣସି ଠାବରେ ଦୁର୍ବାସାଙ୍କୁ ନ ପାଇଲେ ।

ଶ୍ରୀକୃଷ୍ଣ ଆଗେ ସଭାରେ ଆସି ଜଣାଇଲେ

ଖୋଜି ଖୋଜି ଥକିଗଲୁ ନ ପାଇଲୁ ଭଲେ ।

ଶ୍ରୀହରି ବୋଇଲେ ଦୂତମାନଙ୍କୁ ହକାରି

ଶୀଘ୍ର ଲୌହପିଣ୍ଡ ନିଅ ବିଳମ୍ବ ନ କରି ।

ନୀଳଗିରି ନିକଟକୁ ଯାଅ ୟାକୁ ନେଇ

ଘଷି ପର୍ବତେ ସମୁଦ୍ରେ ଦେବ ଯେ ମେଲାଇ ।

ଯେପରି ଏହାର କିଛି ଅଂଶ ନ ରୁହଇ

ସେ ରୂପେ ଘଷିବ ତୁମ୍ଭେ ଲୌହପିଣ୍ଡ ନେଇ ।

ଚାରିକ୍ରୋଶ ଚଉଡ଼ାରେ ଗିରି ଏକ ଅଛି

ସମୁଦ୍ର ମଝିରେ ସେହି ପର୍ବତ ପଡ଼ିଛି ।

ଆଜ୍ଞା ପାଇ ଲୌହପିଣ୍ଡ ନେଇ ଚାଲି ଗଲେ

ନୀଳଗିରି ନିକଟରେ ପ୍ରବେଶ ହୋଇଲେ ।

କର୍କଶ ଲୌହପିଣ୍ଡ ଯେ ପ୍ରଜ୍ଜ୍ୱଳି ଅଟଇ

ବରଷକ ଘରଷଣେ ଅଙ୍ଗୁଳି ଛିଡ଼ଇ ।

ଘଷି ଘଷି ଚାରମାନେ ବିରକ୍ତ ହୋଇଲେ

କିୟତ ଅଂଶ ସେମାନେ ଜଳରେ ମେଲିଲେ ।

ଅବଶିଷ୍ଟେ ଯେଉଁ ଅଂଶ ଜଳେ ପଡ଼ିଥିଲା

ମୀନ ଗୋଟି ଏକ ଖାଦ୍ୟ ଭାବିଣ ଗିଳିଲା ।

କିଛିଦିନ ପରେ ଜାଲ ବାହିଲା ଧୀବର

ସେ ମୀନ ଗୋଟି ପଡ଼ିଲା ତାହାର ଜାଲର ।

 

ଆନନ୍ଦ ହୋଇ ସେ ମୀନ ଧୀବର ଯେ ନେଲା

ଜାରାଶବର ଘରେ ଯେ ତାହାକୁ ବିକିଲା ।

କାଟନ୍ତେ ଜରା ମୀନକୁ ଲୌହ ବାହାରିଲା

ପ୍ରଚଣ୍ଡ ତେଜ ଦେଖି ସେ ନାରାଚ ଗଢ଼ିଲା ।

ଅବଶିଷ୍ଟ ସେ ଲୌହର ଫେନମାନ ଯାଇ

କୂଳେ ଲାଗି ଏରକାର ବନ ଉପୁଜାଇ ।

ଏଣେ ଶ୍ରୀକୃଷ୍ଣ ଯେ ଦିନୁଦିନୁ କ୍ଷୀଣ ହେଲେ

ସବୁବେଳେ ଅନ୍ତଃପୁରୁ ବାହାର ନୋହିଲେ ।

ସକଳ ଯାଦବମାନେ ସଭାକୁ ଆସନ୍ତି

ଜଗନ୍ନାଥଙ୍କୁ ନ ଦେଖି ବ୍ୟାକୁଳ ହୁଅନ୍ତି ।

କୃଷ୍ଣଙ୍କୁ ନ ଦେଖି ରାମ ମନଦୁଃଖ କରି

ବୋଲଇ କିମ୍ପାଇ ଦେଖ ନ ଯାଏ ମୁରାରୀ

ଜାଣିଛି ମୁଁ କୃଷ୍ଣ ଯଦି ବିରସ ହୋଇବ

ନିଶ୍ଚୟ ଅଳପ ଦିନେ ଦ୍ୱାରକ ନାଶିବ ।

ଏହିପରି ସର୍ବ ମନେ ଭାବନା କରନ୍ତି

ଜଗନ୍ନାଥଙ୍କୁ ବାହାରେ କେହି ନ ଦେଖନ୍ତି ।

ସାରା ଦ୍ଵାରକା ନଗର ଦିଶେ ଶିରୀହୀନ

ଲକ୍ଷ୍ମୀଛଡ଼ା ଦିଶନ୍ତି ଯେ ସେ ନଗର ଜନ ।

ଦିବସେ ଉଲକାପାତ ଯେ ହୁଏ ବାରବାର

ଶୃଗାଳ ପୃଥ୍ୱୀ ପୁରରେ ବୁଲନ୍ତି ଅପାର ।

ଯେ ପୁରେ ମାଛି ପଡ଼ିଲେ ନବଖଣ୍ଡ ହୋଇ

ଅହରହ ସୁଦର୍ଶନ ଚକ୍ର ଘୁରୁଥାଇ ।

ଆଜି ସେ ପୁରେ ଅଶୁଭ ଲକ୍ଷଣ ଦେଖିଣ

ମନେ ମନେ ମହାଭୀତ ହୋନ୍ତି ଯଦୁଗଣ ।

ପୁର ମଧ୍ୟରେ ଶ୍ରୀହରି କେଣେ ନ ଯାଆନ୍ତି

ବିରସ ମଳିନ ଦିଶେ ପ୍ରଭୁଙ୍କର କାନ୍ତି ।

ଦିନେ ଜଗନ୍ନାଥ ମନେ କରିଲେ ବିଚାର

ଉଦ୍ଧବ ଅକ୍ରୂର ଦୁଇ ରହିଲେ ଏ ପୁର ।

ଧର୍ମବନ୍ତ ପ୍ରାଣୀ ଯେଣୁ ସେ ଦୁଇ ଅଟନ୍ତି

ତାଙ୍କ ଯୋଗେ ତିଳେ ନ ଡୁବିବ ଦ୍ଵାରବତୀ

ଏତେ ପାଞ୍ଚି ଚକ୍ରଧର କରିଣ ସ୍ମରଣ

ସେ ଦୁହିଁଙ୍କର ଆସ୍ଥାନ କମିଲା ତକ୍ଷଣ ।

ସାଥେ ସାଥେ ଉଦ୍ଧବ ଅକ୍ରୂରଦ୍ୱୟ ଯାଇ

ଅଳକାପୁର ମଧ୍ୟରେ ମିଳିଲେକ ତହିଁ ।

ଖଣ୍ଡେଦୂରେ ଉଭାହୋଇ ପାଦେ ପ୍ରଣମିଲେ

ଜଗନ୍ନାଥ ରୂପ ଦେଖି ଚମକି ପଡ଼ିଲେ ।

ଅଷ୍ଟପାଟବଂଶୀ ନେତୁ ବହେ ନୀରଧାର

ଦେଖିଲେ ଯେ ତିଳେ ସୁଖ ନାହିଁ କା ମନର

ନାରୀମାନଙ୍କୁ ଚାହିଁଣ ବୋଲନ୍ତି ଶ୍ରୀଧର

ଅନ୍ୟସ୍ଥାନେ ଯାଅ ସର୍ବେ କାମ ଅଛି ମୋର ।

ଶୁଣି ଅଷ୍ଟପାଟବଂଶୀ ଅପସରି ଗଲେ

ଏକାନ୍ତରେ ଦୁଇଭନ୍ତେ ପାଶକୁ ରାଇଲେ ।

ବେନି ନୟନୁ ପ୍ରଭୁଙ୍କ ବହେ ନୀର ଧାର

ଶଙ୍ଖ ଚକ୍ର ଗଦା ପଦ୍ମ ନ ଶୋଭଇ କର ।

ଯେଉଁ ଚନ୍ଦ୍ରମୁଖ ସଦା ଝଟକି ଉଠଇ

ଆଜି ଅମାଅନ୍ଧ ପରି ମଉଳି ଦିଶଇ ।

ନୀଳ ବଦନ ଦିଶଇ ଯେହ୍ନେ ଶିରୀହୀନ

ଜବାପୁଷ୍ପ ପରି ବିକଶିତ ମୁଖବନ ।

ଦେଖି ଭକ୍ତ ଦୁଇଜଣ କରିଲେ ରୋଦନ

ଏ ରୂପେ କିମ୍ପାଇ ଦେବ ଦେଉ ଦରଶନ ।

ଦ୍ୱାପର ଲୀଳା କି ଶେଷ ହୋଇଲା ତୋହର

ସେଇଥି ନେଇ ଦେଖାଉ ଏସବୁ ଶ୍ରୀଧର ।

ଶିରୀଛଡ଼ା ଦିଶୁଅଛି ସୁରଙ୍ଗ ବଦନ

ମାୟା ନ କରି ଆମ୍ବରେ କୁହ ଭଗବାନ ।

ତୁମେ ପଞ୍ଚପ୍ରାଣ ମୋର ଅଟ ଦ୍ଵାରକାରେ

କୁମ୍ଭଙ୍କୁ ଛାନି କି କେଣା ଯାଇ ମୁଁ ନ ପାରେ ।

ଉଦ୍ଧବ ଅକ୍ରୂରଙ୍କର ବୁଝିବାକୁ ମନ

ମାୟାକରି ମାୟାଧର ବୋଇଲେ ବଚନ ।

ଆମ୍ଭ ନିକଟକୁ ଆସିଥିଲେ ଦେବଦୂତ

ଡେରି ନ କରି ସ୍ୱର୍ଗକୁ ଯିବୁ ଯେ ତୁରନ୍ତ ।

ଦ୍ୱାପର ଯୁଗର ଖେଳଲୀଳା ହେଲା ଶେଷ

ଭୋଗ ହେଲା ଆଠଲକ୍ଷ ଚୌଷଠି ବରଷ ।

ବହୁଦିନ ହେଲା କଳି ହେଲାଣି ପ୍ରବେଶ

ହସ୍ତିନା ରାଜନ ତାକୁ ବାନ୍ଧିଛନ୍ତି ଫାଶ ।

ଯେଣୁ ଆଉ ମୋତେ କ୍ଷଣେ ଶାନ୍ତି ଲାଗୁ ନାହିଁ

ଅନେକ ଦିନ ହେ ଯିବି ସ୍ୱସ୍ଥାନେ ପଳାଇ ।

ଲକ୍ଷ୍ମୀ ମଧ୍ୟ ଉଦ୍‌ବେଗ ହେଲାଣି ଯିବା ପାଇଁ

ଶୁଣିଥିଲେ ରାଧାରାଣୀ ଯାହା ଥିଲେ କହି ।

ମୋର ଆଗୁ ମଧ୍ୟ ନିତ୍ୟେ ଚଳିଯିବେ ସେହି

ଲଳିତାକୁ ଅଷ୍ଟସଖୀଗଣ ସଙ୍ଗେ ନେଇ ।

ମୋର ଅନ୍ତେ ଦ୍ଵାରକାରୁ ଲକ୍ଷ୍ମୀ ସରସ୍ଵତୀ

ଚାଲିଯିବେ କେବଳ ସେ ମୋ ଲାଗି ଅଛନ୍ତି

କିନ୍ତୁ ତାଙ୍କର କରୁଣା ନାହିଁ କାହା ପର

ନିତ୍ୟେ ଯିବା ପାଇଁ ମନ ସଦା ତତପର ।

ସତ୍ୟଭାମା ସରସ୍ୱତୀ ରୁକ୍ମିଣୀ ଯେ ଲକ୍ଷ୍ମୀ

ଅନ୍ୟ ଷଡ଼ ପାଟବଂଶୀ ତାହାଙ୍କର ସଖୀ ।

ରୁକ୍ମିଣୀ ଦେବୀଙ୍କ ମନ ଆଉ ସ୍ଥିର ନାହିଁ

ମୋ ପାଶେ ସେବା ଆପଣ କରନ୍ତି ସେ ଦୁଇ ।

ଯୋନିରେ ଜନମ ଯେଣୁ ହୋଇଛନ୍ତି ସେହି

ଏ ପିଣ୍ଡ ଗୋଟିକ ବିସର୍ଜନ ଯିବେ ନେଇ ।

ମୋର ଯିବା ଅନ୍ତେ ଯେତେ ରମଣୀ ମୋହର

ସ୍ନାନ କରୁ କରୁ ସର୍ବେ ଯିବେ ସ୍ୱର୍ଗପୁର ।

ତାହାଙ୍କର ମାଟିପିଣ୍ଡ ଜଳରେ ଭାସିବ

ଅର୍ଜ୍ଜୁନ ସଭିଙ୍କୁ ଆଣି ଅଗ୍ନି ଲଗାଇବ ।

ଅନନ୍ତ ଯେ ବଳରାମ ଶୁଣ ଭକ୍ତ ମୋର ।

ତୋ ଆଗରୁ ସର୍ପ ରୂପେ ଯିବେ ସମୁଦ୍ରର ।

ତାହାଙ୍କ ଉପରେ ମୁହଁ ଶୟନ କରିବି

ଲକ୍ଷ୍ମୀ ସରସ୍ଵତୀ ବିହୁନରେ ଏକା ଥିବି ।

ଶୁଣି ଉଦ୍ଧବ ଅକ୍ରୂର ବୋଲନ୍ତି ବଚନ

ବଡ଼ ସନ୍ଦିହାନ କଥା କୁହ ଭଗବାନ ।

ମାୟା ସଂସାରରେ କେହି ନୁହଇ କାହାର

ଜାଣିଶୁଣି କିମ୍ପା ଜଞ୍ଜାଳରେ ବୁଡ଼ିମର ।

ଆଗ ପରା ରାଧେ ଯିବେ ବୈକୁଣ୍ଠ ଭୁବନ

ପୁଣ କୁହ ଏକା ଦେବ କରିବ ଶୟନ ।

ହସି ଚକ୍ରଧର ତାଙ୍କୁ ଦିଅନ୍ତି ବୁଝାଇ

ଶୁଣରେ ଭକ୍ତଶେଖର ତୁମେ ମନଦେଇ ।

ରାଧାଦେବୀ ଅଟନ୍ତି ଯେ ନିତ୍ୟ ରାସେଶ୍ୱରୀ

ତ୍ରିପୁରା ଅଂଶରେ ସେହୁ ଛନ୍ତି ଅବତରି ।

ସେ ତ ପାଦ ସେବିବାକୁ ସମର୍ଥ ନୁହଇ

ରାଧାକୃଷ୍ଣ ଦୁହିଁଙ୍କର ଭିନ୍ନା ଭିନ୍ନ ନାହିଁ ।

ଯେହୁ ରାଧା ସେହୁ କୃଷ୍ଣ ବୁଝ ହେତୁକରି

ଏକା ଦେହୁ ଆମ୍ଭେ ଦ୍ୱୟ ଅଛୁ ଅବତରି ।

ସେ ତ ଯୁଗ ଶେଷ ହେଲେ ମୋ ଦେହେମିଶଇ

ପୁଣି ଦର୍କାର ପଡ଼ିଲେ ଅଙ୍କୁ ବାହାରଇ ।

ଦେଖି ସଦା ହୃଦ ମଧ୍ୟେ ସେ ବିରାଜିଛନ୍ତି

ନାହିଁ ତାଙ୍କ ଦିବାରାତ୍ର ରାହାସ କରନ୍ତି ।

ଯେତେବେଳେ ମର୍ତ୍ତ୍ୟେ ଜନମନ୍ତି ଦେହ ବହି

ମହାଲକ୍ଷ୍ମୀଙ୍କଠାରୁ ଅଂଶ ଆଣନ୍ତି ଯେ ବହି ।

ତେଣୁ ପାଦ ସେବିବାକୁ ଶକ୍ତି ନାହିଁ ତାର

ଲକ୍ଷ୍ମୀ ସରସ୍ୱତୀ ପାଦ ମଞ୍ଚାଳନ୍ତି ମୋର ।

ଶୁଣି ଉଦ୍ଧବ ଅଛର ପାଦରେ ପଡ଼ିଲେ

ଆମ୍ଭଙ୍କୁ କେଉଁ ଉପାୟ ବତା ପ୍ରଭୁ ଭଲେ ।

ଜୀବନରେ ତୋର ବିଳୁ ନ ଜାଣଇ ଆନ

ତୁହି ଦେବ ଅଟୁ ଆମ୍ଭ ପରାଣର ଧନ ।

ତୋତେ ଛାନି ଦଣ୍ଡେ ମାତ୍ର ରହି ନ ପାରିବୁ

ତୋର ନିର୍ମାଲ୍ୟ ନ ପାଇ କିପରି ବଞ୍ଚିବୁ ।

ଏତେ କହି ବାଳୁତ ନନ୍ଦନ ପରି ଦୁଇ

କୃଷ୍ଣଙ୍କର ପାଦ ଧରି କାନ୍ଦନ୍ତି ଯେ ତହିଁ ।

ବୋଲନ୍ତି ଶ୍ରୀହରି କେଭେ ଭାବନା ନ କର

ତୁମ୍ଭଙ୍କୁ ଛାଡ଼ି ନ ଯିବୁ ଆମ୍ଭେ ସ୍ୱର୍ଗପୁର ।

ମୋର ବୋଲ ମାନି ତୁମେ ଚଳ ଦୁଇଜଣ

ବଦରି ଆଶ୍ରମେ ତପ କର ଆଚରଣ ।

ଉଦ୍ଧବ ବୋଇଲେ କିମ୍ପା ଯିବୁ ବଦରିକା

ସେ କି ଅଟେ ଦେବ ତୋର ଚରଣୁ ଅଧିକା ।

ଶ୍ରୀହରି ବୋଇଲେ ତୁମେ ଦୁହେଁ ଏଥି ଥିଲେ

ନାଶ ନୋହିବ ଦ୍ୱାରକା କହୁଛି ମୁଁ ଭଲେ ।

ମାୟା ସଂସାରରେ କେହି ନୁହଇ କାହାର

ଜାଣିଶୁଣି କିମ୍ବା ଜଞ୍ଜାଳରେ ବୁଡ଼ିମର ।

ଯଦି ମୋହର ଆଦେଶ ତୁମ୍ଭେ ନ ମାନିବ

କାଳେ କାଳେ ଆଉମୋର ଦେଖା ନ ପାଇବ

ଶୁଣି ଉଦ୍ଧବ ଅକ୍ରୂର ପାଦରେ ପଡ଼ିଲେ

ଏକ୍ଷଣି କେଣିକି ଯିବୁ କୁହ ଦେବ ଭଲେ ।

କିନ୍ତୁ କେଉଁଠାରେ ଆମେ ରହିବୁ ଶ୍ରୀଧର

ସବୁବେଳେ ଦେଖୁଥିବୁ ଶ୍ରୀମୁଖ ତୋହର ।

ଶ୍ରୀହରି ବୋଇଲେ ସଦା ପାଶେ ମୁହିଁ ଥିବି

କ୍ଷଣେ ମାତ୍ର ତୁମ୍ଭଙ୍କୁ ଯେ ଛାଡ଼ି ନ ଯିବି ।

ବଦରିକା ଆଶ୍ରମରେ ରଖି ପୂଜୁଥାଅ ।

ଅକ୍ରୂରକୁ ନାରାୟଣ ଶିଳା ଆଣିଦେଲେ

ବୋଇଲେ ଏହାକୁ ନେଇଯାଅ ତୁହି ଭଲେ ।

ଯେତେବେଳେ ତୁମ୍ଭେଦୁହେଁ ମୋତେସୁମରିବ

ସାଙ୍ଗେ ସାଙ୍ଗେ ମୋହର ଯେ ସାକ୍ଷାତ ପାଇବ

ପାଦୁକା ମସ୍ତକେ ନେଇ ଉଦ୍ଧବ ଚଳଇ

ଅକ୍ରୂର ଶାଳଗ୍ରାମକୁ ନେଇ ବାହାରଇ ।

ପ୍ରଭୁଙ୍କର ପାଦଧୂଳି ମସ୍ତକେ ଲଗାଇ

ଶୋକାକୂଳେ ଦ୍ଵାରକାକୁ ବାହାରିଲେ ଦୁଇ ।

ଉଦ୍ଧବ ଅକ୍ରୂର ତହୁଁ ଦ୍ୱାରକାକୁ ଗଲେ

ଶାନ୍ତିରେ ନିଃଶ୍ୱାସ ଜଗନ୍ନାଥ ଯେ ମାରିଲେ ।

ରୁକ୍ମିଣୀ ସତ୍ୟଭାମାଙ୍କୁ ପାଶକୁ ରାଇଲେ

ମାୟା ପଟଳ ତାହାଙ୍କ ଚକ୍ଷୁରୁ ଫେଇଲେ ।

ବୋଇଲେ ଜଞ୍ଜାଳେ ପଡ଼ିଅଛି ତୁମେ ଦୁଇ

ନିଜ ସ୍ଥାନେ ଯିବାକୁ କି ମନ ବଳ ନାହିଁ ।

ଯହୁଁ ମାୟା ଘୁଞ୍ଚଗଲା ଦେବୀଙ୍କ ଚକ୍ଷୁର

ବୋଇଲେ କିମ୍ପାଇଁ ପ୍ରଭୁ ତୁମେ ଡେରି କର ।

ଚାଲ ଦେବ ଏ ସ୍ଥାନରେ କ୍ଷଣେ ନ ରହିବା

ଶୁଣି ଶ୍ରୀହରି ବୋଇଲେ କେଉଁପରି ଯିବା ।

ସକଳ ଯଦୁବଂଶକୁ ଧ୍ୱଂସ ନ କରିଲେ

ପୃଥ୍ୱୀଦେବୀ ନିଶ୍ୱାସ କି ମାରିଦେବ ଭଲେ ।

ଆମ୍ଭେ ଆସିଥିଲେ ଉଶ୍ୱାସିବା ପାଇଁ ମହୀ

ବେଶି ବୋଝ ଲଦିଦେଇ କିପରି ଯିବଇ ।

ଶୁଣି ଦେବୀଏ ବୋଲନ୍ତି ଯାହା ତୁମ୍ଭେ କର

ଆମ୍ଭଙ୍କୁ ଛାଡ଼ିଣ ଯାଅ ନାହିଁ ସ୍ୱର୍ଗପୁର ।

କହନ୍ତି ଶ୍ରୀକୃଷ୍ଣ ଆଗେ ଯାଉଅଛି ମୁହିଁ

ମୋର ପଛପଟେ ତୁମ୍ଭେ ଆସ ସାଥିହୋଇ ।

ଶୁଣି ଶ୍ରୀମୁଖ ବଚନ ଦେବୀ ମହାମାଇ

ସନମତ କଲେ ମନ କ୍ରୋଧ ସେ ନ ବହି ।

ସେହି ଦିନୁ ସତ୍ୟଭାମା ରୁକ୍ମିଣୀ ଆବର

ଅଷ୍ଟପାଟବଂଶୀ ସହ ନ ହୋନ୍ତି ଅନ୍ତର ।

ସଦା ପାଦେ ସେବୁଥାନ୍ତି ଅଷ୍ଟ ପାଟବଂଶୀ

ସମସ୍ତେ ମାୟାକୁ ତ୍ୟାଗକରି ଶୁଭକେଶୀ ।

ମନେ ମନେ ଚିନ୍ତାକଲେ ପ୍ରଭୁ ଚକ୍ରଧର

ନନ୍ଦ ଯଶୋଦାଙ୍କୁ ଡକାଇବା ଯେ ପାଶର ।

ଶ୍ରୀମତୀଙ୍କ ନିକଟକୁ ପତ୍ର ଲେଖି ଦେବି

ଅଷ୍ଟଦେବୀଗଣ ଧରି ଚାଲିଯାନ୍ତୁ ବେଗି ।

ଏତେ ବୋଲି ଶ୍ରୀକରରେ ପତ୍ର ଲେଖି ହରି

ଦୂତ ଏକ ରାଇ ନିଜ ପାଶକୁ ହକାରି ।

ବୋଇଲେ ରହସ୍ୟ ଦ୍ୱାରକାକୁ ତୁହି ଯିବୁ

ପିତାମାତାଙ୍କୁ ଆମର ସଙ୍ଗରେ ଆଣିବୁ ।

ଆବର ଏ ପତ୍ର ଗୋଟି ଚନ୍ଦ୍ରସେଣା ପୁରେ

ଗୁପ୍ତରେ ଦେବୁ ତୁ ନେଇ ଶ୍ରୀରାଧା ହସ୍ତରେ ।

ଯେପରି ରାଧାଙ୍କ ମନେ ଆନ ନ ଜାଣନ୍ତି

ତୁରନ୍ତ ଜଣାନ୍ତୁ ୟାର ଉତ୍ତର ଗୋ ସତୀ ।

ଶୁଣି ଦୂତ ପତ୍ର ଗୋଟି ମସ୍ତକରେ ମାରି

ଦ୍ୱାରକାପୁରୁ ବାହାର ହେଲା ପ୍ରଭୁ ସ୍ମରି ।

ରହସ୍ୟ ଦ୍ୱାରକା ନଗ୍ରେ ଯାଇ ପ୍ରବେଶିଲା

ଚନ୍ଦ୍ରସେଣା ପୁରେ ନେଇ ପତ୍ରଗୋଟି ଦେଲା ।

ପତ୍ରଗୋଟି ଖୋଲିଣ ଯେ ପଢ଼ିଲେ ଶ୍ରୀମତୀ

ଏହି ସମୟରେ ଆସି ମିଳିଲେକ ଦୂତୀ ।

ଲେଖା ହୋଇଅଛି ଆହେ ପରାଣ ଈଶ୍ୱରୀ

ଅପେକ୍ଷା ନ କରି ମୋତେ ଯିବହେ ବାହାରି ।

ମୁହିଁ ପଛେ ଯିବି ଯଦୁବଂଶ କରି ନାଶ

ଅଷ୍ଟସଖୀଙ୍କୁ ନେଇଣ ଚଳ ନିଜ ବାସ ।

ସେ ସ୍ଥାନରେ ଦେଖାହେବ ତୁମର ମୋହର

ତୁମ୍ଭେ ଅଷ୍ଟ ନ ଗଲେ ନ ବୁଡ଼େ ଏହି ପୁର ।

ଶୁଣି ରାଧାରାଣୀ ହେଲେ ମନେ ହସ ହସ

ସାଙ୍ଗେସାଙ୍ଗେ ଯିବାପାଇଁ ହୋଇଲେ ସୁବେଶ

ଦୂତ ହସ୍ତେ ପ୍ରଭୁପାଶେ ଲେଖିଲେ ଉତ୍ତର

ଆଜ୍ଞା ପାଇବା ମାତ୍ରକେ ହେଲି ମୁଁ ବାହାର ।

ବହୁଦିନୁ ଯିବାପାଇଁ ବଳିଲାଣି ଚିତ୍ତ

ପ୍ରାଣ ଛାଡ଼ି ପିଣ୍ଡ ଯିବା ନୁହଇ ଉଚିତ

କିନ୍ତୁ ଆଜ୍ଞା ପାଇ ଆଗ ଯାଉଅଛି ମୁହିଁ

ତୁମ୍ଭ ବିହୁନେ ନିମିଷେ ନ ପାରିବି ରହି ।

ତୁରନ୍ତ ଯାଇ ମୋ ପାଶେ ହୋଇବ ହାଜର

ଏତିକି ମାତର ଭିକ୍ଷା ପାଦରେ ମୋହର ।

ଘେନିବ ଦାସୀର ପ୍ରଣିପାତ ହୃଦସାଇଁ

ଚାତକିନୀ ପରି ଚାହିଁ ରହିଥିବି ମୁହିଁ ।

ଯେପରି ମାତେ ପଠାଇ ବୃଷଭାନୁ ଘର

ନିଶ୍ଚିନ୍ତରେ ଶୋଇଗଲ ପ୍ରଭୁ ଚକ୍ରଧର ।

ଚାହିଁ ଚାହିଁ ଆଖି ପାଣି ଆଖିରେ ମରିଲା

ବହୁତ ଦିନରେ ଦାସୀ ମନରେ ପଡ଼ିଲା ।

ଏଥର ସେପରି ନ କରିବ ପ୍ରାଣେଶ୍ୱର

ବିଦାୟ ନେଉଛି ଆଜ୍ଞା ପାଇଣ ତୁମ୍ଭର ।

ଏତେ ଲେଖି ପତ୍ରଗୋଟି ଦେବୀ ମୁଦିଦେଲେ

ପ୍ରଭୁଙ୍କ ପାଶକୁ ଦୂତ ସେ ପଠାଇଲେ ।

ପ୍ରଭୁ ଦେବା ପତ୍ରଗୋଟି ଯତନେ ରଖିଲେ

ଅଷ୍ଟ ସଖୀସହ ଦେବୀ ଅନ୍ତର୍ଦ୍ଧାନ ହେଲେ ।

ରହସ୍ୟ ଦ୍ୱାରକାପୁରେ ପଡ଼ିଲା ଚହଳ

 

କେହି ଜାଣିଲେ କେଣେ ଗଲେ ଏ ସକଳ ।

ନନ୍ଦ ଯଶୋଦାଙ୍କୁ ଦୂତ ସଙ୍ଗେ ଘେନିଗଲା

ପ୍ରଭୁଙ୍କ ପାଶରେ ନେଇ ପହଞ୍ଚାଇ ଦେଲା ।

ଦେଖି ପ୍ରଭୁଙ୍କ ବଦନ ପିତା ମାତା ଦୁଇ

ବିକଳ ହୋଇ କାନ୍ଦନ୍ତି ମୁଣ୍ଡ କୋଡ଼ିହୋଇ ।

ଆସି ବଳରାମ ପ୍ରଭୁ ବହୁ ବୁଝାଇଲେ

ଦୁଃଖ ମନେ ଦ୍ଵାରକାର ସେ ଯେ ବାସକଲେ ।

ରହସ୍ୟ ଦ୍ୱାରକା ପୁରେ ଚହଳ ପଡ଼ଇ

ବୋଧେ ଜଳେ ବୁଡ଼ି ମଲେ ଏହି ଅଷ୍ଟ ସହୀ ।

ଶ୍ରୀକୃଷ୍ଣଚନ୍ଦ୍ର ଶୁଣିଣ ମନେ ଦୁଃଖ କଲେ

ରୁକ୍ମିଣୀ ସତ୍ୟଭାମା ଯେ ଜାଣିଣ ହସିଲେ ।

ବୋଇଲେ ତାହାଙ୍କୁ ପ୍ରଭୁ ଆଗ ପଠିଆଇ

ଆମ୍ଭଙ୍କୁ କିମ୍ପା ଅଛି ପଛରେ ପକାଇ ।

ଶ୍ରୀହରି ବୋଇଲେ ମୋର ସେବା କେ କରିବ

ବର୍ତ୍ତମାନ ଯଦି ତୁମ୍ଭେ ଦୁହେଁ ଚାଲିଯିବ ।

ଶୁଣି ନୀରବରେ ଦେବୀ ପାଦ ସେବା କଲେ

ପୁରୁ ନିମିଷେ ଯେ ପ୍ରଭୁ କେଣେହେଁ ନ ଗଲେ ।

ମନେ ମନେ ଚିନ୍ତାକରି ପ୍ରଭୁ ଚକ୍ରଧର

କାଳ ପୁରୁଷ ଦେହରୁ କରିଲେ ବାହାର ।

କୋକୁଆ ବୋଲିଣ ତାର ନାମ ଦେଲେ ହରି।

ବୋଇଲେ ଭୟ କରାଅ ଦ୍ୱାରକା ନଗରୀ ।

ନଅଗୋଟି ପକ୍ଷୀ ତାର ଛଅ ଗୋଟି ଆଖି

ସପତ ବ୍ରହ୍ମାଣ୍ଡ ତାର ଗର୍ଭେ ଯିବ ଲାଖି ।

କନ କନ ହୋଇଣ ସେ ବୁଲେ ଏଣେତେଣେ

ଏଠାବରୁ ସେଠାକୁ ପଳାଏ ତକ୍ଷଣେ ।

ଦ୍ଵାରକାପୁର ମଧ୍ୟରେ ପଡ଼ିଲା ଚହଳ

କୋକୁଆକୋକୁଆବୋଲିସର୍ବେକଲେଗୋଳ

କେ ବୋଇଲା ଆରେ ବାବୁ କେଣେ ଯାଉଅଛ

ଏ ବାଟେ କୋକୁଆ ଗଲା ଦେଖିଲି ପ୍ରତ୍ୟକ୍ଷ ।

କେ ବୋଲଇ ମୋର ପୁତ୍ର ଗୋନାଇ ଖାଇଲା

କେ ବୋଲଇ ଖାଉ ଖାଉ ମୋ ସ୍ୱାମୀ ବଞ୍ଚିଲା ।

ଏହିରୂପେ ଦ୍ୱାରକାରେ ଚହଳ ଶୁଭଇ

କୋକୁଆ କୋକୁଆ ବୋଲି ସର୍ବେ ଭୟ ପାଇ ।

ଦିନ ଦଶଘଡ଼ି ଯାଏ ଘରେ ପଶିଥାନ୍ତି

ପ୍ରହରେ ଦିନ ଥାଇଣ ସରବେ ଶୁଅନ୍ତି ।

ଏହିପରି ହାଲ ହୁଳି ହୁଏ ଦ୍ୱାରକାରେ

ଶୁଣି ରାଜା ସଭା ଡକାଇଲା ଧାତିକାରେ ।

ସାତ ପୁରର ଯାଦବଗଣ ଠୁଳ ହଲେ

କୋକୁଆ ମାରିବା ପାଇଁ ବିଚାର କରିଲେ ।

ସେଦିନ ଶ୍ରୀକୃଷ୍ଣ ସଭାରେ ମିଳିଲେ

କୋକୁଆର କଥା ସର୍ବେ ପ୍ରଭୁଙ୍କୁ କହିଲେ ।

ବଳରାମ ବୋଲନ୍ତି ଶ୍ରୀହରି ମୁଖ ଚାହିଁ

କୋକୁଆ କେବଣ ଜୀବ ମୁଁ ତ ଦେଖି ନାହିଁ ।

ଶ୍ରୀକୃଷ୍ଣ ବୋଇଲେ ଛଅ ଗୋଟି ଆଖି ତାର

ନଅଗୋଟି ପକ୍ଷ ଦିଶେ ଅତି ଭୟଙ୍କର ।

ବଡ଼ ଭୟାନକ ଜୀବ ଗୋଟି ସେ ଅଟଇ

ଜନ ମନୁଷ୍ୟ ଦେଖିଲେ ଗୋଡ଼ାଇ ଭଲଇ ।

ରାମ ବୋଲନ୍ତି କି ସୁଦର୍ଶନ ତୋର ନାହିଁ

ଛାର କୋକୁଆ ଆସିଣ ଭୟ ଯେ ଦେଖାଇ ।

ଶୁଣି ଜ୍ୟେଷ୍ଠ ଭ୍ରାତା ଆଗେ କହନ୍ତି ଶ୍ରୀଧର

ନିଶ୍ଚୟ କୋକୁଆ କାଲି କରିବି ସଂହାର ।

ଜଳ ସ୍ଥଳେ ଆକାଶରେ ଥିବ କେଉଁଠାର

ଗୋଡ଼ାଇ ମାରିଣ ତାକୁ କରିଦେବି ଦୂର ।

ସଭା ମଧେ ଯେତେ ଯଦୁଗଣ ରହିଥିଲେ

କୋକୁଆ ମାରିବା ଶୁଣି ଆନନ୍ଦ ହୋଇଲେ ।

ଜଗତ କରତା ସର୍ବ ଯାଦବେ କହିଲେ

ରାତ୍ର ପ୍ରହରକ ଥାଉ ଯିବା ସର୍ବେ ଭଲେ ।

ଶୁଣିଣ ଯାଦବଗଣ ପୁରକୁ ଚଳିଲେ

ଅବକାଶ ମନ୍ଦିରକୁ ପ୍ରଭୁ ଚଳିଗଲେ ।

ସତ୍ୟଭାମା ରୁକ୍ମିଣୀ ସହିତ ଅଷ୍ଟନାରୀ

ବୋଲନ୍ତି କୁହନ୍ତୁ ନାଥ କୋକୁଆ କିପରି ।

ଗୋଟି ଗୋଟି କରି ଜଗନ୍ନାଥ ଯେ କୁହନ୍ତି

ଆଗ୍ରହରେ ନାରୀମାନେ ସର୍ବେ ଶୁଣୁଥାନ୍ତି ।

ଭାବନ୍ତି କରି ତାଙ୍କର କୃତ୍ୟ ଅଟେ ଏହି

ନୋହିଲେ ଛାର କୋକୁଆ ଆସନ୍ତା କିମ୍ପାଇ ।

ବଳରାମ ଠାକୁର ଯେ ଚିନ୍ତିତ ହୋଇଲେ

ବୋଧେ ଯୁଗ ଶେଷ ଦେବ ବୋଲିଣ ଭାବିଲେ

ନୋହିଲେ ଶ୍ରୀକୃଷ୍ଣ କିମ୍ପା ବସେ ମୂକ ହୋଇ

ଶିରୀହୀନ ଚନ୍ଦ୍ରମୁଖ ତାହାର ଦିଶଇ ।

ଏହି କଥା ଯଦୁଗଣ ଚିନ୍ତା କରୁଥାନ୍ତି

ବିରସ ମନରେ ଗୃହେ ରଜନୀ ବଞ୍ଚନ୍ତି ।

ଶ୍ରୀକୃଷ୍ଣ ଚକ୍ଷୁକୁ ଯେ ନିଦ୍ରା ନ ଆସଇ ।

କେଉଁ ଉପାୟରେ ବଂଶ ମୁହଁ ଧ୍ୱସିବଇଁ ।

ଏତେବଡ଼ ବଂଶଗୋଯି ନିଜେ ଗଢ଼ି ମୁହିଁ

ପୁଣି ଆପଣା ହସ୍ତରେ ନାଶ କରିବଇଁ ।

ନିଦ୍ରା ନ ଆସଇ ମାତ୍ର ନୟନେ ପ୍ରଭୁର

ସଦା ପାଦ ମଞ୍ଚାଳନ୍ତି ଦେବୀଗଣ ଧୀର ।

ସର୍ବେ ପ୍ରଭୁଙ୍କ ବଦନ ନିରେଖି କାନ୍ଦନ୍ତି

ବହୁତ ବୁଝାଇ ତାଙ୍କୁ ଠାକୁରେ କହନ୍ତି ।

ଶ୍ରୀକୃଷ୍ଣଙ୍କ ନାରୀଗଣ ସର୍ବେ ଠୁଳହୋଇ

ଶ୍ରାବଣ ଧାରା ପରାୟେ ଲୋତକ ବୁହାଇ ।

ବୁଝାଇ ବହୁତ୍ ତାଙ୍କୁ କହିଲେ ଠାକୁର

ଯୁଗେ ଯୁଗେ ଅଟ ତୁମେ ନାରୀ ଯେ ମୋହର ।

ଏହିପରି ନାରୀଙ୍କୁ ଯେ ପ୍ରଭୁ ଚକ୍ରଧର

ବହୁ ପ୍ରବୋଧନା ଦେଇ କରିଲେକ ସ୍ଥିର ।

ବୁଝାଇ କାଳ ନିଦ୍ରାରେ ଶୟନ କରିଲେ

ବଂଶ ଧ୍ୱଂସହେବ କ୍ଷେତ୍ରମୋହନ ଯେ ବୋଲେ ।

 

ଯଦୁବଂଶ ଧ୍ୱଂସ ଓ ଜରାଶବର ଶରାଘାତେ ଶ୍ରୀକୃଷ୍ଣଙ୍କର ମୃତ୍ୟୁ

ଶୁଣ ଆହେ ସୁଜନେ ଦେଇ ମନକର୍ଣ୍ଣ

ଚିତ୍ତବୋଧ ଗ୍ରନ୍ଥ ଶୁଣି ଭବ୍ରୁ ତର ଜନ ।

ଉଦ୍ଧବ ଅକ୍ରୂର ଦୁଇ ପେଶିଲେ ଶ୍ରୀଧର

ବଦରିକା ଆଶ୍ରମରେ ତପ କଲେ ଥିର ।

ଯେତେବେଳେ ଦୁଇ ଭକ୍ତ ଦ୍ଵାରକା ତେଜିଲେ

କେହି ତାହାଙ୍କର ସନ୍ଧାନ ଯେ ନ ପାଇଲେ ।

ଖୋଜି ଖୋଜି ଯଦୁଗଣ ଆକ୍ରାନ୍ତ ହୋଇଲେ

କୋକୁଆ ଖାଇଲା ବୋଲି ମନେ ବିଚାରିଲେ ।

ତେଣେ ରହସ୍ୟ ଦ୍ୱାରକା ପୁରେ ଗୋପୀଗଣ

ସମୁଦ୍ରରେ ବୁଡ଼ିଲେ ବୋଲି ସ୍ଥିରକଲେ

ତାହାଙ୍କ କୁଟୁମ୍ବମାନ ଶ୍ରାଦ୍ଧକ୍ରିୟା କଲେ ।

ଯେଉଁ ଦିନ ରାଧା ଗଲେ ସେ ପୁରକୁ ଛାଡ଼ି

ଭୟାବହ ବିପଦ ଯେ ବସିଲାକ ମାଡ଼ି ।

ଦିବସରେ ଉଲ୍‌କାପାତ ଅକାଳ ମରଣ

ଦେଖି ସର୍ବ ଗୋପୀମାନେ ଭାବନ୍ତି ହୃଦେଣ ।

ଧନ୍ୟ ଧନ୍ୟ ଶ୍ରୀମତୀ ତୁ ଥିଲୁ କେଡ଼େ ସତୀ

ତୋ ଯୋଗେ ପଡ଼ୁ ନ ଥିଲା ଏ ପୁରେ ବିପତ୍ତି ।

ଯେଉଁ ଦିନ ରାଧା ସହ ଅଷ୍ଟସଖୀ ଗଲେ

ଆଉ ବାଳ ଗୋପାଳଙ୍କୁ ଦର୍ଶନ ନ କଲେ ।

ଏଣେ ଦ୍ୱାରକା ପୁରରେ ସକଳ ଯାଦବ

ସ୍ଥିରକଲେ ପ୍ରଭାତୁ ମରିବେ ଦୁଷ୍ଟଜୀବ ।

ବିବିଧ ଅସ୍ତ୍ର ଶସ୍ତ୍ରରେ ହୋଇଣ ସଜ୍ଜିତ

ଶ୍ରୀହରିଙ୍କ ପାଶେ ଆସି ହେଲେ ଉପସ୍ଥିତ ।

ରାତ୍ର ପାହାଡିରେ ସର୍ବେ ହୋଇଲେ ବାହାର

ରଥ ଗଜ ଅଶ୍ୱ ଘେନି ବାହାରିଲେ ବୀର ।

ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଯେତେ ପୁତ୍ର ନାତି ଥିଲେ

କୋକୁଆ ମାରିବା ପାଇଁ ବାହାରି ହୋଇଲେ ।

ଏକୁ ଏକ ବଳି ସେ ଯେ ଅତ୍ୟନ୍ତ ସୁନ୍ଦର

ଜଗନ୍ନାଥଙ୍କ ପାଶରେ ହୋଇଲେ ହାଜର ।

ପୁତ୍ରମାନଙ୍କ ବଦନ ଚାହିଁ ନରହରି

ବାଳୁତ ପ୍ରାୟ ରୋଦନ କରିଲେ ଶ୍ରୀହରି ।

ଯେଉଁ ବୃକ୍ଷକୁ ସ୍ଵହସ୍ତେ ରୋପିଅଛି ମୁହିଁ

ଆଜି ତାହା ନିଜ କରେ ମୁହିଁ ଛେଦିବଇଁ ।

ଏହି କଥା ମନେ ଭାବି ପ୍ରଭୁ ଚକ୍ରଧର

ଭାବନ୍ତି କିପରି ବଂଶ କରିବି ସଂହାର ।

ଶୂନ୍ୟ ଶବଦ ହୋଇଲା ପ୍ରଭୁଙ୍କ କର୍ଣ୍ଣର

କେ କାହାର ନୁହଁ ସବୁ ମାୟା ଖେଳଘର ।

ପରମ ପୁରୁଷ ହୋଇ ମାୟା ମୋହେ ପଡ଼ି

ଛାର ମାନବ ଦେହରେ ଅଛ ତୁମ୍ଭେ ବୁଡ଼ି ।

ବୈକୁଣ୍ଠ ପୁରକୁ ଶୀଘ୍ର ଆସ ଚକ୍ରଧର

ଏମାନଙ୍କୁ ନାଶି ପୃ ଉଶ୍ଵାସ ହେ କର ।

ଦେବ ବାଣୀ କର୍ଣ୍ଣେ ଶୁଣି ଉଠିଲେ ଶ୍ରୀଧର

ବାହାରିଲେ ସ୍ଵହସ୍ତରେ ଧରି ଧନୁଶର ।

ସମୁଦ୍ର ଲହରୀ ପରି ଚାଳନ୍ତି ସକଳ

ଯାଦବଙ୍କ ପାଦଘାତେ କମ୍ପେ ଭୂମଣ୍ଡଳ ।

ଆଗେ ତାଳଧ୍ୱଜ ବଳଦେବ ଚାଲିଥାନ୍ତି

ତାହାଙ୍କ ପଛେ ସକଳ ଯାଦବେ ଧାମନ୍ତି ।

ପରେ ଶ୍ରୀକୃଷ୍ଣ ଯେ ନନ୍ଦିଘୋଷେ ବିଜେକରି

ଯାଉଅଛନ୍ତି ସେ ମାୟା କୂଟ ଯେ ବିସ୍ତାରି ।

ଗଲା ଗଲଶ ବୋଲି ସର୍ବେ ଚହଳ ପକାନ୍ତି

ହେଇ ସେ କୋକୁଆ ବୋଲି ସରବେ ଡାକନ୍ତି

ମାର ମାର ଧର ଧର ସମସ୍ତେ ବୋଲନ୍ତି

କୋକୁଆକୁ ମାର ବୋଲି ଗର୍ଜନ କରନ୍ତି ।

ଶବଦ ଶୁଣି କୋକୁଆ ହୋଇଲା ବାହାର

ଘୋର ନାଦ କରିଣ ସେ ପଳାଏ ସତ୍ୱର ।

ତା ପଛେ ପଞ୍ଚ ଯୋଜନ ବଳରାମ ହରି

ମାରିବା ପାଇଁକି ଗୋଡ଼ାଇଲେ ଧନୁ ଧରି ।

ମାୟାବୀ କୋକୁଆ ଭେଟ ସେଠାରେପାବନ୍ତି

ସ୍ୱୟଂ କୃଷ୍ଣ ନିଜ ଦେହୁଁ କୋକୁଆ କାଢ଼ନ୍ତି ।

କେ ବୋଲଇ ଧର ଧର କେ ବୋଲଇ ମାର

କୋକୁଆ ଉପରେ ଶର କଲେ ଯେ ପ୍ରହାର ।

ଯେତେ ବଳବାନ ଶର ଯାଦବେ ବିନ୍ଧନ୍ତି

ମାୟାବୀ କୋକୁଆ ଅଙ୍ଗେ କେହି ନ ବାଜନ୍ତି ।

ସେ ତ ଅନ୍ୟ କେହି ନୁହେଁ ମାୟା ଅବତାର

ସ୍ୱୟଂ ଜଗନ୍ନାଥ ଅଙ୍ଗୁ ହୋଇଛି ବାହାର ।

ଯେତେ ବାଣ ଯଦୁମାନେ ରାଗରେ ବିନ୍ଧିଲେ

କୋକୁଆ ଦେହରେ ମାତ୍ର କେହି ନ ବାଜିଲେ ।

ସଭିଙ୍କୁ ମାୟା କରିଣ ଛନ୍ତି ଚକ୍ରଧର

ଗଲା ଗଲା ବୋଲିଣ ଯେ କରନ୍ତି ଚିତ୍କାର ।

ସ୍ୱୟଂ ବଳରାମ ମଧ୍ୟ ପଛେ ଧାଇଁଛନ୍ତି

ଶ୍ରୀକୃଷ୍ଣ ମାୟାରୁ ମଧ୍ୟ କେ ବଉଁ ନାହାନ୍ତି ।

କଦମ୍ବ ଗଛକୁ ଦେଖି ରାଗେ ବଳଦେବ

ବୋଲନ୍ତି ଏହି ତ ଅଟେ ସେ କୋକୁଆ ଜୀବ ।

ମାୟାରେ ମୋହିତ କରି ଅଛନ୍ତି ଶ୍ରୀହରି

ସେ ବୃକ୍ଷ ଦିଶଇ ତାକୁ କୋକୁଆର ପରି ।

କ୍ରୋଧ ହୋଇ ହଳଧର ସେ ବୃକ୍ଷ ପ୍ରହାର

କରନ୍ତେ ସେ ଗଛ ମଧ୍ୟୁ ବାହାରିଲା କ୍ଷୀର ।

ସେଠାରୁ କୋକୁଆ କେଣେ ଉଭାଇଣ ଗଲା

ସେ କଦମ୍ବ ବୃକ୍ଷୁ କାଦମ୍ବରୀ ବାହାରିଲା ।

ପଥଶ୍ରମେ ବଳରାମ କ୍ଳାନ୍ତ ହୋଇଥିଲେ

ମନଇଚ୍ଛା କାଦମ୍ବରୀ ଦେବ ପାନକଲେ ।

ନଦୀସ୍ରୋତ ପରି କାଦମ୍ବରୀ ଯେ ଝରଇ

ମନଇଚ୍ଛା କୃଷ୍ଣ ପୁତ୍ର ନାତି ଗଲେ ପିଇ ।

ସର୍ବେ କାଦମ୍ବରୀ ପାନେ ବିହ୍ୱଳ ହୋଇଲେ

ପରକି ଆପଣା କେହି କାରେ ନ ଚିହ୍ନିଲେ ।

ପୁଣି ସେ କୋକୁଆ ଜୀବ ବାହାର ହୋଇଲା

କଳପ ବଟ ମୂଳରେ ଯାଇ ଲୋପ ହେଲା।

ରାଗେ ଲଙ୍ଗଳ ଉଞ୍ଚାଇ ଧମନ୍ତି ହଳଧର

ଏହି ବେଳେ ଦୈବ ବାଣୀ ଶୁଣିଲେ କର୍ଣ୍ଣର ।

ଆହେ ହଳଧର ଶୀଘ୍ର ସର୍ପ ରୂପ ହୋଇ

ଅନନ୍ତ ଶୟନ କର ଶୀଘ୍ର ଆସ ଧାଇଁ ।

ଯହୁଁ ଦେବବାଣୀ ରାମ କଣ୍ଠରେ ଶୁଣିଲେ

ଶ୍ୱେତ ନାଗରୂପ ହୋଇ ପାତାଳକୁ ଗଲେ ।

ସର୍ପରୂପ ଧରି ଯହୁଁ ବଳରାମ ଗଲେ

ତାହା ଦେଖି ଜଗନ୍ନାଥ ଆନନ୍ଦ ହୋଇଲେ ।

ସେତିକିବେଳେ କୋକୁଆ ହୋଇଲା ବାହାର

ସର୍ବେ ଭାବିଲେ ଭକ୍ଷିଲା ନିଶ୍ଚେ ଏ ପାମର ।

ମାର ମାର ଏ ଦୁଷ୍ଟକୁ ରାମକୁ ଭକ୍ଷିଛି

କେ ବୋଲେ ଦେଖ ତା ମୁଖେ ରକତ ଲାଗିଛି ।

କାଦମ୍ବରୀ ପାନେ ସର୍ବେ ହୋଇଛନ୍ତି ଭୋଳ

ପର ଆପଣା ନ ଚିହ୍ନି ଆରମ୍ଭିଲେ ଗୋଳ ।

କୋକୁଆ ଜୀବ ପରାୟେ ସରବେ ଦିଶିଲେ।

ମାୟାରେ ପଡ଼ିଣ କେହି କାରେ ନ ଚିହ୍ନିଲେ ।

କୋକୁଆ ବୋଲି ଏକକୁ ଆରେକ ହାଣଇ

ମୁଣ୍ଡମାନ ଗୋଟି ଗୋଟି ହୋଇଣ ଗଡ଼ଇ ।

ପରସ୍ପର ଭିତରେ ଯେ ହେଲେ ହଣାହଣି

ଆପଣା ପର କେହି ଯେ କାହାକୁ ନ ଜାଣି ।

ମୂଷଳ ଧାରା ପରାୟ ରୁଧିର ବହଇ

ପଟାଳି ପରାୟେ କୃଷ୍ଣ ପୁତ୍ର ଗଲେ ଶୋଇ ।

ଯାଦବେ ମାତର କେହି ଜଣେ ନ ରହିଲେ

ସନ୍ତରା ବଣରେ ହଣାହଣି ହୋଇ ମଲେ ।

ଯେତେବେଳେ କୃଷ୍ଣଚନ୍ଦ୍ର ବନକୁ ଚାହିଁଲେ

ପାଞ୍ଚକ୍ରୋଶ ମଢ଼ାମାନ ଦେଖିଣ କାନ୍ଦିଲେ ।

ଏକମାତ୍ର ପ୍ରଦ୍ୟୁମ୍ନ ଯେ କେଣେ ରହିଥିଲା

ପରିଶେଷେ ଆସି ପିତା ଛାମୁରେ ମିଳିଲା।

ପ୍ରଦ୍ୟୁମ୍ନକୁ ଦେଖି କ୍ରୋଧ ହୋଇ ଚକ୍ରଧର

ଚକ୍ରକୁ ବୋଇଲେ ଶୀଘ୍ର ଏହାକୁ ସଂହାର ।

ଆଜ୍ଞା ପାଇ ସୁଦର୍ଶନ ଚକ୍ର ଚଳିଗଲା

ପ୍ରଦ୍ୟୁମ୍ଭର କନ୍ଧପରେ ଯାଇଣ ପଡ଼ିଲା

ପ୍ରଦ୍ୟୁମ୍ନକୁ ନାଶି ଚକ୍ର ଶ୍ରୀକୃଷ୍ଣଙ୍କ କର

ନ ଆସି ନୀଳ ସୁନ୍ଦରେ ମିଳିଲେ ସତ୍ୱର ।

ଯହୁଁ ଶେଷ ହୋଇଗଲା ପ୍ରଦ୍ୟୁମ୍ନ କୁମର

ହୃଦ ମଧ୍ୟରେ ବିକଳ ହୋଇ ଚକ୍ରଧର ।

ଶେଷ ମୋର ଏକମାତ୍ର ପୁତ୍ର ଥିଲା ରହି

ମୁହିଁ ଚଣ୍ଡାଳ ସ୍ୱହସ୍ତେ ଦେଲି ଯେ ମରାଇ ।

ବ୍ରହ୍ମ ଅଭିଶାପ ଆସି ମୋତେ ଯେ ଫଳିଲା

ଗାନ୍ଧାରୀର ଶାପ ଏତେ ଦିନେ ଭୋଗ ହେଲା

କହିଥିଲା ମୋ ପୁତ୍ରଙ୍କୁ କଲୁ ତୁହି ନାଶ

ଅକାଳରେ ତୋର ବଂଶ ହୋଇବ ବିନାଶ ।

ତୁହି ମଲାବେଳେ କାହା ମୁଖ ନ ଚାହିଁବୁ

ବନସ୍ତ ମଧ୍ୟରେ ପଡ଼ି ପ୍ରାଣ ହରାଇବୁ ।

ସେହି କଥା ଗୋଟି ଆସି ଘୋଟିଲା ମୋହର

ଲକ୍ଷ ଲକ୍ଷ ପୁତ୍ର ନାତି ନାହିଁ କେ ପାଶର ।

ଯହୁଁ ଏପରି ବ୍ୟାକୁଳ ହୋଇଲେ ଶ୍ରୀଧର

ଶୂନ୍ୟ ଶବଦ ହୋଇଲା ଭାବନା ନ କର ।

ତୁମ୍ଭେ ପରା ଅଟ ସର୍ବ ଘଟର ଈଶ୍ୱର

ନିଜ ହସ୍ତେ କରିଥିଲୁ ତୁହି ଧୂଳିଘର ।

ଶେଷ ଭାଙ୍ଗିଦେଇ ନିଜ ଘରେ ଆସି ଚଳି

ଶ୍ରୀରାଧା ଆଗରୁ ଆସି ହେଉଛନ୍ତି ଭାଳି ।

ବଳରାମ ପ୍ରଭୁ ଆସି ଅନନ୍ତ ଶୟନ

କଲେକ ତୁରନ୍ତ ତୁମ୍ଭେ ଆସ ଭଗବାନ ।

ରଥ ନେଇ ମାତଳି ଯେ ରହିଛି ଅନାଇ

ତବ ପୁତ୍ରନାତି ସର୍ବେ ସ୍ୱର୍ଗେ ଆସିଛଇଁ ।

ତୁମ୍ଭେ ବିଳମ୍ବ ନ କର ଆହେ ଚକ୍ରଧର

ଆସିଲେ ଦେଖିବ ପୁତ୍ର ନାତିକୁ ତୁମ୍ଭର ।

ଲକ୍ଷ୍ମୀଦେବୀ ସାତଦିନ ପରେ ହେ ଆସିବେ

ଅର୍ଜ୍ଜୁନକୁ ସର୍ବେ କହି ଆସ ହେ ମାଧବେ ।

ଶୂନ୍ୟ ଶବ୍ଦ ଶୁଣି ମନୁ ଚିନ୍ତା ତେଜି ହରି

ତତକ୍ଷଣେ ଖଣ୍ଡେ ଦୂର ଗଲେ ଦଇତ୍ୟାରି ।

ଶିଆଳି ଲତା ଗୋଟିଏ ଦେଖି ଭଗବାନ

ତା ଉପରେ ଆନନ୍ଦରେ କରିଲେ ଶୟନ ।

କ୍ଳାନ୍ତ ହୋଇ ମହାପ୍ରଭୁ କରିଲେ ଶୟନ

ବୈକୁଣ୍ଠ ଯିବାକୁ ମନ ହେଲାଣି ଉଚ୍ଛନ୍ନ ।

ଯୋଗ ନିଦ୍ରାରେ ଶୋଇଲେ ପ୍ରଭୁ ଚକ୍ରଧର

ଏ ସମୟେ ଶର ଘେନି ଏକଇ ଶବର ।

ଜରା ଶବର ଯେ ନାମ ଅଟଇ ତାହାର

ସେହି ବନସ୍ତ ମଧ୍ୟରେ କରିଛି କୁଟୀର ।

ଢେମଣା କାଠର ଧନୁ ଏକ କରେ ଧରି

ଯେଉଁ ନାରାଚ ଗୋଟିକ ଥିଲା ସେ ତିଆରି ।

ମୀନ ପେଟରୁ ଯେ ପାଇଥିଲା ଯେଉଁ ଲୁହା

କୁ ଯତନେ ତିଆରି କରିଲା ତିରିହା ।

ଉତ୍ତର ଦିଗକୁ ମୁଖ କରି ବ୍ୟାଧ ଗଲା

ହସ୍ତିନା ନଗରେ ଯାଇ ପ୍ରବେଶ ହୋଇଲା ।

ଦେଖି ଚାର ଜଣାଇଲା ଧର୍ମଙ୍କ ଆଗର

ବ୍ୟାଧ ଜଣେ ପେଶିଛନ୍ତି ପ୍ରଭୁ ଚକ୍ରଧର ।

କୃଷ୍ଣଙ୍କର ଦୂତ ବୋଲି ଯୁଧୁଷ୍ଠିର ଶୁଣି

ବୋଇଲେ ତାହାଙ୍କୁ ମୋର ପାଶେ ଛାଡ଼ିଆଣି ।

ଜରା ଶବରକୁ ଡାକି ସଙ୍ଗେ ଘେନିଗଲା

ଧର୍ମରଜିଙ୍କ ପାଶରେ ନେଇଣ ଛାଡ଼ିଲା ।

ସାଷ୍ଟାଙ୍ଗ ପାଦରେ ପଡ଼ି କହଇ ଶବର

ବନେ ତ୍ରିବେଣୀ ଘାଟରେ ଛନ୍ତି ଚକ୍ରଧର ।

ପ୍ରାଚୀ ନଦୀ ତଟେ ତ୍ରିବେଣୀର ଧାର

ସେହିଠାରେ ଶୋଇଛନ୍ତି ପ୍ରଭୁ ଚକ୍ରଧର ।

ପୁଣି କହିଛନ୍ତି ନ ଆସିଲେ ଚାରିଭାଇ

ଅର୍ଜ୍ଜୁନଙ୍କୁ ଏକା ସଙ୍ଗେ ଆଣିବୁ ଯେ ତୁହି ।

ଶୁଣି ପାଞ୍ଚଭାଇ ଆସି ଉଭା ହୋଇଗଲେ

ପାର୍ଥ ବିକଳ ହୋଇଣ ବ୍ୟାଧକୁ ପୁଚ୍ଛିଲେ ।

କହ ବ୍ୟାଧ କିମ୍ପାଇ ସେ ବଣରେ ଅଛନ୍ତି

ମୋତେ କାହିଁକି ଜରୁରି ପାଶେ ଡାକିଛନ୍ତି ।

ବ୍ୟାଧ ବୋଲେ ଜାଣେ ନାହିଁ ତହିଁର ଖବର

ଗଲେ ତୁମ୍ଭଙ୍କୁ ସିନା ଯେ କହିବେ ଠାକୁର ।

ସହଦେବ ମୁଖ ଚାହିଁ ଯୁଧିଷ୍ଠିର କହନ୍ତି

କୁହ କାହା ପାଇଁ କୃଷ୍ଣଚନ୍ଦ୍ର ଡାକିଛନ୍ତି ।

କରକୁ ଅନାଇ ସହଦେବ ଚମକିଲା

ଘଡ଼ିଏ ବେଳ ଯାଏ ସେ ନୀରବ ରହିଲା ।

ପାଣ୍ଡବେ ବୋଇଲେ ଶୀଘ୍ର କୁହ ସହଦେବ

କିମ୍ପା ଡକାଇ ଅଛନ୍ତି ସେ କମଳାଧବ ।

ସହଦେବ ବୋଲେ ଆଜି ପାଣ୍ଡବ ଭରସା

ସରିଗଲେ କୃଷ୍ଣଚନ୍ଦ୍ର କରିବେନି ଆଶା ।

ହୋଇଥିଲା କଥା ସବୁ ଗୋଟି ଗୋଟି କରି

ଧର୍ମରାଜେ ସହଦେବ କୁହନ୍ତି ବିସ୍ତାରି ।

ଶୁଣି ପାଣ୍ଡବଙ୍କ ମନ ବ୍ୟାକୁଳ ହୁଅଇ ।

ବେନି ନୟନରୁ ନୀର ଧାର ଧାର ବହି ।

କି ହେଲା କି ହେଲା ବୋଲି ଚୌଦିଗ କମ୍ପିଲା

ପୁର ମଧ୍ୟେ ହାଲହୋଳି ତକ୍ଷଣେ ହୋଇଲା ।

ଦ୍ରୌପଦୀ ଖବର ପାଇ ଦଉଡ଼ି ଆସିଲେ

ଶ୍ରୀକୃଷ୍ଣ ଭଗ୍ନୀ ସୁଭଦ୍ରା ଦେବୀ ଚମକିଲେ ।

ଶୁଣି ଏସନ ବାରତା ମୁଣ୍ଡ କୋଡ଼ି ହୋଇ

କାନ୍ଦନ୍ତି ସରବେ ଧୈର୍ଯ୍ୟ ନ ଧରନ୍ତି କେହି ।

ବହୁ ପ୍ରକାରେ ତାହାକୁ ପାଣ୍ଡବେ ବୁଝାନ୍ତି

ଯେତେ ପ୍ରବୋଧିଲେ କେହି ତୁନି ନ ହୁଅନ୍ତି ।

ଯେତେବେଳେ ଅରଜୁନ ହୋଇଲେ ବାହାର

ତିଆରି କହିଲେ ଧର୍ମରାଜା ବାରମ୍ବାର ।

ଦୂରରେ ଥାଇଣ ତୁହି ସମସ୍ତ ଶୁଣିବୁ

ଶ୍ରୀକୃଷ୍ଣଙ୍କ ଦେହେ କେଭେ କର ନ ମାରିବୁ ।

କର ମାରିଲେ ତୋହର ସକଳ ସରିବ

ତୋର କଳା ନେଇ ହରି ସ୍ୱର୍ଗ ଚଳିଯିବ ।

ଶୁଣି ପାର୍ଥ ସନମତ କରିଲେ ଯେ ତାହା

ଶବର ସହିତେ ଚଳେ ସୁଭଦ୍ରାର ନାହା ।

ଯେତେବେଳେ ନିକଟରେ ପ୍ରବେଶ ହୋଇଲେ

ତାହାଙ୍କୁ ଚାହିଁଣ ପ୍ରଭୁ ବିକଳ ହୋଇଲେ ।

ଆସ ଆସ ପ୍ରିୟ ସଖା ନିକଟେ ମୋହର

ଶୀଘ୍ର ଏହିଶର ଗୋଟି ନିବାରଣ କର ।

କେବଳ ତୁମ୍ଭଙ୍କୁ ଚାହିଁ ଜୀବନ ଧରିଛି

ବ୍ୟାଧକୁ ପେଶିଲା ବେଳୁ ପଥ ଚାହିଁଅଛି ।

ମୋ ନାରୀଗଣଙ୍କୁ ହସ୍ତିନାକୁ ଘେନିଯିବ

ବୃଦ୍ଧ ପିତା ମାତାଙ୍କର ଖବର ବୁଝିବ ।

ସାତଦିନ ପରେ ଜଳେ ବୁଡ଼ିବ ଦ୍ଵାରକା

ମୋର ନିବାସ ମାତର ରହିଥିବ ଏକା ।

ରହସ୍ୟ ଦ୍ୱାରକା ପୁରେ ତୁମ୍ଭେ ପାର୍ଥ ଯିବ

ଗୋପକୁ ଯିବାକୁ ସର୍ବ ଗୋପୀଙ୍କୁ କହିବ ।

ସାତଦିନ ମଧେ ନ ଆଣିଲେ ନାରୀ ମୋର

ସମୁଦ୍ରରେ ବୁଡ଼ି ପ୍ରାଣ ହେବ ନାରଖାର ।

ଏବେବୋଲି ଜଗନ୍ନାଥ ବିକଳ ହୋଇଲେ

ଆସ ଆସ ସଖା ମୋର ପାଶକୁ ହେ ଭଲେ ।

ଯେତେ ମତେ ବିକଳ ହୋଇଲେ ଚକ୍ରଧର

କେବେ ନ ଯା ପାଶକୁ ସେ ଅର୍ଜ୍ଜୁନ ବୀର ।

ଅର୍ଜ୍ଜୁନ ନ ଯିବା ଦେଖି କାନ୍ଦିଲେ ଶ୍ରୀଧର

ବୋଇଲା ଏ ବେଳେ କେହି ସାହା ନାହିଁ ମୋର

ତୁମ୍ଭେ ଏକମାତ୍ର ମୋର ପ୍ରାଣସଖା ଥିଲ

ଅଛୁଆଁ ପରାଏ ମୋର ଅଙ୍ଗ ନ ଛୁଇଁଲ ।

ଯହୁଁ ଅଧିକ ବିକଳ ହେଲେ ଚକ୍ରଧର

ଭାବନା କଲେ ଅର୍ଜ୍ଜୁନ ମନରେ ତାଙ୍କର ।

ଧିକ ଧିକ ମୋ ବୀରତ୍ୱ ଧିକ ପ୍ରାଣ ମୋର

ମୋ ପରାଣ ସଖା ଦୁଃଖ ପାଏ ମୋ ଅଗର ।

ଏତେ ଭାବି ଲୋତକ ଯେ ବହେ ଧାରଧାର

କୁଣ୍ଢାଇ ଧରିଲେ ଯାଇ ଶ୍ରୀରଙ୍ଗା ଅଧର ।

ଆହା ମୋର ସଖା ପ୍ରାଣ ହୋଇଲା ଶୀତଳ

ଅର୍ଜ୍ଜୁନର କର ଆଉଁସିଲେ ଆଦିମୂଳ ।

କଳା ନେଇ ଗଲେ ଯହୁଁ ପାର୍ଥଠାରୁ ହରି

ସ୍ୱରଗେ ଶଙ୍ଖ ଦୁନ୍ଦୁଭି ବାଜିଲା ଯେ ଭେରୀ ।

ମାତଳି ରଥ ଆଣିଣ ନିକଟେ ମିଳିଲା

ଦିବ୍ୟ ବେଶ କରି ଜଗନ୍ନାଥଙ୍କୁ ସେ ନେଲା ।

ଆହା ପ୍ରାଣସଖା ବୋଲି ଅର୍ଜ୍ଜୁନ କାନ୍ଦଇ

ଭୂମିପରେ ପାର୍ଥବୀର କଚାଡ଼ି ପଡ଼ଇ ।

ଶବର ବୋଇଲା ଦେବ ଭାବନା ନ କର

ମୁଁ ଯାଉଛି ବୋହିଆଣେ ଚନ୍ଦନ ଅଗୁର ।

ପ୍ରଭୁଙ୍କର ଶ୍ରୀଅଙ୍ଗକୁ କରିବା ଦହନ

ଏତେ କହି କାଷ୍ଠ ଆଣିବାକୁ ଗଲା ବନ ।

ଶୁଷ୍କ ଚନ୍ଦନ ଅଗୁରୁ ବୃକ୍ଷମାନ ହାଣି

ସ୍ୱର୍ଗ ଦ୍ଵାରକୁ ଯେ ଶବ ନେଲେ ତତକ୍ଷଣି ।

ନୀଳ ସୁନ୍ଦର ନିକଟେ ଅଛି କଳ୍ପବଟ

ସେହି ସ୍ଥାନଟି ଅଟଇ ସ୍ୱରଗକୁ ବାଟ ।

ସେଇଠି ଶବର ପାର୍ଥ ଦୁଇଜଣ ମିଳି

ଅଗ୍ନି ଲଗାଇ ପ୍ରଭୁଙ୍କ ଅଙ୍ଗ ଦ୍ୟନ୍ତି ଜାଳି ।

ପାଞ୍ଚଦିନ ପାଞ୍ଚରାତ୍ର ଅଗ୍ନି ଯେ ଜଳିଲା

ତିଳେ ମାତ୍ର ସେ ପିଣ୍ଡ ଯେ ଦହନ ନ ହେଲା ।

ଏହି ସମୟେ ଶୂନ୍ୟରେ ଶବଦ ଶୁଭଇ

ଆରେ ଅର୍ଜ୍ଜୁନ କି ତୁହି ହୋଇଗଲୁ ବାଇ ।

ଅକ୍ଷୟ ପିଣ୍ଡ ଯେ କ୍ଷୟ ବୃଦ୍ଧି ନାହିଁ ତାର

ସେ କିପରି ଅଗ୍ନି ମଧ୍ୟେ ହୋଇବ ସଂହାର ।

କର୍ଣ୍ଣ ନାସା ଆଙ୍ଗୁଳି ଯେ ଯେତେଜ ପୋଡ଼ିଲା

ଶତ୍ରୁ ବିନାଶିବା ଲାଗି ସେ ଯେ ହୋଇଥିଲା ।

ଆଉ ଶତ ଶତ ବର୍ଷ ଲଗାଇଲେ ଜୁଇ

ଗୋଟିଏ ଲୋମ ହୃଦରୁ ନ ପାରିବ ଦହି ।

ଶୀଘ୍ର ସମୁଦ୍ର ମଧ୍ୟକୁ ପେଲିଦିଅ ନେଇ

କଳିଯୁଗେ ପୂଜା ହେବ ଦାରୁବ୍ରହ୍ମ ହୋଇ ।

ଶୁଣି ବୀର ପାର୍ଥ ମନେ ଆନନ୍ଦ ହୋଇଲା

ସମୁଦ୍ର ଗର୍ଭକୁ ନେଇ ପିଣ୍ଡ ଯେ ମେଲିଲା ।

ସେହି ପିଣ୍ଡ ଗୋଟି ଜଳେ ମଧ୍ୟେ ଭାସୁଥିଲା

ବସୁ ଶବରକୁ ଶୂନ୍ୟୁ ଶବଦ ଶୁଭିଲା ।

ଶୀଘ୍ର ଆଣି ପୂଜ ତୁହି ପ୍ରଭୁଙ୍କ ଶରୀର

ନୀଳମାଧବ ନାମରେ ହୋଇବ ପ୍ରଚାର ।

ଶୁଣିଣ ଶବର ମନେ ଆନନ୍ଦ ହୋଇଲା

ପିଣ୍ଡ ଭାସୁଅଛି ଜଳ ମଧ୍ୟରେ ଦେଖିଲା ।

ଯହୁଁ ପିଣ୍ଡ ଗୋଟିକୁ ସେ କୂଳକୁ ଆଣିଲା

ନାସ କର୍ଣ୍ଣ ହସ୍ତ ଗୋଡ଼ ନାହିଁ ଯେ ଦେଖିଲା ।

ପାଟି ଗୋଟି ମଧ୍ୟ ପୋଡ଼ିଅଛି ପ୍ରଭୁଙ୍କର

ଦେଖିଣ ଶବର ମନେ କରଇ ବିଚାର ।

ଏତ ଅଟେ ଅପରୂପ ଶରୀର ପ୍ରସ୍ତୁର

ପାଟି ନାହିଁ କେଉଁ ପରି କରିବେ ଆହାର ।

କର୍ଣ୍ଣ ନାହିଁ କେଉଁ ପରି ଡାକ ଏ ଶୁଣିବ

ନାସା ବିହୁନେ ନିଃଶ୍ୱାସ ମାରି ନ ପାରିବ ।

ପୁଣି ଶୂନ୍ୟେ ଡାକଦେଲା ଶୁଣରେ ଶବର

ପ୍ରତିଷ୍ଠା କର ପ୍ରଭାତୁ ହୋଇବେ ସୁନ୍ଦର ।

ଶୁଣି ବସୁ ଶବର ଯେ ଆନନ୍ଦ ହୋଇଲା

ମନେ ମନେ ପ୍ରଭୁଙ୍କୁ ସେ ଧ୍ୟାନ ଯେ କରିଲା ।

ମନେ ଭାଳଇ ଶବର ମନ୍ତ୍ର ନ ଜାଣଇ ।

କେଉଁ ପରି ପୂଜିବି ମୁଁ ବ୍ରହ୍ମାଣ୍ଡ ଗୋସାଇଁ ।

କି କି ବିଧାନରେ ପୂଜା ହୁଏ ପ୍ରଭୁଙ୍କର

ଜାଣେ ନାହିଁ ମୁହିଁ ଅଟେ ଦୀନଜନ ଛାର ।

ଶୂନ୍ୟେ ପୁରୁଷ ବୋଲଇ ଭାବନା ନ କର

ବିଷ୍ଣୁ କହି ଯାହା ଦେବୁ ଭୁଞ୍ଜିବେ ଠାକୁର ।

ଶିଆଳି ପତରେ ଦନା ଗୋଟିଏ କରିବୁ

ବନସ୍ତ ମଧ୍ୟରୁ କନ୍ଦମୂଳଯେ ଆଣିବୁ ।

ଯତନ କରିଣ ତାକୁ କାଟି କୁଟି ଦେଇ

ରୋହିଣୀ କୁଣ୍ଡେ ବୁଡ଼ାଇ ଦେବୁପାଖେଥୋଇ

ତାଳି ମାରିଣ ବୋଲିବୁ ଭୁଞ୍ଜ ପୀତବାସ

ଆଗ୍ରହେ ଠାକୁରେଖାଇ ହୋଇବେଯେତୋଷ

ଆବର ଚନ୍ଦନ ବୃକ୍ଷ କାଷ୍ଠ ତୁ ଆଣିବୁ

ପର୍ବତ ଶିଳାରେ ଘୋରି ଶ୍ରୀଅଙ୍ଗେ ଲେପିବୁ ।

ତୁଳସୀ ଆବର ଫୁଲ ଅଙ୍ଗେ ଦେବୁ ଥୋଇ

ବୃକ୍ଷର ବଳକଳ ଆଣି ଦେବୁ ଯେ ପିନ୍ଧାଇ ।

ଶୁଣିଣ ଶବର ମନେ ଆନନ୍ଦିତ ହେଲା

ତତକ୍ଷଣେ ଦାରୁବ୍ରହ୍ମ ନେଇଣ ଚଳିଲା ।

କଳ୍ପବଟ ମୂଳେ ଏକ ପର୍ବତ ଅଛଇ

ତାହାର ତଳରେ ପ୍ରତିଷ୍ଠିତ କଲା ନେଇ ।

ସୁନ୍ଦର ଗୁମ୍ଫା ମଧ୍ୟରେ ପ୍ରଭୁଙ୍କୁ ଥୋଇଲା

କନ୍ଦମୂଳ ଆଣି ବନସ୍ତରୁ ଭୋଗ କଲା ।

ସ୍ନାନ ସାରି ପ୍ରଭାତରୁ ଯାଆନ୍ତେ ଶବର

ସୁନ୍ଦର ମୂରତି ହୋଇ ବିଜେ ଚକ୍ରଧର ।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେ

ନୀଳଜୀମୂତ ବାରିଦ ଜନ ମନ ମୋହେ ।

ସେହିଦିନଠାରୁ ବିଶ୍ୱାବସୁ ପୂଜା କଲା

ଏହା ପରେ ସାଧୁଜନେ ଶୁଣ ଯାହା ହେଲା ।

ଅପୂର୍ବ ଚରିତ ଏହି ଗ୍ରନ୍ଥ ଯେ ଅଟଇ

ସ୍ୱୟଂ ନିରାକାରଙ୍କର ଆଦେଶ ଯେ ଏହି ।

ଶ୍ରୀଅଚ୍ୟୁତାନନ୍ଦ ସ୍ଵାମୀ ବହୁ ଯତ୍ନ କରି

ହରିବଂଶେ ଲେଖିଛନ୍ତି ସମସ୍ତ ବିସ୍ତାରି ।

ତାହାଙ୍କ ପଥକୁ ଅନୁସରି ମୁହିଁ ଦୀନ

ଶ୍ରୀଦୁର୍ଗା ସୁମରି ଲେଖେ ଯେ କ୍ଷେତ୍ରମୋହନ।

 

ଦ୍ଵାରକା ବିନାଶ ଓ ଶ୍ରୀକୃଷ୍ଣ ନାରୀମାନଙ୍କର
ଦେହତ୍ୟାଗ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା

ଶୁଣ ଆହେ ସାଧୁଜନମାନେ ସାବଧାନେ

ଅର୍ଜୁନ ବୀର ଚଳଇ ଦ୍ଵାରକା ଭୁବନେ ।

ମନଦୁଃଖ କରି ବୀର ପୁରରେ ମିଳିଲେ

ମାତାଙ୍କ ଛାମୁରେ ଯାଇ ବାରତା ସେ ଦେଲେ ।

ନନ୍ଦ ଯଶୋଦା ଦେବକୀ ବସୁଦେବ ରାଇ

ରୋଦନ କରିଣ ପାର୍ଥ ବଚନ ବୋଲଇ ।

ସାତ ଦିନ ହେଲା କୃଷ୍ଣ ଛାଡ଼ିଲେ ଜୀବନ

ଲକ୍ଷେ ଷାଠିଏ ସହସ୍ର ଅଶୀ ଯେ ନନ୍ଦନ ।

ଆଗେ ହଣାହଣି ହୋଇ ଜୀବନ ତେଜିଲେ

ସର୍ପ ରୂପ ଧରି ବଳରାମ ଚାଲିଗଲେ ।

ବଂଶ ବିନାଶ କରିଣ ଦେବ ଚକ୍ରଧର

ଶବର ବାଣରେ ହତ ହେଲେ ଦାମୋଦର

ଶୁଣି ନନ୍ଦ ଯଶୋବନ୍ତ ହୋଇଲେ ବିକଳ

ଦେବକୀ ବସୁଦେବ ଯେ ଲୋଟନ୍ତି ଭୂତଳ ।

ହା କୃଷ୍ଣ ହା କୃଷ୍ଣ ବୋଲି କରି ରୋଦନ

ଅନାଥ କରିଣ କେଣେ ଗଲୁ ଜନାର୍ଦ୍ଦନ ।

ଅଥଳ ସମୁଦ୍ର ଆମ୍ଭ ଭେଳା ବୁଢ଼ାଇଲୁ ।

ପୁତ୍ର ନାତି ସଙ୍ଗେ ଗେନି ଆପେ ଚଳିଗଲୁ

ଅଥଳ ସୁମଦ୍ରେ ଆମ୍ଭ ଭେଳା ବୁଡ଼ାଇଲୁ ।

ଏକକୁ ଆରେକ ଧରି କରନ୍ତି କାରୁଣ୍ୟ

ବାରତା ପ୍ରାପ୍ତ ହୋଇଲେ ଉଗ୍ରସେନ ରାଣ

ଇନ୍ଦୁମତୀଙ୍କ ସହିତ କରନ୍ତି ରୋଦନ

ଏରୂପେ ଉତ୍ସବ ହେଲା ଦ୍ୱାରକା ଭୁବନ ।

ଦ୍ୱାରକାର ପ୍ରଜା ଶୁଣି ହାହାକାର କଲେ

ଆହେ କୃଷ୍ଣଚନ୍ଦ୍ର କିପରି ବଞ୍ଚିବୁ ଭଲେ ।

ତୁମ୍ଭ ବିନୁ ଜୀବନେ ତ ଆମ୍ଭେ ନ ଜାଣଉଁ

ବିପଦ ବେଳେ ଆମ୍ଭଙ୍କୁ ପ୍ରଭୁ ସାହା ହେଉ ।

ଏହିପରି ବିକଳ ହୋଇଲେ ସର୍ବଜନ

କ୍ରନ୍ଦନ ରୋଳେ ପୁରିଲା ଦ୍ୱାରକା ଭୁବନ ।

ଅଳକା ପୁରରେ ଷୋଳସସ୍ର ଆଠ ନାରୀ

ବସିଥିଲେ ଶ୍ରୀକୃଷ୍ଣଙ୍କ ପଥକୁ ସୁମରି ।

ଏହି ସମୟରେ ପାର୍ଥ ପ୍ରବେଶ ହୋଇଲା

ସାତଦିନ ହେଲା ପ୍ରଭୁ ଗଲେଣି ବୋଇଲା ।

ପୁତ୍ର ନାତି ଯେତେ ଥିଲେ ସବୁ ନାଶଗଲେ

ଆପେ ପ୍ରତୁ ଜଗନ୍ନାଥ କିମ୍ପା ଧ୍ଵଂସ କଲେ ।

ବଳରାମ ସର୍ପ ରୂପେ ପାତାଳକୁ ଗଲେ

ଜରାଶବର ହାତରେ ଶ୍ରୀକୃଷ୍ଣ ଯେ ମଲେ ।

ଜୀବ ଥାଉ ମୋତେ ଡକାଇଣ ସଖା ମୋର

ତୁମ୍ଭମାନଙ୍କ ନିକଟେ ଦେଲେ ଯେ ଖବର ।

କହିଛନ୍ତି ମୋର ନାରୀମାନ ସଙ୍ଗେ ନେଇ

ହସ୍ତିନା ପୁରରେ ପାର୍ଥ ରଖିବୁ ଯେ ତୁହି ।

ଆହୁରି ମଧ୍ୟ ବିଶ୍ୱାସ କଥା ଛନ୍ତି କହି

ତୁମ୍ଭମାନଙ୍କ ବ୍ୟତୀତ କେ ଜାଣିବେ ନାହିଁ ।

ବର୍ତ୍ତମାନ ସମୁଦ୍ର ଯେ ଦ୍ଵାରକା ଗ୍ରାସିବ

ନିମିଷ ମାତ୍ରକେ ଭୂମି ଏଠି ନ ରହିବ ।

ତେଣୁ ତୁମ୍ଭେମାନେ ଶୀଘ୍ର ଆସ ମୋ ସଙ୍ଗର

ପ୍ରଭୁ ପାଦେ ମନ ଦେଇ ଥିବ ହସ୍ତିନାର ।

ଶୁଣି ସର୍ବ ନାରୀମାନେ ମୁଣ୍ଡ କୋଡ଼ି ହୋଇ

ହା ନାଥ ବୋଳିଣ ସର୍ବେ ଗଲେ ମୂର୍ଚ୍ଛା ହୋଇ

ପାର୍ଥଙ୍କ ଚରଣ ଧରି ସରବେ କାନ୍ଦନ୍ତି

କାହା ମୁଖ ଚାହିଁ ଆମେ ପାଇବୁ ହେ ଶାନ୍ତି ।

ଶୁଣି ନିସନ୍ତାନ ସର୍ବ ନାରୀମାନେ ହେଲୁ

ସ୍ୱାମୀ ସହ ପୁତ୍ରକଷ୍ଟ ମଧ୍ୟ ଯେ ଭୋଗିଲୁ ।

ମୁଣ୍ଡ କୋନି ମଥାରୁ ହେ ବହଇ ରୁଧିର

ଅର୍ଜ୍ଜୁନ ସଙ୍ଗରେ ସର୍ବେ ହୋଇଲେ ବାହାର ।

ଆଗେ ଧନୁ ଧରି ପାର୍ଥ ଚଳେ ଧୀରେ ଧୀରେ

ସକଳ ନାରୀ ଚାଲନ୍ତି ତାହାଙ୍କ ପଛରେ ।

ଯେତେବେଳେ ନାରୀମାନେ ହୋଇଲେ ବାହାର

ଚାହୁଁ ଚାହୁଁ ଦ୍ୱାରକା ଯେ ଡୁବିଲା ଜଳର ।

ପଛକୁ ଅନାଇଁ ପାର୍ଥ ନାରୀଙ୍କୁ ବୋଇଲେ ।

ସେ ଦୃଶ୍ୟ ଦେଖି ରମଣୀ ଆକୁଳ ହୋଇଲେ ।

କେବଳ ଶ୍ରୀକୃଷ୍ଣଙ୍କର ନିବାସ ରହିଲା ।

ଏତେ ବଡ଼ କୁଶସ୍ଥଳୀ ଜଳମଗ୍ନ ହେଲା ।

ଦ୍ୱାରକାର ପ୍ରଜାମାନେ ବିକଳ ହୋଇଲେ

ଦେବକୀ ଯଶୋଦା ନନ୍ଦ ବସୁଦେବ ମଲେ ।

ଏତେ ବଡ଼ ରତ୍ନପୁର ଯେ ନିମିଷକରେ

ବୁଡ଼ିଈ ଭାସିଲା ସେହୁ ଦରିଆ ମଝିରେ ।

ରହସ୍ୟ ଦ୍ୱାରକା ପୁର ମଧ୍ୟ ଶେଷ ହେଲା

ଆନନ୍ଦରେ ବସୁମତୀ ନିଃଶ୍ୱାସ ମାରିଲା ।

ପ୍ରଭାତେ ତୀର୍ଥେ ମିଳିଣ କାମିନୀ ସକଳ

ପାର୍ଥକୁ ବୋଇଲେ ସ୍ନାନ କରିବୁ ଏ ଜଳ ।

ଶୁଣିଣ ଅର୍ଜୁନ ତାଙ୍କୁ ଅନୁମତି ଦେଲେ

ସ୍ନାନ କର ତୀର୍ଥେ ବୈଧବ ଘୁଞ୍ଚିବ ହେଳେ ।

ମୁହିଁ ମଧ୍ୟ ତୁମ୍ଭେ ସଙ୍ଗେ ସ୍ନାହାନ କରିବି

ସକଳ ପାତକ ମଧ୍ୟ ଦେହୁ ବିନାଶିବି ।

କୃଷ୍ଣଙ୍କ ଷୋଳ ସହସ୍ର ଅଷ୍ଟ ପାଟବଂଶୀ

ସରବେ ପ୍ରଭୁଙ୍କୁ ସ୍ମରି ଜଳେ ଗଲେ ପଶି ।

ଅନ୍ତର୍ଯ୍ୟାମୀ ମାୟାଧର ନିରତେ ଜାଣିଲେ

ବରୁଣ ରାଜାଙ୍କୁ ପ୍ରଭୁ ଆଜ୍ଞା ଦେଲେ ।

ସ୍ନାନ କରୁଛନ୍ତି ସର୍ବେ ମୋହର କାମିନୀ

ଲହଡ଼ା ମାରି ପାତାଳେ ଆଣ ତାଙ୍କୁ ଘେନି ।

ଶୁଣିଣ ବରୁଣ ରାଜା ଆଜ୍ଞା ପାଇ ଗଲା

ପ୍ରବଳ ଲହଡ଼ି ଗୋଟି ପ୍ରଭାସେ ହୋଇଲା ।

କୃଷ୍ଣ ଧ୍ୟାୟି ରମଣୀ ଯେ ଜଳରେ ବୁଡ଼ିଲେ

କୁଳେ ଛିଡ଼ାହୋଇ ପାର୍ଥ ଅନାଇ ଯେ ଥିଲେ ।

ଲହଡ଼ି ମାରି ବରୁଣ ନାରୀମାନ ନେଇ ।

ପାତାଳ ବୈକୁଣ୍ଠପୁରେ ହେଲା ପହଞ୍ଚାଇ ।

ବହୁ ସମୟ କୂଳରେ ଚାହିଁ ପାର୍ଥବୀର

ପତ୍ତା ନ ପାଇଲା ଆଉ ପ୍ରଭୁ ନାରୀଙ୍କର ।

ସେ ଜଳ ମଧ୍ୟରେ ଅରଜୁନ ସ୍ନାନ ସାରି

କୂଳକୁ ଆସିଲେ ଶ୍ରୀହରିଙ୍କ ନାମ ସ୍ମରି ।

ନାରୀମନାଙ୍କର ଯହୁଁ ଦେଖା ନ ପାଇଲେ

ମାୟାଧର ମାୟା ବୋଲି ମନରେ ପାଞ୍ଚିଲେ ।

ଗାଣ୍ଡିବ ଧନୁକୁ ପାର୍ଥ ରଖି ସ୍ନାନ ସାରି

ଆସି କୂଳେ ତାକୁ ଆଉ ନ ପାରିଲେ ଧରି ।

ଯେଉଁ ଗାଣ୍ଡୀବକୁ ଧରି ପୃଥ୍ୱୀ ଜୟ କଲା

ଆଜି ସେ ଗାଣ୍ଡୀବ ଶିରେ ବହିଣ ସେ ନେଲା ।

ହସ୍ତିନା ନବରେ ଦୁଃଖେ ପହିଞ୍ଚଣ ବୀର ।

ଧର୍ମରାଜ ଆଗେ କହିଲେକ ସମାଚାର ।

ଶୁଣିଣ ଯେ ଯୁଧ୍ୟର ବହୁତ କାନ୍ଦିଲେ

ପାଣ୍ଡବ ନିରାଶ କରିଣ ପ୍ରଭୁ ଗଲେ ।

ହସ୍ତିନାପୁର ମଧ୍ୟରେ ହୋଇଲା ଚହଳ

ଶୁଣିଣ ସୁଭଦ୍ରା ଦେବୀ ହୋଇଲେ ବିକଳ ।

ଦ୍ରୌପଦୀ କୁନ୍ତୀ ଆଦି ଯେ ବହୁତ କାନ୍ଦିଲେ

ଧର୍ମରାଜା ସମସ୍ତଙ୍କୁ ସାନ୍ତନା କରିଲେ ।

ଅନ୍ତେଷ୍ଟି କ୍ରିୟା ପାଣ୍ଡବ କଲେ କୃଷ୍ଣଙ୍କର ।

ଲକ୍ଷ ଲକ୍ଷ ଧେନୁ ଦାନ ଦେଲେ ବିପ୍ରବର ।

ଦେବତା ବ୍ରାହ୍ମଣ ଆଦି ନିମନ୍ତ୍ରଣ କରି

ଶ୍ରାଦ୍ଧକ୍ରିୟା ମହୋତ୍ସବ ପ୍ରଭୁଙ୍କର ସାରି ।

କୃଷ୍ଣଙ୍କର ଗୁଣ ଗୁଣି ସେହି ପାଞ୍ଚଭାଇ

ଦୁଃଖ ମନେ ହସ୍ତିନାପୁରରେ ଥାନ୍ତି ରହି ।

କୁଶସ୍ଥଳୀ ଦ୍ୱାରକା ଯେ ଜଳରେ ଡୁବିଲା

ଏତେବଡ଼ ଯଦୁକୁଳ ନିର୍ମୂଳ ହୋଇଲା ।

ରହସ୍ୟ ଦ୍ଵାରିକା ମଧ୍ୟ ଜଳରେ ଢୁବିଲା ।

ସମସ୍ତ ଦେଶରେ ମହା ବିତିପାତ ହେଲା ।

ଯେଣୁ ମର୍ତ୍ତ ପୁରୁ ଲକ୍ଷ୍ମୀ ଅନ୍ତର ହୋଇଲେ

ଦାନା ବିନା ସର୍ବ ଲୋକ ହାହାକାର ହେଲେ ।

ଅନାବୃଷ୍ଟି ଦୁର୍ଭିକ୍ଷ ମଡ଼କ ମହାମାରୀ ।

ସାରା ବ୍ରହ୍ମାଣ୍ଡଯାକ ହୋଇଲା ଯହୁଁ ଘେରି ।

ଖଟ ଖୁରାରେ କଳିକୁ ରାଜା ଯୁଧିଷ୍ଠିର

ବାନ୍ଧି ରଖିଥିଲେ ଖୋଲିଦେଲେ ଯେ ସତ୍ୱର ।

ଶ୍ରୀକୃଷ୍ଣଚନ୍ଦ୍ର ମର୍ଭରୁ ବିଦାୟ ହୋଇଲେ

ପାଦ ସେବିବାକୁ ଲକ୍ଷ୍ମୀ ବୈକୁଣ୍ଠକୁ ଗଲେ ।

ଧର୍ମରାଜ ଦେଖି ଏହି ଅଶୁଭ ଲକ୍ଷଣ

ପରୀକ୍ଷିତେ ରାଜ୍ୟଭାର କରିଲେ ଅର୍ପଣ ।

ପାଞ୍ଚଭାଇ ସଙ୍ଗେ ନେଇ ହିମାଳୟ ଗଲେ

ସେହିବାଟେ ସ୍ୱର୍ଗପୁରେ ଯିବାକୁ ଗମିଲେ ।

ପତ ମଧ୍ୟରେ ଦେଖିଲେ ରାଜା ଯୁଧିଷ୍ଠିର

ସୁଦର୍ଶନ ଚକ୍ର ଗୋଯି ପଡ଼ିଛି ରାସ୍ତାର ।

ସହଦେବଙ୍କୁ ଅନାଇ ରାଜନ ବୋଇଲେ

ଚକ୍ର କିମ୍ପା ଏ ସ୍ଥାନରେ ଅଛି କହ ଭଲେ ।

ସହଦେବ ବୋଲନ୍ତି ଯେ ଯୋଡ଼ି ବେନିକର

ଯେ ସମୟେ ଅବା ପ୍ରଭୁ କରିଲେ ସଂହାର ।

ଏକମାତ୍ର ପ୍ରଦ୍ୟୁମ୍ନ ଯେ ବଞ୍ଚି ରହିଥିଲା

ପଥରେ ଯାଇଣ ପିତା ପାଶରେ ମିଳିଲା ।

ଦେଖି ପ୍ରଦ୍ୟୁମ୍ନ ଶ୍ରୀହରି ହୋଇ କ୍ରୋଧଭର

ଚକ୍ରକୁ ଆଦେଶ ଦେଲେ କାଟ ୟାର ଶିର ।

ଶ୍ରୀକୃଷ୍ଣଙ୍କ ଆଜ୍ଞା ପାଇ ଚକ୍ର ଚଳିଗଲା

ପ୍ରଦ୍ୟୁମ୍ନକୁ ନାଶି କୃଷ୍ଣ କରେ ନ ଆସିଲା

ପୁଣି ଯୁଧିଷ୍ଠିର ମନେ କରିଲେ ବିଚାର

ଚକ୍ର ଛାଡ଼ି କେଉଁ ପରି ଯିବା ସ୍ୱର୍ଗପୁର ।

ଚାଲ ସର୍ବେ ମହୋଦଧି କଳ୍ପବଟ ତୀରେ

ନୀଳ ସୁନ୍ଦର ପର୍ବତ ଅଛି ସେ ସ୍ଥାନରେ ।

ସେହି ପର୍ବତ ମହିମା କହିଲେ ନ ସରେ

ଦିବସରେ ବଢ଼ି ସୂର୍ଯ୍ୟ ରଥ ବନ୍ଦ କରେ ।

ଦିନେ ସୂର୍ଯ୍ୟଦେବ ପ୍ରଦକ୍ଷିଣ କରଥିଲେ

ପର୍ବତର ଶୃଙ୍ଗ ବାଜି ଯାଇ ନ ପାରିଲେ ।

ସେହିଦିନ ଅଭିଶାପ ଅଛି ସେହି ପାଇ

ଦିବସରେ ଆଉ ସେହି ବଢ଼ି ନ ପାରଇ ।

ସେ ସ୍ଥାନ ଗୋଟିକ ଅଟେ ତିନିପୁରେ ଶ୍ରେଷ୍ଠ

ନିଶ୍ଚେ ନିରାକାରଙ୍କର ଅଟେ ସେ ବୈକୁଣ୍ଠ

କିଛି ଦିନ ପରେ ପ୍ରଭୁ ବୌଦ୍ଧ ଅବତାର

ହୋଇଣ ପୂଜା ପାଇବେ ସେହି ପର୍ବତର ।

କଳିଯୁଗେ ନରମାନେ ଦରଶନ କରି

ପାପତାପ ଅଙ୍ଗରୁ ସରବେ ଦେବେ ହାରି ।

ରୋହିଣୀ କୁଣ୍ଡ ସେଠାରେ ଅଛି ବିଦ୍ୟମାନ

କାକ ପଡ଼ି ଚତୁର୍ଭୁଜ ହେଲା ସେହି ଦିନ ।

ଚାଲ ସର୍ବେ ଚକ୍ର ଆମ୍ଭେ ସେ ସ୍ଥାନେ ପକାଇ

ଯିବା ଚକ୍ରତୀର୍ଥ ସ୍ନାନ କରି ପାଞ୍ଚଭାଇ ।

ଶୁଣିଣ ପାଣ୍ଡବଗଣ ଆନନ୍ଦ ହୋଇଲେ

ସୁଦର୍ଶନ ଚକ୍ର ମହୋଦଧିରେ ମିଳିଲେ ।

ମହୋଦଧି ଜଳ ଯେ ନିସ୍ତେଜ ହୋଇଥିଲା

ଚକ୍ର ପଡ଼ନ୍ତେଣ ଘୋର ଶବଦ କରିଲା ।

ସେହି ଦିନୁ ଚକ୍ରତୀର୍ଥ ହୋଇଲା ପ୍ରଚାର

ପବିତ୍ର ହୋଇ ପାଣ୍ଡବେ ଗଲେ ସ୍ୱର୍ଗପୁର ।

ତାହାପରେ ଯାହା ହେଲା ଶୁଣ ସୁଜ୍ଞଜନ

ବସୁ ଶବର ଗୃହରେ ରହିଲେ ଠାକୁର ।

ଭକ୍ତିଭରେ ବିଶ୍ଵାବସୁ ପ୍ରଭୁଙ୍କୁ ପୂଜଇ ।

ସୁମିଷ୍ଟ ପଫଳ ହେ ବରୁଣ ଆଣଇ ।

କଷା ପିତା ଚାଖି ସବୁ କରିଦିଏ ଦୂର

ମିଠା ଫଳ ଭୋଗକରେ ପ୍ରଭୁଙ୍କ ପାଶର ।

ନୀଳମାଧବ ନାମ ଯେ ବହି ଚକ୍ରଧର

ପୂଜା ପାଉଛନ୍ତି ସେହି ଆନନ୍ଦ ମନର ।

କିଛିଦିନ ଅନ୍ତେ ପ୍ରଭୁ ମନେ ବିଚାରିଲେ

କଳିଯୁଗେ ବୌଦ୍ଧରୂପ ହୋଇବଇଁ ଭଲେ

ମୁହିଁ ଯଦି ନ ଯାଉଛି ନୀଳସିନ୍ଧୁ ତୀର

ଘୋର କଳିରେ ସଂସାର ହେବ ଛାରଖାର

ଏହି କଥା ମନେ ଭାବି ପ୍ରଭୁ ଚକ୍ରଧର

ଉତ୍କଳ ନରେଶ ପୁରେ ହୋଇଲେ ହାଜର ।

ପ୍ରବଳ ପ୍ରତାପୀ ରାଜା ଇନ୍ଦ୍ରଦ୍ୟୁମ୍ନ ବୀର

ବଡ଼ ଧାର୍ମିକ ଅଟନ୍ତି ସେହି ନରେଶ୍ୱର ।

ପ୍ରତିଦିନ ବିଷ୍ଣୁଶିଳା ପୂଜା ସେ କରନ୍ତି

ବ୍ରାହ୍ମଣ ବୈଷ୍ଣବ ଅନ୍ନଦାନ ଯେ ଦିଅନ୍ତି ।

ତାହାଙ୍କ ସମାନ ରାଜା ପୃଥ୍ୱୀରେ ନ ଥାନ୍ତି

ଉତ୍କଳ ରାଜାଙ୍କୁ ସର୍ବେ ଭକତି କରନ୍ତି ।

ତାହାଙ୍କ ରମଣୀ ନାମ ଗୁଣ୍ଡିଚା ଅଟଇ

ପତିପରାୟଣା ସତୀ ନାରୀ ଅଟେ ସେହି ।

ବିଷ୍ଣୁ ପୂଜାରେ ସର୍ବଦା ରତ ସେହି ଥାଇ

ଶାଳଗ୍ରାମ ନ ପୂଜିଲେ ଅନ୍ନ ନ ଭକ୍ଷଇ ।

ନୀଳମାଧବ ସ୍ୱରୂପ ପ୍ରଭୁ ଚକ୍ରଧର

ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭାପାଏ କର ।

ରାତ୍ରରେ ଶୋଇଛି ରାଣୀ ବିଷ୍ଣୁ ପାଦ ଧ୍ୟାୟି

ସ୍ଵତ୍ପରେ ତାହାକୁ ପ୍ରଭୁ କହିଲେ ବୁଝାଇ ।

ଆହେ ରାଣୀ ମୁହିଁ ନୀଳମାଧବ ଅଟଇ ।

ତୋର ଭକ୍ତି ଦେଖୁ ତୋତେ ପ୍ରସନ୍ନ ହୁଅଇ ।

ଚକ୍ରତୀର୍ଥ କଳ୍ପବଟ ମହୋଦଧି ତୀରେ

ନୀଳ ସୁନ୍ଦର ପର୍ବତ ଅଛି ଯେ ସେଠାରେ ।

ଯୁଗେ ଯୁଗେ ବଇକୁଣ୍ଠପୁର ସେ ଅଟଇ

ସେ ସ୍ଥାନରେ ମୁହିଁ ସଦା ବିଶମ କରଇ ।

ବର୍ତ୍ତମାନ ବନସ୍ତରେ ଆମେ ଅଛୁ ରହି

ଖରା ବରିଷା କୁହୁଡ଼ି କାକର ଯେ ସହି ।

ଯେଣୁ କଳିଯୁଗେ ଶ୍ରେଷ୍ଠ ଭକ୍ତ ଅଟୁ ତୁହି

ଇନ୍ଦ୍ରଦ୍ୟୁମ୍ନ ରାଜା ମଧ୍ୟ ତୋଠାରୁ ବଳଇ ।

ଧନବଳ ଅପ୍ରମିତ ତୋହର ଅଛଇ

ନୀଳ ସୁନ୍ଦର ଦେଉଳ ଶୀଘ୍ର କର ଯାଇ ।

ରାଜାଙ୍କୁ କହି ମନ୍ଦିର ଗୋଟାଏ କରିବ ।

ଯେପରି ସବୁଠୁ ବଡ଼ ଦେଉଳ ହୋଇବ ।

ଆଉ ବହୁ ଦେବତାଏ ରହିବେ ସେ ସ୍ଥାନ

ତାଙ୍କ ପାଇଁ ଚତୁଃପାଶ୍ କରିବ ଯତନ ।

ମନ୍ଦିର ସରିଲେ ଆଗେ ସ୍ମରିଲେ ଯେ ତୁହି

ମୋର ରହିବା ଠିକଣା ଦେବି ମୁଁ ବତାଇ ।

ମୋ ଆଦେଶ ମାନି କାଲି ପ୍ରଭାତରୁ ଯାଇ

ପଥର ଖଣ୍ଡିଏ ଶୁଭ ନିଜେ ଦେବୁ ତୁହି ।

ସ୍ୱପ୍ନରେ କହି ମାଧବ ଅନ୍ଦର୍ଦ୍ଧାନ ହେଲେ

ନିଦ୍ରା ତେଜିଣ ଗୁଣ୍ଡିଚା ରାଣୀ ଯେ ଉଠିଲେ ।

ସାଙ୍ଗେ ସାଙ୍ଗେ ମହାରାଜା ପାଶକୁ ହକାରି

ଶୁଣି ଇନ୍ଦ୍ରଦ୍ୟୁମ୍ନ ରାଜା ଆଶ୍ଚର୍ଯ୍ୟ ହୋଇଲେ

ଏହି ସ୍ୱପ୍ନ ଗୋଟି ମୁହିଁ ଦେଖିଅଛି ଭଲେ ।

ତେଣୁ ସନ୍ଦେହ ଯେ ଆଉ କା ମନେ ନ ରହି

ପ୍ରଭୁଙ୍କ ଶ୍ରୀମୁଖ ବାଣୀ ମଣିଲେ ଯେ ଦୁଇ ।

ରାଜାରାଣୀଦ୍ୱୟ ମନେ ଆନନ୍ଦ ହୋଇଲେ

ପ୍ରଭାତୁ ଉତ୍ତମ ଭେଦକାର ସେ ରାଇଲେ ।

ରଥେ ବସି ରାଜାରାଣୀ ଆନନ୍ଦରେ ଗଲେ

ଶୁଦ୍ଧମନେ ନବବସ୍ତ୍ର ପିନ୍ଧି ବାହାରିଲେ ।

ମହୋଦଧି କୂଳେ କଳ୍ପବଟ ମଧେ ଯାଇ

ଦେଖିଲେକ ସୁଦର୍ଶନ ସେ ସ୍ଥାନେ ଅଛଇ ।

ରାଜାରାଣୀଙ୍କ ଆନନ୍ଦ କେ ପାରିବ କହି

ଜଉତିଷ ଡାକି ଶୁଭ ଲଗନ ଧରାଇ ।

ଛେଦକାର ନୀଳ ପରବତରୁ ପଥର

ଖଣ୍ଡିଏ କାଟିଣ ଦେଲା ରାଣୀଙ୍କ ହସ୍ତର ।

ଯେବଣ ସ୍ଥାନେ ନିର୍ଦ୍ଦେଶ ପ୍ରଭୁ ଥିଲେ ଦେଇ

ସେହି ସ୍ଥାନରେ ସେ ରାଣୀ ପକାଇଲେ ନେଇ

ଡକାଇ ତାଙ୍କ ଉପରେ ଦେଲେ ସର୍ବଭାର ।

ଶୁଣ ଆହେ କଳାକାର ମୋହର ବଚନ

କର ବିଶାଶଏ ହାତ ମନ୍ଦିର ଯତନ ।

ଅପୂର୍ବ ସୁନ୍ଦର ସବୁଠାରୁ ସେ ହୋଇବ

ତୁମ୍ଭର କାରୁକାର୍ଯ୍ୟକୁ ଜଗତ ସ୍ମରିବ ।

ନିଜେ ବ୍ରହ୍ମାଣ୍ଡ କରତା ହେବେ ବିଦ୍ୟମାନ

ସେରୂପେ ମନ୍ଦିର ଗୋଟି କରିବି ନିର୍ମାଣ ।

ଶୁଣି ଶିଳ୍ପୀକାରମାନେ ସନମତ କଲେ

ଅତି ଉଚ୍ଚ ମନ୍ଦିର ଯେ ନିର୍ମାଣ କରିଲେ

ବହୁ ଅର୍ଥ ବ୍ୟୟକରି ଉତ୍କଳ ନରେଶ

ନୀଳଗିରିରେ ମନ୍ଦିର ହେଲା ସମାବେଶ ।

ବାଇଶି ପାବଚ୍ଛ ଗୋଟି ଅତି ମନୋହର

ଯତନେ ମୁକ୍ତିମଣ୍ଡପ କରିଲେ ତିଆର ।

ମନ୍ଦିରର ଶୋଭା ଦେଖି ରାଜା ରାଣୀ ଦର

କାରିଗରଙ୍କୁ ପ୍ରଶଂସା କରିଲେ ଯେ ତହିଁ ।

ଦେଉଳ ଗୋଟିକ ଯହୁଁ ନିର୍ମାଣ ସରିଲା

ପ୍ରତିଷ୍ଠା କରିବା ପାଇଁ ବିଚାର ପଡ଼ିଲା ।

ସ୍ୱୟଂ ଜଗନ୍ନାଥଙ୍କର ବାସସ୍ଥାନ ଏହି

ସାମାନ୍ୟ ଜନ ପ୍ରତିଷ୍ଠା କରି ନ ଯୋଗାଇ

ଏତେ ପାଞ୍ଚି ନରେଶ ଯେ ବ୍ରହ୍ମା ପାଶେ ଗଲେ

ସେ ବେଳେ ବିଧାତା ତପସ୍ୟାରେ ରତ ଥିଲେ

ତାଙ୍କ ପାଦେ କରଯୋଡ଼ି ରାଜା ଉଭାହେଲା

ବାର ବରଷରେ ଧାତା ତପସ୍ୟା ସରିଲା ।

ଇନ୍ଦ୍ରଦ୍ୟୁମ୍ନେ ଦେଖୁଣ ପୁଛିଲେ ବେଦବର

ହେ ନରେଶ କିବା କାର୍ଯ୍ୟ ଉଭା ମୋ ପାଶର

କେତେଦିନ ହେଲା ତୁମ୍ଭେ ମୋ ପାଶେ ଆସିଛ

ବାରବର୍ଷ ହେଲା ଦେବ ତପସ୍ୟାରେ ଅଛ ।

ମୁହିଁ ଆସି କରଯୋଡ଼ି ଉଭା ଅଛି ହୋଇ

ନୀଳଗିରିରେ ମନ୍ଦିର ଗୋଟି ଅଛି ହୋଇ ।

ଜଗନ୍ନାଥଙ୍କ ନିମନ୍ତେ ହୋଇଛି ତିଆର

ପ୍ରତିଷ୍ଠା କରିବା ପାଇଁ ଯିବେ ବେଦବର ।

ଶୁଣି ଧାତା ଆଗ୍ରହରେ ସନମତ କଲେ ।

ସେହିଠାରୁ ଉଠି ରାଜା ସଙ୍ଗରେ ଗମିଲେ ।

ବହୁଦିନ ଇନ୍ଦ୍ରଦ୍ୟୁମ୍ନ ଯହୁଁ ଗଲେ ଚାଲି

ବଡ଼ ଦେଉଳରେ ଉଡ଼ି ପୋତି ହେଲା ବାଲି ।

ପ୍ରବଳ ବାଲୁକା ସ୍ତୁପ ଜମା ଗଲା ହୋଇ

ମନ୍ଦିରର ଚୂଡ଼ା ଆଉ ଦେଖା ଗଲା ନାହିଁ ।

ଗାଲମାଧବ ନାମରେ ଜଣେ ନରେଶ୍ଵର ।

ଅଶ୍ଵ ଉପରେ ଭ୍ରମଣ କରିଥିଲା ବୀର ।

ଦୈବେ ସେ ସ୍ଥାନକୁ ସେହି ଭ୍ରମଣାର୍ଥେ ଗଲା

ଦେଉଳ ଚୂଡ଼ାରେ ଅଶ୍ୱ ଟାପୁ ଯେ ବାଜିଲା ।

ଖୁରା ବାଜଣ ଘୋଡ଼ା ଲେଉଟି ପଡ଼ିଲା ।

କିସ ଅଛି ବୋଲି ରାଜନ ଯେ ଖୋଳାଇଲା ।

ଅପୂର୍ବ ମନ୍ଦିର ଗୋଟି ଦେଖଣ ରାଳନ

ବହୁ ଲୋକ ଆଣି ବାଲି କରିଲା ଖନନ ।

ବାଳି କାଢ଼ି ମନ୍ଦିରରୁ ସେ ଗାଲମାଧବ

ଭାବେ ୟା ମଧ୍ୟେ ପ୍ରତିଷ୍ଠା କରିବି ମୁଁ ଦେବ ।

ଏଣେ ବିଧାତାଙ୍କୁ ଘେନି ଉତ୍କଳ ନରେଶ

ପ୍ରବେଶନ୍ତେ ଦେଖିଲେ ଯେ ଏସନକ ଦୃଶ୍ୟ ।

ଦୁହିଁଙ୍କ ମଧ୍ୟରେ ମହା ବିବାଦ ହୋଇଲା

ଗାଲମାଧବ ଯେ ମନ୍ଦିରକୁ ଦାବୀ କଲା ।

ମୋହର ମନ୍ଦିର ମୁହଁ କରିଣ ତିଆର

ବୃଥାଟାରେ ତୁହି କିମ୍ପା ଦାବି କରୁ ମୋର ।

ଏହିପରି ଉକ୍ତ ବାଡ଼ ହୋନ୍ତେ ବେନି ଜନ

ମଧ୍ୟସ୍ଥି ହୋଇଣ ଧାତା ବୋଲନ୍ତି ବଚନ ।

କାହାର ବୋଲିଣ ଆମ୍ଭେ ନ ପାରୁଛୁ ଜାଣି

ଭଦ୍ରଲୋକଙ୍କୁ ପଚାର କହିବେ ସେ ପୁଣି ।

ଯାହାକୁ ପୁଚ୍ଛିଲେ ସେହୁ କରିଲେକ ନାହିଁ

ଗାଲମାଧବର ବୋଲି ସରବେ ଯେ କହି ।

ସବା ଶେଷେ ମିଳିଲେ ଯେ ଭୂଷଣ୍ଡ ପାଶର

କଳପବଟରେ କାକ ବସେ ହୋଇ ସ୍ଥିର ।

କାକକୁ ପୁଛିଲେ ଧାତା ଜାଣିଛୁକି ତୁହି

କିଏ ସେ ମନ୍ଦିର ଗୋଟି ଅଛି ଯେ ତୋଳାଇ ।

ଭୂଷଣ୍ଡ ବୋଲେ ଇନ୍ଦ୍ର ଯେ କରିଛି ତିଆର

ଏ ବାଲି ଖୋଳାଇ ଦେଇ କହୁଅଛି ମୋର ।

ଏହି ବୃକ୍ଷରେ ବସି ମୁଁ ସମସ୍ତ ଦେଖିଛି

ଗୁଣ୍ଡିଚା ରାଣୀ ମନ୍ଦିର ଶୁଭ ଯେ ଦେଇଛି ।

ଭୂଷଣ୍ଡ କାକ କଥାରେ ନିଷ୍ପତ୍ତି ହୋଇଲା

ଉତ୍ତର ଦୁଆର ଗାଲମାଧବ ଯେ ନେଲା ।

ଦ୍ୱନ୍ଦ ପରେ ଇନ୍ଦ୍ରଦ୍ୟୁମ୍ନ କରଇ ବିଚାର

ପ୍ରତିଷ୍ଠା କରିବୁ ଦିଅଁ ମଣି କେଉଁଠାର ।

ବିଧାତା ବୋଇଲେ ଘୋର ବନସ୍ତ ମଧ୍ୟରେ

ନୀଳମାଧବ ଅଛନ୍ତି ଶବର ପାଶରେ ।

କିନ୍ତୁ ଉଚିତ ଠିକଣା ମୁହିଁ ଜାଣେ ନାହିଁ

ଚଉଦିଗେ ଦୃତ ପେଶି ଖୋଜ ନରସାଇଁ ।

ଶୁଣିଣ ନରେଶ ମନେ ଆନନ୍ଦିତ ହେଲେ

ବାଛି ବାଛି ବିଦ୍ୱାନ ବ୍ରାହ୍ମଣ ଡକାଇଲେ ।

ଦାମୋଦର ପଣ୍ଡା ରାମଚନ୍ଦ୍ର ମିଶ୍ର ଦୁଇ

ଲକ୍ଷ୍ମୀଧର ଚନ୍ଦ ଯେ ବିଦ୍ୟାପତି ରାଇ ।

ଏହି ଚାରିଜଣ ବିପ୍ର ମହାନ ପଣ୍ଡିତ

ଅତୁଟ ସୌନ୍ଦର୍ଯ୍ୟ ତାଙ୍କ ଉଚ୍ଚ ବଂଶେ ଜାତ ।

ତାଙ୍କୁ ସମାଦର କରି ରାଜା ଇନ୍ଦ୍ରଦ୍ୟୁମ୍ନ

ଗୁଆ ପାନ ଫୁଲମାନ ଆବର ଚନ୍ଦନ ।

ଦେଇ ଉଚିତ ଖରଚା ସେ ବିପ୍ରମାନଙ୍କୁ

ବୋଇଲେ ସରବେ ଯାଅ ଦିଅଁ ଖୋଜିବାକୁ ।

ନୀଳମାଧବ ମୂରତି ଥିବେ ଯେଉଁଠାର

ସନ୍ଧାନ କରିଣ ମୋତେ ଦିଅ ହେ ଖବର ।

ଯିଏ ଠାକୁର ସନ୍ଧାନ ଦେବି ପହଞ୍ଚାଇ ।

ଖଞ୍ଜା ପଡ଼ା ବାଡ଼ି ବୃଭି ବହୁତ ଦେବଇଁ ।

ବଛା ବଛା ଚାରିଗୋଟି ଅଶ୍ୱ ବିପ୍ରେ ଦେଲେ

ସେବା କରିବାକୁ ତାଙ୍କୁ ଲୋକ ପଠାଇଲେ

ଚାରିଦିଗକୁ ଯେ ଚାର ହୋଇଲେ ବାହାର

ସବୁଠାରୁ ଶ୍ରେଷ୍ଠ ବିଦ୍ୟାପତି ନାମ ଯାର ।

ଦକ୍ଷିଣ ଦିଗକୁ ବିଦ୍ୟାପତି ଚଳିଗଲେ

ଆବର ଯେ ତିନିଜଣ ଆନ ଦିଗେ ଗଲେ ।

ଖୋଜି ଖୋଜି ଚାରମାନେ ଆକ୍ରାନ୍ତ ହୋଇଲେ

କୌଣସିଠାରେ ପ୍ରଭୁଙ୍କ ସନ୍ଧାନ ନ ନେଲେ ।

ଶୁଣି ରାଜା ରାଣୀଦ୍ୱୟ ମହାଦୁଃଖ କଲେ

ଏକମାତ୍ର ବିଦ୍ୟାପତି ଫେରି ନ ଆସିଲେ ।

ଏହାପରେ ଶୁଣ ନରେ ଆନ ସମାଚାର

ବିଦ୍ୟାପତି ବିପ୍ର ଗଲେ ସଙ୍ଗେ ଘେନି ଚାର ।

ଏକବନ ମଧ୍ୟରେ ପ୍ରବେଶ ହୋଇଲେ ।

ସେଠାରେ ଶବରପଲ୍ଲୀ ଗୋଟିଏ ଦେଖିଲେ ।

ତୃଷାରେ ଆତୁର ବିଦ୍ୟାପତି ଯେ ହୋଇଲେ

ବୁଲି ବୁଲି ଜଳ ବନ ମଧ୍ୟେ ନ ପାଇଲେ ।

ଶବର ପଲ୍ଲୀରେ ଯାଇ ପାଣି ଯେ ମାଗିଲେ

ଲଳିତା ନାମେ ସୁନ୍ଦରୀକନ୍ୟା ଯେ ଦେଖିଲେ ।

ଅପୂର୍ବ ରୂପ ତାହାର ଦେଖି ବିପ୍ରବର

ମନେ ଭାବେ ସ୍ୱର୍ଗ ପରୀ ଜନ୍ମ ଏ ମର୍ତ୍ତ୍ୟର ।

ତା ନୋହିଲେ ସାମାନ୍ୟ ଅସ୍ପର୍ଶ ବ୍ୟାଧଘର

ଅନିତ୍ୟ ସୁନ୍ଦରୀ ପୁଣି ସୁଖରେ ବିହରେ ।

ଯେଉଁ ପୁରୁଷ ଏ ବାଳା ଅଙ୍ଗ ଭୋଗକରେ

ତା ସମାନ ସୁଖୀ କେହି ନ ଥିବେ ମର୍ତ୍ତ୍ୟରେ

ସହସ୍ରବାର ଗଙ୍ଗାରେ କରିଲେ ସ୍ନାହାନ ।

ଶତ ଶତ ଗାଭୀ ଦେଲେ ବ୍ରାହ୍ମଣଙ୍କୁ ଦାନ ।

କିମ୍ବା ବିଶ୍ଵନାଥ ଯେହୁ ସେବା କରିଥିବ

ଏ ପଦ୍ମିନୀ ସୁନ୍ଦରୀ ସେ ପ୍ରାପ୍ତ ଯେ ହୋଇବ ।

ସେହିପରି ମଧ୍ୟ ବିପ୍ରେ ଦେଖିଣ ଲଳିତା

ବିରହେ ବ୍ୟାକୁଳ ହୁଏ ବିଶ୍ଵାବସୁ ସୁତା ।

ମନେ ମନେ ଭାବେ ଆହେ ଜଗତ ଠାକୁର

ଏ ବିପ୍ରବର ଯେ ପ୍ରାପ୍ତ ହୁଅନ୍ତେ କି ମୋର ।

ଜୀବନରେ ମୁହିଁ ବହୁ ଯୁବକ ଦେଖିଛି

କୌଣସି ଦିନ କାହାର ମୁଖ ନ ଚାହିଁଛି ।

ୟା ସମାନ ସୁନ୍ଦର କେ ଜଗତରେ ନାହିଁ

କେତେକାଳ ବସି ଅବା ଗଢ଼ିଅଛି ବିହି ।

ଦୁହେଁ ଦୁହିଁଙ୍କ ଉପରେ ମୋହ ହୋଇଥାନ୍ତି

ଲଜ୍ଜ୍ୟାରେ ମନ କଥା କେ କାକୁ ନ କହନ୍ତି ।

ସମ୍ଭାଳି ନ ପାରି ବିଦାପତି ପଚାରଇ

ତବ ପରିଚୟ ମୋତେ ପାରିବକି ଦେଇ ।

କାହାର ବନିତା ପୁଣି ଲଳନା କାହାର

ଦୟାକରି ପରିଚୟ ଦ୍ୟନ୍ତୁ ନାରୀବର ।

ଲାଜ ଲାଜ ହୋଇଣ ଯେ ବୋଇଲା ସୁନ୍ଦରୀ

ବିଶ୍ଵାବସୁ ସୁତା ନାମ ଲଳିତା ମୋହରି ।

ବନିତା କାହାର ତାହା ମୁହିଁ ଜାଣେ ନାହିଁ

ଅଜନମୁ ପିତାଘରେ ଅଛି କନ୍ୟା ହୋଇ ।

ବିଦ୍ୟାପତି ବୋଲେ ପିତା କେଣେ ଛନ୍ତି ଯାଇ

ଏକମାତ୍ର କୁଟୀର ମଧ୍ୟରେ ଅଛୁ ରହି ।

ଲଳିତା ବୋଲଇ ଦିଆଁ ପୂଜା କରିବାକୁ

ମୋର ପିତା ଯାଇଛଛି ଘୋର ଅରଣ୍ୟକୁ ।

ସେଠାବରେ ବଟବୃକ୍ଷ ଏକ ଅଛି ରହି

ହାତୀଗୁମ୍ଫା ମଧେ ନୀଳମାଧବ ଅଛଇ ।

ଚତୁର୍ଭୁଜେ ଶଙ୍ଖଚକ୍ର ଦିଶଇ ଶୋଭନ

ଅପୂର୍ବ ମୂରତି ଶୋଭେ ପ୍ରଭୁଙ୍କ ଆନନ ।

ନିତି ଯାଇ ମୋର ପିତା ସେବା ଯେ କରନ୍ତି

ବନସ୍ତରୁ ପକ୍ୱଫଳ ଭୋଗ ଯେ ଲଗାନ୍ତି ।

ଶୁଣିଣ ଯେ ବିଦ୍ୟାପତି ଆନନ୍ଦ ହୋଇଲା

ନିଜ ମନକଥା ଖୋଲି ପ୍ରକାଶ ନ କଲା ।

ଲଳିତାକୁ ବିଦ୍ୟାପତି ବ୍ରାହ୍ମଣ ବୋଲଇ

ଆଜି ରାତ୍ରଟାକି ଆମ୍ଭେ ଜାଗା ପାଇବଇଁ ।

ଲଳିତା ବୋଇଇ ଏଠାରେ ତ ନାହିଁ ବାସ

ଆମ୍ଭ କୁଟୀରେ ରହିଲେ ହୋଇବକି ଦୋଷ ।

ବ୍ରାହ୍ମଣ ବୋଲଇ ମୋତେ ଲାଗୁଅଛି ଭୀତ

କାଳେ ତୁମ ବାପା ମାଆ ହୋଇବେ ବିରକ୍ତ ।

ଲଳିତା ବୋଇଇ ସେ ଖରାପ ନ ମଣିବେ

ବରଂ ତୁମକୁ ଦେଖିଲେ ସନ୍ତୁଷ୍ଟ ହୋଇବେ ।

ଛୋଟଜାତି ମଣି ତୁମ୍ଭେ କର ବେଖାତର

କିନ୍ତୁ ଆମ୍ଭେ ବ୍ୟାଧହେଲେ ଜାଣୁ ଯେ ବେଭାର

ବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ ଛତିଶ ବର୍ଣ୍ଣେ ଶ୍ରେଷ୍ଠ

ଅତିଥି ବୋଇଲେ ପିତା ହୋଇବେ ସନ୍ତୁଷ୍ଟ ।

ଢଳ ଢଳ ଯଉବନ ଦେଖି ଲଳିତାର

ବିଦ୍ୟାପତିର ହୃଦୟ ହୋଇଲା ଅସ୍ଥିର ।

ଭାବିଲେ ଯା ହସ୍ତେ ଭୋଗ ପାଆନ୍ତି ଠାକୁର

ତା ସମାନ ଭାଗ୍ୟବାନ କେ ଅଚି ମହୀର ।

ଯଦି ଏ କାଳକ କରାୟତ ମୁଁ ନ କରେ

କଦାପି ପ୍ରଭୁ ସନ୍ଧାନ ନ ପାଇବି ଥରେ ।

ଆଜ ରାତ୍ର ଗୋଟି ବ୍ୟାଧି ପଲ୍ଲୀରେ ରହିବି

ଲଳିତାଠାରୁ ପ୍ରଭୁଙ୍କ ସନ୍ଧାନ ମୁଁ ନେବି ।

ସନମତି କରି ରାତ୍ରେ ଶବର ପଲ୍ଲୀରେ

ବିଦ୍ୟାପତି ରହିଲ ଯେ ଆନନ୍ଦ ମନରେ ।

ରାତ୍ର ଅର୍ଦ୍ଧେ ଶବର ଯେ ଦିଅଁ ପୂଜା ସାରି

କୁଟୀର ମଧ୍ୟେ ପ୍ରବେଶ ଡାଲା ହସ୍ତେ ଧରି ।

ପ୍ରବେଶନ୍ତେ ଶବର ଯେ ଲତିତା ବୋଲଇ

ବ୍ରାହ୍ମଣ ଅତିଥି ଗୃହେ ରଖିଅଛି ମୁହିଁ ।

ଶୁଣି ବିଶ୍ୱାବସୁ ମନେ ହରଷ ହୋଇଲା

ଅସମ୍ମାନ ନ କରିବୁ ଅତିଥି ହୋଇଲା ।

ପ୍ରଭାତୁ ସ୍ନାନ ସାରିଣ ପୂଜା ଉପଚାର

ହସ୍ତରେ ଧରି ଶବର ହୋଇଲା ବାହାର ।

ଲଳିତା କୁଟୀର ମଧ୍ୟେ ଏକାକୀ ରହଇ

ମନ ଜାଣି ବିଦ୍ୟାପତି ସେବା ସେ କରଇ ।

ଶବର କନ୍ୟା ଭକତି ଦେଖି ବିଦ୍ୟାପତି

ମନେ ଭାବେ ୟା ସମାନ କେହି ନାହିଁ ଯତି

ଏକାନ୍ତରେ ଲଳିତାକୁ ବୋଲେ ବୀରବର

ମୋର ପ୍ରଶ୍ନର ଦେଇ କି ପାରିବ ଉତ୍ତର ।

ଲଳିତା ବୋଲଇ ସାଧ ଥିଲେ ନିଶ୍ଚେ ମୁହିଁ

ଉତ୍ତର ଦେବାକୁ ତିଳେ ପଛାଇବି ନାହିଁ ।

ବିଦ୍ୟାପତି ବୋଲେ ତୁମ ପିତାଙ୍କୁ ଜଣାଇ

ନୀଳମାଧବଙ୍କୁ ମୋତେ ଦେବ କି ଦେଖାଇ ।

ଲଳିତା ବୋଲଇ ମନା ଦେଖିବା ଅଛଇଁ

ପିତାଙ୍କ ବ୍ୟତୀତ ଆନ ଜନ ନ ଜାଣଇ ।

ଆଉ ମଧ୍ୟ ମହାବଳ ବ୍ୟାଘ୍ର ଅଛି ରହି

ବ୍ୟାଘ୍ରଗୁମ୍ଫା ନାମଗୋଟି ଅଛି ଯେ ବୋଲାଇ ।

ପିତା ଅନୁମତି ନ ନେଇଣ ଯେହୁ ଯିବ

ସାଙ୍ଗେ ସାଙ୍ଗେ ସେ ବ୍ୟାଘ୍ର ତା ପରାଣ ନାଶିବ

ବିଦ୍ୟାପତି ବୋଲେ ମୋର ହେଉଛି ଆଗ୍ରହ

ଥରେ ଦେଖାଇବା ଲାଗି ପିତାଙ୍କୁ ଜଣାଅ ।

ଲଳିତା ବୋଲଇ ଯଦି ତବ କାର୍ଯ୍ୟ ମୁହିଁ

ସଫଳ କରିଲେ କିସ ଫଳ ପାଇବଇଁ ।

ବିଦ୍ୟାପତି ବୋଲେ ଯାହା ଚାହିଁବୁ ସୁନ୍ଦରୀ

ପ୍ରାଣଦେଇ ପୂରଣ କରିବି ସତ୍ୟ ଗୋରୀ ।

ସେ ସୁନ୍ଦରୀ ବ୍ୟାଧବାଳା ଚରଣେ ପ୍ରଣମି

ବୋଲେ ଦିଅ ବର ତୁମେ ହେବ ମୋର ସ୍ୱାମୀ

ଶୁଣିଣ ବିଦ୍ୟାପତି ଯେ ହରଷ ହୋଇଲା

ହେଉ ବୋଲି ସନମତ ତକ୍ଷଣେ କରିଲା ।

ଯୁବତୀ ଗଣ୍ଡରେ ଆଙ୍କି ଦେଇ ସେ ଚୁମ୍ବନ

ହରଷେ ପ୍ରେମେ ମାତିଲେ ତହୁଁ ବେନିଜନ

ଏହିକଥା ଲଳିତାର ସଖୀଏ ଜାଣିଲେ

ସମସ୍ତଙ୍କୁ ଆଗେ କହି ବିଭା କରାଇଲେ ।

କିଛିଦିନ ଅନ୍ତେ ବିଦ୍ୟାପତି ସଙ୍ଗେ ନେଇ ।

ଅନ୍ଧ ପଟକ ତାହାର ଚକ୍ଷୁରେ ବନ୍ଧାଇ ।

ବାଟେ ଗଲାବେଳେ ବିପ୍ର କଉଶଳ କରି

ଖସା ବୁଣି ବାଟେ ବାଟେ ଯାଏ ଗୁପ୍ତ କରି

ବ୍ୟାଘ୍ର ଗୁମ୍ଫା ନିକଟରେ ପ୍ରବେଶ ହୋଇଲା

ଅପୂର୍ବ ମୂରତି ଦିଅଁ ଦରଶନ କଲା ।

ପାଦ୍ଦତଳେ ପଡ଼ି ପିତ୍ୟାପତି ଜଣାଇଲା

କାହିଁକି ଗୋପ୍ୟ ଏ ସ୍ଥାନେ ଅଛୁ ପ୍ରଭୁ ଭଲା ।

ଘୋର କଳିଯୁଗେ ପାପ ହେଲାଣି ଦୁସ୍ତର

ନୀଳ କନ୍ଦରରେ ରହି ପ୍ରବୁ ଖେଳା କର ।

ତବ ନିମନ୍ତେ ମନ୍ଦିର ଅଛି ତୋଳା ହୋଇ

ଇନ୍ଦ୍ରଦ୍ୟୁମ୍ନ ରାଜା ବଡ଼ ଧାର୍ମିକ ଅଟଇ ।

ସ୍ୱପ୍ନାଦେଶେ ମନ୍ଦିର ଯେ କରିଛି ତିଆର

ପାଇଲେ ତୁମ୍ଭଙ୍କୁ ଖୁସି ହେବ ନରବର ।

ଏତେ ଜଣାଇ ବ୍ରାହ୍ମଣ ଫେରିଣ ଆସିଲା

ଲଳିତାକୁ ନ ଜଣାଇ ଲୁଚି ପଳାଇଲା ।

ଚାତକବଚ ଯେ ରାଜା ରାଣୀ ଚାହିଁଥିଲେ

ସେନାପତି ବିଦ୍ୟାପତି ଫେରିଛି ବୁଝିଲେ ।

ଅର୍ଘ୍ୟଥାଳି ସଜାଡ଼ିଣ ଶ୍ରୀଗୁଣ୍ଡିତା ଦେଈ

ଅନ୍ତଃପୁରକୁ ପାଛୋଟି ବିଦ୍ୟାପତି ନେଇ ।

ସମସ୍ତ ଘଟଣା ଗୋଟି ଗୋଟି କରି ବୀର

ରାଜା ରାଣୀଙ୍କ ଆଗରେ କହିଲା ସତ୍ଵର ।

ଶୁଣି ଗୁଣ୍ଡିଚା ସହିତ ଇନ୍ଦ୍ରଦ୍ୟୁମ୍ନ ରାଜା

ବ୍ରାହ୍ମଣର ପାଦ ହରଷରେ କଲେ ପୂଜା ।

ଶାଢ଼ୀ ସୁନା ବଳା ଆଦି ବହୁ ରତ୍ନ ଦେଲେ

ବହୁତ ସମ୍ପତ୍ତି ଖଞ୍ଜି ପଡ଼ା କରିଦେଲେ ।

ସୈନ୍ୟ ସଜକରି ଇନ୍ଦ୍ରଦ୍ୟୁମ୍ନ ନରେଶ୍ୱର

ହୋଇଲେ ପ୍ରବେଶ ଯାଇ ବ୍ୟାଘ୍ର ଗୁମ୍ଫାଠାର

ନ ଜାଣି ଶବର ବିଷ୍ଣୁ ପ୍ରତିମା ଉଠାନ୍ତି

ଯେତେ ଚେଷ୍ଟାକଲେ ସେ ଉଠାଇ ନ ପାରନ୍ତି ।

ଦେଖି ମହାରାଜା ମନେ ଚିନ୍ତିତ ହୋଇଲେ

କିମ୍ପାଇଁ ପ୍ରତିମା ଗୋଟି ଉଠୁନାଇଁ ଭଲେ ।

ସେ ସମୟେ ଶୂନ୍ୟୁ ଶବ୍ଦ ହେଲା ନରବର ।

ବାତୁଳ ତୁହିଁ କିମ୍ପାଇ ହେଉ ନରବର ।

ଏରୂପେ ଯେ କଳିଯୁଗେ ଶୋଭା ନ ପାଇବ

ବୌଦ୍ଧରୂପ ଗୋଟିକ ଯେ ବିକାଶ ହୋଇବ ।

ବହୁ ଧର୍ମ ଅବଲମ୍ବୀ ଅଛନ୍ତି କଳିରେ

ବୌଦ୍ଧ ରୂପେ ଯେ ଶୋଭିତ ସକଳ ଧର୍ମରେ ।

କାଲି ପ୍ରଭାତରେ ଲୋକ ନେଇ ତୁହି ଯିବୁ

ବାଙ୍କୀ ମୁହାଣରେ ଆମେ ଯାଇଣ ଲାଗିବୁ ।

ସେହିଠାରେ ଦାରୁବ୍ରହ୍ମ କାଷ୍ଠଗଡ଼ ନେଇ

କାରିଗର ଡାକି ମୂର୍ତ୍ତି ତିଆରିବୁ ତୁହି ।

ଆବର ଶବରୀ କନ୍ୟା ଲଳିତା ସଙ୍ଗରେ

ବିଦ୍ୟାପତିକୁ ବିବାହ କର ହରଷରେ ।

ଶବର ଯେ ଦୈତ୍ୟବଂଶ ବିଦ୍ୟାପତି ବଂଶ

ମିଶି ତାଙ୍କ ନାମ ହେବ ଦୈତ୍ୟାପତି ଅଂଶ ।

ସେହିମାନେହିଁ ମୋହର ପୂଜକ ହୋଇବେ

ଦିବାରାତ୍ର ଛତିଶ ନିଯୋଗ ଖଟିଥିବେ ।

ଶୂନ୍ୟରୁ ଶବଦ ଯହୁଁ ଶୁଣିଲେ ନରେଶ

ଫେରି ନିଜ ଭୁବନରେ ହୋଇଲେ ପ୍ରବେଶ ।

ରାଜା ରାଣୀଙ୍କ ନୟନେ ନିଦ୍ରା ନ ଆସଇ

କିପରି ପ୍ରଭାତ ହେବ ପ୍ରଭୁ ପାଇବଇଁ ।

ଆରଦିନ ସକାଳୁ ଯେ ରାଜାରାଣୀ ଦୁଇ

ସୈନ୍ୟସାମନ୍ତମାନଙ୍କୁ ସଙ୍ଗେ ଗଲେ ନେଇ

ବାଙ୍କୀ ମୁହାଣ ନିକଟେ ପ୍ରବେଶ ହୋଇଲେ

ତିନି ଦାରୁ ଦେଖି ମନେ ହରଷ ହୋଇଲେ ।

ସୈନ୍ୟମାନଙ୍କ ଆଦେଶ ଦେଲେ ନରେଶ୍ୱର

ଶୀଘ୍ର ତୁମେ ଦାରୁବ୍ରହ୍ମ ନିକଟରେ ଭର ।

ଆଜ୍ଞା ପାଇ ସୈନ୍ୟବଳ ଦାରୁ ପାଶେ ଗଲେ

ଅଚଳ ମହାମେରୁ ସେ ଯେ ନ ଘୁଞ୍ଚିଲେ ।

ହଜାର ହଜାର ଲୋକ ଉଠାଇ ନ ପାରି

ହତାଶ ହୋଇଣ ସର୍ବେ ଆସିଲେକ ଫେରି ।

ଶୁଣି ମହାରାଜା ମଧ୍ୟ ଚିନ୍ତିତ ହୋଇଲେ

କିମ୍ପାଇଁ ଦାସକୁ ପ୍ରଭୁ ଦଣ୍ଡୁଛ ବୋଇଲେ ।

ରାଜାଙ୍କ କଣ୍ଠରେ ଶୁନ୍ୟ ଶବଦ ଶୁଭଇ

ମୋ ଭକ୍ତ ବସୁ ଶବର ବିଦ୍ୟାପତି ଦୁଇ ।

ଦୁଇପଟେ ଦୁଇଜଣ ଧରିଲେ ମୁଁ ଯିବି

ବ୍ରାହ୍ମଣ୍ଡ ଜନ ଲାଗିଲେ କେଭେ ନ ଉଠିବି ।

ଶୁନ୍ୟ ଡାକ ଶୁଣି ରାଜା ଚେତନା ପାଇଲେ

ବନସ୍ତ ମଧ୍ୟରୁ ଶବରକୁ ଅଣାଇଲେ ।

ଚାହିଁଥାନ୍ତି ଲକ୍ଷ ଲକ୍ଷ ଜନ ଯେ କୂଳରେ

ବିଦ୍ୟାପତି ସହ ବସୁ ଶବର ଯେ ଧରେ ।

ଯେଉଁ ଦାରୁ ସସ୍ରଲୋକ ଟେକି ନ ପାରିଲେ

ସୋଲ ଭେଳା ପରି ଦ୍ୱୟ ଉଠାଇ ଆଣିଲେ ।

ଲଳିତା ବିଦ୍ୟାପତି ହେଲା ବିଭାଘର

ସେହି ଦିନୁ ଦୈତ୍ୟପତି ବଂଶ ଯେ ମର୍ତ୍ତ୍ୟର ।

ତାହାପରେ ଦାରୁ ମୂର୍ତ୍ତି ନିର୍ମାଣିବା ପାଇଁ

ଶ୍ରେଷ୍ଠ ଶିକାର ରାଜା ଆଣିଲେ ଡକାଇ ।

ବହୁ ବିଶ୍ୱକର୍ମା ଆସି ଉପସ୍ଥିତ ହେଲେ

ନିହାଣ ମାରନ୍ତେ କାଷ୍ଠ ନ ଶୁଣଇ ଭଲେ ।

ସମସ୍ତ ବିଶ୍ଵକର୍ମା ଯେ ପରାସ୍ତ ହୋଇଲେ ।

କେହୁ ଦାରୁମୂର୍ତ୍ତି ନିର୍ମାଣ ଯେ ନ କରିଲେ ।

ବୃଦ୍ଧ କାରିଗର ଏକ ଯଷ୍ଟି କରେ ଧରି

ଜରାଜୀର୍ଣ୍ଣ ଦେହେ ଆସେ ଲଇଁ ଲଇଁ କରି ।

ରାଜାଙ୍କୁ ବୋଇଲା ମୁହିଁ କରିବି ତିଆର ।

ଏକୋଇଶ ଦିନ ବନ୍ଦ ହୋଇବ ଦୁଆର ।

ବାଇଶ ଦିନେ ଦେଉଳ ଦୁଆର ଖୋଲିବ

ଦାରୁ ମୂର୍ତ୍ତି ଗଠନ ଗୋ ଶେଷ ହୋଇଥିବ ।

ଆଗରୁ ଖୋଲିବ ନାହିଁ କହୁଛି ବୁଝାଇ

ଅନୁମତି ପାଇ ମୂର୍ତ୍ତି ଗଢ଼ିଲୋକ ସେହି ।

ଏକାଦଶ ଦିନଯାଏ ମନ୍ଦିର ଭିତର ।

ଠକ ଠକ ଶବ୍ଦ ସର୍ବେ ଶୁଣିଲେ କର୍ଣ୍ଣର ।

ତା ପରଦିନ ଯେ ରାଣୀ କବାଟ ପାଣରେ

କର୍ଣ୍ଣରେ ବାରିଲେ ଶବ୍ଦ ନ ଶୁଭେ ଭିତରେ ।

ରାଜାଙ୍କୁ ବୋଇଲେ ଭଲା ମୂର୍ତ୍ତି ଗଡ଼ାଇଲ

ବୁଢ଼ାକୁ ମାରି ଦିଅଁ ଅପବିତ୍ର କଲ ।

ଏତେ କହି ଲୋକଦ୍ୱାରା ଖୋଲନ୍ତେ ଦୁଆର

ଦେଖିଲେ ଦେଉଳ ମଧ୍ୟେ ନାହିଁ କାରିଗର

ଦେଖି ରାଜାରାଣୀ ଦୁଇ ଆଶ୍ଚର୍ଯ୍ୟ ହୋଇଲେ

ଅଧା ହାତ ଗୋନ ଦାରୁ ମୂରତି ଦେଖିଲେ ।

ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଭଗିନୀ

ସିଂହାସନ ପରେ ବସିଅଛନ୍ତି ବେଷ୍ଟନୀ ।

ଦେଖି ଇନ୍ଦ୍ରଦ୍ୟୁମ୍ନ ରାଜା ମନେ କ୍ରୋଧକଲେ

ଗୁଣ୍ଡିଚା ରାଣୀଙ୍କ ପରେ ବିରକ୍ତ ହୋଇଲେ ।

ପୁଣି ଶବଦ ଶୁଭିଲା ରାଜାଙ୍କ କର୍ଣ୍ଣର

ଆହେ ରାଜା ମନେ ତୁହି ଭାବନା ନକର ।

ବୌଦ୍ଧ ରୂପେ ପୂଜା ହେବୁ ଆମ୍ଭେ ଏ ଯୁଗର

ସେହି ମୂର୍ତ୍ତି ଅଟେ ଏହୁ କହିଛୁ ଆଗର ।

ଶୀଘ୍ର ନୀତି ଖଞ୍ଜି ପଡ଼ା କର ନରେଶ୍ୱର

ଛପନ ପଉଟି ଭୋଗ ଖଞ୍ଜା ଯେ ଆମ୍ଭର ।

ଚାରି ଧୂପ ଛଅ ଅବକାଶ ଖଞ୍ଜାଇବୁ

ଷୋଡ଼ଶ ଉପଚାରରେ ପୂଜା ଭିଆଇବୁ ।

ଏତେ କହି ଜଗନ୍ନାଥ ହେଲେ ଅନ୍ତର୍ଦ୍ଧାନ

ଶୂନ୍ୟବାଣୀ ଶୁଣି ରାଜା ପାଇଲା ଯେ ଜ୍ଞାନ

ବିଷ୍ଣୁ ନିର୍ମାଲ୍ୟ ସରବେ ହରଷେ ପାଇବେ

ବ୍ରାହ୍ମଣ ହସ୍ତୁ ଚାଣ୍ଡାଳ ଛଡ଼ାଇ ଖାଇବେ ।

ସେହିଦିନୁ ସେହିପରି ଖଞ୍ଜା ଭିଆଇଲା

ଶ୍ରୀ ନୀଳାଚଳ ବୋଲିଣ ନାମ ଯେ ହୋଇଲା

କଳିଯୁଗେ ହରି ନାମ ଅଟଇ ଯେ ସାର

ଯେ ନାମ ଭଜିବ ସେହୁ ଭବୁ ହେବ ପାର ।

ଚାରିଯୁଗ ମଧ୍ୟେ ଧର୍ମ ଅଟଇ ଯେ ସାର

ସତ୍ୟ ସନାତନ ଅଟେ ଧର୍ମ ନିରାକାର ।

ଜଗନ୍ନାଥ ନାମ ହୃଦେ କରିଲେ ଭଜନ

ଅଶେଷ ପାତକ ଦେହୁଁ ହୋଇବ ଖଣ୍ଡନ ।

ଶ୍ରୀ ପୁରୁଷୋତ୍ତମ ପ୍ରଭୁ ଶଙ୍ଖ ଚକ୍ର ଧରି

ଭକ୍ତକୁ ତାରିବା ପାଇଁ ଛନ୍ତି ବିଜେ କରି ।

ଭକ୍ତିରେ ଡାକିବ ଯେହୁ ଦର୍ଶନ ପାଇବା

ପାଷାଣ୍ଡ ଜନ ଚକ୍ରରେ ଛେଦନ ହୋଇବ ।

ବଳରାମ ଜଗନ୍ନାଥ ଅନନ୍ତ ଅଚ୍ୟୁତ

ଯଶୋବନ୍ତ ସହିତରେ ହେଲେ ସ୍ଵର୍ଗପ୍ରାପ୍ତ ।

ଯେଉଁ ରୂପେ ଯେ ଭଜଇ ପ୍ରଭୁଙ୍କ ପୟର

ସେ ରୂପେ ତାକୁ ଦର୍ଶନ ଦିଅନ୍ତି ଠାକୁର ।

ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନ

ପଢିବା ଜନର କରେ ଚିତ୍ତବିନୋଦନ ।

ଭାଗବତ ବାରସ୍କନ୍ଧ ପ୍ରେମରଜ୍ଜୁ ଧରି

ମନ୍ଥନ କଲେ ଅଚ୍ୟୁତ ଦଧିଭାଣ୍ଡ ପରି ।

ସେ ଲବଣୀ ନେଁଇ ହରିବଂଶ ଯେ ଲେଖିଲେ

ସେ ହରିବଂଶକୁ ମଧ୍ୟ ମନ୍ଥନ କରିଲେ ।

ଲବଣୀର ଘୃତ ଛାଣି ଅଚ୍ୟୁତ ଗୋସାଇଁ

ଚିତ୍ତବୋଧ ଗ୍ରନ୍ଥ ଜାଣି ରଚିଥିଲେ ସେହି ।

ଦୁଇଖଣ୍ଡ ଗ୍ରନ୍ଥ କରିଅଛନ୍ତି ତିଆର

କାକଳଗତି ଦେଖି ଚାଲିଗଲେ ଆରପାର ।

ତାଳପତ୍ର ପୁସ୍ତକରେ ଗୋପ୍ୟ ଥିଲା ହୋଇ

ବାବୁ ବିଦ୍ୟାଧର ସାହୁ ପ୍ରାର୍ଥୀ ହେଲେ ଯାଇଁ ।

ସେହି ଦୁଇଖଣ୍ଡ ଆଣି ପ୍ରକାଶ କରିଲେ

ତୃତୀୟ ଚତୁର୍ଥ ନାହିଁ ଶ୍ରୀ ସାହୁ ଦେଖିଲେ ।

ବହୁ ଅର୍ଥ ବ୍ୟୟ କରି ମୋତେ ସେ ଅଣାଇ

ଚତୁର୍ଥ ଖଣ୍ଡ ମୋ ହସ୍ତ ଅଛନ୍ତି ଲେଖାଇ ।

ସିନ୍ଧୁ ଲଙ୍ଘିବାକୁ ମନ ହେଲା ମୋ ମନର

ବାବୁ ବିଦ୍ୟାଧର ଦେଲେ ସାହସ ଅପାର ।

ତାଙ୍କ ଆନୁକୁଲ୍ୟ ଗ୍ରନ୍ଥ ପ୍ରକାଶ ପାଇଲା ।

ବ୍ରହ୍ମାଣ୍ଡ ଆଲୋକ ରଶ୍ମି ଚିତ୍ତବୋଧ ହେଲା ।

ଅସମ୍ପୂର୍ଣ୍ଣ ଅଚ୍ୟୁତଙ୍କ କଳ୍ପନା ମନ୍ଦିର

ସାହୁ ଚେଷ୍ଟାରେ ମୋହନ କରିଲା ତିୟାର ।

ଶ୍ରୀ ଶାରଳା ଦେବୀଙ୍କର ଶ୍ରୀଚରଣ ଧାୟି

ଅଚ୍ୟୁତାନନ୍ଦ ସୁମରି ଏ ଗ୍ରନ୍ଥ ଲେଖଇ ।

ଚିତ୍ତବୋଧ ଚତୁର୍ଥ ଯେ ହୋଇଲା ସମ୍ପୂର୍ଣ୍ଣ

ଆନନ୍ଦ ସାଗରେ ହରିବୋଲ ସର୍ବଜନ ।